Skip to main content

ବାବାସାହେବଙ୍କ ‘ଭୀମ ପ୍ରତିଜ୍ଞା’

ଅକ୍ଟୋବର ୫, ୨୦୨୨ରେ ବୌଦ୍ଧ ଧର୍ମକୁ ଧର୍ମାନ୍ତରିତ ହେଉଥିବା କିଛି ଦଳିତଙ୍କ ଏକ ଦୀକ୍ଷା ଗ୍ରହଣ ସମାରୋହରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଞ୍ଚରେ ଉପସ୍ଥିତ ଥିଲା ବେଳେ ସେମାନଙ୍କୁ ଯେଉଁ ୨୨ଟି ପ୍ରତିଜ୍ଞା ପ୍ରଦାନ କରାଯାଇଥିଲା ସେଥିରେ ହିନ୍ଦୁ ବିରୋଧୀ ମନ୍ତବ୍ୟମାନ ଥିବାରୁ ତାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରୁଛି ବୋଲି କୁହାଗଲା । ବିଜେପି ସମେତ କିଛି ହିନ୍ଦୁ ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ । ମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବାରୁ ଏହା ଏକ ସୁଚିନ୍ତିଚ ଷଡଯନ୍ତ୍ର ବୋଲି ଦର୍ଶାଇ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଗଲା । କ୍ଷୋଭର ବିଷୟ ଯେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ମଧ୍ୟ ୨୨ଟି ପ୍ରତିଜ୍ଞା ମଧ୍ୟରୁ କେବଳ ପ୍ରଥମ ୩ଟିକୁ ବାରମ୍ୱାର ପ୍ରସାରିତ କରି ତାହା ହିନ୍ଦୁ ବିରୋଧୀ ବୋଲି ଜନମାନସରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରାଗଲା । ରାଜେନ୍ଦ୍ର ଗୌତମ ନିଜେ ଜଣେ ବୌଦ୍ଧ ଧର୍ମାବଲମ୍ୱୀ ହୋଇଥିବାରୁ ସେହି ମଞ୍ଚରେ ସେ ଉପସ୍ଥିତ ରହିବା କିଛି ଅବାଞ୍ଛିତ ବା ଅନୈତିକ କାର୍ଯ୍ୟ ନୁହେଁ । ତେବେ ଚାପର ବଶବର୍ତ୍ତୀ ହୋଇ ଶେଷରେ ତାଙ୍କୁ ଅକ୍ଟୋବର ୯, ୨୦୨୨ରେ ଇସ୍ତଫା ପ୍ରଦାନ କରିବାକୁ ହେଲା । ଆଗାମୀ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ହିନ୍ଦୁ ମତଦାତାଙ୍କ ଉପରେ ଏହାର ସମ୍ଭାବ୍ୟ କୁପ୍ରଭାବର ଆଶଙ୍କାରେ ରାଜେନ୍ଦ୍ର ଗୌତମଙ୍କ ସପକ୍ଷରେ ଆମ ଆଦମୀ ପାର୍ଟି ଯେଉଁଭଳି ବାହାରିବା କଥା, ସେପରି ନ ବାହାରିବା ହୁଏତ ଦଳର ବାଧ୍ୟବାଧକତା ହୋଇପାରେ । ତେବେ ୬୬ ବର୍ଷ ତଳେ ସମ୍ୱିଧାନ ପ୍ରଣେତା ବାବାସାହେବଙ୍କ ସଂରଚିତ ଏହି ୨୨ଟି ପ୍ରତିଜ୍ଞା, ଯାହା ବର୍ଷ ବର୍ଷ ଧରି ଧର୍ମାନ୍ତରଣ ସମୟରେ ନବ ବୌଦ୍ଧମାନେ ଗ୍ରହଣ କରି ଆସୁଛନ୍ତି ଓ ଯେଉଁଥିପାଇଁ ଏଥି ପୂର୍ବରୁ କେବେ ହେଲେ ସେପରି ବିରୋଧ ବା ପ୍ରତିକ୍ରିୟା ପ୍ରକାଶ ପାଇନାହିଁ, ତାହା ହଠାତ୍ ହିନ୍ଦୁ ବିରୋଧୀ ହୋଇଗଲା କେମିତି ? ଏହା ପଛର ରାଜନୀତିକୁ ବୁଝି ହେଉଥିଲେ ବି ବାବାସାହେବଙ୍କ ସଂରଚିତ ୨୨ଟି ପ୍ରତିଜ୍ଞା ଓ ତା’ର ପୃଷ୍ଠଭୂମି ସମ୍ପର୍କରେ ପାଠକେ ଅବଗତ ହେବାର ଆବଶ୍ୟକତା ରହିଛି ।   

ହିନ୍ଦୁ ଧର୍ମରେ ଦଳିତମାନେ ଯେଉଁଭଳି ଭାବେ ସାମାଜିକ ବୈଷମ୍ୟର ଶିକାର ହୋଇ ଉତ୍ପୀଡିତ ହେଉଥିଲେ ତା’ର ପ୍ରତିବାଦରେ ଆମ୍ୱେଦକର ନିଜେ ୧୯୩୫ରେ ହିନ୍ଦୁ ଧର୍ମ ପରିତ୍ୟାଗ କରିବାର ଇଚ୍ଛା ପ୍ରକାଶ କରିଥିଲେ । ହିନ୍ଦୁ ଧର୍ମର ବର୍ଣ୍ଣବ୍ୟବସ୍ଥା ବା ଜାତିପ୍ରଥାକୁ ସେ ‘ସ୍ୱାଧୀନତା ପ୍ରତି ବିପଦ’ ବୋଲି ମଣୁଥିଲେ । ହିନ୍ଦୁ ଧର୍ମରେ ବର୍ଣ୍ଣ ବ୍ୟବସ୍ଥା ଅବିଚ୍ଛେଦ୍ୟ ହୋଇଥିବାରୁ ଏହାକୁ ବଦଳାଇବା ଏକ ପ୍ରକାର ଅସମ୍ଭବ । ତେଣୁ ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ ଦଳିତମାନେ ବୈଷମ୍ୟର ଶିକାର ହେବା ନିଶ୍ଚିତ ବୋଲି ଉପଲବ୍ଧି କରି ସେ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଆହ୍ୱାନ ଜଣାଇ କହିଥିଲେ, “...ଧର୍ମ ମଣିଷ ପାଇଁ ଉଦ୍ଦିଷ୍ଟ ଆଉ ମଣିଷ ଧର୍ମ ପାଇଁ ନୁହେଁ । ମଣିଷ ଭଳି ବ୍ୟବହାର ପାଇବାକୁ ଚାହୁଁଥିଲେ ତମେ ଧର୍ମ ପରିବର୍ତ୍ତନ କର । ସଂଗଠିତ ହେବାପାଇଁ ଧର୍ମ ପରିବର୍ତ୍ତନ କର । ଶକ୍ତିଶାଳୀ ହେବା ପାଇଁ ଧର୍ମ ପରିବର୍ତ୍ତନ କର । ସମତା ହାସଲ କରିବା ଲାଗି ଧର୍ମ ପରିବର୍ତ୍ତନ କର । ସ୍ୱାଧୀନତା ପାଇବା ଲାଗି ଧର୍ମ ପରିବର୍ତ୍ତନ କର ।” ଏଥିପାଇଁ ଲକ୍ଷ୍ନୌରେ ୧୯୩୬ରେ ଆୟୋଜିତ ଏକ ସମ୍ମିଳନୀରେ ବିଭିନ୍ନ ଧର୍ମର ପ୍ରତିନିଧିମାନେ ସେମାନଙ୍କ ଧର୍ମର ବିଶେଷତା ସମ୍ପର୍କରେ ଦଳିତମାନଙ୍କୁ ବୁଝାଇଥିଲେ । ଶେଷରେ ଆମ୍ୱେଦକର ବୌଦ୍ଧ ଧର୍ମ ସପକ୍ଷରେ ନିଜ ମତ ଦେଲା ପରେ ମଧ୍ୟ ପରବର୍ତ୍ତୀ ୨୦ ବର୍ଷ ଯାଏଁ ସେ ହିନ୍ଦୁ ହୋଇ ରହିଥିଲେ । ଏହି ସମୟରେ ସେ ବୌଦ୍ଧ ଧର୍ମର ସିଦ୍ଧାନ୍ତ ଓ ଶିକ୍ଷାଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିବା ସହ ସେଗୁଡିକର ନୂତନ ଭାବେ ବ୍ୟାଖ୍ୟା ମଧ୍ୟ କଲେ । ତଦନୁସାରେ ସେ ‘ନବଯାନ’ ନାମକ ଏକ ନୂତନ ବୌଦ୍ଧ ଧର୍ମମାର୍ଗର ପ୍ରବର୍ତ୍ତନ କଲେ, ଯାହା ଦଳିତ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନର ପଥ ସୁଗମ କଲା । ଅକ୍ଟୋବର ୧୪, ୧୯୫୬ ଅଶୋକ ବିଜୟା ଦଶମୀ ଦିନ ଭାରତୀୟ ସମ୍ୱିଧାନର ପ୍ରଣେତା ବାବାସାହେବ ଆମ୍ୱେଦକର ହିନ୍ଦୁ ଧର୍ମ ପରିତ୍ୟାଗ କରି ତାଙ୍କର ପ୍ରାୟ ୩.୬୫ ଲକ୍ଷ ଅନୁଯାୟୀଙ୍କ ସହ ନାଗପୁରଠାରେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ । ଏତେ ସଂଖ୍ୟାରେ ହିନ୍ଦୁ ଧର୍ମ ପରିବର୍ତ୍ତନ କରି ବୌଦ୍ଧ ଧର୍ମରେ ଦୀକ୍ଷା ଗ୍ରହଣ କରିବା ସ୍ୱାଧୀନ ଭାରତରେ ଏକ ଐତିହାସିକ ଘଟଣା ଥିଲା । କାରଣ ସେ ପର୍ୟ୍ୟନ୍ତ ଧର୍ମ ପରିବର୍ତ୍ତନ କହିଲେ ପ୍ରାୟତଃ କେବଳ ଇସଲାମ ବା ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହେବାକୁ ବୁଝାଉଥିଲା । ବସ୍ତୁତଃ ଏହା ଦ୍ୱାରା ଭାରତରେ ଲୁପ୍ତ ପ୍ରାୟ ବୌଦ୍ଧ ଧର୍ମର ପୁନରୁଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଅବସରରେ ତାଙ୍କ ଅନୁଯାୟୀମାନଙ୍କ ଧର୍ମ ପରିବର୍ତ୍ତନ କରାଇ ନୂତନ ଧର୍ମରେ ଦୀକ୍ଷିତ କରାଇବା ଲାଗି ବାବାସାହେବ ଯେଉଁ ୨୨ଟି ପ୍ରତିଜ୍ଞାର ସଂରଚନା କରି ସେଗୁଡିକର ଶପଥ ପାଠ କରାଇଥିଲେ ସେଗୁଡିକୁ ‘ବାବାସାହେବଙ୍କ ୨୨ ପ୍ରତିଜ୍ଞା’ ବା  ‘ଭୀମ-ପ୍ରତିଜ୍ଞା’ ବୋଲି କୁହାଯାଇଥାଏ । ବାବାସାହେବଙ୍କ ଦ୍ୱାରା ସଂରଚିତ ୨୨ଟି ପ୍ରତିଜ୍ଞା ନିମ୍ନ ପ୍ରକାରେ -

