ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତକୁ ଚାଲି ଆସିଥିବା ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ଓ ପାର୍ସୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପାଇଁ ସମ୍ପ୍ରତି ପ୍ରଣୟନ ହୋଇଥିବା ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଝଡର ମୁଖ୍ୟ କାରଣ ହେଉଛି ନାଗରିକତା ପ୍ରଦାନ କ୍ଷେତ୍ରରେ ‘ଧାର୍ମିକ ଉତ୍ପୀଡନ’କୁ ଆଳ କରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମ ଭିତ୍ତିରେ ନାଗରିକତା ପ୍ରଦାନ କରିବା ପାଇଁ ଆଇନ ପ୍ରଣୀତ ହେବା । ତେବେ ସଂଶୋଧିତ ଆଇନରେ ‘ଧାର୍ମିକ ଉତ୍ପୀଡନ’ ଶବ୍ଦର କୌଣସି ଉଲ୍ଲେଖ ନାହିଁ । ସଂସଦରେ ନାଗରିକତା ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଗୃହମନ୍ତ୍ରୀ କହିଥିଲେ, ‘୧୯୪୭ରେ ବିଭାଜନ ସମୟରେ ପାକିସ୍ତାନରେ ଥିବା ୨୩ ପ୍ରତିଶତ ସଂଖ୍ୟାଲଘୁଙ୍କ ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ ୩.୭ ପ୍ରତିଶତରେ ପହଞ୍ଚିଛି । ଏହାର ଅର୍ଥ ସେମାନଙ୍କୁ ମାରି ଦିଆଯାଇଛି, ବା ସେମାନେ ସେଠାରୁ ପଳାୟନ କରିଛନ୍ତି ବା ଜୋର ଜବରଦସ୍ତ ସେମାନଙ୍କୁ ଧର୍ମାନ୍ତରିତ କରାଯାଇଛି’ । ପରବର୍ତ୍ତୀ ସମୟରେ ସେଠାରେ ହିନ୍ଦୁ ଲୋକଙ୍କ ସଂଖ୍ୟା ହ୍ରାସର କାରଣ ବଳପୂର୍ବକ ଧର୍ମାନ୍ତରଣ ବୋଲି କେହି କେହି କହୁଛନ୍ତି । ଏହି ପ୍ରସଙ୍ଗକୁ ଏପରି ଉତ୍ଥାପନ କରାଯାଉଛି ସତେ ଯେପରି ସେ ସବୁ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ପଳାୟନ କରୁଥିବା ସଂଖ୍ୟାଲଘୁଙ୍କର ଏକମାତ୍ର ଗନ୍ତବ୍ୟ ସ୍ଥଳୀ ହେଉଛି ଭାରତ ଓ ସେମାନଙ୍କୁ ନାଗରିକତା ପ୍ରଦାନ ମାଧ୍ୟମରେ ସୁରକ୍ଷା ପ୍ରଦାନ କରିବା ଯେପରି ଭାରତର ପରମ ସାମ୍ବିଧାନିକ କର୍ତ୍ତବ୍ୟ । ତେଣୁ ନାଗରିକତା ଆଇନ ସଂଶୋଧନର ଔଚିତ୍ୟକୁ ବୁଝିବା ପାଇଁ ସେ ସବୁ ଦେଶରେ ଧାର୍ମିକ ଉତ୍ପୀଡନର ବାସ୍ତବତାକୁ ପରଖିବାର ଆବଶ୍ୟକତା ରହିଛି ।
ଏବର ପାକିସ୍ତାନ (ପୂର୍ବର ପଶ୍ଚିମ ପାକିସ୍ତାନ)ରେ ଅଣ-ମୁସଲମାନଙ୍କ ସଂଖ୍ୟା କେବେ ବି ଜନସଂଖ୍ୟାର ୨୩ ପ୍ରତିଶତ ନଥିଲା । ଦେଶ ବିଭାଜନ ସମୟରେ ପ୍ରାୟ ୪୭ ଲକ୍ଷ ହିନ୍ଦୁ ଓ ଶିଖ ପାକିସ୍ତାନ ଛାଡି ଭାରତକୁ ଆସିଥିବା ବେଳେ ଭାରତ ଛାଡି ପ୍ରାୟ ୬୫ ଲକ୍ଷ ମୁସଲମାନ ପାକିସ୍ତାନକୁ ପଳାୟନ କରିଥିଲେ । ଫଳରେ ଅଳ୍ପ କିଛି ଦିନ ମଧ୍ୟରେ ସେଠାକାର ଜନସଂଖ୍ୟାରୁ ଏତେ ସଂଖ୍ୟକ ହିନ୍ଦୁ ଓ ଶିଖ ବାଦ ପଡି ଅଧିକ ସଂଖ୍ୟକ ମୁସଲମାନ ମିଶିଥିଲେ ଯାହା ସେଠାରେ ଅଣ-ମୁସଲମାନଙ୍କ ପ୍ରତିଶତ ହଠାତ୍ ହ୍ରାସ ପାଇବାର ମୁଖ୍ୟ କାରଣ ଥିଲା । ସେହିପରି ୧୯୭୧ରେ ବଙ୍ଗଳାଦେଶ ପାକିସ୍ତାନରୁ ଅଲଗା ହେବା ପରେ ସେଠାରେ ପଶ୍ଚିମ ପାକିସ୍ତାନ ଅପେକ୍ଷା ଅଧିକ ହିନ୍ଦୁ ଥିବାରୁ ବିଭାଜିତ ପାକିସ୍ତାନରେ ଅବିଭାଜିତ ପାକିସ୍ତାନ ତୁଳନାରେ ହିନ୍ଦୁଙ୍କ ପ୍ରତିଶତ ହ୍ରାସ ପାଇଥିଲା । ଏଥିରୁ ସ୍ପଷ୍ଟ ଯେ ପାକିସ୍ତାନରେ ହିନ୍ଦୁଙ୍କ ପ୍ରତିଶତ ହ୍ରାସର ମୁଖ୍ୟ କାରଣ ବଳପୂର୍ବକ ଧର୍ମାନ୍ତରଣ ନୁହେଁ । ବିଭାଜନ ପରେ ୧୯୫୧ ମସିହାରେ ହୋଇଥିବା ପ୍ରଥମ ଜନଗଣନା ଅନୁସାରେ ସମଗ୍ର ପାକିସ୍ତାନ (ଉଭୟ ପୂର୍ବ ଓ ପଶ୍ଚିମ ପାକିସ୍ତାନ)ର ଜନସଂଖ୍ୟା ୭କୋଟି ୫୭ ଲକ୍ଷରେ ଅଣ-ମୁସଲମାନଙ୍କ ସଂଖ୍ୟା ପ୍ରାୟ ୧ କୋଟି ୭ ଲକ୍ଷ ବା ୧୪.୨୦ ପ୍ରତିଶତ ଥିଲା । ପୂର୍ବ ପାକିସ୍ତାନ (ଏବର ବଙ୍ଗଳାଦେଶ)ରେ ସେଠାକାର ଜନସଂଖ୍ୟାର ପ୍ରାୟ ୨୩.୨୦ ପ୍ରତିଶତ ଅଣ-ମୁସଲମାନ ଥିଲା ବେଳେ ପଶ୍ଚିମ ପାକିସ୍ତାନରେ ତାହା ମାତ୍ର ୩.୪୪ ପ୍ରତିଶତ ଥିଲା । ଏବର ପାକିସ୍ତାନରେ ୧୯୬୧ ମସିହା ଜନଗଣନା ଅନୁସାରେ ଏହା ୨.୮୩ ପ୍ରତିଶତ ଥିବା ବେଳେ ୧୯୭୨ ଜନଗଣନାରେ ତାହା ୩.୨୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୧୯୮୧ ଓ ୧୯୯୮ ଜନଗଣନାରେ ତାହା ଯଥାକ୍ରମେ ଜନସଂଖ୍ୟାର ୩.୩୦ ଓ ୩.୭୦ ପ୍ରତିଶତରେ ପହଂଚିଥିଲା । ଅର୍ଥାତ୍, ୧୯୬୧ ପରଠାରୁ ସେଠାରେ ଅଣ-ମୁସଲମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଅବଶ୍ୟ ସେଠାରେ ୨୦୧୭ରେ ହୋଇଥିବା ଜନଗଣନାରେ ଏ ଯାଏଁ ଧର୍ମୀୟ ଆଧାର ତଥ୍ୟ ପ୍ରକାଶିତ ହୋଇନାହିଁ ।
