Skip to main content

ସର୍ବାଧିକ ପସନ୍ଦର ଦେଶ ପାକିସ୍ତାନ !

ଜାମ୍ମୁ-କାଶ୍ମୀରର ପୁଲଓ୍ଵାମାଠାରେ କ୍ରୁର ଆତଙ୍କବାଦୀ ଆକ୍ରମଣର ବିଭୀଷିକା ପରେ ଭାରତ ସରକାର ପାକିସ୍ତାନଠାରୁ ‘ମୋଷ୍ଟ ଫେଭର୍ଡ ନେସନ’ (ଏମଏଫଏନ) ବା ‘ସର୍ବାଧିକ ପସନ୍ଦର ଦେଶ’ ମାନ୍ୟତା ପ୍ରତ୍ୟାହାର କରିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କଲେ । ବର୍ଷ ବର୍ଷ ଧରି ପାକିସ୍ତାନ ସହ ଶତୃତା ଲାଗି ରହିଥିବା ବେଳେ ପାକିସ୍ତାନ କିପରି ଭାରତର ସର୍ବାଧିକ ପସନ୍ଦର ଦେଶ ହୋଇ ରହିଥିଲା, ଏମଏଫଏନ ମାନ୍ୟତା ପ୍ରତ୍ୟାହାରର ଅର୍ଥ କଣ ଓ ଉଭୟ ଦେଶ ଉପରେ ଏହାର କି ପ୍ରଭାବ ପଡିବାକୁ ଯାଉଛି, ତାହା ବିଶ୍ଳେଷଣର ଅପେକ୍ଷା ରଖେ ।

ବିଶ୍ୱ ସ୍ତରରେ ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ ସୁଗମ ଓ ବୃଦ୍ଧି କରିବା ପାଇଁ ପ୍ରତିଷ୍ଠିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବଲ୍ୟୁଟିଓ)ର ଶୁଳ୍କ ଓ ବାଣିଜ୍ୟ ପାଇଁ ସାଧାରଣ ଚୁକ୍ତି (ଗାଟ)ର ଧାରା ୧ ଅନୁଯାୟୀ ସଦସ୍ୟ ରାଷ୍ଟ୍ରମାନେ ପରସ୍ପରକୁ ଏମଏଫଏନ ମାନ୍ୟତା ପ୍ରଦାନ କରିଥାନ୍ତି । ଏହା ଦ୍ୱାରା ଉଭୟ ମାନ୍ୟତା ପ୍ରଦାନ କରୁଥିବା ଓ ପାଉଥିବା ଦେଶ ସେମାନଙ୍କ ବାଣିଜ୍ୟିକ ଆଚରଣକୁ ଏ ଭଳି ସଞ୍ଚାଳନ କରିଥାନ୍ତି ଯେପରି ଅନ୍ୟ ଦେଶ ତୁଳନାରେ ମାନ୍ୟତା ପାଇଥିବା ଦେଶଟି ବୈଷମ୍ୟର ଶିକାର ହୋଇ ନଥାଏ । ମାନ୍ୟତା ପ୍ରଦାନ କରୁଥିବା ଦେଶଟି ମାନ୍ୟତା ପାଉଥିବା ଦେଶକୁ ବାଣିଜ୍ୟ କ୍ଷେତ୍ରରେ କେତେକ ରିହାତି, ସୁବିଧା ଓ ସଂରକ୍ଷଣ ପ୍ରଦାନ କରିଥାଏ । ଫଳରେ ମାନ୍ୟତା ପାଇଥିବା ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କରେ ରିହାତି ମିଳିଥାଏ । ଏଥି ସହିତ ସେହି ଦେଶରୁ ଅଧିକ ପରିମାଣରେ ସାମଗ୍ରୀ ଆମଦାନୀ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ସାଧାରଣତଃ ଏମଏଫଏନ ମାନ୍ୟତା ପାଇବା ପରେ ସମ୍ପୃକ୍ତ ଦେଶ ମାନ୍ୟତା ପ୍ରଦାନ କରିଥିବା ଦେଶକୁ ପାରସ୍ପରିକ ଭିତ୍ତିରେ ସେହି ମାନ୍ୟତା ପ୍ରଦାନ କରିଥାଏ ।

