କୋଲକାତାର ଫୋର୍ଟ ଉଇଲିୟମ କଲେଜର ଲାଇବ୍ରେରିଆନ ମୋହନ ପ୍ରସାଦ ଠାକୁରଙ୍କ
ଦ୍ଵାରା ୧୮୧୧ ମସିହାରେ ରଚିତ ‘ଭୋକାବୁଲାରି ଅଫ ଓଡିଆ ଆଣ୍ଡ ଇଂଲିସ ଫର ଦି ୟୁଜ ଅଫ ଷ୍ଟୁଡେଣ୍ଟସ’
ହେଉଛି ଓଡିଆ ଭାଷାରେ ପ୍ରଥମ ଅଭିଧାନ ଯେଉଁଥିରେ ୪୨୪୬ଟି ଶବ୍ଦ ଥିଲା l ଏହି ଅଭିଧାନଟି ପରବର୍ତ୍ତୀ
ସଂକଳକମାନଙ୍କୁ ଓଡିଆରେ ଅଭିଧାନ ପ୍ରସ୍ତୁତ କରିବା ପାଇଁ ପ୍ରେରଣା ଦେଇଥିଲା l ଏ ଯାବତ ୧୧୩ଟି ଓଡିଆରୁ
ଓଡିଆ ଅଭିଧାନ ପ୍ରକାଶିତ ହୋଇସାରିଛି l ତନ୍ମଧ୍ୟରୁ ପ୍ରମୁଖ କେତୋଟି ଅଭିଧାନ ହେଲା, ଏମସ ସଟନ ଓ
ଭୁବନାନନ୍ଦ ନ୍ୟାୟାଳଙ୍କାରଙ୍କ ରଚିତ ‘ଏନ ଓଡିଆ ଡିକସନାରୀ ଇନ ଥ୍ରି ଭଲ୍ୟୁମସ’ (୧୮୪୧-୪୩), ଚତୁର୍ଭୁଜ
ପଟ୍ଟନାୟକ ଓ ଶିବନାରାୟଣ ନାୟକଙ୍କ ରଚିତ ଓ ବାଲେଶ୍ଵରରୁ ପ୍ରକାଶିତ ‘ଶବ୍ଦନିଧି’ (୧୮୮୩), ଜଗନ୍ନାଥ
ରାଓଙ୍କ ରଚିତ ‘ଉତ୍କଳ ଅଭିଧାନ’ (୧୮୯୧), ମଧୁସୂଦନ ରାଓଙ୍କ ରଚିତ ‘ସୁଖବୋଧ ଅଭିଧାନ’ (୧୯୧୨), ମୃତ୍ୟୁଞ୍ଜୟ
ରଥଙ୍କ ରଚିତ ‘ମୂଳ ଶବ୍ଦବୋଧ ବୋଧିନୀ’ (୧୯୧୪), ଗୋପୀନାଥ ନନ୍ଦଶର୍ମାଙ୍କ ରଚିତ ‘ଶବ୍ଦତତ୍ତ୍ଵବୋଧ
ଅଭିଧାନ’ (୧୯୧୬), ଦାମୋଦର ମିଶ୍ର ଓ ପ୍ରମୋଦ ଚନ୍ଦ୍ର ଦେବଙ୍କ ରଚିତ ‘ପ୍ରମୋଦ ଅଭିଧାନ’ (୧୯୪୨),
କୃଷ୍ଣଚନ୍ଦ୍ର କରଙ୍କ ରଚିତ ‘ତରୁଣ ଶବ୍ଦକୋଷ’ ଇତ୍ୟାଦି l ତେବେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ
‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’କୁ ସର୍ବଶ୍ରେଷ୍ଠ ଓ ବ୍ୟାପକ ଅଭିଧାନ ଭାବେ ଗ୍ରହଣ କରାଯାଇଥାଏ l ସାତ
ଖଣ୍ଡ ବିଶିଷ୍ଟ ଏହି ଅଭିଧାନରେ ୧,୮୫,୦୦୦ ଶବ୍ଦ ସନ୍ନିବେଶିତ ହୋଇଛି l ଏ ସମସ୍ତ ଅଭିଧାନର ସଂକଳକଙ୍କ
ନିଃସ୍ଵାର୍ଥପର ଉଦ୍ୟମ ପାଇଁ ସେମାନେ ଆମର ଚିର ନମସ୍ୟ l ତେବେ ସେମାନଙ୍କ ଶତ ଚେଷ୍ଟା ସତ୍ତ୍ଵେ ସେତେବେଳର
