‘ଆପନମାନେ ଖୁସି ତୋ ?’ ଓଡିଆ ଜାଣନ୍ତି ନାହିଁ ବୋଲି ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ବଡ ସଭାମାନଙ୍କରେ ଏହି ପ୍ରଶ୍ନଟି ପଚାରିଥାନ୍ତି, ସମବେତ ଜନତାଙ୍କ ମଧ୍ୟରେ ହସର ଜୁଆର ଖେଳି ଯାଇଥାଏ ଓ ଉଚ୍ଚ ସ୍ୱରରେ ଉତ୍ତର ଭାସି ଆସିଥାଏ ‘ହଁ, ଆମେ ଖୁସି’ । ଏହି ଧରଣର ପ୍ରଶ୍ନ ପଚାରିଲା ବେଳେ ପ୍ରଶ୍ନକର୍ତ୍ତା ଭଲ ଭାବେ ଜାଣିଥାନ୍ତି ଯେ ଲୋକଟିଏ ଯେତେ ଦୁଃଖରେ ଥିଲେ ବି ସେ ‘ହଁ’ ହିଁ କହିବ । ଯେମିତି, କେହି ଯଦି ପଚାରେ ‘କେମିତି ଅଛ?’ ବୋଲି ତେବେ ଉତ୍ତରଦାତା ଯେତେ ଅସୁବିଧାରେ ଥିଲେ ବି ମୁହଁରେ, କୃତ୍ରିମ ହେଉ ପଛେ, ହସଟିଏ ଫୁଟାଇ ‘ଭଲ ଅଛି’ ବୋଲି କହିବାକୁ କୁଣ୍ଠା ପ୍ରକାଶ କରି ନ ଥାଏ । ନେତା ପଚାରୁଥିବା ପ୍ରଶ୍ନର ଉତ୍ତର ଜନତା କଣ ଦେଲେ ବା କିପରି ଦେଲେ, ତାହା ନେତାଙ୍କୁ କେତେ ଦୂର ସନ୍ତୁଷ୍ଟ କଲା, ତାହା ଏହି ଆଲେଖ୍ୟର ବିଷୟବସ୍ତୁ ନୁହେଁ । ପ୍ରଶ୍ନ ହେଉଛି, ଗଣତନ୍ତ୍ରରେ ଜନତା ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବେ ନା ନିର୍ବାଚିତ ପ୍ରତିନିଧି ନାଗରିକଙ୍କଠାରୁ ଉତ୍ତର ଚାହିଁବେ । ଆଜିକାଲି ନେତାମାନେ ଜନତାଙ୍କୁ ତ କେବଳ ପ୍ରଶ୍ନ ପଚାରୁ ନାହାନ୍ତି, ବରଂ ପ୍ରଶ୍ନକୁ କେଉଁ ଢଙ୍ଗରେ ପଚାରିଲେ ଜନତାଙ୍କଠାରୁ ଚାହୁଁଥିବା ଉତ୍ତରଟି ମିଳିବ, ରୀତିମତ ତାହା ମଧ୍ୟ ନିର୍ଦ୍ଧାରଣ କରୁଛନ୍ତି ।
ବିଭିନ୍ନ ସମୟରେ କିଛି ଶାସନ ମୁଖ୍ୟ ଏକ ତରଫା ଯୋଗାଯୋଗ ଉପରେ ଜୋର ଦେଇ ଆସିଛନ୍ତି । ସେମାନେ ଖାଲି କହିବେ, ଅଥଚ ଶୁଣିବେ ନାହିଁ । ଯଦି ଶୁଣିବେ, ତେବେ ଯାହା ଶୁଣିବାକୁ ଚାହୁଁଛନ୍ତି ତାହା ହିଁ ଶୁଣିବେ, ଅନ୍ୟ କିଛି ନୁହେଁ । ସେମାନଙ୍କୁ କେହି ପାଲଟା ପ୍ରଶ୍ନ ପଚାରିଲେ ତାହା ସେମାନଙ୍କ ପାଇଁ ଅସ୍ୱସ୍ତିକର । ସମାଜ ବିଜ୍ଞାନୀ ସେନ୍ନନଙ୍କ ଏକ ତରଫା ଯୋଗାଯୋଗ (ଓ୍ଵାନ ଓ୍ଵେ ଟ୍ରାନସମିସନ) ଶୈଳୀ ସଂକ୍ରାନ୍ତୀୟ ମତବାଦ ଅନୁଯାୟୀ ଏଥିରେ ବକ୍ତା ପାଇଁ କେବଳ ସୂଚନାଟିକୁ ଶ୍ରୋତା ନିକଟରେ ପହଞ୍ଚାଇବା ହିଁ ଯଥେଷ୍ଟ ହୋଇଥାଏ ଓ ତାହା ହିଁ ତାର ଏକମାତ୍ର ଉଦ୍ଦେଶ୍ୟ । ଏଭଳି ଯୋଗାଯୋଗ ଶୈଳୀରେ ବକ୍ତା ନିଜେ ଇଚ୍ଛା କରୁଥିବା ଭଳି ଢଙ୍ଗରେ ଶ୍ରୋତାର ମନୋଭାବକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରିଥାଏ ବୋଲି ଅନ୍ୟ କେତେକ ସମାଜ ବିଜ୍ଞାନୀଙ୍କ ମତ । ଲୋକମତ ଉପରେ ବିଶେଷ ଗୁରୁତ୍ୱ ନଦେଇ ବା ତା ଦ୍ୱାରା ପ୍ରଭାବିତ ନ ହୋଇ ନିଜ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ଜଣେ ନେତା ଜନତାଙ୍କଠାରୁ ଖୁବ କୌଶଳରେ ଦୂରତା ରକ୍ଷା କରୁଥିଲେ ମଧ୍ୟ ତାହା ପ୍ରତୀୟମାନ ହୋଇ ନ ଥାଏ । ଆଜିକାଲି ଅନେକ ନେତା ଏ ଭଳି ଏକ ତରଫା ଯୋଗାଯୋଗ ଶୈଳୀକୁ ବହୁଳ ଭାବେ ପ୍ରୟୋଗ କରୁଥିବା ଦେଖାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଏକ ତରଫା ଯୋଗାଯୋଗ ଶୈଳୀର ଅନ୍ୟତମ ସୁଦକ୍ଷ ଅଭ୍ୟାସକର୍ତ୍ତା (ପ୍ରାକ୍ଟିସନର) ହୋଇଥିବାରୁ ଶୈଳୀଟିକୁ ବୁଝିବା ପାଇଁ ତାଙ୍କ ଦ୍ୱାରା ଏହାର ବିଭିନ୍ନ ପ୍ରୟୋଗକୁ ଏଠାରେ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ।
ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ରଧାନମନ୍ତ୍ରୀ ପ୍ରତି ମାସରେ ଥରେ ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଆସୁଥିବା ‘ମନ କି ବାତ’ କାର୍ଯ୍ୟକ୍ରମରେ ବିଭିନ୍ନ ଘଟଣା ଉପରେ କେବଳ ନିଜ ଦୃଷ୍ଟିକୋଣ ରଖିଥାନ୍ତି ଏବଂ କାର୍ଯ୍ୟକ୍ରମଟିର ଫର୍ମାଟ ଏପରି ଯେ ତହିଁରେ କେବଳ ସେ କହନ୍ତି ଓ ଅନ୍ୟମାନେ ଶୁଣନ୍ତି । ସ୍ୱାଭାବିକ ଭାବେ ଦେଶବାସୀ କିଛି କହିବାର ଅବକାଶ ନାହିଁ । ଫଳରେ ଗତ ଛଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ମନର କଥାକୁ ଷାଠିଏ ଥର ଶୁଣି ସାରିଥିବା ସାଧାରଣ ଲୋକେ ପତ୍ର ମାଧ୍ୟମରେ କିଛି ବକ୍ତବ୍ୟ, ପ୍ରଶ୍ନ ବା ସନ୍ଦେହ ବିଷୟରେ ଜଣାଇବା ବ୍ୟତୀତ ସେଥିରେ ସିଧାସଳଖ ଭାଗ ନେବାର ସୁଯୋଗ ନ ଥିବାରୁ ଆଉ ଅଧିକ କିଛି କରି ପାରି ନ ଥାନ୍ତି ।
