ଭାରତରେ ମୋବାଇଲ ଫୋନର ବ୍ୟବହାର ବଢି ଚାଲିଛି । ମୋବାଇଲ ଡାଟା ଓ ଆନାଲିଟିକ ସଂସ୍ଥା ‘ଆପ ଆନି’ ତରଫରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ୨୦୨୧ରେ ଭାରତୀୟମାନେ ଦୈନିକ ହାରାହାରି ୪.୭ ଘଣ୍ଟା ମୋବାଇଲରେ ବିତାଇଛନ୍ତି । କୋଭିଡ ପୂର୍ବରୁ ୨୦୧୯ରେ ଏହା ଦୈନିକ ୩.୭ ଘଣ୍ଟା ଥିଲା । ସୁତରାଂ ଦୁଇ ବର୍ଷ ଭିତରେ ମୋବାଇଲ ବ୍ୟବହାର ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ପାଇଛି । ଭାରତୀୟମାନେ ମୋବାଇଲରେ ସମୁଦାୟ ୬୬,୫୦୦ କୋଟି ଘଣ୍ଟା ଅତିବାହିତ କରିଥିବାରୁ ବ୍ରାଜିଲ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ ଓ ମେକ୍ସିକୋ ପଛକୁ ସମଗ୍ର ବିଶ୍ୱରେ ଭାରତ ପଞ୍ଚମ ସର୍ବାଧିକ ମୋବାଇଲ ବ୍ୟବହାରକାରୀ ଦେଶ ରୂପେ ଉଭା ହୋଇଛି । ଉଲ୍ଲେଖଯୋଗ୍ୟ ଯେ ବିଶ୍ୱବାସୀ ଦୈନିକ ହାରାହାରି ୩.୨୫ ଘଣ୍ଟା ମୋବାଇଲ ବ୍ୟବହାର କରୁଥିବା ବେଳେ ଭାରତୀୟମାନେ ତା’ଠାରୁ ପ୍ରାୟ ଦେଢଗୁଣ ଅଧିକ ବ୍ୟବହାର କରୁଛନ୍ତି । ଭାରତୀୟମାନେ ଦିନର ଯେତିକି ସମୟ ଜାଗ୍ରତ ରହୁଛନ୍ତି ତା’ର ପ୍ରାୟ ଏକ-ତୃତୀୟାଂଶ ସମୟ ମୋବାଇଲରେ ବିତୁଛି । ସେହିପରି ଭାରତୀୟମାନେ ଦୈନିକ ହାରାହାରି ୩.୫ ଘଣ୍ଟା ଟିଭି ଦେଖାରେ ବିତାଉଛନ୍ତି ଏବଂ କମ୍ପ୍ୟୁଟର ଜାଣିଥିବା ଲୋକଙ୍କର କମ୍ପ୍ୟୁଟର ଆଗରେ ଯଥେଷ୍ଟ ସମୟ ଅତିବାହିତ ହେଉଛି । ଫଳରେ ପରିବାର ଓ ପରିଜନଙ୍କ ସହ ଦୁଇ ପଦ କଥା ହେବା ପାଇଁ ବା ହସଖୁସିରେ ସମୟ ବିତାଇବା ପାଇଁ ଲୋକଙ୍କ ପାଖରେ ଆଉ ବଳକା ସମୟ ରହୁନାହିଁ । ଇଲେକ୍ଟ୍ରୋନିକ ଉପକରଣର ବ୍ୟବହାର ଯେତିକି ବଢୁଛି ସମାଜରେ ଡିଜିଟାଲ ବିଷ ସେତିକି ସଞ୍ଚରିତ ହୋଇ ବ୍ୟବହାରକାରୀଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବିପନ୍ନ ହେଉଛି । ତାହା ପାରସ୍ପରିକ ସମ୍ପର୍କକୁ ଦୁର୍ବଳ କରି ସାମାଜିକ ଜୀବନକୁ ଆକ୍ରାନ୍ତ କରୁଛି । କିନ୍ତୁ ଏହାର ଆସକ୍ତି ଏତେ ତୀବ୍ର ହୋଇଛି ଯେ ଡିଜିଟାଲ ବିଷର ବଳୟରୁ ମୁକ୍ତି ପାଇବା ଏକ ବଡ ଆହ୍ୱାନ ସୃଷ୍ଟି କଲାଣି ।