ଗମନାଗମନ ଓ ଯୋଗାଯୋଗର ଅସୁବିଧା କାରଣରୁ ହୁଏତ ବିଭିନ୍ନ ଅଞ୍ଚଳର ଅନେକ ପ୍ରଚଳିତ ଶବ୍ଦ ଅଭିଧାନର
ବାହାରେ ରହିଯାଇ ଥାଇପାରେ l ପରବର୍ତ୍ତୀ ସମୟରେ କେହି କେହି ଅଭିଧାନ ବହିର୍ଭୁତ ଏହି ଶବ୍ଦଗୁଡିକର
ପ୍ରୟୋଗ ପାଇଁ ଦଣ୍ଡିତ/ ଅପମାନିତ ହୋଇଥିବାର ଦୃଷ୍ଟାନ୍ତମାନ ରହିଛି l ପରୀକ୍ଷାରେ ଛାତ୍ରଟିଏ ‘ବାଳକ’
ନ ଲେଖି ‘ବାଲକ’ ଲେଖିଥିବାରୁ ଶିକ୍ଷକଙ୍କଠାରୁ ନମ୍ବର ପାଇ ନଥାଇ ପାରେ, କାରଣ ଅଭିଧାନରେ ‘ବାଲକ’
ଶବ୍ଦ ନାହିଁ l ଅଭିଧାନରେ ଉଭୟ ‘ବାଳକ’ ଓ ‘ବାଲକ’ ଶବ୍ଦ ରହିବାରେ ଅସୁବିଧା କେଉଁଠି ? ଏହା ନ ହେବା
ଦ୍ଵାରା ସେମାନଙ୍କଠାରେ କ୍ଷୋଭ ବା ବିଦ୍ଵେଷ ସୃଷ୍ଟି ହେବା କିଛି ବିଚିତ୍ର ନୁହେଁ l ‘ମୁଁ କହୁଥିବା
ଭାଷାଟି ଯଦି ଓଡିଆ ନୁହେଁ, ତେବେ ମୁଁ ବି ଓଡିଆ ନୁହେଁ, ମୁଁ ଅଲଗା’ ଭାବନାଟି ପ୍ରଥମେ ଅଭିମାନରୁ
ଜାତ ହୋଇ କ୍ରମଶଃ ବିଚ୍ଛିନ୍ନତାର ଦାବି ଆଡକୁ ଅଗ୍ରସର ହେଉଛି l ଏ ପରିପ୍ରେକ୍ଷୀରେ ଭିନ୍ନ ଏକ ଅଭିଧାନ
ଓଡିଶାକୁ ବାନ୍ଧି ରଖି ପାରିବାକୁ ସମର୍ଥ ହେବ କି ତାହା ଗମ୍ଭୀରତାର ସହ ଚିନ୍ତା କରିବାର ସମୟ ଉପନୀତ
l
କୁହାଯାଏ ‘ଦେଶକେ ଫାଙ୍କ ନଈ କେ ବାଙ୍କ’ l ନଦୀ ଯେପରି କିଛି ଦୂରତା ଅତିକ୍ରମ
କଲା ପରେ ଦିଗ ପରିବର୍ତ୍ତନ କରିଥାଏ, ଠିକ୍ ସେହିପରି ଅଳ୍ପ ଦୂରତା ପରେ ଭାଷାରେ ମଧ୍ୟ ପରିବର୍ତ୍ତନ
ଦେଖା ଦେଇଥାଏ l ଏହା ସବୁ ଭାଷା ପାଇଁ ପ୍ରଯୁଜ୍ୟ l ତେବେ ଏକ ନିର୍ଦ୍ଦିଷ୍ଟ ଭାଷାର ଲିଖିତ ଭାଷାକୁ
ସେହି ଭାଷାର ମାନକ ଭାଷା ରୂପେ ଗ୍ରହଣ କରାଯାଉଥିଲେ ମଧ୍ୟ ସେହି ଭାଷାର ବିଭିନ୍ନ କଥିତ ପ୍ରାରୂପରୁ
ଯେତେ ଅଧିକ ଶବ୍ଦ ଆହରଣ ହୋଇ ପ୍ରୟୋଗରେ ଆସିଥାଏ ସେହି ଭାଷା ସେତେ ଅଧିକ ସମୃଦ୍ଧ ହୋଇଥାଏ l ଇଂରାଜୀ
