Skip to main content

କାଶ୍ମୀର ସମ୍ମିଶ୍ରଣରେ ବାୟୁସେନାର ଭୂମିକା

ସାହସ ଓ କୌଶଳ ପ୍ରଦର୍ଶନ ପୂର୍ବକ ତାଙ୍କ ଡାକୋଟା ବିମାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଶିଖ ରେଜିମେଣ୍ଟର ସୈନ୍ୟମାନଙ୍କୁ ପ୍ରଥମେ ଶ୍ରୀନଗରରେ ପହଞ୍ଚାଇ ଥିବାରୁ ତାହା ଶତୃ କବଳକୁ ଯାଇ ପାରି ନଥିଲା ଓ ଫଳସ୍ୱରୂପ କାଶ୍ମୀର ଭାରତର ଅଂଶବିଶେଷ ହୋଇ ପାରିଥିଲା ବୋଲି ଅନେକେ କହିଥାନ୍ତି । ଏପରିକି ଧାରା ୩୭୦ ଉଚ୍ଛେଦ ପାଇଁ ଲୋକସଭାରେ ହୋଇଥିବା ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମଧ୍ୟ ସେହି କଥାକୁ ଦୋହରାଇ ଥିଲେ । ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ତାହାହେଲେ କଣ ସେତେବେଳେ ବାୟୁସେନା ନିକଟରେ ସୁଯୋଗ୍ୟ ପାଇଲଟ ଓ ବିମାନ ଅଭାବରୁ ତାହା ଏତେ ଦୁର୍ବଳ ଥିଲା ଯେ ଏହି ଧରଣର ଦୁଃସାହସିକ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସେମାନେ ଅସମର୍ଥ ଥିଲେ? ଉତ୍ତରଟି କିନ୍ତୁ ଠିକ ବିପରୀତ । ୧୯୪୭-୪୮ରେ ଭାରତ ପାକିସ୍ତାନ ମଧ୍ୟରେ ସଂଘଟିତ କାଶ୍ମୀର ଯୁଦ୍ଧର ଘଟଣା କ୍ରମ ସଂକ୍ରାନ୍ତୀୟ ତଥ୍ୟ ଓ ସାହିତ୍ୟକୁ ଅଧ୍ୟୟନ କଲେ ଜଣାପଡେ ଯେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ତ୍ୱରିତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ବାୟୁସେନା ପ୍ରଦର୍ଶନ କରିଥିବା ତତ୍ପରତା ଓ ଶୌର୍ଯ୍ୟ ପାଇଁ ହିଁ କାଶ୍ମୀରର ଭାରତରେ ସମ୍ମିଶ୍ରଣକୁ କାର୍ଯ୍ୟକାରୀ କରିବା ସମ୍ଭବପର ହୋଇଥିଲା । କାଶ୍ମୀର ସମ୍ମିିଶ୍ରଣର ଘଟଣା କ୍ରମ ଓ ସେଥିରେ ଭାରତୀୟ ବାୟୁସେନାର ଭୂମିକାକୁ ଦର୍ଶାଇ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଭରତ କୁମାରଙ୍କ ରଚିତ ‘ଏନ ଇନକ୍ରେଡିବଲ ଓ୍ଵାର : ଆଇଏଏଫ ଇନ କାଶ୍ମୀର ଓ୍ଵାର ୧୯୪୭-୪୮’ ପୁସ୍ତକରେ ଏ ସଂକ୍ରାନ୍ତରେ ଫଟୋଚିତ୍ର ସହ ବିସ୍ତୃତ ଭାବେ ଅନେକ ତଥ୍ୟ ସନ୍ନିବେଶିତ ହୋଇଛି ।

୧୯୪୭ ମସିହା ଜୁନ ମାସ ‘ଜୁନ ପ୍ଲାନ’ ବା ‘ମାଉଣ୍ଟବ୍ୟାଟେନ ପ୍ଲାନ’ ଭାବେ ବିଦିତ ‘ଭାରତ ସ୍ୱାଧୀନତା ଆଇନ, ୧୯୪୭’ ଘୋଷିତ ହେବା ପରେ ବ୍ରିଟିଶ ସରକାର ଭାରତ ଓ ପାକିସ୍ତାନ ସମେତ ତାଙ୍କ ଅଧୀନରେ ଥିବା ସମସ୍ତ ଦେଶୀୟ ରାଜ୍ୟଗୁଡିକୁୁ ମଧ୍ୟ ସ୍ୱାଧୀନତା ପ୍ରଦାନ କରିବା କଥା ଘୋଷଣା କରିଥିଲେ । ଜାମ୍ମୁ ଓ କାଶ୍ମୀରର ମହାରାଜା ହିନ୍ଦୁ ହୋଇଥିବା ବେଳେ ଏହା ଏକ ମୁସଲମାନ ବହୁଳ ରାଜ୍ୟ ହୋଇଥିବାରୁ ସେ କି ନିଷ୍ପତ୍ତି ନେବେ ସେ ନେଇ ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଉପୁଜିଥିଲେ ମଧ୍ୟ ମହାରାଜା ତାଙ୍କ ରାଜ୍ୟକୁ ଭାରତ ବା ପାକିସ୍ତାନ ମଧ୍ୟରୁ କାହା ସହ ନ ମିଶାଇ ନିଜ ସ୍ୱାତନ୍ତ୍ର‌୍ୟ ବଜାୟ ରଖି କାଶ୍ମୀରକୁ ଏସିଆ ମହାଦେଶର ସ୍ୱିଜରଲାଣ୍ଡ ଭଳି ଏକ ଶାନ୍ତିପ୍ରିୟ ପର୍ଯ୍ୟଟନସ୍ଥଳୀର ଦେଶ କରିବାକୁ ଚାହୁଁଥିଲେ ।

ଜୁନ ୧୫ ତାରିଖ ଦିନ ପୁଞ୍ଚଠାରେ ମହାରାଜାଙ୍କ ବିରୁଦ୍ଧରେ ବିଦ୍ରୋହ ଦେଖାଦେଲା । ଏଥି ପୂର୍ବରୁ ପୁଞ୍ଚ ଏକ ସ୍ୱତନ୍ତ୍ର ଜାଗିର ଭାବେ କାଶ୍ମୀର ରାଜ୍ୟର ପ୍ରତ୍ୟକ୍ଷ ଶାସନାଧୀନ ନଥିଲେ ମଧ୍ୟ ସେହି ରାଜ ପରିବାର ଦ୍ୱାରା ଶାସିତ ହେଉଥିଲା । ତେବେ ୧୯୪୦ ମସିହାରେ ପୁଞ୍ଚର ରାଜା ଜଗତଦେବ ସିଂହଙ୍କ ବିୟୋଗ ପରେ ତାକୁ ଜାମ୍ମୁ ଓ  କାଶ୍ମୀରର ଅଂଶ ବିଶେଷ କରିବାର ଉଦ୍ୟମକୁ ସ୍ୱାୟତ୍ତତା ହରାଇବା ଆଶଙ୍କାରେ ଲୋକେ ବିରୋଧ କଲେ । ଏଥି ସହ ସେଠାକାର କ୍ଷୁଦ୍ର ଓ ନାମମାତ୍ର ମୁସଲମାନ ଚାଷୀମାନଙ୍କଠାରୁ ରାଜା ଅତ୍ୟଧିକ କର ଆଦାୟ କରୁଥିବାରୁ ଅସନ୍ତୋଷ ଦାନା ବାନ୍ଧି ବିଦ୍ରୋହର ରୂପ ନେଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରିସମାପ୍ତି ପରେ ବ୍ରିଟିଶ ସେନାରେ ଥାଇ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ପୁଞ୍ଚ ଓ ମିରପୁର ଅଞ୍ଚଳର ପ୍ରାୟ ୬୦ ହଜାର ଲୋକ ନିଜ ନିଜ ଗାଁକୁ ଫେରି ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ନିଜ ନିଜ ଅସ୍ତ୍ର ମଧ୍ୟ ଜମା କରି ନଥିଲେ । ଏମାନଙ୍କୁ କାଶ୍ମୀର ରାଜ୍ୟ ତରଫରୁ ନିଯୁକ୍ତି ପ୍ରଦାନ କରିବା ମଧ୍ୟ ସମ୍ଭବପର ନଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ବିଦ୍ରୋହରେ ସାମିଲ ହୋଇଥିଲେ । ଅଗଷ୍ଟ ୧୫ ଦିନ ପୁଞ୍ଚର ବାଗଠାରେ କିଛି ପାକିସ୍ତାନ ସମର୍ଥକଙ୍କ ଦ୍ୱାରା ପାକିସ୍ତାନୀ ପତାକା ଉତ୍ତୋଳନ ହେବା ପରେ ସେଠାରେ ପୁଲିସ ସହ ସଂଘର୍ଷ ଘଟି ଗୁଳିରେ କିଛି ଲୋକ ପ୍ରାଣ ହରାଇଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇ ପଡିଥିଲା ।
       
