Skip to main content

କେନ୍ଦ୍ର ବଜେଟ ଚାଷୀଙ୍କ ହିତରେ କେତେ

ଏ ବର୍ଷ ଅର୍ଥମନ୍ତ୍ରୀଙ୍କ ସୁଦୀର୍ଘ ବଜେଟ ଅଭିଭାଷଣରେ ଚାଷ, ଚାଷୀ ଓ ଗ୍ରାମାଞ୍ଚଳର ଲୋକଙ୍କ ବିକାଶ ଲାଗି ନିଆଯାଉଥିବା ପଦେକ୍ଷପଗୁଡିକର ଅବତାରଣାରେ ଦୀର୍ଘ ସମୟ ବ୍ୟୟିତ ହୋଇଥିଲା । କୃଷି ଓ ଗ୍ରାମାଞ୍ଚଳର ବିକାଶ ଲାଗି ବଜେଟରେ ମୋଟ ୨.୮୩ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଗତ ବର୍ଷ ତୁଳନାରେ ଗ୍ରାମାଞ୍ଚଳ ବିକାଶ ବାବଦ ଆବଣ୍ଟନରେ ୧୮ ପ୍ରତିଶତ ହ୍ରାସ ପାଇ ୧.୨୩ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ କୃଷି ବାବଦରେ ଆବଣ୍ଟନ ପରିମାଣ ସାମାନ୍ୟ ବୃଦ୍ଧି ପାଇ ୧.୬୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତେବେ କୃଷି ପାଇଁ ଆବଣ୍ଟିତ ଅର୍ଥରୁ ପ୍ରାୟ ୧.୧୨ ଲକ୍ଷ କୋଟି ଟଙ୍କା କେବଳ ତିନୋଟି କାର୍ଯ୍ୟକ୍ରମ ( ପିଏମ-କିସାନ -୭୫୦୦୦ କୋଟି, ଫସଲବୀମା – ୨୧୧୭୫ କୋଟି, ସୁଧ ରିହାତି – ୧୫୬୯୫ କୋଟି) ପାଇଁ ଉଦ୍ଦିଷ୍ଟ ଥିବାରୁ ବିଭାଗର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସେଭଳି ଆବଣ୍ଟନ ହୋଇ ପାରିନାହିଁ । ବିଶେଷ କରି ବଜେଟ ଅଭିଭାଷଣରେ ଷୋହଳ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ଏତେ ବେଶି ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ତାହା ବଜେଟ ଆବଣ୍ଟନରେ ସମ ପରିମାଣରେ ପ୍ରତିଫଳିତ ହୋଇନାହିଁ । 
ଷୋହଳ ସୂତ୍ରୀ କାର୍ଯ୍ୟକ୍ରମର ପ୍ରଥମ ସୂତ୍ର ଭାବେ ଚାଷୀମାନଙ୍କୁ ଉପଯୁକ୍ତ ସାର ପ୍ରୟୋଗ, କମ ଜଳ ବ୍ୟବହାର ତଥା ସନ୍ତୁଳିତ ରାସାୟନିକ ସାର ପ୍ରୟୋଗ କରିବା ପାଇଁ ପ୍ରୋତ୍ସାହିତ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏଥିପାଇଁ କେବଳ ଚାଷୀ ନୁହେଁ, ବରଂ ବିଭିନ୍ନ ସାର ଉପରେ ଦିଆଯାଉଥିବା ସରକାରଙ୍କ ଭୁଲ ସବସିଡି ନୀତି ମଧ୍ୟ କିଛି ପରିମାଣରେ ଦାୟୀ । ଉଦାହରଣ ସ୍ୱରୂପ, ବର୍ତ୍ତମାନ ମଧ୍ୟ ୟୁରିଆ ଭଳି ଯବକ୍ଷାରଜାନ ଆଧାରିତ ସାର ଉପରେ ୭୫ ପ୍ରତିଶତ ଯାଏଁ ସବସିଡିର ବ୍ୟବସ୍ଥା ଥିବା ବେଳେ ଫସଫରସ ଓ ପଟାସିଅମ ସାର ଉପରେ ମାତ୍ର ୨୫ ପ୍ରତିଶତ ସବସିଡିର ପ୍ରାବଧାନ ରହିଛି । ଫଳରେ ଚାଷରେ ଅନାବଶ୍ୟକ ଭାବେ ୟୁରିଆର ପ୍ରୟୋଗ ବଢି ଏନପିକେ (ଯବକ୍ଷାରଜାନ, ଫସଫରସ ଓ ପଟାସିଅମ) ସାରର ଭାଗ ମୋଟାମୋଟି ୪:୨:୧ ରହିବା ସ୍ଥାନରେ ଏବେ ଚିନ୍ତାଜନକ ଭାବେ ୬.