Skip to main content

ମିଶନରୁ ଛତ୍ରଭଙ୍ଗ ଯାଏଁ

କର୍ଣ୍ଣାଟକ ପରେ ଓଡିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ ଯେଉଁଠାରେ ୨୦୧୩-୧୪ରୁ ସାଧାରଣ ବଜେଟ ସହ ଏକ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହୋଇ ଆସୁଛି । ଗତ ଛଅ ବର୍ଷ ମଧ୍ୟରେ କୃଷି ବଜେଟର ଆକାର ୭,୧୬୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୬,୭୬୫ କୋଟି ଟଙ୍କାରେ ପହଞ୍ଚିଲାଣି । କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସାଧାରଣରେ ପ୍ରତ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରସ୍ତୁତ କୃଷି ବଜେଟରେ ପ୍ରତି ବର୍ଷ ନୂଆ ନୂଆ ଆକର୍ଷଣୀୟ ଯୋଜନା ଓ ମିଶନମାନ ଘୋଷଣା ହୋଇ ଆସୁଛି । କୃଷି ଓ କୃଷକ ସଶକ୍ତିକରଣ ପାଇଁ ଦାବି କରୁଥିବା ସରକାର ଏହି ମିଶନ ଓ ଯୋଜନାଗୁଡିକ ମାଧ୍ୟମରେ କୃଷକଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଆସୁଥିଲେ ମଧ୍ୟ ବାସ୍ତବ ପକ୍ଷେ ଏଗୁଡିକ ଚାଷୀଙ୍କ ସ୍ୱାର୍ଥ ହାସଲ ଦିଗରେ କେତେ ସହାୟକ ହୋଇଛି, ତାହା ସମୀକ୍ଷାର ବିଷୟ ।
ଏକ ସଚିବସ୍ତରୀୟ ଟାସ୍କଫୋର୍ସ ଆଧାରରେ ୨୦୧୫-୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଆଳୁ ମିଶନର ବିଫଳତା ବାସ୍ତବିକ ଚିନ୍ତାଜନକ । ତିନି ବର୍ଷ ମଧ୍ୟରେ ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏହି ମିଶନର ଲକ୍ଷ୍ୟ ଥିଲା । ତଦନୁସାରେ ଆଳୁ ଚାଷକୁ ୧୫ ହଜାର ହେକ୍ଟରରୁ ବଢାଇ ୬୦ ହଜାର ହେକ୍ଟର କରିବା ସହ ଉତ୍ପାଦନକୁ ଅଢେଇ ଲକ୍ଷ ଟନରୁ ବଢାଇ ୧୧ ଲକ୍ଷ ୨୫ ହଜାର ଟନରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସମ୍ପ୍ରସାରଣ ଓ ଗବେଷଣା, ବିହନ ଉତ୍ପାଦନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଭଳି ସାତଟି ଭିନ୍ନଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇ ୨୦୧୫-୧୬ ବଜେଟରେ ୫୦ କୋଟି ଟଙ୍କାର ଅର୍ଥ ବରାଦ ହୋଇଥିଲା