ଇସଲାମ ପାକିସ୍ତାନର ରାଷ୍ଟ୍ର ଧର୍ମ ଓ ୨୦ କୋଟି ବିଶିଷ୍ଟ ଏହାର ଜନସଂଖ୍ୟାର ୯୬ ପ୍ରତିଶତରୁ ଅଧିକ ହେଉଛନ୍ତି ମୁସଲମାନ । ୧୯୪୭ରୁ ୧୯୭୦ ପର୍ଯ୍ୟନ୍ତ, ପୂର୍ବ ପାକିସ୍ତାନ ପାକିସ୍ତାନର ଅଂଶ ବିଶେଷ ଥିବା ଯାଏଁ, ସେଠାରେ ହିନ୍ଦୁଙ୍କ ପ୍ରତିଶତ ଅଧିକ ଥିବାରୁ ସଂଖ୍ୟାଲଘୁଙ୍କ ପ୍ରତି ପାକିସ୍ତାନର ମନୋଭାବ ଅପେକ୍ଷାକୃତ କୋହଳ ଥିଲା । ବଙ୍ଗଳାଦେଶ ସ୍ୱାଧୀନତା ପରେ ପାକିସ୍ତାନରେ ସଂଖ୍ୟାଲଘୁମାନେ ସଂଖ୍ୟା ଦୃଷ୍ଟିରୁ ନଗଣ୍ୟ ହୋଇଯିବା ପରେ ସେଠାରେ ମୌଳବାଦୀଙ୍କ ଦ୍ୱାରା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଅହମ୍ମଦିଆ, ସୁଫିବାଦୀ, ନାସ୍ତିକ ଆଦିଙ୍କ ଧାର୍ମିକ ଉତ୍ପୀଡନ ବଢିବାକୁ ଲାଗିଲା । ସେଠାକାର କିଛି ନେତାଙ୍କ ସଂଖ୍ୟାଲଘୁଙ୍କ ପ୍ରତି ଥିବା ମନୋଭାବକୁ ବି ଏଥିପାଇଁ ଦାୟୀ କରା ଯାଇପାରେ । ପାକିସ୍ତାନର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଖ୍ୱାଜା ନଜିମୁଦ୍ଦିନ କହୁଥିଲେ, “ମୁଁ ଏକ ମତ ନୁହେଁ ଯେ ଧର୍ମ ହେଉଛି ବ୍ୟକ୍ତିର ଘରୋଇ ବ୍ୟାପାର । ମୁଁ ଏଥିରେ ମଧ୍ୟ ରାଜି ନୁହେଁ ଯେ ଏକ ଇସଲାମୀୟ ରାଷ୍ଟ୍ରରେ ଜାତି, ଧର୍ମ, ବିଶ୍ୱାସ ନିର୍ବିଶେଷରେ ସମସ୍ତଙ୍କର ସମାନ ଅଧିକାର ରହିବା ଉଚିତ ।” ସେଠାରେ ପ୍ରଚଳିତ ଧର୍ମନିନ୍ଦା (ବ୍ଲାସଫେମି) ଆଇନର ଅପବ୍ୟବହାର କରି ସଂଖ୍ୟାଲଘୁମାନଙ୍କୁ ବିଭିନ୍ନ ଭାବେ ହଇରାଣ କରାଯିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ୧୯୯୮ ଜନଗଣନା ଅନୁସାରେ ସେଠାରେ ପ୍ରାୟ ୨୧ ଲକ୍ଷ ହିନ୍ଦୁ ଥିଲେ ଓ ସେମାନଙ୍କ ମଧ୍ୟରୁ ପ୍ରାୟ ୯୩ ପ୍ରତିଶତ ସିନ୍ଧୁ ପ୍ରଦେଶରେ ବସବାସ କରୁଥିଲେ । ୧୯୫୧ରେ ୧.୬ ପ୍ରତିଶତ ହିନ୍ଦୁ ଥିବା ବେଳେ ୧୯୯୮ ଜନଗଣନାରେ ମଧ୍ୟ ସେମାନଙ୍କ ପ୍ରତିଶତ ଅପରିବର୍ତ୍ତିତ ରହିଥିଲା । ତେବେ ‘ପାକିସ୍ତାନ ହିନ୍ଦୁ କାଉନସିଲ’ର ତଥ୍ୟ ଅନୁଯାୟୀ ସେଠାରେ ୨୦୧୮ରେ ହିନ୍ଦୁ ଜନସଂଖ୍ୟା ପ୍ରାୟ ୮୦ ଲକ୍ଷ ବା ୪ ପ୍ରତିଶତରେ ପହଞ୍ଚିଥିବାରୁ ସେଠାରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ହେଉଥିବା କହିବା ଭିତ୍ତିହୀନ । ସଂଖ୍ୟାଲଘୁଙ୍କ ମଧ୍ୟରେ ପାକିସ୍ତାନ ଜନସଂଖ୍ୟାର ପ୍ରାୟ ୪୦ ଲକ୍ଷ ଖ୍ରୀଷ୍ଟିଆନ ଉତ୍ପୀଡନର ଶିକାର ହୋଇ ଆସିଛନ୍ତି । ‘ଓପନ ଡୋର’ ନାମକ ସଂସ୍ଥାର ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପୂର୍ବ ଏକ ବର୍ଷ ମଧ୍ୟରେ ସେଠାରେ ୭୮ ଜଣ ଖ୍ରୀଷ୍ଟିଆନ ପ୍ରାଣ ହରାଇଥିଲେ, ଯାହା ସାରା ବିଶ୍ୱରେ ସର୍ବାଧିକ । ସେହିପରି ବର୍ଷକ ମଧ୍ୟରେ ସେଠାରେ ୬୦୦ ଚର୍ଚ୍ଚ ଆକ୍ରମଣର ଶିକାର ହେବା ମଧ୍ୟ ଏକ ରେକର୍ଡ । ତେବେ ସେଠାରେ ଧାର୍ମିକ ଉତ୍ପୀଡିତ ଖ୍ରୀଷ୍ଟିଆନମାନେ, ବିଭାଜନ ସମୟରେ ବା ଏବେ, ଭାରତକୁ ପଳାୟନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି । ବିଭାଜନ ସମୟରେ ଅଧିକାଂଶ ଶିଖ ଭାରତକୁ ପଳାଇ ଆସିଥିଲେ । ବର୍ତ୍ତମାନ ପାକିସ୍ତାନରେ ସେମାନଙ୍କ ସଂଖ୍ୟା ପ୍ରାୟ ୨୦ ହଜାର । ୨୦୦୯ ମସିହାରେ ତାଲିବାନୀଙ୍କ ଦ୍ୱାରା ଅଣମୁସଲମାନଙ୍କ ଉପରେ ଲଗା ଯାଇଥିବା ଜିଜିୟା କର ଦେବାକୁ ମନା କରିବାରୁ ଗାଁ ଗଣ୍ଡାରେ ରହୁଥିବା ଶିଖମାନେ ଅତ୍ୟାଚାରର ଶିକାର ହୋଇଥିଲେ । ତା ପରେ ସେମାନେ ଗାଁ ଗଣ୍ଡା ଛାଡି ବେଶି ସଂଖ୍ୟାରେ ଶିଖ ରହୁଥିବା ପେଶାଓ୍ଵାର, ହାସନବଦଲ, ନାନକନସାହିବ ଭଳି ସହରମାନଙ୍କୁ ପଳାଇ ଆସିଛନ୍ତି । ୧୯୫୧ ମସିହା ଜନଗଣନା ଅନୁସାରେ ପାକିସ୍ତାନରେ ୫୦୦୦ ପାର୍ସୀ ବସବାସ କରୁଥିଲେ ଯାହା ୨୦୧୫ ବେଳକୁ ହ୍ରାସ ପାଇ ପ୍ରାୟ ୧୫୦୦ରେ ପହଞ୍ଚିଲାଣି । ଏହାର କାରଣ ଧାର୍ମିକ ଉତ୍ପୀଡନ ନୁହେଁ । ବରଂ ଉଚ୍ଚ ଶିକ୍ଷିତ ପୁଅ ଝିଅମାନେ ଉନ୍ନତ ନିଯୁକ୍ତି ସୁଯୋଗର ସନ୍ଧାନରେ ବିଦେଶକୁ ଚାଲି ଯାଉଥିବା ବେଳେ ବୁଢାବୁଢୀମାନେ ସେଠାରେ ପଡି ରହିଛନ୍ତି । ୨୦୧୨ ମସିହା ତଥ୍ୟ ଅନୁଯାୟୀ ପାକିସ୍ତାନରେ ମାତ୍ର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ ଅଛନ୍ତି । ବ୍ୟକ୍ତିଗତ ଭାବେ ସେମାନେ ଧାର୍ମିକ ଉତ୍ପୀଡନର ଶିକାର ହେଉ ନଥିଲେ ମଧ୍ୟ ସ୍ୱାଟ ଉପତ୍ୟକାରେ ଥିବା ଅନେକ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ତାଲିବାନୀ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ପାକିସ୍ତାନର ସିଆଲକୋଟ ଓ ପସରୁର ଭଳି ସ୍ଥାନମାନଙ୍କରେ ଯେଉଁ ଅଳ୍ପ ସଂଖ୍ୟକ ଭାବ୍ରା ସମ୍ପ୍ରଦାୟର ଜୈନ ରହୁଥିଲେ ଦେଶ ବିଭାଜନ ସମୟରେ ପ୍ରାୟ ସମସ୍ତେ ଭାରତକୁ ପଳାଇ ଆସିଥିବାରୁ ସେଠାରେ ଏବେ ବି କିଛି ଜୈନ ମନ୍ଦିର ଥିଲେ ମଧ୍ୟ ଜୈନ ଧର୍ମାବଲମ୍ବୀ ପ୍ରାୟ କେହି ନାହାନ୍ତି । ତେଣୁ ଧାର୍ମିକ ଉତ୍ପୀଡନର ଶିକାର ହୋଇ ସେମାନଙ୍କ ଭାରତକୁ ଆସିବାର ପ୍ରଶ୍ନ ଉଠୁନାହିଁ । ଅପର ପକ୍ଷରେ ୧୯୭୪ ମସିହାରେ ପାକିସ୍ତାନର ସମ୍ବିଧାନ ସଂଶୋଧନ ଫଳରେ ସେଠାରେ ରହୁଥିବା ପ୍ରାୟ ୪୦ ଲକ୍ଷ ଅହମଦିଆ ସମ୍ପ୍ରଦାୟର ଲୋକ କେବଳ ଯେ ଅଣ-ମୁସଲମାନ ହୋଇଗଲେ ତାହା ନୁହେଁ, ବରଂ ତା ପରଠାରୁ ସେମାନଙ୍କ ଉପରେ ଧାର୍ମିକ ଉତ୍ପୀଡନ ବଢିବାକୁ ଲାଗିଲା । ସେମାନଙ୍କୁ ସେଠାରେ କାଦିଆନୀ, ମିର୍ଜାଇଆଁ ବା ଲାହୋରୀ କୁହାଯାଇଥାଏ । ସେମାନେ ନିଜ ଉପାସନା ସ୍ଥଳୀକୁ ମସଜିଦ କହିବା ଉପରେ ପ୍ରତିବନ୍ଧ ରହିଛି । ୨୦୧୦ ମସିହାରେ ସେମାନଙ୍କ ମସଜିଦ ଉପରେ ଆକ୍ରମଣ ହୋଇ ୮୪ ଜଣ ଅହମଦିଆ ପ୍ରାଣ ହରାଇଥିଲେ, ଯାହା ‘ଲାହୋର ଗଣହତ୍ୟା’ ରୂପେ ବିଦିତ । ସେଠାରେ ସରକାରୀ ସ୍ତରରେ ମଧ୍ୟ ଅହମଦିଆଙ୍କ ପ୍ରତି ଘୃଣାଭାବ ଏତେ ଅଧିକ ଯେ ସେଠାକାର ମୁସଲମାନମାନେ ପାସପୋର୍ଟ ବା ଜାତୀୟ ପରିଚୟ ପତ୍ର ପାଇଁ ଆବେଦନ କଲା ବେଳେ ସେମାନଙ୍କୁ ଏକ ଘୋଷଣା ପତ୍ରରେ ସ୍ୱାକ୍ଷର କରିବାକୁ ହୋଇଥାଏ, ଯେଉଁଥିରେ ଅହମଦିଆ ଧର୍ମର ପ୍ରବର୍ତ୍ତକ ମିର୍ଜା ଗୁଲାମ ଅହମଦ ଜଣେ ଭଣ୍ଡ ଧର୍ମ ପ୍ରବର୍ତ୍ତକ ଓ ଅହମଦିଆମାନେ ଅଣ-ମୁସଲମାନ ବୋଲି ସେମାନଙ୍କୁ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥାଏ । ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିବା ପାକିସ୍ତାନର ପ୍ରଥମ ବ୍ୟକ୍ତି ଅବଦୁସ ସଲାମ ଜଣେ ଅହମଦିଆ ହୋଇଥିବାରୁ, ତାଙ୍କ ସ୍ମୃତିରକ୍ଷା ତ ଦୂରର କଥା, ତାଙ୍କ ସମାଧୀ ସ୍ଥଳରେ ତାଙ୍କ ନାମ ପାଖରୁ ‘ମୁସଲମାନ’ ଶବ୍ଦକୁ ଲିଭାଇ ଦିଆ ଯାଇଛି । ଅହମଦିଆମାନଙ୍କ ମଧ୍ୟରୁ ଅନେକେ ପାକିସ୍ତାନ ଛାଡି ଅନ୍ୟତ୍ର ପଳାଇ ଯାଉଛନ୍ତି ବା ନିଜ ପରିଚୟ ଗୋପନ ରଖିବାକୁ ଉଚିତ ମଣୁଛନ୍ତି । ବସ୍ତୁତଃ, ସେମାନେ ମୁସଲମାନ ହୋଇ ମଧ୍ୟ ପାକିସ୍ତାନରେ ମୁସଲମାନ ଭାବେ ଗ୍ରହଣୀୟ ନ ହୋଇ ହିନ୍ଦୁ ଓ ଶିଖଙ୍କ ତୁଳନାରେ ଅଧିକ ଉତ୍ପୀଡିତ । ଅଥଚ ନାଗରିକତା ସଂଶୋଧନ ଆଇନରେ ସେମାନଙ୍କୁ ନାଗରିକତା ପ୍ରଦାନ ବିଷୟରେ ଉଲ୍ଲେଖ ନାହିଁ । ଏହାର କାରଣ ଦର୍ଶା ଯାଉଛି ଯେ ଏକ ମୁସଲମାନ ଦେଶରେ ମୁସଲମାନମାନେ କିପରି ବା ଉତ୍ପୀଡିତ ହୋଇ ପାରିବେ । ଉଲ୍ଲେଖଯୋଗ୍ୟ, ଆଇନଗତ ଦୃଷ୍ଟିରୁ ଭାରତରେ ଅହମଦିଆମାନଙ୍କୁ ମୁସଲମାନ ଭାବେ ଗ୍ରହଣ କରାଯାଇଥାଏ । ପାକିସ୍ତାନରେ ଥିବା ବାହଈ ବିଶ୍ୱାସର ଲୋକେ ଅଣ-ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିଲେ ବି ସେମାନଙ୍କ ଉପରେ ସେଠାରେ ସେପରି ଧାର୍ମିକ ଉତ୍ପୀଡନ ହୋଇ ନଥାଏ । ସ୍ୱେଚ୍ଛାସେବୀ ସଂଗଠନଙ୍କ ଦ୍ୱାରା ୨୦୧୪ରେ ହୋଇଥିବା ଏକ ସର୍ଭେ ଅନୁସାରେ ସେଠାରେ ପ୍ରତି ବର୍ଷ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ଏକ ହଜାର ନାବାଳିକାଙ୍କର ବଳପୂର୍ବକ ଧର୍ମାନ୍ତରଣ ହେଉଛି । ସେହିପରି ‘ଓତନ କାର୍ଡ’ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବା ଆଶାରେ କିଛି ଗରିବ ଶ୍ରେଣୀର ଲୋକ ସ୍ୱେଚ୍ଛାକୃତ ଭାବେ ଧର୍ମ ପରିବର୍ତ୍ତନ କରୁଥିବାର ବି ଶୁଣାଯାଉଛି ।
