Skip to main content

ଦେଶ ଛେଉଣ୍ଡ ଲୋକମାନେ

ବାପା ମା ଛେଉଣ୍ଡ ପିଲାଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଆଖିକୁ ଲୁହ ଜକେଇ ଆସେ ଆଉ ହୃଦୟଟା ଆପେ ଆପେ ବତୁରିଯାଏ l ସେମାନେ ସାହସର ସହିତ ନିଜ ନିଜ ପାନିପଥ ନିଜେ ଲଢୁଥିଲେ ବି   ସମାଜ ଓ ଦେଶ ପରୋକ୍ଷରେ ସେମାନଙ୍କ ସହାୟତା କରିଥାନ୍ତି l କିନ୍ତୁ ଯଦି କେହି ଦେଶଛେଉଣ୍ଡ (ଷ୍ଟେଟଲେସ) ହୋଇଯାଏ, ତେବେ ତାର ଦୁଃଖର ପରିସୀମା ଅକଳ୍ପନୀୟ l ବନ୍ୟା ଜଳରେ କୁଟା ଖଣ୍ଡିଏ ତଳକୁ ଭାସିଚାଲିଲା ପରି ଜୀବନ ଯାତ୍ରାରେ ନିୟନ୍ତ୍ରଣ ହରାଇ ଅସହାୟ ଭାବେ ନିମ୍ନଗାମୀ ହେବା ବ୍ୟତୀତ ତା ଆଗରେ ବିକଳ୍ପ ନଥାଏ l ତାର ଦେଶ ବୋଲି କିଛି ନଥିବା ବେଳେ ତା ସମାଜ ସମଦଶାପନ୍ନ ହୋଇଥିବାରୁ ତା ପକ୍ଷେ କାହାରିଠାରୁ ସାହାଯ୍ୟ ଆଶା କରିବା ଦୁରୁହ ହୋଇପଡିଥାଏ l
ମାନବାଧିକାର ସାର୍ବଜନୀନ ଘୋଷଣା (ୟୁନିଭର୍ସାଲ ଡିକ୍ଲେୟାରେସନ ଅଫ ହ୍ୟୁମାନ ରାଇଟସ)  ଅନୁଯାୟୀ ପ୍ରତ୍ୟେକଙ୍କର କୌଣସି ଦେଶର ନାଗରିକ ହେବାର ଅଧିକାର ରହିଛି l ଦେଶଛେଉଣ୍ଡ ଲୋକଙ୍କ ସ୍ଥିତି ଓ ସମସ୍ୟା ବୁଝିବା ପାଇଁ ଜାତିସଂଘର ଶରଣାର୍ଥୀ ସଂଗଠନ ୟୁଏନଏଚସିଆର ଦ୍ଵାରା ୧୯୫୪ ମସିହାରେ ଆୟୋଜିତ ସମ୍ମିଳନୀରେ ପ୍ରସ୍ତୁତ ସଂବିଧାନର ଧାରା ୧ ଅନୁଯାୟୀ ସେହି ଲୋକକୁ ଦେଶଛେଉଣ୍ଡ ଭାବେ ଗ୍ରହଣ କରାଯିବ ଯାହାକୁ କୌଣସି ଦେଶ ତାଙ୍କ ପ୍ରଚଳିତ ଆଇନ ଅନୁସାରେ ନାଗରିକ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି l ବ୍ୟକ୍ତି ଓ ଦେଶ ମଧ୍ୟରେ ଜାତୀୟତାର ବନ୍ଧନ ହେଉଛି ଏକ ଆଇନଗତ ବନ୍ଧନ ଯଦ୍ଦ୍ଵାରା ଉଭୟ ନାଗରିକ ଓ ଦେଶ ପରସ୍ପର ପ୍ରତି କିଛି ଦାୟିତ୍ଵ ଓ କର୍ତ୍ତବ୍ୟ ନିର୍ବାହର ରଜ୍ଜୁରେ ଆବଦ୍ଧ ହୋଇଥାନ୍ତି l କିନ୍ତୁ ଦେଶଛେଉଣ୍ଡ ଲୋକମାନେ ଭୋଟଦାନ ଅଧିକାର, ଅନ୍ୟ ସାମାଜିକ, ଅର୍ଥନୈତିକ ସୁବିଧା, ମୌଳିକ ମାନବିକ ଅଧିକାର ପାଇବାରୁ ବଞ୍ଚିତ ହୋଇ ଅତି ଦୟନୀୟ ଭାବେ ବସବାସ କରନ୍ତି l ମାଗଣା ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି l ସେମାନଙ୍କୁ ସହଜରେ କାମଧନ୍ଦା ମିଳି ନଥାଏ, ମିଳିଲେ ମଧ୍ୟ ସେମାନେ ଶୋଷଣର ଶିକାର ହୋଇଥାନ୍ତି l ସେମାନଙ୍କର ସମ୍ପତ୍ତି ଆହରଣ, ବିବାହ ଓ ଗମନାଗମନ ଉପରେ କଟକଣା ଥାଏ l ଏପରିକି କୌଣସି ଅପରାଧର ଶିକାର ହେଲେ ବି ନାଗରିକ ହୋଇ ନଥିବାରୁ ଅଭିଯୋଗ କରିବାକୁ ସକ୍ଷମ ହୁଅନ୍ତି ନାହିଁ l ଜଗତୀକରଣର ପ୍ରଭାବରେ ଲୋକେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚାଲିଯିବା, ଛୋଟ ଛୋଟ ଦେଶ ଆବିର୍ଭାବ ହୋଇ ନାଗରିକତା ନିୟମକୁ କଡାକଡି କରିବା ଆଦି ଦ୍ଵାରା ଦେଶଛେଉଣ୍ଡ ସମସ୍ୟା ଜଟିଳ ହେଉଛି ଓ ଜଳବାୟୁ ପରିବର୍ତ୍ତନ ଏହି ସମସ୍ୟାକୁ ଅଧିକ ଜଟିଳ କରିବ l ୧୯୬୧ ମସିହାରେ ୟୁଏନଏଚସିଆର ଦ୍ଵାରା ଆହୁତ ଅନ୍ୟ ଏକ ସମ୍ମିଳନୀରେ ଦେଶଛେଉଣ୍ଡ ଲୋକଙ୍କ ଚିହ୍ନଟ, ନିବାରଣ, ହ୍ରାସ ଓ ସୁରକ୍ଷା ମାଧ୍ୟମରେ ସେମାନଙ୍କ ସଂଖ୍ୟା କିପରି ହ୍ରାସ କରାଯିବ ସେ ସଂକ୍ରାନ୍ତରେ କୌଶଳ ସ୍ଥିର ହୋଇ ୨୦୨୪ ସୁଦ୍ଧା ଦେଶଛେଉଣ୍ଡ ସମସ୍ୟାର ପରିସମାପ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି l
ସମଗ୍ର ବିଶ୍ଵରେ ବସବାସ କରୁଥିବା ପ୍ରାୟ ଏକ କୋଟିରୁ ଅଧିକ ଦେଶଛେଉଣ୍ଡ ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ଶିଶୁ l ୨୭ଟି ଦେଶରେ ପିତାର ପରିଚୟ ଓ ଜାତୀୟତା ଅଜ୍ଞାତ ଥିଲେ କେବଳ ମାଆର ଜାତୀୟତା ଭିତ୍ତିରେ ପିଲାକୁ ନାଗରିକତା ମିଳୁ ନଥିବାରୁ ଏତେ ଅଧିକ ସଂଖ୍ୟକ ଶିଶୁ ଦେଶଛେଉଣ୍ଡ ହୋଇଛନ୍ତି l ତେବେ ଦେଶଛେଉଣ୍ଡ ହେବାର ଏକ ପ୍ରମୁଖ କାରଣ ହେଉଛି ରାଷ୍ଟ୍ର ଦ୍ଵାରା ନିର୍ଦ୍ଦିଷ୍ଟ ଜାତି ବା ଧର୍ମଗତ ଗୋଷ୍ଠୀ ପ୍ରତି ବୈଷମ୍ୟ ପ୍ରକାଶ କରି ଆଇନ ପ୍ରଣୟନ ହେବା l ଉଦାହରଣ ସ୍ଵରୂପ ମ୍ୟାନମାର ସରକାର ୧୯୮୨ ମସିହାରେ ଏପରି ଏକ ନାଗରିକତା ଆଇନ ପ୍ରଣୟନ କଲେ ଯଦ୍ଦ୍ଵାରା ରାଖାଇନ ପ୍ରଦେଶରେ ଥିବା ୧୧ ଲକ୍ଷରୁ ଊର୍ଦ୍ଧ୍ଵ ରୋହିଙ୍ଗିୟା ମୁସଲମାନ ହଠାତ ଦେଶଛେଉଣ୍ଡ ହୋଇଗଲେ l ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ଲୋକ ଏବେ ବି ମ୍ୟାନମାରରେ ଥିବା ବେଳେ ଅନ୍ୟମାନେ ବଙ୍ଗଳାଦେଶ, ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଭାରତ ଆଦି ଦେଶଗୁଡିକୁ ପଳାୟନ କରିଛନ୍ତି l ସେହିପରି କୁଏତରେ ଦୁଇ ଲକ୍ଷରୁ ଅଧିକ ବେଦୁଇନ (ଯାଯାବର)ଙ୍କୁ ଦେଶର ନାଗରିକତା ପ୍ରଦାନ କରାଯାଇନାହିଁ l ମାଲେସିଆର ସାବା ପ୍ରଦେଶରେ ତେଲ ତାଳ ବଗିଚାରେ କାମ କରୁଥିବା ଇଣ୍ଡୋନେସିୟ ଓ ଫିଲିପିନୋ ଲୋକଙ୍କ ପିଲାମାନେ ଦେଶଛେଉଣ୍ଡ ଭାବେ ରହିଛନ୍ତି l ଆଫ୍ରିକୀୟ ଦେଶ ଆଇଭୋରି କୋଷ୍ଟର କଫି ବଗିଚାରେ କାମ କରିବା ପାଇଁ ନିକଟବର୍ତ୍ତୀ ଘାନା, ମାଲି ଆଦି ଦେଶମାନଙ୍କରୁ ଆସି ଦୀର୍ଘ ଦିନ ଧରି ବସବାସ କରୁଥିବା ଲୋକଙ୍କୁ ଦେଶରୁ ହଟାଇବା ପାଇଁ ଏକ ଗୃହଯୁଦ୍ଧ ହେବା ପରେ ସେଠାରେ ନାଗରିକତା ହରାଇ ଅନେକ ଲୋକ ରହିଛନ୍ତି l ୧୯୬୨ ମସିହାରେ ସିରିଆରେ ଆଇନ ପ୍ରଣୟନ କରି ୩ ଲକ୍ଷରୁ ଊର୍ଦ୍ଧ୍ଵ କୁର୍ଦ୍ଦ ଲୋକଙ୍କର ନାଗରିକତା ଚ୍ଛିନ୍ନ କରାଗଲା l ନେପାଳରେ ୮ ଲକ୍ଷରୁ ଅଧିକ ଦେଶଛେଉଣ୍ଡଙ୍କ ମଧ୍ୟରେ ଭୁଟାନରୁ ବିତାଡିତ ଏକ ଲକ୍ଷ ନେପାଳୀ ଅଛନ୍ତି l ସେଠାକାର ନିୟମାନୁସାରେ ଜଣେ ବିବାହିତା ମହିଳା, ତାଙ୍କ ସ୍ଵାମୀ ବା ଶ୍ଵଶୁରଙ୍କ ସମ୍ମତି ବିନା ନାଗରିକତା ପାଇ ପାରିବେ ନାହିଁ l ଉତ୍ତର ଥାଇଲାଣ୍ଡରେ ପ୍ରାୟ ୫ ଲକ୍ଷ ୟାଓ, ମଙ୍ଗ, କାରେନ ସମ୍ପ୍ରଦାୟର ପାହାଡୀ ଆଦିବାସୀଙ୍କର ନାଗରିକତା ନାହିଁ l ସେହିପରି ସୋଭିଏତ ୟୁନିଅନର ବିଘଟନ ପରେ ସୃଷ୍ଟି ହୋଇଥିବା ଅନେକ ଛୋଟ ଛୋଟ ଦେଶ ମଧ୍ୟରୁ ଇଷ୍ଟୋନିଆ ଓ ଲାଟଭିଆରେ ନାଗରିକତା ପାଇଁ କଡା ନିୟମ ପ୍ରଣୟନ ହେବାରୁ ପୂର୍ବତନ ସୋଭିଏତ ୟୁନିଅନର ଅନେକ ନାଗରିକ ସେଠାରେ ଦେଶଛେଉଣ୍ଡ ଭାବେ ରହିଛନ୍ତି l କିଛି ଲୋକଙ୍କ ଦେଶଟି ହଠାତ ପୁନର୍ଗଠିତ, ପରାଧୀନ, ସ୍ଵାଧୀନ, ବିଭାଜିତ, ବିଘଟିତ ବା ଉପନିବେଶମୁକ୍ତ ହେବାରୁ ସେମାନେ ଦେଶଛେଉଣ୍ଡ ହୋଇଗଲେ, ଯାହା ଉପରେ ସେମାନଙ୍କର କୌଣସି ନିୟନ୍ତ୍ରଣ ନଥିଲା l ଦେଶଛେଉଣ୍ଡ ଲୋକଙ୍କ ମଧ୍ୟରୁ ଅଧିକାଂଶ ନିଜ ଦେଶରେ ରହୁଥିବା ବେଳେ ଉତ୍ପୀଡନର ଶିକାର ହେଉଥିବା ଅନେକେ ଦେଶ ଛାଡି ଅନ୍ୟତ୍ର ଚାଲିଯାଇଥାନ୍ତି l
