କିଛି ରାଜ୍ୟରେ ସରକାରଙ୍କ ଦ୍ୱାରା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ନଗଦ ଟଙ୍କା ଜମା କରିବାର ଯୋଜନାମାନ କାର୍ଯ୍ୟକାରୀ ହେଉଛି । ଟିକସଦାତାଙ୍କ ଅର୍ଥକୁ ଏପରି ମାଗଣା ବାଣ୍ଟି ଅର୍ଥଶ୍ରାଦ୍ଧ କରିବାକୁ ଅନେକ ନାପସନ୍ଦ କରୁଥିବା ବେଳେ ଏତେ କମ ଅର୍ଥର ସହାୟତା ଗରିବ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିପାରିବ ନାହିଁ ବୋଲି କେହି କେହି ମତବ୍ୟକ୍ତ କରୁଛନ୍ତି । ମାଗଣା ଟଙ୍କା କେଇଟା ନ ଧରେଇ ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ଦିଗରେ ପ୍ରଚେଷ୍ଟା କରାଗଲେ ସେମାନଙ୍କ ବିକାଶ ହେବା ସହ ରାଜ୍ୟର ଅର୍ଥନୀତି ମଧ୍ୟ ଗତିଶୀଳ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି । ତେବେ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ନଗଦ ପ୍ରଦାନ କରାଯିବା କିଛି ନୂଆ କଥା ନୁହେଁ । ମେକ୍ସିକୋରେ ‘ପ୍ରୋଗ୍ରେସା’, ବ୍ରାଜିଲରେ ‘ବୋଲସା ଫେମିଲିଆ’, ଜାମାଇକାରେ ‘ପାଥ’ ଭଳି ଅନେକ ଯୋଜନା ମାଧ୍ୟମରେ ବିଶ୍ୱର ଅନେକ ଦେଶରେ ଲୋକଙ୍କୁ ସିଧାସଳଖ ଅର୍ଥ ସହାୟତା ପ୍ରଦାନ କରାହୋଇ ଆସୁଛି । ଭାରତରେ ମଧ୍ୟ ଜନମଙ୍ଗଳର ସୁବିଧାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ୨୦୧୩ ମସିହାରୁ ‘ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର’ର ପ୍ରଚଳନ ହୋଇ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଯୋଜନା ତା’ ଅନ୍ତର୍ଭୁକ୍ତ ହୋଇସାରିଲାଣି । ବିଭିନ୍ନ ଯୋଜନା ମାଧ୍ୟମରେ ମାଗଣା ଅର୍ଥ ବଣ୍ଟନ ଅର୍ଥନୀତି ପ୍ରତି କ୍ଷତିକାରକ ବୋଲି ସମାଲୋଚିତ ହେଉଥିଲେ ବି ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ନ ଆସିବା ପର୍ଯ୍ୟନ୍ତ ତାହା ଜାରି ରହିବା ଅପରିହାର୍ଯ୍ୟ ହୋଇପଡ଼ିଛି ଓ ତାକୁ ଏକ ‘ଆବଶ୍ୟକ ମନ୍ଦ’ ରୂପେ ଗ୍ରହଣ କରିବାକୁ ହେବ । ବରଂ ଏହି ଧରଣର ଯୋଜନାଗୁଡ଼ିକରେ ଥିବା ଅସଙ୍ଗତିଗୁଡ଼ିକୁ ବିଚାର ବିମର୍ଶ ଜରିଆରେ ଦୂର କରାଯାଇ ସେଗୁଡ଼ିକୁ ଅଧିକ ଫଳପ୍ରଦ କରାଯାଇପାରେ ।
