Skip to main content

ତରୁଣ ଭାରତର ବିଡମ୍ଵନା - ହାତରେ କାମ ନାହିଁ


ଶାସନ କ୍ଷମତାକୁ ଆସିଲା ପରେ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦେଶରେ ମୋଦି ଭାରତର ତୁଳନାତ୍ମକ ବୈଶିଷ୍ଟ୍ୟକୁ ଦର୍ଶାଇବାକୁ ଯାଇ ସର୍ବତ୍ର ତିନୋଟି ‘ଡି’ ଉପରେ ଗୁରୁତ୍ଵ ଦେଉଥିଲେ l ସେଗୁଡିକ ହେଲା ଏଠାକାର ‘ଡେମୋକ୍ରେସି’ ବା ଗଣତନ୍ତ୍ର, ‘ଡେମୋଗ୍ରାଫିକ ଡିଭିଡେଣ୍ଡ’ ବା ଜନସାଂଖ୍ୟିକୀୟ ଲାଭାଂଶ ଓ ‘ଡିମାଣ୍ଡ’ ବା ଚାହିଦା l ଭାରତର ଶକ୍ତି କୁହାଯାଉଥିବା ଏହି ତିନୋଟି ‘ଡି’ ଏବେ ବି ଅପରିବର୍ତ୍ତିତ ଥିଲେ ମଧ୍ୟ ଏଣିକି ମୋଦି କିନ୍ତୁ ସେ କଥା ଉପରେ ଆଉ ବିଶେଷ ଗୁରୁତ୍ଵ ଦେଉଥିବା ପରି ମନେ ହେଉନାହିଁ l ଗଣତନ୍ତ୍ର ତ ଆହୁରି ଅନେକ ଦେଶରେ ଅଛି l କିନ୍ତୁ ଏଠାକାର ଜନସଂଖ୍ୟାର ବିଶାଳତା ପାଇଁ ଏଠାରେ ଚାହିଦା ଏତେ ଅଧିକ ଯେ ସବୁ ଜିନିଷ ପାଇଁ ଏକ ବଡ ବଜାର ରହିଛି, ଯାହା ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ସ୍ଵାଭାବିକ l କିନ୍ତୁ ତା ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ଭାରତ ଜନସଂଖ୍ୟାର ଅର୍ଦ୍ଧାଧିକ ତରୁଣ ହୋଇଥିବାରୁ ଭାରତକୁ ସେଥିରୁ ଜନସାଂଖ୍ୟିକୀୟ ଲାଭାଂଶ ମିଳି ଦେଶ ସମୃଦ୍ଧିଶାଳୀ ହେବାର ସମ୍ଭାବନା l ତେବେ ଜନସଂଖ୍ୟାରେ ତରୁଣଙ୍କ ପ୍ରତିଶତ ଅଧିକ ସତ୍ତ୍ଵେ ଭାରତ ଜନସାଂଖ୍ୟିକୀୟ ଲାଭାଂଶର ସୁଫଳ ନ ପାଇବାର କାରଣ ଜାଣିବାକୁ ହେଲେ ଏହା କିପରି ମିଳିଥାଏ, ତାହା ବୁଝିବାକୁ ପଡିବ l
କୌଣସି ଦେଶରେ ଉଭୟ ପ୍ରଜନନ ଦର ଓ ମୃତ୍ୟୁ ହାର କମ ହେବା ଯୋଗୁ ଜନସଂଖ୍ୟାର ବୟସ ବର୍ଗରେ ହେଉଥିବା ପରିବର୍ତ୍ତନର ପରିଣାମ ସ୍ଵରୂପ ଅର୍ଥନୀତିରେ ଅଭିବୃଦ୍ଧି ଘଟି ଯେଉଁ ଲାଭ ମିଳିଥାଏ, ତାକୁ ଜନସାଂଖ୍ୟିକୀୟ ଲାଭାଂଶ କୁହାଯାଏ l ଜନସଂଖ୍ୟାରେ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ଓ ୬୪ ବର୍ଷରୁ ଅଧିକ ବୟସ୍କଙ୍କୁ ‘ନିର୍ଭରଶୀଳ’ ବୋଲି ବିବେଚନା କରାଯାଉଥିବା ବେଳେ ସାଧାରଣତଃ ୧୫ରୁ ୬୪ ବର୍ଷର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷମ ବୋଲି ଗ୍ରହଣ କରାଯାଇଥାଏ l ତେବେ ୧୫ରୁ ୩୫ ବର୍ଷ ମଧ୍ୟରେ ତରୁଣମାନେ ସର୍ବାଧିକ କାର୍ଯ୍ୟକ୍ଷମ ହୋଇଥିବାରୁ ଯେଉଁ ଦେଶରେ ଯେତେ ଅଧିକ ତରୁଣ ଥାଆନ୍ତି, ସେହି ଦେଶ ତୁଳନାତ୍ମକ ଭାବେ ସେତେ ଉତ୍ପାଦନକ୍ଷମ ହୋଇଥାଏ l ଜନ୍ମ ହାର ହ୍ରାସ ହେଲେ ଶିଶୁଙ୍କ ସଂଖ୍ୟା କମ ହେଉଥିବା ବେଳେ ମୃତ୍ୟୁ ହାର କମ ହେଲେ ବୟସ୍କମାନେ ମଧ୍ୟ ଦୀର୍ଘଜୀବୀ ହୋଇଥାନ୍ତି l ତେବେ କାର୍ଯ୍ୟକ୍ଷମ ବୟସ ବର୍ଗ, ବିଶେଷ କରି ୧୫ରୁ ୩୫ ବର୍ଷ ବୟସର ତରୁଣଙ୍କ ପ୍ରତିଶତ ‘ନିର୍ଭରଶୀଳ’ ଜନସଂଖ୍ୟାର ପ୍ରତିଶତ ତୁଳନାରେ ଅଧିକ ହୋଇଥିବାରୁ ମୁଣ୍ଡ ପିଛା ଆୟ ଅଧିକ ହୋଇ ଜନସାଂଖିକୀୟ ଲାଭାଂଶ ମିଳିଥାଏ, ଯଦ୍ଦ୍ଵାରା ଭିନ୍ନଭିନ୍ନ ଭାବେ ଅର୍ଥନୀତିର ବିକାଶ ସାଧିତ ହୋଇଥାଏ l ପ୍ରଥମତଃ, ଏହା ଦ୍ଵାରା କାମ କରିବା ବୟସ ଉପନୀତ ହେବା ମାତ୍ରେ ଅଧିକ ସଂଖ୍ୟକ ଶ୍ରମଜୀବୀ ଉପଲବ୍ଧ ହୋଇ ଶ୍ରମ ବଳକୁ ବୃଦ୍ଧି କରିଥାନ୍ତି l ଦ୍ଵିତୀୟତଃ, କର୍ମକ୍ଷେତ୍ରରେ ଅଧିକ ସଂଖ୍ୟକ ମହିଳା ଯୋଗଦାନ କରୁଥିବାରୁ ପ୍ରଜନନ ହାର କମ ହୋଇଥାଏ, ଯାହା ବିକାଶକୁ ପରୋକ୍ଷରେ ସାହାଯ୍ୟ କରିଥାଏ l ତୃତୀୟତଃ, ରୋଜଗାର ସମୟରେ ଲୋକେ ସାଧାରଣତଃ ସଞ୍ଚୟ କରିବାକୁ ସମର୍ଥ ହେଉଥିବାରୁ ଏହା ଦ୍ଵାରା ଅଧିକ ସଞ୍ଚୟ ସମ୍ଭବ ହୋଇଥାଏ l ପୁନଶ୍ଚ, ଅବସର ପରେ ଲୋକେ ଦୀର୍ଘ ବର୍ଷ ଧରି ବଞ୍ଚି ରହିବାର ସମ୍ଭାବନା ଥିବାରୁ ସେଥିପାଇଁ ମଧ୍ୟ ପୂର୍ବ ପ୍ରସ୍ତୁତି ପୂର୍ବକ ଲୋକେ ଅଧିକ ସଞ୍ଚୟ କରିଥାନ୍ତି, ଯାହା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ l ଚତୁର୍ଥତଃ, ଏହା ଦ୍ଵାରା ଅଧିକାଂଶ ଲୋକ ମଧ୍ୟବିତ୍ତ ଶ୍ରେଣୀକୁ ଉନ୍ନୀତ ହୋଇ ଶିକ୍ଷା, ଗୃହ, ଅର୍ଥନୈତିକ ନିରାପତ୍ତା ଓ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଖାଉଟି ସାମଗ୍ରୀ ଆହରଣ କରିବାକୁ ଆଗ୍ରହୀ ହୋଇଥାନ୍ତି ଓ ଅର୍ଥନୀତି ଗତିଶୀଳ ହୋଇଥାଏ l ତେବେ ତରୁଣଙ୍କ ପ୍ରତିଶତ ବଢିଗଲେ ଆପଣା ଛାଏଁ ଜନସାଂଖ୍ୟିକୀୟ ଲାଭାଂଶ ମିଳିଯିବ ବୋଲି ଭାବିବା ଠିକ ନୁହେଁ l ସେହି