ଗଣତନ୍ତ୍ରରେ ଶାସକ ପାଇଁ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବାର ସବୁଠାରୁ ବଳିଷ୍ଠ ମାଧ୍ୟମଟି ହେଉଛି ଗଣମାଧ୍ୟମ । ତେଣୁ କ୍ଷମତାସୀନ ନେତାମାନେ ମଝିରେ ମଝିରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଜନତାଙ୍କ ମନରେ ଉଙ୍କି ମାରୁଥିବା ସନ୍ଦେହ ଓ ଉଦବେଗକୁ ଦୂର କରିବାକୁ ପ୍ରୟାସ କରିଥାନ୍ତି ଓ ଏ ଦିଗରେ ଗଣମାଧ୍ୟମ ସରକାର ଓ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରିଥାଏ । ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମେ ୧୭, ୨୦୧୯ ଦିନଟିକୁ ବାଦ ଦେଲେ ଅନ୍ୟ କେବେ ସାମ୍ବାଦିକ ସମ୍ମିଳନୀର ସମ୍ମୁଖୀନ ହୋଇ ନାହାନ୍ତି । ଆଉ ସେଦିନ ମଧ୍ୟ ସେ ସାମ୍ବାଦିକଙ୍କ ପ୍ରଶ୍ନକୁ ଗ୍ରହଣ କରି ନଥିଲେ । ପ୍ରଶ୍ନ ଉଠେ ଯେ ମୋଦିଙ୍କ ଭଳି ଜଣେ ସୁବକ୍ତା ଓ ସାହସୀ ନେତା ସାମ୍ବାଦିକ ସମ୍ମିଳନୀକୁ ଏଡାଇବାର କାରଣ କଣ ହୋଇପାରେ ? ହୁଏତ ଏହାର ଉତ୍ତର ଏହା ହୋଇପାରେ ଯେ ସେ ଅସ୍ୱସ୍ତିକର ପ୍ରଶ୍ନ ଶୁଣିବାକୁ ଚାହାନ୍ତି ନାହିଁ । ଅକ୍ଟୋବର ୧୯, ୨୦୦୭ରେ ପ୍ରସିଦ୍ଧ ଟିଭି ସାମ୍ବାଦିକ କରନ ଥାପରଙ୍କ ସହିତ ଓ ଅପ୍ରେଲ ୨୦୦୯ରେ ବିଜୟ ତ୍ରିବେଦୀଙ୍କ ସହ ତାଙ୍କର ଦୁଇ ଟେଲିଭିଜନ ସାକ୍ଷାତକାରରେ ଏଭଳି ଅସ୍ୱସ୍ତିର ପ୍ରମାଣ ମିଳିଥିଲା । ସାଧାରଣତଃ ଅସହଜ ପ୍ରଶ୍ନକୁ ନେତାମାନେ ଏଡାଇ ଯାଇଥାନ୍ତି ବା ବୁଲେଇ ବଙ୍କେଇ ତାର ଏମିତି ଉତ୍ତର ଦେଇଥାନ୍ତି ଯେଉଁଥିରୁ ସ୍ପଷ୍ଟ ଭାବେ କିଛି ବୁଝି ହୋଇ ନଥାଏ । କେହି କେହି ତ ଅସହଜ ପ୍ରଶ୍ନକୁ ସାମନା ନ କରିବା ପାଇଁ ନିର୍ଦ୍ଦୟ ସାମ୍ବାଦିକଙ୍କୁ ବାଦ ଦେଇ ତାଙ୍କ ପ୍ରତି ସଦୟ ଥିବା ସାମ୍ବାଦିକଙ୍କୁ ହିଁ ସାକ୍ଷାତକାର ପାଇଁ ଅନୁମତି ଦେଇଥାନ୍ତି । ସେହିପରି ନିର୍ଦ୍ଦିଷ୍ଟ କେତେକ ଟିଭି ଚ୍ୟାନେଲ ଓ ସମ୍ବାଦପତ୍ରର ସଦୟ ସାମ୍ବାଦିକଙ୍କ ସହ ସାକ୍ଷାତକାର ପ୍ରଦାନ ପାଇଁ ମୋଦି କୁଣ୍ଠା ପ୍ରକାଶ କରିନାହାନ୍ତି । ତେବେ ଏହି ଧରଣର ସାକ୍ଷାତକାରଗୁଡିକୁ ଟିକେ ନିରିଖେଇ ଦେଖିଲେ ଜଣା ପଡେ ସତେ ଯେମିତି ପଚରା ଯାଇଥିବା ପ୍ରଶ୍ନଗୁଡିକୁ ପୂର୍ବରୁ ବିପଦମୁକ୍ତ (ସାନିଟାଇଜ) କରି ଉତ୍ତରଦାତାଙ୍କୁ ଯୋଗାଇ ଦିଆଯାଇଛି । କାରଣ ଗୋଟିଏ ପ୍ରଶ୍ନ ପଚାରିଲା ପରେ ଉତ୍ତରଦାତାଙ୍କୁ ଦୀର୍ଘ ସମୟ ଯାଏଁ ନିର୍ବିଘ୍ନରେ ଉତ୍ତର ଦେବାକୁ ଛାଡି ଦିଆଯାଇଛି । ଉତ୍ତରରୁ ଖିଅ କାଢି କୌଣସି ଅନୁବର୍ତ୍ତୀ (ଫଲୋ ଅପ) ପ୍ରଶ୍ନ ପଚରା ଯାଇନାହିଁ, ଯାହା ସାଧାରଣତଃ ଉତ୍ତରଦାତାଙ୍କୁ ଅସହଜ ସ୍ଥିତିରେ ପକାଇଥାଏ । କେବଳ ମୋଦି ନୁହନ୍ତି, ବରଂ ଆଜିକାଲି ଅନେକ କ୍ଷମତାସୀନ ନେତା ସାମ୍ବାଦିକ ସମ୍ମିଳନୀ ଓ ନିର୍ଦ୍ଦୟ ସାମ୍ବାଦିକଙ୍କ ସାମନା କରିବାକୁ କୁଣ୍ଠିତ ।
ଏ ସବୁ ସତ୍ତ୍ଵେ ମୋଦି ନିୟମିତ ଭାବେ ହଜାର ହଜାର ସଂଖ୍ୟାରେ ଜନତାଙ୍କୁ ଭେଟିଥାନ୍ତି, ହେଲେ ବଡ ବଡ ରାଲି ବା ସଭାମାନଙ୍କରେ । ଏହି ସଭାଗୁଡିକରେ ଏକ ତରଫା ଭାଷଣ ହିଁ ହୋଇଥାଏ । ଜନତାଙ୍କ ପକ୍ଷେ ସାର୍ଥକ ଅଂଶଗ୍ରହଣର ଅବକାଶ ନ ଥାଏ । ଏଥିରେ ତାଙ୍କ ଦ୍ୱାରା ଦିଆ ଯାଉଥିବା ଭାଷଣକୁ ଅନୁଧ୍ୟାନ କଲେ ସେଥିରେ କିଛି ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ଏହି ଭାଷଣଗୁଡିକରେ ଜନତାଙ୍କୁ କିଛି ପ୍ରଶ୍ନ ପଚାରି ସେ ଚାହୁଁଥିବା ଢଙ୍ଗରେ ତାର ଉତ୍ତର ଆଦାୟ କରିଥାନ୍ତି । ଯେମିତି, ‘ଦରଦାମ ବୃଦ୍ଧି ବନ୍ଦ ହେବା ଉଚିତ କି ଉଚିତ ନୁହେଁ’, ‘ବଂଶବାଦ ଦୂର ହେବା ଉଚିତ କି ଉଚିତ ନୁହେଁ’, ‘ପୁଲଓ୍ଵାମାର ପ୍ରତିଶୋଧ ପାକିସ୍ତାନଠାରୁ ନେବା ଉଚିତ କି ଉଚିତ ନୁହେଁ’, ଇତ୍ୟାଦି । ଅମିତ ଶାହାଙ୍କ ସମେତ ଅନେକ ନେତା ସେମାନଙ୍କ ଭାଷଣରେ ମଧ୍ୟ ସେହି ଏକା ଶୈଳୀର ଅନୁସରଣ କରୁଥିବା ପରିଲକ୍ଷିତ ହୋଇଥାଏ । ଯେମିତି ଅମିତ ଶାହଙ୍କ ପ୍ରଶ୍ନ, ‘ରାମଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବା ଉଚିତ କି ଉଚିତ ନୁହେଁ ?’, ‘ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ଉଚିତ କି ଉଚିତ ନୁହେଁ ?’, ଇତ୍ୟାଦି । ସ୍ୱାଭାବିକ ଭାବେ ଯେ କେହି ଏହି ସମସ୍ତ ପ୍ରଶ୍ନର ଉତ୍ତର ‘ଉଚିତ’ ବା ‘ହଁ’ରେ ଦେବ । ତେବେ ବେଳେବେଳେ ପ୍ରଶ୍ନକର୍ତ୍ତା କେବଳ ସେତିକିରେ ସନ୍ତୁଷ୍ଟ ନ ହୋଇ ସେହି ଉତ୍ତରକୁ ଜନତାଙ୍କ ନିକଟରୁ ଉଚ୍ଚ ସ୍ୱରରେ ଶୁଣିବା ଲାଗି ‘ଜରା ଜୋରସେ ବୋଲୋ’ (ଟିକେ ବଡ ପାଟିରେ କୁହ) କହି ପ୍ରଶ୍ନଟିକୁ ଦୋହରାଇଥାନ୍ତି ଓ ସମବେତ ଜନତା ମଧ୍ୟ ତାଙ୍କ ଅନୁରୋଧକୁ ରକ୍ଷା କରି ବଡ ପାଟିରେ ଉତ୍ତର ଦେଇଥାନ୍ତି । ଏହାର ମୋଟାମୋଟି ଭାବେ ତିନୋଟି ଉଦ୍ଦେଶ୍ୟ ଥାଏ । ପ୍ରଥମତଃ, ଜନତାଙ୍କୁ ନିଜ ଭାଷଣ ମନଯୋଗ ସହକାରେ ଶୁଣିବାକୁ ବାଧ୍ୟ କରିବା, ଦ୍ୱିତୀୟରେ, ‘ଏହା ଜନତା ଚାହୁଁଛନ୍ତି’ ଓ ‘ଜନତା ବହୁ ସଂଖ୍ୟାରେ ତାଙ୍କ ନିଷ୍ପତ୍ତି ସପକ୍ଷରେ ଅଛନ୍ତି’ ବୋଲି ବିରୋଧୀ ପକ୍ଷକୁ ବାର୍ତ୍ତା ଦେଇ ସେମାନଙ୍କୁ ହତୋତ୍ସାହିତ କରିବା ସହ ଅନ୍ୟ ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ପ୍ରଭାବିତ କରିବା । ମାତ୍ର ସବୁଠାରୁ ବଡ କାରଣଟି ହେଉଛି ଜନତାଙ୍କୁ ସାକ୍ଷୀ କରି ପ୍ରଶ୍ନ ସପକ୍ଷରେ ଆଦାୟ ହୋଇଥିବା ‘ହଁ’ ଉତ୍ତରଟିକୁ ପରବର୍ତ୍ତୀ ସମୟରେ ନୀତି ଓ ନିଷ୍ପତ୍ତିରେ ପ୍ରୟୋଗ କରିବା ପାଇଁ ଏକ ପ୍ରକାର ଲାଇସେନ୍ସ ହାସଲ କରିବା । ବେଳେବେଳେ ପରିଣାମ ସମ୍ପର୍କରେ ଅଜ୍ଞାତ ହୋଇ ଜନତା ଦେଇଥିବା ଉତ୍ତରଟି ନୀତି ବା ନିଷ୍ପତ୍ତିରେ ଏପରି ଢଙ୍ଗରେ ପ୍ରୟୋଗ ହୋଇଥାଏ ଯେ ତାହା ଜନତାଙ୍କୁ ଅଡୁଆରେ ପକାଇଥାଏ । ଯେମିତି ୨୦୧୪ ନିର୍ବାଚନ ପୂର୍ବରୁ ରାଲିମାନଙ୍କରେ ମୋଦି ‘କଳାଧନ ଫେରାଇ ଆଣିବା ଉଚିତ କି ଉଚିତ ନୁହେଁ ?’ ବୋଲି ପ୍ରଶ୍ନ ପଚାରୁଥିଲେ ଓ ସ୍ୱାଭାବିକ ଭାବେ, ବୁଝନ୍ତୁ ବା ନ ବୁଝନ୍ତୁ. ଜନତା ‘ଉଚିତ’ ବା ‘ହଁ’ ବୋଲି ଉତ୍ତର ଦେଉଥିଲେ । ଏ ଭଳି ଭାବେ ଲୋକଙ୍କଠାରୁ କ୍ଷମତାପ୍ରାପ୍ତ ହୋଇ କଳାଧନ ଫେରାଇ ଆଣିବାର ଲକ୍ଷ୍ୟ ନେଇ ସେ ବିମୁଦ୍ରାକରଣ ନିଷ୍ପତ୍ତି ନେଲେ । କଳାଧନ ତ କେତେ ଫେରିଲା ତାହା ଦେଶବାସୀଙ୍କୁ ଜଣା, କିନ୍ତୁ କଳାଧନ ଫେରିବା ଲାଗି ‘ହଁ’ ଭରିଥିବାରୁ ସାରା ଦେଶର ଲୋକଙ୍କୁ ସେଥିପାଇଁ ପ୍ରାୟଶ୍ଚିତ ସ୍ୱରୂପ ଲମ୍ବା ଲମ୍ବା ଲାଇନରେ ଠିଆ ହୋଇ କେତେକଙ୍କୁ ଜୀବନ ହାରିବାକୁ ବି ପଡିଲା । ସେମାନେ ‘ହଁ’ କହିଲା ବେଳେ ‘କଳାଧନ’ କଣ ବୋଲି ବୁଝି ନଥିଲେ । ଏହା କେବଳ ଲାଞ୍ଚୁଆ କର୍ମଚାରୀ ଓ ଅସାଧୁ ଧନୀ ବ୍ୟବସାୟୀଙ୍କ ନିକଟରେ ଗଚ୍ଛିତ ଅଛି ଓ ତାହା ଫେରାଇ ଆଣି ଦେଶର ବିକାଶ କାର୍ଯ୍ୟରେ ଲଗାଇବାକୁ ମୋଦି ଆନ୍ତରିକ ଭାବେ ଚାହୁଁଛନ୍ତି ବୋଲି ସେମାନଙ୍କ ଧାରଣା ଥିଲା । ହିସାବ ବହିର୍ଭୁତ ସମସ୍ତ ଉପାର୍ଜନ ତଥା ଅସାଧୁ ଭାବେ ଓ ଅପରାଧ ଦ୍ୱାରା ଅର୍ଜିତ ସମସ୍ତ ଅର୍ଥ ଯେ ‘କଳାଧନ’ ଏ କଥା ସେମାନଙ୍କୁ କେହି ବୁଝାଇ ନଥିଲେ । ଉଦାହରଣ ସ୍ୱରୂପ, ଛୋଟ ବ୍ୟବସାୟୀଟିଏ ତ ଆଉ ରସିଦ ଦେଇ ତା ବେପାର କରୁନାହିଁ । ତେଣୁ ଏହିପରି ଭାବେ ତାଠାରେ ଠୁଳ ହୋଇଥିବା ଲକ୍ଷାଧିକ ଟଙ୍କାର ହିସାବ ଦେବା ତା ପକ୍ଷରେ ଅସୁବିଧାଜନକ ହୋଇ ପଡେ ଓ ତାହା ବି କଳାଧନ ପର୍ଯ୍ୟାୟବାଚୀ । ତେଣୁ ମୋଦିଙ୍କ ପ୍ରଶ୍ନର ‘ହଁ’ରେ ଉତ୍ତର ଦେବା ପୂର୍ବରୁ କଳାଧନ କଣ ବୁଝିବା ପାଇଁ ପାଲଟା ପ୍ରଶ୍ନ ପଚାରିବାର ଥିଲା । କେବଳ ମୋଦି ଓ ବିଜେପି ଦଳର ନେତା ନୁହନ୍ତି ବରଂ ଅଧିକାଂଶ ଦଳର ନେତା ଜନତାଙ୍କ ଭାଗିଦାରୀକୁ ସୁନିଶ୍ଚିତ କରି ସେମାନଙ୍କୁ ବ୍ୟବହାର କରିବା ପାଇଁ ଏହି ଶୈଳୀର ପ୍ରୟୋଗ କରିବାକୁ ପଛାଉ ନାହାନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ରାଲିମାନଙ୍କରେ ରାହୁଲ ଗାନ୍ଧୀ ‘ଚୌକିଦାର?’ କହି ଜନତାଙ୍କ ନିକଟରୁ ‘ଚୋର ହୈ’ ଉତ୍ତର ଆଦାୟ କରିବା ଏହି ଧରଣ ବାର୍ତ୍ତାଳାପର ଅନ୍ୟତମ ଉଦାହରଣ । ଏବେ ସେହିଭଳି ଦିଲ୍ଲୀ ନିର୍ବାଚନରେ ‘ଗୋଲି ମାରୋ’ ସ୍ଳୋଗାନର ବାକିଥିବା ଅଂଶକୁ ଲୋକେ ବଡ ଉତ୍ସାହର ସହିତ ପୂରଣ କରିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଦଳର ଅନେକ ନେତା ‘ଜନତା ଜନାର୍ଦ୍ଦନ’ କହି ସେମାନଙ୍କଠାରୁ ଉତ୍ତର ପଚାରିବା ବି ଏହି ଶୈଳୀର ଆଉ ଏକ ରୂପ । ତେବେ ବଡ ବଡ ରାଲିରେ ଜନତାଙ୍କ ସହ ହେଉଥିବା ଏହି ଧରଣର ବାର୍ତ୍ତାଳାପ ଯେ ଅନ୍ତରଙ୍ଗତା ବା ଆନ୍ତରିକତା ବିବର୍ଜିତ ‘ହାଲୋ’ ‘ହାୟ’ ପର୍ଯ୍ୟାୟବାଚୀ, ତାହା ଜନସାଧାରଣଙ୍କ ବୁଝିବାରେ ଅସୁବିଧା ନାହିଁ ।
ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ଓ ଶାସକ ଜନତାଙ୍କ ନିକଟରେ ଉତ୍ତରଦାୟୀ । ସ୍ୱାଭାବିକ ଭାବେ ଜନତା ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବା କଥା ଆଉ ସେମାନେ ଉତ୍ତର ରଖିବା କଥା । ସୁଶାସନ ପ୍ରତିଷ୍ଠା ପାଇଁ ଜନତାଙ୍କ ମତ ସଂଗ୍ରହ କରିବାରେ ଅସୁବିଧା ନାହିଁ, ତେବେ ତାହା ରାଲି ବା ସଭାରେ ପ୍ରଶ୍ନ ମାଧ୍ୟମରେ ହେବା ସ୍ପୃହଣୀୟ ନୁହେଁ । ସାଧାରଣ ଜନତା ନେତାଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ବ୍ୟଗ୍ରତା ଦେଖାଇଲେ କ୍ରମଶଃ ସେମାନେ ନାଗରିକରୁ ପ୍ରଜା ପାଲଟିବା ଆରମ୍ଭ କରନ୍ତି । ତେଣୁ ଯଥାସମ୍ଭବ ଜନତା ନିଜକୁ ନେତାଙ୍କ ପ୍ରଶ୍ନ ଜାଲରେ ଛନ୍ଦି ହେବାରୁ ବର୍ତିବା ଆବଶ୍ୟକ । ତଥାପି ଜନତାଙ୍କୁ ଏ ଭଳି ପ୍ରଶ୍ନର ସମ୍ମୁଖୀନ ହେବାକୁ ହେଲେ ଉତ୍ତର ‘ହଁ’ କି ‘ନା’ରେ ନ ଦେଇ ପ୍ରଶ୍ନଟିକୁ ଠିକ ରୂପେ ବୁଝିବା ପାଇଁ ପାଲଟା ପ୍ରଶ୍ନ କରିବାକୁ କୁଣ୍ଠା ପ୍ରକାଶ କରିବା ଅନୁଚିତ । କେବଳ ସେତିକି ନୁହେଁ, ଶାସନ ଓ ପ୍ରଶାସନର ପ୍ରତିଟି ଭୁଲ ତ୍ରୁଟି ଦର୍ଶାଇ ନିର୍ଭୟରେ ପ୍ରଶ୍ନ ପଚାରିବାକୁ ଜନତା ଅଭ୍ୟାସରେ ପରିଣତ କଲେ ତାହା ସେମାନଙ୍କୁୁ ସ୍ୱେଚ୍ଛାଚାରୀ ହେବାକୁ ଦେଇ ନଥାଏ ଓ ଗଣତନ୍ତ୍ର ସୁଦୃଢ ହୋଇଥାଏ ।
Published in Sambad on February 27, 2020 under the title 'Eka Tarafa Rajaniti'
Published in Sambad on February 27, 2020 under the title 'Eka Tarafa Rajaniti'
Comments
Post a Comment