ବିଶ୍ୱ ବାଣିଜ୍ୟ ସଂଗଠନ ପ୍ରତିଷ୍ଠାର ବର୍ଷକ ପରେ ୧୯୯୬ରେ ଭାରତ ପାକିସ୍ତାନକୁ ‘ମୋଷ୍ଟ ଫେଭର୍ଡ ନେସନ’ ମାନ୍ୟତା ପ୍ରଦାନ କରିଥିଲା । ଆଶା କରାଯାଉଥିଲା ପାରସ୍ପରିକ ସହଯୋଗକୁ ସୁଦୃଢ କରିବା ପାଇଁ ପାକିସ୍ତାନ ମଧ୍ୟ ଭାରତକୁ ସେହି ମାନ୍ୟତା ପ୍ରଦାନ କରିବ, ଯାହା ହେଲାନାହିଁ । ଅବଶ୍ୟ ଭାରତକୁ ଏହି ମାନ୍ୟତା ପ୍ରଦାନ କରିବା ପାଇଁ ୨୦୧୨ ମସିହାରେ ପାକିସ୍ତାନ କ୍ୟାବିନେଟରେ ନିଷ୍ପତ୍ତି ଗୃହୀତ ହୋଇ ମଧ୍ୟ ତାହା କାର୍ଯ୍ୟକାରି ହୋଇ ପାରିଲା ନାହିଁ । ଏହାର ଅନ୍ୟତମ କାରଣ ଥିଲା ଉର୍ଦ୍ଦୁରେ ‘ମୋଷ୍ଟ ଫେଭରଡ ନେସନ’ର ଆକ୍ଷରିକ ଅର୍ଥ ‘ସବସେ ପସନ୍ଦିଦା ଦେଶ’ ବା ସର୍ବାଧିକ ପସନ୍ଦର ଦେଶ । ଭାରତକୁ ଏହି ମାନ୍ୟତା ପ୍ରଦାନ କରାଯାଉଥିବା ବିଷୟଟି ସେଠାରେ ଲୋକଙ୍କ ଭ୍ରୁକୁଂଚନ ସୃଷ୍ଟି କଲା ଓ ସେଠାକାର ଗଣମାଧ୍ୟମରେ ଆଲୋଚନାର ବିଷୟ ହୋଇ ତାହା ଆଉ ଆଗେଇ ପାରିଲା ନାହିଁ । ପାକିସ୍ତାନ ସହ ସମ୍ପର୍କ ଯେତେବେଳେ ତିକ୍ତ ହୋଇଛି, ସେତେବେଳେ ତା ନିକଟରୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରି ନେବା ପାଇଁ ଭାରତରେ ଦାବି ଅଧିକ ଶାଣିତ ହୋଇଛି । ଏପରିକି ୨୦୧୬ ମସିହା ଉରି ଆକ୍ରମଣ ସମୟରେ ମଧ୍ୟ ସେହି ଦାବି ଜୋର ଧରିଥିଲା, ଯାହା ପୁଲଓ୍ଵାମା ଆକ୍ରମଣ ପରେ କାର୍ଯ୍ୟରେ ପରିଣତ ହେଲା । ଏହି ମାନ୍ୟତା ପ୍ରତ୍ୟାହାରର ଅର୍ଥ ହେଉଛି ଭାରତରେ ପାକିସ୍ତାନ ସାମଗ୍ରୀକୁ ମିଳୁଥିବା ଶୁଳ୍କ ରିହାତି, ମୁକ୍ତ ବଜାର ଓ ଅବାଧ ପ୍ରବାହ ଉପରେ ତାତ୍କାଳିକ ଭାବେ ନିୟନ୍ତ୍ରଣ ଲଗାଇ ସେଗୁଡିକର ବିକ୍ରିବଟାକୁ ନିରୁତ୍ସାହିତ କରିବା । ଫଳରେ ପାକିସ୍ତାନ ଭାରତ ବଜାରକୁ ହରାଇବ ଓ ତାର ବହିର୍ବାଣିଜ୍ୟ ପ୍ରତି ଏକ ଶକ୍ତ ଧକ୍କା ଲାଗି ଅର୍ଥନୀତି କ୍ଷତିଗ୍ରସ୍ତ ହେବ । ବିଶ୍ୱ ବାଣିଜ୍ୟ ସଂଗଠନର ଧାରା ୨୧ ଅନୁଯାୟୀ ଯେ କୌଣସି ଦେଶ ସୁରକ୍ଷାଗତ କାରଣରୁ ଅନ୍ୟ ଦେଶ ନିକଟରୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରି ନେଇ ପାରିବ ଓ ବିଶ୍ୱ ବାଣିଜ୍ୟ ସଂଗଠନକୁ ଏହାର କାରଣ ମଧ୍ୟ ଜଣାଇବା ଜରୁରୀ ନୁହେଁ । ତାଛଡା ପାକିସ୍ତାନ ଭାରତକୁ ଏ ଯାଏଁ ଏମଏଫଏନ ମାନ୍ୟତା ପ୍ରଦାନ କରି ନଥିବାରୁ ସେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଏ ନେଇ ଆପତ୍ତି ମଧ୍ୟ କରିପାରିବ ନାହିଁ । ସାଧାରଣତଃ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟମାନେ ଶୁଳ୍କ ଲାଗୁ କଲା ବେଳେ ‘ବାଧ୍ୟ ଦର’ (ବାଉଣ୍ଡ ରେଟ)ର ସିଲିଂ ବା ଆକଟ ମଧ୍ୟରେ ରହିଥାନ୍ତି । ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ଜିନିଷ ଉପରେ ଭାରତ ବାଧ୍ୟ ଦରଠାରୁ ମଧ୍ୟ ଅଧିକ ଶୁଳ୍କ ଲାଗୁ କରି ପାରିବ । ଭାରତ କ୍ଷେତ୍ରରେ ଏହି ବାଧ୍ୟ ଦର କୃଷିଜାତ ସାମଗ୍ରୀ ପାଇଁ ୧୧୩.୫ ପ୍ରତିଶତ ହୋଇଥିବା ବେଳେ ଅଣ କୃଷିଜାତ ସାମଗ୍ରୀ ପାଇଁ ୩୪.୬ ପ୍ରତିଶତ ଥିଲା । ତେବେ ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ୨୦୦ ପ୍ରତିଶତକୁ ବଢାଇ ଦିଆଗଲା । ଏହା ଦ୍ୱାରା ପାକିସ୍ତାନୀ ସାମଗ୍ରୀଗୁଡିକର ଅହେତୁକ ଦର ବୃଦ୍ଧି ହୋଇ ଭାରତ ବଜାରରେ ତାହା ଆଦୃତି ହରାଇବ ବୋଲି ଆଶା କରାଯାଉଛି । ଏହି କ୍ରମରେ ଭାରତ ବନ୍ଦର କଟକଣା, ଅଣ-ଶୁଳ୍କ ଉପାୟ, ସାମଗ୍ରୀ ନିଷେଧ ଭଳି ଅନ୍ୟ କେତେକ ଅର୍ଥନୈତିକ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ଚିନ୍ତା କରୁଛି । 

ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଯଥାକ୍ରମେ ୨୨୭ କୋଟି ଓ ୨୪୧କୋଟି ଡଲାର ମୂଲ୍ୟର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥିଲା । ୨୦୧୭-୧୮ରେ ପାକିସ୍ତାନରୁ ଭାରତକୁ ମାତ୍ର ୪୯ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଥିଲା ବେଳେ ଭାରତରୁ ପାକିସ୍ତାନକୁ ପ୍ରାୟ ଚାରିଗୁଣ, ଅର୍ଥାତ ୧୯୨ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଥିଲା । ତେଣୁ ବାଣିଜ୍ୟ କଟକଣା ଲାଗୁ ହେଲେ ପାକିସ୍ତାନ ତୁଳନାରେ ଭାରତର ଅଧିକ କ୍ଷତି ହେବ ବୋଲି ବିଶେଷଜ୍ଞଙ୍କ ମତ । ଉଭୟ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ମଧ୍ୟରୁ ପ୍ରାୟ ୧୦୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ସ୍ଥଳ ପଥରେ ଆଟାରି-ଓ୍ଵାଘା ଫାଟକ ଦେଇ ହେଉଛି । ଉଭୟ ଦେଶ ମଧ୍ୟରେ ଥିବା ବନ୍ଦର କଟକଣା ଓ ଦ୍ରବ୍ୟ କଟକଣା ଯୋଗୁ ଅତୀତରେ ମଧ୍ୟ ବାଣିଜ୍ୟ ବୃଦ୍ଧି ହୋଇ ପାରିନାହିଁ । ପାକିସ୍ତାନ ସ୍ଥଳ ପଥ ଦେଇ ଭାରତରୁ ମାତ୍ର ୧୩୮ଟି ଦ୍ରବ୍ୟ ଆମଦାନୀ କରିବାକୁ ଅନୁମତି ଦେଇଥିବା ବେଳେ ୧୨୦୯ ପ୍ରକାର ଦ୍ରବ୍ୟ ଆମଦାନୀ ଉପରେ କଟକଣା ଜାରି ରଖିଛି । 

ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟଗତ ପ୍ରତିବନ୍ଧକ ନଥିଲେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟର ପରିମାଣ ବାର୍ଷିକ ୩୭୦୦ କୋଟି ଡଲାରରେ ପହଞ୍ଚି ସାରନ୍ତାଣି, ଯାହା ବର୍ତ୍ତମାନ ଔପଚାରିକ ଭାବେ ମାତ୍ର ୨୦୦ରୁ ୩୦୦ କୋଟି ଡଲାର ମଧ୍ୟରେ ସୀମିତ । ଏହି ଦୁଇଟି ଦେଶର ମୋଟ ଘରୋଇ ଉତ୍ପାଦ ସମଗ୍ର ଦକ୍ଷିଣ-ଏସୀୟ ଦେଶଗୁଡିକର ମୋଟ ଘରୋଇ ଉତ୍ପାଦର ୮୮ ପ୍ରତିଶତ ହୋଇଥିଲେ ମଧ୍ୟ ବାଣିଜ୍ୟଗତ ପ୍ରତିବନ୍ଧକ କାରଣରୁ ଉଭୟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବାଣିଜ୍ୟ କ୍ରମଶଃ ଅପ୍ରାସଙ୍ଗିକ ହୋଇ ପଡିିଛି । ଅନୌପଚାରିକ ଭାବେ ଉଭୟ ଦେଶ ମଧ୍ୟରେ ପରୋକ୍ଷରେ ପ୍ରାୟ ୯୧ ପ୍ରତିଶତ ବାଣିଜ୍ୟ ହେଉଛି । ସାଧାରଣତଃ ଦୁଇ ପ୍ରକାରେ ଏହି ଅନୌପଚାରିକ ବାଣିଜ୍ୟ ହୋଇଥାଏ । ପ୍ରଥମ ପ୍ରକାରେ ୟୁନାଇଟେଡ ଆରବ ଏମିରେଟସ ଭଳି ଏକ ତୃତୀୟ ଦେଶ ମାଧ୍ୟମରେ ପାକିସ୍ତାନ ବା ଭାରତର ସାମଗ୍ରୀକୁ ପୁନଃ ରପ୍ତାନୀ ଜରିଆରେ ଭାରତ ବା ପାକିସ୍ତାନକୁ ପଠାଯାଉଛି । ଦ୍ୱିତୀୟ ପ୍ରକାରେ ସ୍ଥଳସୀମା ପାର କରି ସାମଗ୍ରୀର ଚୋରା କାରବାର ହେଉଛି । ଭାରତରୁ ପାକିସ୍ତାନକୁ ହେଉଥିବା ଅନୌପଚାରିକ ରପ୍ତାନୀ ସାମଗ୍ରୀ ମଧ୍ୟରେ ରହିଛି ରେଡିମେଡ ପୋଷାକ, ପ୍ରସାଧନ ସାମଗ୍ରୀ, ଗହଣା, ମସଲା, ଔଷଧ, ପଶୁସମ୍ପଦ, ଲୁଗାକଳ ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ, ଟାୟାର ଇତ୍ୟାଦି । ସେହିଭଳି ପାକିସ୍ତାନରୁ ଭାରତକୁ ଆସୁଥିବା ସାମଗ୍ରୀ ମଧ୍ୟରେ ରହିଛି ଲୁଗା, ଧୂଆଁପତ୍ର, ଡ୍ରାଏ ଫ୍ରୁଟ, ଜୋତା ଭଳି ଚମଡା ଜାତୀୟ ଜିନିଷ ।