୭:୨.୪:୧କୁ ବୃଦ୍ଧି ପାଇ ସାରିଲାଣି । ଦ୍ୱିତୀୟ ସୂତ୍ର, ଦେଶର ୧୦୦ଟି ଜଳକ୍ଳିଷ୍ଟ ଜିଲ୍ଲାରେ ଜଳର ଅଭାବ ଦୂର କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଜଳ ଶକ୍ତି ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ, ପାରମ୍ପରିକ ଜଳାଶୟଗୁଡିକର ପୁନରୁଦ୍ଧାର, ଜଳର ପୁନଃ ଉପଯୋଗ, ଜଳ ବିଭାଜିକା ବିକାଶ, ବନ୍ୟିକରଣ ଆଦି ପଦକ୍ଷେପ ଗ୍ରହଣ କରାଯିବ । ବିଗତ ଦଶନ୍ଧିରେ ଦେଶରେ ଯେଉଁ ଉତ୍କଟ ଜଳାଭାବର ସମସ୍ୟା ଦେଖା ଦେଇଛି, ତାକୁ ମୁକାବିଲା କରିବା ପାଇଁ ଏହା ଏକ ସ୍ୱାଗତଯୋଗ୍ୟ ଓ ସମୟୋପଯୋଗୀ ପଦକ୍ଷେପ ହୋଇଥିଲେ ମଧ୍ୟ ଆନ୍ତରିକତାର ସହ ଏହାର କ୍ରିୟାନ୍ୱୟନ ହେଲେ ଯାଇ ଏହାର ସୁଫଳ ମିଳି ପାରିବ । ତୃତୀୟ ସୂତ୍ର, ଚାଷୀଙ୍କ ପଡିଆ ପଡିଥିବା ଜମିରେ ସୌର ଶକ୍ତି ଉତ୍ପାଦନକ୍ଷମ ୟୁନିଟ ପ୍ରତିଷ୍ଠା କରିବା ଦିଗରେ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବ ଯଦ୍ଦ୍ୱାରା ସେମାନେ ବିଦ୍ୟୁତ ବିକ୍ରି କରି ଅଧିକ ଉପାର୍ଜନକ୍ଷମ ହୋଇ ପାରିବେ । ତେବେ ଦେଶର ୮୬ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ସେମାନଙ୍କ ନିକଟରେ ୫ ଏକରରୁ କମ ଜମି ଥିବାରୁ ସେମାନେ ଏହି ଯୋଜନାର ଲାଭାର୍ଥୀ ହୋଇ ପାରିବେ ନାହିଁ । କେବଳ ଉଦବୃତ୍ତ ଜମି ପଡିଆ ପକାଇଥିବା ଅଳ୍ପ ସଂଖ୍ୟକ ବିତ୍ତଶାଳୀ ଚାଷୀ ହୁଏତ ଏ ଭଳି ଯୋଜନାରୁ ଲାଭ ପାଇ ପାରନ୍ତି । ଚତୁର୍ଥ ସୂତ୍ର, ଡିଜେଲ ଓ କିରୋସିନ ଉପରେ ଚାଷୀର ନିର୍ଭରଶୀଳତାକୁ କମାଇବା ପାଇଁ ପିଏମ-କୁସୁମ କାର୍ଯ୍ୟକ୍ରମର ବିସ୍ତାର କରି ସେଥିରେ ୨୦ ଲକ୍ଷ ଚାଷୀଙ୍କୁ ସୌର ପମ୍ପ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ତେବେ ବିକ୍ରି ପରବର୍ତ୍ତୀ ସେବା ଅନୁପଲବ୍ଧତା ତଥା ଅନ୍ୟାନ୍ୟ କାରଣରୁ ଏ ଯାଏଁ ସୌର ପମ୍ପ ଚାଷୀଙ୍କ ଆଦୃତି ଲାଭ କରି ପାରି ନଥିବାରୁ ସେହି ଦିଗଗୁଡିକ ଧ୍ୟାନ ଦେବା ଆବଶ୍ୟକ । ପଞ୍ଚମ ସୂତ୍ର, ନାବାର୍ଡ ଜରିଆରେ ଦେଶରେ ଥିବା ଗୋଦାମ (ଓ୍ଵେଆରହାଉସ), ଶୀତଳଭଣ୍ଡାରଗୁଡିକର ଚିହ୍ନଟ ଓ ଜିଓଟାଗିଂ କରିବାର ଉଦ୍ୟମ କରାଯିବ, ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଫଳରେ ଆବଶ୍ୟକ ସ୍ଥଳେ ନୂଆ ଓ୍ଵେଆରହାଉସ ପ୍ରତିଷ୍ଠା ପାଇଁ ଅର୍ଥ ଯୋଗାଇ ଦିଆ ଯାଇପାରିବ । ବର୍ତ୍ତମାନ ଦେଶରେ ୧୬.