Skip to main content

ବିନା ନେତାରେ ଆନ୍ଦୋଳନ

ଦିଲ୍ଲୀର ସାହୀନବାଗଠାରେ ହଜାର ହଜାର ସଂଖ୍ୟାରେ ମହିଳା ଦୀର୍ଘ ଦିନ ଧରି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ଏହାର ପ୍ରଭାବରେ ଲକ୍ଷ୍ନୌ, ଗୟା, ପାଟଣା, କୋଲକତା, ଚେନ୍ନାଇ ଭଳି ଦେଶର ଶହ ଶହ ସ୍ଥାନରେ ମଧ୍ୟ ମହିଳାମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବାକୁ ଆଗେଇ ଆସିଥିଲେ । ଏହି ଆନ୍ଦୋଳନଗୁଡିକର ନେତୃତ୍ୱ ନିର୍ଦ୍ଦିଷ୍ଟ ଭାବେ କୌଣସି ରାଜନୈତିକ ଦଳ, ସଂଗଠନ ବା ବ୍ୟକ୍ତି ବିଶେଷ ନେଇନାହାନ୍ତି । ଏପରି ଆନ୍ଦୋଳନ ସରକାରଙ୍କ ଜନବିରୋଧୀ ଛବିକୁ ଉଦଭାସିତ କରି ଶାସକବର୍ଗଙ୍କୁ ଅସହଜ ସ୍ଥିତିରେ ପକାଇଛି । କିନ୍ତୁ ଆନ୍ଦୋଳନ ବିରୋଧୀଙ୍କ ମତ ଯେ ଏହା ପଛରେ କିଛି ରାଜନୈତିକ ଦଳ ଓ ଗୋଷ୍ଠୀଙ୍କ ପରୋକ୍ଷ ସମର୍ଥନ ନ ଥିଲେ ଏହା ଏପରି ବ୍ୟବସ୍ଥିତ ଢଙ୍ଗରେ ଚାଲିପାରନ୍ତା ନାହିଁ କି ପ୍ରଦର୍ଶନ ସ୍ଥଳରେ ପ୍ରଦର୍ଶନକାରୀଙ୍କୁ ବିରିଆନୀ ଖାଇବାକୁ ମିଳନ୍ତା ନାହିଁ । ଏ କଥା ସତ ଯେ ଅନେକ ସମୟରେ ରାଲି, ସଭା ବା ଆନ୍ଦୋଳନରେ ଭାଗ ନେବାକୁ ଲୋକ ଯୋଗାଡ କରିବା ପାଇଁ ଟଙ୍କା ଦେବାକୁ ପଡିଥାଏ । ତେଣୁ ଟଙ୍କା ଦେଇ ଲୋକ ସଂଗ୍ରହ କରୁଥିବାର ଅଭିଜ୍ଞତା ଥିବା କିଛି ନେତା ତ ବିନା ଟଙ୍କା କାରବାରରେ ପ୍ରତ୍ୟହ ଏତେ ସଂଖ୍ୟକ ଲୋକ ଏକଜୁଟ ହେଉଥିବା କଥାକୁ ଆଦୌ ବିଶ୍ୱାସ ବା ଗ୍ରହଣ କରି ପାରୁ ନାହାନ୍ତି । ଫଳରେ ଆନ୍ଦୋଳନରେ ବସିବା ପାଇଁ ମହିଳାମାନଙ୍କୁ ପାଞ୍ଚ ଶହ ଟଙ୍କା ଲେଖାଏଁ ଦିଆ ଯାଇ ଅଣା ଯାଉଥିବାର ଅଭିଯୋଗ ସମ୍ବଳିତ ଭିଡିଓ ମଧ୍ୟ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି । କିନ୍ତୁ ସେ ଯାହା ହେଉ, ଏହି ଆନ୍ଦୋଳନରେ କୌଣସି ଜଣେ ବା ଏକାଧିକ ନେତା ନେତୃତ୍ୱ ନେଇଥିବା ଦେଖିବାକୁ ମିଳିନାହିଁ । ଗାନ୍ଧୀ ଓ ଜୟପ୍ରକାଶଙ୍କ ପରିଚାଳିତ ଆନ୍ଦୋଳନ, ଯେଉଁଥିରେ ନେତା ଥିବେ ଓ ନିର୍ଦ୍ଦିଷ୍ଟ ବିଚାରଧାରା ଥିବ, ତାକୁ ଦେଖିଥିବା ବା ସେ ବିଷୟରେ ଶୁଣିଥିବା ଲୋକଙ୍କୁ ତ ଏହି ନୂଆ ଫର୍ମାଟର ଆନ୍ଦୋଳନ ବିଚିତ୍ର ଲାଗୁଥାଇପାରେ । ଏବଂ ସେହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଯେ ନେତାବିହୀନ ଭାବେ ଗୋଟିଏ ଆନ୍ଦୋଳନକୁ ଦୀର୍ଘ କାଳ ଧରି ଚଲାଇ ରଖିବା କଣ ସମ୍ଭବ ? ନିକଟ ଅତୀତରେ ଓ ବର୍ତ୍ତମାନ ବିଶ୍ୱବ୍ୟାପୀ ଅନେକ ଆନ୍ଦୋଳନ ନେତାବିହୀନ ଭାବେ ଚାଲି ଆସିଥିବାରୁ, ଏହା ପ୍ରାୟୋଜିତ ବା ଟଙ୍କା ନେଇ ଲୋକ ପ୍ରଦର୍ଶନରେ ବସୁଛନ୍ତି ବୋଲି ଖାରଜ କରି ନ ଦେଇ, ଏପରି ଆନ୍ଦୋଳନର ଚରିତ୍ରକୁ ବୁଝିବାର ଆବଶ୍ୟକତା ରହିଛି ।

‘ଆରବ ସ୍ପ୍ରିଙ୍ଗ’ ବା ‘ଆରବ ବସନ୍ତ’ ଭାବେ ଖ୍ୟାତ ନେତାବିହୀନ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟ ୨୦୧୧ ମସିହାରେ ଟ୍ୟୁନିସିଆରୁ ଆରମ୍ଭ ହୋଇ ଅଳ୍ପ ସମୟ ମଧ୍ୟରେ ଲିବ୍ୟା, ଇଜିପ୍ଟ, ୟେମେନ, ସିରିଆ, ବାହାରିନ ଭଳି ପନ୍ଦରଟି ଦେଶକୁ ବ୍ୟାପି ଯାଇଥିଲା । ଏବେ ହଂକଂ, ଚିଲି, ସ୍ପେନ, ବଲିଭିଆ, ଇକୁଏଡର, ଇଜିପ୍ଟ, ଆଲଜିରିଆ, ଇରାକ, ଫ୍ରାନ୍ସ, ରୁଷିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ ଭଳି ଅନେକ ଦେଶରେ ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ଏହି ନେତାବିହୀନ ଆନ୍ଦୋଳନଗୁଡିକରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏଭଳି ଏକ ନେତାବିହୀନ ଆନ୍ଦୋଳନରେ ସାମିଲ ହୋଇ ୨୦୧୯, ଜୁନ ୧୬ ତାରିଖରେ ପ୍ରାୟ ୨୦ ଲକ୍ଷ ଲୋକ ହଂକଂର ରାସ୍ତାକୁ ଓହ୍ଲାଇବା ବିଶ୍ୱବାସୀଙ୍କୁ କେବଳ ଚକିତ କରି ନାହିଁ, ବରଂ ଏପରି ଆନ୍ଦୋଳନ ଯେ କେତେ ତୀବ୍ର ହୋଇପାରେ ତାର ଏକ ଧାରଣା ସୃଷ୍ଟି କରିଛି । ଏହି ତୃଣମୂଳ ସ୍ତରର ଆନ୍ଦୋଳନ ଯୋଗୁ କେଉଁଠି ସରକାରଙ୍କୁ ଜନବିରୋଧୀ ଆଇନକୁ ପ୍ରତ୍ୟାହାର କରିବାକୁ ପଡିଛି ତ କେଉଁଠି ପୁଣି ପ୍ରଭାବଶାଳୀ ଶାସକ ଓ ପ୍ରଶାସକଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ହୋଇଛି । ଲେବାନନ ଓ ଇରାକର ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା, ଚିଲିରେ ଆୟୋଜିତ ହେବାକୁ ଥିବା ଏସିଆ ପାସିଫିକ ଇକୋନୋମିକ କୋଅପରେସନର ଶିଖର ସମ୍ମିଳନୀ ବାତିଲ ହେବା ଭଳି ଘଟଣା ଏପରି ଆନ୍ଦୋଳନର ପ୍ରଭାବକୁ ବଖାଣିଥାଏ । ସବୁଠି ଯେ ଆନ୍ଦୋଳନର ସୁଫଳ ମିଳିଛି ତା ନୁହେଁ, ବରଂ ସ୍ଥଳ ବିଶେଷରେ ଏକଛତ୍ରବାଦୀ ଶାସକମାନେ ବଳ ପ୍ରୟୋଗ କରି ଏପରି ଆନ୍ଦୋଳନକୁ ଦବାଇ ଦେବାରେ ସକ୍ଷମ ହୋଇଛନ୍ତି । ତେବେ ସମୁଦ୍ର ଜୁଆର ଭଳି ଏହି ଆନ୍ଦୋଳନଗୁଡିକ ଶକ୍ତି ସଂଗ୍ରହ କରି ପୁନଶ୍ଚ ମଥା ଟେକୁଥିବା ଦେଖିବାକୁ ମିଳୁଛି । ତେଣୁ ଏହାକୁ ଏକ ‘ବିଶ୍ୱବ୍ୟାପୀ ରାଜନୈତିକ ଜାଗରଣ’ ଭାବେ ମଧ୍ୟ ଚିତ୍ରଣ କରାଯାଉଛି ।
    
ବିଭିନ୍ନ ଦେଶରେ ନାଗରିକଙ୍କ ସମସ୍ୟା ତଥା ଅସନ୍ତୋଷର କାରଣ ଭିନ୍ନ ଭିନ୍ନ ହୋଇପାରେ । ତେବେ ସର୍ବତ୍ର ମୌଳିକ ଆବଶ୍ୟକତା ତଥା ଲୋକଙ୍କ ସ୍ୱାଭିମାନ ଓ ଆଶାକୁ ପରିପୂରଣ କରିବା ଦିଗରେ ଶାସକ ବର୍ଗ ଏବଂ ରାଜନୈତିକ ଅନୁଷ୍ଠାନଗୁଡିକର ବିଫଳତା ହିଁ ଏହାର ମୁଖ୍ୟ କାରଣ । କ୍ରମବର୍ଦ୍ଧିଷ୍ଣୁ ଭ୍ରଷ୍ଟାଚାର ଓ ଅର୍ଥନୈତିକ ଅସମାନତାରେ ଅତିଷ୍ଠ ହୋଇ ପଡିଥିବା ସହରର ବିକ୍ଷୁବ୍ଧ ଯୁବ ବର୍ଗ ସଂଗଠିତ ନ ହେଲେ ବି ସ୍ୱତଃପ୍ରବୃତ୍ତ ଭାବେ ଏ ଭଳି ଆନ୍ଦୋଳନରେ ବାହାରି ପଡୁଛନ୍ତି । କାରଣ ଏହାରି ମାଧ୍ୟମରେ ସେମାନଙ୍କ ପ୍ରତିବାଦର ସ୍ୱର କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇ ହେବ ବୋଲି ସେମାନଙ୍କ ବିଶ୍ୱାସ ଦୃଢୀଭୂତ ହୋଇଛି । ଅପର ପକ୍ଷରେ ରାଜନେତାମାନେ ସେମାନଙ୍କ କ୍ଷମତାର ବୈଧତା (ସେମାନେ ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ) ଉପରେ ବେଶି ଗୁରୁତ୍ୱ ଦେଇଥାନ୍ତି । ସେଥିପାଇଁ କ୍ଷମତାର ସେହି ଶ୍ରେଣୀବଦ୍ଧତା (ହିଅରାର୍କି)କୁ ବଜାଏ ରଖିବା ପାଇଁ ଲୋକଙ୍କ ବିରୋଧ ପ୍ରଦର୍ଶନକୁ ଅଣଦେଖା କରି ପାରମ୍ପରିକ ଶୈଳୀରେ ଉପରୁ ତଳର ରାଜନୀତି (ଟପ ଡାଉନ ପଲିଟିକ୍ସ) ଜରିଆରେ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହାଦ୍ୱାରା ଲୋକେ ଦେଖନ୍ତି ଯେ ସମସ୍ୟାର ସମାଧାନ ହେଉନାହିଁ । ସୁତରାଂ, ହତାଶାର ଶିକାର ଏହି ସାଧାରଣ ବର୍ଗ ଏକ ଗଣତନ୍ତ୍ରରେ ନିଜ କ୍ଷମତାର ପ୍ରମାଣ ଦେବା ଲାଗି ଏକାଠି ହୋଇ ବାହାରି ପଡନ୍ତି । ଏହା ନେତାବିହୀନ ଆନ୍ଦୋଳନକୁ ଜନ୍ମ ଦେଇଥାଏ । ନାଗରିକଠାରେ ଉପଲବ୍ଧ ନେତୃତ୍ୱର ଗ୍ରହଣୀୟତାରେ ଶୂନ୍ୟତାର ଅନୁଭବ ହେଲେ ଏହି ଆନ୍ଦୋଳନ ବିକାଶ ଲାଭ କରିଥାଏ । ସମ୍ପତ୍ତି ଓ ଜ୍ଞାନ ଠୁଳ ହୋଇଥିବା ସହରଗୁଡିକ ଏପରି ଆନ୍ଦୋଳନକୁ ଚଲାଇବାରେ ସାହାଯ୍ୟ କରିଥାନ୍ତି । ଆଜିର ଡିଜିଟାଲ ସୂଚନା ଯୁଗରେ, ଯେଉଁଠି ପ୍ରାୟ ୪୦୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଇଣ୍ଟରନେଟ ସହ ସଂଯୁକ୍ତ, ଫେସବୁକ, ହ୍ୱାଟସଆପ, ଟୁଇଟର ଭଳି ସାମାଜିକ ଗଣମାଧ୍ୟମ ସେଗୁଡିକୁ ବିଜୁଳିର ବେଗ ପ୍ରଦାନ କରିଥାନ୍ତି । ଦେଶ ବିଦେଶରେ ଘଟୁଥିବା ଆନ୍ଦୋଳନ ଓ ଘଟଣାରୁ ପ୍ରଦର୍ଶନକାରୀଙ୍କୁ ଆନ୍ଦୋଳନ ଗଢି ତୋଳିବା ପାଇଁ ସୂଚନା ଓ ପ୍ରେରଣା ମିଳିଥାଏ । ସେଥିପାଇଁ ସାହୀନବାଗଠାରେ ଆରମ୍ଭ ହୋଇଥିବା ପ୍ରତିବାଦ ସହଜରେ ଦେଶର ବିଭିନ୍ନ ସ୍ଥାନରେ ମହିଳାମାନଙ୍କୁ ଆନ୍ଦୋଳନରେ ବସିବା ପାଇଁ ଉଦବୁଦ୍ଧ କରିପାରିଲା ।

ନେତାବିହୀନ ଆନ୍ଦୋଳନରେ ନେତୃତ୍ୱ ଅଦୃଶ୍ୟ ଭଳି ମନେ ହେଉଥିଲେ ବି ପ୍ରକୃତ ପକ୍ଷେ ତାହା ବିକେନ୍ଦ୍ରିତ ଭାବେ ଅନେକଙ୍କଠାରେ ଥାଏ ଓ ସେମାନଙ୍କ ମଧ୍ୟରେ ଏକ ସମନ୍ୱୟ ମଧ୍ୟ ରହିଥାଏ । ଜଣେ ବା ଅଳ୍ପ କେତେ ଜଣଙ୍କଠାରେ ଆନ୍ଦୋଳନର ନେତୃତ୍ୱ କେନ୍ଦ୍ରିତ ଥିଲେ ସେମାନେ ପ୍ରଶାସନର ଚକ୍ଷୁଶୂଳ ହୋଇ ଜେଲରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ବିଭିନ୍ନ ଭାବେ ନିର୍ଯାତିତ ହେବାର ଆଶଙ୍କା ଥାଏ । ତା ଛଡା ସେହି କେତେ ଜଣଙ୍କୁ କଳେ ବଳେ କୌଶଳେ ଅକ୍ତିଆରକୁ ଆଣି ଆନ୍ଦୋଳନକୁ ଭଣ୍ଡୁର କରିବା ପ୍ରଶାସନ ପକ୍ଷରେ ସହଜ ହୋଇଥାଏ । ସେଥିଲାଗି ଆନ୍ଦୋଳନରେ ଭାଗ ନେଉଥିବା ଅନେକ ଛୋଟ ଛୋଟ ଦଳ ଛନ୍ଦି ହୋଇ ନିଜ ନିଜ ଭିତରେ ଏକ ନେଟଓ୍ଵାର୍କ ସୃଷ୍ଟି କରିଥାନ୍ତି, ଯେମିତି ମାନବାଧିକାର କର୍ମୀ, ଛାତ୍ର ସଂଗଠନ, ଶ୍ରମିକ ସଂଗଠନ, ହ୍ୱାଟସଆପ ଗ୍ରୁପ ଭଳି । ଏଥିରେ ବିଭିନ୍ନ ସ୍ତରରେ ଅନେକ ନେତା କାର୍ଯ୍ୟ କରିଥାନ୍ତି । ପ୍ରଶାସନ ଅଜ୍ଞାତସାରରେ ଥିବା ସ୍ଥାନୀୟ ନେତାଙ୍କୁ କର୍ମୀମାନେ ଜାଣିଥାନ୍ତି ଓ ତାହା ଗୋପନ ରଖା ଯାଇଥାଏ । ଏହା ସତ୍ତ୍ଵେ କିଛି ନେତାଙ୍କୁ ଗିରଫ ବା ହଇରାଣ ହରକତ କରାଗଲେ ମଧ୍ୟ ଆନ୍ଦୋଳନର ନେତୃତ୍ୱ ଏତେ ସଂଖ୍ୟକ ସାଧାରଣ ଲୋକଙ୍କ ପାଖରେ ଥାଏ ଯେ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପ୍ରଶାସନ ପକ୍ଷରେ କାଠିକର ପାଠ ହୋଇଥାଏ । ତେଣୁ ଅନ୍ୟ ଆନ୍ଦୋଳନ ପରି ଏପରି ଆନ୍ଦୋଳନରୁ କେହି ବଡ ନେତା ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ହୋଇଥିଲେ ମଧ୍ୟ ସ୍ଥଳ ବିଶେଷରେ କିଛି ନେତା ସୃଷ୍ଟି ହୋଇପାରନ୍ତି । ‘ଜଳ ପରି ଆକାରଶୂନ୍ୟ ହୁଅ’ – ମାର୍ଶଲ ଆର୍ଟର କିମ୍ବଦନ୍ତୀ ପୁରୁଷ ବ୍ରୁସ ଲିଙ୍କ ଏହି ଉକ୍ତିକୁ ହଂକଂରେ ଅନ୍ତତଃ ଆନ୍ଦୋଳନ ପରିଚାଳନାରେ କାର୍ଯ୍ୟକାରୀ କରାଯାଇଛି । ପାଣି ଯେପରି ପାତ୍ର ଅନୁସାରେ ଆକାର ଧାରଣ କରିଥାଏ, ଆନ୍ଦୋଳନକାରୀମାନେ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇଥାନ୍ତି ଓ ପାଣି ପରି ଅପ୍ରତ୍ୟାଶିତ ଭାବେ ଏକ ନିର୍ଦ୍ଦିଷ୍ଟ ଦିଗରେ ବେଗର ସହିତ ପ୍ରବାହିତ ହୋଇ କ୍ଷତି ସାଧନ କରିବାକୁ ସମର୍ଥ ହୋଇଥାନ୍ତି । ତେବେ ଏପରି ଆନ୍ଦୋଳନର ଏକ ସମସ୍ୟା ହେଉଛି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ସ୍ପଷ୍ଟତାର ଅଭାବ । ତେଣୁ ବେଳେବେଳେ ଆନ୍ଦୋଳନ ଏତେ ଶକ୍ତିଶାଳୀ ହୋଇଯାଏ ଯେ ଦାବି ପୂରଣ ହେଲା ପରେ ମଧ୍ୟ ଆନ୍ଦୋଳନକାରୀମାନେ ନୂଆ ଦାବି ଉପସ୍ଥାପନ କରି ତାକୁ ଚଲାଇ ରଖିବାକୁ ବ୍ୟଗ୍ର ହୋଇଥାନ୍ତି । ସର୍ବିୟାର ଜନ ଆନ୍ଦୋଳନରୁ ବାହାରିଥିବା ଜଣେ ନେତା ପୋପୋଭିଚଙ୍କ ମତରେ କୌଣସି ଜନ ଅନ୍ଦୋଳନକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରି ସଫଳତା ହାସଲ କରିବା ସକାଶେ ଆନ୍ଦୋଳନକାରୀଙ୍କଠାରେ ଏକତା, ଯୋଜନା ଓ ସଂଗଠନ ଅପରିହାର୍ଯ୍ୟ । ଏଭଳି ଆନ୍ଦୋଳନଗୁଡିକରେ ଏ ସବୁ ପରିଦୃଷ୍ଟ ହୋଇଥାଏ ।
        
ଏବେ କିଛି ଲୋକଙ୍କ ଦ୍ୱାରା ଏକ ବଖାଣ ଉପସ୍ଥାପନ କରାଯାଉଛି ଯେ ସଂସଦରେ ପାରିତ ହୋଇଥିବା ଆଇନକୁ ରାସ୍ତା ଘାଟରେ ବିରୋଧ କରି ବଦଳାଇ ହେବନାହିଁ । ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନେ ଲୋକଙ୍କ ସ୍ୱାର୍ଥରକ୍ଷା କରି ଆଇନ ପ୍ରସ୍ତୁତ କରିବେ ବୋଲି ଆଶା କରାଯାଏ । କିନ୍ତୁ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ପାରିତ କୌଣସି ଆଇନ ଜନସ୍ୱାର୍ଥ ବିରୋଧୀ ହେଉଛି ବୋଲି ସେମାନଙ୍କ ପ୍ରତ୍ୟୟ ହେଲେ, ସେମାନଙ୍କ ନିକଟରେ ନିର୍ବାଚିତ ପ୍ରତିନିଧିଙ୍କୁ ଫେରାଇ ଆଣିବାର ଅଧିକାର (ରାଇଟ ଟୁ ରିକଲ) ନ ଥିବାରୁ, ସେମାନେ ରାସ୍ତାକୁ ଓହ୍ଲାଇ ସଂସଦରେ ପାରିତ ଆଇନକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରି ତାକୁ ବଦଳାଇବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଆଦୌ ଅଗଣତାନ୍ତ୍ରିକ ନୁହେଁ । ଏହିପରି ଭାବେ ବିଭିନ୍ନ ଦେଶରେ ଆଇନ ଲୋକଙ୍କ ବିରୋଧର ସମ୍ମୁଖୀନ ହେବା ପରେ ପ୍ରତ୍ୟାହାର ବା ସଂଶୋଧିତ ହୋଇଥିବାର ଦୃଷ୍ଟାନ୍ତମାନ ରହିଛି ।

ପ୍ରାଚୀନ ଚୀନ ଦାର୍ଶନିକ ତଥା ଟାଓ ଧର୍ମର ପ୍ରବର୍ତ୍ତକ ଲାଓ ଚାଙ୍କ ଅନୁସାରେ, “ସେହି ନେତା ସର୍ବଶ୍ରେଷ୍ଠ ଯାହାର ଉପସ୍ଥିତି ସମ୍ପର୍କରେ ଲୋକମାନେ ଅବଗତ ନଥାନ୍ତି । ଯେତେବେଳେ ତା କାମ ହୋଇଯାଏ, ତା ଲକ୍ଷ୍ୟ ପୂରଣ ହୋଇଯାଏ ସେମାନେ କହିଥାନ୍ତି, ‘ଆମେ ନିଜେ ଏହା କଲୁ’ ।” ତାଙ୍କ ମତାନୁସାରେ ନେତା ନିଜକୁ ପ୍ରକାଶିତ ନ କରି ଅଦୃଶ୍ୟ କରି ରଖିବା ଉଚିତ । ତେବେ ବର୍ତ୍ତମାନ ହେଉଥିବା ନେତାବିହୀନ ଆନ୍ଦୋଳନଗୁଡିକରେ ପ୍ରକୃତ ପକ୍ଷେ ନିର୍ଦ୍ଦିଷ୍ଟ ଭାବେ କୌଣସି ନେତା ହିଁ ନଥିବା ହେଉଛି ଏକ ନୂଆ କଥା । ଗୋଟିଏ ଗଣତନ୍ତ୍ରରେ ଶାସକଗୋଷ୍ଠୀ ଯେତେ ଅଧିକ ଶକ୍ତିଶାଳୀ ହେବ ଓ ବିରୋଧୀ ଦଳଗୁଡିକ ଦୁର୍ବଳ ହୋଇ ବିଶ୍ୱସନୀୟତା ହରାଇବେ, ବିରୋଧୀ ଦଳ ନିର୍ବାହ କରୁଥିବା ଭୂମିକାଟିର ଶୂନ୍ୟ ସ୍ଥାନଟିକୁ ପୂରଣ କରିବା ପାଇଁ ଆଗାମୀ ଦିନରେ ନେତାବିହୀନ ଆନ୍ଦୋଳନ ସେତେ ଅଧିକ ଉଗ୍ର ଓ ଶକ୍ତିଶାଳୀ ଭାବେ ଉଭା ହେବ । ଆକ୍ରମଣ କଲା ଭଳି କୌଣସି ପରିଚିତ ପ୍ରତିପକ୍ଷଙ୍କ ଅଭାବରେ ଶାସକ ଗୋଷ୍ଠୀ ପକ୍ଷରେ କାହାରିକୁ ନିର୍ଦ୍ଦିଷ୍ଟ ଭାବେ ଅକ୍ରମଣ କରିବା ମଧ୍ୟ ସହଜ ହେବନାହିଁ, ଯାହା ଫଳରେ ଆନ୍ଦୋଳନକୁ ନିୟନ୍ତ୍ରଣ ଭିତରେ ରଖିବା କଷ୍ଟସାଧ୍ୟ ହେବ । ଏହି ଦୃଷ୍ଟିରୁୁ ଏକ ଦୁର୍ବଳ ବିରୋଧୀ ଦଳ ଶାସକ ଗୋଷ୍ଠୀ ପାଇଁ ନୂତନ ମୁଣ୍ଡବ୍ୟଥାର କାରଣ ହେବା ଉଚିତ, ଆତ୍ମସନ୍ତୋଷର ନୁହେଁ । କାରଣ ପୂର୍ଣ୍ଣ କାଳୀନ ପେଷା ଭାବେ ଗ୍ରହଣ କରି ପ୍ରତ୍ୟକ୍ଷ ରାଜନୀତି ଭିତରକୁ ପ୍ରବେଶ କରିବାକୁ ଅନାଗ୍ରହୀ ଶିକ୍ଷିତ ଯୁବ ସମାଜ ଆଗାମୀ ଦିନରେ ବିଭିନ୍ନ ପ୍ରସଙ୍ଗରେ ନେତାବିହୀନ ଆନ୍ଦୋଳନମାନଙ୍କରେ, ସାମୟିକ ଭାବେ ହେଲେ ମଧ୍ୟ, ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହେବା ବିଷୟଟି