ଗତ ଗଣତନ୍ତ୍ର ଦିବସରେ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପରେ ଦୁଇ ସମ୍ପନ୍ନ ପରିବାରର ଉଚ୍ଚଶିକ୍ଷିତ ବରକନ୍ୟା ମାନବବାଦୀ ଓ ହେତୁବାଦୀ ମତାଦର୍ଶରେ ଅଗ୍ନିକୁ ସାକ୍ଷୀ ରଖି ନୁହେଁ ବରଂ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ । ତାହା ଅନେକଙ୍କ ପାଇଁ ଉତ୍ସୁକତାର ବିଷୟ ହୋଇଥିଲେ ମଧ୍ୟ ସେଠାରେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ଥିବା ପ୍ରାୟ ସମସ୍ତେ ଏହି ନିଆରା ବିବାହର ଆନନ୍ଦ ନେବା ସହ ସେମାନଙ୍କ ଏହି ଉନ୍ନତ ଚିନ୍ତାଧାରା ପାଇଁ ସାଧୁବାଦ ଜଣାଇଥିଲେ । ସବୁଠାରୁ ବଡ କଥା ହେଲା ପାରମ୍ପରିକ ଭାବେ ବିବାହ କର୍ମକାଣ୍ଡ ସମ୍ପାଦନ ପାଇଁ କୌଣସି ପୁରୋହିତ ନଥିଲେ କି ମନ୍ତ୍ରୋଚ୍ଚାରଣ ହୋଇ ନଥିଲା । ଦୁଇ ଜଣ ବୟୋଜ୍ୟେଷ୍ଠ ହେତୁବାଦୀଙ୍କ ଦ୍ୱାରା ଉଭୟ ବର କନ୍ୟାଙ୍କୁ ସମ୍ବିଧାନକୁ ସାକ୍ଷୀ ରଖି ଏକ ଶପଥ ପାଠ କରାଯାଇଥିଲା, ଯାହାର ପ୍ରାରୂପ ଏହି ପ୍ରକାରେ-
“ଆମେ ଆଜି ଗଣତନ୍ତ୍ର ଦିବସ ଆମର ବିବାହ ଉତ୍ସବ ଅବସରରେ ସମ୍ବିଧାନକୁ ଛୁଇଁ ଶପଥ କରୁଛୁ ଯେ ଆଜିଠାରୁ ପତି-ପତ୍ନୀ ଭାବରେ ଆମେ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଛୁ । ଆମେ ଘୋଷଣା କରୁଛୁ ଯେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପରସ୍ପର ପ୍ରତି ଅନୁରକ୍ତ ଓ ବିଶ୍ୱସ୍ତ ରହି ପାରିବାରିକ ଓ ସାମାଜିକ ଜୀବନ ସୁଚାରୁ ରୂପେ ଅତିବାହିତ କରିବୁ । ଅମେ ଉଭୟେ ଉଭୟଙ୍କ ସ୍ୱାଧୀନତା ଓ ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ଯଥାରୀତି ସମ୍ମାନ ଦେଇ ଜୀବନସାଥୀ ଭାବେ ଜୀବନ ନିର୍ବାହ କରିବୁ । କେବେ ବି ମତାନ୍ତରକୁ ମନାନ୍ତରରେ ପରିଣତ ହେବାକୁ ଦେବୁ ନାହିଁ । ଆଜୀବନ ସମସ୍ତ କାର୍ଯ୍ୟ ଓ ନିଷ୍ପତ୍ତି ପରସ୍ପର ମଧ୍ୟରେ ବୁଝାମଣା ଓ ସହଯୋଗର ଆଧାରରେ ସମ୍ପାଦନ କରିବୁ । ପାରିବାରିକ ଜୀବନରେ ଆମେ ସମସ୍ତ ପ୍ରକାର ହିଂସା, ଦ୍ୱେଷ, ଘୃଣା