୨ କୋଟି ଟନର ଶୀତଳଭଣ୍ଡାର ଓ ରିଫର ଭ୍ୟାନ କ୍ଷମତା ଥିଲେ ମଧ୍ୟ ଅନେକ ଅଞ୍ଚଳରେ ଶୀତଳ ଭଣ୍ଡାର ଅଭାବରୁ ବହୁ ପରିମାଣର କୃଷିଜାତ ଦ୍ରବ୍ୟ ନଷ୍ଟ ହେଉଛି । ଉପରୋକ୍ତ ପଦକ୍ଷେପ ମାଧ୍ୟମରେ ଭଣ୍ଡାର ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇ ପାରିଲେ ତାହା ଚାଷୀଙ୍କ ଉପକାରରେ ଆସିବ । ଏଥି ସହିତ ନିଗୋସିଏବଲ ଓ୍ଵେଆରହାଉସ ରସିଦ ମାଧ୍ୟମରେ ବ୍ୟାଙ୍କ ନିକଟରୁ ବନ୍ଧକ ଋଣ ମିଳିବାର ସୁବିଧା ଥିବାରୁ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବେ ନାହିଁ । ତେବେ ଏହି ଋଣ ବ୍ୟବସ୍ଥା ଦୀର୍ଘ ଦିନ ଧରି ଚାଲୁ ରହିଥିଲେ ମଧ୍ୟ ଏ ଯାଏଁ ସମଗ୍ର ଦେଶରେ ବାର୍ଷିକ ମାତ୍ର ୬୦୦୦ କୋଟି ଟଙ୍କାର ଋଣ ପ୍ରଦାନ ହୋଇପାରିବା ଉଭୟ ଚାଷୀ ଓ ବ୍ୟାଙ୍କମାନଙ୍କ ଏହି ଋଣ ବ୍ୟବସ୍ଥା ପ୍ରତି ଥିବା ଆଗ୍ରହ ଉପରେ ପ୍ରଶ୍ନ ଉଠାଉଛି । ଷଷ୍ଠ ସୂତ୍ର ଭାବେ ଘୋଷିତ ଏସଏଚଜି ମାଧ୍ୟମରେ ଗ୍ରାମ୍ୟ ଭଣ୍ଡାର ଯୋଜନାକୁ କାର୍ଯ୍ୟକାରୀ କରିବା ଫଳପ୍ରଦ ହେବା ସମ୍ଭାବନା କ୍ଷୀଣ । କାରଣ, ପ୍ରାୟ ଦୁଇ ଦଶନ୍ଧି ଧରି ଚାଲୁ ରହିଥିବା କେନ୍ଦ୍ର ସରକାରଙ୍କ ‘ଗ୍ରାମ୍ୟ ଭଣ୍ଡାର ଯୋଜନା’ରେ ଏସଏଚଜିମାନେ ଯୋଗ୍ୟ ଋଣଗ୍ରହୀତା ବିବେଚିତ ହୋଇ ସବସିଡି ପାଇବାକୁ ହକଦାର ହେଉଥିଲେ ମଧ୍ୟ ଗ୍ରାମ୍ୟ ଭଣ୍ଡାର ଯୋଜନା ଏକ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ହୋଇଥିବାରୁ ସେଥିପ୍ରତି ସେମାନେ ଆଗ୍ରହ ପ୍ରଦର୍ଶନ କରିନାହାନ୍ତି । ସପ୍ତମରେ, ଏକ ଅଭିନବ କାର୍ଯ୍ୟକ୍ରମ ଭାବେ ଭାରତୀୟ ରେଳ ସେବା ମାଧ୍ୟମରେ ଦୁଗ୍ଧ ଓ ଅନ୍ୟାନ୍ୟ ଶୀଘ୍ର ପଚି ଯାଉଥିବା ଉତ୍ପାଦର କ୍ଷିପ୍ର ପରିବହନ ପାଇଁ ଶୀତତାପ ନିୟନ୍ତ୍ରିତ ଡବା ସହ ‘କିସାନ ରେଳ’ର ପ୍ରଚଳନ ନିଷ୍ପତ୍ତି ବାସ୍ତବିକ ଏକ ପ୍ରଶଂସନୀୟ ପଦକ୍ଷେପ । ଭବିଷ୍ୟତରେ ବାୟୁସେବା ମାଧ୍ୟମରେ ଅନୁରୂପ ଭାବେ ‘କିସାନ ଉଡାଣ’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ଘୋଷଣା ହୋଇଛି । ଇତି ମଧ୍ୟରେ ଫସଲ କ୍ଷେତ୍ର ତୁଳନାରେ ଉଦ୍ୟାନ କ୍ଷେତ୍ର (ହର୍ଟିକଲଚର)ରେ ଉତ୍ପାଦନ ବୃଦ୍ଧି