Skip to main content

ରାଜ୍ୟ କୃଷି ବଜେଟ ୨୦୨୦-୨୧ – ଏକ ଅବଲୋକନ

ଓଡିଶା ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୯,୪୦୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ସମଗ୍ର ବଜେଟ ରାଶି ୧.୫୦ ଲକ୍ଷ କୋଟି ଟଙ୍କାର ୧୨.୯୪ ପ୍ରତିଶତ । ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୨୧,୦୧୬ କୋଟି ଟଙ୍କା ଥିବା ବେଳେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିଲା । ଅର୍ଥାତ୍‌, ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୧,୬୦୮ କୋଟି ଟଙ୍କା କମ ପ୍ରାବଧାନ କରାଯାଇଛି । ୨୦୧୩-୧୪ରୁ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହେବା ପରଠାରୁ ଆଜି ଯାଏଁ ପୂର୍ବ ବର୍ଷ ତୁଳନାରେ କୃଷି ବଜେଟ ପାଇଁ ପ୍ରାବଧାନ କେବେ ବି କମ କରାଯାଇ ନଥିଲା ।  ଅବଶ୍ୟ ୨୦୧୯-୨୦ର ସଂଶୋଧିତ ଆକଳନ ତୁଳନାରେ ଏହା ପ୍ରାୟ ୧,୯୦୦ କୋଟି ଟଙ୍କା ଅଧିକ । ଏ ବର୍ଷ କୃଷି ବଜେଟର ପରିମାଣ ହ୍ରାସ ପାଇବାର ଏକ ମୁଖ୍ୟ କାରଣ ହେଉଛି ଗତ ବର୍ଷ କାଳିଆ ଯୋଜନା ପାଇଁ ୫,୬୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏ ବର୍ଷ ତାହା ପ୍ରାୟ ୨,୩୦୦ କୋଟି ଟଙ୍କା ହ୍ରାସ ପାଇ ୩,୩୦୫ କୋଟି ଟଙ୍କା ହୋଇଛି । ଅର୍ଥମନ୍ତ୍ରୀ ତାଙ୍କ ବଜେଟୀୟ ଅଭିଭାଷଣରେ ଜଣେ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରୁ ବାଦ ଦିଆଯିବ ନାହିଁ ବୋଲି କହିଥିବା ବେଳେ ଏଥିପାଇଁ ଆବଣ୍ଟିତ ରାଶିରେ ସର୍ବାଧିକ ୩୨ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ ।

କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ବଳ ଓ ମତ୍ସ୍ୟ ଓ ପଶୁ ସମ୍ବଳ ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ବ୍ୟୟ ବରାଦକୁ ମିଶାଇ ପ୍ରତି ବର୍ଷ କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି । ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୭,୦୧୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଯାହା ସମଗ୍ର କୃଷି ବଜେଟର ପ୍ରାୟ ୩୬ ପ୍ରତିଶତ । ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୮,୮୭୪ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା କୃଷି ବଜେଟର ୪୨ ପ୍ରତିଶତ ଥିଲା । ଗତ ବର୍ଷ ତୁଳନାରେ ପ୍ରାୟ ୧,୮୫୭ କୋଟି ଟଙ୍କା ବା ୨୦ ପ୍ରତିଶତ ରାଶି କମ ହେବାର ମୁଖ୍ୟ କାରଣ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ସେଥିପାଇଁ ହୋଇଥିବା ଆବଣ୍ଟନ ପରିମାଣ କମ ହେବା । ତେବେ ୨୦୧୯-୨୦ର ସଂଶୋଧିତ ବଜେଟରେ ବିଭାଗ ପାଇଁ ହୋଇଥିବା ୭,୭୯୨ କୋଟି ଟଙ୍କାର ପ୍ରାବଧାନ ଅପେକ୍ଷା ୨୦୨୦-୨୧ ବଜେଟରେ ପ୍ରାୟ ୭୭୫ କୋଟି ଟଙ୍କା କମ ବରାଦ ହେବା ନିଶ୍ଚିତ ଭାବେ ଚିନ୍ତାଜନକ । ଏ ବର୍ଷ ବଜେଟରେ ବିଭାଗ ତରଫରୁ ଯେଉଁ କାର୍ଯ୍ୟଗୁଡିକୁ ଗୁରୁତ୍ୱ ଦିଆଯାଇଛି ତନ୍ମଧ୍ୟରେ ଅଣୁ ଜଳସେଚନ (ଡ୍ରିପ, ସ୍ପ୍ରିଙ୍କଲର)ର ବଜେଟକୁ ୨କୋଟି ଟଙ୍କାରୁ ବଢାଇ ୬୦ କୋଟି ଟଙ୍କା କରିବା ଉଲ୍ଲେଖନୀୟ । ଏ ବର୍ଷ ରାଜ୍ୟ ସରକାର କୃଷକ ଉତ୍ପାଦକ ସଂଘ (ଏଫପିଓ) ବାବଦରେ ବ୍ୟୟ ବରାଦକୁ ଗତ ବର୍ଷର ୫ କୋଟି ଟଙ୍କାରୁ ବଢାଇ ୬୦ କୋଟି ଟଙ୍କା କରି ଆଗାମୀ ଦିନରେ ଏଫପିଓମାନଙ୍କୁ ସଂଗଠିତ ଓ କ୍ରିୟାଶୀଳ କରିବା ନେଇ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେହିପରି 'ମିଲେଟ ମିଶନ'କୁ ପ୍ରାଥମିକତା ଦିଆଯାଇ ବଜେଟ ରାଶି ୫୦ କୋଟି ଟଙ୍କାରୁ ୧୦୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । କୃଷି ନୀତି ଅନ୍ତର୍ଗତ ପୁଞ୍ଜି ସବସିଡି ବାବଦ ବ୍ୟୟ ବରାଦ ୫୦ କୋଟି ଟଙ୍କାରୁ ବଢାଇ ୧୦୦ କୋଟି ଟଙ୍କା କରାଯାଇଥିଲେ ମଧ୍ୟ ତାହା ଆଦୌ ପର୍ଯ୍ୟାପ୍ତ ନୁହେଁ । କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିର୍ମାଣରେ ଆଶାନୁରୂପ ବୃଦ୍ଧି ନ ହେଲେ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇବା ସମ୍ଭବ ହେବନାହିଁ । ତେଣୁ ସବସିଡି ରାଶିର ପରିମାଣ ଅଧିକ ହେଲେ ତାହା ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ଲଗାଣକୁ ମଧ୍ୟ ପ୍ରୋତ୍ସାହିତ କରୁଥିବାରୁ ସେଥିପାଇଁ ଅଧିକ ରାଶି ଆବଣ୍ଟିତ ହେବା ଅଧିକ ସମୀଚୀନ । ଅବଶ୍ୟ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେଇ ଗତ ବର୍ଷ ତୁଳନାରେ ଏ ବର୍ଷ ପ୍ରାୟ ୯୨ କୋଟି ଟଙ୍କା ଅଧିକ ବରାଦ ହେବା ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ । ସେହିପରି ଓଡିଶା କୃଷି