କୃଷି ପ୍ରଧାନ ଦେଶ ଭାରତରେ ଚାଷ ଜମିର ପରିମାଣ ଲଗାତାର ଭାବେ ହ୍ରାସ ପାଇ ଚାଲିଥିବା ବେଳେ, ଚାଷ ଉପରେ ନିର୍ଭର କରି ଜୀବିକାର୍ଜନ କରୁଥିବା ଲୋକଙ୍କ ସଂଖ୍ୟାରେ ଆଶାନୁରୂପ ହ୍ରାସ ନ ପାଇବା ନୀତି ନିର୍ଦ୍ଧାରକମାନଙ୍କୁ ଚିନ୍ତାଗ୍ରସ୍ତ କରିବା ସ୍ୱାଭାବିକ । ଭାରତରେ ୧୯୭୦-୭୧ ମସିହାରୁ ପ୍ରତି ପାଞ୍ଚ ବର୍ଷରେ ଥରେ ହୋଇ ଆସୁଥିବା କୃଷି ଗଣନା (ଏଗ୍ରିକଲଚର ସେନସସ)ର ୨୦୧୫-୧୬ରେ ହୋଇଥିବା ଦଶମ ସଂସ୍କରଣର ରିପୋର୍ଟ ୨୦୧୮ରେ ପ୍ରକାଶ ପାଇଛି, ଯଦନୁସାରେ ଦେଶରେ ଜମିମାଲିକ (ଅପରେସନାଲ ହୋଲଡିଙ୍ଗ)ଙ୍କ ସଂଖ୍ୟା ପାଞ୍ଚ ବର୍ଷ ମଧ୍ୟରେ ୧୩.୮ କୋଟିରୁ ୫.୩୩ ପ୍ରତିଶତ ବୃଦ୍ଧି ପାଇ ୧୪.୬ କୋଟିରେ ପହଞ୍ଚିଲାଣି, ଯେଉଁମାନଙ୍କ ମଧ୍ୟରେ ବ୍ୟକ୍ତିଗତ, ଯୌଥ ଓ ସରକାରୀ ଫାର୍ମ, ଚିନିକଳ, ସମବାୟ ସଂସ୍ଥା, ଟ୍ରଷ୍ଟ ଭଳି ଆନୁଷ୍ଠାନିକ ମାଲିକ ମଧ୍ୟ ଅନ୍ତର୍ଭୁକ୍ତ । ହେଲେ ଚାଷଜମିର ପରିମାଣ ୧୫.୯୫୯ କୋଟି ହେକ୍ଟରରୁ ୧.୫୩ ପ୍ରତିଶତ କମ ହୋଇ ୧୫.୭୧୪ କୋଟି ହେକ୍ଟର ହେଲାଣି । ୧୯୭୦-୭୧ରେ ଜମିମାଲିକ (ଅପରେସନାଲ ହୋଲଡିଙ୍ଗ)ଙ୍କ ନିକଟରେ ହାରାହାରି ୨.୨୮ ହେକ୍ଟର ଚାଷଜମି ଥିବା ବେଳେ ଏବେ ତାହା ପ୍ରାୟ ଅଧାକୁ ଖସି ଆସି ୧.୦୮ ହେକ୍ଟର ହେଲାଣି । ମହିଳା ଜମି ମାଲିକଙ୍କ ପ୍ରତିଶତ ୨୦୧୦-୧୧ରେ ୧୨.୭୯ ଥିବା ବେଳେ ତାହା ୨୦୧୫-୧୬ରେ ବୃଦ୍ଧି ପାଇ ୧୩.୮୭ରେ ପହଂଚିଛି, ଯାହା ବାସ୍ତବିକ ଉତ୍ସାହଜନକ ।
କ୍ରମାଗତ ଭାବେ ଦେଶରେ ମଧ୍ୟମ ଓ ବଡ ଧରଣର ଚାଷୀଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଅଧିକ ସଂଖ୍ୟାରେ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀରେ ପରିଣତ ହେଲେଣିି । ତେବେ ସମଗ୍ର ଦେଶରେ ଶତକଡା ୮୬ ଭାଗ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ଓଡିଶାରେ ତାହା ୯୩ ପ୍ରତିଶତ, ଯେଉଁମାନଙ୍କ ନିକଟରେ ଦୁଇ ହେକ୍ଟର ବା ପାଞ୍ଚ ଏକରରୁ ମଧ୍ୟ କମ ଚାଷଜମି ରହିଛି । ଓଡିଶାରେ ୭୫ ପ୍ରତିଶତ ନାମମାତ୍ର ଚାଷୀଙ୍କ ନିକଟରେ ଅଢେଇ ଏକରରୁ କମ ଚାଷ ଜମି ରହିଛି, ଯାହା ୫ ବର୍ଷ ତଳେ ୭୨ ପ୍ରତିଶତ ଥିଲା । ଅନ୍ୟ ପକ୍ଷରେ ୧୦ ହେକ୍ଟର ବା ୨୫ ଏକରରୁ ଅଧିକ ଚାଷ ଜମି ଥିବା ବଡ ଚାଷୀଙ୍କ ସଂଖ୍ୟା ସମଗ୍ର ରାଜ୍ୟରେ ମାତ୍ର ଚାରି ହଜାର । ଦେଶରେ ୫ ଏକରରୁ ଅଧିକ ଚାଷଜମି ଥାଇ ୧୪ ପ୍ରତିଶତ ଚାଷୀ ମଧ୍ୟମ ଓ ବଡ ଚାଷୀ ଥିବା ବେଳେ ଓଡିଶାରେ ସେମାନେ ମାତ୍ର ୭ ପ୍ରତିଶତ । ଗତ ୫ ବର୍ଷ ମଧ୍ୟରେ ଓଡିଶାରେ ଜମିମାଲିକଙ୍କ ନିକଟରେ ଥିବା ହାରାହାରି ଜମିର ପରିମାଣ ୧.୦୪ ହେକ୍ଟରରୁ ଖସି ୦.୯୫ ହେକ୍ଟରରେ ପହଞ୍ଚିଲାଣି, ଯାହା ସର୍ବ ଭାରତୀୟ ହାରାହାରି ୧.୦୮ ହେକ୍ଟର ତୁଳନାରେ ଯଥେଷ୍ଟ କମ । ଓଡିଶାର ନାମମାତ୍ର ଚାଷୀଙ୍କ ନିକଟରେ ହାରାହାରି ମାତ୍ର ୦.୫୭ ହେକ୍ଟର (ଦେଢ ଏକରରୁ କମ) ଜମି ଥିବା ବେଳେ କ୍ଷୁଦ୍ର ଚାଷୀଙ୍କ ନିକଟରେ ହାରାହାରି ମାତ୍ର ୧.୫୮ ହେକ୍ଟର (ଚାରି ଏକରରୁ କମ) ଜମି ରହିଛି । ଆଉ ତାହା ପୁଣି ଗୋଟିଏ ଜାଗାରେ ନ ରହି ଏଠି ଖଣ୍ଡେ ବିଲ ତ ସେଠି ଖଣ୍ଡେ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିକଟରେ ଥିବା ରାଜ୍ୟର ପ୍ରାୟ ୭୫ ପ୍ରତିଶତ ଚାଷଜମିର ଏହି ଦୁର୍ଦ୍ଦଶା । ଭାଇ ଭାଗରେ ଜମି କ୍ରମଶଃ କ୍ଷୁଦ୍ର ହୋଇ ଚାଲୁଥିବାରୁ ଯାନ୍ତ୍ରିକୀକରଣ ଓ ଅନ୍ୟ ସୁନିୟୋଜିତ କୃଷିର ପରିକଳ୍ପନା କରି ହେଉ ନାହିଁ କି ତାକୁ ନେଇ ଚାଷୀ ଉନ୍ନତ ଚାଷ ପଦ୍ଧତି ଅବଲମ୍ବନ କରିବାର ସ୍ୱପ୍ନ ଦେଖି ପାରୁନାହିଁ । ଫଳରେ କ୍ରମଶଃ କୃଷି ଅବହେଳିତ ହେବାରେ ଲାଗିଛି ।
