ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ଋଣ ପ୍ରାୟ ଦୁଇଗୁଣ ବଢି ୯୧,୯୪୩ କୋଟି ଟଙ୍କା ହେବା ଓ ମୁଣ୍ଡପିଛା ଋଣ ଭାର ବୃଦ୍ଧି ପାଇ ୨୦୧୮-୧୯ରେ ୨୧,୮୯୧ ଟଙ୍କା ହୋଇଥିବାରୁ ସରକାର ତୀବ୍ର ସମାଲୋଚନାର ଶରବ୍ୟ ହେଉଥିବା ବେଳେ ଏନଡିଏ ସରକାର ଅମଳରେ ଭାରତ ସରକାରଙ୍କ ଋଣ ଭାର ୫୪.୯୦ ଲକ୍ଷ କୋଟି ଟଙ୍କାରୁ ପ୍ରାୟ ଦେଢ ଗୁଣ ବଢି ୮୩.୦୩ ଲକ୍ଷ କୋଟି ଟଙ୍କା ହୋଇଥିଲେ ମଧ୍ୟ, ତାହା ସେହିପରି ଆଲୋଚନା ହେଉନାହିିଁ । ଉଭୟଙ୍କ କ୍ଷେତ୍ରରେ ଋଣ ଭାର ଉଦବେଗଜନକ ଭାବେ ବୃଦ୍ଧି ପାଇଥିବା ପରି ଜଣା ପଡୁଥିଲେ ମଧ୍ୟ ତାହା ମୋଟ ଘରୋଇ ଉତ୍ପାଦ(ଜିଡିପି)ର କେତେ ପ୍ରତିଶତ, ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅର୍ଥନୀତି ଅଭିବୃଦ୍ଧି ହାର ତୁଳନାରେ ଯଦି ଋଣ ବୃଦ୍ଧି ହାର ଅଧିକ ହେଉଥାଏ, ତେବେ ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଦେଶର ମୋଟ ଘରୋଇ ଉତ୍ପାଦରେ ଏହି ଋଣ ଭାରର ପ୍ରତିଶତ ଜୁନ ୨୦୧୪ରେ ୪୭.୪ ଥିବା ବେଳେ ସେପ୍ଟେମ୍ବର ୨୦୧୮ରେ ୧.୩ ପ୍ରତିଶତ କମ ହୋଇ ୪୬.୧ରେ ପହଞ୍ଚିଥିବାରୁ ତାହା ଦେଶ ସ୍ତରରେ ନିୟନ୍ତ୍ରଣ ଭିତରେ ରହିଛି ବୋଲି ବୁଝିବାକୁ ହେବ । ସମାନ ଯୁକ୍ତିରେ ଓଡିଶା ସରକାରଙ୍କ ଋଣ ଭାର ମୋଟ ଘରୋଇ ଉତ୍ପାଦର ୨୦.୭୩ ପ୍ରତିଶତରେ ସୀମିତ ଥିବାରୁ ଏହା ନିୟନ୍ତ୍ରଣ ଭିତରେ ରହିଛି ବୋଲି ସ୍ୱୀକାର କରିବାକୁ ହେବ ।
ତେବେ ଋଣର ପରିମାଣ ଅପେକ୍ଷା ଋଣର ଉତ୍ସ, ସୁଧ ହାର ଓ ଅନ୍ୟ ସର୍ତ୍ତାବଳୀ ସମ୍ପର୍କରେ ବୁଝିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ସୁଧ ହାର କମ ହେଲେ, ଋଣ ଶୁଝିବା ଅପେକ୍ଷାକୃତ ସହଜ ହୋଇଥାଏ । ରାଜ୍ୟ ସରକାରଙ୍କ ପାଇଁ ଋଣର ଉତ୍ସଗୁଡିକ ହେଲା, କେନ୍ଦ୍ର, ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠି (ଏନଏସଏସଏଫ), ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ, ପ୍ରଭିଡେଣ୍ଡ ଫଣ୍ଡ ଓ ଖୋଲା ବଜାରରୁ ଋଣ । ଋଣର ଏକ ପ୍ରମୁଖ ଉତ୍ସ ହେଉଛି ନାବାର୍ଡ, ଏଲଆଇସି, ଜିଆଇସି ଭଳି ବ୍ୟାଙ୍କ ଓ ଆର୍ଥିକ ଆନୁଷ୍ଠାନଙ୍କଠାରୁ ନିଆଯାଉଥିବା ଋଣ, ଯାହାକୁ ‘ନିଗୋସିଏଟେଡ ଲୋନ’ କୁହାଯାଇଥାଏ । ତେବେ ରାଜ୍ୟ ସରକାର ଏଣିକି କେବଳ ନାବାର୍ଡର ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ରୁ ରାସ୍ତା, ପୋଲ, ଜଳସେଚନ ଓ ଅନ୍ୟାନ୍ୟ କୃଷି ଓ ଗ୍ରାମ୍ୟ ଭିତିିଭୂମିର ବିକାଶ ପାଇଁ ଋଣ ନେଉଛନ୍ତିି । ୨୦୧୭-୧୮ ସୁଦ୍ଧା ଆରଆଇଡିଏଫ ଋଣ ରାଜ୍ୟ ସରକାରଙ୍କ କରଜର ପ୍ରାୟ ୧୯ ପ୍ରତିଶତ । ଏହି ଋଣ ଉପରେ ଏ ବର୍ଷ ସୁଧ ହାର ଶତକଡା ୪.୭୫ ପ୍ରତିଶତକୁ ଖସି ଆସିଛି ଯାହା ଅନ୍ୟାନ୍ୟ ଋଣର ସୁଧ ହାର ଅପେକ୍ଷା ଯଥେଷ୍ଟ କମ । ତେଣୁ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ପାଣ୍ଠି କେବଳ ଆରଆଇଡିଏଫରୁ ନେବା ଅଧିକ ସମୀଚୀନ । ଏତଦଭିନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ସାରିବା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦିଆ ଯାଉଥିବା ଅନୁଦାନ ସହାୟତା ବ୍ୟବସ୍ଥାକୁ ଉଚ୍ଛେଦ କରି ତା ସ୍ଥାନରେ ଦୀର୍ଘ ମିଆଦି ଜଳସେଚନ ପାଣ୍ଠି (ଏଲଟିଆଇଏଫ)ରୁ ଋଣ ବ୍ୟବସ୍ଥା ପ୍ରଚଳନ କଲା ପରେ ରାଜ୍ୟ ସରକାର ଏଥି ପାଇଁ ନାବାର୍ଡ ମାଧ୍ୟମରେ ଏଲଟିଆଇଏଫରୁ ପ୍ରାୟ ଶତକଡା ୬ ହାର ସୁଧରେ ଋଣ ନେଉଛନ୍ତି । ଅନ୍ୟ ଏକ ସୁଲଭ ଋଣର ଉତ୍ସ ହେଉଛି ବାହ୍ୟ ବା ବିଦେଶୀ ସହାୟତା । ରାଜ୍ୟରେ ବିଶ୍ୱ ବ୍ୟାଙ୍କ, ଜାଇକା, ଏଡିବି