ପ୍ରାୟ ନିଶ୍ଚିତ ଭଳି ଲାଗୁଛି । ଜନବିରୋଧୀ ନୀତି ଓ ନିଷ୍ପତ୍ତିକୁ ପ୍ରତିବାଦ କରି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଅତର୍କିତ ଜନସମୁଦ୍ର ନେତାବିହୀନ ଭାବେ ରାସ୍ତାକୁ ଓହ୍ଲାଇବା ଏକ ସାଧାରଣ ଘଟଣାରେ ପରିଣତ ହୋଇ ସରକାରଙ୍କ ପାଇଁ ନିରନ୍ତର ବିପଦର କାରଣ ହେବ । ତେଣୁ କେହି କେହି ଏଭଳି ଆନ୍ଦୋଳନକୁ ‘ରାଜନୈତିକ ଗରିଲା ଆକ୍ରମଣ’ ବୋଲି ମଧ୍ୟ କହିଥାନ୍ତି । ସାହୀନବାଗ ଆନ୍ଦୋଳନକୁ ‘ସଂଯୋଗ ନୁହେଁ ଏକ ପ୍ରୟୋଗ’ ବୋଲି ପ୍ରଧାନମନ୍ତ୍ରୀ ତାଚ୍ଛଲ୍ୟ କରିଥିଲେ ବି ବାସ୍ତବରେ ଏହା ଏକ ‘ପ୍ରୟୋଗ’ ବୋଲି କୁହାଯାଇପାରେ । ଦେଶରେ ନେତାବିହୀନ ଆନ୍ଦୋଳନର ପ୍ରଥମ ପ୍ରୟୋଗ ସାହୀନବାଗରେ ହୋଇ ଏହା ଏକ ପର୍ଯ୍ୟାୟବାଚୀ ଶବ୍ଦରେ ପରିଣତ ହୋଇଛି । ଏଭଳି ଅନେକ ଆନ୍ଦୋଳନ ହୁଏତ ଆଗକୁ ଦେଖିବାକୁ ମିଳିପାରେ ଯାହା ଶାସକ ଦଳର ଅବିମୃଶ୍ୟକାରିତାରେ ଲଗାମ ଦେବା ସହ ଭବିଷ୍ୟତରେ ଭାରତୀୟ ରାଜନୀତିର ଗତି ଓ ଦିଗ ନିର୍ଦ୍ଧାରଣ କରି ଏହାକୁ ପ୍ରଭାବିତ କରିପାରେ ।

Published in Sambad on March 26, 2020



Comments

  1. "ବିନା ନେତାରେ ଆନ୍ଦୋଳନ" ଶୀର୍ଷକ ଆଲେଖ୍ୟଟି ପରଦା ପଛର ନାଟକ ଭଳି ଲାଗିଲା | ପରଦା ପଛରେ ଯେଉଁ ରିହାରସେଲ ହୁଏ - ହସ ଗମାତ ସହ ମଞ୍ଚରେ ସେଇଆ ହୁଏନାହିଁ , ଠିକ ସେମିତି ସାହିନ ବାଗ କଥାଟି ଆସିଲା। ସମ୍ବିଧାନର ବିଧି ଅନୁଯାୟୀ ଗଣତନ୍ତ୍ରର ମନ୍ଦିରରେ "ସିଏଏ" ଆଇନ ପାରିତ ହେଲା ଯାହାକି ଅଧିକାଂଶ ସାଂସଦ ଭାଗ ନେଇ ତାଙ୍କର ମତ ରଖିଲେ , ଆର୍ଟିକିଲ 14 କୁ ନେଇ ଚର୍ଚା ବି ହେଲା ଗୃହ ମନ୍ତ୍ରୀ ସାଂସଦ ମାନଙ୍କର ସମସ୍ତ ଉତ୍ତର ରଖିଲେ, ତାପରେ ବିଧି ଅନୁଯାୟୀ ଆଇନ ଗୃହୀତ ହେଲା | ପୂର୍ବରୁ 370 ହଟି ସାରିଥିଲା , ରାମ ମନ୍ଦିର ଘଟଣା ଉଚ୍ଚନାୟାଳୟ ଦ୍ୱାରା ସମାଧାନ ହୋଇ ସାରିଥିଲା | ବିରୋଧ ଦଳ ସରକାରଙ୍କର କୌଣସି କଥାକୁ ବିରୋଧ କରିପାରୁନଥିଲେ , ଠିକ ଏଇ ସମୟକୁ ଦିଲ୍ଲୀ ନିର୍ବାଚନ ହାତ ପାହାନ୍ତାରେ ଥିଲା | ବୁଦ୍ଧିଆ କେଜେରିୱାଲ ଏହାର ଫାଇଦା ନେବା ପାଇଁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ହାତ ଟେକି ଦେଇ ସାହିନବାଗକୁ ଆଗଚଲା