ଓଡିଶା ପାଇଁ କୃଷି ଗଣନାର ସବୁଠାରୁ ଚିନ୍ତାଜଜନକ ଦିଗଟି ହେଉଛି ଗତ ପାଞ୍ଚ ବର୍ଷ ମଧ୍ୟରେ ଏଠାରେ ଚାଷଜମିର ପରିମାଣ ଦ୍ରୁତ ହ୍ରାସ ପାଇବା । ରାଜ୍ୟରେ ୨୦୧୦-୧୧ରେ ୪୬.୬୭ ଲକ୍ଷ ଲୋକଙ୍କ ନିକଟରେ ଜମି ଥିବା ବେଳେ ୨୦୧୫-୧୬ରେ ସେହି ସଂଖ୍ୟାରେ ୪.୨୫ ପ୍ରତିଶତ ବୃଦ୍ଧି ଘଟି ତାହା ୪୮.୬୬ ଲକ୍ଷରେ ପହଞ୍ଚିଛିି । ଅନ୍ୟ ପକ୍ଷରେ ଏମାନଙ୍କ ନିକଟରେ ଥିବା ଜମିର ପରିମାଣ ପାଞ୍ଚ ବର୍ଷ ତଳେ ୪୮.୫୨ ଲକ୍ଷ ହେକ୍ଟର ଥିବା ବେଳେ ତାହା ୧୫-୧୬ରେ ୪.୮୦ ପ୍ରତିଶତ ହ୍ରାସ ପାଇ ୪୬.୧୯ ଲକ୍ଷ ହେକ୍ଟରରେ ପହଞ୍ଚିଲାଣି, ଯାହା ଅତ୍ୟନ୍ତ ଉଦବେଗଜନକ । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୨.୩୦ ଲକ୍ଷ ହେକ୍ଟର ଜମି ହ୍ରାସ ପାଇବାକୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ । ପୁନଶ୍ଚ, ଓଡିଶା ସରକାରଙ୍କ ତଥ୍ୟ ଭିତିରେ (୨୦୦୮-୦୯) ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଚାଷ ଜମି (୨୯.୧୪ ଲକ୍ଷ ହେକ୍ଟର ଢିପ, ୧୭.୫୫ ଲକ୍ଷ ହେକ୍ଟର ମଝିଆଳି, ୧୫.୧୧ ଲକ୍ଷ ହେକ୍ଟର ଖାଲୁଆ କିସମ) ଅଛି । କୃଷି ଗଣନାରେ ପ୍ରଦତ୍ତ ତଥ୍ୟ ଠିକ ହୋଇଥିଲେ ଓଡିଶାରେ ଚାଷଜମିର ପରିମାଣ ପ୍ରାୟ ୧୫.୬୧ ଲକ୍ଷ ହେକ୍ଟର ହ୍ରାସ ପାଇଛି, ଯାହା ଅବିଶ୍ୱାସ୍ୟ, କାରଣ ଏହା ସମୁଦାୟ ଚାଷ ଜମିର ପ୍ରାୟ ଚାରି ଭାଗରୁ ଭାଗେ । ତେବେ ଓଡିଶା ସରକାରଙ୍କ ଚାଷ ଜମି ସମ୍ପର୍କିତ ତଥ୍ୟ ଦଶ ବର୍ଷ ତଳର ହୋଇଥିବାରୁ ହୁଏତ ବାସ୍ତବ ସ୍ଥିତି ଭିନ୍ନ ହୋଇଥାଇପାରେ । କୃଷିକୁ ନେଇ ସବୁ ଯୋଜନା ଓ ତଥ୍ୟ ଏହି ଜମି ସମ୍ପର୍କିତ ମୂଳ ତଥ୍ୟ ଉପରେ ନିର୍ଭର କରୁଥିବାରୁ ଏହି ତଥ୍ୟରେ ଭୁଲ ରହିଲେ ସବୁ ଅଙ୍କ ଭୁଲ ହୋଇଯିିବ । ଉଭୟ ତଥ୍ୟ ମଧ୍ୟରେ ଏତେ ଅଧିକ ଅନ୍ତର ଥିବାରୁ ତୁରନ୍ତ ରାଜ୍ୟ ସରକାରଙ୍କ ତରଫରୁ ବାସ୍ତବ ସ୍ଥିତି ସ୍ପଷ୍ଟ କରି ଏକ ଶ୍ୱେତପତ୍ର ଜାରି ହେବା ଉଚିତ ।