ଓ କେଏଫଡବଲ୍ୟୁ ଭଳି ବିଦେଶୀ ସଂସ୍ଥାଙ୍କ ସହାୟତାରେ କେତୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ ସୁଧ ହାର ଅପେକ୍ଷାକୃତ କମ ହୋଇଥିଲେ ମଧ୍ୟ ଏଥି ସହ ବିଦେଶୀ ମୁଦ୍ରା ବିନିମୟ ମୂଲ୍ୟ ହ୍ରାସ-ବୃଦ୍ଧିର ବିପଦ ଜଡିତ । ଉଭୟ ଆରଆଇଡିଏଫ ଋଣ ଓ ବିଦେଶୀ ଋଣ ସହାୟତା ପ୍ରକଳ୍ପ ଆଧାରିତ ହୋଇଥିବାରୁ ଏହାକୁ ଭିନ୍ନ ଉଦ୍ଦେଶ୍ୟରେ ଖର୍ଚ୍ଚ କରି ହୁଏ ନାହିଁ । ପୂର୍ବେ ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠି(ଏନଏସଏସଏଫ)ରୁ ରାଜ୍ୟ ସରକାର ଋଣ ଗ୍ରହଣ କରୁଥିବା ବେଳେ ଏଥିରେ ସୁଧ ହାର ଅଧିକ ହୋଇ ବ୍ୟୟସାପେକ୍ଷ ହୋଇଥିବାରୁ ଏଣିକି ରାଜ୍ୟ ସରକାର ଆଉ ଏହି ଋଣ ନ ନେବାକୁ ସ୍ଥିର କରିଛନ୍ତି । ଅବଶ୍ୟ ସୁଧ ହାର ପୂର୍ବର ୧୦.୫ ପ୍ରତିଶତରୁ ହ୍ରାସ ପାଇ ୨୦୧୮-୧୯ରେ ୮.୨ ପ୍ରତିଶତରେ ପହଞ୍ଚିଲାଣି । ଏବେ ମଧ୍ୟ ଓଡିଶାକୁ ଆହୁରିି ପ୍ରାୟ ଦଶ ହଜାର କୋଟି ଟଙ୍କା ଏନଏସଏସଏଫ ଋଣ ଶୁଝିବାକୁ ବାକି ଅଛି । କେନ୍ଦ୍ର ସରକାରଙ୍କଠାରୁ ନୂଆ ଋଣ ନେଉ ନଥିଲେ ମଧ୍ୟ ଏବେ ବି ଓଡିଶାକୁ ଏ ବାବଦରେ ଅବଶିଷ୍ଟ ପ୍ରାୟ ୮୦୦୦ କୋଟି ଟଙ୍କା ପରିଶୋଧ କରିବାକୁ ହେବ । ରାଜ୍ୟ ସରକାରଙ୍କ ଋଣ ଆହରଣର ଅନ୍ୟ ଏକ ମୁଖ୍ୟ ଉତ୍ସ ହେଉଛି ରାଜ୍ୟ ପ୍ରଭିଡେଣ୍ଡ ଫଣ୍ଡ । ତେବେ ନୂତନ କର୍ମଚାରୀମାନେ ଏନପିଏସ ଆଇନ ଅନ୍ତର୍ଭୁକ୍ତ ହୋଇଥିବାରୁ ପ୍ରଭିଡେଣ୍ଡ ଫଣ୍ଡ ସଭ୍ୟ ସଂଖ୍ୟାରେ ବୃଦ୍ଧି ନ ହୋଇ ପାଣ୍ଠିର ଆକାର ବୃଦ୍ଧି ପାଉନାହିଁ । ଫଳରେ ସରକାର ମଧ୍ୟ ପ୍ରଭିଡେଣ୍ଡ ଫଣ୍ଡରୁ ଋଣ ପାଇବାର ସମ୍ଭାବନା ଦିନକୁ ଦିନ କମିବାରେ ଲାଗିଛି । ଅବଶ୍ୟ ଏବେ ବି ସରକାରଙ୍କ ସମୁଦାୟ ଋଣ ପରିମାଣର ପ୍ରାୟ ୨୧,୭୦୦ କୋଟି ଟଙ୍କା ଏହି ଫଣ୍ଡରୁ ମିଳିଛି ।