ଓ ଅଶାଳୀନ ବ୍ୟବହାରକୁ ପରିହାର କରିବୁ । ଆମେ ଉଭୟେ ଉଭୟଙ୍କ ପିତାମାତାଙ୍କର ଯତ୍ନ ନେବୁ । ସତ୍ୟ ଓ ବିବେକକୁ ପ୍ରାଧାନ୍ୟ ଦେବୁ । ଭିତ୍ତିହୀନ ପରମ୍ପରାକୁ ଅସ୍ୱୀକାର କରି ମାନବବାଦ ଓ ବିଜ୍ଞାନ ଆଧାରିତ ଜୀବନ ଯାପନ କରିବୁ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଜୀବନ ସହ ପ୍ରତ୍ୟେକ ଆହ୍ୱାନ ଓ ସମସ୍ୟାକୁ ପାରସ୍ପରିକ ବୁଝାମଣା ଓ ସହଯୋଗ ଭିତିରେ ସମ୍ମୁଖୀନ ହେବୁ । କୌଣସି ପରିସ୍ଥିତିରେ ଜାତି, ଧର୍ମ, ଲିଙ୍ଗ, ଭାଷା, ଆଞ୍ଚଳିକତା ଆଦି ବିଭେଦକୁ ପ୍ରଶ୍ରୟ ଦେବୁ ନାହିଁ ।”
ହିନ୍ଦୁ ଶାସ୍ତ୍ରାନୁସାରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ଓ ଜନ୍ମମୃତ୍ୟୁର କୁଚକ୍ରରୁ ମୁକ୍ତି ପାଇବା ପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ମାର୍ଗ । ପୁରୁଷର ମୋକ୍ଷ ଅନ୍ୱେଷଣରେ ତାକୁ ସାହାଯ୍ୟ କରିବା ସ୍ତ୍ରୀର ପରମ କର୍ତ୍ତବ୍ୟ । ଶାସ୍ତ୍ରମତେ ଅନୁଷ୍ଠିତ ହେଉଥିବା ଆଠ ପ୍ରକାର ବିବାହ ପଦ୍ଧତି ଯଥା, ବ୍ରାହ୍ମ, ଦୈବ, ଆର୍ସ, ପ୍ରଜାପତେୟ, ଗାନ୍ଧର୍ବ, ଅସୁର, ରାକ୍ଷସ, ପୈଶାଚ ମଧ୍ୟରୁ କେବଳ ଗାନ୍ଧର୍ବ ପଦ୍ଧତିରେ ଜୀବନସାଥୀ ଚୟନ ନିଷ୍ପତ୍ତିରେ କନ୍ୟାର ମତକୁ ଗୁରୁତ୍ୱ ଦିଆଯାଇଥାଏ । ପୁରୁଷ କୈନ୍ଦ୍ରିକ ସମାଜରେ ଅନ୍ୟ ସାତ ପ୍ରକାର ବିବାହ ପଦ୍ଧତିରେ ବାପା ହିଁ ନିଷ୍ପତ୍ତି ନେବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଫଳରେ ବିବାହ ଅନୁଷ୍ଠାନରେ ଧର୍ମ, ସମାଜ, ସଂସ୍କୃତିର ଦ୍ୱାହି ଦେଇ ନାରୀଟିଏକୁ ଏପରି ନିର୍ଯାତନାର ଶିକାର ହେବାକୁ ହୋଇଥାଏ ଯେ ସେ ଆଉ ନିଜକୁ ପୁରୁଷର ସମାସ୍କନ୍ଧ ବୋଲି ମନେ କରିପାରେ ନାହିଁ ।