ପାଇଥିବାରୁ ଅଷ୍ଟମ ସୂତ୍ର ସ୍ୱରୂପ ଉଦ୍ୟାନ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ଦେଶର ପ୍ରତି ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ଉଦ୍ୟାନ ଚାଷକୁ ପ୍ରୋତ୍ସାହିତ କରାଯିବ ଓ ଏଥିପାଇଁ ରାଜ୍ୟ ସରକାରଙ୍କ ସହାୟତା ନିଆଯିବ । ଏହାଦ୍ୱାରା ଉଦ୍ୟାନ କ୍ଷେତ୍ର ମାଧ୍ୟମରେ କୃଷି କ୍ଷେତ୍ରକୁ କ୍ରମଶଃ କମ୍ପାନୀ କବଳିତ କରିବାକୁ ପ୍ରଚେଷ୍ଟା କରାଯାଉଛି ବୋଲି କୃଷି ସଂଗଠନମାନେ ଏହାର ବିରୋଧ କରିବା ଆରମ୍ଭ କରି ସାରିଲେଣି ।

ନବମ ସୂତ୍ର, ବୃଷ୍ଟି-ନିର୍ଭର ଅଞ୍ଚଳମାନଙ୍କରେ ସମନ୍ୱିତ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦେଇ ପଶୁସମ୍ପଦ, ମହୁମାଛି, ସୌରଶକ୍ତି, ଜୈବିକ କୃଷି, ଅଣକୃଷି କ୍ଷେତ୍ରର ଆଦିର ବିକାଶ ଉପରେ ଧ୍ୟାନ ଦିଆଯିବ । ଅବଶ୍ୟ ବୃଷ୍ଟି-ନିର୍ଭର ଅଞ୍ଚଳରେ ଏହି  ପ୍ରଣାଳୀଟି କାର୍ଯ୍ୟକାରୀ କରିବା ଦିଗରେ ଦୀର୍ଘ ଦିନରୁ ପ୍ରୟାସ ହୋଇ ଆସୁଛି । ଦଶମ ସୂତ୍ର ଭାବେ ଅନଲାଇନ ଜୈବିକ ବଜାରର ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାର ସ୍ୱରୂପ କଣ ହେବ ଓ ତାହା ଦ୍ୱାରା ଚାଷୀ କେଉଁ ଭଳି ଲାଭାନ୍ୱିତ ହେବେ ତାହା ହୁଏତ ଭବିଷ୍ୟତରେ ଜଣା ପଡିପାରେ । ଏକାଦଶ ସୂତ୍ର, ୨୦୨୫ ମସିହା ସୁଦ୍ଧା ଦୁଗ୍ଧ ପ୍ରକ୍ରିୟାକରଣକୁ ଦୁଇଗୁଣ କରି ୧୦.୮ କୋଟି ଟନରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଦୁଗ୍ଧ ଉତ୍ପାଦନ ୧୭.୬ କୋଟି ଟନରେ ପହଞ୍ଚି ଥିଲେ ମଧ୍ୟ ଏହାର ସିଂହଭାଗ ପ୍ରକ୍ରିୟାକରଣ ହୋଇ ନ ପାରିବା ପଛରେ ବିଭିନ୍ନ କାରଣ ରହିଛି । ଆଗାମୀ ଦିନମାନଙ୍କରେ ସେହି ସମସ୍ୟାଗୁଡିକୁ ଦୂର କରିବା ପାଇଁ ପଦକ୍ଷେପ ନିଆ ନ ଗଲେ ଦୁଗ୍ଧ ପ୍ରକ୍ରିୟାକରଣର ପରିମାଣକୁ ଦ୍ୱିଗୁଣିତ କରିବା ଏକ ସହଜ ଆହ୍ୱାନ ହେବ ନାହିଁ । ଆଗାମୀ ବର୍ଷ ମତ୍ସ୍ୟ ଉତ୍ପାଦନକୁ ୨୦୦ ଲକ୍ଷ ଟନରେ ପହଞ୍ଚାଇବାର ଲକ୍ଷ୍ୟକୁ ଦ୍ୱାଦଶ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରେ ଦେଶରେ ୧୩୭ ଲକ୍ଷ ଟନର ମତ୍ସ୍ୟ ଉତ୍ପାଦନ ହୋଇଥିଲା । ଏ କଥା ଠିକ ଯେ ଫସଲ ଚାଷ ତୁଳନାରେ ମତ୍ସ୍ୟ କ୍ଷେତ୍ରରେ ବିକାଶ ଦର ଅଧିକ ହୋଇ ୨୦୧୪-୧୫ରେ ୪.୯ ପ୍ରତିଶତରୁ ବଢି ୨୦୧୭-୧୮ରେ ୧୧.