Skip to main content

ମହିଳା ଲାଭାର୍ଥୀ ଯୋଜନା : ଦେଶ ଲାଗି ଗୋଟିଏ ନୀତି ଲୋଡ଼ା

କିଛି ରାଜ୍ୟରେ ସରକାରଙ୍କ ଦ୍ୱାରା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ନଗଦ ଟଙ୍କା ଜମା କରିବାର ଯୋଜନାମାନ କାର୍ଯ୍ୟକାରୀ ହେଉଛି । ଟିକସଦାତାଙ୍କ ଅର୍ଥକୁ ଏପରି ମାଗଣା ବାଣ୍ଟି ଅର୍ଥଶ୍ରାଦ୍ଧ କରିବାକୁ ଅନେକ ନାପସନ୍ଦ କରୁଥିବା ବେଳେ ଏତେ କମ ଅର୍ଥର ସହାୟତା ଗରିବ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିପାରିବ ନାହିଁ ବୋଲି କେହି କେହି ମତବ୍ୟକ୍ତ କରୁଛନ୍ତି । ମାଗଣା ଟଙ୍କା କେଇଟା ନ ଧରେଇ ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ଦିଗରେ ପ୍ରଚେଷ୍ଟା କରାଗଲେ ସେମାନଙ୍କ ବିକାଶ ହେବା ସହ ରାଜ୍ୟର ଅର୍ଥନୀତି ମଧ୍ୟ ଗତିଶୀଳ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି । ତେବେ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ନଗଦ ପ୍ରଦାନ କରାଯିବା କିଛି ନୂଆ କଥା ନୁହେଁ । ମେକ୍ସିକୋରେ ‘ପ୍ରୋଗ୍ରେସା’, ବ୍ରାଜିଲରେ ‘ବୋଲସା ଫେମିଲିଆ’, ଜାମାଇକାରେ ‘ପାଥ’ ଭଳି ଅନେକ ଯୋଜନା ମାଧ୍ୟମରେ ବିଶ୍ୱର ଅନେକ ଦେଶରେ ଲୋକଙ୍କୁ ସିଧାସଳଖ ଅର୍ଥ ସହାୟତା ପ୍ରଦାନ କରାହୋଇ ଆସୁଛି । ଭାରତରେ ମଧ୍ୟ ଜନମଙ୍ଗଳର ସୁବିଧାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ୨୦୧୩ ମସିହାରୁ ‘ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର’ର ପ୍ରଚଳନ ହୋଇ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଯୋଜନା ତା’ ଅନ୍ତର୍ଭୁକ୍ତ ହୋଇସାରିଲାଣି । ବିଭିନ୍ନ ଯୋଜନା ମାଧ୍ୟମରେ ମାଗଣା ଅର୍ଥ ବଣ୍ଟନ ଅର୍ଥନୀତି ପ୍ରତି କ୍ଷତିକାରକ ବୋଲି ସମାଲୋଚିତ ହେଉଥିଲେ ବି ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ନ ଆସିବା ପର୍ଯ୍ୟନ୍ତ ତାହା ଜାରି ରହିବା ଅପରିହାର୍ଯ୍ୟ ହୋଇପଡ଼ିଛି ଓ ତାକୁ ଏକ ‘ଆବଶ୍ୟକ ମନ୍ଦ’ ରୂପେ ଗ୍ରହଣ କରିବାକୁ ହେବ । ବରଂ ଏହି ଧରଣର ଯୋଜନାଗୁଡ଼ିକରେ ଥିବା ଅସଙ୍ଗତିଗୁଡ଼ିକୁ ବିଚାର ବିମର୍ଶ ଜରିଆରେ ଦୂର କରାଯାଇ ସେଗୁଡ଼ିକୁ ଅଧିକ ଫଳପ୍ରଦ କରାଯାଇପାରେ ।    

‘ପି.ଆର.ଏସ. ଲେଜିସଲେଟିଭ ରିସର୍ଚ୍ଚ’ ନାମକ ସଂସ୍ଥାର ଏକ ରିପୋର୍ଟ ଅନୁଯାୟୀ କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ମହିଳାମାନଙ୍କୁ ସିଧାସଳଖ ନଗଦ ପ୍ରଦାନ ଯୋଜନା କାର‌୍ୟ୍ୟକାରୀ ହେଉଥିବା ଆସାମ, ଛତିଶଗଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଓଡ଼ିଶା, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ବଜେଟରେ ଏ ବାବଦକୁ ସମୁଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି । ୨୦୨୧ ମସିହା ଫେବୃଆରୀ ମାସରେ, ଠିକ୍ ବିଧାନସଭା ନିର୍ବାଚନ ପୂର୍ବରୁ, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଲକ୍ଷ୍ମୀର ଭଣ୍ଡାର’ ନାମକ ଯୋଜନାରେ ଅଭାବୀ ପରିବାରଗୁଡ଼ିକର ମହିଳା ମୁଖ୍ୟମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ସହାୟତା ରାଶି ମାସିକ ୧୨୫୦ ଟଙ୍କା । ଏହି ଯୋଜନାରେ ୨୫ରୁ ୬୦ ବର୍ଷ ବୟସର ୨.୨ କୋଟି ମହିଳା ଯୋଜନାର ଲାଭାର୍ଥୀ ଅଛନ୍ତି । ଏହି ଯୋଜନା ନିର୍ବାଚନରେ ଶାସକ ଦଳକୁ ଆଶାତୀତ ସଫଳତା ପ୍ରଦାନ କରିଥିଲା ବୋଲି ବିଶ୍ୱାସ କରାଯାଏ । ରାଜ୍ୟ ସରକାରଙ୍କ ତରଫରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସହାୟତା ରାଶିକୁ ଲାଭାର୍ଥୀମାନେ ଘର ଖର୍ଚ୍ଚ, ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ବ୍ୟୟ କରିବା ସହ କେହି କେହି ଏହାକୁ ଛୋଟ ଛୋଟ ବ୍ୟବସାୟରେ ବିନିଯୋଗ କରିଛନ୍ତି । ଏହା ସେମାନଙ୍କ ଉତ୍କଟ ଦାରିଦ୍ର‌୍ୟକୁ ହ୍ରାସ କରିବା ସହ ସେମାନଙ୍କ ତଥା ସେମାନଙ୍କ ପରିବାରର ପୌଷ୍ଟିକ ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇଛି ।

ଆସାମ ସରକାରଙ୍କ ଦ୍ୱାରା ‘ଅରୁଣୋଦୟ’ ନାମକ ଏକ କାର‌୍ୟ୍ୟକ୍ରମ ଭିନ୍ନ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି । ଲାଭାର୍ଥୀମାନଙ୍କୁ ଔଷଧ, ୪ କିଲୋଗ୍ରାମ ଡାଲି ଜାତୀୟ ଶସ୍ୟ, ୪ କିଲୋଗ୍ରାନ ଚିନି, ଫଳ ଓ ପନିପରିବା କିଣିବା ଲାଗି ମାସିକ ୧୨୫୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି । ପ୍ରତି ନିର୍ବାଚନ ମଣ୍ଡଳୀର ୧୫ରୁ ୧୭ ହଜାର ପରିବାରର ମହିଳା ମୁଖ୍ୟ, ଏହିପରି ସାରା ରାଜ୍ୟରେ ପ୍ରାୟ ୧୯.୧୦ ଲକ୍ଷ ମହିଳା ଏହି ଯୋଜନାର ଅନ୍ତର୍ଭୁକ୍ତ ।

