Skip to main content

ଓଡିଶାକୁ ବାନ୍ଧି ରଖିବା ପାଇଁ ଅଭିଧାନଟିଏ

କୋଲକାତାର ଫୋର୍ଟ ଉଇଲିୟମ କଲେଜର ଲାଇବ୍ରେରିଆନ ମୋହନ ପ୍ରସାଦ ଠାକୁରଙ୍କ ଦ୍ଵାରା ୧୮୧୧ ମସିହାରେ ରଚିତ ‘ଭୋକାବୁଲାରି ଅଫ ଓଡିଆ ଆଣ୍ଡ ଇଂଲିସ ଫର ଦି ୟୁଜ ଅଫ ଷ୍ଟୁଡେଣ୍ଟସ’ ହେଉଛି ଓଡିଆ ଭାଷାରେ ପ୍ରଥମ ଅଭିଧାନ ଯେଉଁଥିରେ ୪୨୪୬ଟି ଶବ୍ଦ ଥିଲା l ଏହି ଅଭିଧାନଟି ପରବର୍ତ୍ତୀ ସଂକଳକମାନଙ୍କୁ ଓଡିଆରେ ଅଭିଧାନ ପ୍ରସ୍ତୁତ କରିବା ପାଇଁ ପ୍ରେରଣା ଦେଇଥିଲା l ଏ ଯାବତ ୧୧୩ଟି ଓଡିଆରୁ ଓଡିଆ ଅଭିଧାନ ପ୍ରକାଶିତ ହୋଇସାରିଛି l ତନ୍ମଧ୍ୟରୁ ପ୍ରମୁଖ କେତୋଟି ଅଭିଧାନ ହେଲା, ଏମସ ସଟନ ଓ ଭୁବନାନନ୍ଦ ନ୍ୟାୟାଳଙ୍କାରଙ୍କ ରଚିତ ‘ଏନ ଓଡିଆ ଡିକସନାରୀ ଇନ ଥ୍ରି ଭଲ୍ୟୁମସ’ (୧୮୪୧-୪୩), ଚତୁର୍ଭୁଜ ପଟ୍ଟନାୟକ ଓ ଶିବନାରାୟଣ ନାୟକଙ୍କ ରଚିତ ଓ ବାଲେଶ୍ଵରରୁ ପ୍ରକାଶିତ ‘ଶବ୍ଦନିଧି’ (୧୮୮୩), ଜଗନ୍ନାଥ ରାଓଙ୍କ ରଚିତ ‘ଉତ୍କଳ ଅଭିଧାନ’ (୧୮୯୧), ମଧୁସୂଦନ ରାଓଙ୍କ ରଚିତ ‘ସୁଖବୋଧ ଅଭିଧାନ’ (୧୯୧୨), ମୃତ୍ୟୁଞ୍ଜୟ ରଥଙ୍କ ରଚିତ ‘ମୂଳ ଶବ୍ଦବୋଧ ବୋଧିନୀ’ (୧୯୧୪), ଗୋପୀନାଥ ନନ୍ଦଶର୍ମାଙ୍କ ରଚିତ ‘ଶବ୍ଦତତ୍ତ୍ଵବୋଧ ଅଭିଧାନ’ (୧୯୧୬), ଦାମୋଦର ମିଶ୍ର ଓ ପ୍ରମୋଦ ଚନ୍ଦ୍ର ଦେବଙ୍କ ରଚିତ ‘ପ୍ରମୋଦ ଅଭିଧାନ’ (୧୯୪୨), କୃଷ୍ଣଚନ୍ଦ୍ର କରଙ୍କ ରଚିତ ‘ତରୁଣ ଶବ୍ଦକୋଷ’ ଇତ୍ୟାଦି l ତେବେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’କୁ ସର୍ବଶ୍ରେଷ୍ଠ ଓ ବ୍ୟାପକ ଅଭିଧାନ ଭାବେ ଗ୍ରହଣ କରାଯାଇଥାଏ l ସାତ ଖଣ୍ଡ ବିଶିଷ୍ଟ ଏହି ଅଭିଧାନରେ ୧,୮୫,୦୦୦ ଶବ୍ଦ ସନ୍ନିବେଶିତ ହୋଇଛି l ଏ ସମସ୍ତ ଅଭିଧାନର ସଂକଳକଙ୍କ ନିଃସ୍ଵାର୍ଥପର ଉଦ୍ୟମ ପାଇଁ ସେମାନେ ଆମର ଚିର ନମସ୍ୟ l ତେବେ ସେମାନଙ୍କ ଶତ ଚେଷ୍ଟା ସତ୍ତ୍ଵେ ସେତେବେଳର ଗମନାଗମନ ଓ ଯୋଗାଯୋଗର ଅସୁବିଧା କାରଣରୁ ହୁଏତ ବିଭିନ୍ନ ଅଞ୍ଚଳର ଅନେକ ପ୍ରଚଳିତ ଶବ୍ଦ ଅଭିଧାନର ବାହାରେ ରହିଯାଇ ଥାଇପାରେ l ପରବର୍ତ୍ତୀ ସମୟରେ କେହି କେହି ଅଭିଧାନ ବହିର୍ଭୁତ ଏହି ଶବ୍ଦଗୁଡିକର ପ୍ରୟୋଗ ପାଇଁ ଦଣ୍ଡିତ/ ଅପମାନିତ ହୋଇଥିବାର ଦୃଷ୍ଟାନ୍ତମାନ ରହିଛି l ପରୀକ୍ଷାରେ ଛାତ୍ରଟିଏ ‘ବାଳକ’ ନ ଲେଖି ‘ବାଲକ’ ଲେଖିଥିବାରୁ ଶିକ୍ଷକଙ୍କଠାରୁ ନମ୍ବର ପାଇ ନଥାଇ ପାରେ, କାରଣ ଅଭିଧାନରେ ‘ବାଲକ’ ଶବ୍ଦ ନାହିଁ l ଅଭିଧାନରେ ଉଭୟ ‘ବାଳକ’ ଓ ‘ବାଲକ’ ଶବ୍ଦ ରହିବାରେ ଅସୁବିଧା କେଉଁଠି ? ଏହା ନ ହେବା ଦ୍ଵାରା ସେମାନଙ୍କଠାରେ କ୍ଷୋଭ ବା ବିଦ୍ଵେଷ ସୃଷ୍ଟି ହେବା କିଛି ବିଚିତ୍ର ନୁହେଁ l ‘ମୁଁ କହୁଥିବା ଭାଷାଟି ଯଦି ଓଡିଆ ନୁହେଁ, ତେବେ ମୁଁ ବି ଓଡିଆ ନୁହେଁ, ମୁଁ ଅଲଗା’ ଭାବନାଟି ପ୍ରଥମେ ଅଭିମାନରୁ ଜାତ ହୋଇ କ୍ରମଶଃ ବିଚ୍ଛିନ୍ନତାର ଦାବି ଆଡକୁ ଅଗ୍ରସର ହେଉଛି l ଏ ପରିପ୍ରେକ୍ଷୀରେ ଭିନ୍ନ ଏକ ଅଭିଧାନ ଓଡିଶାକୁ ବାନ୍ଧି ରଖି ପାରିବାକୁ ସମର୍ଥ ହେବ କି ତାହା ଗମ୍ଭୀରତାର ସହ ଚିନ୍ତା କରିବାର ସମୟ ଉପନୀତ l
କୁହାଯାଏ ‘ଦେଶକେ ଫାଙ୍କ ନଈ କେ ବାଙ୍କ’ l ନଦୀ ଯେପରି କିଛି ଦୂରତା ଅତିକ୍ରମ କଲା ପରେ ଦିଗ ପରିବର୍ତ୍ତନ କରିଥାଏ, ଠିକ୍ ସେହିପରି ଅଳ୍ପ ଦୂରତା ପରେ ଭାଷାରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ l ଏହା ସବୁ ଭାଷା ପାଇଁ ପ୍ରଯୁଜ୍ୟ l ତେବେ ଏକ ନିର୍ଦ୍ଦିଷ୍ଟ ଭାଷାର ଲିଖିତ ଭାଷାକୁ ସେହି ଭାଷାର ମାନକ ଭାଷା ରୂପେ ଗ୍ରହଣ କରାଯାଉଥିଲେ ମଧ୍ୟ ସେହି ଭାଷାର ବିଭିନ୍ନ କଥିତ ପ୍ରାରୂପରୁ ଯେତେ ଅଧିକ ଶବ୍ଦ ଆହରଣ ହୋଇ ପ୍ରୟୋଗରେ ଆସିଥାଏ ସେହି ଭାଷା ସେତେ ଅଧିକ ସମୃଦ୍ଧ ହୋଇଥାଏ l ଇଂରାଜୀ ଭଳି ଆନ୍ତର୍ଜାତିକ ଭାଷା ହେଉ ଅବା ହିନ୍ଦୀ ଭଳି ଭାରତୀୟ ଭାଷା ଅଧିକ ଆଦୃତି ଲାଭ କରିବାର ଅନ୍ୟତମ କାରଣ ହେଉଛି ଏଗୁଡିକୁ ଅଧିକ ସମାବେଶୀ କରିବା ପାଇଁ ସମ୍ପୃକ୍ତ ଭାଷାର ଭାଷାବିଦମାନଙ୍କର ଆନ୍ତରିକ ଉଦ୍ୟମ l କେବଳ କଥିତ ଭାଷାକୁ ଆଦରିବାରେ ସୀମିତ ନ ରହି, ବରଂ ଅନ୍ୟ ଭାଷାରୁ ଶବ୍ଦ ସଂଗ୍ରହ କରି ନିଜ ଭାଷାକୁ ସମୃଦ୍ଧ କରିବାରେ ଏମାନେ କୁଣ୍ଠାବୋଧ କରି ନଥାନ୍ତି l ଅବଧି, ବ୍ରଜ, ଭୋଜପୁରୀ, ମଗଧୀ, ରାଜସ୍ଥାନୀ, ଖରିବୋଲି, ହରିୟାନ୍ଵି, ଛତିଶଗଡୀ ଆଦି ହିନ୍ଦୀର ଅନେକ ପ୍ରକାର କଥିତ ରୂପ ଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର କଥିତ ହିନ୍ଦୀ ଭାଷାକୁ ମାନକ ହିନ୍ଦୀ ଭାବେ ଗ୍ରହଣ କରି ହେବନାହିଁ l ଠିକ ସେହିପରି କୌଣସି ଅଞ୍ଚଳର କଥିତ ଓଡିଆକୁ ମାନକ ଓଡିଆ ବୋଲି କହି ହେବନାହିଁ, କାରଣ ପ୍ରତ୍ୟେକ ଅଞ୍ଚଳର କଥିତ ଭାଷା ବା ଉପଭାଷାରେ କିଛି ନା କିଛି ବିଶେଷତ୍ଵ ଥାଏ ଓ ଏଗୁଡିକ ସାମଗ୍ରିକ ଭାବେ ଓଡିଆ ଭାଷାକୁ ଋଦ୍ଧିମାନ କରିଥାନ୍ତି l ମିଦନାପୁରୀ ଓଡିଆ, ସିଂହଭୂମୀ ଓଡିଆ, ଗଞ୍ଜାମୀ ଓଡିଆ, ଲରିଆ, ରେଲି, କୁପିଆ ଆଦି ଓଡିଆ ଉପଭାଷାମାନଙ୍କରେ ବଙ୍ଗଳା, ହିନ୍ଦୀ ଓ ତେଲୁଗୁର ପ୍ରଭାବ କିଛିଟା ପରିଲକ୍ଷିତ ହେଉଥିବା ବେଳେ ଛତିଶଗଡର ଅବିଭକ୍ତ ବସ୍ତର ଜିଲ୍ଲାରେ ହଲବି ନାମକ ଅନ୍ୟ ଏକ ଓଡିଆ ଉପଭାଷା ପ୍ରଚଳିତ ଯାହା ମରାଠୀ ଭାଷା ଦ୍ଵାରା ପ୍ରଭାବିତ l ଆମେ ସେମାନଙ୍କଠାରୁ ଦୂରେଇ ରହିବା ଯୋଗୁ ବା ସେମାନଙ୍କୁ ଓଡିଆ ବୋଲି ଗ୍ରହଣ କରୁ ନଥିବାରୁ ସେମାନେ ମଧ୍ୟ କ୍ରମଶଃ ନିଜକୁ ଓଡିଆ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି l ଏହି ସବୁ ଉପଭାଷାରେ ପ୍ରୟୋଗରେ ଥିବା ଅନେକ ମୂଲ୍ୟବାନ ଶବ୍ଦ ଓଡିଆ ଅଭିଧାନରେ ସ୍ଥାନ ପାଇଲେ କ୍ଷତି କଣ l ସେହିପରି ବରଗଡ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଜିଲ୍ଲାର ବୁଣାକାରମାନଙ୍କ ଦ୍ଵାରା ବ୍ୟବହାର ହେଉଥିବା   ଭୁଲିଆ ଉପଭାଷାର ଶବ୍ଦାବଳୀକୁ ମଧ୍ୟ ଅନୁଧ୍ୟାନ କରାଯାଇ ପାରେ l ବିଭିନ୍ନ ଅଞ୍ଚଳରେ କଥିତ ଭାଷାରେ ବ୍ୟବହାର ହେଉଥିବା ଓ ଲିଖିତ ଓଡିଆରେ ପ୍ରୟୋଗରେ ନଥିବା ଏମିତି ଅନେକ ଶବ୍ଦ ରହିଛି, ଯାହା ପ୍ରୟୋଗରେ ଆସିଲେ ଓଡିଆ ଭାଷା ଅଧିକ ସମୃଦ୍ଧ ହୁଅନ୍ତା l ଉଦାହରଣ ସ୍ଵରୂପ ପଲାସା ଭଳି ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ‘ଶଳାର ଶଳା’ ସମ୍ପର୍କ ପାଇଁ ‘ଆପଣେ’ ଭଳି ଏକ ମାର୍ଜିତ ଶବ୍ଦର ପ୍ରୟୋଗ ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏଥିପାଇଁ ‘ହୀନଶଳା’ ଶବ୍ଦର ପ୍ରୟୋଗ ହେବା ଦେଖିବାକୁ ମିଳେ l ଅନ୍ୟ ଅନେକ ଅଞ୍ଚଳରେ ଏଥିପାଇଁ କୌଣସି ଶବ୍ଦ ନ ଥିବାରୁ ଆପଣେ ଶବ୍ଦକୁ ଅଭିଧାନ ଭତରକୁ ଆଣିଲେ କ୍ରମଶଃ ତାହା ଅନ୍ୟମାନଙ୍କ ଦ୍ଵାରା ପ୍ରୟୋଗରେ ଆସି ପାରନ୍ତା l ତେଣୁ ସମୟ ଆସିଛି ଓଡିଶାର ବିଭିନ୍ନ ଅଞ୍ଚଳ ଓ ଅନ୍ୟତ୍ର ବ୍ୟବହାର ହେଉଥିବା ଓଡିଆ ଶବ୍ଦଗୁଡିକୁ ଓଡିଆ ଅଭିଧାନ ଭିତରକୁ ଆଣି  ଲିଖିତ ଭାଷାରେ ସେଗୁଡିକର ପ୍ରୟୋଗକୁ ବଢାଇବା l
ଓଡିଶାର ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ବା ଏକ କୋଟି ହେଉଛନ୍ତି ଜନଜାତି l ଏଠାରେ ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି ଯେଉଁମାନେ ନିଜସ୍ଵ ମାତୃଭାଷାର ବ୍ୟବହାର କରିଥାନ୍ତି l ଏହି ଭାଷାଗୁଡିକୁ ମୋଟାମୋଟି ୩୮ଟି ଭାଷା ମଧ୍ୟରେ ରଖି ହେବ l ଏମାନଙ୍କ ଭିତରୁ ସାନ୍ତାଳୀ, ହୋ, କୁଇ, ସଉରା ଆଦି ଭାଷାଗୁଡିକର ନିଜର ଲିପି ଥିଲା ବେଳେ ମୁଣ୍ଡା, ଭୂମିଜ, କୋୟା, ଖଡିଆ, ଓରାଓଁ ଭାଷାର ଲିପି ମଧ୍ୟ ତିଆରି ସରିଲାଣି l ଏପରିକି ସାନ୍ତାଳୀ ଭାଷା ଏକ ତଫସିଲଭୁକ୍ତ ଭାଷାର ମାନ୍ୟତା ପାଇ ସାରିଲାଣି l ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ହେଲେ ଲୋକସଂଖ୍ୟାର ଏହି ଏକ ଚତୁର୍ଥାଂଶ ଜନଜାତିର ଲୋକଙ୍କ ସହ ପ୍ରଭାବୀ ଯୋଗାଯୋଗ ସ୍ଥାପନର ଆବଶ୍ୟକତା ରହିଛି l ସେମାନଙ୍କ ଭାଷାରେ ଏହି ଯୋଗାଯୋଗ ହୋଇପାରିଲେ ସବୁଠାରୁ ଭଲ l ଅନ୍ୟଥା ସେହି ଭାଷାରେ ଥିବା କିଛି ଗ୍ରହଣୀୟ ଶବ୍ଦକୁ ଓଡିଆ ଭାଷାରେ ଅନ୍ତର୍ଭୁକ୍ତ କରାଯାଇ ପାରିଲେ ସେମାନଙ୍କ ସହ ଯୋଗାଯୋଗ ଅପେକ୍ଷାକୃତ ସହଜ ହୋଇପାରନ୍ତା ଓ କ୍ରମଶଃ ଓଡିଆ ଭାଷା ପ୍ରତି ସେମାନଙ୍କର ଅନୁରକ୍ତି ବୃଦ୍ଧି ପାଆନ୍ତା l ଅନ୍ୟ ପକ୍ଷରେ ଓଡିଆ ଶବ୍ଦଭଣ୍ଡାରରୁ ଶବ୍ଦ ଆହରଣ କରି ସେହି ଭାଷାଗୁଡିକର ଶବ୍ଦଭଣ୍ଡାରରେ ମଧ୍ୟ ଅଭିବୃଦ୍ଧି ହୋଇପାରନ୍ତା l ସ୍ଥଳ ବିଶେଷରେ ଜନଜାତି ଲୋକେ ନିଜ ଭାବ ବ୍ୟକ୍ତ କରିବା ପାଇଁ ଓଡିଆ ଲିପି ଓ ଭାଷା ପରିବର୍ତ୍ତେ ହିନ୍ଦୀ ବା ବଙ୍ଗଳା ଲିପି ଓ ଭାଷାର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଉଛି l ସେମାନଙ୍କ ଭାଷାଗତ ଆବଶ୍ୟକତାକୁ ପରିପୂରଣ କରିବା ଦିଗରେ ସେମାନଙ୍କ ନିକଟତର ହେବାର ଯେଉଁ ଆବଶ୍ୟକତା ରହିଛି, ସେଥିପ୍ରତି ଆମେ ଯେ କେତେ ଉଦାସୀନ, ଏଥିରୁ ତାହା ସୁସ୍ପଷ୍ଟ l ଆରବୀ, ପାର୍ସି ଭଳି ଅନେକ ବିଦେଶୀ ଭାଷାର ଶବ୍ଦ ସହଜରେ ଗ୍ରହଣୀୟ ହୋଇ ଓଡିଆ ଭାଷାର ଅଂଶ ବିଶେଷ ହୋଇ ପାରିଥିବା ବେଳେ ଆଶ୍ଚର୍ଯ୍ୟର କଥା, ହଜାର ହଜାର ବର୍ଷ ଧରି ଏକା ଭୂଖଣ୍ଡରେ ଉଭୟେ ସହାବସ୍ଥାନ କରି ଆସିଥିବା ସତ୍ତ୍ଵେ ଜନଜାତି ଭାଷାର ଶବ୍ଦାବଳୀ ସେହିପରି ଭାବେ ଓଡିଆ ଭାଷାର ଶବ୍ଦଭଣ୍ଡାରର ଅଂଶ ବିଶେଷ ହୋଇ ପାରିନାହିଁ କିପରି ? ହୁଏତ ଓଡିଆ ଭାଷାର ଶବ୍ଦଭଣ୍ଡାରରେ ଜନଜାତି ଭାଷାର କିଛି ଶବ୍ଦକୁ ଅନ୍ତର୍ଭୁକ୍ତ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ପୂର୍ବକ ବିଧିବଦ୍ଧ ଉଦ୍ୟମର ଆବଶ୍ୟକତା ରହିଛି l
କିଛି ଦିନ ତଳେ କଳାହାଣ୍ଡିର ଜଣେ ଗାଳ୍ପିକଙ୍କର ଏକ ହୃଦୟସ୍ପର୍ଶୀ ଗପରେ ବ୍ୟବହୃତ ଅନେକ କଳାହାଣ୍ଡିଆ ଶବ୍ଦ ଯେମିତି, ଛିଙ୍ଗଲିବା, ଲିତା, ହିଞ୍ଜରିଯିବା, ଫିସଲି ଆସିବା, ଲେଦା, ପହଁଟଉ, ନିଥିରି ପଡିବା ଆଦି ପଢି ଖୁବ ଭଲ ଲାଗିଲା l କେଡେ ସୁନ୍ଦର ଶବ୍ଦଗୁଡିକ ସତେ l ତେବେ ଓଡିଆ ଭାଷାରେ ଏହି ଶବ୍ଦଗୁଡିକର ପ୍ରଚଳନ ସେତେ ଅଧିକ ନଥିବାରୁ ସାଧାରଣ ପାଠକଟିଏ ପକ୍ଷେ ଏ ସବୁର ଅର୍ଥ ବୁଝିବା କଷ୍ଟକର l ପୂର୍ବାପର ସମ୍ପର୍କ ଭିତ୍ତିରେ ଅନୁମାନ କରି ହୁଏତ କେତୋଟି ଶବ୍ଦର ଅର୍ଥ ବୁଝି ହୋଇପାରେ l ହେଲେ ଏହି ଶବ୍ଦଗୁଡିକ ଓଡିଆ ଅଭିଧାନରେ ସ୍ଥାନ ପାଇନାହିଁ l କେବଳ କଳାହାଣ୍ଡି ନୁହେଁ, ଓଡିଶାର ବିଭିନ୍ନ ଅଞ୍ଚଳ ତଥା ବିଚ୍ଛିନ୍ନାଞ୍ଚଳମାନଙ୍କରେ ଥିବା ଲେଖକମାନେ ସେଠାରେ ପ୍ରଚଳିତ ଶବ୍ଦକୁ ସେମାନଙ୍କ ଲେଖାରେ ସ୍ଥାନ ଦେବା ଜାରି ରଖିଲେ ଓଡିଆ ଭାଷା ସମୃଦ୍ଧ ହେବ l ସେହି ଶବ୍ଦଗୁଡିକୁ ଧରି ରଖିବା ପାଇଁ ଏକ ବୃହତ୍ ଓଡିଆ ଅଭିଧାନର ପ୍ରୟୋଜନ l ଯେଉଁ ଦିନ ସବୁ ଅଞ୍ଚଳର ଲେଖକ କଳାହାଣ୍ଡି, ସମ୍ବଲପୁର, କୋରାପୁଟ, ଅନୁଗୁଳ, ସିଂହଭୂମି, ମେଦିନୀପୁର, ମଞ୍ଜୁଷା ଆଦି ଅଞ୍ଚଳରେ ବ୍ୟବହୃତ ଓଡିଆ ଶବ୍ଦଗୁଡିକୁ ନିଜ ଲେଖାରେ ସ୍ଵଚ୍ଛନ୍ଦରେ ବ୍ୟବହାର କରି ପାରୁଥିବେ ଓ ଯେ କୌଣସି ଅଞ୍ଚଳର ସାଧାରଣ ପାଠକଟିଏ ସେଗୁଡିକୁ ସହଜରେ ବୁଝିପାରୁଥିବେ ସେହି ଦିନ ଆମ ଭିତରେ ଭାଷାଗତ ବୈଷମ୍ୟ କ୍ଷୀଣ ହେବ ଓ ବିଦ୍ଵେଷ ଅନେକ ପରିମାଣରେ କମିଯିବ l ପ୍ରବନ୍ଧଟି ପଢିବା ଭିତରେ ସେମାନଙ୍କ ଅଞ୍ଚଳରେ ବ୍ୟବହାର ହେଉଥିବା ଅନେକ ଶବ୍ଦ କଥା ହୁଏତ ପାଠକଙ୍କ ମନକୁ ଆସୁଥିବ, ଯାହା ପ୍ରଚଳିତ କୌଣସି ଅଭିଧାନରେ ସ୍ଥାନ ପାଇ ନଥିବ l
