Skip to main content

ସମ୍ବିଧାନକୁ ସାକ୍ଷୀ ରଖି ଏକ ନିଆରା ବିବାହ

ଗତ ଗଣତନ୍ତ୍ର ଦିବସରେ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପରେ ଦୁଇ ସମ୍ପନ୍ନ ପରିବାରର ଉଚ୍ଚଶିକ୍ଷିତ ବରକନ୍ୟା ମାନବବାଦୀ ଓ ହେତୁବାଦୀ ମତାଦର୍ଶରେ ଅଗ୍ନିକୁ ସାକ୍ଷୀ ରଖି ନୁହେଁ ବରଂ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ । ତାହା ଅନେକଙ୍କ ପାଇଁ ଉତ୍ସୁକତାର ବିଷୟ ହୋଇଥିଲେ ମଧ୍ୟ ସେଠାରେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ଥିବା ପ୍ରାୟ ସମସ୍ତେ ଏହି ନିଆରା ବିବାହର ଆନନ୍ଦ ନେବା ସହ ସେମାନଙ୍କ ଏହି ଉନ୍ନତ ଚିନ୍ତାଧାରା ପାଇଁ ସାଧୁବାଦ ଜଣାଇଥିଲେ । ସବୁଠାରୁ ବଡ କଥା ହେଲା ପାରମ୍ପରିକ ଭାବେ ବିବାହ କର୍ମକାଣ୍ଡ ସମ୍ପାଦନ ପାଇଁ କୌଣସି ପୁରୋହିତ ନଥିଲେ କି ମନ୍ତ୍ରୋଚ୍ଚାରଣ ହୋଇ ନଥିଲା । ଦୁଇ ଜଣ ବୟୋଜ୍ୟେଷ୍ଠ ହେତୁବାଦୀଙ୍କ ଦ୍ୱାରା ଉଭୟ ବର କନ୍ୟାଙ୍କୁ ସମ୍ବିଧାନକୁ ସାକ୍ଷୀ ରଖି ଏକ ଶପଥ ପାଠ କରାଯାଇଥିଲା, ଯାହାର ପ୍ରାରୂପ ଏହି ପ୍ରକାରେ-
“ଆମେ ଆଜି ଗଣତନ୍ତ୍ର ଦିବସ ଆମର ବିବାହ ଉତ୍ସବ ଅବସରରେ ସମ୍ବିଧାନକୁ ଛୁଇଁ ଶପଥ କରୁଛୁ ଯେ ଆଜିଠାରୁ ପତି-ପତ୍ନୀ ଭାବରେ ଆମେ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଛୁ । ଆମେ ଘୋଷଣା କରୁଛୁ ଯେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପରସ୍ପର ପ୍ରତି ଅନୁରକ୍ତ ଓ ବିଶ୍ୱସ୍ତ ରହି ପାରିବାରିକ ଓ ସାମାଜିକ ଜୀବନ ସୁଚାରୁ ରୂପେ ଅତିବାହିତ କରିବୁ । ଅମେ ଉଭୟେ ଉଭୟଙ୍କ ସ୍ୱାଧୀନତା ଓ ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ଯଥାରୀତି ସମ୍ମାନ ଦେଇ ଜୀବନସାଥୀ ଭାବେ ଜୀବନ ନିର୍ବାହ କରିବୁ । କେବେ ବି ମତାନ୍ତରକୁ ମନାନ୍ତରରେ ପରିଣତ ହେବାକୁ ଦେବୁ ନାହିଁ । ଆଜୀବନ ସମସ୍ତ କାର୍ଯ୍ୟ ଓ ନିଷ୍ପତ୍ତି ପରସ୍ପର ମଧ୍ୟରେ ବୁଝାମଣା ଓ ସହଯୋଗର ଆଧାରରେ ସମ୍ପାଦନ କରିବୁ । ପାରିବାରିକ ଜୀବନରେ ଆମେ ସମସ୍ତ ପ୍ରକାର ହିଂସା, ଦ୍ୱେଷ, ଘୃଣା ଓ ଅଶାଳୀନ ବ୍ୟବହାରକୁ ପରିହାର କରିବୁ । ଆମେ ଉଭୟେ ଉଭୟଙ୍କ ପିତାମାତାଙ୍କର ଯତ୍ନ ନେବୁ । ସତ୍ୟ ଓ ବିବେକକୁ ପ୍ରାଧାନ୍ୟ ଦେବୁ । ଭିତ୍ତିହୀନ ପରମ୍ପରାକୁ ଅସ୍ୱୀକାର କରି ମାନବବାଦ ଓ ବିଜ୍ଞାନ ଆଧାରିତ ଜୀବନ ଯାପନ କରିବୁ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଜୀବନ ସହ ପ୍ରତ୍ୟେକ ଆହ୍ୱାନ ଓ ସମସ୍ୟାକୁ ପାରସ୍ପରିକ ବୁଝାମଣା ଓ ସହଯୋଗ ଭିତିରେ ସମ୍ମୁଖୀନ ହେବୁ । କୌଣସି ପରିସ୍ଥିତିରେ ଜାତି, ଧର୍ମ, ଲିଙ୍ଗ, ଭାଷା, ଆଞ୍ଚଳିକତା ଆଦି ବିଭେଦକୁ ପ୍ରଶ୍ରୟ ଦେବୁ ନାହିଁ ।”

ହିନ୍ଦୁ ଶାସ୍ତ୍ରାନୁସାରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ଓ ଜନ୍ମମୃତ୍ୟୁର କୁଚକ୍ରରୁ ମୁକ୍ତି ପାଇବା ପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ମାର୍ଗ । ପୁରୁଷର ମୋକ୍ଷ ଅନ୍ୱେଷଣରେ ତାକୁ ସାହାଯ୍ୟ କରିବା ସ୍ତ୍ରୀର ପରମ କର୍ତ୍ତବ୍ୟ ।  ଶାସ୍ତ୍ରମତେ ଅନୁଷ୍ଠିତ ହେଉଥିବା ଆଠ ପ୍ରକାର ବିବାହ ପଦ୍ଧତି ଯଥା, ବ୍ରାହ୍ମ, ଦୈବ, ଆର୍ସ, ପ୍ରଜାପତେୟ, ଗାନ୍ଧର୍ବ, ଅସୁର, ରାକ୍ଷସ, ପୈଶାଚ ମଧ୍ୟରୁ କେବଳ ଗାନ୍ଧର୍ବ ପଦ୍ଧତିରେ ଜୀବନସାଥୀ ଚୟନ ନିଷ୍ପତ୍ତିରେ କନ୍ୟାର ମତକୁ ଗୁରୁତ୍ୱ ଦିଆଯାଇଥାଏ । ପୁରୁଷ କୈନ୍ଦ୍ରିକ ସମାଜରେ ଅନ୍ୟ ସାତ ପ୍ରକାର ବିବାହ ପଦ୍ଧତିରେ ବାପା ହିଁ ନିଷ୍ପତ୍ତି ନେବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଫଳରେ ବିବାହ ଅନୁଷ୍ଠାନରେ ଧର୍ମ, ସମାଜ, ସଂସ୍କୃତିର ଦ୍ୱାହି ଦେଇ ନାରୀଟିଏକୁ ଏପରି ନିର୍ଯାତନାର ଶିକାର ହେବାକୁ ହୋଇଥାଏ ଯେ ସେ ଆଉ ନିଜକୁ ପୁରୁଷର ସମାସ୍କନ୍ଧ ବୋଲି ମନେ କରିପାରେ ନାହିଁ ।