କେନ୍ଦ୍ରରୁ ଅନୁଦାନ ଓ ଋଣ ପରିମାଣ ସଙ୍କୁଚିତ ହେବା ଓ ନିଜସ୍ୱ ରାଜସ୍ୱ ଆଶାନୁରୂପ ହେଉ ନଥିବାରୁ ୨୦୧୪-୧୫ରୁ ଓଡିଶା ଖୋଲା ବଜାରରୁ ୠଣ ସଂଗ୍ରହ କରିବାକୁ ଏକ ରକମ ବାଧ୍ୟ ହେଉଛି । ୨୦୧୮-୧୯ରେ ଏହି ଋଣ ୨୩,୫୩୦ କୋଟି ଟଙ୍କାରେ ପହଞ୍ଚିବ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଅତୀତର ତିକ୍ତ ଅନୁଭୂତି ଯୋଗୁ ଭୀତତ୍ରସ୍ତ ପକ୍ଷୀଶାବକ ବସାରୁ ବାହାରିବାର ସାହସ ଜୁଟାଇ ନ ପାରିଲା ପରି ରାଜ୍ୟ ସରକାର ଦୀର୍ଘ ଦିନ ଧରି ଖୋଲା ବଜାରରୁ ଋଣ ଆଣିବା ସପକ୍ଷରେ ନ ଥିଲେ । ତେବେ ଏଇ କିଛି ବର୍ଷ ଧରି ଖୋଲା ବଜାରରୁ ଋଣ ଉଠାଣ ପାଇଁ ରାଜ୍ୟ ସରକାରଙ୍କ ଆଗ୍ରହରୁ ଜଣା ପଡୁଛି ସତେ ଯେମିତି ସେହି ଚଢେଇଟି ହଠାତ୍ ମୁକ୍ତ ଆକାଶରେ ବିଚରଣ କରିବା ପାଇଁ ନିର୍ଭୟ ହୋଇପଡିଛିି । ଇତି ମଧ୍ୟରେ ଖୋଲା ବଜାରରୁ ସଂଗୃହୀତ ଋଣଗୁଡିକ ଉପରେ ସର୍ବନିମ୍ନ ୬.୮୭ ରୁ ସର୍ବୋଚ୍ଚ ୮.୪୮ ପ୍ରତିଶତ ସୁଧ ଦେବାକୁ ହେଉଛି ଓ ହାରାହାରି ସୁଧ ହାର ୭.୫ ପ୍ରତିଶତରୁ ଅଧିକ । ଏହି ଋଣଗୁଡିକର ପରିଶୋଧ ସମୟ ୩ ବର୍ଷରୁ ୨୦ ବର୍ଷ ମଧ୍ୟରେ ହୋଇଥିଲେ ମଧ୍ୟ ଏଥିରୁ ପ୍ରାୟ ପଚାଶ ଭାଗର ପରିଶୋଧ ସମୟ ୧୦ ବର୍ଷ ବା ତାଠାରୁ ଅଧିକ । ଏହି ଧରଣ ଋଣର ଏକ ଦୁର୍ଗୁୁଣ ହେଉଛି ଏହା ପ୍ରକଳ୍ପରେ ବିନିଯୋଗ ନ ହୋଇ ବିତ୍ତୀୟ ନିଅଣ୍ଟ ପରିଚାଳନାରେ ମଧ୍ୟ ବିନିଯୋଗ ହୋଇପାରେ । ଆଗାମୀ ଦିନରେ ଖୋଲା ବଜାରରୁ ଋଣ ସଂଗ୍ରହ ବୃଦ୍ଧି ପାଇ ତାହା ସରକାରଙ୍କ ଋଣ ପରିଶୋଧ କ୍ଷମତାକୁ ସଙ୍କୁଚିତ କରିବ । ୨୦୧୩-୧୪ ବେଳକୁ ସମଗ୍ର ଋଣ ଉପରେ ରାଜ୍ୟକୁ ମାତ୍ର ୨୮୮୮ କୋଟି ଟଙ୍କା ସୁଧ ଦେବାକୁ ହୋଇଥିବା ବେଳେ ୨୦୧୭-୧୮ରେ ତାହା ୫୦୦୦ କୋଟି ଟଙ୍କା ଛୁଇଁ ସାରିଲାଣି । ପୁନଶ୍ଚ, ସରକାର ବିଭିନ୍ନ ସଂସ୍ଥା ଲାଗି ୨,୨୫୬ କୋଟି ଟଙ୍କାର ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରିଛନ୍ତି ।