ଭଳି ଆନ୍ତର୍ଜାତିକ ଭାଷା ହେଉ ଅବା ହିନ୍ଦୀ ଭଳି ଭାରତୀୟ ଭାଷା ଅଧିକ ଆଦୃତି ଲାଭ କରିବାର ଅନ୍ୟତମ
କାରଣ ହେଉଛି ଏଗୁଡିକୁ ଅଧିକ ସମାବେଶୀ କରିବା ପାଇଁ ସମ୍ପୃକ୍ତ ଭାଷାର ଭାଷାବିଦମାନଙ୍କର ଆନ୍ତରିକ
ଉଦ୍ୟମ l କେବଳ କଥିତ ଭାଷାକୁ ଆଦରିବାରେ ସୀମିତ ନ ରହି, ବରଂ ଅନ୍ୟ
ଭାଷାରୁ ଶବ୍ଦ ସଂଗ୍ରହ କରି ନିଜ ଭାଷାକୁ ସମୃଦ୍ଧ କରିବାରେ ଏମାନେ କୁଣ୍ଠାବୋଧ କରି ନଥାନ୍ତି l ଅବଧି,
ବ୍ରଜ, ଭୋଜପୁରୀ, ମଗଧୀ, ରାଜସ୍ଥାନୀ, ଖରିବୋଲି, ହରିୟାନ୍ଵି, ଛତିଶଗଡୀ ଆଦି ହିନ୍ଦୀର ଅନେକ ପ୍ରକାର
କଥିତ ରୂପ ଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର କଥିତ ହିନ୍ଦୀ ଭାଷାକୁ ମାନକ ହିନ୍ଦୀ ଭାବେ
ଗ୍ରହଣ କରି ହେବନାହିଁ l ଠିକ ସେହିପରି କୌଣସି ଅଞ୍ଚଳର କଥିତ ଓଡିଆକୁ ମାନକ ଓଡିଆ ବୋଲି କହି ହେବନାହିଁ,
କାରଣ ପ୍ରତ୍ୟେକ ଅଞ୍ଚଳର କଥିତ ଭାଷା ବା ଉପଭାଷାରେ କିଛି ନା କିଛି ବିଶେଷତ୍ଵ ଥାଏ ଓ ଏଗୁଡିକ ସାମଗ୍ରିକ
ଭାବେ ଓଡିଆ ଭାଷାକୁ ଋଦ୍ଧିମାନ କରିଥାନ୍ତି l ମିଦନାପୁରୀ ଓଡିଆ, ସିଂହଭୂମୀ ଓଡିଆ, ଗଞ୍ଜାମୀ ଓଡିଆ,
ଲରିଆ, ରେଲି, କୁପିଆ ଆଦି ଓଡିଆ ଉପଭାଷାମାନଙ୍କରେ ବଙ୍ଗଳା, ହିନ୍ଦୀ ଓ ତେଲୁଗୁର ପ୍ରଭାବ କିଛିଟା
ପରିଲକ୍ଷିତ ହେଉଥିବା ବେଳେ ଛତିଶଗଡର ଅବିଭକ୍ତ ବସ୍ତର ଜିଲ୍ଲାରେ ହଲବି ନାମକ ଅନ୍ୟ ଏକ ଓଡିଆ ଉପଭାଷା
ପ୍ରଚଳିତ ଯାହା ମରାଠୀ ଭାଷା ଦ୍ଵାରା ପ୍ରଭାବିତ l ଆମେ ସେମାନଙ୍କଠାରୁ ଦୂରେଇ ରହିବା ଯୋଗୁ ବା ସେମାନଙ୍କୁ
ଓଡିଆ ବୋଲି ଗ୍ରହଣ କରୁ ନଥିବାରୁ ସେମାନେ ମଧ୍ୟ କ୍ରମଶଃ ନିଜକୁ ଓଡିଆ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ
କରୁଛନ୍ତି l ଏହି ସବୁ ଉପଭାଷାରେ ପ୍ରୟୋଗରେ ଥିବା ଅନେକ ମୂଲ୍ୟବାନ ଶବ୍ଦ ଓଡିଆ ଅଭିଧାନରେ ସ୍ଥାନ
ପାଇଲେ କ୍ଷତି କଣ l ସେହିପରି ବରଗଡ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଜିଲ୍ଲାର ବୁଣାକାରମାନଙ୍କ
ଦ୍ଵାରା ବ୍ୟବହାର ହେଉଥିବା ଭୁଲିଆ ଉପଭାଷାର ଶବ୍ଦାବଳୀକୁ
ମଧ୍ୟ ଅନୁଧ୍ୟାନ କରାଯାଇ ପାରେ l ବିଭିନ୍ନ ଅଞ୍ଚଳରେ କଥିତ ଭାଷାରେ ବ୍ୟବହାର ହେଉଥିବା ଓ ଲିଖିତ
ଓଡିଆରେ ପ୍ରୟୋଗରେ ନଥିବା ଏମିତି ଅନେକ ଶବ୍ଦ ରହିଛି, ଯାହା ପ୍ରୟୋଗରେ ଆସିଲେ ଓଡିଆ ଭାଷା ଅଧିକ
ସମୃଦ୍ଧ ହୁଅନ୍ତା l ଉଦାହରଣ ସ୍ଵରୂପ ପଲାସା ଭଳି ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ‘ଶଳାର ଶଳା’
ସମ୍ପର୍କ ପାଇଁ ‘ଆପଣେ’ ଭଳି ଏକ ମାର୍ଜିତ ଶବ୍ଦର ପ୍ରୟୋଗ ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ
ଏଥିପାଇଁ ‘ହୀନଶଳା’ ଶବ୍ଦର ପ୍ରୟୋଗ ହେବା ଦେଖିବାକୁ ମିଳେ l ଅନ୍ୟ ଅନେକ ଅଞ୍ଚଳରେ ଏଥିପାଇଁ କୌଣସି
ଶବ୍ଦ ନ ଥିବାରୁ ଆପଣେ ଶବ୍ଦକୁ ଅଭିଧାନ ଭତରକୁ ଆଣିଲେ କ୍ରମଶଃ ତାହା ଅନ୍ୟମାନଙ୍କ ଦ୍ଵାରା ପ୍ରୟୋଗରେ
ଆସି ପାରନ୍ତା l ତେଣୁ ସମୟ ଆସିଛି ଓଡିଶାର ବିଭିନ୍ନ ଅଞ୍ଚଳ ଓ ଅନ୍ୟତ୍ର ବ୍ୟବହାର ହେଉଥିବା ଓଡିଆ
ଶବ୍ଦଗୁଡିକୁ ଓଡିଆ ଅଭିଧାନ ଭିତରକୁ ଆଣି ଲିଖିତ ଭାଷାରେ
ସେଗୁଡିକର ପ୍ରୟୋଗକୁ ବଢାଇବା l
ଓଡିଶାର ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ବା ଏକ କୋଟି ହେଉଛନ୍ତି ଜନଜାତି
l ଏଠାରେ ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି ଯେଉଁମାନେ ନିଜସ୍ଵ ମାତୃଭାଷାର ବ୍ୟବହାର
କରିଥାନ୍ତି l ଏହି ଭାଷାଗୁଡିକୁ ମୋଟାମୋଟି ୩୮ଟି ଭାଷା ମଧ୍ୟରେ ରଖି ହେବ l ଏମାନଙ୍କ ଭିତରୁ ସାନ୍ତାଳୀ,
ହୋ, କୁଇ, ସଉରା ଆଦି ଭାଷାଗୁଡିକର ନିଜର ଲିପି ଥିଲା ବେଳେ ମୁଣ୍ଡା, ଭୂମିଜ, କୋୟା, ଖଡିଆ, ଓରାଓଁ
ଭାଷାର ଲିପି ମଧ୍ୟ ତିଆରି ସରିଲାଣି l ଏପରିକି ସାନ୍ତାଳୀ ଭାଷା ଏକ ତଫସିଲଭୁକ୍ତ ଭାଷାର ମାନ୍ୟତା
ପାଇ ସାରିଲାଣି l ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ହେଲେ ଲୋକସଂଖ୍ୟାର ଏହି ଏକ ଚତୁର୍ଥାଂଶ
ଜନଜାତିର ଲୋକଙ୍କ ସହ ପ୍ରଭାବୀ ଯୋଗାଯୋଗ ସ୍ଥାପନର ଆବଶ୍ୟକତା ରହିଛି l ସେମାନଙ୍କ ଭାଷାରେ ଏହି ଯୋଗାଯୋଗ
ହୋଇପାରିଲେ ସବୁଠାରୁ ଭଲ l ଅନ୍ୟଥା ସେହି ଭାଷାରେ ଥିବା କିଛି ଗ୍ରହଣୀୟ ଶବ୍ଦକୁ ଓଡିଆ ଭାଷାରେ ଅନ୍ତର୍ଭୁକ୍ତ
କରାଯାଇ ପାରିଲେ ସେମାନଙ୍କ ସହ ଯୋଗାଯୋଗ ଅପେକ୍ଷାକୃତ ସହଜ ହୋଇପାରନ୍ତା ଓ କ୍ରମଶଃ ଓଡିଆ ଭାଷା ପ୍ରତି
ସେମାନଙ୍କର ଅନୁରକ୍ତି ବୃଦ୍ଧି ପାଆନ୍ତା l ଅନ୍ୟ ପକ୍ଷରେ ଓଡିଆ ଶବ୍ଦଭଣ୍ଡାରରୁ ଶବ୍ଦ ଆହରଣ କରି
ସେହି ଭାଷାଗୁଡିକର ଶବ୍ଦଭଣ୍ଡାରରେ ମଧ୍ୟ ଅଭିବୃଦ୍ଧି ହୋଇପାରନ୍ତା l ସ୍ଥଳ ବିଶେଷରେ ଜନଜାତି ଲୋକେ
ନିଜ ଭାବ ବ୍ୟକ୍ତ କରିବା ପାଇଁ ଓଡିଆ ଲିପି ଓ ଭାଷା ପରିବର୍ତ୍ତେ ହିନ୍ଦୀ ବା ବଙ୍ଗଳା ଲିପି ଓ ଭାଷାର
ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଉଛି l ସେମାନଙ୍କ ଭାଷାଗତ ଆବଶ୍ୟକତାକୁ
ପରିପୂରଣ କରିବା ଦିଗରେ ସେମାନଙ୍କ ନିକଟତର ହେବାର ଯେଉଁ ଆବଶ୍ୟକତା ରହିଛି, ସେଥିପ୍ରତି ଆମେ ଯେ
କେତେ ଉଦାସୀନ, ଏଥିରୁ ତାହା ସୁସ୍ପଷ୍ଟ l ଆରବୀ, ପାର୍ସି ଭଳି ଅନେକ ବିଦେଶୀ ଭାଷାର ଶବ୍ଦ ସହଜରେ
ଗ୍ରହଣୀୟ ହୋଇ ଓଡିଆ ଭାଷାର ଅଂଶ ବିଶେଷ ହୋଇ ପାରିଥିବା ବେଳେ ଆଶ୍ଚର୍ଯ୍ୟର କଥା, ହଜାର ହଜାର ବର୍ଷ
ଧରି ଏକା ଭୂଖଣ୍ଡରେ ଉଭୟେ ସହାବସ୍ଥାନ କରି ଆସିଥିବା ସତ୍ତ୍ଵେ ଜନଜାତି ଭାଷାର ଶବ୍ଦାବଳୀ ସେହିପରି
