Skip to main content

ହାତ କଡ଼ି, ବେଡ଼ି ଓ ଦେଶର ମର୍ଯ୍ୟାଦା

ଅମୃତସର ବିମାନବନ୍ଦରଠାରେ ୨୦୨୫ ମସିହା ଫେବୃଆରୀ ୫ ତାରିଖରେ ଆମେରିକା ବିମାନବାହିନୀର ଏକ ମାଲବୁହା ବିମାନ ଅବତରଣ କଲା । ସେଥିରୁ ଓହ୍ଲାଇଲେ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟ । ୪୦ ଘଣ୍ଟାର ସୁଦୀର୍ଘ ବିମାନଯାତ୍ରାର ସମ୍ପୂର୍ଣ୍ଣ ସମୟ ତକ ସେମାନଙ୍କ ହାତରେ ପଡ଼ିଥିଲା କଡ଼ି ଓ ଗୋଡ଼ରେ ଥିଲା ବେଡ଼ି । ଏହା ଥିଲା ଭାରତରେ କୌଣସି ବିଦେଶୀ ସାମରିକ ମାଲବୁହା ବିମାନରେ ହାତକଡ଼ି ପିନ୍ଧା ଭାରତୀୟମାନେ ଲଦା ହୋଇଆସିବାର ପ୍ରଥମ ଘଟଣା । ଏହାଦ୍ୱାରା ମର୍ଯ୍ୟାଦାହାନି ଘଟି ଦେଶର ଛବି ମଳିନ ହୋଇଛି ବୋଲି ସଂସଦରେ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କଲେ । କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଥିପାଇଁ ଆମେରିକାର ସମାଲୋଚନା ନ କରି ଅବୈଧ ପ୍ରବାସୀଙ୍କୁ ବହିଷ୍କାର କଲାବେଳେ ହାତକଡ଼ି ପିନ୍ଧାଇ ଆଣିବା ସେହି ଦେଶର ଏସ.ଓ.ପି. ବା ସ୍ୱୀକୃତ ପ୍ରକ୍ରିୟା ବୋଲି ସଫେଇ ଦେଇଥିଲେ । ୨୦୦୯ ମସିହାରୁ ୧୫୭୫୬ ଜଣ ଅବୈଧ ପ୍ରବାସୀ ଭାରତୀୟ ଆମେରିକା ଦ୍ୱାରା ନିର୍ବାସିତ ହୋଇଛନ୍ତି । ହେଲେ କେବେ ବି ଏଭଳି ଘଟି ନାହିଁ । ପୂର୍ବରୁ ସେମାନଙ୍କୁ ଯାତ୍ରୀବାହୀ ବିମାନ ଯୋଗେ ପଠାଯାଇ ଆସୁଥିଲା । ଏବେ ସେମାନଙ୍କୁ ଆମେରିକୀୟ ସାମରିକ ମାଲବୁହା ବିମାନରେ ଅତି ଦୟନୀୟ ଭାବେ ପଠାହେବା ସହ ସେମାନଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପକାଇ ନିର୍ବାସନ କରାଯାଉଥିବାର ଭିଡିଓ ଭାଇରାଲ ହେବା ଲଜ୍ଜାଜନକ । ପ୍ରଶ୍ନ ଉଠୁଛି କଲମ୍ୱିଆ, ପରି ଛୋଟ ଦେଶ ଯଦି ଆମେରିକୀୟ ସାମରିକ ମାଲବୁହା ବିମାନକୁ ତାଙ୍କ ଦେଶରେ ଓହ୍ଲାଇବାର ଅନୁମତି ନ ଦେଇ ଯାତ୍ରୀ ବିମାନରେ ଅବୈଧ ପ୍ରବାସୀମାନଙ୍କୁ ଆଣିପାରିଲା, ଭାରତ କାହିଁକି ସେପରି କଲା ନାହିଁ ? ଏହି ସମଗ୍ର ପ୍ରକରଣରେ ଭାରତ ସରକାର ଉଚିତ ଢଙ୍ଗରେ ପ୍ରତିବାଦ ନ କରି ନୀରବ ରହିବା ମଧ୍ୟ ଅନେକଙ୍କୁ ବ୍ୟଥିତ କରିଛି । ଆଗାମୀ ଦିନରେ ଆହୁରି ହଜାର ହଜାର ଭାରତୀୟ ନିର୍ବାସିତ ହୋଇଆସୁଥିବାରୁ ସେମାନଙ୍କୁ ସମ୍ମାନଜନକ ଭାବେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରାଇବା ଭାରତର କୂଟନୈତିକ ସଫଳତା ପାଇଁ ଏକ ପରୀକ୍ଷା ହୋଇପାରେ ।

ଜାତିସଂଘର ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ ବସବାସ କରୁଥିବା ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୬.୧ କୋଟି, ଯାହା ବିଶ୍ୱ ଜନ ସଂଖ୍ୟାର ପ୍ରାୟ ୩.୬ ପ୍ରତିଶତ । ବିଭିନ୍ନ ଦେଶରେ ପ୍ରବାସୀ ଭାବେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ପ୍ରାୟ ୧.୮ କୋଟି ଯାହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ । ଅନ୍ୟ ପକ୍ଷରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ସର୍ବାଧିକ ପସନ୍ଦର ଲକ୍ଷ୍ୟ ଦେଶ ହେଉଛି ଆମେରିକା, ଯେଉଁଠାରେ ପ୍ରାୟ ୪.୩୪ କୋଟି ପ୍ରବାସୀ ଅଛନ୍ତି । ସେମାନଙ୍କ ପସନ୍ଦ କ୍ରମର ଅନ୍ୟ ଲକ୍ଷ୍ୟ ଦେଶଗୁଡ଼ିକ ହେଲା ଜର୍ମାନୀ, ସାଉଦି ଆରବ, ରୁଷିଆ, ୟୁକେ, ୟୁଏଇ, ଫ୍ରାନ୍ସ, କାନାଡ଼ା, ଅଷ୍ଟ୍ରେଲିଆ ଇତ୍ୟାଦି । ଗତ ୨୫ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ଲାଗି ଭାରତର ଆକର୍ଷଣ ହ୍ରାସ ପାଇଛି ଓ ସେମାନଙ୍କ ସଂଖ୍ୟା ଆସି ୪୫ ଲକ୍ଷରେ ପହଞ୍ଚିଲାଣି । ଅର୍ଥାତ୍ ପ୍ରାୟ ୧.୮ କୋଟି ଭାରତୀୟ ପ୍ରବାସୀ ଭାବେ ଅନ୍ୟ ଦେଶଗୁଡ଼ିକରେ ରହୁଥିବା ବେଳେ ଅନ୍ୟ ଦେଶର ମାତ୍ର ୪୫ ଲକ୍ଷ ପ୍ରବାସୀ ଭାରତରେ ରହୁଛନ୍ତି, ଯେଉଁଥିରେ କୌଣସି ବିକଶିତ ଦେଶର ନାଗରିକଙ୍କ ସଂଖ୍ୟା ନଗଣ୍ୟ  ।

