ଦେଶର ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩
ଲକ୍ଷ କୋଟି ଟଙ୍କା ଟପିଲା ବୋଲି ଅର୍ଥମନ୍ତ୍ରୀ ଏ ବର୍ଷ ବଜେଟ ଅଭିଭାଷଣରେ ଘୋଷଣା କରିବା ମାତ୍ରେ
ସଂସଦରେ ତାକୁ ହର୍ଷୋଲ୍ଲାସର ସହ ସ୍ଵାଗତ କରାଗଲା l ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରତିରକ୍ଷା
ବାବଦକୁ ୩.୧୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଶତକଡା ୭ ଭାଗ
ଅଧିକ l ତେବେ ପରିମାଣ ଦୃଷ୍ଟିରୁ ଏହି ଆବଣ୍ଟିତ ରାଶି ଅଧିକ ଭଳି ଜଣା ପଡୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ
ସେଥି ମଧ୍ୟରୁ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ (କ୍ୟାପିଟାଲ ଏକସପେଣ୍ଡିଚର) ଆବଣ୍ଟିତ ରାଶି ଆଦୌ ଯଥେଷ୍ଟ
ନୁହେଁ l ଉଦାହରଣ ସ୍ଵରୂପ, ୨୦୧୩-୧୪ରେ ପ୍ରତିରକ୍ଷା ବାବଦରେ ପ୍ରାୟ ୨.୦୯ ଲକ୍ଷ କୋଟି ଟଙ୍କା ବ୍ୟୟ
ହୋଇଥିବା ବେଳେ ତନ୍ମଧ୍ୟରୁ ପ୍ରାୟ ୮୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ବାବଦରେ ବ୍ୟୟ ହୋଇଥିଲା
l ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ବଜେଟ ପ୍ରାୟ ଏକ ଲକ୍ଷ ଦଶ ହଜାର କୋଟି ଟଙ୍କା ବଢିଥିଲେ
ମଧ୍ୟ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ ଆବଣ୍ଟନରେ ସେଭଳି ବୃଦ୍ଧି ପରିଲକ୍ଷିତ ହୋଇନାହିଁ l ପ୍ରତିରକ୍ଷା
ବିଭାଗର ଦରମା ଓ ଅନ୍ୟାନ୍ୟ ରାଜସ୍ଵ ବ୍ୟୟ ବାବଦରେ ଅର୍ଥ ବରାଦରେ ଯଥେଷ୍ଟ ବୃଦ୍ଧି ଘଟିଛି, ହେଲେ
ପୁଞ୍ଜି ବିନିଯୋଗ ବାବଦରେ ଅର୍ଥ ବରାଦ ମାତ୍ର ୨୮ ହଜାର କୋଟି ଟଙ୍କା ବଢିଛି, ଯାହା ଏହି ସମୟ ମଧ୍ୟରେ ହୋଇଥିବା ମୁଦ୍ରାସ୍ଫୀତିକୁ
ବିଚାରକୁ ନେଲେ ନଗଣ୍ୟ ହେବ l ଏନଡିଏ ସରକାର ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ୨୦୧୩-୧୪ରେ ପ୍ରତିରକ୍ଷା
ବଜେଟର ଶତକଡା ୩୮.୪୩ ଭାଗ ପୁଞ୍ଜି ବିନିଯୋଗ ବାବଦରେ ବ୍ୟୟ ହେଉଥିବା ବେଳେ ତାହା ଏହି ପାଞ୍ଚ ବର୍ଷ