ଭାବେ ଓଡିଆ ଭାଷାର ଶବ୍ଦଭଣ୍ଡାରର ଅଂଶ ବିଶେଷ ହୋଇ ପାରିନାହିଁ କିପରି ? ହୁଏତ ଓଡିଆ ଭାଷାର ଶବ୍ଦଭଣ୍ଡାରରେ
ଜନଜାତି ଭାଷାର କିଛି ଶବ୍ଦକୁ ଅନ୍ତର୍ଭୁକ୍ତ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ପୂର୍ବକ ବିଧିବଦ୍ଧ
ଉଦ୍ୟମର ଆବଶ୍ୟକତା ରହିଛି l
କିଛି ଦିନ ତଳେ କଳାହାଣ୍ଡିର ଜଣେ ଗାଳ୍ପିକଙ୍କର ଏକ ହୃଦୟସ୍ପର୍ଶୀ ଗପରେ
ବ୍ୟବହୃତ ଅନେକ କଳାହାଣ୍ଡିଆ ଶବ୍ଦ ଯେମିତି, ଛିଙ୍ଗଲିବା, ଲିତା, ହିଞ୍ଜରିଯିବା, ଫିସଲି ଆସିବା,
ଲେଦା, ପହଁଟଉ, ନିଥିରି ପଡିବା ଆଦି ପଢି ଖୁବ ଭଲ ଲାଗିଲା l କେଡେ ସୁନ୍ଦର ଶବ୍ଦଗୁଡିକ ସତେ l ତେବେ
ଓଡିଆ ଭାଷାରେ ଏହି ଶବ୍ଦଗୁଡିକର ପ୍ରଚଳନ ସେତେ ଅଧିକ ନଥିବାରୁ ସାଧାରଣ ପାଠକଟିଏ ପକ୍ଷେ ଏ ସବୁର
ଅର୍ଥ ବୁଝିବା କଷ୍ଟକର l ପୂର୍ବାପର ସମ୍ପର୍କ ଭିତ୍ତିରେ ଅନୁମାନ କରି ହୁଏତ କେତୋଟି ଶବ୍ଦର ଅର୍ଥ
ବୁଝି ହୋଇପାରେ l ହେଲେ ଏହି ଶବ୍ଦଗୁଡିକ ଓଡିଆ ଅଭିଧାନରେ ସ୍ଥାନ ପାଇନାହିଁ l କେବଳ କଳାହାଣ୍ଡି
ନୁହେଁ, ଓଡିଶାର ବିଭିନ୍ନ ଅଞ୍ଚଳ ତଥା ବିଚ୍ଛିନ୍ନାଞ୍ଚଳମାନଙ୍କରେ ଥିବା ଲେଖକମାନେ ସେଠାରେ ପ୍ରଚଳିତ
ଶବ୍ଦକୁ ସେମାନଙ୍କ ଲେଖାରେ ସ୍ଥାନ ଦେବା ଜାରି ରଖିଲେ ଓଡିଆ ଭାଷା ସମୃଦ୍ଧ ହେବ l ସେହି ଶବ୍ଦଗୁଡିକୁ
ଧରି ରଖିବା ପାଇଁ ଏକ ବୃହତ୍ ଓଡିଆ ଅଭିଧାନର ପ୍ରୟୋଜନ l ଯେଉଁ ଦିନ ସବୁ ଅଞ୍ଚଳର ଲେଖକ କଳାହାଣ୍ଡି,
ସମ୍ବଲପୁର, କୋରାପୁଟ, ଅନୁଗୁଳ, ସିଂହଭୂମି, ମେଦିନୀପୁର, ମଞ୍ଜୁଷା ଆଦି ଅଞ୍ଚଳରେ ବ୍ୟବହୃତ ଓଡିଆ
ଶବ୍ଦଗୁଡିକୁ ନିଜ ଲେଖାରେ ସ୍ଵଚ୍ଛନ୍ଦରେ ବ୍ୟବହାର କରି ପାରୁଥିବେ ଓ ଯେ କୌଣସି ଅଞ୍ଚଳର ସାଧାରଣ
ପାଠକଟିଏ ସେଗୁଡିକୁ ସହଜରେ ବୁଝିପାରୁଥିବେ ସେହି ଦିନ ଆମ ଭିତରେ ଭାଷାଗତ ବୈଷମ୍ୟ କ୍ଷୀଣ ହେବ ଓ
ବିଦ୍ଵେଷ ଅନେକ ପରିମାଣରେ କମିଯିବ l ପ୍ରବନ୍ଧଟି ପଢିବା ଭିତରେ ସେମାନଙ୍କ ଅଞ୍ଚଳରେ ବ୍ୟବହାର ହେଉଥିବା
