Skip to main content

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

ମେଡେନ ଫାର୍ମାସିଉଟିକାଲସ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ ୪ଟି ଥଣ୍ଡା ଓ କଫ ସିରପ୍ ପାଇଁ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଔଷଧର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗି ଦେଶ ନିନ୍ଦିତ ହୋଇଛି । ଏହି ଔଷଧ ସେବନ କରି ପଶ୍ଚିମ ଆଫ୍ରିକାର ଏକ କ୍ଷୁଦ୍ର ଦେଶ ଗାମ୍ୱିଆରେ ୬୬ ଜଣ ଶିଶୁଙ୍କ ଅକାଳ ବିୟୋଗର ଅଭିଯୋଗ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତରଫରୁ ଏହି ଔଷଧଗୁଡିକର ସମ୍ଭାବ୍ୟ କ୍ଷତିକାରକ ପ୍ରଭାବ ନେଇ ସେପ୍ଟେମ୍ୱର ୨୯, ୨୦୨୨ରେ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କୁ ସତର୍କ କରିଦିଆଯାଇଥିଲା । ଏହି ଔଷଧ ଗାମ୍ୱିଆ ବ୍ୟତୀତ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଯୋଗାଇ ଦିଆଯାଇଥିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ‘ହୁ’ ତରଫରୁ କୁହାଯାଇଥିଲା । “ଏହି ଉତ୍ପାଦଗୁଡିକ ଯୋଗୁଁ ଶିଶୁମାନଙ୍କର ଯେଉଁ ଜୀବନହାନି ହେଲା ତାହା ସମ୍ପୃକ୍ତ ପରିବାରଗୁଡିକ ଲାଗି ହୃଦୟ ବିଦାରକ ଅଟେ” ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡିରେକ୍ଟର ଜେନେରାଲ କ୍ଷୋଭ ପ୍ରକାଶ କଲେ । ଔଷଧ ନିର୍ମାତାମାନେ ସେମାନଙ୍କ ଉତ୍ପାଦର ଗୁଣବତ୍ତା ଓ ସେଗୁଡିକ କେତେ ସୁରକ୍ଷିତ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଗ୍ୟାରେଣ୍ଟି ପ୍ରଦାନ କରିବାର ପ୍ରାବଧାନ ଥିଲେ ମଧ୍ୟ ଏହି ଉତ୍ପାଦଗୁଡିକ ପାଇଁ ସମ୍ପୃକ୍ତ ନିର୍ମାତା ଆଜି ଯାଏଁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କୌଣସି ଗ୍ୟାରେଣ୍ଟି ପ୍ରଦାନ କରି ନାହାନ୍ତି ବୋଲି ଜଣାପଡିଛି ।

ଗାମ୍ୱିଆରେ ଗତ କିଛି ମାସ ଧରି ଶିଶୁ ମୃତ୍ୟୁ ହୋଇ ଆସୁଥିଲା । ଅଗଷ୍ଟ ୨୦୨୨ରେ ଏହାକୁ ଏକ ‘ଅଜଣା ରୋଗ’ ବୋଲି କୁହାଗଲା । ତେବେ ପରେ ଗାମ୍ୱିଆର ମେଡିକାଲ କଣ୍ଟ୍ରୋଲ ଏଜେନ୍ସି (ଏମସିଏ) ଏହାକୁ ପାରାସିଟାମଲ ସିରପ ଜନିତ କହିବା ପରେ ‘ହୁ’ ତରଫରୁ ଏହି କଫ ସିରପଗୁଡିକ ସଂକ୍ରାନ୍ତରେ ‘ଚିକିତ୍ସା ସତର୍କତା’ ଜାରି ହୋଇ ସେହି