ମଧ୍ୟରେ ଉଦବେଗଜନକ ଭାବେ ହ୍ରାସ ପାଇ ୨୦୧୯-୨୦ରେ ଶତକଡା ୩୪.୨ ଭାଗରେ ପହଞ୍ଚିଲାଣି l
୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୩.୧୯ ଲକ୍ଷ
କୋଟି ଟଙ୍କାର ପ୍ରତିରକ୍ଷା ବଜେଟ ରାଶି ମଧ୍ୟରୁ ସ୍ଥଳ ସେନା, ଜଳସେନା ଓ ବାୟୁସେନା ପାଇଁ ଯଥାକ୍ରମେ
୫୪, ୧୪ ଓ ୩୨ ପ୍ରତିଶତ ଅର୍ଥ ବରାଦ ହୋଇଛି l ସଂଖ୍ୟା ଦୃଷ୍ଟିରୁ ସ୍ଥଳ ସେନାରେ ଅଧିକ ସଂଖ୍ୟକ ସୈନ୍ୟ
ଥିବାରୁ ସେମାନଙ୍କ ଦରମା ବାବଦକୁ ସ୍ଥଳ ସେନାର ଅଧିକ ରାଜସ୍ଵ ବ୍ୟୟ ହୋଇଥାଏ l ତିନୋଟି ଯାକ ବାହିନୀକୁ
ମାତ୍ର ୧.୦୮ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ ବାବଦ ବ୍ୟୟ ପାଇଁ ଆବଣ୍ଟିତ ହୋଇଛି, ଯାହା ସେମାନଙ୍କ
ପୂର୍ବର ପ୍ରତିବଦ୍ଧ ବ୍ୟୟ (କମିଟେଡ ଏକ୍ସପେଣ୍ଡିଚର)ର ପ୍ରତିପୂର୍ତ୍ତି ପାଇଁ ମଧ୍ୟ ଯଥେଷ୍ଟ ନୁହେଁ l ଏଥି ମଧ୍ୟରେ ସନ୍ନିବେଶିତ ରହିଛି ଭାରତୀୟ ବାୟୁ ସେନା
ପାଇଁ କିଣା ହେବାକୁ ଥିବା ୩୬ଟି ରାଫେଲ ଜେଟ ବିମାନ, ଯାହାକୁ ନେଇ ସାରା ଦେଶରେ ଏବେ ରାଜନୈତିକ ଝଡ
ଲାଗି ରହିଛି l ଏତଦଭିନ୍ନ ବାୟୁ ସେନା ପାଇଁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ, ଚିନୁକ ହେଭି ଲିଫ୍ଟ
ହେଲିକପ୍ଟର, ଆପାଚେ ଆଟାକ ହେଲିକପ୍ଟର ଆଦି ଆହରଣ ଲାଗି ଚୁକ୍ତି ସ୍ଵାକ୍ଷରିତ ହୋଇସାରିଛି, ଯେଉଁଥିପାଇଁ
ପାଣ୍ଠିର ଆବଶ୍ୟକତା ରହିଛି l
ଭାରତୀୟ ସେନାବାହିନୀର ଜଣେ ବରିଷ୍ଠ ଅଧିକାରୀଙ୍କ
ଅନୁସାରେ ସ୍ଥଳବାହିନୀ ନିକଟରେ ଥିବା ଯୁଦ୍ଧ ସରଞ୍ଜାମର ୬୮ ପ୍ରତିଶତ ପୁରାତନ (ଭିଣ୍ଟେଜ) ଶ୍ରେଣୀର
ହୋଇଥିବା ବେଳେ ୨୪ ପ୍ରତିଶତ ଆଧୁନିକ ଓ ମାତ୍ର ୮ ପ୍ରତିଶତ ଅତ୍ୟାଧୁନିକ ଶ୍ରେଣୀର l କେବଳ ସ୍ଥଳସେନା
ନୁହେଁ, ବରଂ ଉଭୟ ଜଳସେନା ଓ ବାୟୁସେନା କ୍ଷେତ୍ରରେ ମଧ୍ୟ ଆଧୁନିକ ଉପକରଣ ଓ ଯାନବାହାନର ଉତ୍କଟ ଅଭାବ
ଅନୁଭୂତ ହେଉଛି l କର୍ତ୍ତବ୍ୟରତ ଅବସ୍ଥାରେ ୨୦୧୪ରୁ ୨୦୧୬ ମଧ୍ୟରେ
୨୯୭ଜଣ ସୈନ୍ୟଙ୍କର ପ୍ରାଣହାନି ହୋଇଥିଲା ବେଳେ ୩୩୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ବୋଲି ସଂସଦରେ
