Skip to main content

ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥିତି

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ୟେଲ ବିଶ୍ୱବିଦ୍ୟାଳୟ ଓ କଲମ୍ୱିଆ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରତି ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ‘ପରିବେଶଗତ ପ୍ରଦର୍ଶନ ସୂଚକାଙ୍କ’ (ଏନଭାଇରନମେଣ୍ଟାଲ ପରଫର୍ମାନ୍ସ ଇଣ୍ଡେକ୍ସ ବା ଇପିଆଇ)ର ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୧୮୦ଟି ଦେଶର ତାଲିକାରେ ଭାରତ ସବା ତଳେ ରହିଛି । ୧୧ଟି ବର୍ଗରେ ସ୍ଥାନିତ ଭିନ୍ନ ଭିନ୍ନ ୪୦ଟି ପ୍ରଦର୍ଶନ ସୂଚକକୁ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ପ୍ରଶମନ, ପରିବେଶଗତ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ପରିମଣ୍ଡଳୀୟ ପ୍ରାଣଶକ୍ତିର ବୃଦ୍ଧି (ଇକୋସିଷ୍ଟମ ଭାଇଟାଲିଟି) ଭଳି ତିନୋଟି ଲକ୍ଷ୍ୟ ହାସଲ କରିବା ଲାଗି ବିଭିନ୍ନ ଦେଶ କରିଥିବା ପ୍ରୟାସ ଆଧାରରେ ପ୍ରସ୍ତୁତ ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ସବୁ ଦେଶର ସ୍ଥିତି ନିର୍ଦ୍ଧାରଣ କରି ଦେଶଗୁଡିକର ସ୍ଥାନ ନିର୍ଦ୍ଧାରିତ ହୋଇଥାଏ । ସେହି କ୍ରମରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ଗୋଟିଏ ବର୍ଗର ୯ଟି ସୂଚକ, ପରିବେଶଗତ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବାୟୁର ଗୁଣବତ୍ତା, ବର୍ଜ୍ୟ ପରିଚାଳନା, ଜଳ ଓ ପରିମଳ ବ୍ୟବସ୍ଥା, ଭାରି ଧାତବ (ହେଭି ମେଟାଲ) ଭଳି ୪ଟି ବର୍ଗର ୧୨ଟି ସୂଚକ ଓ ପରିମଣ୍ଡଳୀୟ ପ୍ରାଣଶକ୍ତି ବୃଦ୍ଧି ପାଇଁ ଜୈବ ବିବିଧତା ଓ ପ୍ରାକୃତିକ ବାସସ୍ଥଳୀ, ପରିମଣ୍ଡଳୀୟ ସେବା, ମତ୍ସ୍ୟ, କୃଷି, ଏସିଡ ବର୍ଷା, ଜଳ ଉତ୍ସ ପରି ୬ଟି ବର୍ଗର ୧୮ଟି ସୂଚକରେ ତଥ୍ୟ ସଂଗ୍ରହ କରି ପ୍ରତ୍ୟେକ ଦେଶର ପ୍ରଦର୍ଶନ ଆଧାରରେ ଅଙ୍କ ପ୍ରଦାନ କରାଯାଇଥାଏ । ଏହି ସୂଚକଗୁଡିକ ସମସ୍ୟା ସବୁକୁ ଚିହ୍ନଟ କରି ସେଗୁଡିକୁ ନିବାରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସହାୟକ ହେବା ସହ ସେ ଦିଗରେ ପ୍ରଗତିକୁ ଅନୁଧ୍ୟାନ କରି ପ୍ରତ୍ୟେକ ଦେଶକୁ ନିଜ ପାଇଁ ସର୍ବଶ୍ରେଷ୍ଠ ନୀତି ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ । ୦ରୁ ୧୦୦ ଅଙ୍କର ମାପକାଠିରେ ପ୍ରସ୍ତୁତ ହେଉଥିବା ଏହି ସୂଚକାଙ୍କରେ ଅଧିକ ଅଙ୍କ ହାସଲ କରୁଥିବା ଦେଶ ଶୀର୍ଷରେ ରହୁଥିବା ବେଳେ କମ ଅଙ୍କ ହାସଲ କରିଥିବା ଦେଶ ତଳେ ରହିଥାଏ । ୭୭.୯ ଅଙ୍କ ସହ ଡେନମାର୍କ ଶୀର୍ଷ ସ୍ଥାନରେ  ଥିବା ବେଳେ ଭାରତ ମାତ୍ର ୧୮.୯ ଅଙ୍କ ହାସଲ କରି ସବା ତଳେ ୧୮୦ତମ ସ୍ଥାନରେ ରହିବା ଉଦବେଗଜନକ । ଉଲ୍ଲେଖଯୋଗ୍ୟ ଯେ. ୨୦୨୦ରେ ଭାରତ ଏହି ସୂଚକାଙ୍କରେ ୨୭.୬ ଅଙ୍କ ସହ ୧୬୮ତମ ସ୍ଥାନରେ ଥିଲା । ଗତ ୨୦ ବର୍ଷ ଧରି ପ୍ରସ୍ତୁତ ହୋଇ ଆସୁଥିବା ଏହି ସୂଚକାଙ୍କରେ ଏହା ଭାରତର ନିକୃଷ୍ଟତମ ପ୍ରଦର୍ଶନ । 

୨୦୩୦ ସୁଦ୍ଧା ହାସଲ ହେବା ପାଇଁ ଧାର୍ଯ୍ୟ ହୋଇଥିବା ସତତ ବିକାଶ ବିକାଶ ଲକ୍ଷ୍ୟ (ଏସଡିଜି)ରେ ପରିବେଶଗତ ସୁରକ୍ଷା ହାସଲ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ତଦନୁଯାୟୀ ସାରା ବିଶ୍ୱକୁ ପରିବେଶଗତ ଅବକ୍ଷୟରୁ ରକ୍ଷା କରିବା ପାଇଁ ବିକାଶର ଏପରି ସମନ୍ୱିତ ଢାଞ୍ଚାମାନ ପ୍ରସ୍ତୁତ କରିବାକୁ ହେବ ଯେଉଁଥିରେ ପରିବେଶର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ସାମାଜିକ ଓ ଅର୍ଥନୈତିକ ଲାଭ ମିଳିପାରୁଥିବ । ପରିବେଶ ପ୍ରତି ଆଦୌ କ୍ଷତି ନ ପହଞ୍ଚାଇ ବା ସର୍ବନିମ୍ନ କ୍ଷତି ପହଞ୍ଚାଇ ବିକାଶର ଲକ୍ଷ୍ୟକୁ କିପରି ହାସଲ କରି ହେବ ସେଥି ପ୍ରତି ଗୁରୁତ୍ୱ ଦେବାକୁ ହେବ ।   

୨୦୨୧ର ‘ଗ୍ଲାସଗୋ ଜଳବାୟୁ ସନ୍ଧି’ ମୁତାବକ ସବୁ ଦେଶ ୨୦୫୦ ସୁଦ୍ଧା ସାରା ବିଶ୍ୱକୁ ଗ୍ରିନହାଉସ ଗ୍ୟାସରୁ ମୁକ୍ତ କରିବା ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ସଙ୍କଳ୍ପବଦ୍ଧ । ତଥାପି ସେହି ସମୟ ସୁଦ୍ଧା କେବଳ ଡେନମାର୍କ, ବ୍ରିଟେନ ପରି ଅଳ୍ପ କେତୋଟି ଦେଶ ହିଁ ସେହି ଲକ୍ଷ୍ୟ ହାସଲ କରିପାରିବେ ବୋଲି ଇପିଆଇ ରିପୋର୍ଟରୁ ଜଣାପଡୁଛି । ଅନ୍ୟ ପକ୍ଷରେ ଭାରତ, ଚୀନ, ରୁଷିଆ ପରି ବଡ ବଡ ଦେଶରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ହ୍ରାସ ପାଇବା ପରିବର୍ତ୍ତେ ବଢି ବଢି ଚାଲିଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଲକ୍ଷ୍ୟ ହାସଲର ସମ୍ଭାବନା କ୍ଷୀଣ । ଇପିଆଇର ଆକଳନ ଅନୁଯାୟୀ ବିଭିନ୍ନ ଦେଶର ନୀତି ନିର୍ଦ୍ଧାରକମାନେ ଜଳବାୟୁ ନୀତି ଓ ଗ୍ରିନହାଉସ ଗ୍ୟାସ ନିର୍ଗମନ ସଂକ୍ରାନ୍ତୀୟ ଆଇନର କଡାକଡି ଭାବେ ଅନୁପାଳନ ନ କଲେ  ୨୦୫୦ ସୁଦ୍ଧା ସାରା ବିଶ୍ୱର ଗ୍ରିନହାଉସ ଗ୍ୟାସ ନିର୍ଗମନର ୫୦ ପ୍ରତିଶତ କେବଳ ଭାରତ, ଆମେରିକା, ଚୀନ ଓ ରୁଷିଆ ଭଳି ୪ଟି ଦେଶରୁ ହେଉଥିବ ଏବଂ ପ୍ରାୟ ୮୦ ପ୍ରତିଶତ ନିର୍ଗମନ ୨୪ଟି ଦେଶରୁ ହେଉଥିବ । ୨୦୫୦ ବେଳକୁ ସମୁଦାୟ ବିଶ୍ୱ ନିର୍ଗମନର ୧୧ ପ୍ରତିଶତ ଭାରତରୁ ହୋଇ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଗ୍ରିନହାଉସ ଗ୍ୟାସ ନିର୍ଗମନକାରୀ ଦେଶର ଅପଯଶ ମୁଣ୍ଡାଇବ ବୋଲି ପୂର୍ବାନୁମାନ କରାଯାଉଛି । ତେଣୁ ଏହି ଦେଶମାନଙ୍କରେ ଉପଯୁକ୍ତ ନୀତି ପ୍ରଣୟନ ସହ ସେଗୁଡିକର କ୍ରିୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ନୀତି ନିର୍ଦ୍ଧାରକମାନଙ୍କର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସେହି ଆଇନଗୁଡିକର ଅନୁପାଳନ ଠିକ ରୂପେ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତେ ଏ ନେଇ ସଜାଗ ରହିବା ଆବଶ୍ୟକ ।

ଭାରତ ଜଳବାୟୁ ପରିବର୍ତ୍ତନ ବର୍ଗରେ ୨୧.୫ ଅଙ୍କ ସହ ୧୬୫ତମ ସ୍ଥାନରେ ରହିଛି । ଏହି ବର୍ଗରେ ୯୨.୪ ଅଙ୍କ ସହ ଡେନମାର୍କ ଶୀର୍ଷରେ ଅଛି । ପରିବେଶଗତ ସ୍ୱାସ୍ଥ୍ୟ ବର୍ଗରେ ୧୨.୫ ଅଙ୍କ ସହ ଭାରତ ୧୭୮ତମ ସ୍ଥାନରେ ରହିଛି । ଏହି ବର୍ଗରେ ୯୪.୭ ଅଙ୍କ ସହ ଆଇସଲାଣ୍ଡ ଶୀର୍ଷରେ ରହିଛି । ପରିମଣ୍ଡଳୀୟ ପ୍ରାଣଶକ୍ତି ବୃଦ୍ଧି ବର୍ଗରେ ୧୯.୩ ଅଙ୍କ ସହ ଭାରତ ୧୭୮ତମ ସ୍ଥାନରେ ରହିଛି । ଏହି ବର୍ଗରେ ୭୩.୯ ଅଙ୍କ ସହ ଅଷ୍ଟ୍ରିଆ ଶୀର୍ଷ ସ୍ଥାନ ଦଖଲ କରିଛି । ଅର୍ଥାତ୍, ଇପିଆଇରେ ଥିବା ତିନୋଟି ଯାକ ବର୍ଗରେ ଭାରତର ପ୍ରଦର୍ଶନ ବେଶ ନିରାଶାଜନକ । କେତୋଟି ପ୍ରମୁଖ ସୂଚକରେ ଭାରତର ସ୍ଥାନ ନିମ୍ନ ପ୍ରକାରେ ରହିଛି –  ବାୟୁର ମାନ – ୧୭୮, ଜଳବାୟୁ ନୀତି – ୧୬୫, ବର୍ଜ୍ୟ ପରିଚାଳନା – ୧୫୧ । କେବଳ କୃଷି ସୂଚକରେ ୭୦ତମ ସ୍ଥାନରେ ରହିବା କୌଣସି ସୂଚକରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହାଯାଇପାରେ ।  

ଇପିଆଇରେ ଶୀର୍ଷ ସ୍ଥାନରେ ଥିବା ଡେନମାର୍କର ପ୍ରଦର୍ଶନ ପ୍ରତିଟି ସୂଚକରେ ଉନ୍ନତ ହୋଇଛି । ଏହାର ମୂଳ କାରଣ ହେଉଛି ଯେ ଡେନମାର୍କ ୨୦୩୦ ସୁଦ୍ଧା ତା’ର ନିର୍ଗମନ ସ୍ତରକୁ ୧୯୯୦ ତୁଳନାରେ ୭୦ ପ୍ରତିଶତ ହ୍ରାସ କରିବାକୁ ଏକ ଜାତୀୟ ଲକ୍ଷ୍ୟ ଭାବେ ଘୋଷଣା କରିଛି । ସେଥିପାଇଁ ଏହା ଏକ ବିସ୍ତାରିତ ନୀତିର ଅନୁସରଣ କରି କାର୍ଯ୍ୟ କରୁଛି । ୧୯୯୨ରୁ ଏହା ଏକ କାର୍ବନ ଟିକସର ପ୍ରଚଳନ କରିଛି । ନିକଟରେ ସେଠାରେ ଗ୍ରିନହାଉସ ଗ୍ୟାସ ଟିକସ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି, ଯେଉଁଥିରେ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଟନ ପ୍ରତି ୨୪ ୟୁରୋ ଦେବାକୁ ହେଉଛି । ଫଳରେ ୨୦୫୦ ସୁଦ୍ଧା ଗ୍ରିନହାଉସ ଗ୍ୟାସ ନିର୍ଗମନ ସ୍ତରକୁ ଶୂନ ପ୍ରତିଶତ କରିବାକୁ ସମର୍ଥ ହେଉଥିବା ବିଶ୍ୱର ହାତଗଣତି ଦେଶଙ୍କ ମଧ୍ୟରେ ଡେନମାର୍କ ଅନ୍ୟତମ ଦେଶ ହେବ । ବସ୍ତୁତଃ ଉନ୍ନତ ପ୍ରଦର୍ଶନକାରୀ ଦେଶଗୁଡିକ ଉନ୍ନତ ନୀତି ପ୍ରଣୟନ କରି ସେଗୁଡିକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ କରିଛନ୍ତି । ଉଦାହରଣ ସ୍ୱରୂପ, ବ୍ରିଟେନ କୋଇଲା ବଦଳରେ ପ୍ରାକୃତିକ ଗ୍ୟାସ ବ୍ୟବହାର କରିବାକୁ ନୀତିଗତ ନିଷ୍ପତ୍ତି ନେବା ପରେ ସେଠାରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅନ୍ୟ ପକ୍ଷରେ ସୂଚକାଙ୍କର ସବା ତଳେ ଥିବା ଭାରତ ଭଳି ଦେଶଗୁଡିକ ସତତ (ସସଟେନେବଲ୍) ବିକାଶ ତୁଳନାରେ ଅର୍ଥନୈତିକ ବିକାଶକୁ ଅଗ୍ରାଧିକାର ଦେଉଥିବାରୁ ପରିବେଶଗତ ପ୍ରତିବଦ୍ଧତା ଆଉ ସୁଦୃଢ ନ ରହି କୋହଳ ହୋଇଯାଉଛି । ଫଳରେ ଭାରତରେ ଗ୍ରିନହାଉସ ଗ୍ୟାସ ନିର୍ଗମନର ସ୍ତରକୁ କମ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉଥିବାର ଅନୁଭୂତ ହେଉନାହିଁ । ତେଣୁ ବାୟୁର ମାନ ବିପଜ୍ଜନକ ଭାବେ ନିମ୍ନସ୍ତରକୁ ଖସି ଆସିଛି ଓ ଏହା ବିଶ୍ୱର ସର୍ବନିମ୍ନ ସ୍ଥାନରେ ଥିବା ୫ଟି ଦେଶ ମଧ୍ୟରେ ରହିଛି । ଭାରତର ଅଧିକାଂଶ ସହରର ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ଯେ ୨୦୨୪ ସୁଦ୍ଧା ବାୟୁର ମାନ ୨୦ରୁ ୩୦ ପ୍ରତିଶତ ସୁଧାରିବା ପାଇଁ ଭାରତ ସରକାର ସର୍ବାଧିକ କ୍ଷତିଗ୍ରସ୍ତ ୧୨୨ଟି ସହରରେ ‘ଜାତୀୟ ସ୍ୱଚ୍ଛ ପବନ କାର୍ୟ୍ୟକ୍ରମ’ କାର୍ଯ୍ୟକାରୀ କରୁଛନ୍ତି । ସାରା ବିଶ୍ୱରେ ୯୯ ପ୍ରତିଶତ ଲୋକ ନିଃଶ୍ୱାସ ନେବା ଲାଗି ଅସୁରକ୍ଷିତ ପବନକୁ ବ୍ୟବହାର କରୁଛନ୍ତି ଓ ନିମ୍ନ ମାନର ବାୟୁ ପାଇଁ ବାର୍ଷିକ ପ୍ରାୟ ୬୦ ଲକ୍ଷ ଲୋକଙ୍କର ଅକାଳରେ ଜୀବନହାନି ହେଉଛି । ଅର୍ଥାତ୍, ଏହି କାରଣରୁ ଭବିଷ୍ୟତରେ ଅଧିକ ସଂଖ୍ୟକ ଭାରତୀୟ ଅକାଳ ମୃତ୍ୟୁର ଶିକାର ହେବାର ଆଶଙ୍କା ବୃଦ୍ଧି ପାଇବ ।