ସନ୍ଦେହର ପୁଷ୍ଟି ହେଲା । ଏହାପରେ ଗାମ୍ୱିଆରେ ପ୍ରତି ଘରୁ ଏହି ଔଷଧଗୁଡିକ ପ୍ରତ୍ୟାହାର କରି ନିଆଗଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଔଷଧଗୁଡିକ ଗାମ୍ୱିଆକୁ ସରକାରୀ ଟେଣ୍ଡର ମାଧ୍ୟମରେ କିଣା ହୋଇ ଆସି ନ ଥିଲା । ଘରୋଇ ଭାବେ ଆମଦାନୀ ହୋଇ ଗାମ୍ୱିଆକୁ ଗୋପନରେ ପ୍ରବେଶ କରିଥିବା ଏହି ଔଷଧଗୁଡିକ ଛୋଟ ଛୋଟ ସହରରେ ଘରୋଇ କ୍ଲିନିକ, ଡାକ୍ତରଖାନା ଓ ଔଷଧ ଦୋକାନରେ ବିକ୍ରି ହେଉଥିଲା । ଗାମ୍ୱିଆର ଆମଦାନୀକାରୀଙ୍କ ନିକଟରେ ଏମସିଏ ପ୍ରଦତ୍ତ ଔଷଧର ତାଲିକା ଥିବାରୁ ତା’ ବାହାରେ ଭାରତରୁ ଔଷଧ ଆସି ସେଠାରେ ବିକ୍ରି ହେବାକୁ ଉଭୟ ଭାରତ ଓ ଗାମ୍ୱିଆର ନିୟନ୍ତ୍ରଣ ବ୍ୟବସ୍ଥାର ଗୁରୁତର ତ୍ରୁଟି ରୂପେ ଚିତ୍ରିତ କରାଯାଉଛି ।     

ବଜାରରେ ‘ପ୍ରଦୂଷିତ’ ଓ ‘ନିମ୍ନମାନ’ର ଔଷଧର ଉପସ୍ଥିତି ସମ୍ପର୍କରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ତଥା ଜନସାଧାରଣଙ୍କୁ ସତର୍କ କରାଇ ଦେବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ନିୟମିତ ଭାବେ ‘ଚିକିତ୍ସା ଉତ୍ପାଦ ସତର୍କତା’ (ମେଡିକାଲ ପ୍ରଡକ୍ଟ ଆଲର୍ଟ)ମାନ ଜାରି କରାଯାଇଥାଏ । ଫଳରେ ବିଭିନ୍ନ ଦେଶ ସତର୍କତା ଅବଲମ୍ୱନ କରିବା ସହ ଉପଯୁକ୍ତ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଆନ୍ତି । ‘ହୁ’ ଦ୍ୱାରା ଜାରି ହୋଇଥିବା ସଦ୍ୟତମ ଆଲର୍ଟକୁ ମିଶାଇ ୨୦୨୨ରେ ଏ ପର୍ୟ୍ୟନ୍ତ ୫ଟି ଆଲର୍ଟ ଜାରି ହୋଇସାରିଲାଣି । ଏଥି ପୂର୍ବରୁ ୨୦୧୯, ୨୦୨୦, ୨୦୨୧ରେ ଯଥାକ୍ରମେ ୧୧, ୭ ଓ ୧୧ଟି ଆଲର୍ଟ ଜାରି ହୋଇଥିଲା । ଏଗୁଡିକ ମଧ୍ୟରୁ ଅଧିକାଂଶ ନକଲି ଔଷଧ ବା ଆଦୌ ଔଷଧ ପର୍ୟ୍ୟାୟବାଚୀ ନୁହନ୍ତି (ଫଲସିଫାଏଡ ମେଡିକାଲ ପ୍ରଡକ୍ଟସ) । ସେହି ତାଲିକାରେ ଭାରତର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧର ନାମ ସ୍ଥାନ ପାଇବା ବାସ୍ତବିକ ଦେଶ ପାଇଁ ଲଜ୍ଜାଜନକ ।     

୧୯୯୦ରେ ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ ମେଡେନ ଫାର୍ମାସିଉଟିକାଲସ୍ ଲିମିଟେ଼ଡର ହରିଆଣାର ସୋନିପତ ଜିଲ୍ଲାର କୁଣ୍ଡଲିଠାରେ ଔଷଧ ଉତ୍ପାଦନ ପାଇଁ କାରଖାନା ରହିଛି । ସେଠାରେ କ୍ୟାପସୁଲ, ଟ୍ୟାବଲେଟ, ମଲମ, ସିରପ, ଇଞ୍ଜେକସନ ଆଦି ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତ ହୋଇଥାଏ । ଔଷଧ ଉତ୍ପାଦନର ପ୍ରତିଟି ପର୍ୟ୍ୟାୟରେ କମ୍ପାନୀ ଅନ୍ତର୍ଜାତୀୟ ସ୍ତରର ଗୁଣବତ୍ତା ଓ ଜିଏମପି ମାନର ଅନୁପାଳନ କରିଥାଏ ବୋଲି ଦାବି କରେ । ଫଳରେ ଏହା ୨୦୧୫ରୁ ‘ହୁ-ଜିଏମପି ଓ ଆଇଏସଓ ୯୦୦୧-୨୦୦୦’ ମାନ୍ୟତା ପାଇଛି । ଏହା ସତ୍ତ୍ୱେ କମ୍ପାନୀ ଦ୍ୱାରା ଗାମ୍ୱିଆକୁ ରପ୍ତାନୀ ହୋଇଥିବା ପ୍ରୋମିଥାଜିନ ଓରାଲ ସଲ୍ୟୁସନ, କୋଫେକ୍ସମାଲିନ ବେବି କଫ ସିରପ, ମାକଅଫ ବେବି କଫ ସିରପ ଓ ମେଗ୍ରିପ ଏନ କୋଲ୍ଡ ସିରପ ଭଳି ୪ଟି ଥଣ୍ଡା ଓ କଫ ସିରପରେ ଅଗ୍ରହଣୀୟ ମାତ୍ରାରେ ‘ଡାଇଏଥିଲିନ ଗ୍ଲାଇକଲ’ ଓ ‘ଏଥିଲିନ ଗ୍ଲାଇକଲ’ ମିଶିଥିବା ଜଣାପଡିଛି । ଉଭୟ ଡାଇଏଥିଲିନ ଗ୍ଲାଇକଲ (ଡିଇଜି) ଓ ଏଥିଲିନ ଗ୍ଲାଇକଲ (ଇଜି) ମଣିଷ ଶରୀରରେ ବିଷକ୍ରିୟା କରିଥାଏ ଓ ଏହା ପ୍ରାଣାନ୍ତକ ହୋଇପାରେ । ବ୍ରେକ ତେଲ, ପ୍ରସାଧନ ସାମଗ୍ରୀ ତଥା ଲୁବ୍ରିକାଣ୍ଟ ତିଆରିରେ ଏହି ରାସାୟନିକ ପଦାର୍ଥ ଦ୍ୱୟର ବ୍ୟବହାର ହେଉଥିବାରୁ ତାହା ଖାଇବାଯୋଗ୍ୟ ନୁହେଁ । ଏଗୁଡିକ ବୃକକ୍ ଓ ସ୍ନାୟୁ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଆନ୍ତି । ଏହା ପାଣିରେ ମିଳେଇ ଯାଉଥିବାରୁ ଓ ଏହାର ସ୍ୱାଦ ମିଠା ହୋଇଥିବାରୁ ସ୍ଥଳ ବିଶେଷରେ କଫ ସିରପର ଅସାଧୁ ପ୍ରସ୍ତୁତକର୍ତ୍ତାମାନେ ଅଧିକ ଲାଭ ଉଦ୍ଦେଶ୍ୟରେ ଏହି ନିଷିଦ୍ଧ ରାସାୟନିକ ପଦାର୍ଥର ପ୍ରୟୋଗ କରିବାକୁ କୁଣ୍ଠା ପ୍ରକାଶ କରି ନ ଥାଆନ୍ତି । ଅନୁସନ୍ଧାନରୁ କଫ ସିରପରେ ଡିଇଜି ଓ ଇଜି ମିଶିଥିବାର ପ୍ରମାଣ ମିଳିଲେ ଏହି କଞ୍ଚାମାଲ କେଉଁଠାରୁ ଅଣାଯାଉଥିଲା, ତା’ର ମୂଳ ପର୍ୟ୍ୟନ୍ତ ଯିବାକୁ ହେବ । ନିମ୍ନମାନର ଔଷଧ ପ୍ରସ୍ତୁତି କରିବାରେ ଏହି କମ୍ପାନୀର ଆଗରୁ ମଧ୍ୟ ବଦନାମ ରହିଛି । ଅତୀତରେ କେରଳ ଓ ଗୁଜରାଟ ସରକାର ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କିଛି ଔଷଧକୁ ନିମ୍ନମାନର ଦର୍ଶାଇ ନିଷିଦ୍ଧ କରିଥିଲେ ବୋଲି ଜଣାପଡୁଛି । ଏପରିକି ୨୦୧୧ରେ କମ୍ପାନୀ ଦ୍ୱାରା ଭିଏତନାମକୁ ପଠାଯାଇଥିବା କିଛି ଔଷଧ ମଧ୍ୟ ସେଠାରେ ନିଷିଦ୍ଧ ଘୋଷିତ ହୋଇଥିଲା । ଏ ଭଳି ଅଭ୍ୟାସଗତ ନିମ୍ନମାନର ଔଷଧ ପ୍ରସ୍ତୁତକାରୀଙ୍କ ଔଷଧ ବିଦେଶକୁ ରପ୍ତାନୀ କରାଯିବା ପୂର୍ବରୁ ସେଗୁଡିକର ଗୁଣବତ୍ତା ଉପରେ ସରକାର ଅଧିକ ଧ୍ୟାନ ଦେବା ଉଚିତ ନୁହେଁ କି  ?

ସମଗ୍ର ଭାରତରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ନୂଆ ଔଷଧ ପାଇଁ ଅନୁମତି ପ୍ରଦାନ କରିଥାଆନ୍ତି । ଔଷଧର ଉତ୍ପାଦନ ଓ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ ସମ୍ପୃକ୍ତ ଋାଜ୍ୟର ଔଷଧ ନିୟନ୍ତ୍ରକ (ଷ୍ଟେଟ ଡ୍ରଗ କଣ୍ଟ୍ରୋଲର)ଙ୍କ ଦ୍ୱାରା ହୋଇଥାଏ । ଦେଶରେ ପ୍ରାୟ ୩୦୦୦ ଔଷଧ ଉତ୍ପାଦନକାରୀ ସେମାନଙ୍କ ପ୍ରାୟ ୧୦୫୦୦ କାରଖାନାରେ ଔଷଧ ଉତ୍ପାଦନ କରିଥାଆନ୍ତି । ଏମାନଙ୍କ ମଧ୍ୟରୁ ବେଶ କିଛି ସଂଖ୍ୟକ କମ୍ପାନୀ ଆମେରିକାକୁ ଔଷଧ ରପ୍ତାନୀ କରୁଥିବାରୁ ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରସନ (ଏଫଡିଏ) ଦ୍ୱାରା ନିର୍ଦ୍ଧାରିତ ‘ଗୁଡ ମାନୁଫେକ୍ଚରିଂ ପ୍ରାକ୍ଟିସ’ (ଜିଏମପି)କୁ ଅନୁସରଣ କରି ଔଷଧ ଉତ୍ପାଦନ କରିଆସୁଛନ୍ତି । ଉପରୋକ୍ତ ୪ଟି କଫ ସିରପର ଉତ୍ପାଦନ ହରିଆଣାରେ ହେଉଥିବାରୁ ସେଥିପାଇଁ ହରିଆଣା ରାଜ୍ୟ ସରକାରଙ୍କ ଡ୍ରଗ କଣ୍ଟ୍ରୋଲରଙ୍କ ଦ୍ୱାରା ସମ୍ପୃକ୍ତ କମ୍ପାନୀକୁ ଉତ୍ପାଦନ ଓ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ବିଦେଶକୁ ଔଷଧ ରପ୍ତାନୀ ପାଇଁ କେନ୍ଦ୍ରୀୟ ନିୟାମକ ସଂସ୍ଥା ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଲାଇସେନ୍ସ ପ୍ରଦାନ କରିଥାଆନ୍ତି । ମେଡେନ ଫାର୍ମାସିଉଟିକାଲସ ଦ୍ୱାରା ପ୍ରସ୍ତୁତ ଔଷଧଗୁଡିକ କେବଳ ଗୋଟିଏ ଦେଶ ଗାମ୍ୱିଆକୁ ରପ୍ତାନୀ ପାଇଁ ଲାଇସେନ୍ସ ଦିଆଯାଇଥିଲା । କମ୍ପାନୀ ଏହି ଔଷଧଗୁଡିକୁ କେବଳ ଗାମ୍ୱିଆକୁ ରପ୍ତାନୀ କରିଛି ବୋଲି ତଥ୍ୟ ପ୍ରଦାନ କରିଛି । ତେବେ ଗାମ୍ୱିଆକୁ ଲାଗି ରହିଥିବା ପଶ୍ଚିମ ଆଫ୍ରିକାର ଅନ୍ୟ କେତେକ ଦେଶ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇ ନଥିବାରୁ ଏବଂ ସେହି ଦେଶଗୁଡିକ ମଧ୍ୟରେ ସୀମା ଛିଦ୍ରବହୁଳ ହୋଇଥିବାରୁ ଆଧିକାରିକ ଭାବେ ସେହି ଦେଶଗୁଡିକୁ ଏହି ଔଷଧ ରପ୍ତାନୀ ହୋଇ ନଥିଲେ ବି ଅନୌପଚାରିକ ଭାବେ ସେହି ସବୁ ଦେଶରେ ଏହି ଔଷଧ ପହଞ୍ଚିଯାଇଥିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ । ଆଇନ ଆନୁଯାୟୀ କୌଣସି ଦେଶରେ ଅନ୍ୟ ଦେଶରୁ ଔଷଧ ଆସି ପହଞ୍ଚିଲେ ତାହା ଲୋକଙ୍କ ବ୍ୟବହାର ପାଇଁ ବଜାରକୁ ଛଡାଯିବା ପୂର୍ବରୁ ଆମଦାନୀକାରୀ ଦେଶ ପ୍ରଥମେ  ସେଗୁଡିକର ପରୀକ୍ଷା କରିବା କଥା, ଯାହା ଗାମ୍ୱିଆ ତରଫରୁ କରାଯାଇ ନାହିଁ ବୋଲି ସୂଚନା ମିଳୁଛି । ସେହି ଦେଶ ଏତେ ଗରିବ ଯେ ତା’ ନିକଟରେ ଔଷଧ ପରୀକ୍ଷା କରିବାର ସୁବିଧା ମଧ୍ୟ ଉପଲବ୍ଧ ନାହିଁ । ତେବେ ଉପରୋକ୍ତ ଔଷଧଗୁଡିକ ଗୋପନରେ ଘରୋଇ ଭାବେ ଆମଦାନୀ କରାଯାଇଥିବାରୁ ପରୀକ୍ଷା ସୁବିଧା ଥିଲେ ମଧ୍ୟ ସେଗୁଡିକର ପରୀକ୍ଷା ସମ୍ଭବ ହୋଇ ନ ଥାଆନ୍ତା । ତେଣୁ ଭାରତରୁ ଏ ଭଳି ଗରିବ ଦେଶଗୁଡିକୁ ଔଷଧ ରପ୍ତାନୀ ବେଳେ କମ୍ପାନୀଗୁଡିକ ଅଧିକ ସତର୍କତା ଅବଲମ୍ୱନ କରିବାକୁ ନିଜ ଅତିରିକ୍ତ ଦାୟିତ୍ୱ ରୂପେ ଗ୍ରହଣ କରି ପଦକ୍ଷେପ ନେବା ଉଚିତ । ପରିତାପର ବିଷୟ ଯେ ଆମେରିକା ଓ ଅନ୍ୟ ବିକଶିତ ଦେଶଗୁଡିକୁ ଔଷଧ ରପ୍ତାନୀ ବେଳେ ପ୍ରତ୍ୟାହାର (ରିକଲ୍), ବାଜ୍ୟାପ୍ତି (ସିଜର), ଜୋରିମାନା (ଫାଇନ), ଜେଲଦଣ୍ଡ ଭଳି କଠୋର କାର୍ୟ୍ୟାନୁଷ୍ଠାନର ଭୟରେ କମ୍ପାନୀଗୁଡିକ ଯେଉଁ ସତର୍କତା ଅବଲମ୍ୱନ କରିଥାଆନ୍ତି ଅପେକ୍ଷାକୃତ ଗରିବ ଦେଶଗୁଡିକୁ ରପ୍ତାନୀ ବେଳେ ତାହା ପରିଲକ୍ଷିତ ହୋଇ ନ ଥାଏ । ଗତ କିଛି ବର୍ଷ ଧରି ଅନେକ ବଡ ବଡ ଭାରତୀୟ ଔଷଧ ନିର୍ମାତାଙ୍କ ଔଷଧ ଆମେରିକାରୁ ପ୍ରତ୍ୟାହୃତ ହୋଇଥିବାର ନାନା ଉଦାହରଣ ରହିଛି ।

ଏବେ ମନରେ ଆଉ ଗୋଟିଏ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । ଭାରତରେ ଉପରୋକ୍ତ ୪ଟି ଔଷଧର ବିକ୍ରି ପାଇଁ ଅନୁମତି ଦିଆଯାଇ ନ ଥିଲେ ବି ଅସାଧୁ ଉପାୟରେ ସେଗୁଡିକ ଭାରତ ଭିତରେ ବିକ୍ରି କରାଯାଇଛି କି ? ଏଗୁଡିକ ଭାରତରେ ବିକ୍ରି ହୋଇନାହିଁ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟୀକରଣ ଦିଆ ଯାଇଥିଲେ ବି ବିଭିନ୍ନ ରାଜ୍ୟର ଡ୍ରଗସ କଣ୍ଟ୍ରୋଲରମାନେ ସେଥିପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତରେ ପ୍ରାୟ ୧.୩୦ଲକ୍ଷ କୋଟି ଟଙ୍କାର ଔଷଧର ଏକ ବଡ ବଜାର ରହିଥିବା ବେଳେ ତା’ ବାହାରେ ମଧ୍ୟ ବଜାରମାନଙ୍କରେ ବହୁଳ ପରିମାଣରେ ନକଲି ଔଷଧ ଉପଲବ୍ଧ । ଆଦିବାସୀ ଅଧ୍ୟୁଷିତ ଓ ଆଭ୍ୟନ୍ତରୀଣ ଅଞ୍ଚଳର ହାଟମାନଙ୍କରେ ଖୋଲାଖୋଲି ଭାବେ ନକଲି ଔଷଧ ବିକ୍ରି ହେବା ଏକ ସାଧାରଣ ଘଟଣା । ମଝିରେ ମଝିରେ ବିଭିନ୍ନ ସ୍ଥାନରେ ନକଲି ଔଷଧ ପ୍ରସ୍ତୁତକାରୀଙ୍କୁ ଠାବ କରି ଦଣ୍ଡିତ କରାଯାଉଛି ସତ । ହେଲେ ଔଷଧ ନିୟାମକ ଓ ଆଇନକୁ କାର୍ୟ୍ୟକାରୀ କରୁଥିବା ସଂସ୍ଥାଗୁଡିକର କୋହଳ ମନୋବୃତ୍ତି ପାଇଁ ନକଲି ଔଷଧର ପ୍ରସ୍ତୁତି ଓ ଉପଲବ୍ଧତା ଉପରେ ଅଙ୍କୁଶ ଲାଗିପାରୁନାହିଁ । ଏଭଳି ନକଲି ଔଷଧ ପାଇଁ ଜନସାଧାରଣ ଅଯଥାରେ ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ବିପନ୍ନ ହେବା ବାସ୍ତବିକ ନିନ୍ଦନୀୟ । ଅଧିକନ୍ତୁ ନକଲି ଔଷଧ ମାନବ ସମ୍ୱଳର ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ନିୟାମକମାନେ ଔଷଧର ଗୁଣବତ୍ତାକୁ ସୁନିଶ୍ଚିତ କରି ନିୟମର କଡାକଡି ଅନୁପାଳନକୁ ଗୁରୁତ୍ୱ ଦେବା ଆବଶ୍ୟକ ।      

ପରିମାଣ ଦୃଷ୍ଟିରୁ ସାରା ବିଶ୍ୱରେ ଭାରତ ତୃତୀୟ ସର୍ବବୃହତ୍ ଔଷଧ ଉତ୍ପାଦନକାରୀ ଦେଶ ଓ ସର୍ବବୃହତ୍ ଜେନେରିକ ଔଷଧ ରପ୍ତାନୀକାରୀ ଦେଶ ଅଟେ । ଆଫ୍ରିକା ମହାଦେଶର ସମଗ୍ର ଜେନେରିକ ଔଷଧ ଆବଶ୍ୟକତାର ପ୍ରାୟ ଅଧେ ଭାରତ ଦ୍ୱାରା ପୂରଣ ହୋଇଥାଏ । ଏପରିକି ଆମେରିକା, ବ୍ରିଟେନ ପରି ବିକଶିତ ଦେଶର ଜେନେରିକ ଔଷଧ ଆବଶ୍ୟକତାର ସିଂହଭାଗ ମଧ୍ୟ ଭାରତ ପୂରଣ କରିଥାଏ । ଭାରତରୁ ୨୦୨୦-୨୧ରେ ୨୨୪୦ କୋଟି ଡଲାର ମୂଲ୍ୟର ଔଷଧ ରପ୍ତାନୀ ହୋଇଥିଲା ବେଳେ ୨୦୨୧-୨୨ରେ ତାହା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇ ୨୪୬୦ କୋଟି ଡଲାରରେ ପହଞ୍ଚିଛି । ଦେଶରୁ ଏତେ ପରିମାଣର ଔଷଧ ବିଦେଶକୁ ରପ୍ତାନୀ ହେଉଥିଲେ ମଧ୍ୟ ରପ୍ତାନୀ ପୂର୍ବରୁ ସେଗୁଡିକର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ କୌଣସି