ଡିଜିଟାଲ ବିଷମୁକ୍ତି (ଡିଜିଟାଲ ଡିଟକ୍ସ)ର ଅର୍ଥ ହେଉଛି କିଛି ସମୟ ଲାଗି ହେଲେ ଇଲେକ୍ଟ୍ରୋନିକ ଉପକରଣ ବା ନିର୍ଦ୍ଦିଷ୍ଟ ମିଡିଆଠାରୁ ନିଜକୁ ଦୂରେଇ ରଖିବା । ଏହାର ଅର୍ଥ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଯେମିତି କିଛି ଲୋକ ସେହି ସମୟରେ ଇ-ମେଲ କି ହ୍ୱାଟସଆପ୍ ଦେଖି ନ ଥାଆନ୍ତି ତ ଆଉ କିଛି ଲୋକ ଭିଡିଓ ଗେମ ଖେଳି ନ ଥାଆନ୍ତି । ସେମିତି କେହି କେହି ସାମାଜିକ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖନ୍ତି, ମ୍ୟାସେଜ ପଠାନ୍ତି ନାହିଁ, ସ୍ମାର୍ଟ ଫୋନ ବ୍ୟବହାର କରନ୍ତି ନାହିଁ, ସମ୍ୱାଦ ବା ଅନ୍ୟ ଟିଭି କାର୍ଯ୍ୟକ୍ରମ ଦେଖନ୍ତି ନାହିଁ । ସାମାଜିକ ଗଣମାଧ୍ୟମରୁ ଅବ୍ୟାହତି ନେବା ଡିଜିଟାଲ ବିଷମୁକ୍ତି ପ୍ରକ୍ରିୟାର ଏକ ସର୍ବାଦୃତ ଉପାୟ । ସାମାଜିକ ଗଣମାଧ୍ୟମ ଦ୍ୱାରା ଲୋକମାନେ ପରସ୍ପର ସହିତ ସମ୍ପର୍କିତ ହୋଇ ସେଥିରୁ ଅନେକ ଲାଭ ପାଇଥାଆନ୍ତି ସତ, କିନ୍ତୁ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା କୌଣସି ବିଷୟ ଦେଖି ଜଣେ ଉତ୍ତେଜିତ ବା ମର୍ମାହତ ବା ଉଦବିଗ୍ନ ହୋଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା, ସୂଚନା, ଅନୁଭୂତିରୁ ବଞ୍ଚିତ ହେଉଛି ବୋଲି ମନେ କରିପାରନ୍ତି (ଫୋମୋ – ଫିଅର ଅଫ ମିସିଙ୍ଗ ଆଉଟ), ସାମାଜିକ ତୁଳନାର ଶିକାର ହୋଇପାରନ୍ତି । ଏହା ନିଃସଙ୍ଗତା ବୋଧ ସୃଷ୍ଟି କରିପାରେ, ଅବସାଦ ଉଦ୍ରେକ କରିପାରେ । ସାମାଜିକ ଗଣମାଧ୍ୟମରେ ଏ ସମସ୍ତ ନକାରାତ୍ମକ ଅନୁଭବରେ ଜଣକର ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିପାରେ । କାର୍ୟ୍ୟ କ୍ଷେତ୍ରରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରୁଥିବା ଲୋକ ଉତ୍ପାଦନ ହ୍ରାସର କାରଣ ହୁଅନ୍ତି । ଏଣୁ ଡିଜିଟାଲ ବିଷ-ମୁକ୍ତି ଲାଗି ପ୍ରୟାସ ଦ୍ୱାରା ଜଣେ ଅବସାଦମୁକ୍ତ ହେବା ସହ ନିଜ କାମରେ ମନ ଲଗାଇ ପାରିବେ ଏବଂ ପରିବାର ଓ ବନ୍ଧୁ ପରିଜନଙ୍କ ସହ ସମ୍ପର୍କକୁ ନିବିଡ କରିପାରିବ ଓ କର୍ମ କ୍ଷେତ୍ରରେ ସଫଳ ହୋଇପାରିବେ ।
