ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସମୀକ୍ଷାର ବିଷୟବସ୍ତୁ ହେଉଛି ‘ସମ୍ପତ୍ତି ସୃଷ୍ଟି’ ଓ ଏହା ମାଧ୍ୟମରେ ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ଦଶଟି ନୂଆ ବିଚାରର ଅବତାରଣା କରାଯାଇଛି, ତାହା ତର୍ଜମାର ଅପେକ୍ଷା ରଖେ ।
ପ୍ରଥମ, ସମ୍ପତ୍ତି ସୃଷ୍ଟି ହେବାରେ ସମସ୍ତଙ୍କର ଲାଭ ହୋଇଥାଏ । ଦେଶରେ ସମସ୍ତଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ଲାଗି ପ୍ରଥମେ ଅଧିକରୁ ଅଧିକ ସମ୍ପତ୍ତି ସୃଷ୍ଟି ହେବା ଆବଶ୍ୟକ । ବାସ୍ତବିକ ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ‘ସମ୍ପତ୍ତି ସୃଷ୍ଟି’ର ଏକ ଗୁଣକ ପ୍ରଭାବ (ମଲଟିପ୍ଲାୟର ଇଫେକ୍ଟ) ପରିଲକ୍ଷିତ ହୋଇଥାଏ । କିନ୍ତୁ ପରିତାପର ବିଷୟ ଭାରତରେ ସମ୍ପତ୍ତି ସୃଷ୍ଟିକାରୀଙ୍କୁ ଭଲ ଦୃଷ୍ଟିରେ ଦେଖାଯାଇ ନଥାଏ । ସେମାନଙ୍କୁ ସମ୍ପତ୍ତି ଠୁଳକାରୀ ‘ଶୋଷକ ବର୍ଗ’ର ବୋଲି ଚିତ୍ରିତ କରାଯାଇଥାଏ ଓ ସମାଜର ଏକ ବଡ ବର୍ଗ ସେମାନଙ୍କୁ ଆନ୍ତରିକ ଭାବେ ଗ୍ରହଣ କରି ପାରି ନଥାଏ । ସମ୍ପତ୍ତି ସୃଷ୍ଟିକାରୀଙ୍କ ପ୍ରତି ଏହି ନକାରାତ୍ମକ ମନୋଭାବ ଉଦ୍ୟୋଗୀ ସୃଷ୍ଟି କରିବାରେ ବାଧକ ସାଜୁଥିବାରୁ ସମ୍ପତ୍ତି ସୃଷ୍ଟିକାରୀଙ୍କୁ ସମ୍ମାନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଦ୍ୱିତୀୟ, ବଜାର ଅର୍ଥନୀତିର ଅଦୃଶ୍ୟ ହାତ ସମ୍ପତ୍ତି ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତେଣୁ ଏହା ଦ୍ୱାରା ମିଳି ପାରୁଥିବା ସୁଫଳ ପ୍ରତି ଆଶଙ୍କା ବ୍ୟକ୍ତ ନ କରି ଉଭୟ ଅର୍ଥନୈତିକ ବିଚାର ଓ ନୀତି ନିର୍ଦ୍ଧାରଣରେ ଏହାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଅର୍ଥାତ୍, ବଜାରକୁ ଅଧିକ ଉନ୍ମୁକ୍ତ କରିବା ପାଇଁ ପଦକ୍ଷେପ ନେବା ଦରକାର । ତୃତୀୟ, ସର୍ବସାଧାରଣଙ୍କ ଭଲ ପାଇଁ ଦେଶର ଅର୍ଥନୀତି ସମସ୍ତଙ୍କ ଆସ୍ଥାଭାଜନ ହେବା ଆବଶ୍ୟକ । ‘ଆସ୍ଥା’ର ବ୍ୟବହାର ଯେତେ ଅଧିକ ହୋଇଥାଏ, ତାହା କ୍ଷୟ ନ ହୋଇ ବୃଦ୍ଧି ପାଇଥାଏ । ନିଜ ଅନ୍ତରଙ୍ଗଙ୍କ ସ୍ୱାର୍ଥ (ପ୍ରୋ-କ୍ରନି)କୁ ସୁରକ୍ଷା ଦେଲା ଭଳି ନୀତି ପ୍ରଣୟନ ହେବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଭ୍ରଷ୍ଟାଚାର ବୃଦ୍ଧି ପାଇ ଦେଶର ଛବି ନଷ୍ଟ ହୋଇଥାଏ ଓ ଦେଶର ଅର୍ଥନୈତିକ ବ୍ୟବସ୍ଥା ପ୍ରତି ବିଶ୍ୱାସ ସଙ୍କଟ ଦେଖା ଦେଇଥାଏ । ଚତୁର୍ଥ, ତୃଣମୂଳ ସ୍ତରର ଉଦ୍ୟୋଗୀମାନେ ହିଁ ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଥାନ୍ତି । ତେଣୁ ଦେଶର ପ୍ରତିଟି ଜିଲ୍ଲାରେ ଉଦ୍ୟୋଗୀ ସୃଷ୍ଟି ହେବା ଆବଶ୍ୟକ । ଏଣିକି ଉଦ୍ୟୋଗୀ ସୃଷ୍ଟି ମାଧ୍ୟମରେ ଜିଲ୍ଲାଗୁଡିକୁ ନୂଆ ଶିଳ୍ପ ପ୍ରତିଷ୍ଠାର କେନ୍ଦ୍ରସ୍ଥଳୀ କରିବାର ଆବଶ୍ୟକତା ରହିଛି ।
ପଞ୍ଚମ, ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ହେଲେ ଏକ ବ୍ୟବସାୟ-ପ୍ରୋତ୍ସ।।ହକ (ପ୍ରୋ-ବିଜନେସ) ନୀତି ପ୍ରଣୟନ ଉପରେ ଗୁରୁତ୍ୱ ଦେବା । ଏହା ପ୍ରକୃତ ପକ୍ଷେ ବଜାରରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ, ଯଦ୍ଦ୍ୱାରା ଅଧିକ ସମ୍ପତ୍ତି ସୃଷ୍ଟି ହୋଇପାରିଥାଏ । ଷଷ୍ଠତଃ, ବ୍ୟବସାୟରେ ସରକାରୀ ହସ୍ତକ୍ଷେପକୁ ଦୂର କରିବାକୁ ହେବ । ଏଥିପାଇଁ ସବୁ ପୁରୁଣା ଅଦରକାରୀ ଆଇନକୁ ମଧ୍ୟ ହଟାଇବା ଆବଶ୍ୟକ । ଏମିତିରେ ତ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ରହିଛି । ପୁଣି ଦରକାର ଥାଉ କି ନଥାଉ, ଅନେକ ସମୟରେ ସରକାର ବ୍ୟବସାୟ ଉପରେ, କଟକଣା ଜାରି ମାଧ୍ୟମରେ ହେଉ ବା ଅନ୍ୟ ପ୍ରକାରେ, ହସ୍ତକ୍ଷେପ କରିବାକୁ ପଛାଇ ନଥାନ୍ତି । କେବଳ ସେତିକି ନୁହେଁ, ବ୍ୟବସାୟକୁ ସରକାରୀ ନିୟନ୍ତ୍ରଣମୁକ୍ତ କରାଯାଇ ଘରୋଇକରଣ କରାଗଲେ ସେଗୁଡିକର କାର୍ଯ୍ୟ ଦକ୍ଷତା ବଢୁଥିବାରୁ ସରକାର ସେଥି ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ।
ସପ୍ତମ, ଦେଶରେ ନିଯୁକ୍ତି ସୁଯୋଗ ଅଧିକ କରିବାକୁ ହେଲେ ଶ୍ରମ-ନିବିଡ (ଲେବର ଇଣ୍ଟେନସିଭ) ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇ ଏକତ୍ରିକରଣ (ଆସେମ୍ବ୍ଲିଙ୍ଗ) ଶିଳ୍ପ ମାଧ୍ୟମରେ ରପ୍ତାନୀକୁ ବଢାଇବାକୁ ହେବ । ଏଥିପାଇଁ ‘ମେକ ଇନ ଇଣ୍ଡିଆ’ ସହ ‘ବିଶ୍ୱ ପାଇଁ ଭାରତରେ ଯୋଡିବା’ (ଆସେମ୍ବ୍ଲିଙ୍ଗ ଇନ ଇଣ୍ଡିଆ ଫର ଦି ଓାର୍ଲଡ) କୌଶଳକୁ ଆପଣାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଦେଶରୁ ଉପକରଣମାନ ଆଣି ଭାରତରେ ଉପଲବ୍ଧ ସୁଲଭ ଶ୍ରମବଳର ବିନିଯୋଗରେ ସାରା ବିଶ୍ୱ ପାଇଁ ସାମଗ୍ରୀ ଉତ୍ପାଦନ କରି ରପ୍ତାନୀ କରାଯାଇ ପାରିଲେ ତାହା ଦେଶରେ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସମର୍ଥ ହେବ ବୋଲି ବିଶ୍ୱାସ ବ୍ୟକ୍ତ ହୋଇଛି ।
ଅଷ୍ଟମ, ଭାରତରେ ବ୍ୟବସାୟ କରିବାର ସୁଗମତା (ଇଜ ଅଫ ଡୁଇଂ ବିଜନେସ)କୁ ଅଧିକ ଆକର୍ଷକ କରିବାକୁ ହେବ । ୨୦୧୪ ମସିହାରେ ଇଜ ଅଫ ଡୁଇଂ ବିଜନେସ ତାଲିକାରେ ଭାରତ ୧୪୨ତମ ସ୍ଥାନରେ ଥିବା ବେଳେ ତାହା ୨୦୧୯ ମସିହାରେ ୬୩ତମ ସ୍ଥାନକୁ ଉନ୍ନୀତ ହୋଇପାରିଛି । ତେବେ ବ୍ୟବସାୟ କରିବାର ପ୍ରକ୍ରିୟାକୁ ଆହୁରି ସରଳ କରିବାର ଆବଶ୍ୟକତା ରହିଛି । ବିଶେଷ କରି ଏଠାରେ ଜଣେ ଉଦ୍ୟମୀକୁ ଏବେ ମଧ୍ୟ ବ୍ୟବସାୟଟିଏ ଆରମ୍ଭ କରିବାଠାରୁ ସମ୍ପତ୍ତି ପଂଞ୍ଜିକରଣ, ଟିକସ ପ୍ରଦାନ, ଚୁକ୍ତି ପ୍ରବର୍ତ୍ତନ ଭଳି କ୍ଷେତ୍ରମାନଙ୍କରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହୋଇଥାଏ । ତେଣୁ ଭାରତକୁ ଉପରୋକ୍ତ ତାଲିକାର ଉପର ପଚାଶଟି ସ୍ଥାନ ମଧ୍ୟରେ ରଖିବା ଲାଗି ନିରନ୍ତର ଉଦ୍ୟମର ଆବଶ୍ୟକତା ରହିଛି ।
ନବମ, ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଗତିଶୀଳ ଓ ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି କାରଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଏକ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ହେଉଛି ପ୍ରଥମ ଆବଶ୍ୟକତା । ଦେଶରେ ଆନୁପାତିକ ଦୃଷ୍ଟିରୁ ଜିଡିପିର ବିକାଶ ତୁଳନାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମୃଦ୍ଧ ହୋଇନାହିଁ । ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ୧୦୦ଟି ବ୍ୟାଙ୍କ ମଧ୍ୟରେ ଭାରତରୁ ମାତ୍ର ଗୋଟିଏ ବ୍ୟାଙ୍କ ସ୍ଥାନିତ । ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ହେଲେ ଅନ୍ତତଃ ପକ୍ଷେ ୮ଟି ବ୍ୟାଙ୍କ ଏହି ତାଲିକାରେ ରହିବା ଆବଶ୍ୟକ । ଦେଶର ଅର୍ଥନାତି ସହ ତାଳ ଦେଇ ବ୍ୟାଙ୍କ ବ୍ୟବସ୍ଥାକୁ ସମୃଦ୍ଧ ହେବାକୁ ହେଲେ ବ୍ୟାଙ୍କର କାର୍ଯ୍ୟଶୈଳୀରେ ଆନାଲିଟିକସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମ୍ୟାସିନ ଲାର୍ଣ୍ଣିଙ୍ଗ ଆଦିକୁ ସ୍ଥାନ ଦେବାକୁ ହେବ ।
ଶେଷରେ ଦେଶର ଅର୍ଥନୀତିକୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ସହ ଯୋଡିବା ଉଦ୍ଦେଶ୍ୟରେ ‘ଥାଳି ଅର୍ଥନୀତି’ (ଥାଲିନୋମିକସ)କୁ ଗୁରୁତ୍ୱ ଦିଆଯିବା କଥା ଉଲ୍ଲେଖ ରହିଛି । ଅର୍ଥାତ୍, ଅର୍ଥନୀତିରେ ଯାହା କିଛି କରଣୀୟ ତାହା ଜଣେ ସାଧାରଣ ଲୋକର ଥାଳିରେ ଥିବା ଖାଦ୍ୟର ଦରକୁ କେତେ ପ୍ରଭାବିତ କରୁଛି ତାକୁ ଧ୍ୟାନରେ ରଖି କରାଯିବା ଆବଶ୍ୟକ ।
୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣ କରିବାର ଲକ୍ଷ୍ୟ ଘୋଷଣା ହୋଇଥିଲେ ମଧ୍ୟ ଅର୍ଥନୈତିକ ସମୀକ୍ଷାରେ ଖାଦ୍ୟ ପ୍ରକ୍ରିୟାକରଣ ଓ ଭଣ୍ଡାରୀକରଣ ବ୍ୟତୀତ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ବିଶେଷ କିଛି ଉଲ୍ଲେଖ ନାହିଁ । ଅର୍ଥନୈତିକ ସମୀକ୍ଷାରେ ବର୍ଣ୍ଣିତ ଉପରୋକ୍ତ ବିଚାରଗୁଡିକ ମଧ୍ୟରୁ ଗୋଟିଏ ଦୁଇଟି ଏ ବର୍ଷର ବଜେଟରେ ପ୍ରତିଫଳିତ ହୋଇଛି । ଯେପରି ଏଲଆଇସି ଭଳି ସରକାରୀ ଉଦ୍ୟୋଗରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ନିର୍ଣ୍ଣୟ । ତେବେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଟେଲିକମ ଯନ୍ତ୍ରାଂଶ, ମୋବାଇଲ ଫୋନ ଭଳି ୬ଟି ନେଟଓାର୍କ ପ୍ରଡକ୍ଟ କ୍ଷେତ୍ର ଉପରେ ଅର୍ଥନୈତିକ ସମୀକ୍ଷା ପ୍ରଦାନ କରିଥିବା ଗୁରୁତ୍ୱ ବଜେଟରେ ପ୍ରତିଫଳିତ ହୋଇନାହିଁ । ସମ୍ପତ୍ତି ସୃଷ୍ଟି ଉପରେ ଜୋର ଦେଇ ଅର୍ଥନୈତିକ ସମୀକ୍ଷାରେ ଉଲ୍ଲିଖିତ ନୂଆ ବିଚାରଗୁଡିକ ଆଗାମୀ ଦିନମାନଙ୍କରେ ସରକାରଙ୍କ ନୀତି ଓ ବଜେଟରେ ପ୍ରତିଫଳିତ ହେବ ବୋଲି ଆଶା କରାଯାଏ ।
Published in Odisha Reporter on February 13, 2020
Published in Odisha Reporter on February 13, 2020
Comments
Post a Comment