ଅମୃତସର ବିମାନବନ୍ଦରଠାରେ ୨୦୨୫ ମସିହା ଫେବୃଆରୀ ୫ ତାରିଖରେ ଆମେରିକା ବିମାନବାହିନୀର ଏକ ମାଲବୁହା ବିମାନ ଅବତରଣ କଲା । ସେଥିରୁ ଓହ୍ଲାଇଲେ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟ । ୪୦ ଘଣ୍ଟାର ସୁଦୀର୍ଘ ବିମାନଯାତ୍ରାର ସମ୍ପୂର୍ଣ୍ଣ ସମୟ ତକ ସେମାନଙ୍କ ହାତରେ ପଡ଼ିଥିଲା କଡ଼ି ଓ ଗୋଡ଼ରେ ଥିଲା ବେଡ଼ି । ଏହା ଥିଲା ଭାରତରେ କୌଣସି ବିଦେଶୀ ସାମରିକ ମାଲବୁହା ବିମାନରେ ହାତକଡ଼ି ପିନ୍ଧା ଭାରତୀୟମାନେ ଲଦା ହୋଇଆସିବାର ପ୍ରଥମ ଘଟଣା । ଏହାଦ୍ୱାରା ମର୍ଯ୍ୟାଦାହାନି ଘଟି ଦେଶର ଛବି ମଳିନ ହୋଇଛି ବୋଲି ସଂସଦରେ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କଲେ । କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଥିପାଇଁ ଆମେରିକାର ସମାଲୋଚନା ନ କରି ଅବୈଧ ପ୍ରବାସୀଙ୍କୁ ବହିଷ୍କାର କଲାବେଳେ ହାତକଡ଼ି ପିନ୍ଧାଇ ଆଣିବା ସେହି ଦେଶର ଏସ.ଓ.ପି. ବା ସ୍ୱୀକୃତ ପ୍ରକ୍ରିୟା ବୋଲି ସଫେଇ ଦେଇଥିଲେ । ୨୦୦୯ ମସିହାରୁ ୧୫୭୫୬ ଜଣ ଅବୈଧ ପ୍ରବାସୀ ଭାରତୀୟ ଆମେରିକା ଦ୍ୱାରା ନିର୍ବାସିତ ହୋଇଛନ୍ତି । ହେଲେ କେବେ ବି ଏଭଳି ଘଟି ନାହିଁ । ପୂର୍ବରୁ ସେମାନଙ୍କୁ ଯାତ୍ରୀବାହୀ ବିମାନ ଯୋଗେ ପଠାଯାଇ ଆସୁଥିଲା । ଏବେ ସେମାନଙ୍କୁ ଆମେରିକୀୟ ସାମରିକ ମାଲବୁହା ବିମାନରେ ଅତି ଦୟନୀୟ ଭାବେ ପଠାହେବା ସହ ସେମାନଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପକାଇ ନିର୍ବାସନ କରାଯାଉଥିବାର ଭିଡିଓ ଭାଇରାଲ ହେବା ଲଜ୍ଜାଜନକ । ପ୍ରଶ୍ନ ଉଠୁଛି କଲମ୍ୱିଆ, ପରି ଛୋଟ ଦେଶ ଯଦି ଆମେରିକୀୟ ସାମରିକ ମାଲବୁହା ବିମାନକୁ ତାଙ୍କ ଦେଶରେ ଓହ୍ଲାଇବାର ଅନୁମତି ନ ଦେଇ ଯାତ୍ରୀ ବିମାନରେ ଅବୈଧ ପ୍ରବାସୀମାନଙ୍କୁ ଆଣିପାରିଲା, ଭାରତ କାହିଁକି ସେପରି କଲା ନାହିଁ ? ଏହି ସମଗ୍ର ପ୍ରକରଣରେ ଭାରତ ସରକାର ଉଚିତ ଢଙ୍ଗରେ ପ୍ରତିବାଦ ନ କରି ନୀରବ ରହିବା ମଧ୍ୟ ଅନେକଙ୍କୁ ବ୍ୟଥିତ କରିଛି । ଆଗାମୀ ଦିନରେ ଆହୁରି ହଜାର ହଜାର ଭାରତୀୟ ନିର୍ବାସିତ ହୋଇଆସୁଥିବାରୁ ସେମାନଙ୍କୁ ସମ୍ମାନଜନକ ଭାବେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରାଇବା ଭାରତର କୂଟନୈତିକ ସଫଳତା ପାଇଁ ଏକ ପରୀକ୍ଷା ହୋଇପାରେ ।