୯ ପ୍ରତିଶତ ହୋଇଛି । ତେବେ ବର୍ଷକ ମଧ୍ୟରେ ଉତ୍ପାଦନକୁ ପ୍ରାୟ ୫୦ ଲକ୍ଷ ଟନ ବଢାଇବାର ଲକ୍ଷ୍ୟ ହାସଲ ସହଜ ହୋଇ ନ ପାରେ । ଦେଶରେ କୃଷି ଋଣର ପରିମାଣକୁ ୧୩.୫ ଲକ୍ଷ କୋଟି ଟଙ୍କାରୁ ବଢାଇ ୨୦୨୦-୨୧ରେ ୧୫ ଲକ୍ଷ କୋଟି ଟଙ୍କା କରିବାକୁ ତ୍ରୟୋଦଶ ସୂତ୍ର ଭାବେ ଘୋଷଣା କରାଯାଇଛି । ଫସଲ ଋଣ ମାପକାଠି (ସ୍କେଲ ଅଫ ଫାଇନାନ୍ସ)ରେ ବାର୍ଷିକ ହାରାହାରି ୧୦ ପ୍ରତିଶତ ବୃଦ୍ଧି ହେଉଥିବାରୁ ଓ ଚାଷ ଋଣ ପ୍ରାୟତଃ ନବୀକରଣ ହେଉଥିବାରୁ ସ୍ୱାଭାବିକ ଭାବେ ବ୍ୟାଙ୍କମାନେ ଏହି ଲକ୍ଷ୍ୟ ହାସଲ କରିବା କିଛି ବିଚିତ୍ର ନୁହେଁ । ତେଣୁ କୃଷି ଋଣର ପରିମାଣ ବୃଦ୍ଧି ପାଇବା ଯେତେ ଆବଶ୍ୟକ ତାଠାରୁ ବେଶି ଆବଶ୍ୟକ ଦେଶର ପ୍ରତ୍ୟେକ ଅଞ୍ଚଳରେ, ବିଶେଷ କରି ପୂର୍ବାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳରେ, କୃଷି ଋଣର ଉପଲବ୍‌ଧତା ବଢିବା । ଏଥି ସହ ପ୍ରକୃତ ଚାଷ କରୁଥିବା ଭାଗଚାଷୀମାନେ କିପରି ଅଧିକ ପରିମାଣରେ ବ୍ୟାଙ୍କ ଋଣ ପାଇ ପାରିବେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ, କାରଣ ଦେଶରେ ଭାଗଚାଷୀଙ୍କ ପାଇଁ ପ୍ରଚଳିତ ଜେଏଲଜି ବ୍ୟବସ୍ଥାର ଆଶାନୁରୂପ ବିସ୍ତାର ହୋଇ ପାରିନାହିଁ । ଚତୁର୍ଦ୍ଦଶ ସୂତ୍ର, ଗୋରୁ, ଗାଈ ଓ ମେଣ୍ଢାଙ୍କଠାରେ ଦେଖା ଦେଉଥିବା ନିର୍ଦ୍ଦିଷ୍ଟ କେତୋଟି ରୋଗକୁ ୨୦୨୫ ମସିହା ସୁଦ୍ଧା ନିପାତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପଞ୍ଚଦଶ ସୂତ୍ର, ସାମୁଦ୍ରିକ ବିକାଶର ଅଂଶ ବିଶେଷ ଭାବେ ଶିଉଳି ଓ ସମୁଦ୍ର ଶୈବାଳର ଚାଷକୁ ପ୍ରୋତ୍ସାହିତ କରାଯିବ । ଷୋଡଶ ସୂତ୍ର, ଯୁବକମାନଙ୍କୁ ‘ସାଗର ମିତ୍ର’ ଭାବେ ମତ୍ସ୍ୟ ଚାଷ କ୍ଷେତ୍ରରେ ସାମିଲ କରାଯିବ ଓ ଦେଶରେ ମତ୍ସ୍ୟ ଚାଷୀଙ୍କୁ ନେଇ ୫୦୦ଟି ଚାଷୀ ଉତ୍ପାଦକ ସଂଘ (ଏଫପିଓ) ଗଠନ କରାଯିବ । ଉପରୋକ୍ତ ଷୋହଳ ସୂତ୍ରୀ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେବ ଯେ ଏଥି ମଧ୍ୟରୁ ଅଳ୍ପ କେତୋଟିକୁ ବାଦ ଦେଲେ ଅନ୍ୟ କାର୍ଯ୍ୟକ୍ରମଗୁଡିକ ପୂର୍ବ କିଛି ବର୍ଷ ଧରି ମଧ୍ୟ କାର୍ଯ୍ୟକାରୀ ହୋଇ ଆସୁଛି । ତାଛଡା ଅଧିକାଂଶ କାର୍ଯ୍ୟକ୍ରମର ଲାଭାର୍ଥୀଙ୍କ ସଂଖ୍ୟା ଚାଷୀଙ୍କ ସଂଖ୍ୟାର ଏକ ପ୍ରତିଶତ ମଧ୍ୟ ନୁହେଁ । ତେଣୁ ଏପରି ଯୋଜନାର ଖସଡା ପ୍ରସ୍ତୁତ ହେବା ଆବଶ୍ୟକ ଯେଉଁଥିରେ ଏକକାଳୀନ ଅନେକ ଚାଷୀ ଲାଭାନ୍ୱିତ ହୋଇ ସେମାନଙ୍କ ହାତକୁ ଅର୍ଥ ଯାଇପାରିବ । ତାହାହେଲେ ଯାଇ ଗ୍ରାମାଞ୍ଚଳର ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇ ବଜାର ଚଳଚଞ୍ଚଳ ହେବ ଓ ଅର୍ଥନୀତି ଗତିଶୀଳ ହେବ । ପିଏମ-କିସାନ ସେହିଭଳି ଏକ ଯୋଜନା ହୋଇଥିଲେ ମଧ୍ୟ ଭୂମିହୀନ ଓ ଭାଗଚାଷୀମାନେ ସେଥିରୁ ବାଦ ପଡି ଯାଇଛନ୍ତି ।

ଏ ବର୍ଷ ବଜେଟରେ ଖାଦ୍ୟ ସୁରକ୍ଷା ବାବଦରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)କୁ ହୋଇଥିବା ଆବଣ୍ଟନକୁ ଗତ ବର୍ଷର ୧.୮୪ ଲକ୍ଷ କୋଟି ଟଙ୍କାରୁ ୬୯ ହଜାର କୋଟି ଟଙ୍କା କମାଇ ୧.୧୫ ଲକ୍ଷ କୋଟି ଟଙ୍କା କରି ଦିଆଯାଇଛି । ଫଳରେ ଖାଦ୍ୟଶସ୍ୟ ସଂଗ୍ରହ ପାଇଁ ଆବଶ୍ୟକ ନିଅଣ୍ଟ ଅର୍ଥର ପ୍ରତିପୂର୍ତି ପାଇଁ ଏଫସିଆଇକୁ ନ୍ୟାସନାଲ ସ୍ମଲ ସେଭିଙ୍ଗସ ଫଣ୍ଡରୁ ଅଧିକ ପରିମାଣରେ ଋଣ କରିବାକୁ ହେବ । ତେଣୁ ଏମଏସପିରେ ଖାଦ୍ୟଶସ୍ୟ ସଂଗ୍ରହର ପରିମାଣ କମିବାର ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବନାହିଁ । ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩କୁ ଆଧାର କରି ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଦେଶର ୬୭ ପ୍ରତିଶତ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଏହାକୁ ଆର୍ଥିକ ଦୃଷ୍ଟିରୁ ସମାଜର ତଳ ଭାଗରେ ଥିବା ୨୦ ପ୍ରତିଶତ ଲୋକଙ୍କ ମଧ୍ୟରେ ସୀମିତ ରଖିବା ପାଇଁ ଅର୍ଥନୈତିକ ସମୀକ୍ଷାରେ ପ୍ରସ୍ତାବ ଦିଆଯାଇଛି । ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେଲେ ଖାଦ୍ୟ ବାବଦ ଦିଆଯାଉଥିବା ସବସିଡି ପରିମାଣ ଯଥେଷ୍ଟ ହ୍ରାସ ପାଇବ । ଫଳରେ ଖାଦ୍ୟଶସ୍ୟ ସଂଗ୍ରହ ଆବଶ୍ୟକତା କମି ଏମଏସପିରେ ସଂଗ୍ରହ ପରିମାଣ ମଧ୍ୟ କମିଯିବ । ଏମିତିରେ ଗ୍ରାମାଞ୍ଚଳରେ ଲୋକଙ୍କ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସେତେଟା ସୁଦୃଢ ନୁହେଁ । ତା ଉପରେ ବେକାରୀ ସମସ୍ୟା, ଦୀର୍ଘ ଦିନ ଧରି ମଜୁରୀ ନ ବଢି ସ୍ଥିର ରହିବା, ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧି ପାଇବାରେ ଜର୍ଜରିତ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଖାଦ୍ୟ ସବସିଡି ପରିମାଣ ହ୍ରାସ ପାଇବା ଆଦୌ ଶୁଭ ସମ୍ବାଦ ନୁହେଁ ଓ ଏହା ଖାଦ୍ୟସୁରକ୍ଷା ଓ କୃଷିର ସ୍ଥିତିକୁ ଅଧିକ ଦୁର୍ବଳ କରିବ ।
        