ଏହା ସତ୍ତ୍ଵେ ପାକିସ୍ତାନର ସଂଖ୍ୟାଲଘୁମାନେ ଭାରତର ନାଗରିକତା ସଂଶୋଧନ ଆଇନକୁ ନେଇ ଉଲ୍ଲସିତ ନୁହନ୍ତି । ଏ ଭଳି ଏକ ଆଇନ ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ସ୍ୱାର୍ଥର ପରିପନ୍ଥୀ କହି ପାକିସ୍ତାନସ୍ଥିତ ‘ପାକିସ୍ତାନ ହିନ୍ଦୁ କାଉନସିଲ’ ଓ ଅନ୍ୟାନ୍ୟ ଖ୍ରୀଷ୍ଟିଆନ, ଶିଖ ସଂଖ୍ୟାଲଘୁ ସଂଗଠନମାନେ ଏହାର ବିରୋଧ କରି ସାରିଲେଣି । ଉଲ୍ଲେଖଯୋଗ୍ୟ, ୧୯୯୨ ମସିହାରେ ବାବରୀ ମସଜିଦ ଭଙ୍ଗା ହେବା ପରେ ପାକିସ୍ତାନରେ ହିନ୍ଦୁ ଓ ଅନେକ ହିନ୍ଦୁ ମନ୍ଦିର ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ଭାରତର କେହି ତାଙ୍କ ପାଇଁ ଆହା ପଦେ ମଧ୍ୟ କହି ନଥିଲେ, ଯାହାର ପୁନରାବୃତ୍ତି ଆଶଙ୍କାରେ ସେମାନେ ଉଦବିଗ୍ନ ।
ପ୍ରାୟ ୧୬ କୋଟି ଜନସଂଖ୍ୟା ବିଶିଷ୍ଟ ବଙ୍ଗଳାଦେଶରେ ୮୯ ପ୍ରତିଶତ ମୁସଲମାନ ଥିଲେ ବି ସେଠାକାର ସମ୍ବିଧାନ ଅନୁଯାୟୀ ଏହା ଏକ ଧର୍ମ ନିରପେକ୍ଷ ଦେଶ । ୧୯୮୨ ମସିହାରେ ଦେଶ ସାମରିକ ଶାସନାଧୀନ ଥିବା ବେଳେ ସମ୍ବିଧାନକୁ ସଂଶୋଧନ କରି ସେନାମୁଖ୍ୟ ଏରସାଦଙ୍କ ଦ୍ୱାରା ଏହାକୁ ଏକ ଇସଲାମୀୟ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା । ୨୦୧୧ ମସିହାରେ ହୋଇଥିବା ପଞ୍ଚଦଶ ସମ୍ବିଧାନ ସଂଶୋଧନରେ ସମ୍ବିଧାନର ଧାରା ୨(କ) ଅନୁଯାୟୀ ଇସଲାମ ବଙ୍ଗଳାଦେଶର ରାଷ୍ଟ୍ର ଧର୍ମ ହୋଇଥିଲେ ମଧ୍ୟ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମାବଲମ୍ବୀଙ୍କୁ ସେମାନଙ୍କ ଧର୍ମ ଅନୁସରଣ କରିବାରେ ରାଷ୍ଟ୍ର ସମାନ ସ୍ତର ଓ ସମାନ ଅଧିକାର ପ୍ରଦାନ କରିବା ସୁନିଶ୍ଚିତ କରିବ, ଯଦ୍ଦ୍ୱାରା ବଙ୍ଗଳାଦେଶ ସମ୍ବିଧାନର ଧର୍ମ ନିରପେକ୍ଷ ଚରିତ୍ର ପୁନଃପ୍ରତିଷ୍ଠିତ ହୋଇପାରିଛି । ତେବେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ଅହମଦିଆ ଓ ନାସ୍ତିକମାନେ କାଁ ଭାଁ ମୌଳବାଦୀଙ୍କ ଦ୍ୱାରା ଧାର୍ମିକ ଉତ୍ପୀଡନର ଶିକାର ହେବାର ଘଟଣାମାନ ଦୃଷ୍ଟିକୁ ଆସିଥାଏ । ଦେଶ ବିଭାଜନ ସମୟରେ ପଶ୍ଚିମ ପାକିସ୍ତାନରୁ ଭାରତକୁ ଏକକାଳୀନ ପଳାୟନ ହୋଇଥିବା ବେଳେ ପୂର୍ବ ପାକିସ୍ତାନରୁ ଏହି ପଳାୟନ ମନ୍ଥର ଗତିରେ ପ୍ରାୟ ୨୫ ବର୍ଷ ଧରି ଲାଗି ରହିଥିଲା । ୧୯୭୧ରେ ହୋଇଥିବା ବଙ୍ଗଳାଦେଶ ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁ ପାକିସ୍ତାନ ସେନାବାହିନୀ ଦ୍ୱାରା ନିର୍ଯାତିତ ହୋଇ ପ୍ରାଣ ହରାଇଥିଲେ ବା ଭାରତକୁ ପଳାଇ ଆସିଥିଲେ । ଏହି ଦୁଇଟି ଘଟଣା ପାଇଁ ବଙ୍ଗଳାଦେଶରେ ହିନ୍ଦୁଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲେ ମଧ୍ୟ ଏବେ ବି ତାହା ପ୍ରାୟ ୧୦ ପ୍ରତିଶତ ରହିଛି । ତେଣୁ ସେଠାରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସର ମୁଖ୍ୟ କାରଣ ଧର୍ମାନ୍ତରଣ ନୁହେଁ । ବୌଦ୍ଧ ଧର୍ମର ଥେରବାଦକୁ ଅନୁସରଣ କରୁଥିବା ପ୍ରାୟ ୧୦ ଲକ୍ଷ ବୌଦ୍ଧ ଧର୍ମାବଲମ୍ବୀ ବଙ୍ଗଳାଦେଶରେ ବସବାସ କରନ୍ତି, ଯାହା ସେଠାକାର ଜନସଂଖ୍ୟାର ପ୍ରାୟ ୦.