ଝାଡ଼ଖଣ୍ଡରେ ୨୦୨୩ ମସିହା ଅଗଷ୍ଟ ମାସରୁ ‘ମୁଖ୍ୟମନ୍ତ୍ରୀ ମୈୟା ସମ୍ମାନ ଯୋଜନା’ କାର‌୍ୟ୍ୟକାରୀ ହୋଇ ଆସୁଥିଲା, ଯେଉଁଥିରେ ୧୮ରୁ ୫୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଦିଆଯାଉଥିଲା । ଏହା ମେଣ୍ଟ ସରକାରକୁ ନିର୍ବାଚନ ଜିତିବାରେ ସହାୟକ ହୋଇଥିବାରୁ ନିର୍ବାଚନ ପରେ ସହାୟତା ରାଶିକୁ ବଢ଼ାଇ ମାସିକ ୨୫୦୦ ଟଙ୍କା କରି ଦିଆଗଲା, ପରିମାଣ ଦୃଷ୍ଟିରୁ ଯାହା ସାରା ଭାରତରେ ଏବେ ସର୍ବାଧିକ । ପ୍ରାୟ ୬୯ ଲକ୍ଷ ମହିଳା ଏହି ଯୋଜନାର ଲାଭାର୍ଥୀ ।

ଛତିଶଗଡ଼ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ମହତାରୀ ବନ୍ଦନ ଯୋଜନା’ରେ ୨୧ ବର୍ଷ ବୟସରୁ ଊର୍ଦ୍ଧ୍ୱ ବିବାହିତା ମହିଳାମାନଙ୍କୁ ଲାଭାର୍ଥୀ ଭାବେ ଗ୍ରହଣ କରାଯାଉଛି । ପ୍ରାୟ ୭୦ ଲକ୍ଷ ଲାଭାର୍ଥୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି । ମଧ୍ୟ ପ୍ରଦେଶରେ ୨୦୨୩ ମସିହା ଜୁନ ମାସରୁ ‘ମୁଖ୍ୟମନ୍ତ୍ରୀ ଲାଡ଼ଲି ବହନା ଯୋଜନା’ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ୨୧ରୁ ୬୦ ବର୍ଷ ବୟସର ୧.୨୯ କୋଟି ଲାଭାର୍ଥୀଙ୍କୁ ମାସିକ ୧୨୫୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ହିମାଚଳ ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା ‘ଇନ୍ଦିରା ଗାନ୍ଧୀ ପ୍ୟାରୀ ବହନା ସୁଖ ସମ୍ମାନ ନିଧି’ ଯୋଜନାରେ ଲାଭାର୍ଥୀଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦିଆଯାଉଛି ।  

ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ୨୦୨୩ ମସିହା ସେପ୍ଟେମ୍ୱର ମାସରୁ ‘କଲଇନାର ମାଗାଲିର ଉରିମାଇ ଥୋଗାଇ’ ଯୋଜନା ଚାଲିଛି, ଯହିଁରେ ୧.୦୬ କୋଟି ଲାଭାର୍ଥୀ ମାସକୁ ୧୦୦୦ ଟଙ୍କା ଲେଖାଏଁ ପାଉଛନ୍ତି । ସେମିତି କର୍ଣ୍ଣାଟକ ସରକାର କାର୍ଯ୍ୟକାରୀ କରିଥିବା ‘ଗୃହଲକ୍ଷ୍ମୀ’ ଯୋଜନାରେ ୧.୨୨ କୋଟି ଲାଭାର୍ଥୀ ମାସିକ ୨୦୦୦ ଟଙ୍କା ଲେଖାଏଁ ପାଉଛନ୍ତି । ନିକଟରେ ହୋଇଥିବା ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ ‘ମୁଖ୍ୟମନ୍ତ୍ରୀ ଲାଡକୀ ବହିନ ଯୋଜନା’ର ଶୁଭାରମ୍ଭ ହେଲା, ଯହିଁରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ପରିବାରର ୨୧ରୁ ୬୫ ବର୍ଷର ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦିଆଯାଉଛି । ଏଥିରେ ପ୍ରାୟ ୨.୫ କୋଟି ଲାଭାର୍ଥୀ ଥିବା ଏହି ଯୋଜନା ଲାଗି ବାର୍ଷିକ ପ୍ରାୟ ୪୬ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ୁଥିବାରୁ ରାଜ୍ୟ ବଜେଟ ଏବେ ଚାପଗ୍ରସ୍ତ ।

ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ନିର୍ବାଚନୀ ଘୋଷଣାକୁ ପାଳନ କରି ‘ସୁଭଦ୍ରା’ ଯୋଜନା ଆରମ୍ଭ କଲା । ଏଥିରେ ୨୧ରୁ ୬୦ ବର୍ଷର ମହିଳାମାନଙ୍କୁ ବାର୍ଷକ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ଦିଆଯିବ । ଏହାର ଅର୍ଥ ବର୍ଷକୁ ପାଇବେ ୧୦୦୦୦ ଟଙ୍କା ଏବଂ ସେହି ହିସାବରେ ମାସକୁ ମାତ୍ର ୮୩୩ ଟଙ୍କା । ୨୦୨୪ ମସିହା ସେପ୍ଟେମ୍ୱର ମାସ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧ କୋଟି ମହିଳାଙ୍କୁ ସାମିଲ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ନଭେମ୍ୱର ମାସ ସୁଦ୍ଧା ତିନି ଦଫାରେ ୭୯.୧୪ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତିର ଟଙ୍କା ଦିଆଯାଇପାରିଛି । ଏହା ସତ ଯେ ମହିଳା ଲାଭାର୍ଥୀ ପାଉଥିବା ଅର୍ଥରାଶି ସେମାନଙ୍କ ପରିବାରର ସାମାନ୍ୟ ହିତ ସାଧନ କରୁଛି । କିନ୍ତୁ ଲାଭାର୍ଥୀଙ୍କ ସଂଖ୍ୟା ନେଇ ଲକ୍ଷ୍ୟ ପୂରଣ କରିବା ଅପେକ୍ଷା ଯୋଗ୍ୟତାର ମାପକାଠି ଉପରେ ଗୁରୁତ୍ୱ ଦେଇ ଯୋଗ୍ୟ ହିତାଧିକାରୀ ଚୟନ ଅଧିକ କାମ୍ୟ । ଏଥିପାଇଁ ସରକାରଙ୍କ ଦ୍ୱାରା ନିୟମିତ ଭାବେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବା ଆବଶ୍ୟକ । ଆଗାମୀ ବର୍ଷଗୁଡ଼ିକରେ ପରିବାରଗୁଡ଼ିକର ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇ ଲାଭାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଲେ ତାହା ରାଜ୍ୟବାସୀଙ୍କ ସ୍ୱଚ୍ଛଳତାର ସୂଚକ ହେବ । ଅଧିକନ୍ତୁ ବିଭିନ୍ନ ରାଜ୍ୟରେ ମହିଳାମାନଙ୍କୁ ମିଳୁଥିବା ରାଶି ତୁଳନାରେ ଓଡ଼ିଶାର ମହିଳାମାନଙ୍କୁ ମିଳୁଥିବା ରାଶି ସର୍ବନିମ୍ନ ମାସିକ ମାତ୍ର ୮୩୩ ଟଙ୍କା ହୋଇଥିବାରୁ ତାକୁ ଅନ୍ୟ ରାଜ୍ୟର ସମକକ୍ଷ କରି ଅନ୍ତତଃ ମାସିକ ୧୦୦୦ ଟଙ୍କା କରିବା ଉପରେ ବିଚାର କରାଯାଇପାରେ । କାରଣ ଓଡ଼ିଶାର ଲୋକଙ୍କ ମୁଣ୍ଡପିଛା ଆୟ ଅନ୍ୟ ଅନେକ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ । ସେମାନଙ୍କୁ ଅଧିକ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି । ସେହିପରି ରାଜ୍ୟ ବାହାରେ ବସବାସ କରୁଥିବା ମହିଳାମାନଙ୍କୁ ଯୋଜନା ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିର ପୁନର୍ବିବେଚନା ହେବା ଆବଶ୍ୟକ । ସହାୟତା ରାଶି ପ୍ରଦାନ କରିବାର ଏକ ବଡ କାରଣ ହେଉଛି ସମାଜର ଏହି ଅବହେଳିତ ବର୍ଗର ଲୋକଙ୍କ ହାତରେ କିଛି ଅର୍ଥ ପହଞ୍ଚାଇ ସେମାନଙ୍କୁ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାର ସାମର୍ଥ୍ୟ ପ୍ରଦାନ କରିବା । ଏହା ହେଲେ କିଣାବିକା ବଢ଼ି ସ୍ଥାନୀୟ ଅର୍ଥନୀତି କିଛିଟା ଚଳଚଞ୍ଚଳ ହୋଇପାରିବ । ସେଥିପାଇଁ ଅନ୍ୟ ରାଜ୍ୟଗୁଡ଼ିକରେ ଲାଭାର୍ଥୀ ଭାବେ କେବଳ ସେହି ରାଜ୍ୟରେ ବସବାସ କରୁଥିବା ମହିଳାମାନଙ୍କୁ ଗ୍ରହଣ କରାଯାଉଛି । ହେଲେ ‘ସୁଭଦ୍ରା’ ଯୋଜନାରେ ପ୍ରବାସୀ ଓଡ଼ିଆ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯାଉଛି, ଯାହାର ଯୌକ୍ତିକତା ନେଇ ପ୍ରଶ୍ନ ଉଠୁଛି । କାରଣ ତଦ୍ଦ୍ୱାରା ଓଡ଼ିଶାର ରାଜକୋଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଅନ୍ୟ ରାଜ୍ୟରେ ଅର୍ଥନୀତିକୁ ସମୃଦ୍ଧ କରିବ ସିନା, ଓଡ଼ିଶାର ଅର୍ଥନୀତିକୁ ଗତିଶୀଳ କରିବାରେ ସହାୟକ ହେବ ନାହିଁ ।