ଜାତିସଂଘର ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ ବସବାସ କରୁଥିବା ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୬.୧ କୋଟି, ଯାହା ବିଶ୍ୱ ଜନ ସଂଖ୍ୟାର ପ୍ରାୟ ୩.୬ ପ୍ରତିଶତ । ବିଭିନ୍ନ ଦେଶରେ ପ୍ରବାସୀ ଭାବେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ପ୍ରାୟ ୧.୮ କୋଟି ଯାହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ । ଅନ୍ୟ ପକ୍ଷରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ସର୍ବାଧିକ ପସନ୍ଦର ଲକ୍ଷ୍ୟ ଦେଶ ହେଉଛି ଆମେରିକା, ଯେଉଁଠାରେ ପ୍ରାୟ ୪.୩୪ କୋଟି ପ୍ରବାସୀ ଅଛନ୍ତି । ସେମାନଙ୍କ ପସନ୍ଦ କ୍ରମର ଅନ୍ୟ ଲକ୍ଷ୍ୟ ଦେଶଗୁଡ଼ିକ ହେଲା ଜର୍ମାନୀ, ସାଉଦି ଆରବ, ରୁଷିଆ, ୟୁକେ, ୟୁଏଇ, ଫ୍ରାନ୍ସ, କାନାଡ଼ା, ଅଷ୍ଟ୍ରେଲିଆ ଇତ୍ୟାଦି । ଗତ ୨୫ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ଲାଗି ଭାରତର ଆକର୍ଷଣ ହ୍ରାସ ପାଇଛି ଓ ସେମାନଙ୍କ ସଂଖ୍ୟା ଆସି ୪୫ ଲକ୍ଷରେ ପହଞ୍ଚିଲାଣି । ଅର୍ଥାତ୍ ପ୍ରାୟ ୧.୮ କୋଟି ଭାରତୀୟ ପ୍ରବାସୀ ଭାବେ ଅନ୍ୟ ଦେଶଗୁଡ଼ିକରେ ରହୁଥିବା ବେଳେ ଅନ୍ୟ ଦେଶର ମାତ୍ର ୪୫ ଲକ୍ଷ ପ୍ରବାସୀ ଭାରତରେ ରହୁଛନ୍ତି, ଯେଉଁଥିରେ କୌଣସି ବିକଶିତ ଦେଶର ନାଗରିକଙ୍କ ସଂଖ୍ୟା ନଗଣ୍ୟ ।
ଆକର୍ଷଣୀୟ ରୋଜଗାର ଓ ନିଯୁକ୍ତି ସୁଯୋଗ କରିବା ଆଶାରେ ଗତ କିଛି ବର୍ଷ ମଧ୍ୟରେ ଆମେରିକା ଭିତରକୁ ଅବୈଧ ଭାବେ ଅନୁପ୍ରବେଶ କରୁଥିବା ଦେଶାନ୍ତରୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି, ଯଦ୍ଦ୍ୱାରା ସେଠାକାର ସମ୍ୱଳ, ଅର୍ଥନୀତି, ଆଇନ ଶୃଙ୍ଖଳା ପରିସ୍ଥିତି ଚାପଗ୍ରସ୍ତ ହୋଇଛି । ଅବଶ୍ୟ ‘ରୋଡିନୋ ବିଲ’ ମାଧ୍ୟମରେ ତାକୁ ନିୟନ୍ତ୍ରଣ କରିବାର ପ୍ରୟାସ କରାଯାଇଥିଲେ ମଧ୍ୟ ବିଶେଷ ସଫଳତା ମିଳିପାରିନାହିଁ । ଏହା ଆମେରିକାର ସମୃଦ୍ଧି ପଥରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର ସମୟରେ ଅବୈଧ ପ୍ରବାସୀମାନଙ୍କ ବିତାଡ଼ନ ହେବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ । ତେଣୁ ସେ ଦାୟିତ୍ୱ ଗ୍ରହଣ କରିବା ପରେ ଅବୈଧ ବହିରାଗତମାନଙ୍କୁ ଆମେରିକାରୁ ବହିଷ୍କାର କରିବାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏକ ଆକଳନ ଅନୁସାରେ ଆମେରିକାରେ ପ୍ରାୟ ୭.