୬ ପ୍ରତିଶତ । କିଛି ବଙ୍ଗଭାଷୀ ବରୁଆ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିଲା ବେଳେ ଚକମା, ମର୍ମା, କୁକି ଆଦି କେତେକ ଆଦିବାସୀ ସମ୍ପ୍ରଦାୟର ଲୋକ ମଧ୍ୟ ବୌଦ୍ଧ ଧର୍ମରେ ଦୀକ୍ଷିତ । ଏମାନେ ମୁଖ୍ୟତଃ ଚିଟାଗଙ୍ଗ, କମିଲା ଆଦି ଜିଲ୍ଲାମାନଙ୍କରେ ବସବାସ କରନ୍ତି । ଅତୀତରେ ନଦୀ ବନ୍ଧ ଯୋଜନାରେ ବିସ୍ଥାପିତ ହୋଇ କିଛି ଚକମା ଆଦିବାସୀ ଭାରତକୁ ପଳାୟନ କରିଥିଲେ । ବଙ୍ଗଳାଦେଶରେ ଚକମା ବୌଦ୍ଧ ଧର୍ମାବଲମ୍ବୀଙ୍କ ଧାର୍ମିକ ଉତ୍ପୀଡନର ଖବର ମଝିରେ ମଝିରେ ଶୁଣାଯାଉଥିଲେ ମଧ୍ୟ ତାହା ସେଭଳି ଏକ ବଡ ସମସ୍ୟା ଭାବେ ଉଭା ହୋଇନାହିଁ । ସେଠାରେ ପ୍ରାୟ ୮ ଲକ୍ଷ (୦.୫ ପ୍ରତିଶତ) ଖ୍ରୀଷ୍ଟିଆନ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ କେହି କେହି ଉତ୍ପୀଡନର ଶିକାର ହେଉଥିଲେ ମଧ୍ୟ ବିଭିନ୍ନ କାରଣରୁ ଭାରତକୁ ପଳାୟନ କରିବାକୁ ଚାହିଁ ନଥାନ୍ତି । ଖ୍ରୀଷ୍ଟିଆନଙ୍କ ପ୍ରତି ବିଭିନ୍ନ ଦେଶରେ ହେଉଥିବା ଧାର୍ମିକ ଉତ୍ପୀଡନ ସ୍ଥିତିକୁ ନେଇ ପ୍ରସ୍ତୁତ ହେଉଥିବା ଓାର୍ଲଡ ଓାଚ ତାଲିକାରେ ବଙ୍ଗଳାଦେଶ ୩୫ତମ ସ୍ଥାନରୁ ଖସି ୨୦୧୯ରେ ୪୮ତମ ସ୍ଥାନରେ ପହଞ୍ଚିବା ସୂଚାଉଛି ଯେ ସେଠାରେ ଖ୍ରୀଷ୍ଟିଆନଙ୍କ ପ୍ରତି ଧାର୍ମିକ ଉତ୍ପୀଡନ ଯଥେଷ୍ଟ ହ୍ରାସ ପାଇଛି । ବଙ୍ଗଳାଦେଶରେ ୧୦ଟି ଗୁରୁଦ୍ୱାରା ଓ ପ୍ରାୟ ଏକ ଲକ୍ଷ ଶିଖ ଧର୍ମାବଲମ୍ବୀ ବସବାସ କରନ୍ତି । ସ୍ଥାନୀୟ ଶିଖଙ୍କ ବ୍ୟତୀତ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ବେଳେ ଭାରତରୁ ପ୍ରାୟ ୧୦ ହଜାର ଶିଖ ଆସି ସେଠାରେ ବସବାସ କରୁଛନ୍ତି । ସେମାନଙ୍କ ଉପରେ ସେଭଳି କୌଣସି ଧାର୍ମିକ ଉତ୍ପୀଡନ ହୋଇଥିବାର ଖବର ଶୁଣିବାକୁ ମିଳେନାହିଁ । ସେଠାରେ ପ୍ରାଚୀନ ଜୈନ ମନ୍ଦିର ଓ କୀର୍ତ୍ତିରାଜି ଦେଖିବାକୁ ମିଳୁଥିଲେ ମଧ୍ୟ ଜୈନ ଧର୍ମାବଲମ୍ବୀ ପ୍ରାୟ ନାହାନ୍ତି । ସେହିପରି ପାର୍ସୀଙ୍କ ସଂଖ୍ୟା ମାତ୍ର ୭୦୦ରେ ସୀମିତ । ତେଣୁ ସେମାନଙ୍କ ଧାର୍ମିକ ଉତ୍ପୀଡନ ସମ୍ପର୍କରେ ପ୍ରାୟତଃ ଶୁଣିବାକୁ ମିଳେନାହିଁ । ବଙ୍ଗଳାଦେଶରେ ଥିବା ପ୍ରାୟ ଏକ ଲକ୍ଷ ଅହମଦିଆଙ୍କୁ ବିଧର୍ମୀ (କାଫିର) ଘୋଷଣା କରିବା ପାଇଁ ସେଠାକାର ମୌଳବାଦୀମାନେ ସରକାରଙ୍କ ଉପରେ ଚାପ ପକାଇ ଆସୁଛନ୍ତି । ମଝିରେ ମଝିରେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇ କେତେକ ଜୀବନ ହରାଇଥିବା ବେଳେ ସେମାନଙ୍କ ମସଜିଦ ମଧ୍ୟ ଆକ୍ରମଣରୁ ବର୍ତ୍ତି ନାହିଁ । ୨୦୦୯ ମସିହାରେ ଶେଖ ହସିନା କ୍ଷମତାରେ ପୁନଃ ଅଧିଷ୍ଠିତ ହେବା ପରଠାରୁ ସେଠାରେ ସଂଖ୍ୟାଲଘୁଙ୍କ ଅଧିକାର ଓ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୧୧ ମସିହାରେ ‘ଅର୍ପିତ ସମ୍ପତ୍ତି ଫେରସ୍ତ ଆଇନ’ର ପ୍ରଣୟନ ହେଲା, ଯଦ୍ଦ୍ୱାରା ହିନ୍ଦୁମାନଙ୍କଠାରୁ ଦଖଲ କରାଯାଇଥିବା ସମ୍ପତ୍ତି ଫେରାଇବା ପ୍ରକ୍ରିୟା ଆରମ୍ଭ ହେଲା । ସେହିପରି ୨୦୧୨ ମସିହାରେ ‘ହିନ୍ଦୁ ବିବାହ ପଞ୍ଜିକରଣ ଆଇନ’ର ପ୍ରଣୟନ ହେଲା । ଏବେ ‘ଧର୍ମ ଯାର ଯାର ଉତ୍ସବ ସବାର’ (ଧର୍ମ ଯାହାର ହେଉ ଉତ୍ସବ ସମସ୍ତଙ୍କର) ଶ୍ଳୋଗାନ ମାଧ୍ୟମରେ ଦେଶର ଧର୍ମ ନିରପେକ୍ଷ ଛବିକୁ ଉଦଭାସିତ କରିବାର ପ୍ରଚେଷ୍ଟା କରାଯାଉଛି । ସେଠାରେ ପ୍ରତି ବର୍ଷ ମଣ୍ଡପର ସଂଖ୍ୟା ବୃଦ୍ଧି ପାଇ ୨୦୧୮ ମସିହାରେ ୩୧,୨୭୨ଟି ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହେବା ସେଠାକାର ଧାର୍ମିକ ସଂପ୍ରୀତିର ଅନ୍ୟ ଏକ ଉଦାହରଣ । ସେଠାକାର ସରକାରୀ ଚାକିରୀରେ ୫-୭ ପ୍ରତିଶତ ସଂଖ୍ୟାଲଘୁ ଥିବା ବେଳେ ପୋଲିସରେ ୧୦ ପ୍ରତିଶତ ଅଛନ୍ତି । ସଂଖ୍ୟାଲଘୁଙ୍କ ଜମି ଜବର ଦଖଲଠାରୁ ଆରମ୍ଭ କରି ଧାର୍ମିକ ଉତ୍ପୀଡନର ଘଟଣା ଘଟିଲେ ତା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ସେ ଭଳି ଘଟଣା ହ୍ରାସ ପାଇବାରେ ଲାଗିଛି । ସଂଖ୍ୟାଲଘୁଙ୍କ ଅଧିକାରକୁ ସମ୍ମାନ ଜଣାଇ ସରକାରଙ୍କ ତରଫରୁ ‘ବଙ୍ଗଳାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଐକ୍ୟ ପରିଷଦ’ ଓ ‘ବଙ୍ଗଳାଦେଶ ପୂଜା ଉଦଯାପନ ପରିଷଦ’ ଭଳି ସଂଖ୍ୟାଲଘୁ ସଂଗଠନଗୁଡିକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏ ସବୁ ସତ୍ତ୍ଵେ ବଙ୍ଗଳାଦେଶୀମାନେ ବିଭିନ୍ନ କାରଣରୁ ଭାରତକୁ ଆସୁଥାଇ ପାରନ୍ତି, ହେଲେ ସେଠାକାର ସଂଖ୍ୟାଲଘୁମାନେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ବହୁ ସଂଖ୍ୟାରେ ଭାରତକୁ ପଳାୟନ କରୁଛନ୍ତି ବୋଲି କହିବା ସତ୍ୟର ଅପଳାପ ହେବ ।