ତରୁଣଙ୍କୁ କର୍ମ କ୍ଷେତ୍ରରେ ସଠିକ ଭାବେ ବିନିଯୋଗ କରିବା ଓ ସେମାନଙ୍କ ହାତକୁ କାମ ଯୋଗାଇ ଦେବା ହେଉଛି ସରକାରଙ୍କ ପାଇଁ ସବୁଠାରୁ ବଡ ଆହ୍ଵାନ l ନହେଲେ ରୋଜଗାରକ୍ଷମ ନ ହୋଇ ସେମାନେ ମଧ୍ୟ ଶିଶୁ ଓ ବୟସ୍କଙ୍କ ପରି ନିର୍ଭରଶୀଳ ହୋଇ ପଡନ୍ତି l ଫଳରେ ଦେଶରେ ମୁଣ୍ଡପିଛା ଆୟ ଦ୍ରୁତ ହ୍ରାସ ପାଇଥାଏ l ଜନସାଂଖ୍ୟିକୀୟ ଲାଭାଂଶ ମିଳିବା ପରିବର୍ତ୍ତେ ତାହା ଅଭିଶାପରେ ପରିଣତ ହୋଇଥାଏ l
ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଦ୍ଵାରା ସଦ୍ୟ ପ୍ରକାଶିତ ‘ବିଶ୍ଵ ନିଯୁକ୍ତି ଓ ସାମାଜିକ ଦୃଷ୍ଟିକୋଣ, ୨୦୧୮’ ଅନୁଯାୟୀ ଗୋଟିଏ ପଟେ ୨୦୧୭ ମସିହାରେ ସାରା ବିଶ୍ଵରେ ୧୯ କୋଟିରୁ ଊର୍ଦ୍ଧ୍ଵ ବେକାର ଥିବା ବେଳେ ପ୍ରାୟ ୧୪୦ କୋଟିରୁ ଊର୍ଦ୍ଧ୍ଵ ଲୋକଙ୍କ ନିଯୁକ୍ତି ଅସୁରକ୍ଷିତ l ଅନ୍ୟ ପକ୍ଷରେ ଦ୍ରୁତ ବର୍ଦ୍ଧିଷ୍ଣୁ ସେବାନିବୃତ୍ତ କର୍ମଚାରୀଙ୍କ ସ୍ଥାନ ପୂରଣ କରିବା ପାଇଁ ବିଶ୍ଵ ସ୍ତରରେ ଶ୍ରମ ବଳରେ ଆବଶ୍ୟକୀୟ ଅଭିବୃଦ୍ଧି ହେଉନାହିଁ l ଫଳରେ ୨୦୧୭ରେ ଶ୍ରମବଳରେ କର୍ମଜୀବୀଙ୍କ ହାରାହାରି ବୟସ ୪୦ ବର୍ଷରେ ପହଞ୍ଚିଲାଣି, ଯାହା ୨୦୩୦ରେ ୪୧ ଛୁଇଁବ l ଶ୍ରମବଳର ହାରାହାରି ବୟସ ଯେତେ ଅଧିକ ହେବ ଉତ୍ପାଦକତା ତୁଳନାତ୍ମକ ଭାବେ ସେତିକି କମିବ l ତେବେ ୨୦୨୦ ସୁଦ୍ଧା ଭାରତୀୟଙ୍କ ହାରାହାରି ବୟସ ୨୮ ବର୍ଷ ହେବାକୁ ଯାଉଥିବା ବେଳେ ଚୀନ ଓ ଆମେରିକାରେ ତାହା ୩୭, ପଶ୍ଚିମ ୟୁରୋପୀୟ ଦେଶମାନଙ୍କରେ ୪୫ ଓ ଜାପାନରେ ୪୯ ହୋଇଥିବ ବୋଲି ଅନୁମାନ କରାଯାଏ l ଅର୍ଥାତ୍, ବିକଶିତ ଦେଶମାନଙ୍କ ତୁଳନାରେ ଭାରତ ଏକ ତରୁଣଙ୍କ ଦେଶ ହୋଇଥିବାରୁ ଏଠାରେ ଜନସାଂଖ୍ୟିକୀୟ ଲାଭାଂଶ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି l ତା ସତ୍ତ୍ଵେ ସଠିକ ନୀତି ପ୍ରଣୟନ ଓ ତ୍ଵରିତ କ୍ରିୟାନ୍ଵୟନରେ ଆନ୍ତରିକତାର ଅଭାବ ଯୋଗୁ ଭାରତ ଏହି ସୁଯୋଗକୁ ହାତଛଡା କରିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି l