ରାସାୟନିକ ସାର ବାବଦରେ ଦିଆ ଯାଉଥିବା ସବସିଡିକୁ ଏ ବର୍ଷ ବଜେଟରେ ପ୍ରାୟ ୯୦୦୦ କୋଟି ଟଙ୍କା କମାଇ ଦିଆଯାଇଛି । ୨୦୧୯-୨୦ରେ ସାର ସବସିଡି ବାବଦକୁ ବଜେଟରେ ୭୯,୯୯୮ କୋଟି ଟଙ୍କାର ପ୍ରାବଧାନ ଥିଲା ବେଳେ ଏ ବର୍ଷ ତାକୁ ୭୧,୩୦୯ କୋଟି ଟଙ୍କା କରି ଦିଆଯାଇଛି । ଏହାଦ୍ୱାରା ବଜାରରେ ରାସାୟନିକ ସାରର ଉପଲବ୍ଧତା ଯଥେଷ୍ଟ ହ୍ରାସ ପାଇବ । ଫଳରେ ସାର ଦାମ ମଧ୍ୟ ବୃଦ୍ଧି ପାଇ ଚାଷ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇବ । ଆଗାମୀ ବର୍ଷମାନଙ୍କରେ ସାର ଉପରେ ଦିଆଯାଉଥିବା ସବସିଡି ଅଧିକ ହ୍ରାସ ପାଇବାର ଇଙ୍ଗିତ ଏହି ବଜେଟରୁ ମିଳୁଛି । ତାହା ହେଲେ ସାର ଦର ହୁଏତ ଆଉ ନିୟନ୍ତ୍ରିତ ନ ରହି ବଜାର ନିର୍ଦ୍ଧାରିତ ହୋଇ ହୁ ହୁ ବଢିପାରେ । ତେବେ ଚାଷୀଙ୍କୁ ସବସିଡି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ଯୋଗାଇ ଦିଆଯାଇପାରେ । କିନ୍ତୁ ଏ ପରି ହେଲେ ପ୍ରକୃତ ଚାଷ କରୁଥିବା ଭାଗଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବେ । ରାସାୟନିକ ସାର ଉପରେ ସବସିଡି ହ୍ରାସ ପାଇଥିଲେ ମଧ୍ୟ ଅନ୍ୟ ପକ୍ଷରେ ଜୈବିକ ସାର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ସେପରି କୌଣସି ଆଖିଦୃଶିଆ ଆବଣ୍ଟନ ହୋଇନାହିଁ ।

ଗ୍ରାମାଞ୍ଚଳର ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ମହାତ୍ମା ଗାନ୍ଧୀ ନରେଗା ଯୋଜନା ଏକ ବଡ ଭୂମିକା ନିର୍ବାହ କରିଥାଏ । ଏଥିପାଇଁ ୨୦୧୯-୨୦ରେ ୬୦ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଥିଲେ ମଧ୍ୟ ଏହା ଏକ ଚାହିଦା ଆଧାରିତ ଯୋଜନା ହୋଇଥିବାରୁ ବାସ୍ତବ ଆବଶ୍ୟକତାକୁ ଭିତ୍ତି କରି ସଂଶୋଧିତ ବଜେଟରେ ଏହାକୁ ୭୧ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ, ଏ ବର୍ଷ ବଜେଟରେ ଏ ବାବଦ ଆବଣ୍ଟନକୁ ବଢାଇବା ବଦଳରେ ୬୧,୫୦୦ କୋଟି ଟଙ୍କାକୁ କମାଇ ଦିଆଯାଇଛି, ଯାହାର ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇପାରେ ।
     