ସର୍ବ ଭାରତୀୟ ସ୍ତରରେ ଚାଷ ଜମିର ପରିମାଣ ହ୍ରାସ ପାଇଥିଲେ ମଧ୍ୟ ଏହି ହ୍ରାସର ପ୍ରତିଶତ ମାତ୍ର ୧.୫୩ । କେବଳ ତାମିଲନାଡୁ ଏବଂ ଉତ୍ତରାଖଣ୍ଡକୁ ବାଦ ଦେଲେ ଅନ୍ୟ ସମସ୍ତ ରାଜ୍ୟରେ ଏହି ହ୍ରାସର ପ୍ରତିଶତ ଓଡିଶାଠାରୁ ଯଥେଷ୍ଟ କମ । ଏହି ହ୍ରାସର କାରଣ ସମ୍ପର୍କରେ କୃଷି ଗଣନାରେ କୌଣସି ସୂଚନା ଦିଆଯାଇନାହିଁ । ସାଧାରଣତଃ ଦ୍ରୁତ ଉଦ୍ୟୋଗୀକରଣ, ସହରୀକରଣ, ଗୃହ ନିର୍ମାଣ ଓ ଅନ୍ୟ ଆଧାରଭୁତ ସୁବିଧାର ବିକାଶ ପାଇଁ ଚାଷ ଜମିର କିସମ ପରିବର୍ତନ କରି ତାକୁ ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ । ତେବେ ଓଡିଶାରେ ଗତ ୫ ବର୍ଷ ମଧ୍ୟରେ ସେଭଳି ଦ୍ରୁତ ଶିଳ୍ପାୟନ ବା ଆଧାରଭୁତ ବିକାଶ ତ ପରିଲକ୍ଷିତ ହୋଇନାହିଁ । ଅବଶ୍ୟ ୟା’ ଭିତରେ ରାଜ୍ୟର ଛୋଟ ବଡ ସହରମାନଙ୍କର ଆଁ ଭିତରେ ଆଖପାଖ ଗାଁମାନ ପଶି ଅନେକ ପରିମାଣରେ ବିଲ ପ୍ଲଟ ସାଜିି ସହରୀକରଣ ଓ ଗୃହନିର୍ମାଣର ଯଜ୍ଞବେଦିରେ ବଳି ପଡି ସାରିଲେଣି । ତଥାପି ସ୍ୱାଧୀନତା ପରଠାରୁ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଓଡିଶାର ସହରୀକରଣର ପ୍ରକ୍ରିୟା ସେତେଟା ଆଖିଦୃଶିଆ ନୁହେଁ । ଏବେ ମଧ୍ୟ ଦେଶର ଶତକଡା ୩୧ ଭାଗ ଲୋକ ସହରାଞ୍ଚଳରେ ବସବାସ କରୁଥିଲା ବେଳେ ଓଡିଶାରେ ମାତ୍ର ୧୭ ପ୍ରତିଶତ ଲୋକ ସହରରେ ରହନ୍ତି । ସହରାଞ୍ଚଳରେ ବସବାସ କରୁଥିବା ଜନସଂଖ୍ୟା ଭିତିରେ ସବୁ ରାଜ୍ୟଙ୍କ ମଧ୍ୟରେ ଓଡିଶା ଏକାଦଶ ସ୍ଥାନରେ ରହିଛି । ତେଣୁ ସହରୀକରଣ ଓ ଗୃହ ନିର୍ମାଣ ପାଇଁ ମଧ୍ୟ ସେଭଳି ମାତ୍ରାରେ ଚାଷଜମି ହ୍ରାସ ହୋଇଥିବାର ସମ୍ଭାବନା ଦେଖା ଦେଉନାହିଁ । ଅନ୍ୟ ପକ୍ଷରେ ରାଜ୍ୟରେ ଆଦିବାସୀମାନଙ୍କୁ ଚାଷ ଉଦ୍ଦେଶ୍ୟରେ ଜଙ୍ଗଲ ଜମି ବଣ୍ଟନ ହୋଇଛି । ଏହା ଦ୍ୱାରା ଜଙ୍ଗଲ ଜମି ହ୍ରାସ ପାଇ ଚାଷଜମିର ପରିମାଣ ବଢିବା କଥା । ଅବଶ୍ୟ ଏ ପର୍ଯ୍ୟନ୍ତ ସେଗୁଡିକ ଚାଷଜମି ଭାବେ ରେକର୍ଡଭୁକ୍ତ ହୋଇପାରିନାହିଁ । ତେଣୁ ଚାଷଜମି ଦ୍ରୁତ ହ୍ରାସ ପାଇବାର ଆପାତତଃ ଯୁକ୍ତିଯୁକ୍ତ କାରଣ ଖୋଜି ମିଳୁ ନଥିବାରୁ ସରକାର ଏହାର କାରଣ ଅନୁଧ୍ୟାନ କରି