Skip to main content

ଆମ ଜାମିନ ବ୍ୟବସ୍ଥାରେ ଦରିଦ୍ରଙ୍କ ଦୁର୍ଦ୍ଦଶା

କାହାକୁ ଚାପୁଡ଼ାଟିଏ ପକାଇ ହୁଏତ ଜଣେ ଗରିବ ଅଭିଯୁକ୍ତ ଜେଲ ଯାଇଛି ଯେ ଯାଇଛି, ଜେଲରୁ ମୁକୁଳିବା ପାଇଁ ବର୍ଷ ବର୍ଷ ଲାଗିଯାଇଛି । ଛୋଟ ଛୋଟ ଏବଂ ଜାମିନଯୋଗ୍ୟ ଅପରାଧ ପାଇଁ ବିଚାରାଧୀନ କଏଦୀ ଭାବେ ବର୍ଷ ବର୍ଷ ଧରି ଜେଲରେ ଶଢ଼ୁଥିବା ଗରିବ ଲୋକଙ୍କ ପରିବାର ଆର୍ଥିକ ଦୁରବସ୍ଥା ଯୋଗୁଁ ନ୍ୟାୟିକ ଲଢ଼େଇ ଲଢ଼ିବାକୁ ଅସମର୍ଥ ହୁଅନ୍ତି । ଏହିପରି ଲୋକମାନଙ୍କ ଦୁର୍ଦ୍ଦଶା ଜେଲ ବାହାରେ ରହୁଥିବା ଲୋକମାନେ ଜାଣନ୍ତି ନାହିଁ ଓ ସମାଜ ସେମାନଙ୍କ ସମସ୍ୟା ପ୍ରତି ଉଦାସୀନ । ତେଣୁ ସେମାନେ କ୍ରମଶଃ ବିସ୍ମୃତ ହୋଇଯାଆନ୍ତି । ଗୋଟିଏ ପଟେ ଗୁରୁତର ଅପରାଧରେ ସଂଶ୍ଳିଷ୍ଟ ସମ୍ପନ୍ନ ଅଭିଯୁକ୍ତମାନେ ନିଜ ଅର୍ଥ ଓ ପ୍ରତିପତ୍ତି ବଳରେ ଜାମିନ ପାଇ ମୁକ୍ତ ଭାବେ ବିଚରଣ କରିବାକୁ ସମର୍ଥ ହେଉଥିବା ବେଳେ ଅପେକ୍ଷାକୃତ ଛୋଟକାଟର ଅପରାଧ କରି ଗରିବ ବିଚାରାଧୀନ କଏଦୀମାନେ ସେମାନଙ୍କ ଜାମିନଯୋଗ୍ୟ ଅପରାଧ ପାଇଁ ମଧ୍ୟ ନ୍ୟାୟିକ ଲଢ଼େଇ ଲଢ଼ି ଉପଚାର ପାଇବା ଲାଗି ଆବଶ୍ୟକ ସମ୍ୱଳ ଜୁଟାଇ ନ ପାରି ଦୀର୍ଘ କାଳ ଧରି ଜେଲରେ ପଡ଼ି ରହିବାକୁ ଏକ ପ୍ରକାର ବାଧ୍ୟ ହୁଅନ୍ତି । ଫଳରେ ସେମାନେ ଓ ସେମାନଙ୍କ ପରିବାର ଚରମ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଆନ୍ତି । ନଭେମ୍ୱର ୨୬, ୨୦୨୨ରେ ୭୩ତମ ସମ୍ୱିଧାନ ଦିବସ ପାଳନ ଅବସରରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ଝାଡ଼ଖଣ୍ତରେ ଗରିବ ଆଦିବାସୀମାନେ ଜାମିନଦାର ବା ଜାମିନ ରାଶି ଯୋଗାଡ଼ କରିବାକୁ ଅସମର୍ଥ ହୋଇ କିପରି ଜେଲରେ କାଳାତିପାତ କରୁଛନ୍ତି ସେ ସମ୍ପର୍କରେ ବ୍ୟକ୍ତିଗତ ଅନୁଭୂତିରୁ ଅବତାରଣା କରିବା ସଙ୍ଗେ ସଙ୍ଗେ ସେହିପରି ଲୋକମାନଙ୍କ ଦୁର୍ଦ୍ଦଶା ଲାଘବ କରିବା ଲାଗି ଆବଶ୍ୟକ ନ୍ୟାୟିକ ପଦକ୍ଷେପ ଗ୍ରହଣ କରିବାକୁ ବିଚାରପତିମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟ ତରଫରୁ ଏହାର ନିଦାନ ପାଇଁ ତତ୍ପରତା ପ୍ରକାଶ ପାଇବା ବାସ୍ତବିକ ସ୍ୱାଗତଯୋଗ୍ୟ । ତେବେ ଗରିବ ବିଚାରାଧୀନ କଏଦୀଙ୍କ ଦୁର୍ଦ୍ଦଶା ଉପରେ ଆଲୋଚନା କରିବା ଲାଗି ଏହି ଘଟଣା ଏକ ଅବକାଶ ସୃଷ୍ଟି କରିଛି ।  

କୁହାଯାଏ, ଖ୍ରୀଷ୍ଟପୂର୍ବ ୩୯୯ରେ ସକ୍ରେଟିସଙ୍କୁ ମୁକୁଳାଇବା ପାଇଁ ଗ୍ରୀକ ଦାର୍ଶନିକ ପ୍ଲାଟୋ ଏକ ବଣ୍ଡ ପ୍ରସ୍ତୁତ କରିବାକୁ ପ୍ରୟାସ କରିଥିଲେ । ତେବେ ଆଧୁନିକ କାଳରେ ଜାମିନ ବ୍ୟବସ୍ଥାର ପ୍ରଚଳନ ଇଂଲଣ୍ଡରୁ ହୋଇଥିବାର ଜଣାପଡ଼େ, ଯାହା ବର୍ତ୍ତମାନ ଊଣା ଅଧିକେ ପ୍ରାୟ ସବୁ ରାଷ୍ଟ୍ରର ଆଇନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି । ସିଆରପିସି, ୧୯୭୩ରେ ବେଲ୍ (ଜାମିନ) ଶବ୍ଦଟିର ସଂଜ୍ଞା ନିରୂପିତ ହୋଇନଥିଲେ ବି ସବୁ ଅପରାଧକୁ ଜାମିନଯୋଗ୍ୟ (ବେଲେବଲ୍) ଅଥବା ଅଣ-ଜାମିନଯୋଗ୍ୟ (ନନ୍-ବେଲେବଲ୍),ଏହିପରି ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଜାମିନଯୋଗ୍ୟ ଅପରାଧଗୁଡ଼ିକ ଅପେକ୍ଷାକୃତ କମ ଗୁରୁତର ହୋଇଥାଏ । ଭାରତୀୟ ଆଇନ ବ୍ୟବସ୍ଥାରେ ନଗଦ ରାଶି ଓ ଜାମିନଦାର (ସ୍ୟୁରିଟି) ମାଧ୍ୟମରେ ଜାମିନ ମିଳିବାର ପ୍ରାବଧାନ ରହିଛି । ଏଥିସହ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ମଧ୍ୟ ଜାମିନ ମିଳିପାରେ । ଅନେକ ସମୟରେ ଏହି ସବୁ ସର୍ତ୍ତ ପୂରଣ କରିବା ନେଇ ଗରିବମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ ଭାରତରେ ପ୍ରଚଳିତ ଜାମିନ ବ୍ୟବସ୍ଥା ଗରିବଙ୍କ ପ୍ରତି ପକ୍ଷପାତିତାପୂର୍ଣ୍ଣ ବୋଲି ବିଭିନ୍ନ ମାମଲାରେ ବିଚାରପତିମାନେ ମତ ବ୍ୟକ୍ତ କରିଛନ୍ତି । କୋଟି କୋଟି ଲୋକ ଦାରିଦ୍ର୍ୟ କଷାଘାତରେ ନିଷ୍ପେସିତ ହେଉଥିବା ବେଳେ ଜାମିନ ବ୍ୟବସ୍ଥାରେ ସେମାନଙ୍କ ପ୍ରତି ପକ୍ଷପାତିତା ଚିନ୍ତାଜନକ ନିଶ୍ଚୟ ।   

ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ଡ଼ିସେମ୍ୱର ୩୧, ୨୦୨୧ସୁଦ୍ଧା ସମଗ୍ର ଦେଶର ଜେଲମାନଙ୍କରେ ଥିବା ୫.୫୪ ଲକ୍ଷ କଏଦୀଙ୍କ ମଧ୍ୟରୁ ୩.୭୩ ଲକ୍ଷ ବା ପ୍ରାୟ ୬୭.୫ ପ୍ରତିଶତ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଓ ପଛୁଆ ବର୍ଗର, ଯେଉଁମାନେ ପ୍ରାୟତଃ ଗରିବ ଶ୍ରେଣୀର । ଏମାନଙ୍କ ମଧ୍ୟରୁ ମାତ୍ର ୮୯,୮୦୨ ଜଣ ଦଣ୍ଡିତ ହୋଇଥିବା ବେଳେ ୨,୮୩,୫୩୫ ଜଣ ବା ପ୍ରାୟ ୭୬ ପ୍ରତିଶତ ବିଚାରାଧୀନ ଅବସ୍ଥାରେ କଏଦୀ ଭାବେ ଜେଲରେ କାଳାତିପାତ କରୁଛନ୍ତି । ୨୦୧୬ରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଥିଲା ୨.୯୩ ଲକ୍ଷ । ୫ ବର୍ଷ ମଧ୍ୟରେ ତାହା ପ୍ରାୟ ୪୬ ପ୍ରତିଶତ ବୃଦ୍ଧି ପାଇ ୨୦୨୧ରେ ୪.୨୭ ଲକ୍ଷରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରେ ଅନେକ ସଂଖ୍ୟକ ଉଚ୍ଚ ଜାତିର ଗରିବ ଶ୍ରେଣୀର ଲୋକ ବି ଅଛନ୍ତି । ଜାମିନଯୋଗ୍ୟ ଅପରାଧରେ ଅଭିଯୁକ୍ତ ବିଚାରାଧୀନ କଏଦୀମାନେ ଜେଲରୁ ମୁକୁଳି ପାରିଲେ ଜେଲ ସବୁ ଶ୍ୱାସରୁଦ୍ଧ ହେଲା ଭଳି ଅଯଥାରେ ଜନାକୀର୍ଣ୍ଣ ହେବାରୁ ରକ୍ଷା ପାଆନ୍ତା ।

ଜାମିନ ବ୍ୟବସ୍ଥା ଗରିବ ପ୍ରତିକୂଳ ହେଉଥିବାର ଏକ ବଡ଼ କାରଣ ହେଉଛି ସଚେତନତାର ଅଭାବ । ଉଦାହରଣ ସ୍ୱରୂପ, ସିଆରପିସିର ଧାରା ୪୩୬(କ) ଅନୁଯାୟୀ କୌଣସି ଅପରାଧ ପାଇଁ ସର୍ବାଧିକ ଜେଲଦଣ୍ଡର ଅର୍ଦ୍ଧାଧିକ ସମୟ ଜେଲରେ ଅତିବାହିତ କରିସାରିଥିଲେ ଜଣେ ବିଚାରାଧୀନ କଏଦୀ ଜେଲରୁ ମୁକୁଳି ପାରିବେ । କିନ୍ତୁ ଅଧିକାଂଶ କଏଦୀ ଏ ନେଇ ଅଜ୍ଞ । ଅନେକ କ୍ଷେତ୍ରରେ ଗରିବ କଏଦୀମାନେ ଆବଶ୍ୟକ ଅର୍ଥର ଅଭାବରେ ଜାମିନ ସର୍ତ୍ତକୁ ପୂରଣ କରିପାରନ୍ତି ନାହିଁ । ଜଣେ ଗରିବ ଲୋକକୁ ଅତ୍ୟଧିକ ପରିମାଣର ଜାମିନ ରାଶି ପ୍ରଦାନ କରିବାକୁ କହିବା ଅର୍ଥ ତାକୁ ଜାମିନ ଦେବାକୁ ମନା କରିବା ସହ ପ୍ରାୟ ସମାନ ବୋଲି ‘ନାନୁ ଗୋର୍ଦ୍ଧନ ବନାମ ଗୁଜରାଟ ରାଜ୍ୟ’ ମାମଲାରେ ଗୁଜରାଟ ହାଇକୋର୍ଟର ବିଚାରପତି କେ.