ଆଫଗାନିସ୍ତାନ ସମ୍ବିଧାନର ଧାରା ୨ ଅନୁଯାୟୀ ଏହା ଏକ ଇସଲାମୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ପ୍ରାୟ ୪ କୋଟି ବିଶିଷ୍ଟ ଏହାର ଜନସଂଖ୍ୟାର ୯୯ ପ୍ରତିଶତ ମୁସଲମାନ । ଗୋଟିଏ ସମୟରେ ସେଠାରେ ହିନ୍ଦୁ ଓ ଶିଖଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ଥଲା । ତାଲିବାନୀଙ୍କ ଦ୍ୱାରା ଧାର୍ମିକ ଉତ୍ପୀଡନର ଶିକାର ହୋଇ ସେଠାରେ ଏବେ ହାତ ଗଣତି ହିନ୍ଦୁ ଓ ଶିଖ ବ୍ୟବସାୟୀ ଓ ବିଦେଶୀ ଖ୍ରୀଷ୍ଟିଆନ ଓ ଜିୟୁ ରହୁଛନ୍ତି । ସେଠାରେ ୨୦୦୪ ମସିହାରେ ପ୍ରଣୀତ ସମ୍ବିଧାନ ଅନୁସାରେ ଆଇନର ପରିସୀମା ଭିତରେ ସଂଖ୍ୟାଲଘୁମାନଙ୍କର ଧାର୍ମିକ ସ୍ୱାଧୀନତା ଥିଲେ ମଧ୍ୟ ଧର୍ମନିନ୍ଦା (ବ୍ଲାସଫେମୀ) ଓ ସ୍ୱଧର୍ମତ୍ୟାଗ (ଇସଲାମରୁ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଥିଲେ)କୁ ଆଳ କରି ସେମାନଙ୍କ ଉପରେ ଧାର୍ମିକ ଉତ୍ପୀଡନ ହୋଇଥାଏ । ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ଅନ୍ୟ ସମସ୍ତେ ଦେଶ ଛାଡି ଅନ୍ୟତ୍ର ଯାଇ ସାରିଛନ୍ତି । ସେଠାରୁ ପଳାୟନ କରିଥିବା ଶିଖ ସମ୍ପ୍ରଦାୟର ଲୋକେ କେବଳ ଯେ ଭାରତକୁ ଆସିଛନ୍ତି ତା ନୁହେଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ କାନାଡା, ବ୍ରିଟେନ ଭଳି ଦେଶମାନଙ୍କୁ ଯାଇ ସେଠାରେ ବସବାସ କରୁଛନ୍ତି । ୧୯୨୪ ମସିହାରେ ପ୍ରଣୀତ ଏକ ଆଇନ ବଳରେ ଅହମଦିଆ ସମ୍ପ୍ରଦାୟର ଲୋକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଉଥିବାରୁ ସେଠାରେ ଅହମଦିଆ ସମ୍ପ୍ରଦାୟର ଲୋକ ପ୍ରାୟ ନାହାନ୍ତି । ୨୦୦୭ ମସିହାରେ ଜାରି ହୋଇଥିବା ଏକ ଫତଓ୍ଵା ଅନୁଯାୟୀ ଧର୍ମନିନ୍ଦା ଆଇନ ବଳରେ ସେଠାରେ ବାହଈ ବିଶ୍ୱାସର ଅନୁଗାମୀଙ୍କୁ ଅଣ-ମୁସଲିମ ଭାବେ ଧାର୍ମିକ ଉତ୍ପୀଡନର ଶିକାର ହେବାକୁ ପଡୁଛି । ସେଠାରେ ରହୁଥିବା ଅଧିକାଂଶ ଖ୍ରୀଷ୍ଟିଆନ ଭାରତୀୟ ମୂଳର ନୁହନ୍ତି । ସଂଶୋଧିତ ନାଗରିକତା ଆଇନ ଅନୁଯାୟୀ ସେମାନଙ୍କ ମଧ୍ୟରୁ କେହି ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତୀୟ ନାଗରିକତା ପାଇଁ ଆବେଦନ କଲେ ସେମାନଙ୍କୁ ନାଗରିକତା ମିଳିବା ସହଜ ହେବ । ଭାରତୀୟ ମୂଳର ଉତ୍ପୀଡିତ ମୁସଲମାନଙ୍କୁ ନାଗରିକତା ପ୍ରଦାନ କଥା ଉଠିଲେ ‘ଭାରତ କଣ ଗୋଟେ ଧର୍ମଶାଳା ?’ ବୋଲି ଯୁକ୍ତି ବାଢୁୁଥିବା ଲୋକେ ବିଦେଶୀ ମୂଳର ଖ୍ରୀଷ୍ଟିଆନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପାଇଁ କୋହଳ ମନୋଭାବର ଔଚିତ୍ୟ ସମ୍ପର୍କରେ କି ଯୁକ୍ତି ବା ଉପସ୍ଥାପନ କରିବେ ? ଅବଶ୍ୟ ଏ କଥା ଭିନ୍ନ ଯେ ସେ ସବୁ ଦେଶର ଉତ୍ପୀଡିତ ଖ୍ରୀଷ୍ଟିଆନମାନେ ଭାରତ ଅପେକ୍ଷା ଅନ୍ୟ ଦେଶକୁ ପଳାୟନ କରିବା ପାଇଁ ଅଧିକ ପସନ୍ଦ କରୁଥିବାରୁୁ ଓ ସେଠାରେ ବୌଦ୍ଧ, ଜୈନ, ପାର୍ସୀ ଧର୍ମାବଲମ୍ବୀ କେହି ନଥିବାରୁ ଆଇନରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରି କେବଳ ସବୁ ସଂଖ୍ୟାଲଘୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବାର ଔପଚାରିକତାକୁ ପୂରଣ କରିବା ପାଇଁ ପ୍ରଚେଷ୍ଟା କରାଯାଇଛି ବୋଲି କହିବା ଅତ୍ୟୁକ୍ତି ହେବନାହିଁ ।
