ଜାମ୍ମୁ-କାଶ୍ମୀରର ପୁଲଓ୍ଵାମାଠାରେ କ୍ରୁର ଆତଙ୍କବାଦୀ ଆକ୍ରମଣର ବିଭୀଷିକା ପରେ ଭାରତ ସରକାର ପାକିସ୍ତାନଠାରୁ ‘ମୋଷ୍ଟ ଫେଭର୍ଡ ନେସନ’ (ଏମଏଫଏନ) ବା ‘ସର୍ବାଧିକ ପସନ୍ଦର ଦେଶ’ ମାନ୍ୟତା ପ୍ରତ୍ୟାହାର କରିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କଲେ । ବର୍ଷ ବର୍ଷ ଧରି ପାକିସ୍ତାନ ସହ ଶତୃତା ଲାଗି ରହିଥିବା ବେଳେ ପାକିସ୍ତାନ କିପରି ଭାରତର ସର୍ବାଧିକ ପସନ୍ଦର ଦେଶ ହୋଇ ରହିଥିଲା, ଏମଏଫଏନ ମାନ୍ୟତା ପ୍ରତ୍ୟାହାରର ଅର୍ଥ କଣ ଓ ଉଭୟ ଦେଶ ଉପରେ ଏହାର କି ପ୍ରଭାବ ପଡିବାକୁ ଯାଉଛି, ତାହା ବିଶ୍ଳେଷଣର ଅପେକ୍ଷା ରଖେ ।
ବିଶ୍ୱ ସ୍ତରରେ ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ ସୁଗମ ଓ ବୃଦ୍ଧି କରିବା ପାଇଁ ପ୍ରତିଷ୍ଠିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବଲ୍ୟୁଟିଓ)ର ଶୁଳ୍କ ଓ ବାଣିଜ୍ୟ ପାଇଁ ସାଧାରଣ ଚୁକ୍ତି (ଗାଟ)ର ଧାରା ୧ ଅନୁଯାୟୀ ସଦସ୍ୟ ରାଷ୍ଟ୍ରମାନେ ପରସ୍ପରକୁ ଏମଏଫଏନ ମାନ୍ୟତା ପ୍ରଦାନ କରିଥାନ୍ତି । ଏହା ଦ୍ୱାରା ଉଭୟ ମାନ୍ୟତା ପ୍ରଦାନ କରୁଥିବା ଓ ପାଉଥିବା ଦେଶ ସେମାନଙ୍କ ବାଣିଜ୍ୟିକ ଆଚରଣକୁ ଏ ଭଳି ସଞ୍ଚାଳନ କରିଥାନ୍ତି ଯେପରି ଅନ୍ୟ ଦେଶ ତୁଳନାରେ ମାନ୍ୟତା ପାଇଥିବା ଦେଶଟି ବୈଷମ୍ୟର ଶିକାର ହୋଇ ନଥାଏ । ମାନ୍ୟତା ପ୍ରଦାନ କରୁଥିବା ଦେଶଟି ମାନ୍ୟତା ପାଉଥିବା ଦେଶକୁ ବାଣିଜ୍ୟ କ୍ଷେତ୍ରରେ କେତେକ ରିହାତି, ସୁବିଧା ଓ ସଂରକ୍ଷଣ ପ୍ରଦାନ କରିଥାଏ । ଫଳରେ ମାନ୍ୟତା ପାଇଥିବା ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କରେ ରିହାତି ମିଳିଥାଏ । ଏଥି ସହିତ ସେହି ଦେଶରୁ ଅଧିକ ପରିମାଣରେ ସାମଗ୍ରୀ ଆମଦାନୀ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ସାଧାରଣତଃ ଏମଏଫଏନ ମାନ୍ୟତା ପାଇବା ପରେ ସମ୍ପୃକ୍ତ ଦେଶ ମାନ୍ୟତା ପ୍ରଦାନ କରିଥିବା ଦେଶକୁ ପାରସ୍ପରିକ ଭିତ୍ତିରେ ସେହି ମାନ୍ୟତା ପ୍ରଦାନ କରିଥାଏ ।