ଆକର୍ଷଣୀୟ ରୋଜଗାର ଓ ନିଯୁକ୍ତି ସୁଯୋଗ କରିବା ଆଶାରେ ଗତ କିଛି ବର୍ଷ ମଧ୍ୟରେ ଆମେରିକା ଭିତରକୁ ଅବୈଧ ଭାବେ ଅନୁପ୍ରବେଶ କରୁଥିବା ଦେଶାନ୍ତରୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି, ଯଦ୍ଦ୍ୱାରା ସେଠାକାର ସମ୍ୱଳ, ଅର୍ଥନୀତି, ଆଇନ ଶୃଙ୍ଖଳା ପରିସ୍ଥିତି ଚାପଗ୍ରସ୍ତ ହୋଇଛି । ଅବଶ୍ୟ ‘ରୋଡିନୋ ବିଲ’ ମାଧ୍ୟମରେ ତାକୁ ନିୟନ୍ତ୍ରଣ କରିବାର ପ୍ରୟାସ କରାଯାଇଥିଲେ ମଧ୍ୟ ବିଶେଷ ସଫଳତା ମିଳିପାରିନାହିଁ । ଏହା ଆମେରିକାର ସମୃଦ୍ଧି ପଥରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର ସମୟରେ ଅବୈଧ ପ୍ରବାସୀମାନଙ୍କ ବିତାଡ଼ନ ହେବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ ।  ତେଣୁ ସେ ଦାୟିତ୍ୱ ଗ୍ରହଣ କରିବା ପରେ ଅବୈଧ ବହିରାଗତମାନଙ୍କୁ ଆମେରିକାରୁ ବହିଷ୍କାର କରିବାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏକ ଆକଳନ ଅନୁସାରେ ଆମେରିକାରେ ପ୍ରାୟ ୭.୨୫ ଲକ୍ଷ ଭାରତୀୟ ଅବୈଧ ଭାବେ ରହୁଛନ୍ତି,  ଯାହା ମେକ୍ସିକୋ ଓ ଏଲ ସାଲଭାଡୋର ପଛକୁ ତୃତୀୟ ସର୍ବାଧିକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କର ନିର୍ବାସନ ପାଇଁ ଆମେରିକା ତତ୍ପର ହୋଇଉଠିଛି ।

ଆମେରିକାରେ ଅବୈଧ ଭାବେ ବସବାସ କରୁଥିବା ବିଦେଶୀ ନାଗରିକମାନଙ୍କୁ ତଡ଼ିବାର ଦାୟିତ୍ୱ ଆମେରିକାର ଗୃହରକ୍ଷା ବିଭାଗ ଉପରେ ନ୍ୟସ୍ତ । ଏହି କାର୍ଯ୍ୟ ସମ୍ପାଦନ ପାଇଁ ଦୁଇଟି ସଂସ୍ଥା କାର୍ଯ୍ୟରତ । ସୀମା ନିକଟରେ ଅବୈଧ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ଅଟକାଇବାର ଦାୟିତ୍ୱ ସେଠାକାର ସୀମାଶୁଳ୍କ ଓ ସୀମା ସୁରକ୍ଷା (କଷ୍ଟମସ୍ ଆଣ୍ଡ ବୋର୍ଡର ପ୍ରୋଟେକ୍ସନ- ସିବିପି) ଭଳି ସଂସ୍ଥା ଉପରେ ନ୍ୟସ୍ତ । ଅବୈଧ ଭାବେ ଦେଶ ଭିତରକୁ ପଶି ସାରିଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବା, ଅଟକ ରଖିବା ଓ ନିର୍ବାସନ କରିବା ଦାୟିତ୍ୱ 'ଇମିଗ୍ରେସନ ଆଣ୍ଡ କଷ୍ଟମସ୍ ଏନପୋର୍ସମେଣ୍ଟ' (ଆଇ.ସି.ଇ.)ସଂସ୍ଥା ଉପରେ ନ୍ୟସ୍ତ । ବସ୍ତୁତଃ ଆଇ.ସି.