ସେଗୁଡିକର ନିରାକରଣ ପାଇଁ ତତ୍ପରତା ପ୍ରକାଶ କରିବା ସହ ଯଥାଶୀଘ୍ର ଏ ସମ୍ପର୍କରେ ନିର୍ଭରଯୋଗ୍ୟ ତଥ୍ୟ ପ୍ରଦାନ ପୂର୍ବକ ଜନତାଙ୍କୁ ଆଶ୍ୱସ୍ତ କରିବା ଉଚିତ । କୃଷି ଗଣନାରେ ସନ୍ନିବେଶିତ ଓଡିଶାର ଚାଷଜମି ସଂକ୍ରାନ୍ତୀୟ ତଥ୍ୟ ଭୁଲ ଥିଲେ, ତାକୁ ସୁଧାରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ପ୍ରୟୋଜନ ।
ଆଗାମୀ ଦିନମାନଙ୍କରେ ସହରୀକରଣ ପ୍ରକ୍ରିୟା ଅଧିକ ଦ୍ରୁତତର ହେବ ଓ ଗାଁଠାରୁ ସହର ସର୍ବତ୍ର ଅଧିକ ଗୃହ ନିର୍ମାଣ ହୋଇ ସୀମିତ ଜମି ଉପରେ ଚାପ ବୃଦ୍ଧି ପାଇବ ଓ ଚାଷ ଜମି ଅଧିକ ସଙ୍କୁଚିତ ହେବ । ଏ ପରିସ୍ଥିତିରେ ବହୁମୂଲ୍ୟ ଚାଷଜମିକୁ ସୁରକ୍ଷିତ ରଖିବାକୁ ହେଲେ ଅନିୟୋଜିିତ ସହର ବିକାଶ ଓ ଅନିୟନ୍ତ୍ରିତ ଗୃହ ନିର୍ମାଣ ଉପରେ କଟକଣା ଲାଗିବା ନିହାତି ଦରକାର । ଶିଳ୍ପ ପ୍ରତିଷ୍ଠା ଓ ଆଧାରଭୁତ ବିକାଶ ପାଇଁ ପାଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଥିବା ଆଳରେ ହେଉଥିବା ଚାଷୋପଯୋଗୀ ଜମି ଅଧିଗ୍ରହଣକୁ ପ୍ରୋତ୍ସାହିତ କରା ନ ଯାଉ । ଅଧିକନ୍ତୁ, ଆଗାମୀ ଦିନରେ ଚାଷଜମିର ହ୍ରାସ ଶ୍ରେଣୀ-ସଂଘର୍ଷ ଓ ଜାତିଗତ-ସଂଘର୍ଷର କାରଣ ହୋଇ ସାମାଜିକ ଅସ୍ଥିରତା ବୃଦ୍ଧି ସହ ନୂଆ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଯେଉଁ ହାରରେ ଚାଷ ଜମି ଅନ୍ତର୍ଦ୍ଧାନ ହୋଇ ଚାଲିଛି ଓ ଅଣ କୃଷି କାର୍ଯ୍ୟ ପାଇଁ ଅବିବେକୀ ଭାବେ ଚାଷଜମିର କିସମ ପରିବର୍ତ୍ତନ କରାଯାଉଛି, ତାହା ନିୟନ୍ତ୍ରିତ ନହେଲେ ଆମେ ଚିରଦିନ ଲାଗି ଚାଷଜମି ହରାଇ ବିପତ୍ତିକୁ ଆମନ୍ତ୍ରଣ କରିବା, କାରଣ ଚାଷଜମି ସିନା ଅଣ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇ ପାରିବ, ହେଲେ ଓଲଟଟିର ସମ୍ଭାବନା କ୍ଷୀଣ ।
Published in Odia daily Nitidin on 29 January 2019
Comments
Post a Comment