ନେତାଙ୍କୁ ପଠେଇ ନିର୍ବାଚନରେ ମୁସଲିମ ଭୋଟ ହାତେଇବା ପାଇଁ ଅଂଟା ଭିଡିଲା | କିନ୍ତୁ ଡର ରହିଲା ଯଦି ମୁସଲିମ ଭୋଟ ଭାଗ ହେବ ତେବେ କଂଗ୍ରେସ କି ଆମ ଆଦମୀ ଗୋଟିଏ ଭୋଟ ପାଇବେ ନାହିଁ | ଏହି ପରି ପ୍ରେକ୍ଷୀରେ ନାଟକର ମଞ୍ଚ ପଛପଟେ ନାଟକର ଭିନ୍ନ ଦିଗ ଲେଖା ସରିଥିଲା | ନାଟକର ମୁଖ୍ୟ ଭୂମିକାରେ ମୁସଲିମ ମହିଳା , ପିଲା ଛୁଆଙ୍କୁ ଧରି ବସିଲେ , ପୋଲିସ ହେଉ କି ମିଲିଟାରୀ ହେଉ ବିଜେପି ସରକାର ହାତ ମାରି ପାରିବେ ନାହିଁ | ଆଗରୁ ଚାଲିଥିଵା ଅରାଜକତା ରାଜନୀତି ଆଉ ପଦେ ଆଗକୁ ଯାଇ ପିଲା - ଛୁଆ ଙ୍କୁ ଆଗରେ ରଖାଗଲା ଏପରିକି ସେମାନଙ୍କ ମୁହଁରେ କୁହାଗଲା ଯେ ଆମକୁ ଦେଶରୁ ବିଦା କରିଦିଆଯିବ ଆମେ କୁଆଡେ ଯିବୁ ..ଏପରି ଭ୍ରାନ୍ତ ଧାରଣା ମୁଣ୍ଡରେ ପୁରାଗଲା , ସାମ୍ବାଦିକ ମାନେ ସେହି ମହିଳାମାନଙ୍କ ସହ କଥା ହେଲା ବେଳେ , ପୁରୁଷ ବ୍ୟକ୍ତି ମାନେ କ'ଣ କହିବା କ'ଣ ନ କହିବ prompting କରୁଥାନ୍ତି (ନାଟକରେ ଯେମିତି ହୁଏ ) ତା ମାନେ ଆପଣ କୁହନ୍ତୁ ଏହା କିପରି ବିନା ନେତାରେ ଆନ୍ଦୋଳନ ଚାଲିଥିଲା ବୋଲି କହୁଛନ୍ତି ? ଏବେ ଠିକ ସେମିତି ଦେଶ ଲକ ଡାଉନ ଥିଲା ବେଳେ ଦିଲ୍ଲୀ ରେ 15/20 ହଜାର ଲୋକ ଏକାଥରକେ ଘରୁ ବାହାରି ଆସିବା , ତାଙ୍କର ପାଣି , ଇଲେକ୍ଟ୍ରି କାଟିଦେବା , ଗାଡି ମାଧ୍ୟମରେ ବସ ଚାଲୁଚି କହି ଘରୁ ବାହାରକୁ ବାହାର କରିଦେବା କ'ଣ ନାଟକ ନୁହେ ବୋଲି ଭାବୁଛନ୍ତି ?? ଆହୁରି ଅନେକ ଉଦାହରଣ ଅଛି ....ଏହି ଦିଗ ଗୁଡ଼ିକ ଆପଣ ଧରିନାହାନ୍ତି କିମ୍ବା ଜାଣିଶୁଣି ଆଣିନାହାନ୍ତି ବୋଲି ମୁଁ ଅନୁଭବ କରୁଛି | ଯେମିତି ଆଜିକାଲି କିଛି ବୁଦ୍ଧିଜୀବୀ ନିଜର ଆତ୍ମ ସନ୍ତୋଷ ପାଇଁ ଲେଖୁଛୁ କହି ବରାଦିଆ ଲେଖା ଲେଖି ଭଲ ଦି ପଇସା କମଉଛନ୍ତି ସେମାନଙ୍କୁ "ଅର୍ବାନ ନକ୍ସଲ" ଆଖ୍ୟା ଦିଆଯାଇଛି | ସେହିଭଳି ଭାବେ ଭାରତର ଇତିହାସକୁ ସବୁବେଳେ ଏହି ଅର୍ବାନ ନକ୍ସଲ ମାନେ କରାୟତ କରି ଅରାଜକତା ସୃଷ୍ଟି କରିଛନ୍ତି | ସେହି ମର୍ମରେ ଆଜିର ରାଜନୀତି ସେହି ମାନଙ୍କ କାଠ କଣ୍ଢେଇ ହେଇ ଦେଶକୁ ପୁଣି ଭାଗ ଭାଗ କରି ତାର ଶ୍ରେୟାନ୍ସ ଅକ୍ତିଆର ପାଇଁ ନୁଁହେତ !

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