ତଥ୍ୟ ଉପସ୍ଥାପିତ ହୋଇଥିଲା l ବୁଲେଟ ପ୍ରୁଫ ଜାକେଟ ଉପଲବ୍ଧ ଥିଲେ ହୁଏତ ଏମାନଙ୍କ ମଧ୍ୟରୁ ଅନେକଙ୍କ
ଜୀବନ ରକ୍ଷା କରାଯାଇ ପାରିଥାନ୍ତା l ଖୁସିର କଥା, ଦୀର୍ଘ ଦିନର ପ୍ରତୀକ୍ଷା ପରେ ୨୦୧୮ରେ ସୈନ୍ୟମାନଙ୍କୁ
୧.୮୬ ଲକ୍ଷ ଵୁଲେଟ ପ୍ରୁଫ ଜାକେଟ ଯୋଗାଇ ଦେବାକୁ ସ୍ଥିର ହୋଇ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି
l ସେହିପରି ଦୁର୍ଘଟଣା ଯୋଗୁ ବାୟୁସେନାର ପୁରୁଣା ମିଗ ଓ ମିରାଜ ଯୁଦ୍ଧ ବିମାନର ଅନେକ କୁଶଳୀ ପ୍ରଶିକ୍ଷିତ
ଫାଇଟର ପାଇଲଟଙ୍କ ପ୍ରାଣହାନି ହେଉଥିବାର ଦୁଃଖଦ ଖବରମାନ ନିୟମିତ ଭାବେ ଶୁଣିବାକୁ ମିଳୁଛି l ଏହିପରି
ଅନେକ ଉପକରଣର କାର୍ଯ୍ୟକାଳ ପୂରି ଯାଇଥିଲେ ମଧ୍ୟ ତାକୁ ଯେନତେନ ପ୍ରକାରେଣ କାର୍ଯ୍ୟକ୍ଷମ କରି କାମଚଳା
କରାଯାଉଥିବାରୁ ସୈନ୍ୟମାନେ ମୃତାହତ ହେଉଛନ୍ତି l ପୁନଶ୍ଚ, ପୂର୍ବେ କେବଳ ପାରମ୍ପରିକ ଶତୃ ପାକିସ୍ତାନର
ମୁକାବିଲା କରିବାକୁ ପଡୁଥିଲା ବେଳେ ଏଣିକି ଚୀନ ଭଳି ଏକ ବୃହତ୍ ଶକ୍ତି ମଝିରେ ମଝିରେ ଡୋକଲାମ ଓ
ଲଦ୍ଦାଖ ଅଞ୍ଚଳରେ ଅନୁପ୍ରବେଶ କରୁଥିବାରୁ ତାହା ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି l କେବଳ
ସୀମା ସଂଲଗ୍ନ ଅଞ୍ଚଳ ନୁହେଁ ବରଂ ଭାରତ ମହାସାଗର କ୍ଷେତ୍ରରେ ମଧ୍ୟ ଉତ୍ତେଜନା ଲାଗି ରହି ଦେଶର ପ୍ରତିରକ୍ଷା
ପ୍ରସ୍ତୁତି ପ୍ରତି ଆହ୍ଵାନ ସୃଷ୍ଟି କରୁଛି l ପ୍ରତିରକ୍ଷା ବଜେଟ ମୋଟ ଘରୋଇ ଉତ୍ପାଦର ମାତ୍ର ୧.୪୯
ପ୍ରତିଶତ, ଯାହା ୧୯୬୨ ମସିହାର ଚୀନ ଯୁଦ୍ଧ ପୂର୍ବବର୍ତ୍ତୀ ସମୟର ପ୍ରତିରକ୍ଷା ବାବଦ ବ୍ୟୟ ତୁଳନାରେ
ମଧ୍ୟ କମ l ସଂସଦୀୟ ସ୍ଥାୟୀ କମିଟି ପ୍ରତିରକ୍ଷା ବ୍ୟୟକୁ ମୋଟ ଘରୋଇ ଉତ୍ପାଦର ଶତକଡା ୩ ପ୍ରତିଶତକୁ
ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି l ଭାରତୀୟ ସ୍ଥଳ ସେନା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର, ଲଢୁଆ
ବାହାନ (କମ୍ଵାଟ ଭେହିକଲ), ଯୁଦ୍ଧ ଟ୍ୟାଙ୍କର ଆବଶ୍ୟକତା ଥିବା ବେଳେ, ବାୟୁ ସେନା ପାଇଁ ଆଧୁନିକ
ଯୁଦ୍ଧ ବିମାନର ଆବଶ୍ୟକତା ରହିଛି l ସେହିପରି ଜଳସେନା ପାଇଁ ଆଧୁନିକ ଯୁଦ୍ଧ ଜାହାଜ ଓ ପରମାଣୁ ଅସ୍ତ୍ର
ସଜ୍ଜିତ ବୁଡାଜାହାଜର ଆବଶ୍ୟକତା ରହିଛି l ଏ ଭଳି ପରିସ୍ଥିତିରେ ସେନାବାହିନୀର ଦ୍ରୁତ ଆଧୁନିକୀକରଣର
ଆବଶ୍ୟକତା ଅନୁଭୂତ ହେଉଥିଲେ ମଧ୍ୟ ପ୍ରତିରକ୍ଷା ବଜେଟରେ କ୍ୟାପିଟାଲ ଏକସପେଣ୍ଡିଚର ବାବଦକୁ ପାଣ୍ଠି
ଅଭାବରୁ ସେନାବାହିନୀ ପାଇଁ ଆବଶ୍ୟକତା ଅନୁସାରେ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ଆହରଣ କରାଯାଇ
ପାରୁନାହିଁ l ଅବଶ୍ୟ ଏହା ସତ୍ୟ ଯେ ପ୍ରତିରକ୍ଷା ବାବଦ ବ୍ୟୟ ଯେତିକି ଅଧିକ ହୁଏ, ଶିକ୍ଷା, ସ୍ଵାସ୍ଥ୍ୟ
ଓ ଅନ୍ୟାନ୍ୟ ସେବା ଓ ଭିତ୍ତିଭୂମିର ବିକାଶ ପାଇଁ ଅର୍ଥର ଉପଲବ୍ଧତା ହ୍ରାସ ପାଇ ସେଗୁଡିକ ଅଣଦେଖା
ହୋଇଥାଏ l
ପୂର୍ବ ବର୍ଷ ତୁଳନାରେ ୨୦୧୯-୨୦ରେ ବଜେଟର ଆକାର
୧୩.୩୦ ପ୍ରତିଶତ ବଢିଥିବା ବେଳେ ପ୍ରତିରକ୍ଷା ବଜେଟର ଆକାର ମାତ୍ର ୭ ପ୍ରତିଶତ ବଢିଛି l ଅବଶ୍ୟ ପ୍ରତିରକ୍ଷା
ବଜେଟ ସମଗ୍ର ବଜେଟର ପ୍ରାୟ ୧୧ ପ୍ରତିଶତ ହୋଇଥିବାରୁ ପ୍ରତିରକ୍ଷା ବାବଦରେ ଏତେ ଅଧିକ ଅର୍ଥ ବ୍ୟୟ
ହେବାର ଔଚିତ୍ୟ ଉପରେ କେହି କେହି ପ୍ରଶ୍ନ ଉଠାଇଥାନ୍ତି l ଦେଶର ପ୍ରତିରକ୍ଷା ପାଇଁ ସର୍ବନିମ୍ନ ଖର୍ଚ୍ଚ
ହୋଇ ଦେଶର ସୀମା ସୁରକ୍ଷିତ ରହି ପାରିଲେ ସବୁଠାରୁ ଭଲ ହୁଅନ୍ତା l ତେବେ ତାହା ଏକ ଆଦର୍ଶ ସ୍ଥିତି
ହୋଇଥିଲେ ମଧ୍ୟ ଆଦୌ ବ୍ୟାବହାରିକ ନୁହେଁ କାରଣ ଭାରତ ଭଳି ଏକ ବିରାଟ ଦେଶର ସୀମାକୁ ସୁରକ୍ଷିତ ରଖିବା
ପାଇଁ ଏକ ବିଶାଳ ସେନା ମୁତୟନର ଆବଶ୍ୟକତା ଥିବାରୁ ସେମାନଙ୍କୁ ଦରମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା
ସୁଯୋଗ ଯୋଗାଇ ଦେବା ପାଇଁ ଅଜସ୍ର ଅର୍ଥ ବ୍ୟୟ ହେବା ସ୍ଵାଭାବିକ l ହେଲେ ସେମାନଙ୍କୁ ଆଧୁନିକ ହତିଆର
ଓ ଉପକରଣରେ ସୁସଜ୍ଜିତ ନ କଲେ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଥାଏ ଓ ସେମାନଙ୍କ ଉଚିତ ଢଙ୍ଗରେ
ଶତୃ ଆକ୍ରମଣର ମୁକାବିଲା କରିବା କ୍ଷମତା ମଧ୍ୟ ସଙ୍କୁଚିତ ହୋଇଥାଏ l