୧. ମୁଁ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କ ଉପରେ କୌଣସି ବିଶ୍ୱାସ ରଖିବି ନାହିଁ ଓ ତାଙ୍କର ପୂଜା ମଧ୍ୟ କରିବି ନାହିଁ ।

୨. ମୁଁ ରାମ ଓ କୃଷ୍ଣ, ଯାହାଙ୍କୁ ଭଗବାନଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ, ତାଙ୍କଠାରେ କୌଣସି ଆସ୍ଥା ରଖିବି ନାହିଁ କି ସେମାନଙ୍କୁ ପୂଜା କରିବି ନାହିଁ ।

୩. ମୁଁ ଗୌରୀ, ଗଣପତି ଓ ହିନ୍ଦୁଙ୍କର ଅନ୍ୟ ଦେବୀ-ଦେବତାଙ୍କ ଉପରେ ଆସ୍ଥା ରଖିବି ନାହିଁ କି ସେମାନଙ୍କର ପୂଜା କରିବି ନାହିଁ ।

୪. ମୁଁ ଭଗବାନଙ୍କର ଅବତାରରେ ବିଶ୍ୱାସ କରିବି ନାହିଁ ।

୫. ମୁଁ ଏହା ମାନେନାହିଁ ଓ କେବେ ବି ମାନିବି ନାହିଁ ଯେ ଭଗବାନ ବୁଦ୍ଧ ବିଷ୍ଣୁଙ୍କର ଅବତାର ଥିଲେ, ମୁଁ ଏହାକୁ ପାଗଳାମି ଓ ମିଛ ପ୍ରଚାର-ପ୍ରସାର ବୋଲି ଗ୍ରହଣ କରେ ।

୬. ମୁଁ ଶ୍ରାଦ୍ଧରେ ଭାଗ ନେବି ନାହିଁ ଆଉ ପିଣ୍ଡ ଦାନ ମଧ୍ୟ କରିବି ନାହିଁ ।

୭. ମୁଁ ବୁଦ୍ଧଙ୍କ ସିଦ୍ଧାନ୍ତ ଓ ଉପଦେଶଗୁଡିକୁ ଉଲ୍ଲଂଘନ କଲା ଭଳି କୌଣସି କାର୍ୟ୍ୟ କରିବି ନାହିଁ ।