୨୫ ଲକ୍ଷ ଭାରତୀୟ ଅବୈଧ ଭାବେ ରହୁଛନ୍ତି, ଯାହା ମେକ୍ସିକୋ ଓ ଏଲ ସାଲଭାଡୋର ପଛକୁ ତୃତୀୟ ସର୍ବାଧିକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କର ନିର୍ବାସନ ପାଇଁ ଆମେରିକା ତତ୍ପର ହୋଇଉଠିଛି ।
ଆମେରିକାରେ ଅବୈଧ ଭାବେ ବସବାସ କରୁଥିବା ବିଦେଶୀ ନାଗରିକମାନଙ୍କୁ ତଡ଼ିବାର ଦାୟିତ୍ୱ ଆମେରିକାର ଗୃହରକ୍ଷା ବିଭାଗ ଉପରେ ନ୍ୟସ୍ତ । ଏହି କାର୍ଯ୍ୟ ସମ୍ପାଦନ ପାଇଁ ଦୁଇଟି ସଂସ୍ଥା କାର୍ଯ୍ୟରତ । ସୀମା ନିକଟରେ ଅବୈଧ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ଅଟକାଇବାର ଦାୟିତ୍ୱ ସେଠାକାର ସୀମାଶୁଳ୍କ ଓ ସୀମା ସୁରକ୍ଷା (କଷ୍ଟମସ୍ ଆଣ୍ଡ ବୋର୍ଡର ପ୍ରୋଟେକ୍ସନ- ସିବିପି) ଭଳି ସଂସ୍ଥା ଉପରେ ନ୍ୟସ୍ତ । ଅବୈଧ ଭାବେ ଦେଶ ଭିତରକୁ ପଶି ସାରିଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବା, ଅଟକ ରଖିବା ଓ ନିର୍ବାସନ କରିବା ଦାୟିତ୍ୱ 'ଇମିଗ୍ରେସନ ଆଣ୍ଡ କଷ୍ଟମସ୍ ଏନପୋର୍ସମେଣ୍ଟ' (ଆଇ.ସି.ଇ.)ସଂସ୍ଥା ଉପରେ ନ୍ୟସ୍ତ । ବସ୍ତୁତଃ ଆଇ.ସି.ଇ. ହିଁ ଆମେରିକାରେ ବସବାସ କରୁଥିବା ଅବୈଧ ଅଣନାଗରିକମାନଙ୍କୁ ଦେଶରୁ ବହିଷ୍କାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କେବଳ ଅବୈଧ ଅନୁପ୍ରବେଶକାରୀ ନୁହନ୍ତି, ଅସ୍ଥାୟୀ ଭିସାରେ ରହୁଥିବା ପ୍ରବାସୀ ଭିସାର ସର୍ତ୍ତକୁ ଉଲ୍ଲଂଘନ କଲେ ବା ଭିସା ଅବଧି ପୂରଣ ହୋଇ ଯାଇଥିଲେ ସେମାନଙ୍କୁ ମଧ୍ୟ ନିର୍ବାସନ କରାଯାଇଥାଏ । ସେହିପରି ଗ୍ରିନ କାର୍ଡ ଧାରୀ ସ୍ଥାୟୀ ବାସିନ୍ଦା ଓ ଅସ୍ଥାୟୀ ଭିସାଧାରୀମାନେ ନିର୍ଦ୍ଦିଷ୍ଟ କେତେକ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ବହିଷ୍କୃତ ହେବାକୁ ବାଧ୍ୟ ହୁଅନ୍ତି । ପ୍ରଶାସନର ଏଭଳି ବହିଷ୍କାର ନିଷ୍ପତ୍ତିକୁ ‘ଇମିଗ୍ରେସନ ଅଦାଲତ’ରେ ପ୍ରତିବାଦ କରିବାର ଅଧିକାର ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କର ରହିଛି । ସେଥିପାଇଁ ତାଙ୍କୁ କିଛି ସମୟ ମିଳିଯାଇଥାଏ । ଏଭଳି ପ୍ରାୟ ୩୬ ଲକ୍ଷ ମାମଲା ଅଦାଲତରେ ବିଚାରାଧୀନ ରହିଥିବାରୁ ବହିଷ୍କାର ନିଷ୍ପତ୍ତି ସତ୍ତ୍ୱେ ପ୍ରକୃତ ପକ୍ଷେ ଦେଶାନ୍ତର କରିବା ଲାଗି ବର୍ଷ ବର୍ଷ କାଳ ଲାଗିଯାଇପାରେ । ଏହି ସମୟରେ ସେମାନଙ୍କୁ ଅଟକ କେନ୍ଦ୍ରଗୁଡ଼ିକ (ଡିଟେନସନ୍ ସେଣ୍ଟର)ରେ ରଖାଯିବାର ପ୍ରାବଧାନ ଅଛି । ହେଲେ ଏହି ଅଟକ କେନ୍ଦ୍ରଗୁଡ଼ିକର ଧାରଣ କ୍ଷମତା ମାତ୍ର ୪୧୫୦୦ ହୋଇଥିବାରୁ ଅଧିକାଂଶ ଲୋକ ବାହାରେ ଥାଆନ୍ତି । ଆମେରିକାରୁ ଗତ ୪ ବର୍ଷ ଧରି ବାର୍ଷିକ ହାରାହାରି ମାତ୍ର ୩.୫୩ ଲକ୍ଷ ପ୍ରବାସୀଙ୍କୁ ନିର୍ବାସନ କରାଯାଇ ପାରିଛି । ତନ୍ମଧ୍ୟରୁ ଆମେରିକା ଭିତରେ ରହୁଥିବା ଅବୈଧ ଅଣନାଗରିକଙ୍କ ସଂଖ୍ୟା ବାର୍ଷିକ ମାତ୍ର ୪୩୦୦୦ । ଅର୍ଥାତ୍ ଥରେ ଆମେରିକା ଭିତରେ ପ୍ରବେଶ କରିବା ପରେ ସେଠାରୁ ସେମାନଙ୍କୁ ବହିଷ୍କାର କରିବାର ପ୍ରକ୍ରିୟା ଜଟିଳ ଓ ସମୟସାପେକ୍ଷ ହେଉଥିବାରୁ ଟ୍ରମ୍ପ ପ୍ରଶାସନ ତରଫରୁ ଏବେ ସି.ବି.ପି. ସଂସ୍ଥା ଦ୍ୱାରା ସୀମା ନିକଟରେ ଅବୈଧ ଅନୁପ୍ରବେଶକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଦ୍ଦ୍ୱାରା ଅଧିକ ସଂଖ୍ୟକ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ନିର୍ବାସନ କରିବା ସହଜ ହୋଇପାରିବ ।
ନୀତିଗତ ଭାବେ ଭାରତ ମଧ୍ୟ ଅବୈଧ ଦେଶାନ୍ତର ପ୍ରକ୍ରିୟାକୁ ସମର୍ଥନ କରୁ ନଥିବାରୁ ଅନ୍ୟ ଦେଶରେ ଅବୈଧ ଭାବେ ରହୁଥିବା ଭାରତୀୟମାନଙ୍କ ପ୍ରତ୍ୟାବର୍ତ୍ତନର ସପକ୍ଷରେ । ତେବେ ଦେଶର ମର୍ୟ୍ୟାଦା ରକ୍ଷା ଦୃଷ୍ଟିରୁ ଏହି ପ୍ରକରଣ ସମ୍ମାନଜନକ ଭାବେ ହେବା ଉଚିତ । ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମାନବାଧିକାରର ସୁରକ୍ଷା ପାଇଁ ଜାତିସଂଘ ଦ୍ୱାରା ଆହୂତ ଅନ୍ତର୍ଜାତୀୟ ସମ୍ମିଳନୀରେ ଗୃହୀତ ଘୋଷଣାନାମାର ଅନୁଚ୍ଛେଦ ୧୭ ଅନୁଯାୟୀ ସ୍ୱାଧୀନତାରୁ ବଞ୍ଚିତ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଅନ୍ତର୍ନିହିତ ମର୍ଯ୍ୟାଦା ଓ ସାଂସ୍କୃତିକ ପରିଚୟକୁ ଧ୍ୟାନରେ ରଖି ସେମାନଙ୍କ ପ୍ରତି ମାନବତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରାଯିବ । କେବଳ କିଛି ଆସାଧାରଣ ପରିସ୍ଥିତିକୁ ବାଦ ଦେଲେ ସେମାନଙ୍କ ପ୍ରତି ଅପରାଧୀ ସୁଲଭ ଆଚରଣ କରାଯାଇପାରିବନାହିଁ । ଫେବୃଆରୀ ୧୫ ଓ ୧୬ ତାରଖରେ ଆମେରିକାରୁ ଆଉ ଦୁଇଟି ସାମରିକ ମାଲବୁହା ବିମାନରେ ୨୨୮ ଜଣ ବହିଷ୍କୃତ ଭାରତୀୟଙ୍କ ପ୍ରତି ଅପରାଧୀ ସୁଲଭ ଆଚରଣ ପ୍ରଦର୍ଶନ କରି ହାତକଡ଼ି ଓ ବେଡ଼ି ପିନ୍ଧାଇ ଭାରତକୁ ଅଣାଯାଇଛି । ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଥିବା ବେଳେ ଅନ୍ତତଃ ସେମାନଙ୍କୁ ଯାତ୍ରୀ ବିମାନରେ ସମ୍ମାନଜନକ ଭାବେ ଅଣାଯିବାର ବ୍ୟବସ୍ଥା କରାଯିବ ।
ଆମେରିକାରୁ ନିର୍ବାସିତ ହୋଇ ଫେରିଥିବା ପ୍ରବାସୀ ଭାରତାୟମାନଙ୍କୁ କେହି କେହି ଅପରାଧୀ ମନେ କରି ଘୃଣା ଚକ୍ଷୁରେ ଦେଖୁଛନ୍ତି । ଏମାନଙ୍କ ମଧ୍ୟରେ ଭାରତରେ ଅପରାଧ କରି ବିଦେଶକୁ ଯାଇଥିବା ଅପରାଧୀ ମଧ୍ୟ ଥାଇପାରନ୍ତି । କିନ୍ତୁ ସମସ୍ତେ ଯେ ବିନା କାଗଜପତ୍ରରେ ଅବୈଧ ଭାବେ ଆମେରିକାକୁ ପ୍ରବେଶ କରିଥିଲେ, ତାହା ନୁହେଁ । ସେମାନଙ୍କ ମଧ୍ୟରୁ କେତେକ ବୈଧ ଭାବେ ପ୍ରବେଶ କରିଥିଲେ । ଅଥଚ ଭିସାର ଅବଧି ପୂରଣ ବା ଅନ୍ୟ କାରଣରୁ ସେଠାରେ ରହିବାର ଅଧିକାର ହରାଇଥିଲେ । ସେମାନେ ଆଦୌ ଅପରାଧୀ ପ୍ରବୃତ୍ତିର ନୁହନ୍ତି । ଅଧିକ ରୋଜଗାର କରିବା ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଓ ସବୁଜ ଚାରଣ ଭୂଇଁର ସନ୍ଧାନରେ ଅଧିକାଂଶ ବ୍ୟକ୍ତି ଅବୈଧ ଭାବେ ଆମେରିକା ଯାଇଥାନ୍ତି । ତେବେ ପ୍ରତ୍ୟେକଙ୍କ ଦେଶାନ୍ତରୀ ହେବା ପଛର କାରଣ ଭିନ୍ନ ଭିନ୍ନ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଜରାଟ, ପଞ୍ଜାବ, ହରିଆଣା ଭଳି ରାଜ୍ୟର ଅଧିବାସୀ । ଏହି ସବୁ ରାଜ୍ୟରୁ ଅନେକ ଲୋକ ଦୀର୍ଘ ଦିନ ଧରି ଆମେରିକାରେ ରହି ବିତ୍ତଶାଳୀ ହୋଇପାରିଥିବାରୁ ଭାରତରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ଓ ସାହିପଡ଼ିଶାଙ୍କ ଲାଗି ସେମାନଙ୍କ ପଥ ଅନୁସରଣ କରିବା କ୍ରମରେ ଏହା ସେସବୁ ରାଜ୍ୟରେ ଏକ ଧାରାରେ ପରିଣତ ହୋଇଛି । ଏଥିଲାଗି ସେମାନେ ଏଜେଣ୍ଟମାନଙ୍କ ସହାୟତା ଲୋଡ଼ୁଛନ୍ତି । ଅସାଧୁ ଏଜେଣ୍ଟମାନେ ପ୍ରତ୍ୟେକଙ୍କଠାରୁ ପ୍ରାୟ ୪୦-୫୦ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ଦାବି କରିଥାନ୍ତି । ଜମିବାଡ଼ି ବିକି, ଧାର କରଜ କରି ଏଜେଣ୍ଟମାନଙ୍କୁ ଏହି ବିପୁଳ ପରିମାଣରେ ଟଙ୍କା ଦେବାକୁ ସେମାନେ ବାଧ୍ୟ ହୁଅନ୍ତି । ଏଜେଣ୍ଟମାନେ ପୂରା ଟଙ୍କା ପାଇଲା ପରେ ଯାଇ ଯାତ୍ରାର ବ୍ୟବସ୍ଥା କରାନ୍ତି । କିନ୍ତୁ ଅବୈଧ ଭାବେ ଆମେରିକାରେ ପ୍ରବେଶ କରିବା ଲାଗି ଏହି ଲୋକମାନଙ୍କୁ ଅକଳ୍ପନୀୟ ଭାବେ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ହୋଇଥାଏ । ଅନେକ ସମୟରେ ଏଭଳି ଲୋକେ ପ୍ରାଣ ହରାନ୍ତି ଅଥଚ ସେମାନଙ୍କ ଘର ବା ପରିବାର ନିକଟରେ ଖବର ପର୍ଯ୍ୟନ୍ତ ପହଞ୍ଚେ ନାହିଁ ।
ଭାରତରେ ଉତ୍କଟ ବେକାରୀ ସମସ୍ୟା ଅବୈଧ ଦେଶାନ୍ତରର ଅନ୍ୟତମ କାରଣ ପାଲଟିଛି । ତେବେ, କେତେ ସଂଖ୍ୟକ ଭାରତୀୟ ନାଗରିକ ବିଭିନ୍ନ ଦେଶରେ ଅବୈଧ ପ୍ରବାସୀ ଭାବେ ରହୁଛନ୍ତି ତା'ର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ନିକଟରେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ଡିସେମ୍ୱର ୨୦୨୪ରେ ସଂସଦରେ ସ୍ପଷ୍ଟ କରାଯାଇସାରିଛି । ଏହା ଚିନ୍ତାଜନକ । ଅବୈଧ ଦେଶାନ୍ତର ଏକ ବଡ଼ ସମସ୍ୟା ହୋଇଥିଲେ ବି ତାକୁ ପ୍ରତିହତ କରିବା ଲାଗି କୌଣସି ଗମ୍ଭୀରତା ପ୍ରଦର୍ଶିତ ହେଉ ନଥିବା ମଧ୍ୟ ଉଦବେଗର ବିଷୟ । ସେ ସଂକ୍ରାନ୍ତରେ ସ୍ପଷ୍ଟ ଆଇନ ପ୍ରଣୟନର ଆବଶ୍ୟକତା ରହିଛି । ଏହା ହେଉଛି ବେଆଇନ ମାନବ ଚାଲାଣ, ଯାହା କଠୋର ଦଣ୍ଡ ଲୋଡ଼ିଥାଏ । ବିଭିନ୍ନ ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲି ଏଭଳି କାର୍ଯ୍ୟରେ ଲିପ୍ତଥିବା ଅସାଧୁ ନିଯୁକ୍ତି ସଂସ୍ଥାଗୁଡ଼ିକ ଉପରେ ତୁରନ୍ତ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ହଜାର ହଜାର ସଂଖ୍ୟାରେ ଭାରତୀୟ ସ୍ୱଦେଶକୁ ଫେରି ଆସୁଥିବାରୁ ସେମାନଙ୍କୁ ଉଚିତ ଢଙ୍ଗରେ ଥଇଥାନ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ । ତେଣୁ ସରକାର ସେ ଦିଗରେ ମଧ୍ୟ ଦୃଷ୍ଟି ଦେବା ଉଚିତ । ସେମାନଙ୍କ ଭିତରୁ କେହି ଭାରତରେ କୌଣସି ଅପରାଧରେ ସଂଲିପ୍ତ ଥିବାର ସୂଚନା ମିଳିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ମଧ୍ୟ ରହିଛି ।