ସେତେବେଳେ ଶ୍ରୀନଗରକୁ ଭାରତ ଅପେକ୍ଷା ପାକିସ୍ତାନ ଆଡୁ ଗମନାଗମନର ସୁବିଧା ଭଲ ଥିଲା । ସେଥିପାଇଁ ପାକିସ୍ତାନ ବାଟ ଦେଇ କାଶ୍ମୀରକୁ କିରୋସିନି, ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଲୁଣ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆସୁଥିଲା । କାଶ୍ମୀର ପାକିସ୍ତାନ ସହ ଅଗଷ୍ଟ ୧୨, ୧୯୪୭ରେ ଏକ ‘ଯଥାସ୍ଥିତି ଚୁକ୍ତି’ କରିଥିଲା, ଯେଉଁଥିରେ ପାକିସ୍ତାନ କାଶ୍ମୀରକୁ ଆକ୍ରମଣ କରିବ ନାହିଁ ବୋଲି ସର୍ତ୍ତ ଥିଲା । ସମ୍ଭବତଃ, ଭାରତ ଆଡୁ ଆକ୍ରମଣର ଆଶଙ୍କା ନଥିବାରୁ ଭାରତ ସହ ସେ ଭଳି ଚୁକ୍ତି ହୋଇ ନଥିଲା । ଏହା ସତ୍ତ୍ଵେ ଜାଣିଶୁଣି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ଉତ୍ପନ୍ନ କରି ପାକିସ୍ତାନ କାଶ୍ମୀର ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କଲା ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାଁ ସେପ୍ଟେମ୍ବର ୧୨ ତାରିଖ ଦିନ ସାମରିକ ଓ ବେସାମରିକ ଅଧିକାରୀଙ୍କ ସହ ଏକ ବୈଠକରେ ଦୁଇଟି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରି ସେ ଦିଗରେ ଅଗ୍ରସର ହେବା ପାଇଁ ଆଦେଶ ଦେଇଥିବା କଥା କୁହାଯାଏ । ପ୍ରଥମ, ଏକ ଆଦିବାସୀ ସେନା ପ୍ରସ୍ତୁତ କରି ଉତ୍ତର ଦିଗରୁ କାଶ୍ମୀରକୁ ଆକ୍ରମଣ କରିବା । ଦ୍ୱିତୀୟ, ପୁଞ୍ଚର ବିଦ୍ରୋହୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା । ଯୋଜନା ମୁତାବକ ଅକ୍ଟୋବର ୪ ତାରିଖ ଦିନ ଥୋରାର ନାମକ ସ୍ଥାନରେ ପୁଞ୍ଚ ବିଦ୍ରୋହୀ ଓ ରାଜ୍ୟ ସେନାଙ୍କ ମଧ୍ୟରେ ସଂଘର୍ଷ ହେଲା ।