ଏ କଥା ନୁହେଁ ଯେ କେବଳ ଭାରତକୁ ଅନ୍ୟ ଦେଶରୁ ଦେଶଛେଉଣ୍ଡ ଲୋକ ଆସୁଛନ୍ତି l ଭାରତୀୟ ଲୋକେ ମଧ୍ୟ ଅନ୍ୟ ଦେଶରେ ଦେଶଛେଉଣ୍ଡ ଭାବେ ରହିଛନ୍ତି ଓ ଶେଷରେ ସେହି ଦେଶ ବଦାନ୍ୟତା ଦେଖାଇ ସେମାନଙ୍କୁ ତାଙ୍କ ଦେଶର ନାଗରିକତା ପ୍ରଦାନ କରିଛି l ୧୯୪୮ ମସିହାରେ ଶ୍ରୀଲଙ୍କା ସ୍ଵାଧୀନ ହେଲା ପରେ ସେଠାକାର ଚା ବଗିଚାରେ କାମ କରୁଥିବା ଭାରତୀୟ ତାମିଲମାନଙ୍କ ବଂଶଧରମାନେ ହଠାତ ଦେଶଛେଉଣ୍ଡ ହୋଇଗଲେ l ୧୯୬୪ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ଦେଶଛେଉଣ୍ଡ ଲୋକମାନଙ୍କୁ ନାଗରିକତା ପ୍ରଦାନ କରିବାକୁ ସ୍ଥିର ହୋଇଥିଲା l ୧୯୮୨ରେ ଭାରତ ଘୋଷଣା କଲା ଯେ ଚୁକ୍ତିର ସମୟ ସୀମା ଅତିକ୍ରାନ୍ତ ହୋଇଯାଇଥିବାରୁ ଆଉ କାହାରି ଆବେଦନ ଗ୍ରହଣ କରାଯିବ ନାହିଁ l ସେତେବେଳକୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିବା ୯୦ ହଜାର ଲୋକ ଓ ନାଗରିକତା ପାଇଁ ଆବେଦନ କରିଥିବା ୮୬ ହଜାର ଲୋକ ଶ୍ରୀଲଙ୍କାରେ ଥାଆନ୍ତି l ସେଠାରେ ତାମିଲ ହିଂସା ଭୟାବହ ହେବାରୁ ସେମାନେ ନାଗରିକ ହୋଇ ମଧ୍ୟ ଭାରତକୁ ଆସିପାରିଲେ ନାହିଁ l ଏହି ଲୋକମାନେ ଯେପରି ଦେଶଛେଉଣ୍ଡ ହୋଇ ନ ଯାଆନ୍ତି ସେଥିପାଇଁ ଶ୍ରୀଲଙ୍କା ୧୯୮୮ ଓ ୨୦୦୩ରେ ଦୁଇ ଦଫାରେ ନାଗରରିକତା ଆଇନରେ  ପରିବର୍ତ୍ତନ କରି ପ୍ରାୟ ୩ ଲକ୍ଷ ଭାରତୀୟଙ୍କୁ ଶ୍ରୀଲଙ୍କାର ନାଗରିକତା ପ୍ରଦାନ କରିଥିଲା l ସେହିପରି ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ୧୯୪୭ରୁ ୧୬୨ଟି ‘ଛିଟମହଲ’ (ଏନକ୍ଲେଭ)ରେ ବସବାସ କରୁଥିବା ଉଭୟ ଦେଶର ୫୩ ହଜାର ଲୋକ ଦେଶଛେଉଣ୍ଡ ଭାବେ ଜୀବନ ଅତିବାହିତ କରି ଆସୁଥିଲେ l ବଙ୍ଗଳାଦେଶ ଓ ଭାରତର ଛିଟମହଲଗୁଡିକ ଚାରିପାଖରେ ଉଭୟ ଦେଶର ଭୂଖଣ୍ଡ ଥିବାରୁ ଛିଟମହଲରେ ରହୁଥିବା ଲୋକେ ଭାରତ ବା