ରାଜ୍ୟରେ ଋଣ ଭାର ବୃଦ୍ଧି ନେଇ ଉଦବେଗ ପ୍ରକାଶ ପାଇଲେ ସରକାରଙ୍କ ତରଫରୁ ଉନ୍ନତ ବିତ୍ତୀୟ ପରିଚାଳନାର ଦ୍ୱାହି ଦେଇ କୁହାଯାଉଛି ଯେ ଏବେ ମଧ୍ୟ ମୋଟ ଋଣ-ମୋଟ ରାଜ୍ୟ ଘରୋଇ ଉତ୍ପାଦର ପ୍ରତିଶତ ଏଫଆରବିଏମ ଆଇନ,୨୦୦୫ ଅନୁମୋଦିତ ୨୫ ପ୍ରତିଶତରୁ ଯଥେଷ୍ଟ କମ । ଉଲ୍ଲେଖଯୋଗ୍ୟ, ବର୍ଷ ୨୦୧୮-୧୯ ପାଇଁ ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ଓ ଅଣ ଟିକସ ରାଜସ୍ୱ ଯଥାକ୍ରମେ ମାତ୍ର ୨୮,୫୫୦ କୋଟି ଓ ୧୦,୩୦୦ କୋଟି ଟଙ୍କା । ସରକାର ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ସେଭଳି ସଫଳତା ହାସଲ କରି ପାରି ନଥିବାରୁ ସେଥି ପ୍ରତି ଅଧିକ ଗୁରୁତ୍ୱ ନ ଦେଇ ଋଣ ଗ୍ରହଣ ଉପରେ ଗୁରୁତ୍ୱ ଦେଲେ ତାହା ରାଜ୍ୟର ଆର୍ଥିକ ଅବସ୍ଥାକୁ ପୁଣି ବିପର୍ଯ୍ୟୟ ଆଡକୁ ଟାଣି ନେବ । ଏଫଆରବିଏମ ଆଇନ ପ୍ରଣୟନ ପୂର୍ବରୁ ୨୦୦୨-୦୩ରେ ଓଡିଶା ଋଣ ଓ ଋଣ ପରିଶୋଧ କ୍ଷେତ୍ରରେ ଏକ ‘ଅତି ଚାପଗ୍ରସ୍ତ ରାଜ୍ୟ’ ଭାବେ ପରିଗଣିତ ହେଉଥିଲା । ଏଫଆରବିଏମ ଆଇନ ପ୍ରଚଳନ ପୂର୍ବରୁ ମୋଟ ଋଣ-ମୋଟ ରାଜ୍ୟ ଘରୋଇ ଉତ୍ପାଦର ହାରାହାରି ପ୍ରତିଶତ ୩୯.୯୧ ଥିବା ବେଳେ ଉନ୍ନତ ଆର୍ଥିକ ସୁପରିଚାଳନା ଯୋଗୁ ତାହା ପରବର୍ତୀ ସମୟରେ ୨୩.୫୭ ପ୍ରତିଶତକୁ ହ୍ରାସ ପାଇଛି । କିନ୍ତୁ ଋଣ ପରିଚାଳନାରେ ସତର୍କତା ଅବଲମ୍ବନ ଜାରି ନ ରହିଲେ ଆର୍ଥିକ ସ୍ଥିତିରେ ଦ୍ରୁତ ଅବନତି ଘଟିପାରେ ।