ବୈଦ୍ୟ ମନ୍ତବ୍ୟ ଦେଇଥିଲେ । ସେହିପରି ଗରିବ କଏଦୀଙ୍କ ଆର୍ଥିକ କ୍ଷମତାକୁ ବିଚାରକୁ ନ ନେଇ ଜାମିନ ରାଶି ନିର୍ଦ୍ଧାରଣ କରିବା ଗରିବଙ୍କ ପ୍ରତି ପକ୍ଷପାତମୂଳକ ବୋଲି ହୁସେନାରା ଖାତୁନ ମାମଲାରେ ଅଦାଲତ ମନ୍ତବ୍ୟ ଦେଇଥିଲେ । ସ୍ଥଳ ବିଶେଷରେ ଗରିବ କଏଦୀମାନେ ଜାମିନର ସର୍ତ୍ତ ପୂରଣ କରିବାକୁ ଅସମର୍ଥ ହୋଇ ‘ପେସାଦାର ଜାମିନଦାର’ଙ୍କ କବଳରେ ପଡ଼ି ଅର୍ଥ ଶ୍ରାଦ୍ଧ କରିବାକୁ ବାଧ୍ୟ ହୁଅନ୍ତି । ଏ ସମ୍ପର୍କରେ ଏକ ଦୁଃଖଦାୟକ ଘଟଣାର ଅବତାରଣା କରାଯାଉ । ଛତିଶଗଡ଼ରେ ୩ ଜଣ ଆଦିବାସୀ (ଭବନ ସିଂହ, ଜୟ ସିଂହ ଓ ସୁଖସେନ ଗୋଣ୍ଡ)ଙ୍କୁ ଏକ ମାମୁଲି ଅପରାଧ ପାଇଁ ୨୦୧୩ରେ ଗିରଫ କରାଯିବା ପରେ ଛତିଶଗଡ଼ ହାଇକୋର୍ଟ ସେମାନଙ୍କୁ ୨୦୧୬ରେ ଜଣେ ଲେଖାଏଁ ଜାମିନଦାର ଓ ୫୦୦୦ ଟଙ୍କାର ବେଲ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ସେମାନେ ଜାମିନଦାର ଓ ସେତିକି ମାତ୍ର ଟଙ୍କା ଯୋଗାଡ଼ କରିବାକୁ ଅସମର୍ଥ ହୋଇ ଆହୁରି ୬ ବର୍ଷ କାଳ ବିଲାସପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କଟାଇବାକୁ ବାଧ୍ୟ ହୋଇଥିଲେ । ଅବଶ୍ୟ ମାମଲାଟି ପୁନଶ୍ଚ ଅଦାଲତଙ୍କ ନିକଟକୁ ଆସିବା ପରେ ଯାଇ ସେମାନେ ଜେଲରୁ ମୁକୁଳି ପାରିଛନ୍ତି ।        

ବିଚାରାଧୀନ ଅବସ୍ଥାରେ ଜେଲରେ ଅଟକ ରହିବାର ପରିଣାମ ମାରାତ୍ମକ ହୋଇଥାଏ । ଆଇନ ଦୃଷ୍ଟିରେ ସେଭଳି ଅଟକ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେବା ଯାଏଁ ନିର୍ଦ୍ଦୋଷ ବୋଲି ଗ୍ରହଣ କରାଯାଉଥିଲେ ବି ସେମାନେ ଦୀର୍ଘ କାଳ ଅସହାୟ ବନ୍ଦୀ ଜୀବନ କାଟିବା ଦୁର୍ଭାଗ୍ୟଜନକ ନୁହେଁ କି ? ଜେଲରେ ରହିବା ଯୋଗୁଁ ନିଜ କର୍ମନିଯୁକ୍ତି ହରାଇ ରୋଜଗାରହୀନ ହେବା ସହ ନିଜ ସପକ୍ଷରେ ଲଢ଼ିବା ପାଇଁ ଆର୍ଥିକ ସାମର୍ଥ୍ୟ ହରାଇଥାନ୍ତି । ଅଧିକନ୍ତୁ, ଅଧିକାଂଶ କ୍ଷେତ୍ରରେ ଜେଲରେ ଅଟକ ରହିବାର ଅତ୍ୟଧିକ ବୋଝ ନିର୍ଦ୍ଦୋଷ ପରିବାର ସଦସ୍ୟଙ୍କୁ ବହନ କରିବାକୁ ହୋଇଥାଏ । ଯଦି ଅଭିଯୁକ୍ତ ଜଣକ ତାଙ୍କ ଦରିଦ୍ର ପରିବାରର ଏକମାତ୍ର ଆୟକର୍ତ୍ତା ହୋଇଥାଆନ୍ତି, ତେବେ ତାଙ୍କର ଏଭଳି ସ୍ଥିତି ପରିବାରର ଆର୍ଥିକ ସ୍ଥିତିକୁ ବିପର୍ଯ୍ୟସ୍ତ କରିଦିଏ ଏବଂ ମାମଲା ଲଢ଼ିବା ପାଇଁ ପରିବାରଟି ଅସମର୍ଥ ହୁଏ । ଏହାର ଦୂରଗାମୀ ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ । ବିନା ବିଚାରରେ ଦୀର୍ଘ କାଳ ଧରି ଜେଲରେ ପଡ଼ି ରହୁଥିବା ବ୍ୟକ୍ତିଙ୍କର ଶାସନ ବ୍ୟବସ୍ଥା ଉପରୁ କ୍ରମଶଃ ଆସ୍ଥା ତୁଟିବାକୁ ଲାଗେ ଓ ଜେଲ ବାହାରର ବୃହତ୍ତର ସମାଜ ପ୍ରତି ସେମାନଙ୍କ ମନରେ ତିକ୍ତତା ସୃଷ୍ଟି ହୁଏ । ଆର୍ଥିକ ସମ୍ୱଳ ଅଭାବରୁ ଜାମିନ ରାଶି ପଇଠ କରି ନ ପାରି ପରିବାରର ମୁଖ୍ୟ ଉପାର୍ଜନକାରୀ ଜେଲରେ ଅଟକ ରହିଲେ ତାହା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସେହି ରାଶି ଯୋଗାଡ଼ କରିବା ଲାଗି ଅପରାଧର ଆଶ୍ରୟ ନେବାକୁ ପ୍ରେରିତ କରିଥାଏ । ଫଳରେ ଅଧିକ ଅପରାଧ ସଂଘଟିତ ହେବା ସହ ପରିବାରର ଅନ୍ୟ ସଦସ୍ୟ ଗିରଫ ହୋଇ ଜେଲରେ ରହିବାର ଆଶଙ୍କାକୁ ବଢ଼ାଇ ଦେଇଥାଏ । ସୁତରାଂ, ଦାରିଦ୍ର୍ୟ-ଜେଲ-ଅପରାଧ ଏକ ଦୁଷ୍ଟ ଚକ୍ରକୁ ଜନ୍ମ ଦେଇଥାଏ, ଯାହା ପରିବାରକୁ ଅଧିକ ଦାରିଦ୍ର୍ୟ ଭିତରକୁ ଠେଲି ଦିଏ । କେତେକ କ୍ଷେତ୍ରରେ ପରିବାର ମୁଖ୍ୟ ଦୀର୍ଘ କାଳ ଧରି ଜେଲରେ ରହିବା ଯୋଗୁଁ ଘର ଓ ପିଲାମାନେ ମଧ୍ୟ ଅକ୍ତିଆର ବାହାରକୁ ଚାଲିଯାଆନ୍ତି ଓ ସମ୍ପୂର୍ଣ୍ଣ ପରିବାର ବିଧ୍ୱଂସର ଦ୍ୱାରଦେଶରେ ଉପନୀତ ହୁଏ । ଏହାର କୁପ୍ରଭାବ ସମାଜ ଉପରେ ମଧ୍ୟ ପଡ଼ିଥାଏ । ତେଣୁ ଜାମିନର ସର୍ତ୍ତାବଳୀ ନିର୍ଦ୍ଧାରଣ ବେଳେ ଅଭିଯୁକ୍ତର ଆର୍ଥିକ ସ୍ଥିତିକୁ ବିଚାରକୁ ନେବା ସହ ସର୍ତ୍ତାବଳୀ ପୂରଣ କରି ନପାରି ସେ ଜେଲରେ ରହିଲେ ସମ୍ଭାବ୍ୟ ପରିଣତି ସମ୍ପର୍କରେ ବିବେଚନା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।   