ପ୍ରଚଳିତ ବ୍ୟବସ୍ଥାର ବିରୋଧ କରି ବିବାହ ଅନୁଷ୍ଠାନରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ସମୟରେ ସମାଜ ସଂସ୍କାରକମାନେ ଉଦ୍ୟମ କରି ଆସିଛନ୍ତି । ସେହି କ୍ରମରେ ହେତୁବାଦୀଙ୍କ ଦ୍ୱାରା ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡର ଊର୍ଦ୍ଧ୍ୱରେ ରହି ଏପରି ବିବାହ ଅନୁଷ୍ଠାନ ଆୟୋଜିତ ହେବା ଆଉ ଏକ ସଂସ୍କାରମୂଳକ ପଦକ୍ଷେପ । ଏଥିରେ ବରକନ୍ୟାଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରା ଯାଉଥିବାରୁ ଉଭୟଙ୍କ ଜାତି ପ୍ରସଙ୍ଗହୀନ ହୋଇଥାଏ । ବର କନ୍ୟାଙ୍କ ଜାତକ ମେଳ କରାଯାଇ ନଥାଏ । ତା ସ୍ଥାନରେ ବିଜ୍ଞାନସମ୍ମତ ଭାବେ ଉଭୟଙ୍କ ରକ୍ତ ପରୀକ୍ଷା କରାଯାଇଥାଏ । ଜାତକ ମେଳ କରାଯାଉ ନଥିବାରୁ ଜ୍ୟୋତିଷ ସ୍ଥିର କରୁଥିବା ତିଥି ଅପ୍ରାସଙ୍ଗିକ ହୋଇ ପଡେ । ବେଳେବେଳେ ଏକା ତିଥିରେ ଅନେକ ବିବାହ ଅନୁଷ୍ଠିତ ହେଉଥିବାରୁ ବର କନ୍ୟା ପକ୍ଷ ଅଯଥା ଖର୍ଚ୍ଚାନ୍ତ ହେବା ସହ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରି ବିବାହରେ ଉଭୟ ପକ୍ଷର ସୁବିଧାନୁସାରେ ମଣ୍ଡପର ଉପଲବ୍ଧତାକୁ ଦୃଷ୍ଟିରେ ରଖି ବିବାହ ଦିନ ସ୍ଥିର ହେଉଥିବାରୁ ଉପରୋକ୍ତ ଅସୁବିଧାକୁ ଏଡାଇ ଦେଇ ହୁଏ ଓ ଉଭୟ ପକ୍ଷ ଅଯଥା ଖର୍ଚ୍ଚାନ୍ତ ହେବାରୁ ବର୍ତ୍ତି ଯାଆନ୍ତି । ଏଥିରେ କୌଣସି ଯୌତୁକ ଆଦାନପ୍ରଦାନ ହୋଇ ନଥାଏ । ବିବାହରେ ଡିଜେ, ବାଜା, ନାଚ, ରୋଷଣି ସହ ପ୍ରୋସେସନ ଓ ଅନ୍ୟାନ୍ୟ ଆଡମ୍ବର ନଥିବାରୁ ବାୟୁ, ଜଳ, ମୃତ୍ତିକା ଓ ଶବ୍ଦ ପ୍ରଦୂଷଣକୁ ଏଡାଇ ଦେଇହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିବାହ କାର୍ଯ୍ୟରେ କୌଣସି ମନ୍ତ୍ରୋଚ୍ଚାରଣ ହେଉ ନଥିବାରୁ ବା କର୍ମକାଣ୍ଡ ସମ୍ପାଦନ ହେଉ ନଥିବାରୁ ବ୍ରାହ୍ମଣଙ୍କୁ ନିୟୋଜିତ କରିବାର ଆବଶ୍ୟକତା ନ ଥାଏ । ବିବାହ ଅନୁଷ୍ଠାନରେ ବ୍ରାହ୍ମଣବାଦର ପ୍ରଭାବକୁ ହ୍ରାସ କରିବା ପାଇଁ ଏହା ଏକ ପଦକ୍ଷେପ ହୋଇପାରେ । ଅନ୍ୟ ପକ୍ଷରେ ସମ୍ବିଧାନକୁ ସାକ୍ଷୀ ରଖି ଏହି ବିବାହ ଅନୁଷ୍ଠିତ ହେଉଥିବାରୁ ଉଭୟେ ଦେଶପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ସହ ସମ୍ବିଧାନର ଗୁରୁତ୍ୱ ସମ୍ପର୍କରେ ସଚେତନ ହୋଇଥାନ୍ତି । ଶପଥ ପାଠ ପରେ ଉଭୟ ବରକନ୍ୟା ଗଛ ଲଗାଇବା, ରକ୍ତଦାନ କରିବା ଭଳି କୌଣସି ଗୋଟିଏ ଭଲ କାମ କରି ଦାମ୍ପତ୍ୟ ଜୀବନର ଶୁଭାରମ୍ଭ କରିଥାନ୍ତି । କୌଣସି ଆର୍ଥିକ ଲାଭର ପ୍ରତ୍ୟାଶା ନରଖି ଏପରି ବିବାହର ପ୍ରତିଟି ପାହାଚରେ ଆଦର୍ଶକୁ ଗୁରୁତ୍ୱ ଦିଆଯାଉଥିବାରୁ ବରକନ୍ୟାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବା ଆଶା କରାଯାଏ । ଇତି ମଧ୍ୟରେ ଏହି ପଦ୍ଧତିରେ ବିଭିନ୍ନ ସ୍ଥାନରେ ଅନେକ ବିବାହ ଅନୁଷ୍ଠିତ ହୋଇ ସାରିଲାଣି । ତେବେ ଏପରି ବିବାହକୁ ଅଧିକ ସରଳ ଓ ନିରାଡମ୍ବର କରିବା ପାଇଁ ବିବାହ ଭୋଜିରେ ଅତିଥିଙ୍କୁ ନିମନ୍ତ୍ରଣ କଲା ବେଳେ ସେ ସମ୍ପର୍କୀୟ ଆଇନର ଅନୁପାଳନ ହୋଇ ପାରିଲେ ଭଲ ।
ବିତ୍ତଶାଳୀ ବର୍ଗଙ୍କ ଦ୍ୱାରା ବିବାହକୁୁ ଆଡମ୍ବର ସହକାରେ କରିବା ଦ୍ୱାରା ତାହା କ୍ରମଶଃ ଅଧିକ ବ୍ୟୟବହୁଳ ହୋଇ ପଡୁଛି ଓ ତାର କୁପ୍ରଭାବ ସମାଜର ନିମ୍ନ ବର୍ଗ ଉପରେ ପଡୁଛି । ଫଳସ୍ୱରୂପ ଅନେକ ପରିବାର ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଉଛନ୍ତି । ତେଣୁ ବିବାହ ଅନୁଷ୍ଠାନକୁ ନିରାଡମ୍ବର କରିବା ଦିଗରେ ଏ ଭଳି ସମସ୍ତ ଉଦ୍ୟମ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ତେବେ ବିବାହ ଦୁଇଟି ମଣିଷଙ୍କ ମିଳନ ହୋଇଥିବାରୁ ସେମାନେ ଦୁଇଟି ଭିନ୍ନ ଭିନ୍ନ ଦେଶର ମଧ୍ୟ ହୋଇପାରନ୍ତି । ସେ କ୍ଷେତ୍ରରେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ହୁଏତ ଯୁକ୍ତିଯୁୁକ୍ତ ହୋଇ ନ ପାରେ । ତା ଛଡା ବିବାହ ଭଳି ଏକ ବ୍ୟକ୍ତିଗତ ବ୍ୟାପାର ସହ ଦେଶ ଓ ସମ୍ବିଧାନକୁ ଯୋଡିବା ହୁଏତ ବିତର୍କର ବିଷୟ ହୋଇପାରେ । ତେବେ ମାନବତାର ବିଶାଳ ଦୃଷ୍ଟିଭଙ୍ଗୀରେ ଏ ଭଳି ଅଧିକ ସଂଖ୍ୟକ ସରଳ ଓ ନିରାଡମ୍ବର ବିବାହ ଅନୁଷ୍ଠିତ ହୋଇ ପାରିଲେ ତାହା ସମାଜ ପାଇଁ ମଙ୍ଗଳକର ହେବ ।
Published in Odisha Reporter on March 09, 2020
Exllent collection n nice post.
ReplyDeleteThanks
Delete