ପ୍ରଚଳିତ ବ୍ୟବସ୍ଥାର ବିରୋଧ କରି ବିବାହ ଅନୁଷ୍ଠାନରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ସମୟରେ ସମାଜ ସଂସ୍କାରକମାନେ ଉଦ୍ୟମ କରି ଆସିଛନ୍ତି । ସେହି କ୍ରମରେ ହେତୁବାଦୀଙ୍କ ଦ୍ୱାରା ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡର ଊର୍ଦ୍ଧ୍ୱରେ ରହି ଏପରି ବିବାହ ଅନୁଷ୍ଠାନ ଆୟୋଜିତ ହେବା ଆଉ ଏକ ସଂସ୍କାରମୂଳକ ପଦକ୍ଷେପ । ଏଥିରେ ବରକନ୍ୟାଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରା ଯାଉଥିବାରୁ ଉଭୟଙ୍କ ଜାତି ପ୍ରସଙ୍ଗହୀନ ହୋଇଥାଏ । ବର କନ୍ୟାଙ୍କ ଜାତକ ମେଳ କରାଯାଇ ନଥାଏ । ତା ସ୍ଥାନରେ ବିଜ୍ଞାନସମ୍ମତ ଭାବେ ଉଭୟଙ୍କ ରକ୍ତ ପରୀକ୍ଷା କରାଯାଇଥାଏ । ଜାତକ ମେଳ କରାଯାଉ ନଥିବାରୁ ଜ୍ୟୋତିଷ ସ୍ଥିର କରୁଥିବା ତିଥି ଅପ୍ରାସଙ୍ଗିକ ହୋଇ ପଡେ । ବେଳେବେଳେ ଏକା ତିଥିରେ ଅନେକ ବିବାହ ଅନୁଷ୍ଠିତ ହେଉଥିବାରୁ ବର କନ୍ୟା ପକ୍ଷ ଅଯଥା ଖର୍ଚ୍ଚାନ୍ତ ହେବା ସହ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରି ବିବାହରେ ଉଭୟ ପକ୍ଷର ସୁବିଧାନୁସାରେ ମଣ୍ଡପର ଉପଲବ୍ଧତାକୁ ଦୃଷ୍ଟିରେ ରଖି ବିବାହ ଦିନ ସ୍ଥିର ହେଉଥିବାରୁ ଉପରୋକ୍ତ ଅସୁବିଧାକୁ ଏଡାଇ ଦେଇ ହୁଏ ଓ ଉଭୟ ପକ୍ଷ ଅଯଥା ଖର୍ଚ୍ଚାନ୍ତ ହେବାରୁ ବର୍ତ୍ତି ଯାଆନ୍ତି । ଏଥିରେ କୌଣସି ଯୌତୁକ ଆଦାନପ୍ରଦାନ ହୋଇ ନଥାଏ । ବିବାହରେ ଡିଜେ, ବାଜା, ନାଚ, ରୋଷଣି ସହ ପ୍ରୋସେସନ ଓ ଅନ୍ୟାନ୍ୟ ଆଡମ୍ବର ନଥିବାରୁ ବାୟୁ, ଜଳ, ମୃତ୍ତିକା ଓ ଶବ୍ଦ ପ୍ରଦୂଷଣକୁ ଏଡାଇ ଦେଇହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିବାହ କାର୍ଯ୍ୟରେ କୌଣସି ମନ୍ତ୍ରୋଚ୍ଚାରଣ ହେଉ ନଥିବାରୁ ବା କର୍ମକାଣ୍ଡ ସମ୍ପାଦନ ହେଉ ନଥିବାରୁ ବ୍ରାହ୍ମଣଙ୍କୁ ନିୟୋଜିତ କରିବାର ଆବଶ୍ୟକତା ନ ଥାଏ । ବିବାହ ଅନୁଷ୍ଠାନରେ ବ୍ରାହ୍ମଣବାଦର ପ୍ରଭାବକୁ ହ୍ରାସ କରିବା ପାଇଁ ଏହା ଏକ ପଦକ୍ଷେପ ହୋଇପାରେ । ଅନ୍ୟ ପକ୍ଷରେ ସମ୍ବିଧାନକୁ ସାକ୍ଷୀ ରଖି ଏହି ବିବାହ ଅନୁଷ୍ଠିତ ହେଉଥିବାରୁ ଉଭୟେ ଦେଶପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ସହ ସମ୍ବିଧାନର ଗୁରୁତ୍ୱ ସମ୍ପର୍କରେ ସଚେତନ ହୋଇଥାନ୍ତି । ଶପଥ ପାଠ ପରେ ଉଭୟ ବରକନ୍ୟା ଗଛ ଲଗାଇବା, ରକ୍ତଦାନ କରିବା ଭଳି କୌଣସି ଗୋଟିଏ ଭଲ କାମ କରି ଦାମ୍ପତ୍ୟ ଜୀବନର ଶୁଭାରମ୍ଭ କରିଥାନ୍ତି । କୌଣସି ଆର୍ଥିକ ଲାଭର ପ୍ରତ୍ୟାଶା ନରଖି ଏପରି ବିବାହର ପ୍ରତିଟି ପାହାଚରେ ଆଦର୍ଶକୁ ଗୁରୁତ୍ୱ ଦିଆଯାଉଥିବାରୁ ବରକନ୍ୟାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବା ଆଶା କରାଯାଏ । ଇତି ମଧ୍ୟରେ ଏହି ପଦ୍ଧତିରେ ବିଭିନ୍ନ ସ୍ଥାନରେ ଅନେକ ବିବାହ ଅନୁଷ୍ଠିତ ହୋଇ ସାରିଲାଣି । ତେବେ ଏପରି ବିବାହକୁ ଅଧିକ ସରଳ ଓ ନିରାଡମ୍ବର କରିବା ପାଇଁ ବିବାହ ଭୋଜିରେ ଅତିଥିଙ୍କୁ ନିମନ୍ତ୍ରଣ କଲା ବେଳେ ସେ ସମ୍ପର୍କୀୟ ଆଇନର ଅନୁପାଳନ ହୋଇ ପାରିଲେ ଭଲ ।