ଯେ କୌଣସି ନିର୍ବାଚିତ ସରକାର ୫ ବର୍ଷ ଶାସନ କରିବାକୁ ଜନାଦେଶ ପାଉଥିବାରୁ ତାଠାରୁ ଅଧିକ ଅବଧିର ବା ଦୀର୍ଘ ମିଆଦି ଋଣ ନେବା ସମୀଚୀନ କି ? ଏହା ପରବର୍ତ୍ତୀ ସରକାରଙ୍କ ଋଣ ଆହରଣ କ୍ଷମତାକୁ ସଙ୍କୁଚିତ କରୁଥିବାରୁ ତାହା ପରୋକ୍ଷରେ ଜନାଦେଶର ଅତିକ୍ରମଣ ନୁହେଁ କି ? ତେବେ ପ୍ରକଳ୍ପ ଆଧାରିତ ଦୀର୍ଘ ମିଆଦି ଋଣ ନିଆ ଯାଇପାରେ ହେଲେ ସ୍ୱଳ୍ପ ମିଆଦି ବିତ୍ତୀୟ ପରିଚାଳନା ବା ନିଅଣ୍ଟ ହ୍ରାସ କରିବା ପାଇଁ କୌଣସି ମତେ ଦୀର୍ଘ ମିଆଦି ଋଣ ନେବାକୁ ସମର୍ଥନ କରାଯାଇ ନ ପାରେ । ଏଥି ସହିତ ଭବିଷ୍ୟତର ସମ୍ଭାବ୍ୟ ଆୟ ଓ ବ୍ୟୟକୁ ଆଖିରେ ରଖି ବର୍ଷଓ୍ଵାରୀ ମୂଳ ଓ ସୁଧ ବାବଦ ଋଣ ପରିଶୋଧ କ୍ଷମତାକୁୁ ବିଚାରକୁ ନେଇ ଋଣ ନେବା ଉଚିତ । ପ୍ରତି ଥର ଋଣ ନେଲା ବେଳେ ଋଣ ରାଶି, ଉଦ୍ଦେଶ୍ୟ, ସୁଧ ହାର ଓ ଅନ୍ୟ ସର୍ତ୍ତାବଳୀ ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇବା ସଙ୍ଗେସଙ୍ଗେ, କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପ୍ରତି ୩ ମାସରେ ଥରେ ରାଜ୍ୟର ଋଣ ସଂକ୍ରାନ୍ତୀୟ ସର୍ବଶେଷ ତଥ୍ୟ ବିଭାଗୀୟ ଓ୍ଵେବସାଇଟରେ ପ୍ରକାଶ କରିବା ଦରକାର ।
ଋଣ ଗ୍ରହଣ କରିବା କିଛି ଖରାପ ନୁହେଁ । ଋଣର ସଦୁପଯୋଗ ମାଧ୍ୟମରେ ହିଁ ରାଜ୍ୟ ସମୃଦ୍ଧିଶାଳୀ ହୋଇପାରିଥାଏ । କିନ୍ତୁ ଋଣର ଦୁରୁପଯୋଗ ହୋଇ ମୁଣ୍ଡ ପିଛା ଋଣଭାର ବୃଦ୍ଧି ସହ ରାଜ୍ୟକୁ ଋଣଜନ୍ତା ଆଡକୁ ମୁହାଁଇ ନେବାର କୌଣସି ଅପଚେଷ୍ଟା, ଆଦୌ ସ୍ପୃହଣୀୟ ନୁହେଁ । କାରଣ, ରାଜ୍ୟ ରାଜକୋଷର ସୁପରିଚାଳନା ପାଇଁ ଶାସକ ଓ ପ୍ରଶାସକମାନେ ଜନତାଙ୍କ ଦ୍ୱାରା କେବଳ ତତ୍ତ୍ଵାବଧାରକ ଭାବେ ସ୍ୱଳ୍ପ ଅବଧି ପାଇଁ ଅଧିକୃତ ହୋଇଥିବାରୁ ଜନତା ସଜଗ ରହିଲେ ସେମାନଙ୍କ ସମ୍ଭାବ୍ୟ ଅନିୟନ୍ତ୍ରିତ ଋଣ ଆହରଣ ଉପରେ ଅଙ୍କୁଶ ଲାଗି ପାରିବ ।
Published in Odia daily Sambad on 16 February 2019.
Published in Odia daily Sambad on 16 February 2019.
Comments
Post a Comment