ଜାମିନ ସର୍ତ୍ତାବଳୀକୁ ପୂରଣ କରିବାକୁ ଅସମର୍ଥ ହୋଇ ଅଟକ ଥିବା ବା ବିଚାରାଧୀନ ଅବସ୍ଥାରେ ଥିବା କଏଦୀମାନଙ୍କ ନାମ, ସେମାନଙ୍କ ବିରୁଦ୍ଧରେ ଥିବା ଅପରାଧ ଅଭିଯୋଗ, ଜାମିନ ଆଦେଶର ତାରିଖ, ଜାମିନ ଆଦେଶ ପରେ ସେମାନେ କେତେ ଦିନ ଜେଲରେ କଟାଇ ସାରିଲେଣି ଆଦି ତଥ୍ୟ ଜେଲ କର୍ତ୍ତୃପକ୍ଷ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପରେ ସେଗୁଡ଼ିକୁ ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଜାତୀୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଏହା ହୁଏତ ଜାମିନ ଆଦେଶର କାର୍ଯ୍ୟକାରିତାକୁ ନେଇ ଏକ ଜାତୀୟ ନୀତି ପ୍ରସ୍ତୁତ କରିବାରେ ସହାୟକ ହୋଇପାରେ । ଏହାଦ୍ୱାରା ଗରିବ ବିଚାରାଧୀନ କଏଦୀମାନେ ଅନ୍ତତଃ କିଛିଟା ଆଶ୍ୱସ୍ତି ଲାଭ କରିପାରନ୍ତି ।

ଏବେ ଆସିବା ଏହି ସମସ୍ୟା ପ୍ରତି ସାଧାରଣ ଲୋକେ ସଚେତନ ହେବା ଓ ସେମାନଙ୍କଠାରେ ସମ୍ୱେଦନଶୀଳତା ଦେଖାଦେବା ବିଷୟକୁ । ସେଥିପାଇଁ ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ଗୁରୁଦାୟିତ୍ୱ ନିର୍ବାହ କରିବା ଉଚିତ । ଉପରୋକ୍ତ ସଂଗୃହୀତ ତଥ୍ୟକୁ କଏଦୀଙ୍କ ଗୋପନୀୟତା ରକ୍ଷା କରି ୱେବସାଇଟରେ ରାଜ୍ୟୱାରି ସ୍ଥାନିତ କରାଯିବା ଆବଶ୍ୟକ, ଯାହାକୁ ଉପଯୋଗ କରି ହୁଏତ ଏଭଳି ଅନୁଷ୍ଠାନଗୁଡ଼ିକ ଓ ବ୍ୟକ୍ତିବିଶେଷ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିପାରିବେ । ବିଭିନ୍ନ ରାଜ୍ୟରେ ନାଗରିକ ସମାଜର ସଦସ୍ୟଙ୍କୁ ନେଇ ‘କାରାଗାର ନିରୀକ୍ଷକ ସମୂହ’ (ପ୍ରିଜନ୍ ୱାଚ ଗ୍ରୁପ)ମାନ ଗଠନ କରାଯାଇପାରିବ ଯେଉଁମାନେ କାରାଗାରର ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହ ବିଚାର ବିମର୍ଶ ମାଧ୍ୟମରେ ଗରିବ କଏଦୀମାନଙ୍କ ଜାମିନ ସର୍ତ୍ତାବଳୀ ପୂରଣ ଦିଗରେ ପ୍ରୟାସ କରିପାରିବେ । କଏଦୀମାନଙ୍କ ପରିବାରର ଦୁର୍ଦ୍ଦଶାକୁ ଦୂର କରିବା ଦିଗରେ ‘ପ୍ରିଜନ ଆଡ଼ଭାଇସ କେୟାର ଟ୍ରଷ୍ଟ’ (ପ୍ୟାକ୍ଟ), ‘ଚିଲଡ଼୍ରେନ ଅଫ ପ୍ରିଜନର୍ସ ଅଫ ୟୁରୋପ’ (କୋପ୍), ‘ନେପାକସ୍’, ‘ପ୍ରିଜନ୍ ରିଫର୍ମ ଟ୍ରଷ୍ଟ’ ଭଳି ବିଦେଶୀ ସଂସ୍ଥାଗୁଡ଼ିକ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ଏପରିକି ବିଦେଶରେ ଜେଲରେ ଥିବା ବ୍ରିଟେନ ଅଧିବାସୀମାନଙ୍କୁ ‘ପ୍ରିଜନର୍ସ ଆବ୍ରୋଡ଼’ ନାମକ ସଂସ୍ଥା ସହାୟତା ଯୋଗାଇଦେଉଛି । ତେଣୁ ଭାରତରେ ମଧ୍ୟ ଅଧିକ ସଂଖ୍ୟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଏ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହିତ କରାଯିବା ଆବଶ୍ୟକ ।

ବେଲ୍ ରିଫର୍ମସ ଆକ୍ଟ, ୧୯୬୬ରେ ସ୍ୱାକ୍ଷର କରିବା ଅବସରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଲିଣ୍ଡନ ଜନସନ୍ ମନ୍ତବ୍ୟ ଦେଇଥିଲେ, “ଜଣେ ଗରିବ ପ୍ରତିବାଦୀ ମୂଲ୍ୟ ଦେଇପାରେ ନାହିଁ । ବିଚାର ହେବା ପୂର୍ବରୁ ତାକୁ ସପ୍ତାହ, ମାସ, ଏପରିକି ବର୍ଷ ବର୍ଷ ଧରି ଜେଲରେ ଶଢ଼ିବାକୁ ହୁଏ । ଦୋଷୀ ବୋଲି ସେ ଜେଲରେ ରହିନଥାଏ । କୌଣସି ଦଣ୍ଡବିଧାନ ହୋଇଛି ବୋଲି ସେ ଜେଲରେ ନଥାଏ । ବିଚାର ପୂର୍ବରୁ ଖସି ପଳାଇଯିବାର ଭୟ ଅଛି ବୋଲି ସେ ଜେଲରେ ରହିନଥାଏ । ତାକୁ କେବଳ ଗୋଟିଏ କାରଣ ପାଇଁ ଜେଲରେ ପଡ଼ି ରହିବାକୁ ହୋଇଥାଏ – କାରଣଟି ହେଲା ସେ ଗରିବ...”  । ତେଣୁ ଏଭଳି କଏଦୀମାନଙ୍କ ଦୁର୍ଦ୍ଦଶା ପ୍ରତି ସରକାର, ପ୍ରଶାସନ, ବିଚାରାଳୟ, ଆଇନ ଓ ସାଧାରଣ ନାଗରିକ ସମସ୍ତେ ସହାନୁଭୂତିଶୀଳ ହେବା ଆବଶ୍ୟକ ।


Published in Sambad on December 13, 2022


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