ସେହିପରି ଅନ୍ୟ ଯୋଜନାଟି ଅନୁସାରେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କୁ ସଂଗଠିତ କରି ପାକିସ୍ତାନ ଉତ୍ତର ଦିଗରୁ ଖାଇବର ପଖତୁନଖ୍ୱା ପ୍ରଦେଶ ଦେଇ କାଶ୍ମୀର ଦଖଲ କରିବା ପାଇଁ ପଠାଇଲା । ଏଥିରେ ଓ୍ଵାଜିର, ମାସୁଦ, ଆଫ୍ରିଦି, ଟୁରି, ମୋହମନ୍ଦ, ମଲାକନ୍ଦ ୟୁସୁଫଜାୟୀଙ୍କ ଭଳି ଆଦିବାସୀ ସମ୍ପ୍ରଦାୟ (କବିଲା)ଅଂଶ ଗ୍ରହଣ କରିଥିଲେ । ପାକିସ୍ତାନ ସେନାର କର୍ଣ୍ଣେଲ ଆକବର ଖାଁଙ୍କ ନେତୃତ୍ୱରେ ପରିଚାଳିତ ‘ଅପରେସନ ଗୁଲମାର୍ଗ’ ବୋଲି କୁହାଯାଉଥିବା ଏହି ଆକ୍ରମଣ ଯୋଜନାରେ ପାକିସ୍ତାନୀ ସୈନିକମାନେ ସିଧାସଳଖ ସାମିଲ ନ ହୋଇ ଅଣ-ରାଜ୍ୟ ଅଭିନେତା (ନନ ଷ୍ଟେଟ ଆକ୍ଟରସ)ଙ୍କୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ତାଙ୍କ ମାଧ୍ୟମରେ ଆକ୍ରମଣ ସଂଘଟିତ କରାଗଲା । କାଶ୍ମୀରର ରାଜଧାନୀ ଶ୍ରୀନଗରକୁ ୨୬ ଅକ୍ଟୋବର ସୁଦ୍ଧା ଦଖଲ କରିବା ଲକ୍ଷ୍ୟ ନେଇ ସେମାନେ ଅକ୍ଟୋବର ୨୨ ତାରିଖ ଦିନ ପ୍ରଥମେ ମୁଜାଫରାବାଦ ଆକ୍ରମଣ କଲେ । କାଶ୍ମୀର ରାଜ୍ୟର ସେନାବାହିନୀ ତାଙ୍କୁ ମୁକାବିଲା କରିବାକୁ ଅସମର୍ଥ ହୋଇ ଛତ୍ରଭଙ୍ଗ ଦେଲେ । ମୁଜାଫରାବାଦରେ ଲୁଟ ତରାଜ କରିବା ସହିତ ଆକ୍ରମଣକାରୀମାନେ ସେଠାରେ ପ୍ରାୟ ତିନି ଦିନ ବିତାଇଲେ । ତେବେ ନେତାମାନଙ୍କ ତାଗିଦା ପରେ ଚେତା ଫେରି ପାଇ ସେମାନେ ମୁଜାଫରାବାଦଠାରୁ ୧୭୦ କିଲୋମିଟର ପୂର୍ବ ଦିଗରେ ଅବସ୍ଥିତ ଶ୍ରୀନଗର ଉଦ୍ଦେଶ୍ୟରେ ଛୋଟ ଛୋଟ ଦଳରେ ଭାଗ ହୋଇ ବିଭିନ୍ନ ବାଟରେ କାଶ୍ମୀର ଭିତରକୁ ପଶିଲେ । କିନ୍ତୁ ଗୋଟିଏ ବଡ ଦଳ ଉରି ବାଟ ଦେଇ ଆସି ୨୪ ଅକ୍ଟୋବର ଦିନ ଶ୍ରୀନଗରକୁ ବିଦ୍ୟୁତ ଯୋଗାଉଥିବା ମହୁରା ବିଦ୍ୟୁତ ଶକ୍ତି କେନ୍ଦ୍ରକୁ ଦଖଲ କରି ଭଙ୍ଗାରୁଜା କରିବା ଦ୍ୱାରା ସମଗ୍ର ଶ୍ରୀନଗର ଅନ୍ଧକାରାଚ୍ଛନ୍ନ ହୋଇଗଲା । ଆକ୍ରମଣକାରୀଙ୍କ ପରବର୍ତ୍ତୀ ଲକ୍ଷ୍ୟସ୍ଥଳୀ ଥିଲା ଶ୍ରୀନଗରଠାରୁ ୫୬ କିଲୋମିଟର ଦୂରରେ ଅବସ୍ଥିତ ବାରମୂଳା, ଯାହାକୁ ଦଖଲ କରି ସେମାନେ ଲୁଟତରାଜ, ଦୁଷ୍କର୍ମ ଆଦିରେ ମାତିଗଲେ । ଅକ୍ଟୋବର ୨୪ ତାରିଖ ଦିନ ସରଦାର ମହମ୍ମଦ ଇବ୍ରାହିମଙ୍କ ନେତୃତ୍ୱରେ ଜାମ୍ମୁ ଓ କାଶ୍ମୀର ଲାଗି ପୁଞ୍ଚର ପାଲାନ୍ଦ୍ରୀଠାରେ ଏକ ଅସ୍ଥାୟୀ ସରକାର ପ୍ରତିଷ୍ଠା ହେଲା ବୋଲିି ପାକିସ୍ତାନ ରେଡିଓରୁ ଘୋଷଣା ହେଲା । ସେହି ଦିନ ପାକିସ୍ତାନର ରାଷ୍ଟ୍ରପତି ଜିନ୍ନା ପାକିସ୍ତାନ ସେନାଧ୍ୟକ୍ଷ ମେଜର ଜେନେରାଲ ଡଗଲାସ ଗ୍ରାସିଙ୍କୁ କାଶ୍ମୀର ଆକ୍ରମଣ କରିବାକୁ ଆଦେଶ ଦେଇଥିଲେ ମଧ୍ୟ ସେ ରୋକଠୋକ ମନା କରି ଦେଇଥିଲେ । କେବଳ ସେତିକି ନୁହେଁ ପାକିସ୍ତାନ କରୁଥିବା ଏହି ଯୁଦ୍ଧ ମସୁଧା ସମ୍ପର୍କରେ ସେ ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ସାର ରବ ଲକହାର୍ଟଙ୍କୁ ସେହି ଦିନ ଅପରାହ୍ଣ ପାଞ୍ଚଟାରେ ଜଣାଇ ଦେଲେ । ଉଲ୍ଲେଖଯୋଗ୍ୟ, ଦେଶ ବିଭାଜନ ପରେ ସେନା ବାହିନୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଭାଜିତ ହୋଇଥିଲେ ବି ପ୍ରାରମ୍ଭିକ ଅବସ୍ଥାରେ ଉଭୟ ସେନାବାହିନୀରେ ଉଚ୍ଚ ପଦଗୁଡିକରେ ବ୍ରିଟିଶ ଅଧିକାରୀମାନେ ଅଧିଷ୍ଠିତ ଥିଲେ । ଜେନେରାଲ ଲକହାର୍ଟ ଏ ବିଷୟରେ ନେହରୁଙ୍କୁ ନ ଜଣାଇ ମାଉଣ୍ଟବ୍ୟାଟେନ ଓ ଫିଲ୍ଡ ମାର୍ଶଲ ଅଚିନଲେକଙ୍କୁ ଜଣାଇଲେ । ନେହରୁ ମାଉଣ୍ଟବ୍ୟାଟେନଙ୍କଠାରୁ ଖବର ପାଇଲା ବେଳକୁ ଛଅ ଘଣ୍ଟା ବିଳମ୍ବ ହୋଇ ସାରିଥିଲା । ଇତି ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି କାଶ୍ମୀର ମହାରାଜା ମଧ୍ୟ ରାତି ଏଗାରଟା ବେଳେ ଭାରତ ସରକାରଙ୍କୁ ସୈନ୍ୟ ସହାୟତା ପାଇଁ ଅନୁରୋଧ ପଠାଇଲେ । ତୁରନ୍ତ ତା ପର ଦିନ (ଅକ୍ଟୋବର ୨୫) ସକାଳ ଦଶଟା ବେଳେ କ୍ୟାବିନେଟର ପ୍ରତିରକ୍ଷା କମିଟି ବୈଠକ ବସିଲା ଯେଉଁଥିରେ ମାଉଣ୍ଟବ୍ୟାଟେନ ଓ ନେହରୁଙ୍କ ବ୍ୟତୀତ ସର୍ଦ୍ଦାର ପଟେଲ, ପ୍ରତିରକ୍ଷା ମନ୍ତ୍ରୀ ବଳଦେବ ସିଂହଙ୍କ ସମେତ ନିମନ୍ତ୍ରିତ ହୋଇ ତିନି ସେନାଧ୍ୟକ୍ଷ ଉପସ୍ଥିତ ଥିଲେ । କାଶ୍ମୀର ଭାରତରେ ମିଶି ନଥିବାରୁ ଏକ ସ୍ୱାଧୀନ ଦେଶକୁ ସୈନ୍ୟ ପଠାଇବା ଠିକ ହେବ ନାହିଁ ବୋଲି ମାଉଣ୍ଟବ୍ୟାଟେନଙ୍କର ସ୍ପଷ୍ଟ ମତ ଥିଲା । ତେଣୁ ଭାରତ ସହ ସମ୍ମିିଶ୍ରଣ ପାଇଁ ମହାରାଜାଙ୍କ ଉପରେ ଚାପ ପ୍ରୟୋଗ କରିବା ଲାଗି ଗୃହ ସଚିବ ଭି ପି ମେନନଙ୍କୁ ତୁରନ୍ତ ଶ୍ରୀନଗର ପଠାଇବାକୁ ସ୍ଥିର ହେଲା । ଶ୍ରୀନଗରକୁ କିପରି ଅଗ୍ରାଧିକାର ଭିତ୍ତିରେ ସୈନ୍ୟ, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ପଠା ଯାଇପାରିବ, ତାହା ସୁନିଶ୍ଚିତ କରିବା ପାଇଁ କମିଟି ତରଫରୁ ଉଭୟ ସ୍ଥଳସେନା ଓ ବାୟୁସେନା ମୁଖ୍ୟ ଓ ସଞ୍ଚାର ମନ୍ତ୍ରଣାଳୟର ସଚିବଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ହେଲା ।