୮. ମୁଁ ବ୍ରାହ୍ମଣଙ୍କ ଦ୍ୱାରା କୌଣସି କାର୍ୟ୍ୟ କରାଇବି ନାହିଁ ।

୯. ମୁଁ ମନୁଷ୍ୟଙ୍କ ସମାନତାରେ ବିଶ୍ୱାସ କରେ ।

୧୦. ମୁଁ ସମାନତା ପ୍ରତିଷ୍ଠା ଲାଗି ପ୍ରୟାସ କରିବି ।

୧୧. ମୁଁ ବୁଦ୍ଧଙ୍କ ଅଷ୍ଟାଙ୍ଗିକ ମାର୍ଗର ଅନୁସରଣ କରିବି ।

୧୨. ମୁଁ ବୁଦ୍ଧଙ୍କ ଦ୍ୱାରା ନିର୍ଦ୍ଧାରିତ ଦଶ ପାରମିତାକୁ ପାଳନ କରିବି ।

୧୩. ମୁଁ ସବୁ ଜୀବିତ ପ୍ରାଣୀଙ୍କ ପ୍ରତି ଦୟା ରଖିବି ତଥା ସେମାନଙ୍କର ରକ୍ଷା କରିବି ।

୧୪. ମୁଁ ଚୋରି କରିବି ନାହିଁ ।

୧୫. ମୁଁ ମିଛ କହିବି ନାହିଁ ।

୧୬. ମୁଁ କାମୁକ ପାପଗୁଡିକୁ କରିବି ନାହିଁ ।

୧୭. ମୁଁ ମଦ, ଡ୍ରଗସ ଭଳି ମାଦକ ପଦାର୍ଥଗୁଡିକର ସେବନ କରିବି ନାହିଁ ।

୧୮. ମୁଁ ମହାନ ଅଷ୍ଟାଙ୍ଗିକ ମାର୍ଗ ପାଳନର ପ୍ରୟାସ କରିବି ଏବଂ ସହାନୁଭୂତି ଓ ପ୍ରେମପୂର୍ଣ୍ଣ ଦୟାଳୁତାକୁ ଦୈନିକ ଜୀବନରେ କାମରେ ଲଗାଇବି ।

୧୯. ମୁଁ ହିନ୍ଦୁ ଧର୍ମକୁ ତ୍ୟାଗ କରୁଛି, ଯାହା ମାନବତା ଲାଗି କ୍ଷତିକାରକ ଅଟେ ଏବଂ ଉନ୍ନତି ଓ ବିକାଶରେ ବାଧକ ଅଟେ । କାରଣ ଏହା ଅସମାନତା ଉପରେ ଆଧାରିତ । ଆଉ ମୁଁ  ବୌଦ୍ଧ ଧର୍ମକୁ ସ୍ୱ-ଧର୍ମ ରୂପେ ଗ୍ରହଣ କରୁଛି ।

୨୦. ମୁଁ ଦୃଢତାର ସହ ବିଶ୍ୱାସ କରୁଛି ଯେ ବୌଦ୍ଧ ଧର୍ମ ହିଁ ପ୍ରକୃତ ମାର୍ଗ ଅଟେ ।

୨୧. ମୋର ବିଶ୍ୱାସ ଯେ ମୁଁ ପୁଣି ଥରେ ଜନ୍ମ ଗ୍ରହଣ କରୁଛି । (ଧର୍ମ ପରିବର୍ତ୍ତନ ଦ୍ୱାରା)

୨୨. ମୁଁ ଗମ୍ଭୀରତା ଓ ଦୃଢତାର ସହ ଘୋଷଣା କରୁଛି ଯେ ମୁଁ ଏହା (ଧର୍ମ ପରିବର୍ତ୍ତନ) ପରେ ନିଜ 

ଜୀବନର ମାର୍ଗଦର୍ଶନ ବୁଦ୍ଧଙ୍କ ସିଦ୍ଧାନ୍ତ ଓ ଶିକ୍ଷା ଏବଂ ତାଙ୍କ ଧର୍ମ ଅନୁସାରେ କରିବି ।

ଧର୍ମ ପରିବର୍ତ୍ତନ ସମୟରେ ଉପରୋକ୍ତ ପ୍ରତିଜ୍ଞାଗୁଡିକୁ କେବଳ ପଢି ଦେଲେ ହେଇଗଲା ବୋଲି ଅନେକେ ମନେ କରନ୍ତି । ତେଣୁ ନବ ଦୀକ୍ଷିତମାନଙ୍କୁ ଏଇ ୨୨ଟି ପ୍ରତିଜ୍ଞା ସହ ଆଉ ଗୋଟିଏ ପ୍ରତିଜ୍ଞା ମଧ୍ୟ ଗ୍ରହଣ କରିବାକୁ ହୋଇଥାଏ । ତାହା ହେଲା, “ମୁଁ ବାବାସାହେବଙ୍କ ଦ୍ୱାରା ରଚିତ ୨୨ଟି ଭୀମ-ପ୍ରତିଜ୍ଞାକୁ କାର୍ୟ୍ୟରେ ଲଗାଇବା ଲାଗି ପ୍ରତିଜ୍ଞା କରୁଛି ।“ ଜଣେ ଭାରତୀୟ ବୌଦ୍ଧର ସ୍ୱତନ୍ତ୍ର ପରିଚୟକୁ ଅକ୍ଷୁଣ୍ଣ ରଖିବା ଲାଗି ଉପରୋକ୍ତ ୨୨ଟି ପ୍ରତିଜ୍ଞାର ପାଳନ ଅନିବାର୍ୟ୍ୟ ବୋଲି ସେ ମନେ କରୁଥିଲେ । ଏଥିମଧ୍ୟରୁ ପ୍ରଥମ ୮ଟି ପ୍ରତିଜ୍ଞା ବ୍ୟକ୍ତିକୁ ତା’ର ଅନ୍ଧବିଶ୍ୱାସ ଓ ଅବୈଜ୍ଞାନିକତାରୁ ମୁକ୍ତ କରି ଯୁକ୍ତିସଙ୍ଗତା, ବୈଜ୍ଞାନିକତା, ସ୍ୱାଭିମାନ ଓ ସ୍ୱାବଲମ୍ୱନ ଆଡକୁ ଅଗ୍ରସର ହେବା ନିମନ୍ତେ ଅଭିପ୍ରେତ । ଅନ୍ୟ ପକ୍ଷରେ ଅବଶିଷ୍ଟ ୧୪ଟି ପ୍ରତିଜ୍ଞା ମାନବ ଜୀବନକୁ ନିର୍ମଳ ଭାବେ ଗଢି ତୋଳିବା, ସକଳ ପ୍ରାଣୀଙ୍କ ପ୍ରତି ପ୍ରେମ, ବନ୍ଧୁତ୍ୱ ଓ ସମାନତାର ଭାବ ଉଦ୍ରେକ କରିବା, ଗାର୍ହସ୍ଥ୍ୟ ଜୀବନକୁ ସୁଖମୟ କରିବା ଲାଗି ଉଦ୍ଦିଷ୍ଟ । ହିନ୍ଦୁ ବିରୋଧୀ ପ୍ରତୀତ ହେଉଥିବା ପ୍ରଥମ ୮ଟି ପ୍ରତିଜ୍ଞା ପ୍ରକୃତ ପକ୍ଷେ ନବ୍ୟ ଧର୍ମାନ୍ତରିତ ବୌଦ୍ଧଙ୍କ ଅନୁଶାସନ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଲକ୍ଷ୍ୟ କରାଗଲା ଯେ ମହାରାଷ୍ଟ୍ରର ମାହାର ଓ ଜାଟଭ ଦଳିତ ସମ୍ପ୍ରଦାୟର କିଛି ନୂଆ ନୂଆ ଧର୍ମାନ୍ତରିତ ବୌଦ୍ଧ ଧର୍ମାନ୍ତରଣ ପରେ ମଧ୍ୟ ପୂର୍ବ ଅଭ୍ୟାସ ଓ ବିଶ୍ୱାସବଶତଃ ହିନ୍ଦୁ ଧର୍ମର ଦେବଦେବୀଙ୍କୁ ପୂଜା କରିବା ସଙ୍ଗେ ସଙ୍ଗେ ହିନ୍ଦୁ ଧର୍ମର ରୀତିନୀତି ଅନୁସରଣ କରୁଥିଲେ ଓ ସେଥିପାଇଁ ବ୍ରାହ୍ମଣଙ୍କ ସହାୟତା ନେଉଥିଲେ । ନୂଆ ଧର୍ମରେ ଦୀକ୍ଷିତ ହେଲା ପରେ ସେପରି ଆଚରଣ ସ୍ପୃହଣୀୟ ନୁହେଁ । ଏହା ଧର୍ମାନ୍ତରଣର ମୂଳ ଉଦ୍ଦେଶ୍ୟର ପରିପନ୍ଥୀ ହୋଇଥିବାରୁ ନବ ବୌଦ୍ଧଙ୍କୁ ସେଥିରୁ ନିବୃତ୍ତ ରହିବା ଲାଗି ଓ ସେମାନଙ୍କୁ ଅନୁଶାସିତ କରିବା ଲାଗି ପ୍ରଥମ ୮ଟି ପ୍ରତିଜ୍ଞା ଉଦ୍ଦିଷ୍ଟ । ଏହା ହିନ୍ଦୁ ଧର୍ମାବଲମ୍ୱୀଙ୍କ ବିଶ୍ୱାସକୁ ବିରୋଧ କରିବା ପାଇଁ ଅଭିପ୍ରେତ ନୁହେଁ ।     