‘ପି.ଆର.ଏସ. ଲେଜିସଲେଟିଭ ରିସର୍ଚ୍ଚ’ ନାମକ ସଂସ୍ଥାର ଏକ ରିପୋର୍ଟ ଅନୁଯାୟୀ କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ମହିଳାମାନଙ୍କୁ ସିଧାସଳଖ ନଗଦ ପ୍ରଦାନ ଯୋଜନା କାର୍ୟ୍ୟକାରୀ ହେଉଥିବା ଆସାମ, ଛତିଶଗଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଓଡ଼ିଶା, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ବଜେଟରେ ଏ ବାବଦକୁ ସମୁଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି । ୨୦୨୧ ମସିହା ଫେବୃଆରୀ ମାସରେ, ଠିକ୍ ବିଧାନସଭା ନିର୍ବାଚନ ପୂର୍ବରୁ, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଲକ୍ଷ୍ମୀର ଭଣ୍ଡାର’ ନାମକ ଯୋଜନାରେ ଅଭାବୀ ପରିବାରଗୁଡ଼ିକର ମହିଳା ମୁଖ୍ୟମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ସହାୟତା ରାଶି ମାସିକ ୧୨୫୦ ଟଙ୍କା । ଏହି ଯୋଜନାରେ ୨୫ରୁ ୬୦ ବର୍ଷ ବୟସର ୨.୨ କୋଟି ମହିଳା ଯୋଜନାର ଲାଭାର୍ଥୀ ଅଛନ୍ତି । ଏହି ଯୋଜନା ନିର୍ବାଚନରେ ଶାସକ ଦଳକୁ ଆଶାତୀତ ସଫଳତା ପ୍ରଦାନ କରିଥିଲା ବୋଲି ବିଶ୍ୱାସ କରାଯାଏ । ରାଜ୍ୟ ସରକାରଙ୍କ ତରଫରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସହାୟତା ରାଶିକୁ ଲାଭାର୍ଥୀମାନେ ଘର ଖର୍ଚ୍ଚ, ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ବ୍ୟୟ କରିବା ସହ କେହି କେହି ଏହାକୁ ଛୋଟ ଛୋଟ ବ୍ୟବସାୟରେ ବିନିଯୋଗ କରିଛନ୍ତି । ଏହା ସେମାନଙ୍କ ଉତ୍କଟ ଦାରିଦ୍ର୍ୟକୁ ହ୍ରାସ କରିବା ସହ ସେମାନଙ୍କ ତଥା ସେମାନଙ୍କ ପରିବାରର ପୌଷ୍ଟିକ ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇଛି ।
ଆସାମ ସରକାରଙ୍କ ଦ୍ୱାରା ‘ଅରୁଣୋଦୟ’ ନାମକ ଏକ କାର୍ୟ୍ୟକ୍ରମ ଭିନ୍ନ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି । ଲାଭାର୍ଥୀମାନଙ୍କୁ ଔଷଧ, ୪ କିଲୋଗ୍ରାମ ଡାଲି ଜାତୀୟ ଶସ୍ୟ, ୪ କିଲୋଗ୍ରାନ ଚିନି, ଫଳ ଓ ପନିପରିବା କିଣିବା ଲାଗି ମାସିକ ୧୨୫୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି । ପ୍ରତି ନିର୍ବାଚନ ମଣ୍ଡଳୀର ୧୫ରୁ ୧୭ ହଜାର ପରିବାରର ମହିଳା ମୁଖ୍ୟ, ଏହିପରି ସାରା ରାଜ୍ୟରେ ପ୍ରାୟ ୧୯.୧୦ ଲକ୍ଷ ମହିଳା ଏହି ଯୋଜନାର ଅନ୍ତର୍ଭୁକ୍ତ ।