ଇ. ହିଁ ଆମେରିକାରେ ବସବାସ କରୁଥିବା ଅବୈଧ ଅଣନାଗରିକମାନଙ୍କୁ ଦେଶରୁ ବହିଷ୍କାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କେବଳ ଅବୈଧ ଅନୁପ୍ରବେଶକାରୀ ନୁହନ୍ତି, ଅସ୍ଥାୟୀ ଭିସାରେ ରହୁଥିବା ପ୍ରବାସୀ ଭିସାର ସର୍ତ୍ତକୁ ଉଲ୍ଲଂଘନ କଲେ ବା ଭିସା ଅବଧି ପୂରଣ ହୋଇ ଯାଇଥିଲେ ସେମାନଙ୍କୁ ମଧ୍ୟ ନିର୍ବାସନ କରାଯାଇଥାଏ । ସେହିପରି ଗ୍ରିନ କାର୍ଡ ଧାରୀ ସ୍ଥାୟୀ ବାସିନ୍ଦା  ଓ ଅସ୍ଥାୟୀ ଭିସାଧାରୀମାନେ ନିର୍ଦ୍ଦିଷ୍ଟ କେତେକ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ବହିଷ୍କୃତ ହେବାକୁ ବାଧ୍ୟ ହୁଅନ୍ତି । ପ୍ରଶାସନର ଏଭଳି ବହିଷ୍କାର ନିଷ୍ପତ୍ତିକୁ ‘ଇମିଗ୍ରେସନ ଅଦାଲତ’ରେ ପ୍ରତିବାଦ କରିବାର ଅଧିକାର ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କର ରହିଛି । ସେଥିପାଇଁ ତାଙ୍କୁ କିଛି ସମୟ ମିଳିଯାଇଥାଏ । ଏଭଳି ପ୍ରାୟ ୩୬ ଲକ୍ଷ ମାମଲା ଅଦାଲତରେ ବିଚାରାଧୀନ ରହିଥିବାରୁ ବହିଷ୍କାର ନିଷ୍ପତ୍ତି ସତ୍ତ୍ୱେ ପ୍ରକୃତ ପକ୍ଷେ ଦେଶାନ୍ତର କରିବା ଲାଗି ବର୍ଷ ବର୍ଷ କାଳ ଲାଗିଯାଇପାରେ । ଏହି ସମୟରେ ସେମାନଙ୍କୁ ଅଟକ କେନ୍ଦ୍ରଗୁଡ଼ିକ (ଡିଟେନସନ୍ ସେଣ୍ଟର)ରେ ରଖାଯିବାର ପ୍ରାବଧାନ ଅଛି । ହେଲେ ଏହି ଅଟକ କେନ୍ଦ୍ରଗୁଡ଼ିକର ଧାରଣ କ୍ଷମତା ମାତ୍ର ୪୧୫୦୦ ହୋଇଥିବାରୁ ଅଧିକାଂଶ ଲୋକ ବାହାରେ ଥାଆନ୍ତି । ଆମେରିକାରୁ ଗତ ୪ ବର୍ଷ ଧରି ବାର୍ଷିକ ହାରାହାରି ମାତ୍ର ୩.୫୩ ଲକ୍ଷ ପ୍ରବାସୀଙ୍କୁ ନିର୍ବାସନ କରାଯାଇ ପାରିଛି । ତନ୍ମଧ୍ୟରୁ ଆମେରିକା ଭିତରେ ରହୁଥିବା ଅବୈଧ ଅଣନାଗରିକଙ୍କ ସଂଖ୍ୟା ବାର୍ଷିକ ମାତ୍ର ୪୩୦୦୦ । ଅର୍ଥାତ୍ ଥରେ ଆମେରିକା ଭିତରେ ପ୍ରବେଶ କରିବା ପରେ ସେଠାରୁ ସେମାନଙ୍କୁ ବହିଷ୍କାର କରିବାର ପ୍ରକ୍ରିୟା ଜଟିଳ ଓ ସମୟସାପେକ୍ଷ ହେଉଥିବାରୁ ଟ୍ରମ୍ପ ପ୍ରଶାସନ ତରଫରୁ ଏବେ ସି.ବି.ପି. ସଂସ୍ଥା ଦ୍ୱାରା ସୀମା ନିକଟରେ ଅବୈଧ ଅନୁପ୍ରବେଶକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଦ୍ଦ୍ୱାରା ଅଧିକ ସଂଖ୍ୟକ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ନିର୍ବାସନ କରିବା ସହଜ ହୋଇପାରିବ ।