କେନ୍ଦ୍ର ସରକାର ତିନୋଟି ବିଷୟରେ ତିଆରି କରିଥିବା ମଡେଲ ଆଇନ ଯଥା – ଜମି ଲିଜିଂ (୨୦୧୬), କୃଷି ଉତ୍ପାଦ ଓ ପଶୁସମ୍ପଦ (୨୦୧୭) ଓ କଣ୍ଟ୍ରାକ୍ଟ ଫାର୍ମିଙ୍ଗ (୨୦୧୮)କୁ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବଜେଟରେ ଉପଦେଶ ଦିଆଯାଇଛି । ଦୀର୍ଘ ଦିନ ଧରି ଏହି ମଡେଲ ଆଇନଗୁଡିକ ତିଆରି ହୋଇଥିଲେ ମଧ୍ୟ ସେଗୁଡିକ ଚାଷୀ ସଂଗଠନଗୁଡିକ ଦ୍ୱାରା ବିରୋଧର ସମ୍ମୁଖୀନ ହେଉଥିବାରୁ ସେଗୁଡିକୁ ଲାଗୁ କରିବାକୁ ରାଜ୍ୟମାନେ ଆଗ୍ରହ ପ୍ରଦର୍ଶନ କରିନାହାନ୍ତି । ଏହି ଆଇନଗୁଡିକ ଲାଗୁ ହେଲେ ଚାଷ କ୍ଷେତ୍ର କ୍ରମଶଃ କମ୍ପାନୀମାନଙ୍କ କବଜାକୁ ଚାଲିଯିବ ବୋଲି ସେମାନେ ଆଶଙ୍କିତ । ତା ଛଡା ସେହି ଆଇନଗୁଡିକ ଯଦି ଏତେ ଉପାଦେୟ ତେବେ ବିଜେପି ଏ ଯାଏଁ କାହିଁକି ନିଜ ଶାସିତ ପ୍ରଦେଶଗୁଡିକରେ ସେଗୁଡିକୁ ଲାଗୁ କରିବାକୁ ତତ୍ପରତା ଦେଖାଇ ନାହିଁ ।

ଏହି ବଜେଟରେ ଆଗାମୀ ବର୍ଷମାନଙ୍କରେ ଦେଶର ଆର୍ଥିକ ପରିଚାଳନା କେଉଁ ଦିଗକୁ ମୁହାଁଉଛି ସେ ନେଇ  ମଧ୍ୟ କିଛିଟା ଇଙ୍ଗିତ ମିଳୁଛି । ଯେପରି ୨୦୧୯-୨୦ ବଜେଟରେ ସବସିଡି-ଜିଡିପି ପ୍ରତିଶତ ୧.୧ ପ୍ରତିଶତକୁ କମ କରାଯାଇଥିବା ବେଳେ, ୨୦୨୦-୨୧ରେ ଏହାକୁ ୧ ପ୍ରତିଶତକୁ କମାଇ ଦିଆଯାଇଛି । ୨୦୨୨-୨୩ ସୁଦ୍ଧା ଏହାକୁ ୦.୯ ପ୍ରତିଶତକୁ ହ୍ରାସ କରିବାର ଲକ୍ଷ୍ୟ ଥିବାର ସୂଚନା ମିଳୁଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆଗାମୀ ବର୍ଷମାନଙ୍କରେ ଖାଦ୍ୟ ଓ ରାସାୟନିକ ସାର ଉପରେ ସବସିଡି ହ୍ରାସ ପାଇବ । ଏହାର ଚାଷୀ ଓ ଗ୍ରାମାଞ୍ଚଳର ଲୋକଙ୍କ ଅର୍ଥନୈତିକ ଅବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିବ । ତେଣୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥ ପ୍ରତି ଅଧିକ ସମ୍ବେଦନଶୀଳ ହେବେ ବୋଲି ଆଶା କରାଯାଉଥିବା ବେଳେ ଜନମତ ମଧ୍ୟ ସେହି ଦିଗରେ ତୀବ୍ର ହେବା ଆବଶ୍ୟକ ।

Published in Samaddrushti on February 16, 2020

Comments

  1. ପୁଙ୍ଖାନୁପୁଙ୍ଖ ବିବରଣ ସୁନ୍ଦର ବ୍ୟାଖ୍ୟାନ ଜରିଆରେ । ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ , ଭାଇ ।

    ReplyDelete
    Replies
    1. ଲେଖାଟି ଭଲ ଲାଗିଥିବାରୁ ଧନ୍ୟବାଦ, ସଞ୍ଜିବ l

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