ବଙ୍ଗଳାଦେଶର ନାଗରିକ ଭାବେ ପରିଚୟ ନପାଇ ଦେଶଛେଉଣ୍ଡ ଭାବେ ବନ୍ଦୀ ଜୀବନ ଯାପନ କରୁଥିଲେ l ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ୨୦୧୫ ମସିହାରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ଜରିଆରେ ଛିଟମହଲ ସମସ୍ୟାର ଅବସାନ ଘଟି ଲୋକମାନଙ୍କୁ ନାଗରିକତା ମିଳିପାରିଛି l
ସୁରକ୍ଷାଗତ ଓ ଅନ୍ୟାନ୍ୟ କାରଣରୁ ଏ ପର୍ଯ୍ୟନ୍ତ ଭାରତ ୟୁଏନଏଚଆରସିର ଘୋଷଣାପତ୍ରରେ ଦସ୍ତଖତ କରିନାହିଁ l ଆସାମର ଜାତୀୟ ନାଗରିକ ପଞ୍ଜିକା ଚୂଡାନ୍ତ ହୋଇସାରିଲା ପରେ ଚିହ୍ନଟ ହୋଇଥିବା ଲକ୍ଷ ଲକ୍ଷ ବିଦେଶୀଙ୍କୁ ଦେଶାନ୍ତର କରିବା କଷ୍ଟକର ହେଲେ ହୁଏତ ସେମାନଙ୍କୁ ଦେଶଛେଉଣ୍ଡ ଭାବେ ଦେଶ ଭିତରେ ରଖିବାକୁ ପଡିପାରେ l ସେ କ୍ଷେତ୍ରରେ ସାରା ବିଶ୍ଵରେ ଭାରତ ସର୍ବାଧିକ ଦେଶଛେଉଣ୍ଡ ଲୋକ ରହୁଥିବା ଦେଶରେ ପରିଣତ ହେବ l ‘ବସୁଧୈବ କୁଟୁମ୍ଵକମ’ ମହାମନ୍ତ୍ରରେ ବିଶ୍ଵାସ କରୁଥିବା ଭାରତ ଆଗରେ ଦୁଇଟି ଆହ୍ଵାନ ଦେଖାଦେବ l ଏହି ଦେଶଛେଉଣ୍ଡ ଲୋକଙ୍କ ପ୍ରତି କଠୋରତା ପ୍ରଦର୍ଶନ କରି ଦେଶରୁ ବିତାଡିତ କରିବ ନା ମାନବୀୟ ଦୃଷ୍ଟିକୋଣରୁ ସେମାନଙ୍କ ପ୍ରତି କୋହଳ ଆଚରଣ ପ୍ରଦର୍ଶନ କରି ସର୍ତ୍ତମୂଳକ ଭାବେ ସେମାନଙ୍କୁ ଦେଶରେ ରହିବାକୁ ଦେବ l ବସ୍ତୁତଃ, ଅଖଣ୍ଡ ଭାରତର ପରିକଳ୍ପନାରେ ବିଶ୍ଵାସ ରଖିଥିବା ଲୋକେ ମଧ୍ୟ ସମ୍ମତ ହେବେ ଯେ ଭବିଷ୍ୟତରେ ଯଦି କେବେ ଜର୍ମାନୀ ସମ୍ମିଶ୍ରଣ ପରି ଏହି ପରିକଳ୍ପନା ସାକାର ହୁଏ ତେବେ ବିଦେଶୀ କୁହାଯାଉଥିବା ବଙ୍ଗଳାଦେଶୀଙ୍କୁ ମଧ୍ୟ ଭାରତର ନାଗରିକ ଭାବେ ସ୍ଵୀକାର କରିବାକୁ ହେବ l ଭବିଷ୍ୟତରେ ଦେଶଛେଉଣ୍ଡ ଏକ ପ୍ରମୁଖ ସମସ୍ୟା ହେବାକୁ ଯାଉଥିବାରୁ ଦେଶର ସୁରକ୍ଷାକୁ ସାଲିସ ନକରି ସମସ୍ୟାଟିର ମାନବୀୟ ଦିଗ ପ୍ରତି ଗୁରୁତ୍ଵ ଦେଇ ଏହାକୁ ମୁକାବିଲା କରିବାକୁ ଉଦ୍ୟମ ହେବା ପ୍ରୟୋଜନ l
Published in Odia Daily Sambad on 09 January 2019.

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