କୋଭିଡ କାଳରେ ବାୟୁରେ ହାନିକାରକ ନାଇଟ୍ରୋଜେନ ଅକ୍ସାଇଡର ସ୍ତର ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଥିଲେ ବି କଟକଣା କୋହଳ ହେଲା ପରେ ଆର୍ଥିକ ଗତିବିଧି ସାମାନ୍ୟ ହୋଇ ତାହା ପୁଣି ପ୍ରାକ୍-କୋଭିଡ ସ୍ତରକୁ ଫେରି ଆସିଲାଣି । ଅନ୍ୟ ପକ୍ଷରେ କୋଭିଡ ସମୟରେ ସ୍ୱାସ୍ଥ୍ୟଗତ ସୁରକ୍ଷା କାରଣରୁ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ପ୍ରାୟ ୮୦ ଲକ୍ଷ ଟନ ହୋଇଗଲା । ତନ୍ମଧ୍ୟରୁ ପ୍ରାୟ ୨୫ ହଜାର ଟନ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ର ଜଳକୁ ପ୍ରବେଶ କରିସାରିଛି । କୋଭିଡ ଯୋଗୁଁ ଉତ୍ପନ୍ନ ହୋଇଥିବା ବର୍ଦ୍ଧିତ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାର ନୂତନ ଆହ୍ୱାନ ନୀତି ନିର୍ଦ୍ଧାରକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କୋଭିଡ ସମୟରେ ୨୦୨୦ରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ରେକର୍ଡ ନିମ୍ନସ୍ତରରେ ପହଞ୍ଚିବା ପରେ ୨୦୨୧ରେ ତାହା ପୁଣି ପ୍ରାକ୍-କୋଭିଡ ସ୍ତରକୁ ପ୍ରତ୍ୟାବର୍ତ୍ତନ କରିବା ଉଦବେଗଜନକ । ତେବେ ଆମେରିକା ଓ ୟୁରୋପୀୟ ୟୁନିଅନ ଦେଶମାନଙ୍କରେ ତାହା ୨୦୧୯ ସ୍ତରଠାରୁ କମ ଥିବା ବେଳେ ଚୀନ ଓ ଭାରତ ଭଳି ବଡ ଦେଶରେ ତାହା ଯଥାକ୍ରମେ ୫.୫ ଓ ୪.୪ ପ୍ରତିଶତ ଅଧିକ ହେବା ବାସ୍ତବିକ ଚିନ୍ତାର କାରଣ ।

ଭାରତ ନିଜ ପାଇଁ ୨୦୭୦ ସୁଦ୍ଧା ଶୁନ୍ୟ-ନିର୍ଗମନର ଲକ୍ଷ୍ୟ ଧାର୍ଯ୍ୟ କରିଛି । କୋଇଲା ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ଆବଶ୍ୟକ ପୁଞ୍ଜିର ଅଭାବ ଯୋଗୁଁ ଭାରତ ପକ୍ଷରେ ଏହି ଲକ୍ଷ୍ୟ ହାସଲ କରିବା ସହଜ ହେବନାହିଁ । କାରଣ ଭାରତ ଏହାର ଶକ୍ତି ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ କୋଇଲା, ପେଟ୍ରୋଲ ଜାତ ଦ୍ରବ୍ୟ ଭଳି ଜୀବାସ୍ମ (ଫସିଲ) ଇନ୍ଧନ ମାଧ୍ୟମରେ ପୂରଣ କରିଥାଏ । ଭାରତକୁ ୨୦୭୦ ସୁଦ୍ଧା ଶୂନ୍ୟ ନିର୍ଗମନ (ଜିରୋ ଏମିସନ) ଲକ୍ଷ୍ୟ ହାସଲ କରିବାକୁ ହେଲେ ଯଥାଶୀଘ୍ର ଜୀବାସ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରି ଅକ୍ଷୟ ଶକ୍ତିର ବ୍ୟବହାରକୁ ବହୁ ଗୁଣ କରିବାକୁ ହେବ । ୨୦୩୦ ସୁଦ୍ଧା ଭାରତ ଅଧିକ ପରିମାଣରେ ପରିଚ୍ଛନ୍ନ ଶକ୍ତି ପାଇବା ପାଇଁ ଅଣପାରମ୍ପରିକ ଉତ୍ସରୁ ୫୦୦ ଗିଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେଥିପାଇଁ ୨୦୩୦ ପର୍ଯ୍ୟନ୍ତ ବାର୍ଷିକ ପ୍ରାୟ ୧.