କ୍ୟାବିନେଟ କମିଟିର ବୈଠକ ସରିବା ପରେ ସେହି ଦିନ ଏୟାର ମାର୍ଶଲ ସାର ଥମାସ ଏଲମହର୍ଷ୍ଟଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ମି ଏୟାରଲିଫ୍ଟ କମିଟିର ପ୍ରଥମ ବୈଠକରେ ଶ୍ରୀନଗରକୁ ସୈନ୍ୟ, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ପଠାଇବା ନେଇ ରଣନୀତି ପ୍ରସ୍ତୁତ ହେଲା । ଭାରତରୁ ଶ୍ରୀନଗର ଯିବାକୁ ହେଲେ ଜାମ୍ମୁରୁ ବନିହାଲ ଗିରିପଥ ଦେଇ କେବଳ ଗୋଟିଏ ରାସ୍ତା ଥିଲା, ଯାହା ଶୀତ ଦିନେ ବର୍ଷର ଛଅ ମାସ ବନ୍ଦ ରହୁଥିଲା । ସେହି ରାସ୍ତାଟିର ଅବସ୍ଥା ମଧ୍ୟ ଶୋଚନୀୟ ଥିଲା । ତା ଛଡା ଆକ୍ରମଣକାରୀମାନେ ଶ୍ରୀନଗରର ଏତେ ପାଖରେ ପହଞ୍ଚି ସାରିଥିଲେ ଯେ ଭାରତୀୟ ସୈନ୍ୟଙ୍କୁ ସଡକ ପଥ ଦେଇ ପଠାଗଲେ ସେମାନେ ପହଞ୍ଚିବା ପୂର୍ବରୁ ତାହା ଆକ୍ରମଣକାରୀଙ୍କ ଦଖଲକୁ ଚାଲି ଯାଇଥିବ ବୋଲି ହୃଦୟଙ୍ଗମ କରି ସୈନ୍ୟମାନଙ୍କୁ ତୁରନ୍ତ ବାୟୁ ମାର୍ଗରେ ପଠାଇବା ଲାଗି ନିଷ୍ପତ୍ତି ନିଆଗଲା । ଏଥିପାଇଁ ସେତେବେଳେ ଭିଆଇପି ସୁରକ୍ଷାରେ ନିୟୋଜିତ ତଥା ଦିଲ୍ଲୀ ନିକଟରେ ଅବସ୍ଥାପିତ ପ୍ରଥମ ଶିଖ ରେଜିମେଣ୍ଟର ସୈନ୍ୟମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇବାକୁ ସ୍ଥିର କରାଗଲା । ତେବେ ଦିଲ୍ଲୀ ଆଖପାଖରେ ଆବଶ୍ୟକ ପରିମାଣର ଗୋଳାବାରୁଦ ନଥିବାରୁ ତାକୁ ମଧ୍ୟ ତୁରନ୍ତ ବାୟୁମାର୍ଗରେ ଜବଲପୁରରୁ ଦିଲ୍ଲୀ ଯାଏଁ ଆଣିବାର ଆବଶ୍ୟକତା ଉପୁଜିଲା । ସେତେବେଳେ ବିମାନ ଯୋଗେ ଗୋଳାବାରୁଦ ପରିବହନ ନିୟମ ବହିର୍ଭୁତ ହୋଇଥିବାରୁ, ସେଥିପାଇଁ ତୁରନ୍ତ ନିୟମ ପରିବର୍ତ୍ତନ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲେ ।

ମହାରାଜାଙ୍କ ସହ ସମ୍ମିଶ୍ରଣ ବାର୍ତ୍ତାଳାପ ଓ ପରିଗ୍ରହଣ ଚୁକ୍ତିପତ୍ର (ଇନଷ୍ଟ୍ରୁମେଣ୍ଟ ଅଫ ଏକସେସନ)ରେ ସ୍ୱାକ୍ଷର ପାଇଁ ଅକ୍ଟୋବର ୨୬ ତାରିଖ ଦିନ ବାୟୁସେନାର ଏକ ହେଲିକପ୍ଟର ଯୋଗେ ଭି ପି ମେନନ ଶ୍ରୀନଗର ଉଦ୍ଦେଶ୍ୟରେ ପ୍ରସ୍ଥାନ କଲେ । ତାଙ୍କ ସହ ଥିଲେ କର୍ଣ୍ଣେଲ ସାମ ମାନେକସ (ପରେ ଫିଲ୍ଡ ମାର୍ଶଲ ହୋଇଥିବା) ଓ ଉଇଙ୍ଗ କମାଣ୍ଡର ଏଚ ସି ଦେଓ୍ଵାନ । ମହାରାଜା ମିଶ୍ରଣ ଚୁକ୍ତିପତ୍ରରେ ସ୍ୱାକ୍ଷର କଲେ ମଧ୍ୟ  ଭାରତ ସରକାର ଯେ ତାହା ଗ୍ରହଣ କରିବା ପାଇଁ ବାଧ୍ୟ ନୁହନ୍ତି, ଏହା ପରିଷ୍କାର କରି ଦିଆଯାଇଥିଲା । ସେହି ଦିନ ପୁଣି ଥରେ ପ୍ରତିରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ବୈଠକ ବସି ପଦାତିକ ବାହିନୀର ଗୋଟିଏ ବାଟାଲିଅନ (ପ୍ରାୟ ୯୦୦) ସୈନ୍ୟଙ୍କୁ ବିମାନ ଯୋଗେ ଶ୍ରୀନଗରକୁ ପଠାଇବା ଲାଗି କାଶ୍ମୀର ରାଜାଙ୍କ ଅନୁରୋଧକୁ ନେଇ ବିଚାର ବିମର୍ଶ ହେଲା । ନାନାଦି କାରଣ ଦର୍ଶାଇ ଏପରି ଭାବେ ସୈନ୍ୟଙ୍କୁ ସେଠାକୁ ପଠାଇବା ଯେ ବିପଦସଙ୍କୁଳ କହି ମାଉଣ୍ଟବ୍ୟାଟେନ ଓ ତିନି ସେନାଧ୍ୟକ୍ଷ ସେଥିରେ ରାଜି ହୋଇ ନଥିଲେ । ନେହରୁ ଓ ଅନ୍ୟମାନେ ଅଡି ବସିବାରୁ ଶେଷରେ ସ୍ଥିର ହେଲା ଯେ ମହାରାଜା ଚୁକ୍ତିପତ୍ରରେ ସ୍ୱାକ୍ଷର କଲେ ଯାଇ ୨୭ ତାରିଖ ଦିନ ସେଠାକୁ ସୈନ୍ୟଙ୍କୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ ।
     