ଗତ ଛଅ ବର୍ଷ ମଧ୍ୟରେ ମାତ୍ର ୨୮୩୦ ଜଣ ପାକିସ୍ତାନୀ, ୯୧୨ ଜଣ ଆଫଗାନିସ୍ତାନୀ ଓ ୧୭୨ ଜଣ ବଙ୍ଗଳାଦେଶୀଙ୍କୁ ଭାରତ ସରକାର ନାଗରିକତା ପ୍ରଦାନ କରିଛନ୍ତି ଓ ଏମାନଙ୍କ ମଧ୍ୟରେ ଅନେକ ମୁସଲମାନ ଅଛନ୍ତି । ଆଇବି ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ନିଜ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇଥିବା ଦର୍ଶାଇ ଭାରତରେ ଏହି ତିନିଟି ଦେଶରୁ ଆସି ଦୀର୍ଘ ମିଆଦି ଭିସାରେ ଶରଣାର୍ଥୀ ଭାବେ ରହୁଥିବା ମାତ୍ର ୩୧,୩୧୩ ଜଣ ସଂଖ୍ୟାଲଘୁ (୨୫,୪୪୭ ହିନ୍ଦୁ, ୫୮୦୭ ଶିଖ, ୫୫ ଖ୍ରୀଷ୍ଟିଆନ, ୨ ବୌଦ୍ଧ ଓ ୨ ପାର୍ସୀ ) ଏହି ନାଗରିକତା ସଂଶୋଧନ ଆଇନର ତାତ୍କାଳିକ ଲାଭାର୍ଥୀ ହେବେ । ଅର୍ଥାତ୍, ନାଗରିକତା ସଂଶୋଧନ ଆଇନରେ ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଓ ପାର୍ସୀ ଧର୍ମାବଲମ୍ବୀଙ୍କ ନାମୋଲ୍ଲେଖ ହୋଇଥିଲେ ମଧ୍ୟ ସେମାନେ ଏହାଦ୍ୱାରା ବିଶେଷ ଲାଭାନ୍ୱିତ ହେବାର ନାହିଁ । ସରକାରଙ୍କର ଆନ୍ତରିକତା ଥିଲେ, ନାଗରିକତା ଆଇନରେ ସଂଶୋଧନ ନ କରି ମଧ୍ୟ ପ୍ରଚଳିତ ଆଇନ ଅନୁଯାୟୀ ଏମାନଙ୍କୁ ନାଗରିକତା ପ୍ରଦାନ କରିବାରେ କୌଣସି ଅସୁବିଧା ହୋଇ ନ ଥାନ୍ତା । ତେଣୁ ଏହି ଆଇନକୁ ସଂଶୋଧନ କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସେଥିରୁ ବାଦ ଦେବା ପଛରେ ସରକାରଙ୍କ ଗୁପ୍ତ ଏଜେଣ୍ଡା କଣ ଥାଇ ପାରେ ବୋଲି ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ଯେଉଁମାନଙ୍କୁ ନାଗରିକତା ପ୍ରଦାନ ପାଇଁ ଆଇନରେ ସଂଶୋଧନ କରାଗଲା ସେମାନଙ୍କ ସଂଖ୍ୟା ସମ୍ପର୍କରେ ସରକାରଙ୍କ ନିକଟରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ।
କୌଣସି ଦେଶରେ ସଂଖ୍ୟାଲଘୁଙ୍କ ପ୍ରତିଶତ ହ୍ରାସକୁ କେବଳ ଧର୍ମାନ୍ତରଣ ସହ ଯୋଡିବା ଉଚିତ ନୁହେଁ । ଉଦାହରଣ ସ୍ୱରୂପ, ଦେଶ ବିଭାଜନ ସମୟରେ ଭାରତରେ ଜୈନଙ୍କ ପ୍ରତିଶତ ୦.୪୬ ଥିଲା ବେଳେ ଏବେ ତାହା ହ୍ରାସ ପାଇ ୦.୩୬ ପ୍ରତିଶତରେ ପହଞ୍ଚିଲାଣି । ତାର ଅର୍ଥ କଣ ଏଠାରେ ସେମାନଙ୍କର ଧର୍ମାନ୍ତରଣ କରାଯାଇଛି ? ବିଭିନ୍ନ ଦେଶରେ ମୁଷ୍ଟିମେୟ ମୌଳବାଦୀଙ୍କ ଦ୍ୱାରା ଧାର୍ମିକ ଉତ୍ପୀଡନ ଓ ଧର୍ମାନ୍ତରଣ ହୋଇଥାଏ । ଭାରତରେ ମଧ୍ୟ ତାହା ଏ ଯାଏଁ ବନ୍ଦ ହୋଇ ପାରିନାହିଁ । ପଡୋଶୀ ଦେଶମାନଙ୍କରେ ସ୍ଥିତି ଆଉ ଟିକେ ଗମ୍ଭୀର ହୋଇଥିଲେ ବି ତାହା ରାଷ୍ଟ୍ର ପ୍ରାୟୋଜିତ ନୁହେଁ । ଏ କଥା ସତ ଯେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସେଠାକାର ସରକାରମାନେ ଅତୀତରେ ସେ ଭଳି ଆନ୍ତରିକତା ଦେଖାଇ ନାହାନ୍ତି । ତେବେ ଗଣତନ୍ତ୍ର କ୍ରମଶଃ ଚେର ସୁଦୃଢ କରୁଥିବାରୁ ଧର୍ମୀୟ ସ୍ୱାଧୀନତାକୁ ନେଇ ବିଚାର ବିମର୍ଶ ବୃଦ୍ଧି ପାଇବା ସହ ପାକିସ୍ତାନରେ ସେ ନେଇ ଆଇନ ମଧ୍ୟ ପ୍ରଣୟନ ହେବାକୁ ଲାଗିଲାଣି । ଉଦାହରଣ ସ୍ୱରୂପ, ପାକିସ୍ତାନରେ ସର୍ବାଧିକ ହିନ୍ଦୁ ରହୁଥିବା ସିନ୍ଧୁ ପ୍ରଦେଶରେ ବଳପୂର୍ବକ ଧର୍ମାନ୍ତରଣକୁ ବେଆଇନ ଘୋଷଣା କରି ୨୦୧୬ ମସିହାରେ ଆଇନ ପାରିତ ହୋଇଛି । ଅନେକ ଦିନର ପ୍ରତୀକ୍ଷା ପରେ ପାକିସ୍ତାନ ସଂସଦ ଦ୍ୱାରା ୨୦୧୭ ମସିହାରେ ହିନ୍ଦୁ ବିବାହ ଆଇନ ପାରିତ ହୋଇଛି । ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ସହ ସେମାନଙ୍କୁ ବଳପୂର୍ବକ ଧର୍ମାନ୍ତରଣରୁ ରକ୍ଷା କରିବା ଲାଗି ଏକ ଆଇନ ପ୍ରଣୟନ କରିବା ପାଇଁ ସେଠାରେ ନଭେମ୍ବର ୨୦୧୯ରେ ଏକ ସଂସଦୀୟ କମିଟି ଗଠିତ ହୋଇଛି । ‘ଅଲ ପାକିସ୍ତାନ ହିନ୍ଦୁ ରାଇଟସ ମୁଭମେଣ୍ଟ’ ତରଫରୁ ୪୦୮ଟି ହିନ୍ଦୁ ମନ୍ଦିର ବେଆଇନ ଭାବେ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଆଦିରେ ପରିବର୍ତ୍ତିତ ହୋଇଥିବା ଦର୍ଶାଇ ଅଭିଯୋଗ ଦାଖଲ ହେବା ପରେ ପାକିସ୍ତାନ ସରକାର ବିଭିନ୍ନ ଧର୍ମ ମଧ୍ୟରେ ସଦ୍ଭାବନା ପ୍ରତିଷ୍ଠା ଉଦ୍ଦେଶ୍ୟରେ ସେଗୁଡିକୁ ବେଦଖଲ ଓ ପୁନରୁଦ୍ଧାର କରି ହିନ୍ଦୁମାନଙ୍କୁ ଫେରାଇବା ପାଇଁ ଅପ୍ରେଲ ୨୦୧୯ରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହି କ୍ରମରେ ୭୨ ବର୍ଷ ଧରି ବନ୍ଦ ଥିବା ହଜାରେ ବର୍ଷର ପୁରୁଣା ସିଆଲକୋଟସ୍ଥିତ ଶ୍ୱଳା ତେଜା ସିଂ ମନ୍ଦିର ଜୁଲାଇ ୨୦୧୯ରେ ଖୋଲା ଯାଇଥିବା ବେଳେ ଫେବୃଆରୀ ୨୦୨୦ରେ ବେଲୁଚିସ୍ତାନର ଝୋବଠାରେ ଥିବା ଏକ ମନ୍ଦିରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରାଯାଇଛି । ଶିଖମାନଙ୍କ ପ୍ରସିଦ୍ଧ ଗୁରୁଦ୍ୱାରା ଦରବାର ସାହିବ ପରିଦର୍ଶନ ପାଇଁ କରତାରପୁର କରିଡର ଖୋଲାଯାଇଛି । ସେଠାରେ ଧର୍ମୀୟ ସ୍ୱାଧୀନତା ପାଇଁ ବାଟ ପ୍ରଶସ୍ତ ହେଉଥିବା ବେଳେ ଭାରତରେ ଧର୍ମୀୟ ପାତରଅନ୍ତର ଥିବା ନାଗରିକତା ସଂଶୋଧନ ଆଇନ ପ୍ରଣୟନ ଦ୍ୱାରା ପଡୋଶୀ ରାଷ୍ଟ୍ରଙ୍କ ସହ ଆମ ସମ୍ପର୍କ ଉତ୍ତେଜନା ରହିତ ହେବା ତ ଦୂରର କଥା ବରଂ ସେଠାରେ ବସବାସ କରୁଥିବା ପ୍ରାୟ ୮୦ ଲକ୍ଷ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଏବଂ ବଙ୍ଗଳାଦେଶରେ ରହୁଥିବା ୧.୭୦ କୋଟି ହିନ୍ଦୁଙ୍କ ପାଇଁ ସମସ୍ୟା ଅଧିକ ଜଟିଳ ହେବ ନାହିଁ କି ? ବିଭାଜନ ସମୟରେ ପାକିସ୍ତାନ ଏକ ଇସଲାମୀୟ ରାଷ୍ଟ୍ର ହେବା ଜାଣି ସୁଦ୍ଧା ସେଠାରୁ ପଳାଇ ଆସି ନଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁମାନଙ୍କ ପାଇଁ ଜନ୍ମଭୂମିର ଅତ୍ୟଧିକ ଆକର୍ଷଣ ଥିବ । ଆମେ ଯଦି ସେମାନଙ୍କର ହିତ ଚିନ୍ତା କରୁଥାଇଁ ତେବେ ରାଷ୍ଟ୍ରସ୍ତରରେ ଆମର କୌଣସି କାର୍ଯ୍ୟ ସେମାନଙ୍କୁ ଅସୁବିଧାରେ ପକାଇବା ଭଳି ହେବା ଅନୁଚିତ । କେବଳ ଧାର୍ମିକ ଉତ୍ପୀଡନର ଶିକାର ହୋଇ ନୁହେଁ, ବରଂ ଜାତୀୟ, ସାମାଜିକ, ବର୍ଣ୍ଣଗତ ଓ ରାଜନୈତିକ ଉତ୍ପୀଡନ ତଥା, ଲିଙ୍ଗଗତ, ଯୁଦ୍ଧ, କ୍ଷୁଧା ଓ ଜଳବାୟୁ ପରିବର୍ତ୍ତନ ଆଦି କାରଣରୁ ଜଣେ ନିଜ ଦେଶ ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥାଏ । ଅନୁକମ୍ପା ପ୍ରଦର୍ଶନ ପୂର୍ବକ ନାଗରିକତା ପ୍ରଦାନ କଥା ବିଚାର କଲାବେଳେ ତାହା କେବଳ ଧାର୍ମିକ ଉତ୍ପୀଡନକୁ ଆଳ କରି ଦିଆ ନ ଯାଉ । କୌଣସି ଧର୍ମ ପ୍ରତି ବାଛ ବିଚାର ନ କରି ଉପରୋକ୍ତ ସମସ୍ତ ପ୍ରକାର ଉତ୍ପୀଡନର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନରେ କୋହଳ ମନୋଭାବ ପ୍ରଦର୍ଶନ କରାଗଲେ ତାହା ସମ୍ବିଧାନର ଧର୍ମ ନିରପେକ୍ଷତାର ମୌଳିକ ଢାଞ୍ଚାଟିକୁ ଅତୁଟ ରଖିବା ସହ ନାଗରିକ ସଂଶୋଧନ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ତେଜୁଥିବା ବହ୍ନିକୁ ପ୍ରଶମିତ କରିବାରେ ସକ୍ଷମ ହୋଇପାରିବ ।
Published in Samadrusti (01.03.2020 to 15.03.2020)
Published in Samadrusti (01.03.2020 to 15.03.2020)
Congrats Saral for such highly informative impartial article. How are you able to get so many correct details & statistics? Your neutral views based on authority is praiseworthy.
ReplyDeleteThanks for liking the article and appreciating the effort.
DeleteCongratulations Saral. Your fact based analysis is really praiseworthy. But can a country accomodate any nom of refugees from neighbouring country, irrespective of their forceful migration either due to religious considerations or any other reason. Should there not be a moratorium? Great, keep it up.
ReplyDeleteThanks. I fully agree. A sovereign state has every right to protect its interests. But laws enacted should not be discriminatory.
Delete