ମନୋରଞ୍ଜନ କ୍ଷେତ୍ରରେ ନାଟକ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଓ ମାନବ ଜୀବନରେ ତାହା ଯେଉଁ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇଥାଏ ସେ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୬୧ ମସିହାରୁ ଷାଠିଏ ବର୍ଷ ଧରି ଇଣ୍ଟରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖଟି ବିଶ୍ୱ ନାଟ୍ୟ ଦିବସ ରୂପେ ପାଳିତ ହୋଇଆସୁଛି । ଏହି ଅବସରରେ ବିଶ୍ୱର ଜଣେ ନିର୍ବାଚିତ ସ୍ଵନାମଧନ୍ୟ ନାଟ୍ୟକାର ବା ନାଟ୍ୟ ବ୍ୟକ୍ତିତ୍ୱଙ୍କଠାରୁ ବାର୍ତ୍ତା ସଂଗୃହୀତ ହୋଇଥାଏ ଯେଉଁଥିରେ ନାଟକ ଓ ତାର ଭବିଷ୍ୟତକୁ ନେଇ ସେ ନିଜର ଦୃଷ୍ଟିଭଙ୍ଗୀ ରଖିଥାନ୍ତି । ପ୍ରଦତ୍ତ ବାର୍ତ୍ତାଟି ୫୦ଟିରୁ ଊର୍ଦ୍ଧ୍ୱ ଭାଷାରେ ଅନୁଦିତ ହୋଇ ସେହି ବର୍ଷର ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତା ରୂପେ ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଥାଏ । ୧୯୬୨ରେ ପ୍ରସାରିତ ପ୍ରଥମ ବାର୍ତ୍ତାଟି ପ୍ରଦାନ କରିଥିଲେ ଫରାସୀ ନାଟ୍ୟକାର ଜଁ କୁକତୁ । ୨୦୦୨ ମସିହା ବିଶ୍ୱ ନାଟ୍ୟ ଦିବସ ଅବସରରେ ପ୍ରଖ୍ୟାତ ନାଟ୍ୟକାର ଗିରିଶ କନ୍ନଡଙ୍କ ପ୍ରଦତ୍ତ ବାର୍ତ୍ତା ପ୍ରସାରିତ ହୋଇଥିଲା ।
ଏ ବର୍ଷ ପାଇଁ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରସିଦ୍ଧ ପାକିସ୍ତାନୀ ନାଟ୍ୟକାର ସାହିଦ ନଦିମ । ୧୯୪୭ରେ କାଶ୍ମୀରର ସୋପୋରଠାରେ ଜନ୍ମିତ ନଦିମ ପାକିସ୍ତାନର ‘ଆଜୋକା ଥିଏଟର’ର ମୁଖ୍ୟ । ଭାରତ ବିଭାଜନ ସମୟରେ ସେ ମାତ୍ର ବର୍ଷକର ହୋଇଥିଲା ବେଳେ ତାଙ୍କ ପରିବାର ପାକିସ୍ତାନକୁ ପଳାୟନ କରି ଲାହୋରରେ ରହି ଯାଇଥିଲେ । ସେଠାରେ ସେ ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ଲଣ୍ଡନରେ ରାଜନୈତିକ ନିର୍ବାସନରେ ଥାଇ ନାଟ୍ୟ ନିର୍ଦ୍ଦେଶିକା ମଦିହା ଗୌହରଙ୍କ ସ୍ଥାପିତ ପାକିସ୍ତାନର ଅସନ୍ତୁଷ୍ଟ ନାଟ୍ୟଗୋଷ୍ଠୀ ‘ଆଜୋକା’ ପାଇଁ ସେ ନିୟମିତ ନାଟ୍ୟ ରଚନା କରୁଥିଲେ । ପରବର୍ତ୍ତୀ ସମୟରେ ସେ ଗୌହରଙ୍କୁ ଧର୍ମପତ୍ନୀ ରୂପେ ଗ୍ରହଣ କରିଥିଲେ । ସେ ପଞ୍ଜାବୀ ଓ ଉର୍ଦ୍ଦୁ ଭାଷାରେ ପଚାଶଟିରୁ ଅଧିକ ନାଟକ ରଚନା କରିବା ସହିତ ବେରତୋଲଟ ବ୍ରେକଟଙ୍କ କିଛି ନାଟକର ଅନୁସୃଜନ ମଧ୍ୟ କରିଛନ୍ତି । ତାଙ୍କ ଚର୍ଚ୍ଚିତ ମଞ୍ଚ ନାଟକଗୁଡିକ ହେଲା 'ବୁରକାଭଗଞ୍ଜା', 'ହୋଟେଲ ମହେଞ୍ଜୋଦାରୋ', 'ଅମରିକା ଚଲୋ', 'ଦାରା' ଇତ୍ୟାଦି । ତାଙ୍କ ନାଟକଗୁଡିକରେ ସଙ୍ଗୀତ ଏକ ବଡ ଭୂମିକା ନିର୍ବାହ କରିଥାଏ । ମହିଳାଙ୍କ ଉପରେ ହେଉଥିବା ହିଂସା, ଧାର୍ମିକ ଉଗ୍ରବାଦ, ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ, ଅଭିବ୍ୟକ୍ତିର ସ୍ୱାଧୀନତା, ଜଳବାୟୁ ପରିବର୍ତ୍ତନ, ଶାନ୍ତି, ସୁଫିବାଦ ଭଳି ସାମାଜିକ ପ୍ରାସଙ୍ଗିକତା ଥିବା ବିବାଦାସ୍ପଦ ବିଷୟଗୁଡିକ ଉପରେ ହିଁ ତାଙ୍କ ନାଟକଗୁଡିକ ପର୍ଯ୍ୟବସିତ । ତାଙ୍କର ଏହି ଭିନ୍ନ ସ୍ଵାଦର ନାଟ୍ୟ ରଚନା ପାଇଁ ସେ ଅନେକ ସମୟରେ ପାକିସ୍ତାନର ଭିନ୍ନ ଭିନ୍ନ ସାମରିକ ଶାସକଙ୍କ ଚକ୍ଷୁଶୂଳ ହୋଇଛନ୍ତି । ଫଳରେ ତାଙ୍କୁ ତିନି ଥର ଜେଲଦଣ୍ଡ ମଧ୍ୟ ଭୋଗିବାକୁ ହୋଇଛି । ୧୯୭୮ ମସିହାରେ ଜେନେରାଲ ଜିଆ ଉଲ ହକଙ୍କ ଶାସନ କାଳରେ ନଦିମ ପାକିସ୍ତାନ ଟେଲିଭିଜନ କର୍ପୋରେସନର କର୍ମଚାରୀ ସଂଗଠନର ଜଣେ ନେତା ଥିବା ବେଳେ ତାଙ୍କୁ ତାଙ୍କର କିଛି ସହଯୋଗୀ ପ୍ରଯୋଜକ ଓ କ୍ୟାମେରାମ୍ୟାନଙ୍କ ସହ ଏକ ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ପଡିଥିଲା । ସେଥିପାଇଁ ତାଙ୍କୁ ବର୍ଷେ ଜେଲ ଦଣ୍ଡ ଦିଆଯାଇ ରାଓଲପିଣ୍ଡିର କୁଖ୍ୟାତ ମିଆଁଓ୍ଵାଲି ଜେଲରେ ରଖା ଯାଇଥିଲା । ଅବଶ୍ୟ ଆମନେଷ୍ଟି ଇଣ୍ଟରନ୍ୟାସନାଲ ତାଙ୍କୁ ରାଜନୈତିକ ବନ୍ଦୀର ମାନ୍ୟତା ପ୍ରଦାନ କରିଥିଲା । ସେଠାରେ ଅବସ୍ଥାନ କାଳରେ ସେ ବନ୍ଦୀମାନଙ୍କ ଦ୍ୱାରା ପ୍ରତି ସପ୍ତାହରେ ପ୍ରଦର୍ଶିତ ହେଉଥିବା ନାଟକର ରଚନା କରୁଥିଲେ । ତାଙ୍କ ରଚିତ ବିଭିନ୍ନ ନାଟକ ଭାରତ, ଇଂଲଣ୍ଡ, ଆମେରିକା, ଡେନମାର୍କ, ନରଓ୍ଵେ ଆଦି ଦେଶମାନଙ୍କରେ ପ୍ରଦର୍ଶିତ ହେବା ସହ କିଛି ନାଟକ ଇଂରାଜୀରେ ମଧ୍ୟ ଅନୁବାଦ ହୋଇଛି । ତାଙ୍କୁ ୨୦୦୯ ମସିହାରେ ‘ପ୍ରଦର୍ଶନ ଗୌରବ’ ରୂପେ ପାକିସ୍ତାନ ରାଷ୍ଟ୍ରପତିଙ୍କ ପଦକ ପ୍ରଦାନ କରାଯାଇଥିଲା । ସେ ‘ଗେଟି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ’, ‘ପେନ ଇଣ୍ଟରନ୍ୟାସନାଲ’, ‘ନ୍ୟାସନାଲ ଏଣ୍ଡାଓମେଣ୍ଟ ଫର ଡେମୋକ୍ରାସି’ ଆଦି ସଂସ୍ଥାମାନଙ୍କରେ ଫେଲୋ ଭାବେ କାମ କରିବା ସହ ‘ଥିଏଟର ଓ୍ଵିଦାଉଟ ବର୍ଡର୍ସ’ ନେଟଓ୍ଵାର୍କର ଜଣେ ସଦସ୍ୟ ଅଛନ୍ତି ।
ସାହିଦ ନଦିମ ଦେଇଥିବା ବାର୍ତ୍ତାର କିୟଦଂଶ ନିମ୍ନ ପ୍ରକାରେ - “ମୁଁ ଏମିତି ଏକ ମୁସଲମାନ ବହୁଳ ଦେଶରୁ ଆସିଛି, ଯେଉଁ ଦେଶ ଅନେକ ସାମରିକ ଏକଛତ୍ରବାଦୀ ଶାସକ, ଧାର୍ମିକ ମୌଳବାଦୀଙ୍କ ଆକ୍ରମଣ, ହଜାର ହଜାର ବର୍ଷ ଧରି ଏକା ଇତିହାସ ଓ ଐତିହ୍ୟର ଅଂଶ ବିଶେଷ ହୋଇ ରହିଥିବା ପଡୋଶୀ ଭାରତ ସହ ତିନିଟି ଯୁଦ୍ଧକୁ ଦେଖିଛି । ଉଭୟ ଦେଶ ପରମାଣୁ ଶକ୍ତିସମ୍ପନ୍ନ ହୋଇଥିବାରୁ ଆଜି ଆମେ ଏକ ପରମାଣୁ ଯୁଦ୍ଧର ଆତଙ୍କ ଭିତରେ ବଞ୍ଚିଛୁ ।”
“ବେଳେବେଳେ ଆମେ ଥଟ୍ଟାରେ କହିଥାଉ, ‘ଖରାପ ସମୟ ନାଟକ ପାଇଁ ଭଲ ସମୟ’ । ଆହ୍ୱାନର ମୁକାବିଲା କରିବା, ବିରୋଧାଭାସକୁ ଉଦଭାସିତ କରିବା, ସ୍ଥିତାବସ୍ଥାକୁ ପରାଭୂତ କରିବା ପାଇଁ ଅବକାଶର ଅଭାବ ନାହିଁ । ଗଲା ୩୬ ବର୍ଷ ଧରି ମୁଁ ଓ ମୋ ନାଟ୍ୟଦଳ ଏପରି ବନ୍ଧା ଯାଇଥିବା ଟାଣ ଦଉଡି ଉପରେ ଚାଲି ଆସିଛୁ । ଏହା ପ୍ରକୃତରେ ଏକ ଟାଣ ଦଉଡି: ମନୋରଞ୍ଜନ ଓ ଶିକ୍ଷା ଭିତରେ, ଅତୀତରୁ ଖୋଜି ଓ ଶିଖି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଭିତରେ, ରଚନାତ୍ମକ ମୁକ୍ତ ଅଭିବ୍ୟକ୍ତି ଓ ଅଧିକାରର ସହ ସାହସିକ ପ୍ରଦର୍ଶନ କରିବା ଭିତରେ, ସାମାଜିକ ବିସଙ୍ଗତିକୁ ସମାଲୋଚନା କରି ଆର୍ଥିକ ଦୃଷ୍ଟିରୁ ସାଧ୍ୟ ହେବା ଭିତରେ, ସାଧାରଣ ଲୋକଙ୍କ ନିକଟରେ ପହଞ୍ଚ ବଢାଇ ଉଚ୍ଚାଙ୍ଗ ନାଟକ ପରିବେଷଣ ଭିତରେ, ସନ୍ତୁଳନ ରକ୍ଷା କରିବା । କେହି କେହି କହିପାରନ୍ତି ଜଣେ ନାଟ୍ୟ ପ୍ରଯୋଜକଙ୍କୁ ଯାଦୁକର ବା ଐନ୍ଦ୍ରଜାଲିକ ହେବାକୁ ହେବ ।”
“ପାକିସ୍ତାନରେ ‘ପବିତ୍ର’ ଓ ‘ଅପବିତ୍ର’ଙ୍କ ମଧ୍ୟରେ ଏକ ପରିଷ୍କାର ବିଭାଜନ ରହିଛି । ଅପବିତ୍ରଙ୍କ ପକ୍ଷରେ ଧର୍ମକୁ ନେଇ ପ୍ରଶ୍ନ କରିବା ସମ୍ଭବପର ହେଉ ନଥିବା ବେଳେ ପବିତ୍ରଙ୍କ ପାଇଁ ଉନ୍ମୁକ୍ତ ବିତର୍କ ଓ ନୂଆ ବିଚାରର ସମ୍ଭାବନା ନାହିଁ । ବାସ୍ତବରେ, ରକ୍ଷଣଶୀଳ ବ୍ୟବସ୍ଥା କଳା ଓ ସଂସ୍କୃତିକୁ ଏହାର ‘ପବିତ୍ର ଖେଳ’ର ପରିସୀମା ବାହାରର ବୋଲି ମନେ କରିଥାଏ । ତେଣୁ ପ୍ରଦର୍ଶନ ଶିଳ୍ପୀଙ୍କ ପାଇଁ ଖେଳ ପଡିଆ ଏକ ବାଧା ଦୌଡର ଟ୍ରାକ ସଦୃଶ ହୋଇଥାଏ । ସେମାନଙ୍କୁ ପ୍ରଥମେ ନିଜକୁ ଜଣେ ଭଲ ମୁସଲମାନ ଓ ଆଇନକୁ ମାନୁଥିବା ନାଗରିକ ବୋଲି ସାବ୍ୟସ୍ତ କରିବାକୁ ହେବ, ଆଉ ଇସଲାମରେ ନୃତ୍ୟ, ସଙ୍ଗୀତ ଓ ନାଟକ ‘ସ୍ୱୀକୃତ’ ବୋଲି ବୁଝାଇବାକୁ ହେବ ।” ଅର୍ଥାତ୍, ସେଥିରେ ଉତ୍ତୀର୍ଣ୍ଣ ହେଲା ପରେ ଯାଇ ନାଟକ ବା ଅନ୍ୟ କଳାର ପ୍ରଦର୍ଶନ କଥା ଚିନ୍ତା କରା ଯାଇପାରେ ।
ସାହିଦ ତାଙ୍କ ବାର୍ତ୍ତାରେ ତାଙ୍କ ନାଟ୍ୟଦଳ ‘ଆଜୋକା’ ଦ୍ୱାରା ଅଶି ଦଶକରେ ପ୍ରସ୍ତୁତ ‘ବୁଲାହ’ ନାଟକଟିର ଅବତାରଣା କରିଛନ୍ତି । ଏହି ନାଟକଟି ୩୦୦ ବର୍ଷ ତଳର ସୁଫି କବି ବୁଲେହ ସାହାଙ୍କ ଜୀବନ ସଂଘର୍ଷ ଉପରେ ଆଧାରିତ । ଏହି ନାଟକରେ ଭ୍ରଷ୍ଟାଚାରୀ ରାଜନୈତିକ ବ୍ୟବସ୍ଥା ତଥା ଧର୍ମାନ୍ଧ ଧର୍ମୀୟଗୁରୁମାନଙ୍କୁ ବୁଲେହ ସାହାଙ୍କ ଶାଣିତ କବିତାକୁ ଆୟୁଧ କରି ଆହ୍ୱାନ ଦେବା ସହଜ ହୋଇଥିଲା । ପାକିସ୍ତାନରେ ସଫଳ ମଞ୍ଚାୟନ ପରେ ‘ବୁଲାହ’ ନାଟକଟି ଭାରତର ବିଭିନ୍ନ ସ୍ଥାନରେ ବିଶେଷ କରି ପଞ୍ଜାବରେ ପ୍ରଦର୍ଶିତ ହୋଇ ବେଶ ଆଦୃତି ଲାଭ କରିଥିଲା । ତାଙ୍କ ଭାଷାରେ ଉଭୟ ଦେଶ ମଧ୍ୟରେ ଯେତେବେଳେ ସବୁ ପ୍ରକାର ରାଜନୈତିକ ବାର୍ତ୍ତାଳାପ ଓ କୂଟନୀତିର ଦରଜା ବନ୍ଦ ହୋଇ ସାରିଥିଲା ସେତେବେଳେ ରଙ୍ଗମଞ୍ଚ ଓ ଭାରତୀୟ ଲୋକଙ୍କ ହୃଦୟର ଦୁଆର ଖୋଲା ମେଲା ଥିଲା । ୨୦୦୪ ମସିହାରେ ଅଜୋକା ଥିଏଟରର ପଞ୍ଜାବ ଟୁର ସମୟରେ ଏକ ମଫସଲ ଅଞ୍ଚଳରେ ଘଟିଥିବା ଏକ ରୋଚକ ଘଟଣାର ସେ ବର୍ଣ୍ଣନା କରିଛନ୍ତି । ନାଟକଟି ପ୍ରଦର୍ଶିତ ହୋଇ ସାରିଲା ପରେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଅଳ୍ପ ବୟସର ଗମ୍ଭୀର ଭାବେ ଅସୁସ୍ଥ ନାତିକୁ ଧରି ବୁଲାହ ସାହା ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ନିକଟରେ ପହଞ୍ଚିଲେ । ତାଙ୍କୁ ପିଲାଟିକୁ ଆଶୀର୍ବାଦ ଦେବା ପାଇଁ ଅନୁରୋଧ କରନ୍ତେ କଳାକାର ଜଣକ ହତଭମ୍ବ ହୋଇ ଯାଇଥିଲେ । ସେ ବୁଲାହ ସାହା ନୁହନ୍ତି କେବଳ ସେହି ଭୂମିକାରେ ଅଭିନୟ କରୁଥିବା ଜଣେ କଳାକାର ବୋଲି କହନ୍ତେ, ବୃଦ୍ଧ ଜଣକ କାନ୍ଦି ପକାଇ କହିଥିଲେ, ‘ଦୟାକରି ତାକୁ ଆଶୀର୍ବାଦ ଦିଅ । ମୁଁ ଜାଣେ ସେ ଭଲ ହେଇଯିବ ।’ ଶେଷରେ ଅନ୍ୟମାନଙ୍କ ଅନୁରୋଧ କ୍ରମେ କଳାକାରଜଣକ ତାଙ୍କୁ ଆଶୀର୍ବାଦ ଦେବା ପରେ ବୃଦ୍ଧଜଣକ ସନ୍ତୁଷ୍ଟ ହୋଇ କହିଲେ, ‘ପୁଅ, ତମେ ଜଣେ ଅଭିନେତା ନୁହଁ, ବୁଲାହ ସାହାଙ୍କର ପୁନର୍ଜନ୍ମର ଅବତାର ।’ ନାଟ୍ୟଦଳର ସମସ୍ତଙ୍କ ସମ୍ମୁଖରେ ଅଭିନୟ ଓ ନାଟକର ଏକ ସମ୍ପୂର୍ଣ୍ଣ ନୂଆ ଅର୍ଥ ଉଦଭାସିତ ହୋଇଗଲା, ଯେଉଁଠି ଏକ ନିର୍ଦ୍ଦିଷ୍ଟ ଭୂମିକାରେ ଅଭିନୟ କରୁଥିବା କଳାକାର ସେହି ଚରିତ୍ରର ଅବତାର ପାଲଟି ଯାଇପାରେ ।
‘ବୁଲାହ’ ନାଟକଟିର ଅନୁଭୂତିକୁ ବଖାଣିବାର ଉଦ୍ଦେଶ୍ୟ ସମ୍ପର୍କରେ ସେ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, “ରଙ୍ଗମଞ୍ଚରେ ନାଟକ କଲାବେଳେ ଆମ ନାଟକର ଦର୍ଶନ ଓ ସାମାଜିକ ପରିବର୍ତ୍ତନରେ ଆମର ଅଗ୍ରଦୂତର ଭୂମିକା ସମ୍ପର୍କରେ ବେଳେବେଳେ ଆମେ ଏତେ ଅଧିକ ଭାସି ଯାଇଥାନ୍ତି ଯେ ସାଧାରଣ ଜନତାଙ୍କୁ ପଛରେ ପକାଇ ତାଙ୍କ କଥା ଭୁଲିଯାଇଥାନ୍ତି । ଆଜିକା ଆହ୍ୱାନଗୁଡିକର ମୁକାବିଲା କରୁ କରୁ ଆମେ ନାଟକ ପ୍ରଦାନ କରି ପାରୁଥିବା ଏକ ଗଭୀର ଆଧ୍ୟାତ୍ମିକ ଅନୁଭବର ସମ୍ଭାବନାରୁ ନିଜକୁ ବଞ୍ଚିତ କରିଥାନ୍ତି । ଆଜିର ଦୁନିଆରେ ଯେଉଁଠି ଧର୍ମାନ୍ଧତା, ଘୃଣା ଓ ହିଂସା ପୁଣି ଥରେ ମୁଣ୍ଡ ଟେକୁଛି, ଦେଶ ଦେଶର ଶତୃ ପାଲଟୁଛନ୍ତି, ଗୋଟିଏ ଧର୍ମର ବିଶ୍ୱାସୀ ଅନ୍ୟ ଧର୍ମବିଶ୍ୱାସୀଙ୍କ ସହ ଲଢେଇ କରୁଛନ୍ତି, ସମ୍ପ୍ରଦାୟମାନେ ପରସ୍ପର ମଧ୍ୟରେ ଘୃଣାକୁ ବଢାଇ ଚାଲିଛନ୍ତି.... ଆଉ ଠିକ ସେତିକିବେଳେ ଶିଶୁମାନେ କୁପୋଷଣର ଶିକାର ହୋଇ ମରୁଛନ୍ତି, ଠିକ ସମୟରେ ଡାକ୍ତରୀ ସୁବିଧାର ଅଭାବରୁ ମାଆମାନେ ଶିଶୁଜନ୍ମ ବେଳେ ମୃତ୍ୟୁର ଶିକାର ହେଉଛନ୍ତି ଆଉ ଘୃଣାର ବିଚାରଧାରା ନିଜ କାୟାବିସ୍ତାର କରିଚାଲିଛି । ଆମ ପୃଥିବୀ ଏକ ଜଳବାୟୁ ଜନିତ ଚରମ ବିପତ୍ତି ଭିତରକୁ ଧସେଇ ପଶୁଛି ଓ ଚାରି ଘୋଡାସବାର (ଜନ ଅଫ ପ୍ୟାଟମସଙ୍କ ବୁକ ଅଫ ରିଭିଲେସନ ଗ୍ରନ୍ଥରେ ବର୍ଣ୍ଣିତ ଫୋର ହର୍ଷମ୍ୟାନ ଅଫ ଦି ଆପୋକାଲିପ୍ସ)ଙ୍କ ବିପତ୍ତି ଆଡକୁ ଅଗ୍ରସର ହେଉଥିବା ସେହି ଘୋଡାମାନଙ୍କ ଟାପୁ ଶବ୍ଦ ଶୁଣାଯାଉଛି । ଆମକୁ ଆମ ଆଧ୍ୟାତ୍ମିକ ଶକ୍ତିର ପୁନର୍ଜାଗରଣ କରିବାକୁ ହେବ ; ଆମକୁ ଉଦାସୀନତା, ନିଶ୍ଚେଷ୍ଟତା, ନିରାଶାବାଦ, ଲୋଭ ଓ ଆମେ ବଞ୍ଚୁଥିବା ପୃଥିବୀ ପ୍ରତି ଆମର ଅବଜ୍ଞା ବିରୁଦ୍ଧରେ ଲଢିବାକୁ ହେବ । ମାନବତାକୁ ରସାତଳଗାମୀ ହେବାରୁ ରକ୍ଷା କରି ତାଠାରେ ଶକ୍ତିସଞ୍ଚାର କରିବାରେ ନାଟକ ଏକ ମହତ ଭୂମିକା ନିର୍ବାହ କରିପାରିବ । ଏହା ରଙ୍ଗମଞ୍ଚ ଓ ପ୍ରଦର୍ଶନ ସ୍ଥଳୀକୁ ଏକ ‘ପବିତ୍ର’ ସ୍ଥାନ ଭଳି କରି ଦେଇପାରିବ ।”
