Skip to main content

ଆମେ କାଗଜ ଦେଖାଇବୁନି

ସିଏଏ, ଏନପିଆର ଓ ଏନଆରସିକୁ ନେଇ ସାରା ଦେଶରେ ଏବେ ଅଶାନ୍ତି ଲାଗି ରହିଥିବା ବେଳେ ‘ହମ କାଗଜ ନହିଁ ଦିଖାଏଙ୍ଗେ’ (ଆମେ କାଗଜ ଦେଖାଇବୁନି) ନାମକ ଏକ ଶକ୍ତିଶାଳୀ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିବା ସରକାରଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି କଲାଣି । ଏହା ଏକ ପ୍ରକାର ମହାତ୍ମା ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ ସରକାରଙ୍କ ଦ୍ୱାରା ପ୍ରଣୀତ ସିଏଏ ତଥା ପ୍ରସ୍ତାବିତ ଏନପିଆର ଓ ଏନଆରସିକୁ ଶାନ୍ତିପୂର୍ଣ୍ଣ ଭାବେ ଅମାନ୍ୟ କରିବା ଲାଗି ଜନ ସାଧାରଣଙ୍କୁ ଖୋଲା ଆହ୍ୱାନ । ଇତି ମଧ୍ୟରେ ‘ଆମେ କାଗଜ ଦେଖାଇବୁନି’ ଆନ୍ଦୋଳନ ‘ଆମେ ଭାରତବାସୀ’ ନାମକ ସଙ୍ଗଠନ ଜରିଆରେ ଦେଶର ୧୨୦ଟିରୁ ଅଧିକ ସ୍ଥାନକୁ  ବ୍ୟାପି ସାରିଲାଣି ।

ସିଏଏ ବିରୋଧୀ ପ୍ରତିବାଦ ସଭାମାନଙ୍କରେ ପ୍ରଥମେ ପାକିସ୍ତାନୀ କବି ଫୈଜ ଅହମଦ ଫୈଜଙ୍କର ବିପ୍ଳବୀ ଗୀତ ‘ହମ ଦେଖେଙ୍ଗେ’ ବହୁଳ ଭାବେ ଶୁଣିବାକୁ ମିଳୁଥିଲା । ଏହା ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ବୋଲି ନିନ୍ଦୁକମାନେ ଆରୋପ କରିବାକୁ ଲାଗିଲେ । ଠିକ ଏତିକି ବେଳେ ଡିସେମ୍ବର ୨୧, ୨୦୧୯ରେ ଷ୍ଟାଣ୍ଡ ଅପ କମେଡିଆନ ବରୁଣ ଗ୍ରୋଭରଙ୍କର ସିଏଏ, ଏନପିଆର ଓ ଏନଆରସି ବିରୁଦ୍ଧରେ ଏକ କବିତା ‘ହମ କାଗଜ ନହିଁ ଦିଖାଏଙ୍ଗେ’ ୟୁ-ଟ୍ୟୁବରେ ଆତ୍ମପ୍ରକାଶ କରି ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ଛୁଇଁଲା ଓ ତାହା ବିଜୁଳି ବେଗରେ ଭାଇରାଲ ହେବାକୁ ଲାଗିଲା । ସେହି କବିତାର ଓଡିଆ ଅନୁବାଦ କିଛିଟା ନିମ୍ନ ପ୍ରକାରେ – 
ଆମେ କାଗଜ ଦେଖାଇବୁନି,
ଏକଛତ୍ରବାଦୀ ଆସି ଚାଲିଯିବେ,
ଆମେ କାଗଜ ଦେଖାଇବୁନି ।
ତମେ ଲୁହବୁହା ଗ୍ୟାସ ଫିଙ୍ଗିବ,
ତମେ ଜହର ଚା’ ଫୁଟାଇବ,
ଆମେ ପ୍ରେମର ଚିନି ମିଶାଇ,
ତାକୁ ଢକ ଢକ ଢକ ଢକ ପିଇଯିବୁ,
ଆମେ କାଗଜ ଦେଖାଇବୁନି ।
ଏ ଦେଶ ବି ଆମକୁ ଏମିତି ମିଳିଛି, 
ଯେଉଁଠି ରାମ ପ୍ରସାଦ ବି ବିସମିଲ ହୁଅନ୍ତି,
ମାଟିକୁ ବାଣ୍ଟିବ କେମିତି,
ଏଥିରେ ସଭିଙ୍କ ରକ୍ତ ତ ମିଶିଛି,
ତମେ ପୋଲିସ ଲଗାଇ ଲାଠି ମାରିବ,
ତମେ ମେଟ୍ରୋ ବନ୍ଦ କରିଦେବ,
ଆମେ ପାଦରେ ଚାଲି ଆସିବୁ,
ଆମେ କାଗଜ ଦେଖାଇବୁନି ।
ଆମେ ତମ୍ବୁ ଏଇଠି ଟାଣିବୁୁ,
ଆମେ କାଗଜ ଦେଖାଇବୁନି,
ଆମେ ସମ୍ବିଧାନକୁ ବଞ୍ଚାଇବୁ,
ଆମେ କାଗଜ ଦେଖାଇବୁନି,
ଆମେ ଜନ-ଗଣ-ମନ ବି ଗାଇବୁ,
ଆମେ କାଗଜ ଦେଖାଇବୁନି,
ତମେ ଜାତି ଧର୍ମରେ ବାଣ୍ଟିବ,
ଆମେ ଭାତ ମାଗି ଚାଲିବୁ,
ଆମେ କାଗଜ ଦେଖାଇବୁନି ।
ଏଇ କବିତାଟିକୁ କିଏ କବାଲି ଭାବେ ତ କିଏ ଆଧୁନିକ ଗୀତର ରୂପ ଦେଇ ଗାଇବାକୁ ଲାଗିଲେ ଓ ଚାହୁଁ ଚାହୁଁ ସିଏଏ ବିରୋଧୀ ଆନ୍ଦୋଳନ ଚାଲିଥିବା ପ୍ରାୟ ସର୍ବତ୍ର ଏହା ‘ସରଫରୋଶୀ କି ତମନ୍ନା ଅବ ହମାରି ଦିଲ ମେଁ ହୈ..’ ଗୀତ ପରି ପ୍ରଦର୍ଶନକାରୀଙ୍କ ମଧ୍ୟରେ ଉଦ୍ଦୀପନା ସଞ୍ଚାରକାରୀ ଏକ ବିପ୍ଳବୀ ଗୀତ (ଆନଥେମ)ରେ ପରିଣତ ହେବାକୁ ଲାଗିଲା । ଇତି ମଧ୍ୟରେ ଅନେକ ଭାଷାରେ ଗୀତଟିର ଅନୁବାଦ ହୋଇ ସାରିଲାଣି ।

ଦେଶରେ ସିଏଏ ଆଇନରେ ପରିଣତ ହେବା ଓ ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା ପ୍ରଚଳନ ନେଇ ହେଉଥିବା ବିମର୍ଶର ପ୍ରତିବାଦରେ ‘ଆମେ କାଗଜ ଦେଖାଇବୁନି’ ଆନ୍ଦୋଳନର ଜନ୍ମ । ଏଥି ପୂର୍ବରୁ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଆସାମରେ ହୋଇଥିବା ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତି ପର୍ବରେ ଲକ୍ଷ ଲକ୍ଷ ସାଧାରଣ ଗରିବ ଲୋକ ନିଜ ନାଗରିକତାର ପ୍ରମାଣ ଥିବା କାଗଜ ଯୋଗାଡ କରିବା ଲାଗି ବର୍ଷ ବର୍ଷ ଧରି ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଲେ । ଏହା ସତ୍ତ୍ଵେ ଚୂଡାନ୍ତ ତାଲିକାରୁ ବାଦ ପଡିଥିବା ପ୍ରାୟ ୧୯ ଲକ୍ଷ ଲୋକଙ୍କ ମଧ୍ୟରେ ଅଧିକାଂଶ ଗରିବ ଓ ଦଳିତ ଶ୍ରେଣୀର, ଅର୍ଦ୍ଧାଧିକ ମହିଳା ଓ ପ୍ରାୟ ଏକ ଲକ୍ଷ ଆଦିବାସୀ ରହିଗଲେ । ଅର୍ଥାତ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ହୋଇ ମଧ୍ୟ ବିଭିନ୍ନ କାରଣରୁ ନିଜକୁ ଭାରତୀୟ ଭାବେ ପ୍ରମାଣିତ କରିବା ପାଇଁ ସେମାନଙ୍କ ନିକଟରେ ଆବଶ୍ୟକୀୟ କାଗଜ ନାହିଁ । ନିଜକୁ ଭାରତୀୟ ବୋଲି ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହେବାକୁ ହେବ ଓ ସେଥିରେ ଅସଫଳ ହେଲେ ବାକି ଜୀବନ ଡିଟେନସନ କ୍ୟାମ୍ପମାନଙ୍କରେ ବନ୍ଦୀ ଭାବେ ଜୀବନ ଯାପନ କରିବାକୁ ପଡିବ । ଆସାମରେ ଏ ଭଳି ପୀଡିତ ଗରିବ, ଦଳିତ, ଆଦିବାସୀ ଓ ମହିଳାଙ୍କ ଯାତନାକୁ ପ୍ରତ୍ୟକ୍ଷ ବା ହୃଦୟଙ୍ଗମ କରୁଥିବା ଲୋକେ ଅବଶିଷ୍ଟ ଭାରତରେ ଏନଆରସି ପ୍ରକ୍ରିୟା ଲାଗୁ ହେଲେ ସେହି ଚିତ୍ର ଦୋହରା ହେବାର ଭୟରେ ଉତ୍କଣ୍ଠିତ । ‘ଏନଆରସି ଏବେ ହେବ ନାହିଁ’ ବୋଲି ସରକାରଙ୍କ ତରଫରୁ କୁହାଯାଉଥିଲେ ମଧ୍ୟ ‘ଏନଆରସି କେବେ ହେବ ନାହିଁ’ ବୋଲି କୁହାଯାଉ ନଥିବାରୁ ସେମାନଙ୍କ ଉତ୍କଣ୍ଠା ଅଧିକ ହେବା ସ୍ୱାଭାବିକ । ତେଣୁ ପ୍ରତିକ୍ରିୟା ସ୍ୱରୂପ, ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରୁ ପ୍ରେରଣା ନେଇ, ବିରୋଧ ପ୍ରଦର୍ଶନକାରୀମାନେ ନାଗରିକତା ପ୍ରମାଣ କରିବା ପାଇଁ ସରକାର ମାଗୁଥିବା କୌଣସି କାଗଜପତ୍ର ନ ଦେଖାଇ ଆଇନ ଆମାନ୍ୟ କରିବାକୁ ସମସ୍ତଙ୍କୁ ପ୍ରବର୍ତ୍ତାଉଛନ୍ତି ।
           