ବେଳେ ଏଥିପାଇଁ ୨୦୧୬-୧୭ ଓ ୨୦୧୭-୧୮ରେ ଯଥାକ୍ରମେ ୬୦ କୋଟି ଓ ୨୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ଓ ୨୦୧୮-୧୯ ବଜେଟରେ ତାହା ମାତ୍ର ଦୁଇ କୋଟି ଟଙ୍କାରେ ସୀମିତ ରହିଲା । ଆଳୁ ଉତ୍ପାଦନ ହେଉ ବା ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆଳୁ ମିଶନର କୌଣସି ଗୋଟିଏ ଲକ୍ଷ୍ୟ ପୂରଣ ହୋଇ ନଥିଲେ ମଧ୍ୟ ସରକାର ତାଙ୍କ ଆଳୁ ମିଶନ ଲକ୍ଷ୍ୟରୁ ଓହରି ଯାଇଥିବା ଭଳି ମନେ ହେଉଛି । 
ରାଜ୍ୟରେ ଅଭାବୀ ପରିସ୍ଥିତି ସମୟରେ ଦରରେ ସ୍ଥିରତା ରଖି ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ପାଇଁ ଚାରି ଲକ୍ଷ ଟନର ଏକ ଗଚ୍ଛିତ ଭଣ୍ଡାର (ବଫର ଷ୍ଟକ) ସୃଷ୍ଟି କରି ତାକୁ ପରିଚାଳନା କରିବା ଦାୟିତ୍ୱ ରାଜ୍ୟ ଯୋଗାଣ ବିଭାଗ ଉପରେ ନ୍ୟସ୍ତ ଥିଲା ଓ ଏଥିପାଇଁ ୨୦୧୫-୧୬ରେ ୫୦ କୋଟି ଟଙ୍କାର ଏକ ଘୂର୍ଣ୍ଣାୟମାନ ପାଣ୍ଠି ଗଠିତ ହୋଇଥିଲା । ଏହି ଯୋଜନା ଦୁଇ ବର୍ଷ କାର୍ଯ୍ୟ କଲା ପରେ ସରକାର ୨୦୧୭-୧୮ରୁ ନିଜ ବଫର ଷ୍ଟକ ପ୍ରତିବଦ୍ଧତାରୁ ଓହରିଗଲେ ଓ ଏଥିପାଇଁ ଆଉ କୌଣସି ଅର୍ଥ ବରାଦ ହେଲାନାହିଁ । ବିଭିନ୍ନ ସମୟରେ ଆଳୁ ଦର ହୁ ହୁ ହୋଇ ବଢିଲା ବେଳେ ରାଜ୍ୟରେ ଆଳୁର ଗଚ୍ଛିତ ଭଣ୍ଡାର ପାଇଁ ସରକାରୀ ପ୍ରଚେଷ୍ଟାର ଅଭାବ ଅନୁଭୂତ ହୋଇଥାଏ । ସରକାରଙ୍କ ନୀତି ଓ ନିଷ୍ପତ୍ତିରେ ଧାରାବାହିକତାର ଅଭାବରୁ ଖାଉଟି ହନ୍ତସନ୍ତ ହୋଇଥାନ୍ତି ।
କୃଷି ଭିତ୍ତିକ ଷ୍ଟାର୍ଟ-ଅପ କମ୍ପାନୀଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୬-୧୭ ବଜେଟରେ ‘କୃଷିର ଉନ୍ନତି ପାଇଁ ତ୍ୱରିତ ପୁଞ୍ଜି ବ୍ୟବସ୍ଥା’ ନାମକ ଏକ ନୂଆ କାର୍ଯ୍ୟକ୍ରମ ଘୋଷଣା ହୋଇ ସେଥିପାଇଁ ୧୦ କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା ହୋଇଥିଲା । ପରବର୍ତ୍ତୀ ଦୁଇଟି ବଜେଟରେ ସେ ନେଇ କୌଣସି ଉଲ୍ଲେଖ ବା ଅର୍ଥ ବରାଦ ନ ହୋଇ କାର୍ଯ୍ୟକ୍ରମଟିକୁ ଆଉ ଆଗେଇବାକୁ ଦିଆଗଲା ନାହିଁ । ଫଳରେ ଏହି ଧରଣର ଷ୍ଟାର୍ଟ-ଅପ କମ୍ପାନୀ ବାବଦରେ ସରକାରୀ ଆଭିମୁଖ୍ୟର