ଇଲେକ୍ଟ୍ରୋନିକ ଉପକରଣଠାରୁ କେତେବେଳେ ଦୂରେଇ ରହିବା ଉଚିତ ତା’ର ଇଙ୍ଗିତ ମଧ୍ୟ କେତେକ ମାନସିକ ଓ ଶାରୀରିକ ଅବସ୍ଥାରୁ ମିଳିଥାଏ । ଯେମିତି ଅବସାଦଗ୍ରସ୍ତ ହେବା, ଚିଡଚିଡ ହେବା, ରାଗିବା ବା ହତାଶା ଭାବ ଦେଖାଦେବା, ନିଜକୁ ଅସୁରକ୍ଷିତ ବୋଲି ମନେ କରିବା, ନିଦ୍ରାହୀନତାର ଶିକାର ହେବା, ଅନେକ ସମୟ ଅନଲାଇନରେ ବିତାଇ ଘରୋଇ ଦାୟିତ୍ୱ ଓ କାର୍ଯ୍ୟରେ ଅବହେଳା କରିବା, ଅନ୍ୟମାନଙ୍କ ସହ ମିଳାମିଶା କରିବାର ଆଗ୍ରହ ହରାଇବା ଆଦି । ସେ କ୍ଷେତ୍ରରେ ଡିଜିଟାଲ ବିଷ-ମୁକ୍ତି ଜରୁରୀ ହୋଇପଡୁଥିବାରୁ ମୋବାଇଲ, କମ୍ପ୍ୟୁଟର ଆଦିଠାରୁ ନିଜକୁ ତୁରନ୍ତ ଦୂରେଇ ରଖିବା ଆବଶ୍ୟକ । ଏଭଳି ସ୍ଥଳେ ଏହି ନିଷ୍ପତ୍ତି ସମ୍ପର୍କରେ ପରିବାର ଓ ବନ୍ଧୁବର୍ଗଙ୍କୁ ସୂଚନା ପ୍ରଦାନ କରିବା ସହ ସେମାନଙ୍କ ସହଯୋଗ ଲୋଡିବା ଆବଶ୍ୟକ । ଏହି ସମୟରେ ଫୋନ ଓ କମ୍ପ୍ୟୁଟରକୁ ବନ୍ଦ ବା ମୂକାବସ୍ଥାରେ ରଖାଯାଉଥିବାରୁ ବାହାର ଦୁନିଆରୁ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି । କିନ୍ତୁ ଏହି ଉତ୍କଣ୍ଠାକୁ ଧୈର୍ଯ୍ୟ ସହକାରେ ମୁକାବିଲା କରିବାକୁ ହେବ । ଧୀରେ ଧୀରେ ଆତ୍ମବିଶ୍ୱାସ ବଢିବା ସହ ଟେକନୋଲୋଜି ଦ୍ୱାରା ଜୀବନ କେତେ ଦୂର ନିୟନ୍ତ୍ରିତ ହେବା ଉଚିତ, ତାହା ବୁଝି ହେବ । ଡିଜିଟାଲ ବିଷ-ମୁକ୍ତିର ଅର୍ଥ ଜୀବନ ସହିତ ଟେକନୋଲୋଜିର ଏକ ସୁସମନ୍ୱୟ ।
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ମୋହିତ୍ୟାଞ୍ଚେ ବଡଗାଓଁ ନାମକ ଗାଁରେ ଡିଜିଟାଲ ବିଷ-ମୁକ୍ତି ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । କରୋନା ସମୟରେ ପିଲାମାନେ ଅନଲାଇନ ମାଧ୍ୟମରେ ଶିକ୍ଷା ଲାଭ କରୁଥିବାରୁ ମୋବାଇଲ ଫୋନ ପିଲାମାନଙ୍କ ଦିନଚର୍ଯ୍ୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲା । କରୋନା କଟକଣା କୋହଳ ହୋଇ ସ୍କୁଲ ଖୋଲିବା ପରେ ଦେଖାଗଲା ଯେ ପିଲାମାନେ ଅଳସୁଆ ହୋଇଯାଇଛନ୍ତି । ପଢିବା ବା ଲେଖିବା ପ୍ରତି ସେମାନଙ୍କ ଆଗ୍ରହ ସତେ ଯେମିତି ମରିଯାଇଛି । ସ୍କୁଲ ପରେ ଖେଳାଖେଳି ମଧ୍ୟ କରୁନାହାନ୍ତି । କାରଣ ସେମାନଙ୍କ ଅଧିକାଂଶ ସମୟ ମୋବାଇଲରେ ବିତୁଛି । ସଞ୍ଜ ହେଲେ ଗାଁର ବୟସ୍କମାନେ ଟିଭି ସାମନାରେ ସମୟ କଟାଉଛନ୍ତି । ଗାଁ ଲୋକମାନଙ୍କ ମଧ୍ୟରେ ମିଳାମିଶା ଯଥେଷ୍ଟ ହ୍ରାସ ପାଇଛି । ପ୍ରତ୍ୟେକ ଘରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପଢାଘର ନ ଥିବାରୁ ଘରେ ଟିଭି ବାଜିଲେ ସେମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ସବୁକୁ ଲକ୍ଷ୍ୟ କରି ସେହି ଗାଁର ସରପଞ୍ଚ ବିଜୟ ମୋହିତେ ଏହାର ପ୍ରତିକାର ପାଇଁ ଗାଁର ଅନ୍ୟ ମୁରବୀଙ୍କ ସହ ଆଲୋଚନା କରି ଏକ ନିଷ୍ପତ୍ତି ନେଲେ, ଯାହା ଫଳରେ ଗାଁରେ ଲୋକମାନେ ସଂଧ୍ୟାବେଳେ ସେମାନଙ୍କ ମୋବାଇଲ, ଟିଭି, କମ୍ପ୍ୟୁଟର ଆଦି ଇଲେକ୍ଟ୍ରୋନିକ ଉପକରଣକୁ ଦେଢ ଘଣ୍ଟା ଲାଗି ବନ୍ଦ ରଖିଲେ । ଆଶା ଦିଦି, ଅଙ୍ଗନବାଡି ଦିଦି, ଅବସରପ୍ରାପ୍ତ ଶିକ୍ଷକ, ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ସହାୟତା ନେଇ ଲୋକମାନଙ୍କୁ ଏହାର ଲାଭ ସମ୍ପର୍କରେ ବୁଝାଗଲା । ନିଷ୍ପତ୍ତିର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ୱାର୍ଡ କମିଟିମାନ ଗଠନ କରାଗଲା । ସଂଧ୍ୟା ସାତଟା ବେଳେ ସାଇରନ ବାଜିଲେ ଉପକରଣଗୁଡିକୁ ବନ୍ଦ କରାଯାଉଛି ଓ ସାଢେ ଆଠଟା ବେଳେ ପୁଣି ଥରେ ସାଇରନ ବାଜିଲେ ସେହି ଉପକରଣଗୁଡିକୁ ବ୍ୟବହାର କରିବାର ଅନୁମତି ମିଳୁଛି । ଫଳରେ ସେହି ସମୟ ତକ ପିଲାମାନେ ପାଠପଢାରେ ଧ୍ୟାନ କେନ୍ଦ୍ରିତ କରିପାରୁଛନ୍ତି ଏବଂ ବୟସ୍କମାନେ ପରସ୍ପର ସହିତ ମିଳାମିଶା କରି ଗାଁରେ ସାମାଜିକ ଗତିବିଧି ଚଳଚଞ୍ଚଳ ହେଉଛି । ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ମୋହିତ୍ୟାଞ୍ଚେ ବଡଗାଓଁକୁ ଦୈନିକ ଅନ୍ତତଃ ଦେଢ ଘଣ୍ଟା ଲାଗି ଡିଜିଟାଲ ବିଷ-ମୁକ୍ତ କରାଯାଇପାରିଛି ଓ ଲୋକମାନେ ଏହାର ଉପକାର ବୁଝି ପାରୁଛନ୍ତି ।
ସେମିତି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାର ବେଗମଗଞ୍ଜ ସହରରେ ସେପ୍ଟେମ୍ୱର ୨୦୨୨ରେ ଜୈନ ସମ୍ପ୍ରଦାୟର ପ୍ରାୟ ୧୦୦୦ ଲୋକ ‘ପର୍ଯ୍ୟୁଷଣ ପର୍ବ’ ପାଳନ ଅବସରରେ ୨୪ ଘଣ୍ଟା ଲାଗି ‘ଡିଜିଟାଲ ଉପବାସ’ ପାଳନ କରିଛନ୍ତି । ‘ପର୍ଯ୍ୟୁଷଣ ପର୍ବ’ ଜୈନମାନଙ୍କର ଏକ ପ୍ରସିଦ୍ଧ ପର୍ବ ଯାହା ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ୱରରେ ଆଠ ଦିନ ଲାଗି ପାଳନ କରାଯାଇଥାଏ । ଆତ୍ମଶୁଦ୍ଧି, ଆତ୍ମାବଲୋକନ ତଥା ଆଧ୍ୟାତ୍ମିକ ବିକାଶ ଏହି ପର୍ବ ପାଳନର ମୂଳ ଲକ୍ଷ୍ୟ, ଯାହା ଉପବାସ, ପୂଜା ଇତ୍ୟାଦି ମାଧ୍ୟମରେ କରାଯାଇଥାଏ । ଏହି ପର୍ବ ପାଳନ ସମୟରେ ଭକ୍ତଙ୍କୁ ତାଙ୍କର କୌଣସି ପ୍ରିୟ ବସ୍ତୁ ତ୍ୟାଗ କରିବାକୁ ହୋଇଥାଏ । ସେହି କ୍ରମରେ କମିଟି ତରଫରୁ ୨୪ ଘଣ୍ଟା ପାଇଁ ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଇଣ୍ଟରନେଟଠାରୁ ଦୂରେଇ ରହିବାକୁ ଆହ୍ୱାନ ଦିଆଯାଇଥିଲା । ଫଳରେ ଲୋକେ ଜୈନ ମନ୍ଦିରରେ ସେମାନଙ୍କ ମୋବାଇଲଗୁଡିକୁ ଜମା କରି ଡିଜିଟାଲ ଉପବାସ କରିଥିଲେ ।
ରୋମାଞ୍ଚ ସୃଷ୍ଟିକାରୀ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରଥମେ ଆମକୁ ଚମତ୍କୃତ କରି ତା’ ପ୍ରତି ଆକୃଷ୍ଟ କରିଥାଏ । ଧୀରେ ଧୀରେ ସେ ଆମ ବଳକା ସମୟ ଉପରେ କବଜା କରି ବସେ ଓ ଶେଷରେ ଏପରି ମୋହଗ୍ରସ୍ତ କରିପକାଏ ଯେ ତାକୁ ଛାଡି ରହିବା ଅସମ୍ଭବ ହୋଇଉଠେ । ଫଳରେ ଆମେ ତା’ ନିକଟରେ ଏକ ପ୍ରକାର ବନ୍ଧା ପଡିଯାଉ । ତେଣୁ କିଛି ସମୟ ଲାଗି