କେନ୍ଦ୍ରୀୟ ସଂସ୍ଥା ବା ନିୟନ୍ତ୍ରକଙ୍କ ଉପରେ ବିଧିବଦ୍ଧ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇନାହିଁ । ବିଦେଶକୁ ରପ୍ତାନୀ ହେଉଥିବା ପଦାର୍ଥଗୁଡିକର କେବଳ ଉତ୍ପାଦନ ମାନ ଭାରତୀୟ ମାନୁଫେକଚରିଂ ଷ୍ଟାଣ୍ଡାର୍ଡ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ତଦନୁଯାୟୀ ‘ଗୁଡ ମାନୁଫେକଚରିଂ ପ୍ରାକ୍ଟିସ’ (ଜିଏମପି)ରେ ଯନ୍ତ୍ରପାତି, କର୍ମଚାରୀ, ସେମାନଙ୍କ ଦକ୍ଷତା ଓ ପ୍ରକ୍ରିୟାକୁ ବିବେଚନାକୁ ନିଆଯାଇଥାଏ । ଉତ୍ପାଦର ଗୁଣବତ୍ତାକୁ ନୁହେଁ ।  ଅନ୍ୟ ପକ୍ଷରେ ବିଦେଶରୁ ଭାରତକୁ ଆମଦାନୀ ହେଉଥିବା ଔଷଧ ବଜାରରେ ପ୍ରବେଶ କରିବା ପୂର୍ବରୁ ସେଗୁଡିକର ଗୁଣବତ୍ତା ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ଙ୍କ ଦ୍ୱାରା ଯାଞ୍ଚ ହୋଇଥାଏ ।

ଭାରତରେ ପ୍ରସ୍ତୁତ ଔଷଧଗୁଡିକ ଅପେକ୍ଷାକୃତ କମ ମୂଲ୍ୟର ଓ ଭରସାଯୋଗ୍ୟ ହୋଇଥିବାରୁ ଆଫ୍ରିକା ସମେତ ଅଧିକାଂଶ ଗରିବ ଦେଶରେ ଏହାର ଚାହିଦା ଯଥେଷ୍ଟ ଅଧିକ । ଭାରତରୁ ହେଉଥିବା ସମୁଦାୟ ଔଷଧ ରପ୍ତାନୀର ପ୍ରାୟ ୨୦ ପ୍ରତିଶତ କେବଳ ଆଫ୍ରିକାର ବିଭିନ୍ନ ଦେଶକୁ ଯାଉଥିବାରୁ ଆଫ୍ରିକା ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡିକଙ୍କ ପାଇଁ ଏକ ବଡ ସହଯୋଗୀ କହିଲେ ଅତ୍ୟୁକ୍ତି ହେବନାହିଁ । ଉପରୋକ୍ତ ଘଟଣା ସେହି ଭରସାକୁ ଆଘାତ ପହଞ୍ଚାଇବା ସହିତ ଆଫ୍ରିକ୍ରୀୟ ଦେଶଗୁଡିକର ନିୟନ୍ତ୍ରକମାନଙ୍କୁ ହତଚକିତ କରିବା ସ୍ୱାଭାବିକ । ଏହି ବିଶ୍ୱାସହାନି ଜନିତ କ୍ଷତିର ଭରଣା ଲାଗି ଭାରତ ସରକାରଙ୍କ ତରଫରୁ ତୁରନ୍ତ ସ୍ୱାସ୍ଥ୍ୟ ସହଯୋଗ ସମ୍ପର୍କିତ ଉଚିତ ପଦକ୍ଷେପମାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଗାମ୍ୱିଆର ୬୬ ଜଣ ନିରୀହ ଶିଶୁଙ୍କ ଅକାଳ ବିୟୋଗ ପାଇଁ ଦୁଃଖ ଓ ସମବେଦନା ପ୍ରକାଶ ପାଇବା ଆବଶ୍ୟକ ।

Published in Odisha Reporter on October 10, 2022

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