ଅନେକ ଶବ୍ଦ କଥା ହୁଏତ ପାଠକଙ୍କ ମନକୁ ଆସୁଥିବ, ଯାହା ପ୍ରଚଳିତ କୌଣସି ଅଭିଧାନରେ ସ୍ଥାନ ପାଇ ନଥିବ
l
ଭାଷା ଭିତ୍ତିରେ ତିଆରି ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା,
ଆଉ ସେହି ଭାଷା ଭିତ୍ତିରେ ଏହାର ବିଭାଜନର ବିତର୍କ ମଧ୍ୟ ଦୁଃଖଦାୟକ l ତେଣୁ ଓଡିଶାକୁ ବିଭାଜିତ ହେବାରୁ
ରକ୍ଷା କରି ଏହାର ସମସ୍ତ ଅଞ୍ଚଳକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଓଡିଆ ଭାଷା ଏକ ସମାବେଶୀ
ଭୂମିକା ନିର୍ବାହ କରିପାରିବ l ‘ଆମେ ଓଡିଆ’ ବୋଲି ଗର୍ବ ଅନୁଭବ କରୁଥିବା କେହି ଯଦି ‘ମୁଁ କହୁଥିବା
ଓଡିଆ ସେ କହୁଥିବା ଓଡିଆ ଅପେକ୍ଷା ଅଧିକ ଶୁଦ୍ଧ’ କହି ଅନ୍ୟକୁ ନ୍ୟୂନ ମଣିବା ଆରମ୍ଭ କରେ ତେବେ ତାହା
ଆମ ମଧ୍ୟରେ ବ୍ୟବଧାନ ବଢାଇବ ଓ ଓଡିଆ ଭାଷାକୁ ସଙ୍କୁଚିତ କରିବ l ଦ୍ଵିତୀୟ ଶ୍ରେଣୀ ଓଡିଆର ପରିଚୟ
କାହାକୁ ବା ଭଲ ଲାଗିବ l ରାସ୍ତାଘାଟ, ରେଳପଥର ବିସ୍ତାର ଦ୍ଵାରା ଓଡିଶାର ବିଭିନ୍ନ ଅଞ୍ଚଳର ଲୋକଙ୍କ
ମଧ୍ୟରେ ଥିବା ଭୌଗୋଳିକ ବ୍ୟବଧାନ ଯେପରି ହ୍ରାସ ପାଇ ପାରିଛି, ଲୋକଙ୍କ ମଧ୍ୟରେ ଥିବା ଭାବଗତ ବ୍ୟବଧାନକୁ
ହ୍ରାସ କରିବା ପାଇଁ ସେହିପରି ବିଭିନ୍ନ ଅଞ୍ଚଳର କଥିତ ଭାଷା ଓ ଉପଭାଷାକୁ ଗୁରୁତ୍ଵ ଦେଇ ସେଗୁଡିକୁ
ଓଡିଆ ଭାଷାର ମୁଖ୍ୟସ୍ରୋତ ସହ ସମ୍ପର୍କିତ କରିବାର ଆବଶ୍ୟକତା ରହିଛି l ସେଥିପାଇଁ ଓଡିଶାର ବିଭିନ୍ନ
ଜନଜାତିଙ୍କ ଭାଷାରୁ ଶବ୍ଦ ଆହରଣ କରିବା ସହ ଓଡିଶା ଓ ଓଡିଶା ବାହାରେ ବିଭିନ୍ନ ଅଞ୍ଚଳରେ ବ୍ୟବହୃତ
ଓଡିଆ ଶବ୍ଦାବଳୀକୁ ଓଡିଆ ଭାଷାର ଅଂଶବିଶେଷ କରିବା ପାଇଁ ଏକ ବୃହତ୍ ଓଡିଆ ଅଭିଧାନର ଆବଶ୍ୟକତା ରହିଛି