ବିଶ୍ୱ ବାଣିଜ୍ୟ ସଂଗଠନ ପ୍ରତିଷ୍ଠାର ବର୍ଷକ ପରେ ୧୯୯୬ରେ ଭାରତ ପାକିସ୍ତାନକୁ ‘ମୋଷ୍ଟ ଫେଭର୍ଡ ନେସନ’ ମାନ୍ୟତା ପ୍ରଦାନ କରିଥିଲା । ଆଶା କରାଯାଉଥିଲା ପାରସ୍ପରିକ ସହଯୋଗକୁ ସୁଦୃଢ କରିବା ପାଇଁ ପାକିସ୍ତାନ ମଧ୍ୟ ଭାରତକୁ ସେହି ମାନ୍ୟତା ପ୍ରଦାନ କରିବ, ଯାହା ହେଲାନାହିଁ । ଅବଶ୍ୟ ଭାରତକୁ ଏହି ମାନ୍ୟତା ପ୍ରଦାନ କରିବା ପାଇଁ ୨୦୧୨ ମସିହାରେ ପାକିସ୍ତାନ କ୍ୟାବିନେଟରେ ନିଷ୍ପତ୍ତି ଗୃହୀତ ହୋଇ ମଧ୍ୟ ତାହା କାର୍ଯ୍ୟକାରି ହୋଇ ପାରିଲା ନାହିଁ । ଏହାର ଅନ୍ୟତମ କାରଣ ଥିଲା ଉର୍ଦ୍ଦୁରେ ‘ମୋଷ୍ଟ ଫେଭରଡ ନେସନ’ର ଆକ୍ଷରିକ ଅର୍ଥ ‘ସବସେ ପସନ୍ଦିଦା ଦେଶ’ ବା ସର୍ବାଧିକ ପସନ୍ଦର ଦେଶ । ଭାରତକୁ ଏହି ମାନ୍ୟତା ପ୍ରଦାନ କରାଯାଉଥିବା ବିଷୟଟି ସେଠାରେ ଲୋକଙ୍କ ଭ୍ରୁକୁଂଚନ ସୃଷ୍ଟି କଲା ଓ ସେଠାକାର ଗଣମାଧ୍ୟମରେ ଆଲୋଚନାର ବିଷୟ ହୋଇ ତାହା ଆଉ ଆଗେଇ ପାରିଲା ନାହିଁ । ପାକିସ୍ତାନ ସହ ସମ୍ପର୍କ ଯେତେବେଳେ ତିକ୍ତ ହୋଇଛି, ସେତେବେଳେ ତା ନିକଟରୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରି ନେବା ପାଇଁ ଭାରତରେ ଦାବି ଅଧିକ ଶାଣିତ ହୋଇଛି । ଏପରିକି ୨୦୧୬ ମସିହା ଉରି ଆକ୍ରମଣ ସମୟରେ ମଧ୍ୟ ସେହି ଦାବି ଜୋର ଧରିଥିଲା, ଯାହା ପୁଲଓ୍ଵାମା ଆକ୍ରମଣ ପରେ କାର୍ଯ୍ୟରେ ପରିଣତ ହେଲା । ଏହି ମାନ୍ୟତା ପ୍ରତ୍ୟାହାରର ଅର୍ଥ ହେଉଛି ଭାରତରେ ପାକିସ୍ତାନ ସାମଗ୍ରୀକୁ ମିଳୁଥିବା ଶୁଳ୍କ ରିହାତି, ମୁକ୍ତ ବଜାର ଓ ଅବାଧ ପ୍ରବାହ ଉପରେ ତାତ୍କାଳିକ ଭାବେ ନିୟନ୍ତ୍ରଣ ଲଗାଇ ସେଗୁଡିକର ବିକ୍ରିବଟାକୁ ନିରୁତ୍ସାହିତ କରିବା । ଫଳରେ ପାକିସ୍ତାନ ଭାରତ ବଜାରକୁ ହରାଇବ ଓ ତାର ବହିର୍ବାଣିଜ୍ୟ ପ୍ରତି ଏକ ଶକ୍ତ ଧକ୍କା ଲାଗି ଅର୍ଥନୀତି କ୍ଷତିଗ୍ରସ୍ତ ହେବ । ବିଶ୍ୱ ବାଣିଜ୍ୟ ସଂଗଠନର ଧାରା ୨୧ ଅନୁଯାୟୀ ଯେ କୌଣସି ଦେଶ ସୁରକ୍ଷାଗତ କାରଣରୁ ଅନ୍ୟ ଦେଶ ନିକଟରୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରି ନେଇ ପାରିବ ଓ ବିଶ୍ୱ ବାଣିଜ୍ୟ ସଂଗଠନକୁ ଏହାର କାରଣ ମଧ୍ୟ ଜଣାଇବା ଜରୁରୀ ନୁହେଁ । ତାଛଡା ପାକିସ୍ତାନ ଭାରତକୁ ଏ ଯାଏଁ ଏମଏଫଏନ ମାନ୍ୟତା ପ୍ରଦାନ କରି ନଥିବାରୁ ସେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଏ ନେଇ ଆପତ୍ତି ମଧ୍ୟ କରିପାରିବ ନାହିଁ । ସାଧାରଣତଃ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟମାନେ ଶୁଳ୍କ ଲାଗୁ କଲା ବେଳେ ‘ବାଧ୍ୟ ଦର’ (ବାଉଣ୍ଡ ରେଟ)ର ସିଲିଂ ବା ଆକଟ ମଧ୍ୟରେ ରହିଥାନ୍ତି । ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ଜିନିଷ ଉପରେ ଭାରତ ବାଧ୍ୟ ଦରଠାରୁ ମଧ୍ୟ ଅଧିକ ଶୁଳ୍କ ଲାଗୁ କରି ପାରିବ । ଭାରତ କ୍ଷେତ୍ରରେ ଏହି ବାଧ୍ୟ ଦର କୃଷିଜାତ ସାମଗ୍ରୀ ପାଇଁ ୧୧୩.୫ ପ୍ରତିଶତ ହୋଇଥିବା ବେଳେ ଅଣ କୃଷିଜାତ ସାମଗ୍ରୀ ପାଇଁ ୩୪.୬ ପ୍ରତିଶତ ଥିଲା । ତେବେ ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ୨୦୦ ପ୍ରତିଶତକୁ ବଢାଇ ଦିଆଗଲା । ଏହା ଦ୍ୱାରା ପାକିସ୍ତାନୀ ସାମଗ୍ରୀଗୁଡିକର ଅହେତୁକ ଦର ବୃଦ୍ଧି ହୋଇ ଭାରତ ବଜାରରେ ତାହା ଆଦୃତି ହରାଇବ ବୋଲି ଆଶା କରାଯାଉଛି । ଏହି କ୍ରମରେ ଭାରତ ବନ୍ଦର କଟକଣା, ଅଣ-ଶୁଳ୍କ ଉପାୟ, ସାମଗ୍ରୀ ନିଷେଧ ଭଳି ଅନ୍ୟ କେତେକ ଅର୍ଥନୈତିକ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ଚିନ୍ତା କରୁଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଯଥାକ୍ରମେ ୨୨୭ କୋଟି ଓ ୨୪୧କୋଟି ଡଲାର ମୂଲ୍ୟର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥିଲା । ୨୦୧୭-୧୮ରେ ପାକିସ୍ତାନରୁ ଭାରତକୁ ମାତ୍ର ୪୯ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଥିଲା ବେଳେ ଭାରତରୁ ପାକିସ୍ତାନକୁ ପ୍ରାୟ ଚାରିଗୁଣ, ଅର୍ଥାତ ୧୯୨ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଥିଲା । ତେଣୁ ବାଣିଜ୍ୟ କଟକଣା ଲାଗୁ ହେଲେ ପାକିସ୍ତାନ ତୁଳନାରେ ଭାରତର ଅଧିକ କ୍ଷତି ହେବ ବୋଲି ବିଶେଷଜ୍ଞଙ୍କ ମତ । ଉଭୟ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ମଧ୍ୟରୁ ପ୍ରାୟ ୧୦୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ସ୍ଥଳ ପଥରେ ଆଟାରି-ଓ୍ଵାଘା ଫାଟକ ଦେଇ ହେଉଛି । ଉଭୟ ଦେଶ ମଧ୍ୟରେ ଥିବା ବନ୍ଦର କଟକଣା ଓ ଦ୍ରବ୍ୟ କଟକଣା ଯୋଗୁ ଅତୀତରେ ମଧ୍ୟ ବାଣିଜ୍ୟ ବୃଦ୍ଧି ହୋଇ ପାରିନାହିଁ । ପାକିସ୍ତାନ ସ୍ଥଳ ପଥ ଦେଇ ଭାରତରୁ ମାତ୍ର ୧୩୮ଟି ଦ୍ରବ୍ୟ ଆମଦାନୀ କରିବାକୁ ଅନୁମତି ଦେଇଥିବା ବେଳେ ୧୨୦୯ ପ୍ରକାର ଦ୍ରବ୍ୟ ଆମଦାନୀ ଉପରେ କଟକଣା ଜାରି ରଖିଛି ।
ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟଗତ ପ୍ରତିବନ୍ଧକ ନଥିଲେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟର ପରିମାଣ ବାର୍ଷିକ ୩୭୦୦ କୋଟି ଡଲାରରେ ପହଞ୍ଚି ସାରନ୍ତାଣି, ଯାହା ବର୍ତ୍ତମାନ ଔପଚାରିକ ଭାବେ ମାତ୍ର ୨୦୦ରୁ ୩୦୦ କୋଟି ଡଲାର ମଧ୍ୟରେ ସୀମିତ । ଏହି ଦୁଇଟି ଦେଶର ମୋଟ ଘରୋଇ ଉତ୍ପାଦ ସମଗ୍ର ଦକ୍ଷିଣ-ଏସୀୟ ଦେଶଗୁଡିକର ମୋଟ ଘରୋଇ ଉତ୍ପାଦର ୮୮ ପ୍ରତିଶତ ହୋଇଥିଲେ ମଧ୍ୟ ବାଣିଜ୍ୟଗତ ପ୍ରତିବନ୍ଧକ କାରଣରୁ ଉଭୟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବାଣିଜ୍ୟ କ୍ରମଶଃ ଅପ୍ରାସଙ୍ଗିକ ହୋଇ ପଡିିଛି । ଅନୌପଚାରିକ ଭାବେ ଉଭୟ ଦେଶ ମଧ୍ୟରେ ପରୋକ୍ଷରେ ପ୍ରାୟ ୯୧ ପ୍ରତିଶତ ବାଣିଜ୍ୟ ହେଉଛି । ସାଧାରଣତଃ ଦୁଇ ପ୍ରକାରେ ଏହି ଅନୌପଚାରିକ ବାଣିଜ୍ୟ ହୋଇଥାଏ । ପ୍ରଥମ ପ୍ରକାରେ ୟୁନାଇଟେଡ ଆରବ ଏମିରେଟସ ଭଳି ଏକ ତୃତୀୟ ଦେଶ ମାଧ୍ୟମରେ ପାକିସ୍ତାନ ବା ଭାରତର ସାମଗ୍ରୀକୁ ପୁନଃ ରପ୍ତାନୀ ଜରିଆରେ ଭାରତ ବା ପାକିସ୍ତାନକୁ ପଠାଯାଉଛି । ଦ୍ୱିତୀୟ ପ୍ରକାରେ ସ୍ଥଳସୀମା ପାର କରି ସାମଗ୍ରୀର ଚୋରା କାରବାର ହେଉଛି । ଭାରତରୁ ପାକିସ୍ତାନକୁ ହେଉଥିବା ଅନୌପଚାରିକ ରପ୍ତାନୀ ସାମଗ୍ରୀ ମଧ୍ୟରେ ରହିଛି ରେଡିମେଡ ପୋଷାକ, ପ୍ରସାଧନ ସାମଗ୍ରୀ, ଗହଣା, ମସଲା, ଔଷଧ, ପଶୁସମ୍ପଦ, ଲୁଗାକଳ ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ, ଟାୟାର ଇତ୍ୟାଦି । ସେହିଭଳି ପାକିସ୍ତାନରୁ ଭାରତକୁ ଆସୁଥିବା ସାମଗ୍ରୀ ମଧ୍ୟରେ ରହିଛି ଲୁଗା, ଧୂଆଁପତ୍ର, ଡ୍ରାଏ ଫ୍ରୁଟ, ଜୋତା ଭଳି ଚମଡା ଜାତୀୟ ଜିନିଷ ।