ଝାଡ଼ଖଣ୍ଡରେ ୨୦୨୩ ମସିହା ଅଗଷ୍ଟ ମାସରୁ ‘ମୁଖ୍ୟମନ୍ତ୍ରୀ ମୈୟା ସମ୍ମାନ ଯୋଜନା’ କାର୍ୟ୍ୟକାରୀ ହୋଇ ଆସୁଥିଲା, ଯେଉଁଥିରେ ୧୮ରୁ ୫୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଦିଆଯାଉଥିଲା । ଏହା ମେଣ୍ଟ ସରକାରକୁ ନିର୍ବାଚନ ଜିତିବାରେ ସହାୟକ ହୋଇଥିବାରୁ ନିର୍ବାଚନ ପରେ ସହାୟତା ରାଶିକୁ ବଢ଼ାଇ ମାସିକ ୨୫୦୦ ଟଙ୍କା କରି ଦିଆଗଲା, ପରିମାଣ ଦୃଷ୍ଟିରୁ ଯାହା ସାରା ଭାରତରେ ଏବେ ସର୍ବାଧିକ । ପ୍ରାୟ ୬୯ ଲକ୍ଷ ମହିଳା ଏହି ଯୋଜନାର ଲାଭାର୍ଥୀ ।
ଛତିଶଗଡ଼ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ମହତାରୀ ବନ୍ଦନ ଯୋଜନା’ରେ ୨୧ ବର୍ଷ ବୟସରୁ ଊର୍ଦ୍ଧ୍ୱ ବିବାହିତା ମହିଳାମାନଙ୍କୁ ଲାଭାର୍ଥୀ ଭାବେ ଗ୍ରହଣ କରାଯାଉଛି । ପ୍ରାୟ ୭୦ ଲକ୍ଷ ଲାଭାର୍ଥୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି । ମଧ୍ୟ ପ୍ରଦେଶରେ ୨୦୨୩ ମସିହା ଜୁନ ମାସରୁ ‘ମୁଖ୍ୟମନ୍ତ୍ରୀ ଲାଡ଼ଲି ବହନା ଯୋଜନା’ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ୨୧ରୁ ୬୦ ବର୍ଷ ବୟସର ୧.୨୯ କୋଟି ଲାଭାର୍ଥୀଙ୍କୁ ମାସିକ ୧୨୫୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ହିମାଚଳ ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା ‘ଇନ୍ଦିରା ଗାନ୍ଧୀ ପ୍ୟାରୀ ବହନା ସୁଖ ସମ୍ମାନ ନିଧି’ ଯୋଜନାରେ ଲାଭାର୍ଥୀଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦିଆଯାଉଛି ।
ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ୨୦୨୩ ମସିହା ସେପ୍ଟେମ୍ୱର ମାସରୁ ‘କଲଇନାର ମାଗାଲିର ଉରିମାଇ ଥୋଗାଇ’ ଯୋଜନା ଚାଲିଛି, ଯହିଁରେ ୧.୦୬ କୋଟି ଲାଭାର୍ଥୀ ମାସକୁ ୧୦୦୦ ଟଙ୍କା ଲେଖାଏଁ ପାଉଛନ୍ତି । ସେମିତି କର୍ଣ୍ଣାଟକ ସରକାର କାର୍ଯ୍ୟକାରୀ କରିଥିବା ‘ଗୃହଲକ୍ଷ୍ମୀ’ ଯୋଜନାରେ ୧.୨୨ କୋଟି ଲାଭାର୍ଥୀ ମାସିକ ୨୦୦୦ ଟଙ୍କା ଲେଖାଏଁ ପାଉଛନ୍ତି । ନିକଟରେ ହୋଇଥିବା ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ ‘ମୁଖ୍ୟମନ୍ତ୍ରୀ ଲାଡକୀ ବହିନ ଯୋଜନା’ର ଶୁଭାରମ୍ଭ ହେଲା, ଯହିଁରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ପରିବାରର ୨୧ରୁ ୬୫ ବର୍ଷର ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦିଆଯାଉଛି । ଏଥିରେ ପ୍ରାୟ ୨.୫ କୋଟି ଲାଭାର୍ଥୀ ଥିବା ଏହି ଯୋଜନା ଲାଗି ବାର୍ଷିକ ପ୍ରାୟ ୪୬ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ୁଥିବାରୁ ରାଜ୍ୟ ବଜେଟ ଏବେ ଚାପଗ୍ରସ୍ତ ।
ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ନିର୍ବାଚନୀ ଘୋଷଣାକୁ ପାଳନ କରି ‘ସୁଭଦ୍ରା’ ଯୋଜନା ଆରମ୍ଭ କଲା । ଏଥିରେ ୨୧ରୁ ୬୦ ବର୍ଷର ମହିଳାମାନଙ୍କୁ ବାର୍ଷକ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ଦିଆଯିବ । ଏହାର ଅର୍ଥ ବର୍ଷକୁ ପାଇବେ ୧୦୦୦୦ ଟଙ୍କା ଏବଂ ସେହି ହିସାବରେ ମାସକୁ ମାତ୍ର ୮୩୩ ଟଙ୍କା । ୨୦୨୪ ମସିହା ସେପ୍ଟେମ୍ୱର ମାସ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧ କୋଟି ମହିଳାଙ୍କୁ ସାମିଲ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ନଭେମ୍ୱର ମାସ ସୁଦ୍ଧା ତିନି ଦଫାରେ ୭୯.୧୪ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତିର ଟଙ୍କା ଦିଆଯାଇପାରିଛି । ଏହା ସତ ଯେ ମହିଳା ଲାଭାର୍ଥୀ ପାଉଥିବା ଅର୍ଥରାଶି ସେମାନଙ୍କ ପରିବାରର ସାମାନ୍ୟ ହିତ ସାଧନ କରୁଛି । କିନ୍ତୁ ଲାଭାର୍ଥୀଙ୍କ ସଂଖ୍ୟା ନେଇ ଲକ୍ଷ୍ୟ ପୂରଣ କରିବା ଅପେକ୍ଷା ଯୋଗ୍ୟତାର ମାପକାଠି ଉପରେ ଗୁରୁତ୍ୱ ଦେଇ ଯୋଗ୍ୟ ହିତାଧିକାରୀ ଚୟନ ଅଧିକ କାମ୍ୟ । ଏଥିପାଇଁ ସରକାରଙ୍କ ଦ୍ୱାରା ନିୟମିତ ଭାବେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବା ଆବଶ୍ୟକ । ଆଗାମୀ ବର୍ଷଗୁଡ଼ିକରେ ପରିବାରଗୁଡ଼ିକର ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇ ଲାଭାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଲେ ତାହା ରାଜ୍ୟବାସୀଙ୍କ ସ୍ୱଚ୍ଛଳତାର ସୂଚକ ହେବ । ଅଧିକନ୍ତୁ ବିଭିନ୍ନ ରାଜ୍ୟରେ ମହିଳାମାନଙ୍କୁ ମିଳୁଥିବା ରାଶି ତୁଳନାରେ ଓଡ଼ିଶାର ମହିଳାମାନଙ୍କୁ ମିଳୁଥିବା ରାଶି ସର୍ବନିମ୍ନ ମାସିକ ମାତ୍ର ୮୩୩ ଟଙ୍କା ହୋଇଥିବାରୁ ତାକୁ ଅନ୍ୟ ରାଜ୍ୟର ସମକକ୍ଷ କରି ଅନ୍ତତଃ ମାସିକ ୧୦୦୦ ଟଙ୍କା କରିବା ଉପରେ ବିଚାର କରାଯାଇପାରେ । କାରଣ ଓଡ଼ିଶାର ଲୋକଙ୍କ ମୁଣ୍ଡପିଛା ଆୟ ଅନ୍ୟ ଅନେକ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ । ସେମାନଙ୍କୁ ଅଧିକ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି । ସେହିପରି ରାଜ୍ୟ ବାହାରେ ବସବାସ କରୁଥିବା ମହିଳାମାନଙ୍କୁ ଯୋଜନା ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିର ପୁନର୍ବିବେଚନା ହେବା ଆବଶ୍ୟକ । ସହାୟତା ରାଶି ପ୍ରଦାନ କରିବାର ଏକ ବଡ କାରଣ ହେଉଛି ସମାଜର ଏହି ଅବହେଳିତ ବର୍ଗର ଲୋକଙ୍କ ହାତରେ କିଛି ଅର୍ଥ ପହଞ୍ଚାଇ ସେମାନଙ୍କୁ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାର ସାମର୍ଥ୍ୟ ପ୍ରଦାନ କରିବା । ଏହା ହେଲେ କିଣାବିକା ବଢ଼ି ସ୍ଥାନୀୟ ଅର୍ଥନୀତି କିଛିଟା ଚଳଚଞ୍ଚଳ ହୋଇପାରିବ । ସେଥିପାଇଁ ଅନ୍ୟ ରାଜ୍ୟଗୁଡ଼ିକରେ ଲାଭାର୍ଥୀ ଭାବେ କେବଳ ସେହି ରାଜ୍ୟରେ ବସବାସ କରୁଥିବା ମହିଳାମାନଙ୍କୁ ଗ୍ରହଣ କରାଯାଉଛି । ହେଲେ ‘ସୁଭଦ୍ରା’ ଯୋଜନାରେ ପ୍ରବାସୀ ଓଡ଼ିଆ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯାଉଛି, ଯାହାର ଯୌକ୍ତିକତା ନେଇ ପ୍ରଶ୍ନ ଉଠୁଛି । କାରଣ ତଦ୍ଦ୍ୱାରା ଓଡ଼ିଶାର ରାଜକୋଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଅନ୍ୟ ରାଜ୍ୟରେ ଅର୍ଥନୀତିକୁ ସମୃଦ୍ଧ କରିବ ସିନା, ଓଡ଼ିଶାର ଅର୍ଥନୀତିକୁ ଗତିଶୀଳ କରିବାରେ ସହାୟକ ହେବ ନାହିଁ ।
ଏ ପର୍ଯ୍ୟନ୍ତ ମାତ୍ର ୧୦ଟି ରାଜ୍ୟର ପ୍ରାୟ ୧୧ କୋଟି ମହିଳା ଏହି ଯୋଜନାଗୁଡ଼ିକର ଲାଭାର୍ଥୀ ହୋଇଛନ୍ତି । ଅନ୍ୟାନ୍ୟ ଅନେକ ରାଜ୍ୟର ମହିଳା ଏଥିରୁ ବଞ୍ଚିତ ଅଛନ୍ତି । ଏହି ଧରଣର ଯୋଜନା ନିର୍ବାଚନୀ ସଫଳତାକୁ ସୁନିଶ୍ଚିତ କରୁଥିବାରୁ ଭବିଷ୍ୟତରେ ଅଧିକ ରାଜ୍ୟରେ ଏହା ପ୍ରଚଳିତ ହେବାର ସମ୍ଭାବନା ବେଶ୍ ଅଧିକ । କିନ୍ତୁ, ଏହା ରାଜ୍ୟଗୁଡ଼ିକର ବଜେଟ ଉପରେ ଅତିରିକ୍ତ ବୋଝ ଭଳି ହେଉଥିବାରୁ କେତେକ ରାଜ୍ୟ ଲାଭାର୍ଥୀଙ୍କ ସଂଖ୍ୟା ହ୍ରାସ କରିବା ଲାଗି ଯୋଗ୍ୟତାର ମାପକାଠିକୁ କଡ଼ାକଡ଼ି କରିବାରେ ଲାଗିଲେଣି । ରିଜର୍ଭ ବ୍ୟାଙ୍କ ମଧ୍ୟ ୨୦୨୪-୨୫ ପାଇଁ ପ୍ରସ୍ତୁତ ‘ଷ୍ଟେଟ ଫାଇନାନ୍ସେସ’ ରିପୋର୍ଟରେ ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ଦିଆଯାଉଥିବା ନଗଦ ରାଶିର ରାଜ୍ୟ ଅର୍ଥନୀତି ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏଥିପାଇଁ ବାର୍ଷିକ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ହେବ, ଯଦ୍ଦ୍ୱାରା ଅନ୍ୟ ବିକାଶମୂଳକ କାର୍ଯ୍ୟ ବାଧିତ ହେବାର ଆଶଙ୍କା ରହିଛି ।
