Skip to main content

ଚାଷ ଋଣ ଛାଡ ନା ‘କାଳିଆ’

ଓଡିଶା ସମେତ ସାରା ଭାରତରେ ଚାଷୀ ସଂଗଠନଗୁଡିକ ଚାଷ ଋଣ ଛାଡ ପାଇଁ ଦାବି ଉଠାଇବା ଓ ବିଭିନ୍ନ ରାଜ୍ୟରେ ଋଣ ଛାଡ ଘୋଷଣା ହେବା ପରେ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଓଡିଶା ସରକାର ଚାଷ ଋଣ ଛାଡ ଘୋଷଣା କରିବାକୁ ବାଧ୍ୟ ହେବେ ବୋଲି ଅନେକଙ୍କ ଧାରଣା ଥିଲା l ଠିକ୍ ଏତିକିବେଳେ ସରକାର ଚାଷ ଋଣ ଛାଡ ନ କରି ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ ଆଣ୍ଡ ଇନକମ ଅଗମେଣ୍ଟେସନ) ଯୋଜନା ଘୋଷଣା କରିବା କେବଳ ଯେ ସମସ୍ତଙ୍କୁ ଚକିତ କଲା ତାହା ନୁହେଁ, ବରଂ ଏହା ନବୀନଙ୍କ ଆଉ ଏକ ଗୁଗଲି ବୋଲି କେହି କେହି କହିଲେ l ଋଣଛାଡ ହେଲେ ରାଜ୍ୟର ମାତ୍ର ଆଠ ଲକ୍ଷ ଚାଷୀ ଉପକୃତ ହେଉଥିବାରୁ ସରକାର ଋଣଛାଡ ପ୍ରତି ଗୁରୁତ୍ଵ ଦେଲେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଗଲା l ତେବେ ସାରା ଭାରତରେ ଚାଷ ଋଣ ଛାଡ ଯୁକ୍ତି ସଙ୍ଗତ ହୋଇଥିଲା ବେଳେ ଓଡିଶାରେ ଏହା ଅଯୌକ୍ତିକ କିପରି ? ସରକାରଙ୍କ ଯୁକ୍ତି ହେଉଛି ଓଡିଶାରେ ଚାଷ ଋଣ ନେଇଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ନିୟମିତ ଭାବେ ଶତକଡା ୬୦ ଭାଗ ଚାଷୀ ଋଣ ପରିଶୋଧ କରିଥାନ୍ତି ଓ ଅବଶିଷ୍ଟ ୮ ଲକ୍ଷ ଚାଷୀ ଋଣ ଶୁଝି ନଥାନ୍ତି l ଏ ଯୁକ୍ତିଟି ଅର୍ଦ୍ଧ ସତ୍ୟ ଉପରେ ଆଧାରିତ l ତେଣୁ ସତ୍ୟର ନିକଟବର୍ତ୍ତୀ ହେବା ପାଇଁ ୨୦୧୭-୧୮ ବର୍ଷ ପାଇଁ ଓଡିଶା ରାଜ୍ୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ପ୍ରଦତ୍ତ ତଥ୍ୟକୁ ତର୍ଜମା କରାଯାଇପାରେ l