ଏହାର ଦାସତ୍ୱରୁ ମୁକ୍ତ ରହିବାର ଇଚ୍ଛା ଆମ ମନ ଭିତରୁ ସ୍ୱତଃପ୍ରବୃତ୍ତ ଭାବେ ଆସିବା ସର୍ବୋତ୍କୃଷ୍ଟ । ନ ହେଲେ ଏହି ବିଷ ବଳୟରୁ ମୁକ୍ତି ପାଇବା ଲାଗି ଉଭୟ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ କେତେକ କଟକଣାର ଆବଶ୍ୟକତା ରହିଛି । ଯେମିତି କାର୍ଯ୍ୟ କ୍ଷେତ୍ରରେ ମୋବାଇଲ ଫୋନର ମନ ଇଚ୍ଛା ବ୍ୟବହାର ଉପରେ କଟକଣା ବା ଶ୍ରେଣୀ ଗୃହରେ ମୋବାଇଲକୁ ବନ୍ଦ କରି ରଖିବାର ନିୟମ । ପୂଜା ଓ ପୂଜାସ୍ଥଳମାନଙ୍କରେ ମୋବାଇଲର ପ୍ରବେଶକୁ ନିଷେଧ କରାଯିବା କଥା ଚିନ୍ତା କରାଯାଇପାରେ । ଛୋଟ ବଡ ସବୁ ମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ଜୋତା ବାହାରେ ରଖିଲା ଭଳି ମୋବାଇଲକୁ ମନ୍ଦିର କର୍ତ୍ତୃପକ୍ଷଙ୍କ ନିକଟରେ ଜମା ଦେବାର ପ୍ରଥା ପ୍ରଚଳନ ହେବା ଆବଶ୍ୟକ । ସତ କହିବାକୁ ଗଲେ ମୋହିତ୍ୟାଞ୍ଚେ ବଡଗାଓଁ ଓ ବେଗମଗଞ୍ଜ ପରି ଜନ ସହଭାଗିତାରେ ହୋଇ ପାରିଥିବା ଡିଜିଟାଲ ବିଷ-ମୁକ୍ତି ଅଭିଯାନ ଭଳି ନୂଆ ନୂଆ ଅଭିଯାନମାନ ବିଭିନ୍ନ ଅଞ୍ଚଳରେ କରାଯିବାର ଆବଶ୍ୟକତା ରହିଛି । ପ୍ରତି ପରିବାର ମଧ୍ୟ ଏ ଦିଗରେ ଆଗ୍ରହ ଦେଖାଇ ଏକ ନିର୍ଦ୍ଦିଷ୍ଟ ସମୟରେ ‘ଡିଜିଟାଲ ବିରତି’ କଲେ ଭଲ । ଏକତ୍ର ବସି ଖାଇବା ବେଳେ ପରିବାରର ସଦସ୍ୟମାନେ ଖାଇବା ଟେବୁଲକୁ ମୋବାଇଲ ନ ଆଣିଲେ ପରସ୍ପର ମଧ୍ୟରେ ଗପସପ ହେବାର ସୁଯୋଗ ମିଳିବ । ଏହାଦ୍ୱାରା ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କ ଦୃଢତର ଓ ମଧୁରତର ହେବ । ଏ କଥା ସତ ଯେ ଡିଜିଟାଲ ଉପକରଣଗୁଡିକ ଉପରେ ଆମ ନିର୍ଭରଶୀଳତା ଯଥେଷ୍ଟ ବେଶି ହୋଇ ସାରିଥିବାରୁ ସେଗୁଡିକୁ ସମ୍ପୂର୍ଣ୍ଣ ପରିହାର କରିବା ସମ୍ଭବ ନୁହେଁ । କିନ୍ତୁ ସେହି ନିର୍ଭରଶୀଳତା ନୂଆ ପ୍ରକାର ଦାସତ୍ୱ ସୃଷ୍ଟି ନ କରୁ ଏବଂ ଜୀବନର ଗୁଣମାନରେ ଅବକ୍ଷୟ ନ ଘଟାଉ ।
Published in Sambad on October 18, 2022
Comments
Post a Comment