ପାକିସ୍ତାନ ସହ ହେଉଥିବା ବାଣିଜ୍ୟ ଭାରତର ସମୁଦାୟ ବହିର୍ବାଣିଜ୍ୟର ମାତ୍ର ୦.୩୧ ପ୍ରତିଶତ ହୋଇଥିବା ବେଳେ ପାକିସ୍ତାନର ସମୁଦାୟ ବହିର୍ବାଣିଜ୍ୟର ମାତ୍ର ୩.୨ ପ୍ରତିଶତ ଭାରତ ସହ ହୋଇଥାଏ । ତେଣୁ ଏ ପରିସ୍ଥିତିରେ ପାକିସ୍ତାନ ନିକଟରୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର ଉଭୟ ଦେଶର ବାଣିଜ୍ୟ ଉପରେ ଖୁବ ବେଶି ପ୍ରଭାବ ପକାଇବା ଭଳି ଅନୁଭୂତ ହେଉ ନାହିଁ କି ତଦ୍ଦ୍ୱାରା ଉଭୟ ଦେଶର ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଦେଖା ଦେଉନାହିଁ । ଏହା କେବଳ ଏକ ମନସ୍ତାତ୍ତ୍ଵିକ ଚାପ ପ୍ରୟୋଗ ବା ଏବର ଜନ ଆକ୍ରୋଶକୁ ସାମୟିକ ପ୍ରଶମିତ କରିବା ପାଇଁ ଏକ ପଦକ୍ଷେପ ମଧ୍ୟରେ ସୀମିତ ରହି ବିଶେଷ ପ୍ରଭାବଶାଳୀ ହୋଇ ନପାରେ । କୁହାଯାଏ, ଯଦି ଆଘାତ ଦେବାର ଅଛି ତେବେ ସେଇଠି ଦିଅ, ଯେଉଁଠି ପ୍ରତିପକ୍ଷକୁ ସର୍ବାଧିକ ଯନ୍ତ୍ରଣା ଅନୁଭବ ହେବ, ଅନ୍ୟଥା ନୁହେଁ । ଯେ ପର୍ଯ୍ୟନ୍ତ ଉଭୟ ଦେଶର ଖାଉଟିଙ୍କ ମଧ୍ୟରେ ପରସ୍ପରର ସାମଗ୍ରୀ ବ୍ୟବହାର ପ୍ରତି ଆଗ୍ରହ ରହିଛି, ଆମଦାନୀ ଶୁଳ୍କ ବଢିଲେ ତାହା ସିଧାସଳଖ ପାକିସ୍ତାନ ବା ଭାରତରୁ ନ ଆସି ଅନ୍ୟ ଏକ ତୃତୀୟ ଦେଶ ମାର୍ଫତରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହୋଇଯିବ । ତେଣୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର ଅପେକ୍ଷା ଲୋକେ ସେଠାକାର ସାମଗ୍ରୀ ବ୍ୟବହାର ପ୍ରତି ବିମୁଖ ହେଲେ ହୁଏତ ପାକିସ୍ତାନ ବାଣିଜ୍ୟିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇପାରେ ଅନ୍ୟଥା ଚାଇନା ମାଲ ବିରୁଦ୍ଧରେ ଶତ ପ୍ରଚାର ସତ୍ତ୍ଵେ ତାହା ଖାଉଟିଙ୍କ ଆଦୃତି ଲାଭ କରି ଭାରତୀୟ ବଜାର ଦଖଲ କରିବାକୁ ସମର୍ଥ ହେଲା ଭଳି, ସରକାରଙ୍କ କଟକଣା ସତ୍ତ୍ଵେ ପାକିସ୍ତାନ ସାମଗ୍ରୀର ମଧ୍ୟ ଭାରତ ବଜାରରେ ଅବାଧ ବିକ୍ରି ଜାରି ରହିଥିବ । 


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