‘ଏକ ଦେଶ ଏକ ଆଇନ’, ‘ଏକ ଦେଶ ଏକ ନିର୍ବାଚନ’ ଭଳି ସାରା ଦେଶରେ ମହିଳାମାନଙ୍କୁ ସମାନ ସମ୍ମାନ ମିଳିବା ପ୍ରସଙ୍ଗଟି ମଧ୍ୟ ଗୁରୁତ୍ୱ ପାଇବା ଉଚିତ । ଯଦି ସାରା ଦେଶରେ କୃଷକମାନଙ୍କୁ ସମାନ ପରିମାଣର ‘କୃଷକ ସମ୍ମାନ’ ରାଶି ପ୍ରଦାନ କରାଯାଇପାରୁଛି, ତେବେ ବିଭିନ୍ନ ରାଜ୍ୟର ମହିଳାମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶିରେ ପାତରଅନ୍ତର କାହିଁକି? ପୁଣି କିଛି ରାଜ୍ୟର ମହିଳା ଏହା ପାଇବାରୁ ବଞ୍ଚିତ ହେବେ କାହିଁକି ? କୌଣସି ରାଜ୍ୟରେ ନିର୍ବାଚନ ଆସିଲେ, ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଇସ୍ତାହାରରେ ଏଭଳି ଯୋଜନାର ପ୍ରତିଶ୍ରୁତି ଦେଉଛନ୍ତି । ଏହା ତାତକାଳିକ ଲାଭ ପାଇଁ ଲୋଭ ଦେଖାଇବା ଭଳି । ଭଲ ହୁଅନ୍ତା ଯଦି ଜାତୀୟ ସ୍ତରରେ ବ୍ୟାପକ ବିଚାର ବିମର୍ଶ କରାଯାଇ ମହିଳାମାନଙ୍କୁ ସହାୟତା ରାଶି ପ୍ରଦାନ ସଂଦର୍ଭରେ ଏକ ନୀତିଗତ ନିଷ୍ପତ୍ତି ନିଆଯାଆନ୍ତା । ହିତାଧିକାରୀଙ୍କ ଯୋଗ୍ୟତା, ସହାୟତା ରାଶିର ପରିମାଣ ଆଦି ସୁନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହା ସାରା ଦେଶରେ ଲାଗୁ କରାଯାଆନ୍ତା । ଅର୍ଥାତ୍ ‘କିସାନ ସମ୍ମାନ ନିଧି’ ଭଳି ଏହାକୁ ଏକ ସର୍ବ ଭାରତୀୟ ଯୋଜନାରେ ପରିଣତ କରାଯାଉ । କେବଳ ସେତିକି ନୁହେଁ, ଏଭଳି ଅର୍ଥ ବଣ୍ଟନ ଯୋଜନା ଦ୍ୱାରା ଦେଶର ଅର୍ଥନୀତି କିଭଳି ପ୍ରଭାବିତ ହେଉଛି ତା’ ଉପରେ ଦୃଷ୍ଟି ରହନ୍ତା । ତାହାହେଲେ ରାଜନୈତିକ ଦଳଗୁଡ଼ିକ ଆଉ ନିର୍ବାଚନ ସମୟରେ ନିଲାମ ଡାକ ଭଳି ତାକୁ ବଢ଼ାଇବା ଲାଗି ପ୍ରତିଯୋଗିତା କରନ୍ତେ ନାହିଁ । ଅଧିକନ୍ତୁ, ଏହା ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ଅତିରିକ୍ତ ଆର୍ଥିକ ଚାପରେ ରହନ୍ତେ ନାହିଁ ଏବଂ ଏକ ସୁସଂହତ ଢଙ୍ଗରେ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପରନ୍ତା । କିନ୍ତୁ ବଡ଼ କଥା ହେଲା ଲାଭାର୍ଥୀ ସଂଖ୍ୟାରେ ହ୍ରାସ ଘଟାଇବା, ଯାହା ଏଭଳି ଯୋଜନା ମାଧ୍ୟମରେ ହୋଇଥିବା ଅର୍ଥନୈତିକ ଅଗ୍ରଗତିର ପ୍ରକୃତ ବାର୍ତ୍ତାବହ ହୁଅନ୍ତା ।
Published in Sambad on February 04, 2025
Comments
Post a Comment