ଅନେକ ତର୍କ ବିତର୍କ ଓ ମେନନଙ୍କ ଚାପ ପ୍ରୟୋଗ ପରେ କାଶ୍ମୀର ମହାରାଜା ୨୬ ଅକ୍ଟୋବର ଦିନ ଶେଷରେ ପରିଗ୍ରହଣ ଚୁକ୍ତିପତ୍ର (ଇନଷ୍ଟ୍ରୁମେଣ୍ଟ ଅଫ ଏକସେସନ)ରେ ଦସ୍ତଖତ କଲେ । ଆକ୍ରମଣକାରୀମାନେ ଯେ କୌଣସି ମୁହୂର୍ତ୍ତରେ ଶ୍ରୀନଗରରେ ପହଞ୍ଚିଯିବାର ଆଶଙ୍କା ଥିବାରୁ ମହାରାଜାଙ୍କୁ ତୁରନ୍ତ ବିମାନ ଯୋଗେ ଶ୍ରୀନଗର ଛାଡି ଜାମ୍ମୁ ଚାଲିଯିବାକୁ ପରାମର୍ଶ ଦିଆ ଯାଇଥିଲା ଓ ସେ ତାକୁ ଗ୍ରହଣ କରିଥିଲେ । ମେନନ ଓ ଅନ୍ୟମାନେ ମଧ୍ୟ ସେହି ଦିନ ରାତିରେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଚୁକ୍ତିପତ୍ରଟିକୁ ନେହରୁଙ୍କ ବଦଳରେ ମାଉଣ୍ଟବ୍ୟାଟେନଙ୍କ ଦସ୍ତଖତ ପାଇଁ ପଠାଯାଇଥିଲା । ଦିଲ୍ଲୀରେ ୨୭ ତାରିଖ ଦିନ ମାଉଣ୍ଟବ୍ୟାଟେନ ସେଥିରେ ସ୍ୱାକ୍ଷର କରିଥିଲେ ।

ସ୍ୱାଧୀନତା ପ୍ରାପ୍ତି ବେଳକୁ ଭାରତୀୟ ବାୟୁସେନାର ନାମ ଥିଲା ରୟାଲ ଇଣ୍ଡିଆନ ଏୟାର ଫୋର୍ସ (ଆରଆଇଏଏଫ) । ତା ନିକଟରେ ୪୮ଟି ଟେମ୍ପେଷ୍ଟ ଯୁଦ୍ଧ ବିମାନ, ୨୦ଟି ସ୍ପିଟଫାୟର ଯୁଦ୍ଧ ବିମାନ, ୪ଟି ହାର୍ଭାଡ ଯୁଦ୍ଧ ବିମାନ ଥିଲା । ତେବେ ପଦାତିକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ବୋହି ନେବା ପାଇଁ ଆବଶ୍ୟକ ହେଉଥିବା ଡଗଲାସ ଡାକୋଟା ପରିବହନ ବିମାନ ମାତ୍ର ସାତଟି ଥିଲା । ତନ୍ମଧ୍ୟରୁ ଚାରିଟି ବୈମାନିକଙ୍କ ତାଲିମ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବାରୁ ବାସ୍ତବରେ ବାୟୁସେନା ନିକଟରେ ସୈନ୍ୟ ପରିବହନ ପାଇଁ କାର୍ଯ୍ୟକ୍ଷମ ଅବସ୍ଥାରେ କେବଳ ତିନିଟି ଡାକୋଟା ବିମାନ ଉପଲବ୍ଧ ଥିଲା । ଅବଶିଷ୍ଟ ଚାରିଟି ଡାକୋଟା ବିମାନକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରାଗଲା । ତୁରନ୍ତ ଏତେ ସଂଖ୍ୟକ ସୈନ୍ୟ ଓ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ବୋହି ନେବା ପାଇଁ ତାହା ଯଥେଷ୍ଟ ନଥିଲା । ତେଣୁ କ୍ୟାବିନେଟ କମିଟି ନିଷ୍ପତ୍ତି ଅନୁଯାୟୀ ସଞ୍ଚାର ମନ୍ତ୍ରଣାଳୟ ଘରୋଇ ବିମାନ ସେବା ଯୋଗାଉଥିବା କମ୍ପାନୀଗୁଡିକୁ ସେମାନଙ୍କ ନିକଟରେ ଥିବା ଡାକୋଟା ବିମାନଗୁଡିକୁ ପାଇଲଟଙ୍କ ସହ ତୁରନ୍ତ ବାୟୁସେନାକୁ ଉପଲବ୍ଧ କରାଇବା ପାଇଁ ଆଦେଶ ଜାରି କଲା । ପ୍ରତିଟି ମୁହୂର୍ତ୍ତ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସର୍ଦ୍ଦାର ପଟେଲ ଆକାଶବାଣୀରୁ ରେଡିଓ ପ୍ରସାରଣ ମାଧ୍ୟମରେ ଘରୋଇ ବିମାନଗୁଡିକର ରିକୁଇଜିସନ କରିଥିଲେ । ପ୍ରତିରକ୍ଷା ଉଦ୍ଦେଶ୍ୟରେ ସରକାରଙ୍କ ଏହି ଅଧିଯାଚନା (ରିକୁଇଜିସନ) ଫଳରେ ଡାଲମିଆ ଜୈନ ଏୟାରଓ୍ଵେଜ, ଏୟାର ସର୍ଭିସ ଅଫ ଇଣ୍ଡିଆ ଭଳି କେତେକ ଘରୋଇ ଏୟାରଲାଇନସ ନିକଟରୁ ଡାକୋଟା ବିମାନ ବାୟୁସେନାକୁ ଉପଲବ୍ଧ ହୋଇଥିଲା । ଏଥିରୁ ତିନିଟି ବିମାନ ବାୟୁସେନାର ପାଇଲଟମାନେ ଚଲାଇଥିଲେ । ଘରୋଇ ଏୟାରଲାଇନସରୁ ଆସିଥିବା ଅବଶିଷ୍ଟ ବିମାନଗୁଡିକୁ ଚଲାଉଥିବା ପ୍ରତ୍ୟେକ ପାଇଲଟ କିଛି ବର୍ଷ ଲାଗି ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ କାମ କରିଥିବାରୁ ଏହି ଧରଣର ସାମରିକ ପରିବହନ କାର୍ଯ୍ୟ କରିବା ପାଇଁ ସେମାନେ ଅଭିଜ୍ଞ ଓ ସୁଦକ୍ଷ ଥିଲେ । ଏଭଳି ଏକ ଘରୋଇ ବିମାନର ପାଇଲଟ ଥିଲେ ବିଜୁ ପଟ୍ଟନାୟକ । ସେ ସେତେବେଳକୁ କିଛି ବର୍ଷ ଆରଆଇଏଏଫରେ ପାଇଲଟ ଭାବେ କାର୍ଯ୍ୟ କରି ନିଜ ଦକ୍ଷତା ପ୍ରତିପାଦିତ କରି ସାରିଥିଲେ । ଉଲ୍ଲେଖଯୋଗ୍ୟ, ଏହି ଘରୋଇ ବିମାନଗୁଡିକରୁ ଅଧିକାଂଶ ସେତେବେଳେ ଶରଣାର୍ଥୀ ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଥିବାରୁ ସେହି କାମଗୁଡିକୁ ବ୍ରିଟିଶ ଓଭରସିଜ ଏୟାରଓ୍ଵେଜ କର୍ପୋରେସନ (ବିଓଏସି) ତୁଲାଇବାକୁ ବ୍ୟବସ୍ଥା କରାଗଲା । ବାୟୁସେନା ବିମାନର ଉପଯୋଗ କରିବା ପାଇଁ କ୍ୟାବିନେଟ କମିଟିର ନିଷ୍ପତ୍ତି ପଛରେ ଅନ୍ୟ ଦୁଇଟି ଉଦ୍ଦେଶ୍ୟ ଥିଲା, ଆକାଶମାର୍ଗରୁ ବିଦ୍ରୋହୀଙ୍କ ସ୍ଥିତି ଓ ଗତିବିଧି ନିରୀକ୍ଷଣ କରିବା ଓ ପ୍ରତିପକ୍ଷକୁ ଶକ୍ତି ପ୍ରଦର୍ଶନ କରିବା । ତଦନୁସାରେ ୨୬ ତାରିଖ ଦିନ ଶ୍ରୀନଗର ବିମାନ ବନ୍ଦରର ସ୍ଥିତି ଓ ସେଠାରେ ସୈନ୍ୟମାନଙ୍କୁ ଅବତରଣ କରିବା କେତେ ଦୂର ନିରାପଦ ତାହା ପରଖିବା ପାଇଁ ଉଇଙ୍ଗ କମାଣ୍ଡର ଏଚ ଏନ ଚାଟାର୍ଜୀ ଓ ଫ୍ଲାଇଟ ଲେଫନାଣ୍ଟ ସିଟୋଲେଙ୍କୁ ଅମୃତସରରୁ ଏକ ଅକ୍ସଫୋର୍ଡ ବିମାନ ଯୋଗେ ପଠାଗଲା । ସେହି ଦିନ ତିନୋଟି ଡାକୋଟା ବିମାନ ଯୋଗେ, ପ୍ରତି ବିମାନରେ ୪ ହଜାର ପାଉଣ୍ଡ ଓଜନର ଗୋଳାବାରୁଦ ଜବଲପୁରରୁ ବୁହା ହୋଇ ଦିଲ୍ଲୀ ଅଣାଗଲା ।
                 