ନୀତିଗତ ଭାବେ ଭାରତ ମଧ୍ୟ ଅବୈଧ ଦେଶାନ୍ତର ପ୍ରକ୍ରିୟାକୁ ସମର୍ଥନ କରୁ ନଥିବାରୁ ଅନ୍ୟ ଦେଶରେ ଅବୈଧ ଭାବେ ରହୁଥିବା ଭାରତୀୟମାନଙ୍କ ପ୍ରତ୍ୟାବର୍ତ୍ତନର ସପକ୍ଷରେ । ତେବେ ଦେଶର ମର‌୍ୟ୍ୟାଦା ରକ୍ଷା ଦୃଷ୍ଟିରୁ ଏହି ପ୍ରକରଣ ସମ୍ମାନଜନକ ଭାବେ ହେବା ଉଚିତ । ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମାନବାଧିକାରର ସୁରକ୍ଷା ପାଇଁ ଜାତିସଂଘ ଦ୍ୱାରା ଆହୂତ ଅନ୍ତର୍ଜାତୀୟ ସମ୍ମିଳନୀରେ ଗୃହୀତ ଘୋଷଣାନାମାର ଅନୁଚ୍ଛେଦ ୧୭ ଅନୁଯାୟୀ ସ୍ୱାଧୀନତାରୁ ବଞ୍ଚିତ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଅନ୍ତର୍ନିହିତ ମର୍ଯ୍ୟାଦା ଓ ସାଂସ୍କୃତିକ ପରିଚୟକୁ ଧ୍ୟାନରେ ରଖି ସେମାନଙ୍କ ପ୍ରତି ମାନବତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରାଯିବ । କେବଳ କିଛି  ଆସାଧାରଣ ପରିସ୍ଥିତିକୁ ବାଦ ଦେଲେ ସେମାନଙ୍କ ପ୍ରତି ଅପରାଧୀ ସୁଲଭ ଆଚରଣ କରାଯାଇପାରିବନାହିଁ । ଫେବୃଆରୀ ୧୫ ଓ ୧୬ ତାରଖରେ ଆମେରିକାରୁ ଆଉ ଦୁଇଟି ସାମରିକ ମାଲବୁହା ବିମାନରେ ୨୨୮ ଜଣ ବହିଷ୍କୃତ ଭାରତୀୟଙ୍କ ପ୍ରତି ଅପରାଧୀ ସୁଲଭ ଆଚରଣ ପ୍ରଦର୍ଶନ କରି ହାତକଡ଼ି ଓ ବେଡ଼ି ପିନ୍ଧାଇ ଭାରତକୁ ଅଣାଯାଇଛି । ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଥିବା ବେଳେ ଅନ୍ତତଃ ସେମାନଙ୍କୁ ଯାତ୍ରୀ ବିମାନରେ ସମ୍ମାନଜନକ ଭାବେ ଅଣାଯିବାର ବ୍ୟବସ୍ଥା କରାଯିବ ।   

ଆମେରିକାରୁ ନିର୍ବାସିତ ହୋଇ ଫେରିଥିବା ପ୍ରବାସୀ ଭାରତାୟମାନଙ୍କୁ କେହି କେହି ଅପରାଧୀ ମନେ କରି ଘୃଣା ଚକ୍ଷୁରେ ଦେଖୁଛନ୍ତି । ଏମାନଙ୍କ ମଧ୍ୟରେ ଭାରତରେ ଅପରାଧ କରି ବିଦେଶକୁ ଯାଇଥିବା ଅପରାଧୀ ମଧ୍ୟ ଥାଇପାରନ୍ତି । କିନ୍ତୁ ସମସ୍ତେ ଯେ ବିନା