ସରକାରଙ୍କ ତରଫରୁ ଏବେ ଏନଆରସି ଉପରେ ଗୁରୁତ୍ୱ ନ ଦେଇ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରସ୍ତୁତିରେ ତତ୍ପରତା ପ୍ରକାଶ ପାଇଲା ପରେ ଆନ୍ଦୋଳନକାରୀମାନେ ମଧ୍ୟ ସେମାନଙ୍କ ରଣନୀତିରେ ପରିବର୍ତ୍ତନ କରିଛନ୍ତି । ଏନପିଆରରେ ତଥ୍ୟ ସଂଗ୍ରହ ଏନଆରସି କ୍ରିୟାନ୍ୱୟନର ପ୍ରଥମ ପଦକ୍ଷେପ ବୋଲି ସେମାନଙ୍କୁ ଜଣା । ତେବେ ଏନଆରସିରେ କାଗଜ ଦେଖାଇବାର ଆବଶ୍ୟକତା ଥିଲା ବେଳେ ଏନପିଆରରେ କାଗଜ ଦେଖାଇବାକୁ ପଡିବ ନାହିଁ । କେବଳ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯାହା ପ୍ରଶ୍ନକର୍ତ୍ତାଙ୍କ ଦ୍ୱାରା ଲିପିବଦ୍ଧ ହେବ । ପରବର୍ତ୍ତୀ ସମୟରେ ଏହାକୁ ଭିତ୍ତି କରି ଜଣକର ନାଗରିକତା 'ସନ୍ଦେହଜନକ' କି ନୁହେଁ, ତାହା ସ୍ଥିର ହେବ । ତେଣୁ ପଚରାଯାଉଥିବା ପ୍ରଶ୍ନର ଉତ୍ତର ନ ଦେଇ ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହି କାର୍ଯ୍ୟଟିକୁ ଅସଫଳ କରାଇବା ପାଇଁ ‘ଆମେ କାଗଜ ଦେଖାଇବୁନି’ ପରିବର୍ତ୍ତେ ଏଣିକି ‘ଆମେ କାଗଜରେ ଲେଖାଇବୁନି’ ସ୍ଳୋଗାନ ଦିଆଯିବା ଆରମ୍ଭ ହେଲାଣି ।

ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନର ପାର୍ଶ୍ଵ ପ୍ରଭାବ ମଧ୍ୟ ଅନୁଭୂତ ହେବାକୁ ଲାଗିଲାଣି । ଉଦାହରଣ ସ୍ୱରୂପ, ମଧ୍ୟପ୍ରଦେଶର ନିମଚ ସହରର ମୁସଲମାନ ଅଧ୍ୟୁଷିତ ଅଞ୍ଚଳରେ ପ୍ରଶାସନ ଦ୍ୱାରା ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପଚରା ଉଚୁରା କଲାବେଳେ ଲୋକମାନେ ସେମାନଙ୍କର ରାସନ କାର୍ଡ, ଆଧାର କାର୍ଡ ଓ ଭୋଟର ଆଇଡି କାର୍ଡ ଭଳି ପରିଚୟ ପତ୍ରଗୁଡିକୁ ଦେଖାଇବାକୁ ରାଜି ହେଉନାହାନ୍ତି ବା ମନା କରି ଦେଉଛନ୍ତି । ବିଭିନ୍ନ କ୍ଷେତ୍ରରେ ଦେଶର ଅର୍ଥନୈତିକ ଓ ସାମାଜିକ ସ୍ଥିତି ଜାଣିବା ପାଇଁ ଏନଏସଏସଓ ଭଳି କେତେକ ସଂସ୍ଥାଙ୍କ ଦ୍ୱାରା ନିୟମିତ ଅନ୍ତରାଳରେ ନମୁନା ସର୍ଭେମାନ କରାଯାଇଥାଏ । ତେବେ ଲୋକଙ୍କ ମଧ୍ୟରେ ସରକାରୀ କଳ ଓ ସର୍ଭେ ପ୍ରତି ଅବିଶ୍ୱାସ ଭାବ ଅଧିକ ହେଲେ ସଠିକ ତଥ୍ୟ ସଂଗ୍ରହରେ ବାଧା ଉତ୍ପନ୍ନ ହୋଇ ଯେ କୌଣସି ସର୍ଭେର ବିଶ୍ୱସନୀୟତା ହ୍ରାସ ପାଇବ । ଏହା ଜନଗଣନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ମଧ୍ୟ ପ୍ରଯୁଜ୍ୟ । ସରକାର ଓ ଲୋକଙ୍କ ମଧ୍ୟରେ ମୁକାବିଲାର ସ୍ଥିତି ଲାଗି ରହିବା ଆଦୌ ଦେଶ ହିତରେ ହୋଇ ନଥିବାରୁ ତାକୁ ପ୍ରଶମିତ କରିବା ଦିଗରେ ତତ୍ପରତା ପ୍ରକାଶ ପାଇ ତୁରନ୍ତ ଉଚିତ ପଦକ୍ଷେପ ନିଆଯିବା ଆବଶ୍ୟକ ।

Published in Odisha Reporter on March 18, 2020

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