ପାକିସ୍ତାନ ସହ ହେଉଥିବା ବାଣିଜ୍ୟ ଭାରତର ସମୁଦାୟ ବହିର୍ବାଣିଜ୍ୟର ମାତ୍ର ୦.୩୧ ପ୍ରତିଶତ ହୋଇଥିବା ବେଳେ ପାକିସ୍ତାନର ସମୁଦାୟ ବହିର୍ବାଣିଜ୍ୟର ମାତ୍ର ୩.୨ ପ୍ରତିଶତ ଭାରତ ସହ ହୋଇଥାଏ । ତେଣୁ ଏ ପରିସ୍ଥିତିରେ ପାକିସ୍ତାନ ନିକଟରୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର ଉଭୟ ଦେଶର ବାଣିଜ୍ୟ ଉପରେ ଖୁବ ବେଶି ପ୍ରଭାବ ପକାଇବା ଭଳି ଅନୁଭୂତ ହେଉ ନାହିଁ କି ତଦ୍ଦ୍ୱାରା ଉଭୟ ଦେଶର ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଦେଖା ଦେଉନାହିଁ । ଏହା କେବଳ ଏକ ମନସ୍ତାତ୍ତ୍ଵିକ ଚାପ ପ୍ରୟୋଗ ବା ଏବର ଜନ ଆକ୍ରୋଶକୁ ସାମୟିକ ପ୍ରଶମିତ କରିବା ପାଇଁ ଏକ ପଦକ୍ଷେପ ମଧ୍ୟରେ ସୀମିତ ରହି ବିଶେଷ ପ୍ରଭାବଶାଳୀ ହୋଇ ନପାରେ । କୁହାଯାଏ, ଯଦି ଆଘାତ ଦେବାର ଅଛି ତେବେ ସେଇଠି ଦିଅ, ଯେଉଁଠି ପ୍ରତିପକ୍ଷକୁ ସର୍ବାଧିକ ଯନ୍ତ୍ରଣା ଅନୁଭବ ହେବ, ଅନ୍ୟଥା ନୁହେଁ । ଯେ ପର୍ଯ୍ୟନ୍ତ ଉଭୟ ଦେଶର ଖାଉଟିଙ୍କ ମଧ୍ୟରେ ପରସ୍ପରର ସାମଗ୍ରୀ ବ୍ୟବହାର ପ୍ରତି ଆଗ୍ରହ ରହିଛି, ଆମଦାନୀ ଶୁଳ୍କ ବଢିଲେ ତାହା ସିଧାସଳଖ ପାକିସ୍ତାନ ବା ଭାରତରୁ ନ ଆସି ଅନ୍ୟ ଏକ ତୃତୀୟ ଦେଶ ମାର୍ଫତରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହୋଇଯିବ । ତେଣୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର ଅପେକ୍ଷା ଲୋକେ ସେଠାକାର ସାମଗ୍ରୀ ବ୍ୟବହାର ପ୍ରତି ବିମୁଖ ହେଲେ ହୁଏତ ପାକିସ୍ତାନ ବାଣିଜ୍ୟିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇପାରେ ଅନ୍ୟଥା ଚାଇନା ମାଲ ବିରୁଦ୍ଧରେ ଶତ ପ୍ରଚାର ସତ୍ତ୍ଵେ ତାହା ଖାଉଟିଙ୍କ ଆଦୃତି ଲାଭ କରି ଭାରତୀୟ ବଜାର ଦଖଲ କରିବାକୁ ସମର୍ଥ ହେଲା ଭଳି, ସରକାରଙ୍କ କଟକଣା ସତ୍ତ୍ଵେ ପାକିସ୍ତାନ ସାମଗ୍ରୀର ମଧ୍ୟ ଭାରତ ବଜାରରେ ଅବାଧ ବିକ୍ରି ଜାରି ରହିଥିବ ।
Very logical analysis!
ReplyDeleteThanks a lot.
Delete