ଚାଷୀମାନଙ୍କୁ ସାଧାରଣତଃ ଦୁଇ ପ୍ରକାର କୃଷି ଋଣ ମିଳିଥାଏ, ସ୍ଵଳ୍ପ ମିଆଦି ଚାଷ ଋଣ ଏବଂ କୃଷି ସଂକ୍ରାନ୍ତୀୟ ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ମିଆଦି କୃଷି ଋଣ l ଋଣ ଛାଡ ପ୍ରସଙ୍ଗ ଉଠିଲେ ମୁଖ୍ୟତଃ ସ୍ଵଳ୍ପ ମିଆଦି ଚାଷ ଋଣ କଥା ହିଁ ଉଠିଥାଏ l ବର୍ଷକୁ ଦୁଇ ଥର, ଖରିଫ ଚାଷ ପାଇଁ ଅପ୍ରେଲ ପହିଲାରୁ ୩୦ ସେପ୍ଟେମ୍ଵର ମଧ୍ୟରେ ଓ ରବି ଚାଷ ପାଇଁ ଅକ୍ଟୋବର ପହିଲାରୁ ୩୧ ମାର୍ଚ୍ଚ ମଧ୍ୟରେ ଋଣ ମିଳିଥାଏ l ଖରିଫ ଋଣ ଆଦାୟର ଶେଷ ତାରିଖ ୩୧ ମାର୍ଚ୍ଚ ହୋଇଥିବା ବେଳେ ରବି ଚାଷ ପାଇଁ ୩୦ ଜୁନ l ଏହି ନିର୍ଦ୍ଧାରିତ ତାରିଖ ସୁଦ୍ଧା ଋଣ ପରିଶୋଧ କରି ପାରୁ ନଥିବା ଚାଷୀ ଖିଲାପି ହୋଇଥାନ୍ତି l ଓଡିଶାରେ ୨୦୧୭-୧୮ ବର୍ଷରେ ସମୁଦାୟ ୨୮.୬୦ ଲକ୍ଷ ଲୋକଙ୍କୁ ୧୬,୫୩୦ କୋଟି ଟଙ୍କାର ଚାଷ ଋଣ ଦିଆଯାଇଥିଲା l  ତନ୍ମଧ୍ୟରୁ ବାଣିଜ୍ୟିକ ବ୍ୟାଙ୍କଗୁଡିକ (ସରକାରୀ ବ୍ୟାଙ୍କ, ବେସରକାରୀ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କ) ୭.୮୩ ଲକ୍ଷ ଲୋକଙ୍କୁ ୫,୫୨୪ କୋଟି ଟଙ୍କା ଚାଷ ଋଣ ଦେଇଥିବା ବେଳେ ସମବାୟ ବ୍ୟାଙ୍କ ୨୦.୭୭ ଲକ୍ଷ ଲୋକଙ୍କୁ ୧୧,୦୦୬ କୋଟି ଟଙ୍କା ଋଣ ଦେଇଥିଲା l ଅର୍ଥାତ୍ ସଂଖ୍ୟା ଦୃଷ୍ଟିରୁ ମାତ୍ର ୨୭ ପ୍ରତିଶତ ଲୋକ ବାଣିଜ୍ୟିକ ବ୍ୟାଙ୍କରୁ ଚାଷ ଋଣ ନେଇଥିବା ବେଳେ ୭୩ ପ୍ରତିଶତ ସମବାୟ ବ୍ୟାଙ୍କରୁ ନେଇଛନ୍ତି l ତଥ୍ୟ ଅନୁଯାୟୀ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ୪୩.୫୪ ଲକ୍ଷ ଚାଷୀଙ୍କ ଖାତାରେ ପ୍ରାୟ ୨୦,୪୧୪ କୋଟି ଟଙ୍କା ବାକି ରହିଥିଲା l ସେହି ସମୟ ଅବଧିରେ ୨୮.୬୦ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଥିବା ସ୍ଥଳେ ଆହୁରି ଅଧିକ ପ୍ରାୟ ୧୫ ଲକ୍ଷ ଚାଷୀଙ୍କ ଉପରେ ବାକି ରହିବାର ଅର୍ଥ ଏମାନେ ହୁଏତ ପୂର୍ବ ବର୍ଷମାନଙ୍କରେ ଋଣ ଫେରସ୍ତ ନ କରି ଖିଲାପି ହୋଇଛନ୍ତି l ତେଣୁ ପ୍ରକୃତ ଖିଲାପିଙ୍କ ସଂଖ୍ୟା ସରକାର କହୁଥିବା ୮ ଲକ୍ଷର ପ୍ରାୟ ଦୁଇଗୁଣ ହେବ l ଏମାନଙ୍କ ମଧ୍ୟରୁ ପ୍ରାୟ ୧୧ ଲକ୍ଷ ବାଣିଜ୍ୟିକ ବ୍ୟାଙ୍କରୁ ଋଣ ନେଇଥିବା ବେଳେ ୪ ଲକ୍ଷ ସମବାୟ ବ୍ୟାଙ୍କରୁ ନେଇଥିଲେ l ସଂଖ୍ୟା ଦୃଷ୍ଟିରୁ ଶତକଡା ୭୩ ଭାଗ ଋଣ ଦେଉଥିବା ସମବାୟ ବ୍ୟାଙ୍କ ନିକଟରେ ଏତେ କମ ସଂଖ୍ୟକ ଖିଲାପି ରହିବା ବିଶ୍ଵାସଯୋଗ୍ୟ କି ? କେବଳ ସେତିକି ନୁହେଁ, ବାଣିଜ୍ୟିକ ବ୍ୟାଙ୍କଗୁଡିକ ୫,୫୨୪ କୋଟି ଟଙ୍କା ଋଣ ଦେଇ ସେମାନଙ୍କ ବକେୟା ଋଣର ପରିମାଣ ପ୍ରାୟ ଦୁଇ ଗୁଣ, ଅର୍ଥାତ ୧୦,୫୬୯ କୋଟି ଟଙ୍କା ହୋଇଥିବା ସ୍ଥଳେ ସମବାୟ ବ୍ୟାଙ୍କ ଚାଷ ଋଣର ପରିମାଣ ୧୧,୦୦୬ କୋଟି ଟଙ୍କା ହୋଇଥିଲେ ମଧ୍ୟ ବକେୟା ପରିମାଣ ମାତ୍ର ୯,୮୪୪ କୋଟି ଟଙ୍କା ଥିଲା l ଆପାତତଃ, ସମବାୟ ବ୍ୟାଙ୍କ କ୍ଷେତ୍ରରେ ଋଣ ଆଦାୟ ଅତି ଭଲ ହେଉଥିବା ଭଳି ଜଣା ପଡୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ l ଏହା ସର୍ବ ଜନ ବିଦିତ ଯେ ଅଧିକାଂଶ ସେବା ସମବାୟ ସମିତି କେବଳ ସୁଧ ଟଙ୍କା ଆଦାୟ କରି ଚାଷୀଙ୍କ ରବି ବା ଖରିଫ ଚାଷ ଋଣର ନବୀକରଣ କରିଥାନ୍ତି ଓ ଚାଷୀ ହାତକୁ ଟଙ୍କା ଆସି ନଥାଏ l ଫଳରେ ସେମାନେ ଖାତାପତ୍ରରେ ନିୟମିତ ଋଣ ପରିଶୋଧ କରୁଥାନ୍ତି ଓ ଖିଲାପି ହୋଇ ନଥାନ୍ତି l ଏ ପରିସ୍ଥିତିରେ ଓଡିଶା ସରକାର ଋଣ ଛାଡ ଘୋଷଣା କଲେ ବାଣିଜ୍ୟିକ ବ୍ୟାଙ୍କର ଖିଲାପି ଚାଷୀମାନେ ଅଧିକ ଉପକୃତ ହେବେ ସିନା ହେଲେ ସମବାୟ ବ୍ୟାଙ୍କର ଅଧିକାଂଶ ଚାଷୀ ସେଥିରୁ ବଞ୍ଚିତ ହେବେ l ଅନ୍ୟ ପକ୍ଷରେ ରାଜ୍ୟରେ କଂଗ୍ରେସ ଦଳ ଋଣ ଛାଡ କରିବା କଥା ଘୋଷଣା କରି ସାରିଥିବାରୁ ହୁଏତ କିଛି ଚାଷୀ ଋଣର ନବୀକରଣ ପାଇଁ ଆଗ୍ରହ ଦେଖାଇ ନ ପାରନ୍ତି l କାରଣ ତଦ୍ଦ୍ଵାରା ସେମାନେ ଖିଲାପି ଘୋଷିତ ହୋଇ ସମ୍ଭାବ୍ୟ ଋଣଛାଡରେ ଯୋଗ୍ୟ ବିବେଚିତ ହେବେ l ଚାଷୀମାନେ ଋଣଛାଡ ଆଶାରେ ଯଦି ବହୁଳ ଭାବେ ଖରିଫ ଋଣ ନବୀକରଣ ନ କରନ୍ତି ତେବେ ରାଜ୍ୟରେ ଖିଲାପି ଚାଷୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବ l ଆଗାମୀ ଦୁଇ ମାସ ମଧ୍ୟରେ ଋଣ ଆଦାୟର ଧାରା ଓ ଚାଷୀଙ୍କ ଋଣ ପରିଶୋଧ ନେଇ ମନୋବୃତ୍ତିରୁ ନିର୍ଦ୍ଧାରିତ ହେବ ଖିଲାପିଙ୍କ ସଂଖ୍ୟା l ଏହା ବଢିଲେ ସମ୍ପୂର୍ଣ୍ଣ ଋଣ ଆଦାୟର ବାତାବରଣ କଳୁଷିତ ହୋଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରତି ଚରମ ଆହ୍ଵାନ ସୃଷ୍ଟି କରିବ l ସେ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଋଣଛାଡ କରିବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ସୃଷ୍ଟି ହୋଇପାରେ l ରାଜ୍ୟର ରାଜକୋଷ ଓ ବ୍ୟାଙ୍କ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରୁଥିବାରୁ ଏହା ଏକ ସ୍ପୃହଣୀୟ ପଦକ୍ଷେପ ନ ହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ‘ଆବଶ୍ୟକ ଅନିଷ୍ଟ’ (ନେସେସେରି ଇଭିଲ)ରେ ପରିଣତ ହୋଇଛି l
ଓଡିଶାରେ ଭାଗ ଚାଷୀମାନେ ବ୍ୟାଙ୍କରୁ ଚାଷ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ସଂଯୁକ୍ତ ଦାୟ ଗୋଷ୍ଠୀ ବା ଜେଏଲଜି ମାଧ୍ୟମରେ ଭାଗଚାଷୀଙ୍କୁ ଚାଷ ଋଣ ମିଳିବାର ସୁବିଧା ଥିଲେ ମଧ୍ୟ ସେଥିରେ ବିଶେଷ ଅଗ୍ରଗତି ହେଉନାହିଁ, କାରଣ ଅଧିକାଂଶ କ୍ଷେତ୍ରରେ ଜମି ମାଲିକ ଜମିକୁ ଦେଖାଇ ଋଣ ହାସଲ କରୁଥିବାରୁ ସେହି ଏକା ଜମି ଉପରେ ଭାଗଚାଷୀଙ୍କୁ ବ୍ୟାଙ୍କ ଋଣ ମିଳି ନଥାଏ l ଫଳରେ କିଛି ଚାଷ କରୁ ନଥିବା ଜମି ମାଲିକ ଶତକଡା ୧ ଭାଗ ସୁଧରେ ବ୍ୟାଙ୍କ ଋଣ ପାଇବାକୁ ସମର୍ଥ ହେଉଥିବା ବେଳେ ଚାଷ କରୁଥିବା ପ୍ରକୃତ ଚାଷୀଟି ଚଢା ଦରରେ ପ୍ରାୟ ଶତକଡା ୨୪-୨୬ ହାର ସୁଧରେ ସ୍ଵୟଂ ସହାୟକ ଗୋଷ୍ଠୀ, ଏମଏଫଆଇ, ବେପାରୀ, ମହାଜନଙ୍କ ନିକଟରୁ ଋଣ ନେବାକୁ ବାଧ୍ୟ ହୋଇଥାନ୍ତି l ଋଣ ଶୁଝି ନପାରି ଏହି ଧରଣର ଭାଗଚାଷୀମାନେ ଆତ୍ମହତ୍ୟା କରୁଥିବାର ଖବରମାନ ଶୁଣିବାକୁ ମିଳିଥାଏ l କିନ୍ତୁ ଏମାନେ ନେଇଥିବା ଋଣ ସଂକ୍ରାନ୍ତରେ ତଥ୍ୟ ଉପଲବ୍ଧ ନ ଥିବାରୁ ଏମାନଙ୍କ ଋଣଛାଡ କଥା କେହି ଉଠାଇ ନଥାନ୍ତି l ଏମାନଙ୍କୁ ଚିହ୍ନଟ କରି କିପରି ଋଣମୁକ୍ତ କରି ହେବ ସେ ନେଇ ଚିନ୍ତା କରିବାର ସମୟ ଆସିଛି l
ରାଜ୍ୟ ସରକାରଙ୍କ ପାଞ୍ଚ ପ୍ରାବଧାନ ବିଶିଷ୍ଟ ‘କାଳିଆ’ ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ ୧୦,୧୮୦ କୋଟି ଟଙ୍କା ବ୍ୟୟ ହୋଇ ୫୭ ଲକ୍ଷ ଚାଷୀ ପରିବାର ଉପକୃତ ହେବେ ବୋଲି ଘୋଷିତ ହେଲା l ଏହାର ପ୍ରଥମ ପ୍ରାବଧାନ ଅନୁଯାୟୀ ୩୦ ଲକ୍ଷ ଚାଷୀଙ୍କୁ ଆଗାମୀ ୫ଟି ଚାଷ ଋତୁରେ ପ୍ରତି ଋତୁ ପାଇଁ ୫ ହଜାର ଲେଖାଏଁ, ଏହିପରି ୩ ବର୍ଷରେ ସର୍ବାଧିକ ୨୫ ହଜାର ଟଙ୍କା ମିଳିବ l ଏହି ସୁବିଧା ପାଇବା ପାଇଁ ଋଣର ବୋଝ ମୁଣ୍ଡାଇ ସେମାନେ ଆଗାମୀ ପାଞ୍ଚଟି ଚାଷ ଋତୁ ଯାଏଁ ଚାଷ ଜାରି ରଖିବାକୁ ସମର୍ଥ ହେବେ ତ ? ଦ୍ଵିତୀୟ ପ୍ରାବଧାନ ଅନୁସାରେ ରାଜ୍ୟର ୧୦ ଲକ୍ଷ ଭୂମିହୀନ ଲୋକଙ୍କୁ ୧୨,୫୦୦ ଟଙ୍କା ଲେଖାଏଁ ଜୀବିକାର୍ଜନ ସହାୟତା ପ୍ରଦାନ କରାଯିବ l ଭୂମିହୀନଙ୍କ ତାଲିକା ସରକାରଙ୍କ ପାଖରେ ଉପଲବ୍ଧ ନଥିବାରୁ ଏମାନଙ୍କ ଚିହ୍ନଟରେ ସ୍ଵଚ୍ଛତା ଅବଲମ୍ଵନ ନେଇ ଆଶଙ୍କା ପ୍ରକାଶ ପାଇବା ସ୍ଵାଭାବିକ l ତୃତୀୟ ପ୍ରାବଧାନରେ, ବୃଦ୍ଧ, ଅକ୍ଷମ ଓ ଭିନ୍ନକ୍ଷମ ଚାଷୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ଦଶ ହଜାର ଟଙ୍କା ଲେଖାଏଁ, ଅର୍ଥାତ ମାସିକ ହାରାହାରି ପ୍ରାୟ ୮୦୦ ଟଙ୍କାର ପେନସନ ଭଳି ସହାୟତା ଦିଆଯିବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ l ଚତୁର୍ଥ ପ୍ରାବଧାନ ଅନୁଯାୟୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଜୀବନ ବୀମା ଓ ଦୁର୍ଘଟଣା ଜନିତ ବୀମା ଅନ୍ତର୍ଭୁକ୍ତ କରାଯିବ, ଯେଉଁଥିରୁ ତାତ୍କାଳିକ ଲାଭ ମିଳୁ ନ ଥିବାରୁ ତାହା ସେମାନଙ୍କ ପାଇଁ ଆକର୍ଷକ ହୋଇ ନ ପାରେ l ପଞ୍ଚମ ପ୍ରାବଧାନରେ, ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଉପରେ କୌଣସି ସୁଧ ଲାଗିବ ନାହିଁ, ଯାହା ଉପରେ ବର୍ତ୍ତମାନ ୧ ପ୍ରତିଶତ ସୁଧ ଲାଗୁଛି, ଅର୍ଥାତ ଜଣେ ଚାଷୀ ବାର୍ଷିକ ମାତ୍ର ୫୦୦ ଟଙ୍କାର ଲାଭ ପାଇପାରେ l ୨୪ରୁ ୨୬ ପ୍ରତିଶତ ସୁଧ ଦେଉଥିବା ଭାଗଚାଷୀ ପାଇଁ ଏହା ମୂଲ୍ୟହୀନ l ସାମଗ୍ରିକ ଭାବେ ଏହି ଯୋଜନାରେ ଚାଷୀମାନେ ତାତ୍କାଳିକ ଭାବେ ବିଶେଷ ଲାଭାନ୍ଵିତ ହେବାର ସମ୍ଭାବନା ନାହିଁ l ଏହି ଯୋଜନା ଦୀର୍ଘ ମିଆଦି ଓ ଏଥିରେ କେତେକ ସ୍ଵାଗତଯୋଗ୍ୟ ପଦକ୍ଷେପ ଥିଲେ ମଧ୍ୟ ଆଇସିୟୁରେ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଚାଷୀଟିଏ ପାଇଁ ଏହା ହୋମିଓପାଥି ଚିକିତ୍ସା ସଦୃଶ l
ଚାଷ ଋଣ ନେଇ ଚାଷ ନ କରି ତାକୁ ଭିନ୍ନ ଭାବେ ବିନିଯୋଗ କରିଥିବା ଲୋକଟିକୁ ଚାଷୀ କହି ହେବ କି ଓ ସେ ଋଣଛାଡ ପାଇବା କେତେ ଦୂର ସମୀଚୀନ ? ତେଣୁ ଚାଷୀ କିଏ ତାକୁ ଚିହ୍ନଟ କରିବା ପାଇଁ ସଂଜ୍ଞାକୁ ଜମି ମାଲିକ ମଧ୍ୟରେ ସୀମିତ ନ ରଖି, ଏ ସଂକ୍ରାନ୍ତରେ ଏନଏସଏସଓର ସଂଜ୍ଞାକୁ ରାଜ୍ୟ ସରକାର ଗ୍ରହଣ କରିବା ଉଚିତ, ଯଦନୁସାରେ ଗୋଟିଏ ପରିବାରର ଅନ୍ତତଃ ପକ୍ଷେ ଜଣେ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିବ ଓ ଚାଷ ଏବଂ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟରୁ ପରିବାରର ଆୟ ବାର୍ଷିକ ଅନ୍ତତଃ ତିନି ହଜାର ଟଙ୍କା ହେଉଥିବ l ତେଣୁ ଋଣଛାଡ ବା ‘କାଳିଆ’ ଯୋଜନାର କ୍ରିୟାନ୍ଵୟନ ପୂର୍ବରୁ ଏହି ସୁବିଧା ପାଇବାକୁ ଯାଉଥିବା ଚାଷୀ, ଭାଗଚାଷୀ, ଭୂମିହୀନ, କୃଷି ଶ୍ରମିକ, ବୃଦ୍ଧ, ଅକ୍ଷମ ଓ ଭିନ୍ନକ୍ଷମ ଚାଷୀ ଆଦିଙ୍କୁ ଚିହ୍ନଟ କରିବା ପାଇଁ ସ୍ଵଚ୍ଛ ପ୍ରକ୍ରିୟାର ଅନୁସରଣ କରାଯିବା ଉଚିତ l ନହେଲେ ଅନ୍ୟାନ୍ୟ ଅନେକ ଯୋଜନାର ଲାଭାର୍ଥୀଙ୍କ ପରି ଯୋଗ୍ୟ ବ୍ୟକ୍ତି ସୁବିଧା ପାଇବାରୁ ବଞ୍ଚିତ ହେବା ସହ ତାହା ଦୁର୍ନୀତିକୁ ପ୍ରଶ୍ରୟ ଦେବ l