ପ୍ରଶ୍ନ ଉଠିବା ସ୍ଵାଭାବିକ, ଦେଶ ପାଇଁ ବୁଲେଟ ଟ୍ରେନ ବେଶି
ଜରୁରୀ ନା ବୁଲେଟ ପ୍ରୁଫ ଜାକେଟ l ବୁଲେଟ ପ୍ରୁଫ ଜାକେଟ ହେଉଛି ସେନାବାହିନୀର ଆଧୁନିକୀକରଣ ପାଇଁ
ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର, ଉପକରଣ, ଯାନବାହାନ ଆଦିର ପର୍ଯ୍ୟାୟବାଚୀ l ଅବଶ୍ୟ କେହି କେହି ମତ ବ୍ୟକ୍ତ
କରି ପାରନ୍ତି ଯେ ଦେଶ ପାଇଁ ଉଭୟ ବୁଲେଟ ଟ୍ରେନ ଓ ବୁଲେଟ ପ୍ରୁଫ ଜାକେଟ ଜରୁରୀ ହୋଇଥିବାରୁ ଉଭୟ
ହେବା ଆବଶ୍ୟକ l ତେବେ ସମ୍ଵଳର ସୀମିତତା ଦୃଷ୍ଟିରୁ ନୀତି ନିର୍ଦ୍ଧାରକଙ୍କୁ ପ୍ରାଥମିକତା ସ୍ଥିର
କରି ଗୋଟିଏକୁ ଅଗ୍ରାଧିକାର ଦେବାକୁ ହେବ l ତଦନୁସାରେ ଦେଶର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମୁଷ୍ଟିମେୟ
ଯାତ୍ରୀଙ୍କ ପାଇଁ ଯାତ୍ରାର ବିକଳ୍ପ ଉପଲବ୍ଧ ଥାଇ ଏକ ଲକ୍ଷ ଦଶ ହଜାର କୋଟି ଟଙ୍କାର ବ୍ୟୟବହୁଳ ବୁଲେଟ
ଟ୍ରେନର ପରିକଳ୍ପନା ଅପେକ୍ଷା ସୈନ୍ୟମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ଯେ ସରକାରଙ୍କ
ପ୍ରାଥମିକତା ହେବା ଉଚିତ, ତାହା ଯେ କେହି କହିବ l ନିଜ ଜୀବନକୁ ପାଣି ଛଡାଇ ସୀମାରେ ଦିନରାତି ମୁତୟନ
ରହି ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା ସୈନ୍ୟଙ୍କ ପାଇଁ ଦେଶବାସୀ କେବଳ ଗର୍ବ କରିବା ଓ ସେମାନଙ୍କୁ
ଉତ୍ସାହ ପ୍ରଦାନ କରିବା ଯଥେଷ୍ଟ ହେବନାହିଁ l ସେମାନଙ୍କ ପାଇଁ ଉଚିତ ଅସ୍ତ୍ରଶସ୍ତ୍ର ଓ ଉପକରଣର ପ୍ରାବଧାନ
ନ କରି ସେମାନଙ୍କୁ ଅସହାୟ ଭାବେ ପ୍ରତିପକ୍ଷର ମୁକାବିଲା କରିବା ପାଇଁ ଠେଲି ଦେବା କେତେ ଦୂର ସମୀଚୀନ
? ତେଣୁ ସରକାର ଅଗ୍ରାଧିକାର ଭିତ୍ତିରେ ପ୍ରତିରକ୍ଷା ବଜେଟ ବୃଦ୍ଧି ସହ ସେଥିରେ ପୁଞ୍ଜି ବିନିଯୋଗ
ବାବଦ ବ୍ୟୟ ପାଇଁ ଅଧିକ ରାଶି ଆବଣ୍ଟନ କରି ଦେଶର ପ୍ରତିରକ୍ଷା ପ୍ରସ୍ତୁତି ପ୍ରତି ଅଧିକ ଗୁରୁତ୍ଵ
ଦେବା ବାଞ୍ଛନୀୟ l
Published in Odia daily Sambad on February 20, 2019
Comments
Post a Comment