କାଶ୍ମୀରର ମହାରାଜା ପରିଗ୍ରହଣ ଚୁକ୍ତିପତ୍ର (ଇନଷ୍ଟ୍ରୁମେଣ୍ଟ ଅଫ ଏକସେସନ)ରେ ଦସ୍ତଖତ କରି ସାରିଥିବାରୁ ସୈନ୍ୟ ପ୍ରେରଣ ପ୍ରକ୍ରିୟା ଆରମ୍ଭ ହେଲା । ଲେଫନାଣ୍ଟ କର୍ଣ୍ଣେଲ ଦେଓ୍ଵାନ ରଞ୍ଜିତ ରାୟଙ୍କ ନେତୃତ୍ୱରେ ପ୍ରଥମ ଶିଖ ରେଜିମେଣ୍ଟର ଗୋଟିଏ ବାଟାଲିଅନକୁ ଶ୍ରୀନଗରକୁ ପଠାଇବା କଥା ସେମାନଙ୍କୁ ୨୬ ତାରିଖ ଦିନ ରାତି ଦଶଟାରେ ଜଣାଇ ଦିଆଯିବା ପରେ ସୈନ୍ୟମାନଙ୍କୁ ପର ଦିନ ଭୋର ଚାରିଟା ସୁଦ୍ଧା ବିମାନ ବନ୍ଦରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଗଲା । ଏ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳାର ସହିତ ବିଦ୍ୟୁତ ବେଗରେ କରିବା ପାଇଁ ଉଭୟ ସ୍ଥଳସେନା ଓ ବାୟୁସେନାର ଅଧିକାରୀ ଓ ଅନ୍ୟମାନେ ରାତି ଦିନ ଏକ କରି ଦେଇଥିଲେ । ଘରୋଇ ଡାକୋଟା ବିମାନଗୁଡିକ ଦିଲ୍ଲୀର ଓ୍ଵେଲିଙ୍ଗଡନ (ଏବର ସଫଦରଜଙ୍ଗ) ବିମାନ ବନ୍ଦରରୁ ଓ ବାୟୁସେନାର ବିମାନଗୁଡିକ ପାଲାମ ବିମାନ ବନ୍ଦରରୁ ଉଡିବା ସ୍ଥିର ହୋଇଥିଲା । ପ୍ରତିଟି ଘରୋଇ ଡାକୋଟାରେ ନିଜ ନିଜ ବେଡିଂ ଓ ବନ୍ଧୁକ ସହ ୧୫ ଜଣ ସୈନ୍ୟ ଓ ୫୦୦ ପାଉଣ୍ଡ ଓଜନର ଗୋଳାବାରୁଦ ଓ ଅନ୍ୟ ସାମଗ୍ରୀ ନେବାକୁ ସ୍ଥିର ହୋଇଥିବା ବେଳେ ବାୟୁସେନା ଡାକୋଟାଗୁଡିକରେ ଆଉ ଦୁଇ ଜଣ ଅଧିକ ସୈନ୍ୟ ନେବାକୁ ସ୍ଥିର ହେଲା । ଯୋଜନା ମୁତାବକ ଅକ୍ଟୋବର ୨୭ ତାରିଖ ସକାଳ ସାଢେ ପାଞ୍ଚଟା ସମୟରେ ଉଇଙ୍ଗ କମାଣ୍ଡର କରୋରୀ ଲାଲ ଭାଟିଆଙ୍କ ନେତୃତ୍ୱରେ ପ୍ରଥମ ଦଫାରେ ଆରଆଇଏଏଫର ଦ୍ୱାଦଶ ସ୍କ୍ୱାଡ୍ରନର ୩ଟି ଡାକୋଟା ବିମାନ ପାଲାମରୁ ଓ ୬ଟି ଘରୋଇ ଡାକୋଟା ବିମାନ ଓ୍ଵେଲିଙ୍ଗଡନରୁ ସୈନ୍ୟ ଓ ଗୋଳାବାରୁଦ ସହ ଶ୍ରୀନଗର ଅଭିମୁଖେ ଉଡାଣ ଆରମ୍ଭ କଲେ । ସେତେବେଳେ ଶ୍ରୀନଗର ସହ କୌଣସି ପ୍ରକାର ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଇତି ମଧ୍ୟରେ ଶ୍ରୀନଗର ବିମାନ ବନ୍ଦର ଆକ୍ରମଣକାରୀଙ୍କ ଦଖଲକୁ ଚାଲିଗଲାଣି କି ନାହିଁ ତାହା ମଧ୍ୟ ଜାଣିବା ସମ୍ଭବ ନଥିଲା । ତେଣୁ ପାଇଲଟମାନଙ୍କୁ ଶ୍ରୀନଗର ବିମାନ ବନ୍ଦର ସହ ସମ୍ପର୍କ ସ୍ଥାପନ ହୋଇ ନ ପାରିଲେ ସେଠାରେ ନ ଓହ୍ଲାଇ ଜାମ୍ମୁକୁ ଚାଲି ଯିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ପ୍ରଧାନମନ୍ତ୍ରୀ ନେହରୁଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀନଗର ସ୍ଥିତି ସମ୍ପର୍କରେ ତାଙ୍କୁ ସିଧା ସଳଖ ସୂଚନା ଦେବା ପାଇଁ ବ୍ରିଗେଡିଅର ହୀରାଲାଲ ଅଟଳଙ୍କୁ ଉଇଙ୍ଗ କମାଣ୍ଡର ଭାଟିଆଙ୍କ ବିମାନରେ ପଠା ଯାଇଥିଲା । ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ଅଧିକ ସୈନ୍ୟ ପଠାଇବା ପାଇଁ ‘ଲାୟନ’ (ସିଂହ) ଓ ସୈନ୍ୟ ପଠାଇବା ବ୍ୟର୍ଥ ବୋଲି ଅନୁଭବ କରୁଥିଲେ ‘ଜାକେଲ’ (ଶୃଗାଳ) ସାଂକେତିକ ଶବ୍ଦ (କୋଡ) ଯୋଗେ ନେହରୁଙ୍କୁ ଜଣାଇବାକୁ ବ୍ରିଗେଡିଅର ଅଟଳଙ୍କୁ ନିର୍ଦ୍ଦେଶ ଥିଲା । ଅବତରଣ କରିବା ପୂର୍ବରୁ ଆକ୍ରମଣକାରୀଙ୍କ ଉପସ୍ଥିତିକୁ ନିରୀକ୍ଷଣ କରିବା ସହ ଶ୍ରୀନଗରବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ବିମାନଗୁଡିକ ଶ୍ରୀନଗର ଆକାଶରେ ଖୁବ କମ ଉଚ୍ଚତାରେ ଉଡି ୨-୩ ଥର ଚକ୍କର କାଟିବା ଦରକାର ବୋଲି ନେହରୁଙ୍କର ନିର୍ଦ୍ଦେଶ ଥିଲା । ଏଥି ସହ ବିମାନବନ୍ଦର ଆକ୍ରମଣକାରୀଙ୍କ କବଜାରେ ନଥିବା ସୁନିଶ୍ଚିତ ନ କରି କୌଣସି ପରିସ୍ଥିତିରେ ସେଠାରେ ଅବତରଣ କରିବେ ନାହିଁ ବୋଲି ପାଇଲଟମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ପ୍ରାୟ ସକାଳ ସାଢେ ଆଠଟା ସମୟରେ ପ୍ରଥମେ ଉଇଙ୍ଗ କମାଣ୍ଡର ଭାଟିଆଙ୍କ ବିମାନ (ଭିପି ୯୦୫)ଟି ଶ୍ରୀନଗର ବିମାନବନ୍ଦରରେ ଅବତରଣ କଲା ପରେ ତାଙ୍କ ସହ ଯାଇଥିବା ଅନ୍ୟ ବିମାନଗୁଡିକ ଓହ୍ଲାଇଥିଲେ । ତେଣୁ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ପ୍ରଥମେ ଅବତରଣ କରିଥିବା କହିବା ପ୍ରମାଦପୂର୍ଣ୍ଣ । ସକାଳ ଦଶଟା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଦର୍ଶାଇ ବ୍ରିଗେଡିଅର ଅଟଳଙ୍କଠାରୁ ‘ଲାୟନ’ ସାଂକେତିକ ଶବ୍ଦରେ ସୂଚନା ପାଇବା ପରେ ସକାଳ ୧୧ଟା ବେଳେ ଦ୍ୱିତୀୟ ଦଫାରେ ୮ଟି ବିମାନ ଓ ଦିନ ଗୋଟାଏ ବେଳେ ତୃତୀୟ ଦଫାରେ ୧୧ଟି ବିମାନ, ଏହିପରି ପ୍ରଥମ ଦିନ ଶେଷ ସୁଦ୍ଧା ୨୮ ଥର ବିମାନ ଉଡାଣରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପଦାତିକ ସୈନ୍ୟଙ୍କୁ ଶ୍ରୀନଗରରେ ପହଞ୍ଚା ଯାଇ ପାରିଥିଲା । ସେତେବେଳେ ଶ୍ରୀନଗର ବିମାନବନ୍ଦରଟି ଏତେ ଛୋଟ ଆକାରର ଥିଲା ଯେ ତାହା ସାମରିକ ପରିବହନ ପାଇଁ ବ୍ୟବହୃତ ହେଉଥିବା ବିମାନ ଚଳାଚଳ ପାଇଁ ଉପଯୁକ୍ତ ନଥିଲା । ସର୍ବନିମ୍ନ ଭିତ୍ତିଭୂମିର ଅଭାବ ଥିବାରୁ ସେଠାରେ ବିମାନ ଓହ୍ଲାଇବା ଓ ଉଠିବା ପାଇଁ ପାଇଲଟଙ୍କ ସାବଧାନତା ଓ ଦକ୍ଷତାର ଅତି ବେଶି ଆବଶ୍ୟକତା ଥିଲା । ଏ ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ଉଭୟ ବାୟୁସେନା ଓ ଘରୋଇ ବିମାନଗୁଡିକର ସୁଦକ୍ଷ ପାଇଲଟମାନେ ଅହରହ ବିମାନ ଉଡାଇ ତିନି ଦିନ ମଧ୍ୟରେ ବାଟାଲିଅନର ସମସ୍ତ ସୈନ୍ୟଙ୍କୁ ଓ ପାଞ୍ଚ ଦିନରେ ୧୬୧ ବ୍ରିଗେଡର ସବୁ ସୈନ୍ୟଙ୍କୁ ଶ୍ରୀନଗରକୁ ସ୍ଥାନାନ୍ତରିତ କରି ପାରିଥିଲେ ।