ବିଶ୍ୱ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ହୋଇଥିବା ବିଶେଷ ଆବଣ୍ଟନ ସ୍ୱଳ୍ପ ହେଲେ ବି ସ୍ୱାଗତଯୋଗ୍ୟ । ପୂର୍ବ ବର୍ଷମାନଙ୍କ ପରି ଗତାନୁଗତିକତାକୁ ରକ୍ଷା କରି କେତେଗୁଡିଏ କାର୍ଯ୍ୟ ପାଇଁ ବଜେଟରେ ନାମକୁ ମାତ୍ର ବୃଦ୍ଧି କରାଯାଇଛି, ଯେମିତି ଇନପୁଟ ସବସିଡିକୁ ୪୦ କୋଟି ଟଙ୍କାରୁ ବଢାଇ ୪୨ କୋଟି ଟଙ୍କା କରିବା, ଜାତୀୟ ହର୍ଟିକଲଚର ମିଶନ ପାଇଁ ୧୦୦ କୋଟି ଟଙ୍କାରୁ ୧୨୩ କୋଟି ଟଙ୍କା ଆବଣ୍ଟନ କରିବା ଇତ୍ୟାଦି । ତେବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା (ପର ଡ୍ରପ ମୋର କ୍ରପ)ରେ ଗତ ବର୍ଷ ତୁଳନାରେ ୮୨ କୋଟି ଟଙ୍କା ବ୍ୟୟ ବରାଦ ଅଧିକ ହୋଇ ୧୫୦ କୋଟି ଟଙ୍କା କରାଯାଇଛି, ଯାହା ସ୍ୱାଗତଯୋଗ୍ୟ ।

ଏ ବର୍ଷ ସମବାୟ ବିଭାଗ ପାଇଁ ୧,୮୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୯ ପ୍ରତିଶତ । ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୧,୫୦୫ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା କୃଷି ବଜେଟର ୭ ପ୍ରତିଶତ ଥିଲା । ଗତ ବର୍ଷ ତୁଳନାରେ ପ୍ରାୟ ୨୯୫ କୋଟି ଟଙ୍କା ବା ୨୦ ପ୍ରତିଶତ ଅଧିକ ରାଶି ଏହି ବିଭାଗ ପାଇଁ ଆବଣ୍ଟିତ ହୋଇଛି । ଏଥି ମଧ୍ୟରୁ ୭୦୦ କୋଟି ଟଙ୍କା କେବଳ ଫସଲ ବୀମାର ପ୍ରିମିୟମ ବାବଦକୁ ବରାଦ କରାଯାଇଛି, ଯାହା ଗତ ବର୍ଷର ବରାଦ ରାଶି ଅପେକ୍ଷା ୩୦୦ କୋଟି ଟଙ୍କା ଅଧିକ । ଆସନ୍ତା ବର୍ଷ ୨୭ ଲକ୍ଷ ଋଣୀ ଚାଷୀ ଓ ୫ ଲକ୍ଷ ଅଣଋଣୀ ଚାଷୀଙ୍କୁ ଫସଲ ବୀମା ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ  ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ପୂର୍ବ ବର୍ଷମାନଙ୍କରେ ଚାଷୀମାନେ ଫସଲ ବୀମା ଦ୍ୱାରା କି ଭଳି ଲାଭାନ୍ୱିତ ହୋଇଛନ୍ତି, ତାହା ଜଣାଇବାର ଆବଶ୍ୟକତା ରହିଛି । ଅପର ପକ୍ଷରେ ଫସଲ ଋଣରେ ସୁଧ ରିହାତି ବାବଦକୁ ଏଥର ୭୦୫ କୋଟି ଟଙ୍କାର ପ୍ରାବଧାନ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୯୫ କୋଟି ଟଙ୍କା କମ । ସମବାୟଗୁଡିକର ଅଂଶଧନରେ ପୁଞ୍ଜି ଲଗାଣ ପାଇଁ ହୋଇଥିବା ୧୧୮ କୋଟି ଟଙ୍କା ଆବଣ୍ଟନ ବ୍ୟତୀତ ସମବାୟ କ୍ଷେତ୍ରକୁ ଗତି ପ୍ରଦାନ କରିବା ପାଇଁ ବଜେଟରେ ଦୂରଦୃଷ୍ଟି ଥାଇ କୌଣସି କାର୍ଯ୍ୟକ୍ରମ ପାଇଁ ସେ ଭଳି ଆବଣ୍ଟନ ହୋଇନାହିଁ ।