କାଗଜପତ୍ରରେ ଅବୈଧ ଭାବେ ଆମେରିକାକୁ ପ୍ରବେଶ କରିଥିଲେ, ତାହା ନୁହେଁ । ସେମାନଙ୍କ ମଧ୍ୟରୁ କେତେକ ବୈଧ ଭାବେ ପ୍ରବେଶ କରିଥିଲେ । ଅଥଚ ଭିସାର ଅବଧି ପୂରଣ ବା ଅନ୍ୟ କାରଣରୁ ସେଠାରେ ରହିବାର ଅଧିକାର ହରାଇଥିଲେ । ସେମାନେ ଆଦୌ ଅପରାଧୀ ପ୍ରବୃତ୍ତିର ନୁହନ୍ତି । ଅଧିକ ରୋଜଗାର କରିବା ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଓ ସବୁଜ ଚାରଣ ଭୂଇଁର ସନ୍ଧାନରେ ଅଧିକାଂଶ ବ୍ୟକ୍ତି ଅବୈଧ ଭାବେ ଆମେରିକା ଯାଇଥାନ୍ତି । ତେବେ ପ୍ରତ୍ୟେକଙ୍କ ଦେଶାନ୍ତରୀ ହେବା ପଛର କାରଣ ଭିନ୍ନ ଭିନ୍ନ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଜରାଟ, ପଞ୍ଜାବ, ହରିଆଣା ଭଳି ରାଜ୍ୟର ଅଧିବାସୀ । ଏହି ସବୁ ରାଜ୍ୟରୁ ଅନେକ ଲୋକ ଦୀର୍ଘ ଦିନ ଧରି ଆମେରିକାରେ ରହି ବିତ୍ତଶାଳୀ ହୋଇପାରିଥିବାରୁ ଭାରତରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ଓ ସାହିପଡ଼ିଶାଙ୍କ ଲାଗି ସେମାନଙ୍କ ପଥ ଅନୁସରଣ କରିବା କ୍ରମରେ ଏହା ସେସବୁ ରାଜ୍ୟରେ ଏକ ଧାରାରେ ପରିଣତ ହୋଇଛି । ଏଥିଲାଗି ସେମାନେ ଏଜେଣ୍ଟମାନଙ୍କ ସହାୟତା ଲୋଡ଼ୁଛନ୍ତି । ଅସାଧୁ ଏଜେଣ୍ଟମାନେ ପ୍ରତ୍ୟେକଙ୍କଠାରୁ ପ୍ରାୟ ୪୦-୫୦ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ଦାବି କରିଥାନ୍ତି । ଜମିବାଡ଼ି ବିକି, ଧାର କରଜ କରି ଏଜେଣ୍ଟମାନଙ୍କୁ ଏହି ବିପୁଳ ପରିମାଣରେ ଟଙ୍କା ଦେବାକୁ ସେମାନେ ବାଧ୍ୟ ହୁଅନ୍ତି । ଏଜେଣ୍ଟମାନେ ପୂରା ଟଙ୍କା ପାଇଲା ପରେ ଯାଇ ଯାତ୍ରାର ବ୍ୟବସ୍ଥା କରାନ୍ତି । କିନ୍ତୁ ଅବୈଧ ଭାବେ ଆମେରିକାରେ ପ୍ରବେଶ କରିବା ଲାଗି ଏହି ଲୋକମାନଙ୍କୁ ଅକଳ୍ପନୀୟ ଭାବେ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ହୋଇଥାଏ । ଅନେକ ସମୟରେ ଏଭଳି ଲୋକେ ପ୍ରାଣ ହରାନ୍ତି ଅଥଚ ସେମାନଙ୍କ ଘର ବା ପରିବାର ନିକଟରେ ଖବର ପର୍ଯ୍ୟନ୍ତ ପହଞ୍ଚେ ନାହିଁ । 

ଭାରତରେ ଉତ୍କଟ ବେକାରୀ ସମସ୍ୟା ଅବୈଧ ଦେଶାନ୍ତରର ଅନ୍ୟତମ କାରଣ ପାଲଟିଛି । ତେବେ, କେତେ ସଂଖ୍ୟକ ଭାରତୀୟ ନାଗରିକ ବିଭିନ୍ନ ଦେଶରେ ଅବୈଧ ପ୍ରବାସୀ ଭାବେ ରହୁଛନ୍ତି ତା'ର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ନିକଟରେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ଡିସେମ୍ୱର ୨୦୨୪ରେ ସଂସଦରେ ସ୍ପଷ୍ଟ କରାଯାଇସାରିଛି । ଏହା ଚିନ୍ତାଜନକ । ଅବୈଧ ଦେଶାନ୍ତର ଏକ ବଡ଼ ସମସ୍ୟା ହୋଇଥିଲେ ବି ତାକୁ ପ୍ରତିହତ କରିବା ଲାଗି କୌଣସି ଗମ୍ଭୀରତା ପ୍ରଦର୍ଶିତ ହେଉ ନଥିବା ମଧ୍ୟ ଉଦବେଗର ବିଷୟ । ସେ ସଂକ୍ରାନ୍ତରେ ସ୍ପଷ୍ଟ ଆଇନ ପ୍ରଣୟନର ଆବଶ୍ୟକତା ରହିଛି । ଏହା ହେଉଛି ବେଆଇନ ମାନବ ଚାଲାଣ, ଯାହା କଠୋର ଦଣ୍ଡ ଲୋଡ଼ିଥାଏ । ବିଭିନ୍ନ ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲି ଏଭଳି କାର୍ଯ୍ୟରେ ଲିପ୍ତଥିବା ଅସାଧୁ ନିଯୁକ୍ତି ସଂସ୍ଥାଗୁଡ଼ିକ ଉପରେ ତୁରନ୍ତ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ହଜାର ହଜାର ସଂଖ୍ୟାରେ ଭାରତୀୟ ସ୍ୱଦେଶକୁ ଫେରି ଆସୁଥିବାରୁ ସେମାନଙ୍କୁ ଉଚିତ ଢଙ୍ଗରେ ଥଇଥାନ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ । ତେଣୁ ସରକାର ସେ ଦିଗରେ ମଧ୍ୟ ଦୃଷ୍ଟି ଦେବା ଉଚିତ । ସେମାନଙ୍କ ଭିତରୁ କେହି ଭାରତରେ କୌଣସି ଅପରାଧରେ ସଂଲିପ୍ତ ଥିବାର ସୂଚନା ମିଳିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ମଧ୍ୟ ରହିଛି । 

ଏବେ କିଛି ଅନୁମାନସାପେକ୍ଷ ପ୍ରଶ୍ନ । ହଜାର ହଜାର ସଂଖ୍ୟାରେ ଚୀନ ନାଗରିକ ଅବୈଧ ଭାବେ ଆମେରିକାରେ ବସବାସ କରୁଥିଲେ ବି ଆମେରିକା ସେମାନଙ୍କ ପ୍ରତି ଅନୁରୂପ ଆଚରଣ ପ୍ରଦର୍ଶନ କରି ପାରିବ କି ? ଏଭଳି କରିବା ଆଗରୁ ଆମେରିକା ଦୁଇ ଥର ଚିନ୍ତା କରିବ ନିଶ୍ଚୟ । ଭାରତରେ ଅବୈଧ ଭାବେ ରହୁଥିବା ବଙ୍ଗଳାଦେଶୀ, ରୋହିଙ୍ଗିଆମାନଙ୍କୁ ଅନୁରୂପ ଭାବେ ଭାରତୀୟ ବିମାନବାହିନୀର ମାଲବୁହା ବିମାନରେ ନିର୍ବାସନ କରଯାଇପାରିବ କି ? ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତମ ସମ୍ପର୍କ ସତ୍ତ୍ୱେ ଟ୍ରମ୍ପଙ୍କ ଏଭଳି ଆଚରଣକୁ ତର୍ଜମା କରି କୁହାଯାଉଛି ଯେ ଏହା ଜରିଆରେ ଆମେରିକା ଭାରତ ଓ ବିଶ୍ୱର ଅନ୍ୟ ଦେଶଗୁଡିକୁ ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କଲା । ଏଣିକି ଅବୈଧ ପ୍ରବାସୀଙ୍କ ଲାଗି ଆମେରିକା ଅତ୍ୟନ୍ତ କଠୋର ହେବ ।  ଜାତୀୟ ସ୍ୱାର୍ଥ ସମ୍ମୁଖରେ ବନ୍ଧୁତା ଯେ ନିତାନ୍ତ ଗୌଣ ତା'ର ଆଭାସ ମିଳିଲା ଟ୍ରମ୍ପ ପ୍ରଶାସନର ଭାରତ ପ୍ରତି ଆଚରଣରୁ । ଏହି ପ୍ରକରଣରେ ନିର୍ବାସିତ ହୋଇଥିବା ତଥାକଥିତ ଅପରାଧୀମାନଙ୍କୁ ବ୍ୟକ୍ତିଗତ ଭାବେ କେହି ଚିହ୍ନିଲେ ନାହିଁ । ସେମାନଙ୍କର ପରିଚୟ କେବଳ ଥିଲା ସେମାନେ ଭାରତୀୟ । ଫଳରେ ଭାରତ ଓ ଭାରତୀୟଙ୍କର ମର୍ଯ୍ୟାଦାହାନି ହେଲା ସିନା । ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇସାରିଲାଣି ବୋଲି ଆମେ ଗର୍ବ କରୁଛୁ । ଆର୍ଥିକ ଦୃଷ୍ଟିରୁ ଏହା ହୁଏତ ଅଚିରେ ଏକ ବିକଶିତ ଦେଶରେ ପରିଣତ ହୋଇପାରେ । କିନ୍ତୁ, କୌଣସି କ୍ଷେତ୍ରରେ ଭାରତ ଓ ଭାରତୀୟଙ୍କ ମର୍ଯ୍ୟାଦାହାନି ହେଉଥିଲେ ବା ହେବାର ଆଶଙ୍କା ଥିଲେ ତାକୁ ପ୍ରତିରୋଧ କରିବାକୁ ଉଚିତ ପଦକ୍ଷେପ ଗ୍ରହଣ କରିବାରେ ଅସମର୍ଥ ହେଲେ ଭାରତ ଏକ ମର୍ଯ୍ୟାଦାବନ୍ତ ଦେଶ ହୋଇପାରିବ ନାହିଁ । ତେଣୁ ବିକଶିତ ହେବା ଯେତିକି ଜରୁରୀ, ମର୍ଯ୍ୟାଦାର ସହ ବିକଶିତ ହେବା ତା’ଠାରୁ ଅଧିକ ଜରୁରୀ । ଏହି ପରିପ୍ରେକ୍ଷୀରେ କେବଳ ଏତିକି କହିବା ଉଚିତ ହେବ ଯେ ଭାରତର ସମ୍ମାନ ଦୃଷ୍ଟିରୁ ଅବୈଧ ପ୍ରବାସୀ ଭାରତୀୟମାନଙ୍କୁ ଘରକୁ ବାହୁଡ଼ାଇ ଆଣିବାର ଦାୟିତ୍ୱ ଦେଶ ହାତକୁ ନେଲେ ଭଲ ହୁଅନ୍ତା । କାରଣ ‘ଆଲୋ ସଖୀ, ଆପଣା ମହତ ଆପେ ରଖି’ ।


Published in Sambad on February 18, 2025


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...