ସ୍ପଷ୍ଟତା ଅଭାବରେ ରାଜ୍ୟରେ କୃଷି ଭିତ୍ତିକ ଷ୍ଟାର୍ଟ-ଅପ ପ୍ରତିଷ୍ଠା ଗତିଶୀଳ ହୋଇପାରିନାହିଁ । ଠିକ ସେହିପରି ୨୦୧୬-୧୭ ବଜେଟରେ କୃଷକମାନଙ୍କୁ ବ୍ୟବସାୟ ପାଇଁ ସଂଗଠିତ କରିବା ପାଇଁ ‘କୃଷକ ଉତ୍ପାଦ ସଂଘକୁ ସହାୟତା’ ନାମକ ଅନ୍ୟ ଏକ କାର୍ଯ୍ୟକ୍ରମ ଘୋଷଣା ହୋଇ ୫ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା । ଚାଷୀମାନଙ୍କୁ ଉତ୍ପାଦ ସଂଘ (ଫାର୍ମରସ ପ୍ରଡ୍ୟୁସର ଅର୍ଗାନାଇଜେସନ) ଜରିଆରେ ସଂଗଠିତ କରି ବଜାର ସହ ସଂଯୋଗ କରାଇବା ଥିଲା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ତେବେ ୨୦୧୭-୧୮ ବଜେଟରେ ଏଥିପାଇଁ ଅର୍ଥ ବରାଦ ନ ହେବାରୁ ଏହି କାର୍ଯ୍ୟକ୍ରମ ପ୍ରତି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଲୁଚକାଳି ଖେଳିଲା ପରି ୨୦୧୮-୧୯ ବଜେଟରେ ଏ ବାବଦରେ ପୁଣି ୫ କୋଟି ଟଙ୍କା ବରାଦ ହୋଇଛି । ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ଅସଂଗଠିତ ଚାଷୀଙ୍କୁ ତୁରନ୍ତ ଉତ୍ପାଦ ସଂଘ ଜରିଆରେ ସଂଗଠିିତ କରି ସେମାନଙ୍କୁ ସେମାନଙ୍କ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବାରେ ସହାୟତା ପ୍ରଦାନ କରିବାର ଆବଶ୍ୟକତା ଥିବାରୁ ସରକାର ଏହି କାର୍ଯ୍ୟଟିକୁ ମିଶନ ଭିତ୍ତି (ମୋଡ୍)ରେ କରିବେ ବୋଲି ଆଶା କରା ଯାଉଥିଲା, ଯାହା ହୋଇନାହିଁ । ଫଳ ଓ ପନିପରିବା ବିପଣନ ପାଇଁ ଏକ କମ୍ପାନୀ ପ୍ରତିଷ୍ଠା ହେବା କଥା ୨୦୧୬-୧୭ ବଜେଟରେ ଘୋଷଣା ହୋଇ ସେଥିପାଇଁ ୫ କୋଟି ଟଙ୍କାର ଅର୍ଥ ବରାଦ ହୋଇଥିଲା । କମ୍ପାନୀ ପ୍ରତିଷ୍ଠାର ଅଗ୍ରଗତି ସମ୍ପର୍କରେ କୌଣସି ସୂଚନା ନାହିଁ କି ପରବର୍ତ୍ତୀ ଦୁଇଟି ବଜେଟରେ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ମଜାର କଥା ହେଉଛି, ଭୁବନେଶ୍ୱରଠାରେ ଏକ ଫୁଲ ବଜାର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ୨୦୧୬-୧୭ ବଜେଟରେ ୫ କୋଟି ଟଙ୍କା ବରାଦ ହୋଇଥିଲା, ଯାହା ପର ବର୍ଷ ୧୦ କୋଟି ଟଙ୍କାକୁ ବଢାଇ ଦିଆଗଲା । ରାଜଧାନୀରେ ସରକାରଙ୍କ ଘୋଷିତ ଫୁଲ ବଜାରର ଦର୍ଶନ ନଥିଲେ ମଧ୍ୟ ୨୦୧୮-୧୯ ବଜେଟରେ ଏଥିପାଇଁ ମାତ୍ର ହଜାରେ ଟଙ୍କା ବରାଦ ହେବାର ଅର୍ଥ ସରକାର ତାଙ୍କ ଘୋଷିତ କାର୍ଯ୍ୟକ୍ରମରୁ ଓହରିବାକୁ କୁଣ୍ଠା ପ୍ରକାଶ କରିନାହାନ୍ତି ।