ଜଳ ସମ୍ବଳ ବିଭାଗ ପାଇଁ ଏହି ବଜେଟରେ ୯,୩୮୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୪୮ ପ୍ରତିଶତ । ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୯,୭୩୮ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ଯାହା କୃଷି ବଜେଟର ୪୬ ପ୍ରତିଶତ ଥିଲା । ଗତ ବର୍ଷ ତୁଳନାରେ ପ୍ରାୟ ୩୫୮ କୋଟି ଟଙ୍କା ବା ପ୍ରାୟ ୪ ପ୍ରତିଶତ କମ ରାଶି ଏହି ବିଭାଗ ପାଇଁ ଆବଣ୍ଟିତ ହୋଇଛି । ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରେ ଏହି ବିଭାଗର ପ୍ରକୃତ ବ୍ୟୟ ୭,୪୪୮ କୋଟି ଟଙ୍କାରେ ସୀମିତ ରହିବା ଓ ୨୦୧୯-୨୦ରେ ସଂଶୋଧିତ ବଜେଟରେ ବିଭାଗର ବ୍ୟୟ ବରାଦ ୭,୩୩୩ କୋଟି ଟଙ୍କାକୁ ହ୍ରାସ କରିବାରୁ ସ୍ପଷ୍ଟ ହେଉଛି ଯେ ଅଧିକ ରାଶି ବ୍ୟୟ ବରାଦ ହେଲେ ମଧ୍ୟ ବିଭାଗ ତାହା ବ୍ୟୟ କରି ପାରୁନାହିଁ । ଆସନ୍ତା ବର୍ଷ ୧.୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଗତ ବର୍ଷମାନଙ୍କରେ ଜଳସେଚନର ସୁବିଧା ସୃଷ୍ଟି ହୋଇଥିବା ଅଞ୍ଚଳରେ ତାର ଉପଯୋଗିତାର ଅନୁଧ୍ୟାନ ହେବା ଆବଶ୍ୟକ । ରାଜ୍ୟର ମୁଖ୍ୟ ନଦୀଗୁଡିକ ଉପରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୨,୦୦୦ କୋଟି ଟଙ୍କା ବ୍ୟୟରେ 'ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର' ନିର୍ମାଣ ପାଇଁ ଏକ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ସ୍ୱାଗତଯୋଗ୍ୟ । ସେଥିପାଇଁ ଏ ବର୍ଷ ବଜେଟରେ ୧,୦୯୨ କୋଟି ଟଙ୍କାର ପ୍ରାବଧାନ ହୋଇଛି । ଅବଶ୍ୟ ଏହି ଧରଣର କାର୍ଯ୍ୟ ହେଉଥିବା ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ପାଇଁ ପୂର୍ବ ବର୍ଷ ତୁଳନାରେ ବଜେଟ ୩୩୪ କୋଟି ଟଙ୍କାରୁ ୬୭ କୋଟି ଟଙ୍କାକୁ କମାଇ ଦିଆ ଯାଇଛି । ୧,୦୯୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୫ଟି ଜିଲ୍ଲାର ୧୦,୦୦୦ ପୋଖରୀର ନବୀକରଣ ଓ ୧୯୧ କୋଟି ଟଙ୍କା ବ୍ୟୟ ବରାଦରେ ୧,୨୦୦ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ହେବା ସ୍ୱାଗତଯୋଗ୍ୟ । ତେବେ ବଜେଟରେ ପୂର୍ବ ବର୍ଷ ତୁଳନାରେ ପାର୍ବତୀ ଗିରି ମେଗା ଲିଫ୍ଟ ପ୍ରକଳ୍ପରେ ୧,୨୩୬ କୋଟି ଟଙ୍କା, ଏଆଇବିପିରେ ୨୪୩ କୋଟି ଟଙ୍କା କମ ହେବା ଉଦବେଗର ବିଷୟ ।
     
ଏ ବର୍ଷ ମତ୍ସ୍ୟ ଓ ପଶୁ ସମ୍ବଳ ବିଭାଗ ପାଇଁ ୧,୨୧୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୬ ପ୍ରତିଶତ । ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ମାତ୍ର ୮୯୯ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ଯାହା କୃଷି ବଜେଟର ୪ ପ୍ରତିଶତ ଥିଲା । ଏହି ବିଭାଗ ପାଇଁ ଗତ ବର୍ଷ ତୁଳନାରେ ୩୧୨ କୋଟି ଟଙ୍କା ବା ପ୍ରାୟ ୩୫ ପ୍ରତିଶତ ଅଧିକ ରାଶି ଆବଣ୍ଟିତ ହୋଇଛି, ଯାହା ସ୍ୱାଗତଯୋଗ୍ୟ । ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାରେ ୬୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ୨୩ କୋଟି ଟଙ୍କା ଅଧିକ । ତେବେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆଶାନୁରୂପ ଅଗ୍ରଗତି କରି ପାରୁ ନଥିବାର କାରଣ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ‘ନୀଳ ବିପ୍ଳବ’ ଯୋଜନାରେ ବ୍ୟୟ ବରାଦ ୩୪ କୋଟି ଟଙ୍କା ବଢି ୧୧୬ କୋଟି ଟଙ୍କା ଓ ‘ଶ୍ୱେତ ବିପ୍ଳବ’ ପାଇଁ ୨୬ କୋଟି ଟଙ୍କା ବଢି ୯୦ କୋଟି ଟଙ୍କା ହେବା ସ୍ୱାଗତଯୋଗ୍ୟ ।
           
କେନ୍ଦ୍ର ବଜେଟ ଉପସ୍ଥାପନ ହେବାର ୧୮ ଦିନ ପରେ ରାଜ୍ୟ ବଜେଟ ଉପସ୍ଥାପନ ହୋଇଥିବାରୁ କେନ୍ଦ୍ର ବଜେଟରେ ଘୋଷିତ କୃଷି ଭିତ୍ତିକ କାର୍ଯ୍ୟକ୍ରମଗୁଡିକରୁ କେତୋଟିକୁ ରାଜ୍ୟ ବଜେଟରେ ଗୁରୁତ୍ୱ ସହକାରେ ସ୍ଥାନ ଦିଆଯାଇ ପାରିଥାନ୍ତା । ଉଦାହରଣ ସ୍ୱରୂପ, କେନ୍ଦ୍ର ବଜେଟରେ କୃଷିର ସୌରକରଣ (ସୋଲାରାଇଜେସନ) ଉପରେ ଗୁରୁତ୍ୱ ଦିଆଯାଇ ପିଏମ-କୁସୁମ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ୨୦ ଲକ୍ଷ ସୋଲାର ପମ୍ପସେଟ ଯୋଗାଇ ଦେବା କଥା ଘୋଷଣା କରାଯାଇଛି । ତଦନୁସାରେ ଓଡିଶା ସରକାର ଅନ୍ତତଃ ପକ୍ଷେ ୮୦ ହଜାର ଚାଷୀଙ୍କୁ (ଜନସଂଖ୍ୟାର ୪ ପ୍ରତିଶତ ଓଡିଶାରେ ରହୁଥିବାରୁ) ସୋଲାର ପମ୍ପସେଟ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ କରି ବଜେଟରେ ଆବଶ୍ୟକ ବ୍ୟୟ ବରାଦ କରିଥିଲେ ରାଜ୍ୟ ହୁଏତ ସେହି ଯୋଜନାରୁ ଅଧିକ ସୁଫଳ ପାଇ ପାରିଥାନ୍ତା । ବଜେଟରେ ପିଏମ-କୁସୁମ କାର୍ଯ୍ୟକ୍ରମ ପାଇଁ ମାତ୍ର ୫ କୋଟି ଟଙ୍କା ଆବଣ୍ଟିତ ହୋଇଛି । କେନ୍ଦ୍ର ବଜେଟରେ ଗୋଦାମଘର ଓ ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇ ଘୋଷିତ ହୋଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ବଜେଟରେ ଉପଯୁକ୍ତ ଗୁରୁତ୍ୱ ଦିଆ ଯାଇନାହିଁ, କାରଣ ଗୋଦାମଘର ପାଇଁ ବଜେଟରେ ମାତ୍ର ୧୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଶୀତଳ ଭଣ୍ଡାର ସମ୍ପ୍ରସାରଣ ନେଇ ଏହା ସମ୍ପୂର୍ଣ୍ଣ ନୀରବ । ସେହିପରି ରାଜ୍ୟ ସରକାରଙ୍କ ସହ ପରାମର୍ଶ କ୍ରମେ ପ୍ରତି ଜିଲ୍ଲାରେ  ଗୋଟିଏ ଉଦ୍ୟାନ ଉତ୍ପାଦ (ହର୍ଟିକଲଚର)ର ବିକାଶ ପାଇଁ କେନ୍ଦ୍ର ବଜେଟରେ ଗୁରୁତ୍ୱ ଦିଆ ଯାଇଥିଲେ ମଧ୍ୟ ରାଜ୍ୟ ବଜେଟରେ ଏଥିପାଇଁ ମାତ୍ର ୨୦ କୋଟି ଟଙ୍କା ଆବଣ୍ଟିତ ହୋଇଛି । ମତ୍ସ୍ୟ ଚାଷର ବିକାଶ ପାଇଁ ‘ସାଗର ମିତ୍ର’ ଓ ମତ୍ସ୍ୟ ଚାଷୀଙ୍କ ପାଇଁ ଏଫପିଓ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ର ବଜେଟରେ ଉଲ୍ଲେଖ ହୋଇଥିଲେ ମଧ୍ୟ ଓଡିଶା ଏକ ତଟୀୟ ରାଜ୍ୟ ହୋଇ ସୁଦ୍ଧା ସେହି କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ଆଗ୍ରହ ଦେଖାଇ ନାହିଁ । ସଦ୍ୟ ପ୍ରଣୀତ ରାଜ୍ୟ କୃଷି ନୀତିରେ କୃଷି ଉତ୍ପାଦର ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଦିଆ ଯାଇଥିବା ବେଳେ ବଜେଟରେ ସେ ନେଇ କୌଣସି କାର୍ଯ୍ୟକ୍ରମ ସ୍ଥାନିତ ହୋଇନାହିଁ ।
    
ରାଜ୍ୟ କୃଷି ବଜେଟ ପ୍ରସ୍ତୁତିରେ ଗତାନୁଗତିକତାକୁ ପରିହାର କରି ଅଭିନବ ଚିନ୍ତାଧାରାକୁ ସ୍ଥାନ ଦେବାର ଆବଶ୍ୟକତା ରହିଛି । ଉଦାହରଣ ସ୍ୱରୂପ, ରାଜ୍ୟର ୧୯ଟି ଜିଲ୍ଲାରେ ଚାଷ ମୁଖ୍ୟତଃ ବୃଷ୍ଟି ଉପରେ ନିର୍ଭର କରୁଥିବାରୁ ବଜେଟରେ ବୃଷ୍ଟି ନିର୍ଭର କୃଷି ଉପରେ ଗୁରୁତ୍ୱ ଦେଇ ଅଧିକ ରାଶି ଆବଣ୍ଟନ ହେବା ଆବଶ୍ୟକ । ରାଜ୍ୟ କୃଷି ନୀତିରେ ଏଥି ପ୍ରତି ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ବଜେଟରେ ତାହା ପ୍ରତିଫଳିତ ହୋଇନାହିଁ । ବୃଷ୍ଟି ନିର୍ଭର କୃଷିକୁ ପ୍ରୋତ୍ସାହନ ଦେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବଜେଟରେ ୨,୧୦୮ କୋଟି ଟଙ୍କାର ଆବଣ୍ଟନ ହୋଇଛି, ଯାହା କୃଷି ବଜେଟର ମାତ୍ର ୧୧ ପ୍ରତିଶତ । ବର୍ଷ ବର୍ଷ ଧରି ରାଜ୍ୟ କୃଷି ବଜେଟର ସିଂହଭାଗ ଜଳସେଚନ ପାଇଁ ବରାଦ ହେଉଥିବା ବେଳେ ତାହା କୃଷି ଓ କୃଷକଙ୍କ ବିକାଶରେ ଆନୁପାତିକ ଭାବେ ସହାୟକ ହୋଇଛି କି ନାହିଁ, ତାହା ତର୍ଜମା କରିବାର ବେଳ ଆସିଛି । ଉଦାହରଣ ସ୍ୱରୂପ, ଅଧିକ ଜମିରେ ଜଳସେଚନର ସୁବିଧା ହେଲେ ଅଧିକ ଅଞ୍ଚଳରେ ରବି ଚାଷ ହୋଇ ଫସଲ ଗହନତା (କ୍ରପିଂ ଇଣ୍ଟେନସିଟି) ବଢିବା କଥା । ମାତ୍ର ରାଜ୍ୟସ୍ତରରେ ତାହା ୧୬୭ରୁ କମ ହୋଇ ୨୦୧୮-୧୯ରେ ୧୫୬ରେ ପହଞ୍ଚିଲାଣି । ଏପରିକି ବରଗଡ, ମାଲକାନଗିରି, ଭଦ୍ରକ ଭଳି ଜଳସେଚନର ଉନ୍ନତ ସୁବିଧା ଥିବା ଜିଲ୍ଲାମାନଙ୍କରେ ଫସଲ ଗହନତା କମ ହୋଇଥିବା ବେଳେ ଅନୁଗୁଳ, ନୟାଗଡ, ଦେଓଗଡ ଭଳି ଅପେକ୍ଷାକୃତ କମ ଜଳସେଚିତ ଅଞ୍ଚଳ ଥିବା କେତେକ ଜିଲ୍ଲାରେ ତାହା ବୃଦ୍ଧି ପାଇଛି । ତେଣୁ ରାଜ୍ୟ କୃଷି ବଜେଟକୁ କେବଳ ଜଳସେଚନ ପ୍ରାଧାନ୍ୟ ନ କରି ବୃଷ୍ଟି-ନିର୍ଭର କୃଷି କୈନ୍ଦ୍ରିକ କଲେ ତାହା ରାଜ୍ୟର ବିସ୍ତୃତ ଅଞ୍ଚଳର ସଂଖ୍ୟାଧିକ ଚାଷୀଙ୍କ ହିତ ସାଧନ କରିପାରନ୍ତା । ଏତଦଭିନ୍ନ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ ଦିଗ ପ୍ରତି ଦୃଷ୍ଟି ଦେଇ କିପରି ଧାନ ଚାଷ ହେଉଥିବା ଅଞ୍ଚଳକୁ ହ୍ରାସ କରି ଚାଷୀଙ୍କୁ ଅନ୍ୟ ଚାଷ ମୁହାଁ କରି ହେବ ସେ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ ।

ନାବାର୍ଡ ଦ୍ୱାରା ପ୍ରସ୍ତୁତ ନାଫିସ ରିପୋର୍ଟରେ ୨୦୧୫-୧୬ରେ ଓଡିଶା ଚାଷୀଙ୍କ ବାର୍ଷିକ ଆୟ ହାରାହାରି ୯୨,୭୭୨ଟଙ୍କା ଥିଲା ବୋଲି ଦର୍ଶାଯାଇଛି । ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଡବଲ କରାଯିବ ବୋଲି ଘୋଷଣା ହୋଇଥିବାରୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ତାହା ପ୍ରାୟ ୧.୮୫ ଲକ୍ଷ ଟଙ୍କାରେ ପହଞ୍ଚିବା ଉଚିତ । ତେବେ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ବଜେଟରେ ସେପରି କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ । କେବଳ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରି ଏହି ଆୟ ଲକ୍ଷ୍ୟ ହାସଲ କରିବା ସମ୍ଭବ ନୁହେଁ । ତେଣୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବ୍ୟତିରେକ ଅନ୍ୟ ସ୍ରୋତରୁ ମଧ୍ୟ ଚାଷୀଙ୍କ ଆୟ ବଢାଇବା ପାଇଁ ଧ୍ୟାନ ଦେଇ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହୋଇ ବଜେଟରେ ବ୍ୟୟ ବରାଦ ହେବା ଆବଶ୍ୟକ ।

Published in Odisha Reporter on 28 & 29 February 2020

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