୧୯୫୬ ପରଠାରୁ  ପ୍ରତି ବର୍ଷ ଅଶୋକ ବିଜୟା ଦଶମୀ ଦିନ ଧର୍ମାନ୍ତରଣ ପାଇଁ ଆଗ୍ରହୀ ଦଳିତମାନଙ୍କୁ ନାଗପୁରର ଦୀକ୍ଷାଭୂମି ଓ ଦେଶର ଅନ୍ୟ ସ୍ଥାନମାନଙ୍କରେ ବୌଦ୍ଧ ଧର୍ମରେ ଦୀକ୍ଷିତ କରାଯାଏ ଓ ସେମାନଙ୍କୁ ଉପରୋକ୍ତ ୨୨ଟି ଶପଥ ପାଠ କରିବାକୁ ହୋଇଥାଏ । ଦଳିତମାନଙ୍କ ଆନ୍ଦୋଳନ ତୀବ୍ର ହେଲେ ଦଳିତ ସମାଜ ବୌଦ୍ଧ ଧର୍ମରେ ଦୀକ୍ଷିତ ହେବାକୁ ଏକ ପ୍ରତିବାଦର ଅସ୍ତ୍ର ରୂପେ ବ୍ୟବହାର କରିବାର ଦେଖାଯାଏ । ବହୁଜନ ସମାଜ ପାର୍ଟିର ଅଭ୍ୟୁଦୟ ସହ ଗତ ଶତାବ୍ଦୀର ଅଶି ଓ ନବେ ଦଶକରେ ବହୁ ସଂଖ୍ୟାରେ ଦଳିତ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିବାର ଦେଖାଯାଇଥିଲା । ଏକ ଆକଳନ ଅନୁସାରେ ଭାରତରେ ଥିବା ବୌଦ୍ଧ ଧର୍ମାବଲମ୍ୱୀଙ୍କ ମଧ୍ୟରୁ ପ୍ରାୟ ୮୭ ପ୍ରତିଶତ ନବ୍ୟ ଧର୍ମାନ୍ତରିତ ଅଟନ୍ତି । ତେବେ ଚଳିତ ଶତାବ୍ଦୀରେ ଏହି ଧର୍ମାନ୍ତରଣ ପ୍ରକ୍ରିୟା ଧୀମା ହୋଇଯାଇଥିବାରୁ ପ୍ରଥମ ଦଶକରେ ହିନ୍ଦୁଙ୍କ ସଂଖ୍ୟା ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ବୌଦ୍ଧ ଧର୍ମାବଲମ୍ୱୀଙ୍କ ସଂଖ୍ୟା ମାତ୍ର ପ୍ରାୟ ୬ ପ୍ରତିଶତ ବଢିଥିଲା । ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଜନଗଣନାରେ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ୱୀଙ୍କ ଜନସଂଖ୍ୟାର ବୃଦ୍ଧି ପ୍ରତିଶତ ଯଥାକ୍ରମେ ୨୦.୩୫ ଓ ୨୪.୫୩ ଥିଲା । ତେଣୁ ନିୟମିତ ଧର୍ମାନ୍ତରଣ ସତ୍ତ୍ୱେ ବୌଦ୍ଧ ଧର୍ମାବଲମ୍ୱୀଙ୍କ ଜନସଂଖ୍ୟାରେ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇନାହିଁ । କାରଣ ୧୯୫୧ରେ ସେମାନଙ୍କ ସଂଖ୍ୟା ୨୭ ଲକ୍ଷ ଥିଲା ବେଳେ ତାହା ୨୦୧୧ ଜନଗଣନାରେ ମାତ୍ର ୫୭ ଲକ୍ଷ ବଢି ୮୪ ଲକ୍ଷରେ ପହଞ୍ଚିଥିଲା । ସେହି ସମୟରେ ହିନ୍ଦୁଙ୍କ ସଂଖ୍ୟା ୩୦.୪ କୋଟିରୁ ୯୬.୬ କୋଟି, ମୁସଲମାନଙ୍କ ସଂଖ୍ୟା ୩.୫ କୋଟିରୁ ୧୭.୨ କୋଟି ଓ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨.୮ କୋଟିରୁ ୮ କୋଟି ହୋଇଥିଲା । ଅନୁସୂଚୀତ ଜାତିର ବୌଦ୍ଧ ଧର୍ମାବଲମ୍ୱୀଙ୍କ ସଂଖ୍ୟା ୨୦୦୧ ତୁଳନାରେ ୨୦୧୧ରେ ୩୮ ପ୍ରତିଶତ ବୃଦ୍ଧି ପାଇଥିଲା । ବୌଦ୍ଧ ଧର୍ମକୁ ଅନୁସରଣ କରୁଥିବା ଅନୁସୂଚୀତ ଜାତିର ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ମହାରାଷ୍ଟ୍ରର ଅଧିବାସୀ । ଦ୍ୱିତୀୟ ଦଶକରେ ପୁଣି ଥରେ ବୌଦ୍ଧ ଧର୍ମାବଲମ୍ୱୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାର ପରିଲକ୍ଷିତ ହୋଇଛି । ଆମ୍ୱେଦକରଙ୍କ ଦ୍ୱାରା ସ୍ଥାପିତ ‘ବୁଦ୍ଧିଷ୍ଟ ସୋସାଇଟି ଅଫ ଇଣ୍ଡିଆ’ ବିଭିନ୍ନ ଆମ୍ବେଦକରୀୟ ଗୋଷ୍ଠୀଙ୍କ ସହାୟତାରେ ପ୍ରତି ବର୍ଷ ବିଭିନ୍ନ ସ୍ଥାନରେ ଦୀକ୍ଷା ସମାରୋହମାନ ଆୟୋଜନ କରି ଧର୍ମାନ୍ତରଣ କରିଆସୁଛନ୍ତି ଓ ଧର୍ମାନ୍ତରଣ ପରେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରୁଛନ୍ତି । ‘ମିଶନ ଜୟ ଭୀମ’ ଅନୁଷ୍ଠାନ ଆଗାମୀ ୨୦୨୫ ସୁଦ୍ଧା ଗଣ ଧର୍ମାନ୍ତରଣ ମାଧ୍ୟମରେ ୧୦ କୋଟି ଦଳିତଙ୍କର ବୌଦ୍ଧ ଧର୍ମରେ ଧର୍ମାନ୍ତରଣର ଲକ୍ଷ୍ୟ ଧାର୍ୟ୍ୟ କରିଥିବାର ସୂଚନା ମିଳେ । ସମ୍ୱିଧାନର ଅନୁସୂଚୀତ ଜାତି ଆଦେଶ, ୧୯୫୦ ଅନୁଯାୟୀ ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମର ଦଳିତମାନଙ୍କୁ ଅନୁସୂଚୀତ ଜାତିର ବୋଲି ଗ୍ରହଣ କରାଯାଇଥାଏ ଓ ଏମାନଙ୍କୁ ଆରକ୍ଷଣର ସମସ୍ତ ସୁବିଧା ମିଳିଥାଏ । ତେଣୁ ଦଳିତମାନେ ବୌଦ୍ଧ ଧର୍ମକୁ ଧର୍ମ ପରିବର୍ତ୍ତନ କଲେ ଆରକ୍ଷଣ ସୁବିଧା ପାଇବାରୁ ବଞ୍ଚିତ ହେବାର ଆଶଙ୍କା ନ ଥିବାରୁ ସେମାନଙ୍କର ଧର୍ମ ପରିବର୍ତ୍ତନ ପଥରେ ଅନ୍ତରାୟ ସୃଷ୍ଟି ହେବାର ଆଶଙ୍କା କ୍ଷୀଣ । କିନ୍ତୁ ଏପରି ବଡ ଧରଣର ଧର୍ମ ପରିବର୍ତ୍ତନ ଉଭୟ ଧର୍ମ ମଧ୍ୟରେ ଉତ୍ତେଜନା ବୃଦ୍ଧିର କାରଣ ପାଲଟିବାର ଆଶଙ୍କା ଥିବାରୁ ସେଥିପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ୟ ଯେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଗୟାସ୍ଥିତ ‘ଅଲ ଇଣ୍ଡିଆ ଭିକ୍ଷୁ ସଂଘ’ ଏହି ଧରଣର ପ୍ରତିଜ୍ଞା ଓ ଧର୍ମାନ୍ତରଣର ବିରୋଧ କରିଆସୁଛନ୍ତି । ସେମାନଙ୍କ ମତରେ କେବଳ ପଞ୍ଚଶୀଳ ନୀତି ଅନୁଯାୟୀ ବୌଦ୍ଧ ଧର୍ମରେ ଧର୍ମାନ୍ତରଣ କରାଯାଇଥାଏ, ଯଦନୁଯାୟୀ ଦୀକ୍ଷିତ ବ୍ୟକ୍ତିଙ୍କୁ ଜୀବହତ୍ୟା, ଚୋରି, ଯୌନ ଦୁରାଚାର, ମିଥ୍ୟା ଓ ନିଶାକୁ ପରିତ୍ୟାଗ କରିବାର ସଙ୍କଳ୍ପ ନେବାକୁ ହୋଇଥାଏ ।       