ଏଥିରୁ ସ୍ପଷ୍ଟ ଯେ ଓଡିଶାରେ ଋଣଛାଡ ଦାବି ସମ୍ପୂର୍ଣ୍ଣ ଅଯୌକ୍ତିକ ନୁହେଁ l କୃଷି କ୍ଷେତ୍ରରେ ଦେଖା ଦେଇଥିବା ସଙ୍କଟ ଯୋଗୁ ପ୍ରକୃତ ବାଧିତ ଓ ପୀଡିତ ଚାଷୀଙ୍କୁ ଥରିକିଆ ଋଣଛାଡ ଦେଇ ସେମାନଙ୍କୁ ଅଣ୍ଟା ସଳଖିବାର ସୁଯୋଗ ଦିଆଯାଇପାରେ l କୃଷି ସହ କାଳିଆଙ୍କ ଅପେକ୍ଷା ବଳିଆଙ୍କର ସମ୍ପର୍କ ଅଧିକ ହୋଇଥିବାରୁ ତାଙ୍କ ନାମରେ ଯୋଜନାଟି ହୋଇଥିଲେ ଭଲ ହୋଇଥାନ୍ତା l କୁହାଯାଏ, କାଳିଆ ମାରିଲେ ମାରିବ, ତାରିଲେ ତାରିବ l ତାରିହେବାର ଲକ୍ଷ୍ୟରେ ପ୍ରସ୍ତୁତ ‘କାଳିଆ’ ଯୋଜନା କାର୍ଯ୍ୟକାରୀ ହେବାର ଅବ୍ୟବହିତ ପୂର୍ବରୁ ଜରୁରୀ ପାଣ୍ଠିରୁ ୭୫ କୋଟି ଟଙ୍କା ଉଠାଣ ବିବାଦରେ ଛନ୍ଦି ହୋଇ ପଡିବା ଓ ଅନ୍ୟାନ୍ୟ କାରଣ ଯୋଗୁ ଏହା ଶାସକ ଦଳକୁ ନିର୍ବାଚନୀ ବୈତରଣୀ ପାର ହେବାରେ ସାହାଯ୍ୟ କରିବ କି ବିପର୍ଯ୍ୟୟର କାରଣ ହେବ, ତାହା ସମୟ ହିଁ କହିବ l

Published in various Odia dailies Sanchar, Dinalipi, Matrubhasha, Amruta Dunia, Sruti, Nyayabati (21.01.19), Prajatantra (22.01.19), Swadhikar, Samanya Kathan (23.01.19), Suryaprava (24.01.19), Manthan (25.01.19)

Comments

  1. Mr Das you have rightly analysed the scheme of Odisha govt. Now time has come for rethinking about kalia. PolticiPoli and govt to act on this. Thanks for the information.

    ReplyDelete
    Replies
    1. Thanks for appreciating the article and finding it informative.

      Delete
  2. You have pointed the points ..

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