ନିଜ ବାର୍ତ୍ତାର ଉପସଂହାରରେ ସେ କହିଛନ୍ତି, “ଦକ୍ଷିଣ ଏସିଆରେ କଳାକାରମାନେ ରଙ୍ଗମଞ୍ଚକୁ ପ୍ରବେଶ କଲା ବେଳେ ଭକ୍ତିର ସହ ମଞ୍ଚକୁ ସ୍ପର୍ଶ କରିଥାନ୍ତି, ଯାହା ଏକ ପ୍ରାଚୀନ ପରମ୍ପରା ଯେଉଁଥିରେ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଚେତନା ମିଶି ହୋଇ ରହିଛି । ସମୟ ଆସିଛି କଳାକାର ଓ ଦର୍ଶକ, ଅତୀତ ଓ ଭବିଷ୍ୟତ ମଧ୍ୟରେ ଥିବା ସେହି ସହଜୀବୀ ସମ୍ବନ୍ଧ (ସିମ୍ବାଇଓଟିକ ରିଲେସନ)କୁ ପୁନରୁଜ୍ଜୀବିତ କରିବାକୁ ପଡିବ । ନାଟକ କରିବା ଏକ ପବିତ୍ର କାର୍ଯ୍ୟ ହୋଇପାରିବ ଓ ସେଥିରେ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ବାସ୍ତବରେ ‘ଅବତାର’ ପାଲଟି ଯାଇପାରିବେ । ନାଟକ ଅଭିନୟର କଳାକୁ ଏକ ଆଧ୍ୟାତ୍ମିକ ସ୍ତରକୁ ଉନ୍ନୀତ କରି ପାରିବ । ରଙ୍ଗମଞ୍ଚ ଏକ ତୀର୍ଥସ୍ଥଳୀ ପାଲଟି ଯାଇ ପାରିବ ଆଉ ତୀର୍ଥସ୍ଥଳୀ ଏକ ପ୍ରଦର୍ଶନ ସ୍ଥଳୀ ।”
କିଛି ବର୍ଷ ତଳେ ସାହିଦ ନଦିମ ଭାରତ ଓ ପାକିସ୍ତାନରେ ‘ଥିଏଟର ଫର ପିସ’ (ଶାନ୍ତି ପାଇଁ ନାଟକ) ନାଟ୍ୟୋତ୍ସବର ଆୟୋଜନ କରିଥିଲେ । ଆଜିର ପରିପ୍ରେକ୍ଷୀରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ତାଙ୍କ ଭଳି ନାଟ୍ୟକାର ଓ ନାଟ୍ୟ ବ୍ୟକ୍ତିତ୍ୱଙ୍କ ଉଦ୍ୟମର ପ୍ରାସଙ୍ଗିକତାର ଯଥେଷ୍ଟ ଗୁରୁତ୍ୱ ରହିଛି ।
Published in Odisha Reporter on March 27, 2020
ବହୁତ ସୁନ୍ଦର ଆଲେଖ୍ୟ । ଧନ୍ୟବାଦ ।
ReplyDeleteଧନ୍ୟବାଦ l
DeleteOne of the best reviews on playwright, theatre,artist and their short term and long term impact on society and it's people......I have come across. My sincere thanks and salute to the author of this review.
ReplyDeleteThanks for appreciating the article and showering nice words.
Delete