୫ରୁ ୨ ଲକ୍ଷ କୋଟି ଟଙ୍କା ନିବେଶର ଆବଶ୍ୟକତା ରହିଛି । ହେଲେ ବର୍ତ୍ତମାନ ବାର୍ଷିକ ମାତ୍ର ୭୫ ହଜାର କୋଟି ଟଙ୍କା ନିବେଶ କରାଯାଇପାରୁଛି । ଅନ୍ୟ ପକ୍ଷରେ ଜୀବାସ୍ମ ଇନ୍ଧନର ଉତ୍ପାଦନ ଓ ବ୍ୟବହାରରୁ ରାଜକୋଷକୁ ସମଗ୍ର ଆୟର ପ୍ରାୟ ୧୮ ପ୍ରତିଶତ ମିଳିଥାଏ । ତେଣୁ ଜୀବାସ୍ମ ଇନ୍ଧନର ପରିହାର ସହିତ ଦେଶକୁ ଅନୁରୂପ ପରିମାଣର ଆୟ ମଧ୍ୟ ହରାଇବାକୁ ହେବ । ଉଭୟ ଆୟ ହ୍ରାସ ଓ ବ୍ୟୟ ବୃଦ୍ଧି ଯୋଗୁଁ ରାଜକୋଷ ଉପରେ ଅତ୍ୟଧିକ ବୋଝ ପଡିବାକୁ ଯାଉଥିବାରୁ ଜୀବାସ୍ମ ଇନ୍ଧନର ପରିହାର ଓ ଅକ୍ଷୟ ଶକ୍ତିରେ ନିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ମଧ୍ୟ ଆବଶ୍ୟକତା ରହିଛି । ବିଡମ୍ୱନା ଏହି ଯେ ଭାରତ ଆର୍ଥିକ ଦୃଷ୍ଟିରୁ ଯେତିକି ସମୃଦ୍ଧ ହେଉଥିବ ଭାରତୀୟଙ୍କ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇ ସେମାନଙ୍କ ଶକ୍ତି ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବ, ଯାହା ପରିବେଶଗତ ସୁରକ୍ଷା ପ୍ରତି ମଧ୍ୟ ନୂଆ ନୂଆ ଆହ୍ୱାନ ସୃଷ୍ଟି କରିବ । ତେଣୁ ଶକ୍ତି ଅପଚୟକୁ ରୋକିବା ପାଇଁ ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ଜରୁରୀ ହୋଇପଡିବ । ଏଭଳି ସ୍ଥିତିର ସମ୍ମୁଖୀନ ହେବା ପାଇଁ ଏକ ଦୃଢ ଏବଂ ପ୍ରଭାବୀ ନୀତିର ରୂପରେଖ ପ୍ରସ୍ତୁତ ହେବା ଆବଶ୍ୟକ ଯେଉଁଥିରେ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ଲାଗି ଆନ୍ତରିକତା ପ୍ରଦର୍ଶିତ ହେବା ଉଚିତ । ଏଥି ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ହୁଏତ ଭବିଷ୍ୟତରେ ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥିତି ଉନ୍ନତ ହେବା ସହ ଭାରତ ସ୍ୱଚ୍ଛନ୍ଦରେ ଶୂନ୍ୟ-ନିର୍ଗମନ ଲକ୍ଷ୍ୟ ହାସଲର ନିକଟତର ହୋଇପାରିବ ।


Published in Odisha Reporter on October 29, 2022

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