ଭାଷା ଭିତ୍ତିରେ ତିଆରି ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା, ଆଉ ସେହି ଭାଷା ଭିତ୍ତିରେ ଏହାର ବିଭାଜନର ବିତର୍କ ମଧ୍ୟ ଦୁଃଖଦାୟକ l ତେଣୁ ଓଡିଶାକୁ ବିଭାଜିତ ହେବାରୁ ରକ୍ଷା କରି ଏହାର ସମସ୍ତ ଅଞ୍ଚଳକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଓଡିଆ ଭାଷା ଏକ ସମାବେଶୀ ଭୂମିକା ନିର୍ବାହ କରିପାରିବ l ‘ଆମେ ଓଡିଆ’ ବୋଲି ଗର୍ବ ଅନୁଭବ କରୁଥିବା କେହି ଯଦି ‘ମୁଁ କହୁଥିବା ଓଡିଆ ସେ କହୁଥିବା ଓଡିଆ ଅପେକ୍ଷା ଅଧିକ ଶୁଦ୍ଧ’ କହି ଅନ୍ୟକୁ ନ୍ୟୂନ ମଣିବା ଆରମ୍ଭ କରେ ତେବେ ତାହା ଆମ ମଧ୍ୟରେ ବ୍ୟବଧାନ ବଢାଇବ ଓ ଓଡିଆ ଭାଷାକୁ ସଙ୍କୁଚିତ କରିବ l ଦ୍ଵିତୀୟ ଶ୍ରେଣୀ ଓଡିଆର ପରିଚୟ କାହାକୁ ବା ଭଲ ଲାଗିବ l ରାସ୍ତାଘାଟ, ରେଳପଥର ବିସ୍ତାର ଦ୍ଵାରା ଓଡିଶାର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିବା ଭୌଗୋଳିକ ବ୍ୟବଧାନ ଯେପରି ହ୍ରାସ ପାଇ ପାରିଛି, ଲୋକଙ୍କ ମଧ୍ୟରେ ଥିବା ଭାବଗତ ବ୍ୟବଧାନକୁ ହ୍ରାସ କରିବା ପାଇଁ ସେହିପରି ବିଭିନ୍ନ ଅଞ୍ଚଳର କଥିତ ଭାଷା ଓ ଉପଭାଷାକୁ ଗୁରୁତ୍ଵ ଦେଇ ସେଗୁଡିକୁ ଓଡିଆ ଭାଷାର ମୁଖ୍ୟସ୍ରୋତ ସହ ସମ୍ପର୍କିତ କରିବାର ଆବଶ୍ୟକତା ରହିଛି l ସେଥିପାଇଁ ଓଡିଶାର ବିଭିନ୍ନ ଜନଜାତିଙ୍କ ଭାଷାରୁ ଶବ୍ଦ ଆହରଣ କରିବା ସହ ଓଡିଶା ଓ ଓଡିଶା ବାହାରେ ବିଭିନ୍ନ ଅଞ୍ଚଳରେ ବ୍ୟବହୃତ ଓଡିଆ ଶବ୍ଦାବଳୀକୁ ଓଡିଆ ଭାଷାର ଅଂଶବିଶେଷ କରିବା ପାଇଁ ଏକ ବୃହତ୍ ଓଡିଆ ଅଭିଧାନର ଆବଶ୍ୟକତା ରହିଛି l ଭାଷାଗତ ବିଦ୍ଵେଷକୁ ଦୂର କରିବା ପାଇଁ କୋଶଳୀ/ସମ୍ଵଲପୁରୀ ଭାଷାରେ ବ୍ୟବହୃତ ଅଧିକାଂଶ ଶବ୍ଦ ଓଡିଆ ଅଭିଧାନରେ ସ୍ଥାନ ପାଇ ପ୍ରୟୋଗ ହେବାକୁ ଲାଗିଲେ କ୍ଷତି କଣ ? ବରଂ ତଦ୍ଦ୍ଵାରା ଓଡିଆ ଶବ୍ଦ ଭଣ୍ଡାର ଅଧିକ ସମୃଦ୍ଧ ହେବ l ଏଭଳି ଏକ ସମାବେଶୀ ଅଭିଧାନର ସଂକଳନ ପାଇଁ କେବଳ ବ୍ୟକ୍ତିଗତ ବା ସରକାରୀ ସ୍ତରରେ ଉଦ୍ୟମ ଯଥେଷ୍ଟ ହୋଇ ନପାରେ l ଏହି ଜାତୀୟ କାର୍ଯ୍ୟଟିକୁ ସମ୍ପାଦନ କରିବାକୁ ହେଲେ ବିଭିନ୍ନ ଅଞ୍ଚଳର ଭାଷାକୁ ଭଲ ପାଉଥିବା ବ୍ୟକ୍ତିବିଶେଷ, ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିଦ୍ ଓ ସାହିତ୍ୟ ଅନୁଷ୍ଠାନଙ୍କୁ ସାଙ୍ଗରେ ନେଇ ଏହାକୁ ଆନୁଷ୍ଠାନିକ ଭାବେ ଯୋଜନାବଦ୍ଧ ଢଙ୍ଗରେ ଉଭୟ ସରକାରୀ ଓ ବେସରକାରୀ ସହାୟତାରେ ତ୍ଵରାନ୍ଵିତ କରିବାର ଆବଶ୍ୟକତା ରହିଛି l ହୁଏତ ଏଭଳି ଏକ ସମାବେଶୀ ଅଭିଧାନ କେବଳ ଯେ ଓଡିଶାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ତାହା ନୁହେଁ ବରଂ ଏହା ଦ୍ଵାରା ସାରା ବିଶ୍ଵର ଭାଷାମାନଙ୍କ ମଧ୍ୟରେ ସଇଁତ୍ରିଶତମ ସ୍ଥାନରେ ଥିବା ତଥା ମୁଷ୍ଟିମେୟ ଶାସ୍ତ୍ରୀୟ ଭାଷାଙ୍କ ମଧ୍ୟରେ ସ୍ଥାନିତ ହୋଇଥିବା ଓଡିଆ ଭାଷାର ପ୍ରସାର ଓ ଗ୍ରହଣୀୟତା ମଧ୍ୟ ସୁଗମ ହେବ l


Published in Sambad on February 07, 2020

Comments

  1. Very positive and constructive article. Certainly it will stir hornet's net somewhere.

    ReplyDelete
    Replies
    1. Thanks for appreciating the article. I am also hopeful.

      Delete
  2. Sir, very well compiled . Excellent work.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