ଆଧୁନିକ କୃଷି ପଦ୍ଧତି ପ୍ରତି ଚାଷୀଙ୍କ ଆଗ୍ରହ ବଢାଇବା ପାଇଁ ଘରୋଇ ପୁଞ୍ଜି ଲଗାଣକୁ ବଢାଇବା ଉଦ୍ଦେଶ୍ୟରେ ୨୦୧୩-୧୪ରେ ଦୀର୍ଘ ମିଆଦି ବ୍ୟାଙ୍କ କୃଷି ଋଣ ଉପରେ ସରକାର ଶତକଡା ୫ ଭାଗ ପର୍ଯ୍ୟନ୍ତ ସୁଧ ରିହାତି କଥା ଘୋଷଣା କରି ଅର୍ଥ ବରାଦ କରିଥିଲେ ଓ ତାହା ୨୦୧୬-୧୭ ଯାଏଁ ଜାରିଥିଲା । ହେଲେ ପର ଦୁଇଟି ବଜେଟରେ ସେଥିପାଇଁ ଅର୍ଥ ବରାଦ ନ ହୋଇ କୃଷି କ୍ଷେତ୍ରରେ ଦୀର୍ଘ ମିଆଦି ଘରୋଇ ପୁଞ୍ଜି ଲଗାଣ ବାଧାପ୍ରାପ୍ତ ହୋଇଛି ।
ରାଜ୍ୟବାସୀଙ୍କୁ ଗପ ଶୁଣାଇବା ଭଳି ଶିଳ୍ପ ସଂସ୍ଥାମାନଙ୍କ ଆର୍ଥିକ ସହାୟତାରେ ଏକ ଜଳ ସଂରକ୍ଷଣ ପାଣ୍ଠି ଗଠିତ ହୋଇଛି ବୋଲି ୨୦୧୬-୧୭ ବଜେଟ ଅଭିଭାଷଣରେ ଘୋଷଣା ହୋଇଥିଲା, ଯେଉଁଥିରେ ଉପର ମୁଣ୍ଡରେ ବ୍ୟାରେଜ, ନଦୀବନ୍ଧ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥାପନ କରି ସ୍ୱଳ୍ପ ବୃଷ୍ଟି ସମୟରେ ଜଳ ଯୋଗାଇ ଦେବାର ପ୍ରତିଶ୍ରୁତି ଥିଲା । ଏହା ବଜେଟ ବହିର୍ଭୁତ ଅର୍ଥ ହୋଇଥିଲେ ମଧ୍ୟ ଏହାର ଆକାର ଓ ଉପଯୋଗ ସମ୍ପର୍କରେ କୌଣସି ଉଲ୍ଲେଖ ନଥିଲା । ପରବର୍ତ୍ତୀ ଦୁଇଟି ବଜେଟରେ ଏ ସମ୍ପର୍କରେ ଉଲ୍ଲେଖ ନ ରହିିବା ଦ୍ୱାରା ସ୍ପଷ୍ଟ ହେଉଛି ହୁଏତ ସରକାରଙ୍କ ଘୋଷିତ ଏହି ପାଣ୍ଠିରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ କୌଣସି ଶିଳ୍ପ ସଂସ୍ଥା ଆଗଭର ହୋଇ ନାହାନ୍ତି ବା ପାଣ୍ଠି ସଂଗ୍ରହ ପାଇଁ ସରକାର ଆନ୍ତରିକ ଉଦ୍ୟମ କରିନାହାନ୍ତି ।
କୃଷି ପାଇଁ ଏକ ସ୍ୱତନ୍ତ୍ର ବିଦ୍ୟୁତ ଫିଡର ଲାଇନ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୧୩-୧୪ ବଜେଟରେ ‘ଓଡିଶା ଉତ୍ସର୍ଗୀକୃତ କୃଷି ଓ ମତ୍ସ୍ୟ ଫିଡର’ (ଓଡାଫପ) ନାମକ ଏକ ନୂତନ ଯୋଜନା ଘୋଷଣା କରାଯାଇ ସେଥିପାଇଁ ଶକ୍ତି ବିଭାଗକୁ ଶକ୍ତି ବିଭାଗକୁ ୧୫୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା । ଉଠା ଜଳସେଚନ ପ୍ରକଳ୍ପ ଓ ମତ୍ସ୍ୟ କ୍ଷେତ୍ରରେ ଚାଷୀମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା । ଏଥିପାଇଁ ୨୦୧୪-୧୫ ବଜେଟରେ ମଧ୍ୟ ୧୦୦ କୋଟି ଟଙ୍କାର ବରାଦ ଥିଲା । ଉତ୍ସର୍ଗୀକୃତ କୃଷି ଫିଡର ପାଇଁ ୧୧୧ଟି ପୁଂଜ (କ୍ଲଷ୍ଟର) ଓ ଉତ୍ସର୍ଗୀକୃତ ମତ୍ସ୍ୟ ଫିଡର ପାଇଁ ୧୮ଟି ପୁଂଜ ଚିହ୍ନଟ ହୋଇଥିବାର ସୂଚନା ଦିଆଯାଇଥିଲା । ଅଜଣା କାରଣରୁ ଏହା ସରକାରଙ୍କ ପ୍ରାଥମିକତା ହରାଇଲା ଓ ୨୦୧୫-୧୬ରେ ଏଥିପାଇଁ ମାତ୍ର ଏକ ଲକ୍ଷ ଟଙ୍କାର ଟୋକନ ରାଶି ଆବଣ୍ଟିତ ହେବା ପରେ ପରବର୍ତ୍ତୀ ତିନିଟି ବଜେଟରୁ ସମ୍ପୂର୍ଣ୍ଣ ଉଭାନ ହୋଇଗଲା ।
କୌଣସି ମିଶନ ବା ନୂଆ ଯୋଜନା ଘୋଷଣା ହେବା ପରେ ତାହା ସରକାରଙ୍କ ପ୍ରାଥମିକତା ପାଲଟିବା ଆଶା କରାଯାଏ । ହେଲେ ବିଗତ ଛଅ ବର୍ଷର କୃଷି ବଜେଟରେ ଘୋଷିତ ଏହିପରି କେତେକ କାର୍ଯ୍ୟକ୍ରମ ଅଲୋଡା ହୋଇଯାଇଛି । ଦୀର୍ଘ କାଳୀନ କୃଷି ଯୋଜନାଗୁଡିକର କ୍ରିୟାନ୍ୱୟନରେ ସରକାରଙ୍କ ଟ୍ରାକ ରେକର୍ଡ ସେତେଟା ଉତ୍ସାହଜନକ ହୋଇନଥିବାରୁ ଭବିଷ୍ୟତରେ ‘କାଳିଆ’ ଯୋଜନାର କ୍ରିୟାନ୍ୱୟନରେ ଯେ ସେହି ଭଳି ଆନ୍ତରିକତାର ଅଭାବ ଦେଖା ନ ଦେବ, ତାହା କିଏ କହିବ । ରାଜକୋଷରୁ ପ୍ରଚୁର ଅର୍ଥ ବ୍ୟୟ ହେଉଥିବାରୁ କୌଣସି ଯୋଜନାର ବିଫଳତାରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ ହୋଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ । ତରବରିଆ ଭାବେ ନୂଆ ଯୋଜନା ଘୋଷଣା ନ କରି ବିଶେଷଜ୍ଞଙ୍କ ସହାୟତାରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଗଲେ ସଫଳତାର ସମ୍ଭାବନା ଅଧିକ ହୋଇଥାଏ । ଅନ୍ୟଥା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମିଶନ ବା ଅଭିଯାନରୁ ଆରମ୍ଭ ହେବ ସିନା ହେଲେ ଶେଷରେ ଛତ୍ରଭଙ୍ଗ ଆଡକୁ ମୁହାଁଇବା କିଛି ବିଚିତ୍ର ନୁହେଁ ।                         

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