l ଭାଷାଗତ ବିଦ୍ଵେଷକୁ ଦୂର କରିବା ପାଇଁ କୋଶଳୀ/ସମ୍ଵଲପୁରୀ ଭାଷାରେ ବ୍ୟବହୃତ ଅଧିକାଂଶ ଶବ୍ଦ ଓଡିଆ
ଅଭିଧାନରେ ସ୍ଥାନ ପାଇ ପ୍ରୟୋଗ ହେବାକୁ ଲାଗିଲେ କ୍ଷତି କଣ ? ବରଂ ତଦ୍ଦ୍ଵାରା ଓଡିଆ ଶବ୍ଦ ଭଣ୍ଡାର
ଅଧିକ ସମୃଦ୍ଧ ହେବ l ଏଭଳି ଏକ ସମାବେଶୀ ଅଭିଧାନର ସଂକଳନ ପାଇଁ କେବଳ ବ୍ୟକ୍ତିଗତ ବା ସରକାରୀ ସ୍ତରରେ
ଉଦ୍ୟମ ଯଥେଷ୍ଟ ହୋଇ ନପାରେ l ଏହି ଜାତୀୟ କାର୍ଯ୍ୟଟିକୁ ସମ୍ପାଦନ କରିବାକୁ ହେଲେ ବିଭିନ୍ନ ଅଞ୍ଚଳର ଭାଷାକୁ ଭଲ ପାଉଥିବା ବ୍ୟକ୍ତିବିଶେଷ, ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିଦ୍ ଓ ସାହିତ୍ୟ ଅନୁଷ୍ଠାନଙ୍କୁ ସାଙ୍ଗରେ ନେଇ ଏହାକୁ ଆନୁଷ୍ଠାନିକ
ଭାବେ ଯୋଜନାବଦ୍ଧ ଢଙ୍ଗରେ ଉଭୟ ସରକାରୀ ଓ ବେସରକାରୀ ସହାୟତାରେ ତ୍ଵରାନ୍ଵିତ କରିବାର ଆବଶ୍ୟକତା
ରହିଛି l ହୁଏତ ଏଭଳି ଏକ ସମାବେଶୀ ଅଭିଧାନ କେବଳ ଯେ ଓଡିଶାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ
ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ତାହା ନୁହେଁ ବରଂ ଏହା ଦ୍ଵାରା ସାରା ବିଶ୍ଵର ଭାଷାମାନଙ୍କ
ମଧ୍ୟରେ ସଇଁତ୍ରିଶତମ ସ୍ଥାନରେ ଥିବା ତଥା ମୁଷ୍ଟିମେୟ ଶାସ୍ତ୍ରୀୟ ଭାଷାଙ୍କ ମଧ୍ୟରେ ସ୍ଥାନିତ ହୋଇଥିବା ଓଡିଆ ଭାଷାର
ପ୍ରସାର ଓ ଗ୍ରହଣୀୟତା ମଧ୍ୟ ସୁଗମ ହେବ l
Published in Sambad on February 07, 2020
Published in Sambad on February 07, 2020
Very positive and constructive article. Certainly it will stir hornet's net somewhere.
ReplyDeleteThanks for appreciating the article. I am also hopeful.
DeleteSir, very well compiled . Excellent work.
ReplyDeleteThanks Niranjan.
Delete