ଏ ପର୍ଯ୍ୟନ୍ତ ମାତ୍ର ୧୦ଟି ରାଜ୍ୟର ପ୍ରାୟ ୧୧ କୋଟି ମହିଳା ଏହି ଯୋଜନାଗୁଡ଼ିକର ଲାଭାର୍ଥୀ ହୋଇଛନ୍ତି । ଅନ୍ୟାନ୍ୟ ଅନେକ ରାଜ୍ୟର ମହିଳା ଏଥିରୁ ବଞ୍ଚିତ ଅଛନ୍ତି । ଏହି ଧରଣର ଯୋଜନା ନିର୍ବାଚନୀ ସଫଳତାକୁ ସୁନିଶ୍ଚିତ କରୁଥିବାରୁ ଭବିଷ୍ୟତରେ ଅଧିକ ରାଜ୍ୟରେ ଏହା ପ୍ରଚଳିତ ହେବାର ସମ୍ଭାବନା ବେଶ୍ ଅଧିକ । କିନ୍ତୁ, ଏହା ରାଜ୍ୟଗୁଡ଼ିକର ବଜେଟ ଉପରେ ଅତିରିକ୍ତ ବୋଝ ଭଳି ହେଉଥିବାରୁ କେତେକ ରାଜ୍ୟ ଲାଭାର୍ଥୀଙ୍କ ସଂଖ୍ୟା ହ୍ରାସ କରିବା ଲାଗି ଯୋଗ୍ୟତାର ମାପକାଠିକୁ କଡ଼ାକଡ଼ି କରିବାରେ ଲାଗିଲେଣି । ରିଜର୍ଭ ବ୍ୟାଙ୍କ ମଧ୍ୟ ୨୦୨୪-୨୫ ପାଇଁ ପ୍ରସ୍ତୁତ ‘ଷ୍ଟେଟ ଫାଇନାନ୍ସେସ’ ରିପୋର୍ଟରେ ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ଦିଆଯାଉଥିବା ନଗଦ ରାଶିର ରାଜ୍ୟ ଅର୍ଥନୀତି ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବ ନେଇ ଉଦବେଗ ପ୍ରକାଶ କରିଛନ୍ତି ।  ଆଗାମୀ ଦିନରେ ଏଥିପାଇଁ ବାର୍ଷିକ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ହେବ, ଯଦ୍ଦ୍ୱାରା ଅନ୍ୟ ବିକାଶମୂଳକ କାର୍ଯ୍ୟ ବାଧିତ ହେବାର ଆଶଙ୍କା ରହିଛି ।    