ବିତ୍ତଶାଳୀ ବର୍ଗଙ୍କ ଦ୍ୱାରା ବିବାହକୁୁ ଆଡମ୍ବର ସହକାରେ କରିବା ଦ୍ୱାରା ତାହା କ୍ରମଶଃ ଅଧିକ ବ୍ୟୟବହୁଳ ହୋଇ ପଡୁଛି ଓ ତାର କୁପ୍ରଭାବ ସମାଜର ନିମ୍ନ ବର୍ଗ ଉପରେ ପଡୁଛି । ଫଳସ୍ୱରୂପ ଅନେକ ପରିବାର ଦାରିଦ୍ର‌୍ୟ ଭିତରକୁ ଠେଲି ହୋଇ ଯାଉଛନ୍ତି । ତେଣୁ ବିବାହ ଅନୁଷ୍ଠାନକୁ ନିରାଡମ୍ବର କରିବା ଦିଗରେ ଏ ଭଳି ସମସ୍ତ ଉଦ୍ୟମ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ତେବେ ବିବାହ ଦୁଇଟି ମଣିଷଙ୍କ ମିଳନ ହୋଇଥିବାରୁ ସେମାନେ ଦୁଇଟି ଭିନ୍ନ ଭିନ୍ନ ଦେଶର ମଧ୍ୟ ହୋଇପାରନ୍ତି । ସେ କ୍ଷେତ୍ରରେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ହୁଏତ ଯୁକ୍ତିଯୁୁକ୍ତ ହୋଇ ନ ପାରେ । ତା ଛଡା ବିବାହ ଭଳି ଏକ ବ୍ୟକ୍ତିଗତ ବ୍ୟାପାର ସହ ଦେଶ ଓ ସମ୍ବିଧାନକୁ ଯୋଡିବା ହୁଏତ ବିତର୍କର ବିଷୟ ହୋଇପାରେ । ତେବେ ମାନବତାର ବିଶାଳ ଦୃଷ୍ଟିଭଙ୍ଗୀରେ ଏ ଭଳି ଅଧିକ ସଂଖ୍ୟକ ସରଳ ଓ ନିରାଡମ୍ବର ବିବାହ ଅନୁଷ୍ଠିତ ହୋଇ ପାରିଲେ ତାହା ସମାଜ ପାଇଁ ମଙ୍ଗଳକର ହେବ ।

Published in Odisha Reporter on March 09, 2020

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