ସେତେବେଳକୁ ବାରମୂଳାକୁ ଦଖଲ କରି ସାରିଥିବା ୫ ହଜାରରୁ ଊର୍ଦ୍ଧ୍ୱ ଆକ୍ରମଣକାରୀ ଶ୍ରୀନଗର ଆଡକୁ ମାଡି ଆସୁଥିଲେ ଓ ସେମାନଙ୍କୁ ସୀମିତ ସଂଖ୍ୟକ ସୈନ୍ୟଙ୍କ ଦ୍ୱାରା ପ୍ରତିହତ କରିବା ଅସମ୍ଭବ ଦେଖି କର୍ଣ୍ଣେଲ ରଞ୍ଜିତ ରାୟ ବାୟୁସେନାର ସହାୟତା ଲୋଡିଥିଲେ । ତଦନୁସାରେ ବାୟୁସେନାର ଯୁଦ୍ଧ ବିମାନ ଯୋଗେ ଆକ୍ରମଣକାରୀଙ୍କ ଉପରେ ଆକାଶମାର୍ଗରୁ ଆକ୍ରମଣ ହେବାରୁ ସେମାନେ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ଓ ସେମାନଙ୍କ ଗତି ମନ୍ଥର ହୋଇ ଯାଇଥିଲା । ଅକ୍ଟୋବର ୨୯ରେ ପଟ୍ଟାନ ନିକଟରେ ଆକ୍ରମଣକାରୀଙ୍କ ଉପରେ ଦୁଇଟି ଟେମ୍ପେଷ୍ଟ ଯୁଦ୍ଧବିମାନ ଯୋଗେ ହୋଇଥିବା ଆକ୍ରମଣରେ ଶତୃପକ୍ଷର ଅର୍ଦ୍ଧାଧିକ ଗାଡି ନଷ୍ଟ ହୋଇଯାଇଥିଲା । ଆକାଶମାର୍ଗରୁ ବାୟୁସେନା ଦ୍ୱାରା ହେଉଥିବା ଆକ୍ରମଣ ସେମାନଙ୍କ ମଧ୍ୟରେ ଭୀତି ସଞ୍ଚାର କରିଥିଲା ଓ ଏହାକୁ ସେମାନେ ‘ଖୁଦା କା ବଚ୍ଚା’ଙ୍କ ଆକ୍ରମଣ ବୋଲି କହୁଥିଲେ । ଏହି ଧରଣର ଆକାଶମାର୍ଗରୁ ଆକ୍ରମଣ ପାଇଁ ସେମାନେ ଆଦୌ ପ୍ରସ୍ତୁତ ନ ଥିବାରୁ ସେମାନଙ୍କ ମନୋବଳ ଏକ ପ୍ରକାର ଭାଙ୍ଗି ପଡିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ପଦାତିକ ସୈନ୍ୟ ପରିବହନରୁ ଆରମ୍ଭ ହୋଇଥିବା ବାୟୁସେନାର ଭୂମିକା କ୍ରମଶଃ ଯୁଦ୍ଧରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ ଆଡକୁ ସମ୍ପ୍ରସାରିତ ହେଲା । ତା ପରେ ଡିସେମ୍ବର ୩୧, ୧୯୪୮ରେ ଯୁଦ୍ଧବିରତି ଘୋଷଣା ହେବା ପର୍ଯ୍ୟନ୍ତ ୧୪ ମାସରୁ ଅଧିକ ସମୟ ଧରି ଲାଗି ରହିଥିବା ଏହି ଯୁଦ୍ଧରେ ବାୟୁସେନା ସ୍ଥଳସେନା ସହ ସମନ୍ୱୟ ରକ୍ଷା କରି ଅନେକ ଯୁଦ୍ଧ କ୍ଷେତ୍ରରେ ସଫଳତାର ସହ ଭାଗ ନେଇଥିଲା ।
           