ଦିଲ୍ଲୀରେ ଦୀକ୍ଷା ଗ୍ରହଣ ସମାରୋହରେ ଦଳିତମାନେ ଧର୍ମ ପରିବର୍ତ୍ତନ କରୁଥିବା ବେଳେ ଠିକ୍ ସେହି ସମୟରେ ନାଗପୁରଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ତାଙ୍କ ବିଜୟା ଦଶମୀ ଉଦବୋଧନରେ ହିନ୍ଦୁ ଧର୍ମରୁ ଜାତିପ୍ରଥାର ଉନ୍ମୁଳନ କରିବା ପାଇଁ ଆହ୍ୱାନ ଦେବା କାକତାଳୀୟ ମନେ ହେଲେ ବି ତାହା ବେଶ ଗୁରୁତ୍ୱ ବହନ କରେ । କାରଣ ଯେପର୍ଯ୍ୟନ୍ତ ହିନ୍ଦୁ ଧର୍ମରୁ ଜାତିପ୍ରଥା ଭଳି କୁରୀତିଗୁଡିକର ଉନ୍ମୁଳନ ହୋଇନାହିଁ ସେପର୍ଯ୍ୟନ୍ତ ହିନ୍ଦୁ ସମାଜରେ ସମାନତାର ପରିକଳ୍ପନା କରାଯାଇ ନପାରେ । ଏହାଦ୍ୱାରା ପ୍ରପୀଡିତ ଦଳିତମାନେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ଧର୍ମ ପରିବର୍ତ୍ତନ ଲାଗି ଆଗଭର ହେଲେ ସେଥିରେ ପ୍ରତିକ୍ରିୟା ପ୍ରକାଶ କରିବାର ଅର୍ଥ ହୁଏନାହିଁ । ଆଉ ଜଣେ ଧର୍ମ ପରିବର୍ତ୍ତନ ବେଳେ ତା’ର ନୂଆ ଧର୍ମର ଆବଶ୍ୟକତା ଅନୁଯାୟୀ କି ପ୍ରତିଜ୍ଞା ନେବ, କିପରି ଆଚରଣ ଓ ଉଚ୍ଚାରଣ କରିବ, ତାହା ତା’ର ଧାର୍ମିକ ଅଧିକାର ଓ ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେଥିରେ ମୁଣ୍ଡ ଖେଳାଇବା ବା ଉତ୍ତେଜିତ ହେବା ଉଚିତ ନୁହେଁ । ତେଣୁ ଜାତିପ୍ରଥା ବିରୁଦ୍ଧରେ ମୁହଁ ଖୋଲି ଏକ ସମତାପୂର୍ଣ୍ଣ ହିନ୍ଦୁ ସମାଜ ଗଠନ କରିବାରେ ସକ୍ରିୟ ଯୋଗଦାନ କରିପାରିଲେ ବରଂ ହିନ୍ଦୁ ଧର୍ମରୁ ହେଉଥିବା ଧର୍ମାନ୍ତରଣକୁ ରୋକାଯାଇପାରିବ ।  ବୌଦ୍ଧ ଧର୍ମାବଲମ୍ୱୀଙ୍କ ଦ୍ୱାରା କି ଶପଥ ନିଆଗଲା ତାକୁ ବିରୋଧ କରିବା ଅପେକ୍ଷା ହିନ୍ଦୁ ଧର୍ମର କୁପ୍ରଥାଗୁଡିକର ଅନ୍ତ ପାଇଁ ସ୍ୱର ଶାଣିତ ହେଲେ ବରଂ ହିନ୍ଦୁ ଧର୍ମ ପ୍ରତି ବିପଦ ହ୍ରାସ ପାଇ ତାହା ଅଧିକ ସୁରକ୍ଷିତ ରହିପାରିବ ।


Published in October 16-31, 2022 issue of Samadusti

 

Comments

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...