 ‘ଏକ ଦେଶ ଏକ ଆଇନ’, ‘ଏକ ଦେଶ ଏକ ନିର୍ବାଚନ’ ଭଳି ସାରା ଦେଶରେ ମହିଳାମାନଙ୍କୁ ସମାନ ସମ୍ମାନ ମିଳିବା ପ୍ରସଙ୍ଗଟି ମଧ୍ୟ ଗୁରୁତ୍ୱ ପାଇବା ଉଚିତ । ଯଦି ସାରା ଦେଶରେ କୃଷକମାନଙ୍କୁ ସମାନ ପରିମାଣର ‘କୃଷକ ସମ୍ମାନ’ ରାଶି ପ୍ରଦାନ କରାଯାଇପାରୁଛି, ତେବେ ବିଭିନ୍ନ ରାଜ୍ୟର ମହିଳାମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶିରେ ପାତରଅନ୍ତର କାହିଁକି? ପୁଣି କିଛି ରାଜ୍ୟର ମହିଳା ଏହା ପାଇବାରୁ ବଞ୍ଚିତ ହେବେ କାହିଁକି ? କୌଣସି ରାଜ୍ୟରେ ନିର୍ବାଚନ ଆସିଲେ, ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଇସ୍ତାହାରରେ ଏଭଳି ଯୋଜନାର ପ୍ରତିଶ୍ରୁତି ଦେଉଛନ୍ତି । ଏହା ତାତକାଳିକ ଲାଭ ପାଇଁ ଲୋଭ ଦେଖାଇବା ଭଳି । ଭଲ ହୁଅନ୍ତା ଯଦି ଜାତୀୟ ସ୍ତରରେ ବ୍ୟାପକ ବିଚାର ବିମର୍ଶ କରାଯାଇ ମହିଳାମାନଙ୍କୁ ସହାୟତା ରାଶି ପ୍ରଦାନ ସଂଦର୍ଭରେ ଏକ ନୀତିଗତ ନିଷ୍ପତ୍ତି ନିଆଯାଆନ୍ତା । ହିତାଧିକାରୀଙ୍କ ଯୋଗ୍ୟତା, ସହାୟତା ରାଶିର ପରିମାଣ ଆଦି ସୁନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହା ସାରା ଦେଶରେ ଲାଗୁ କରାଯାଆନ୍ତା । ଅର୍ଥାତ୍ ‘କିସାନ ସମ୍ମାନ ନିଧି’ ଭଳି ଏହାକୁ ଏକ ସର୍ବ ଭାରତୀୟ ଯୋଜନାରେ ପରିଣତ କରାଯାଉ । କେବଳ ସେତିକି ନୁହେଁ, ଏଭଳି ଅର୍ଥ ବଣ୍ଟନ ଯୋଜନା ଦ୍ୱାରା ଦେଶର ଅର୍ଥନୀତି କିଭଳି ପ୍ରଭାବିତ ହେଉଛି ତା’ ଉପରେ ଦୃଷ୍ଟି ରହନ୍ତା । ତାହାହେଲେ ରାଜନୈତିକ ଦଳଗୁଡ଼ିକ ଆଉ ନିର୍ବାଚନ ସମୟରେ ନିଲାମ ଡାକ ଭଳି ତାକୁ ବଢ଼ାଇବା ଲାଗି ପ୍ରତିଯୋଗିତା କରନ୍ତେ ନାହିଁ । ଅଧିକନ୍ତୁ, ଏହା ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ଅତିରିକ୍ତ ଆର୍ଥିକ ଚାପରେ ରହନ୍ତେ ନାହିଁ ଏବଂ ଏକ ସୁସଂହତ ଢଙ୍ଗରେ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପରନ୍ତା । କିନ୍ତୁ ବଡ଼ କଥା ହେଲା ଲାଭାର୍ଥୀ ସଂଖ୍ୟାରେ ହ୍ରାସ ଘଟାଇବା, ଯାହା ଏଭଳି ଯୋଜନା ମାଧ୍ୟମରେ ହୋଇଥିବା ଅର୍ଥନୈତିକ ଅଗ୍ରଗତିର  ପ୍ରକୃତ ବାର୍ତ୍ତାବହ ହୁଅନ୍ତା ।


Published in Sambad on February 04, 2025


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...