ଏବେ କିଛି ଅନୁମାନସାପେକ୍ଷ ପ୍ରଶ୍ନ । ହଜାର ହଜାର ସଂଖ୍ୟାରେ ଚୀନ ନାଗରିକ ଅବୈଧ ଭାବେ ଆମେରିକାରେ ବସବାସ କରୁଥିଲେ ବି ଆମେରିକା ସେମାନଙ୍କ ପ୍ରତି ଅନୁରୂପ ଆଚରଣ ପ୍ରଦର୍ଶନ କରି ପାରିବ କି ? ଏଭଳି କରିବା ଆଗରୁ ଆମେରିକା ଦୁଇ ଥର ଚିନ୍ତା କରିବ ନିଶ୍ଚୟ । ଭାରତରେ ଅବୈଧ ଭାବେ ରହୁଥିବା ବଙ୍ଗଳାଦେଶୀ, ରୋହିଙ୍ଗିଆମାନଙ୍କୁ ଅନୁରୂପ ଭାବେ ଭାରତୀୟ ବିମାନବାହିନୀର ମାଲବୁହା ବିମାନରେ ନିର୍ବାସନ କରଯାଇପାରିବ କି ? ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତମ ସମ୍ପର୍କ ସତ୍ତ୍ୱେ ଟ୍ରମ୍ପଙ୍କ ଏଭଳି ଆଚରଣକୁ ତର୍ଜମା କରି କୁହାଯାଉଛି ଯେ ଏହା ଜରିଆରେ ଆମେରିକା ଭାରତ ଓ ବିଶ୍ୱର ଅନ୍ୟ ଦେଶଗୁଡିକୁ ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କଲା । ଏଣିକି ଅବୈଧ ପ୍ରବାସୀଙ୍କ ଲାଗି ଆମେରିକା ଅତ୍ୟନ୍ତ କଠୋର ହେବ । ଜାତୀୟ ସ୍ୱାର୍ଥ ସମ୍ମୁଖରେ ବନ୍ଧୁତା ଯେ ନିତାନ୍ତ ଗୌଣ ତା'ର ଆଭାସ ମିଳିଲା ଟ୍ରମ୍ପ ପ୍ରଶାସନର ଭାରତ ପ୍ରତି ଆଚରଣରୁ । ଏହି ପ୍ରକରଣରେ ନିର୍ବାସିତ ହୋଇଥିବା ତଥାକଥିତ ଅପରାଧୀମାନଙ୍କୁ ବ୍ୟକ୍ତିଗତ ଭାବେ କେହି ଚିହ୍ନିଲେ ନାହିଁ । ସେମାନଙ୍କର ପରିଚୟ କେବଳ ଥିଲା ସେମାନେ ଭାରତୀୟ । ଫଳରେ ଭାରତ ଓ ଭାରତୀୟଙ୍କର ମର୍ଯ୍ୟାଦାହାନି ହେଲା ସିନା । ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇସାରିଲାଣି ବୋଲି ଆମେ ଗର୍ବ କରୁଛୁ । ଆର୍ଥିକ ଦୃଷ୍ଟିରୁ ଏହା ହୁଏତ ଅଚିରେ ଏକ ବିକଶିତ ଦେଶରେ ପରିଣତ ହୋଇପାରେ । କିନ୍ତୁ, କୌଣସି କ୍ଷେତ୍ରରେ ଭାରତ ଓ ଭାରତୀୟଙ୍କ ମର୍ଯ୍ୟାଦାହାନି ହେଉଥିଲେ ବା ହେବାର ଆଶଙ୍କା ଥିଲେ ତାକୁ ପ୍ରତିରୋଧ କରିବାକୁ ଉଚିତ ପଦକ୍ଷେପ ଗ୍ରହଣ କରିବାରେ ଅସମର୍ଥ ହେଲେ ଭାରତ ଏକ ମର୍ଯ୍ୟାଦାବନ୍ତ ଦେଶ ହୋଇପାରିବ ନାହିଁ । ତେଣୁ ବିକଶିତ ହେବା ଯେତିକି ଜରୁରୀ, ମର୍ଯ୍ୟାଦାର ସହ ବିକଶିତ ହେବା ତା’ଠାରୁ ଅଧିକ ଜରୁରୀ । ଏହି ପରିପ୍ରେକ୍ଷୀରେ କେବଳ ଏତିକି କହିବା ଉଚିତ ହେବ ଯେ ଭାରତର ସମ୍ମାନ ଦୃଷ୍ଟିରୁ ଅବୈଧ ପ୍ରବାସୀ ଭାରତୀୟମାନଙ୍କୁ ଘରକୁ ବାହୁଡ଼ାଇ ଆଣିବାର ଦାୟିତ୍ୱ ଦେଶ ହାତକୁ ନେଲେ ଭଲ ହୁଅନ୍ତା । କାରଣ ‘ଆଲୋ ସଖୀ, ଆପଣା ମହତ ଆପେ ରଖି’ ।
Published in Sambad on February 18, 2025
Comments
Post a Comment