ମସୁଧା ମୁତାବକ ଆକ୍ରମଣକାରୀମାନେ ଅଗ୍ରସର ହୋଇଥିଲେ ମହାରାଜା ହରି ସିଂହ ଭାରତ ସହ ମିଶିବା ଲାଗି ପରିଗ୍ରହଣ ଚୁକ୍ତିପତ୍ରରେ ସ୍ୱାକ୍ଷର କରିବା ପୂର୍ବରୁ କାଶ୍ମୀର ହୁଏତ ସମ୍ପୂର୍ଣ୍ଣ ଭାବେ ୨୬ ଅକ୍ଟୋବର ୧୯୪୭ ଦିନ ପାକିସ୍ତାନ ନିୟନ୍ତ୍ରଣକୁ ଚାଲି ଯାଇଥାନ୍ତା । ସେମାନଙ୍କ ଅଗ୍ରସର ହେବାରେ ବିଳମ୍ବ ହେବା ଓ ତାର ସୁଯୋଗ ନେଇ ଭାରତୀୟ ସୈନ୍ୟବାହିନୀକୁ ବିମାନ ଯୋଗେ ସୁପରିକଳ୍ପିତ ଢଙ୍ଗରେ ତ୍ୱରିତ ଶୀନଗରରେ ପହଞ୍ଚାଇବାରେ ଭାରତୀୟ ବାୟୁସେନା ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା କେବଳ ସେଥିପାଇଁ କାଶ୍ମୀର ଭାରତର ଅଂଶ ବିଶେଷ ହୋଇପାରିଲା । ସମ୍ମିଶ୍ରଣ ସମୟରେ ନେହରୁଙ୍କ ଭୂମିକାକୁ ନେଇ ଅନେକେ ପ୍ରଶ୍ନ ଉଠାଇଥାନ୍ତି । କାଶ୍ମୀରର କିଛି ଅଞ୍ଚଳ ପାକିସ୍ତାନ ଅଧୀନକୁ ଚାଲିଯିବା ପାଇଁ କେହି କେହି ତ ତାଙ୍କ ଦୁର୍ବଳ ନେତୃତ୍ୱକୁ ଦାୟୀ କରିବାକୁ ମଧ୍ୟ ପଛାଇ ନଥାନ୍ତି । ତେବେ ବାସ୍ତବତା ହେଉଛି, ତତ୍‌କାଳୀନ ବ୍ରିଟିଶ ଉଚ୍ଚ ସେନାଧିକାରୀଙ୍କ ଅସହଯୋଗ ସତ୍ତ୍ଵେ  ନେହରୁ ସେତେବେଳେ ବାୟୁସେନା ସହାୟତାରେ ଆକାଶପଥରେ ସୈନ୍ୟବାହିନୀକୁ ପଠାଇବା ନିଷ୍ପତ୍ତିରେ ଦୃଢତା ଦେଖାଇ ତାକୁ ତ୍ୱରିତ କାର୍ଯ୍ୟକାରୀ କରାଇ ନଥିଲେ ଆଜି ହୁଏତ ସମ୍ପୂର୍ଣ୍ଣ କାଶ୍ମୀର ଭାରତ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥାନ୍ତା । ଏ ସମ୍ପର୍କରେ ଲର୍ଡ ମାଉଣ୍ଟବ୍ୟାଟେନ ଦେଇଥିବା ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ପ୍ରକାଶ ଥାଉ କି ସେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଦକ୍ଷିଣ-ପୂର୍ବ ଏସିଆରେ ବ୍ରିଟିଶ ସେନାବାହିନୀର ସୁପ୍ରିମ ଆଲାଏଡ କମାଣ୍ଡର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଥମେ ସେ ମଧ୍ୟ ଆକାଶ ପଥରେ ସୈନ୍ୟ ପରିବହନ ମିଶନର ସଫଳତା ନେଇ ସନ୍ଦିହାନ ଥିଲେ । କିନ୍ତୁ ଏହାର ସଫଳତା ପରେ ତାଙ୍କ ଦୀର୍ଘ ଦିନର ଯୁଦ୍ଧ ଅଭିଜ୍ଞତାରେ ସେ ଏତେ ସ୍ୱଳ୍ପ ସମ୍ବଳ ଓ ସମୟ ମଧ୍ୟରେ ଏ ଭଳି ବଡ ଧରଣର ଆକାଶ ପଥରେ ସାମରିକ ପରିବହନ (ଏୟାରଲିଫ୍ଟ) କେବେ ଦେଖି ନଥିଲେ ବୋଲି ପ୍ରକାଶ କରିଥିଲେ । ଏଥିପାଇଁ ସେ ନେହରୁଙ୍କ ନେତୃତ୍ୱର ଭୂୟସୀ ପ୍ରଶଂସା କରିଥିଲେ । ନେହରୁଙ୍କ ସମୟୋଚିତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି କାଶ୍ମୀରକୁ ପାକିସ୍ତାନ ନିୟନ୍ତ୍ରଣକୁ ଚାଲିଯିବାରୁ ରକ୍ଷା କରିବା ପାଇଁ ଭାରତୀୟ ବାୟୁସେନାର ପାଇଲଟମାନେ ଯେଉଁ ଦକ୍ଷତା ଓ କୌଶଳ ପ୍ରଦର୍ଶନ କରିଥିଲେ ତାର ପଟାନ୍ତର ନାହିଁ । ବାୟୁସେନାର ଏହି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଶବାସୀଙ୍କ ଚିର ସ୍ମରଣୀୟ ହୋଇ ରହିବ ।


Published in two parts in Odia monthly Paurusha. First part in January 2020 and Second part in March 2020 

Comments

  1. ତଥ୍ୟ ଭିତ୍ତିକ । ସୁନ୍ଦର ବିଶ୍ଳେଷଣ ଓ ଉପସ୍ଥାପନା ‌।

    ReplyDelete
  2. Biju premi mane kebala nuhan Sabu pathak manankar madhya bhranti dura heba. Nehurnka bhumikati sathik darsaichanti. 🙏🙏

    ReplyDelete
  3. Biju premi mane kebala nuhan Sabu pathak manankar madhya bhranti dura heba. Nehurnka bhumikati sathik darsaichanti. 🙏🙏 Sudhir

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