ଏତେ ସବୁ ସୁଯୋଗ ସତ୍ତ୍ଵେ ଭାରତ ତାର ଲାଭ ଉଠାଇ ନ ପାରିବାର ପ୍ରମୁଖ କାରଣ ହେଉଛି, ଦେଶର ମାନବ ସମ୍ଵଳର ନିମ୍ନ ଗୁଣବତ୍ତା l ପୁଷ୍ଟିହୀନତା କାରଣରୁ ୫ ବର୍ଷରୁ କମ ବୟସର ଶିଶୁଙ୍କ ମଧ୍ୟରୁ ୪୪ ପ୍ରତିଶତ କମ ଓଜନର, ୩୮ ପ୍ରତିଶତ କମ ଉଚ୍ଚତାର ହୋଇଥିବାରୁ ବଡ ହୋଇ ସେମାନେ ଶ୍ରମ ବଳରେ ସମ୍ପୂର୍ଣ୍ଣ ସକ୍ଷମ ଭାବେ ଯୋଗ ଦେଇ ପାରୁନାହାନ୍ତି l ଅନ୍ୟ ପକ୍ଷରେ ଆବଶ୍ୟକୀୟ ଦକ୍ଷତା ଅଭାବରୁ ଶ୍ରମ ବଜାରରେ ଉପଲବ୍ଧ କାମଗୁଡିକୁ କରିବାକୁ ସେମାନେ ଅସମର୍ଥ ହେଉଥିବାରୁ ସଠିକ ଭାବେ ନିଯୁକ୍ତିଯୋଗ୍ୟ ହୋଇ ପାରୁନାହାନ୍ତି l ଓଡିଶାରେ ପ୍ରତିଷ୍ଠିତ କଳ କାରଖାନାଗୁଡିକରେ ସ୍ଥାନୀୟ ଲୋକେ ସେଭଳି ବଡ କାମରେ ନିଯୁକ୍ତି ନ ପାଇବା ତାର ଏକ ଜ୍ଵଳନ୍ତ ଉଦାହରଣ l ତେଣୁ ଭାରତକୁ ଜନସାଂଖ୍ୟିକୀୟ ଲାଭାଂଶର ସୁଫଳ ପାଇବାକୁ ହେଲେ ମାନବ ସମ୍ଵଳ ବିକାଶ ପାଇଁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ହେବ l ଶିଶୁଙ୍କ ମଧ୍ୟରେ ଥିବା ପୁଷ୍ଟିହୀନତା ଦୂର ନ ହେଲେ ଆଗାମୀ ପିଢି ଅକ୍ଷମତାର ଶିକାର ହେବାକୁ ଯାଉଥିବାରୁ, ଏଥିପାଇଁ ପର୍ଯ୍ୟାପ୍ତ ପୁଞ୍ଜିନିବେଶ ସରକାରଙ୍କ ପ୍ରଥମ ଅଗ୍ରାଧିକାର ହେବା ଉଚିତ l ସେମାନଙ୍କ ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟସେବା, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ସଠିକ ପୁଞ୍ଜି ବିନିଯୋଗ ହେଲେ ମାନବ ସମ୍ଵଳର ଗୁଣାତ୍ମକ ଅଭିବୃଦ୍ଧି ଘଟିଥାଏ, ଯଦ୍ଦ୍ଵାରା ଅର୍ଥନୈତିକ ବିକାଶ ହେବା ସଙ୍ଗେସଙ୍ଗେ ଦାରିଦ୍ର୍ୟ ଦୂରୀକରଣର ପଥ ସୁଗମ ହୋଇଥାଏ l
ଗତ ଶତାବ୍ଦୀର ସତୁରି ଓ ଅଶୀ ଦଶକରେ ଭାରତରେ ଜିଡିପି ବିକାଶ ଦର ୩-୪ ପ୍ରତିଶତ ଥିଲାବେଳେ ନିଯୁକ୍ତି କ୍ଷେତ୍ରରେ ବିକାଶ ଦର ୨ ପ୍ରତିଶତ ହେଉଥିଲା l ନବେ ଦଶକ ପରଠାରୁ ନିଯୁକ୍ତି ହାର କମିବା ଆରମ୍ଭ କଲା ଓ ବର୍ତ୍ତମାନ ସ୍ଥିତି ଏପରି ଉଦବେଗଜନକ ଯେ ଜିଡିପି ବିକାଶ ଦର ପ୍ରାୟ ୭ ପ୍ରତିଶତ ଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ବିକାଶ ଦର ୧ ପ୍ରତିଶତରୁ କମ ହେବାକୁ ବସିଲାଣି l ଅର୍ଥାତ୍, ଏହି ‘ନିଯୁକ୍ତିବିହୀନ’ ବିକାଶ ଦ୍ଵାରା ଦେଶରେ ଅର୍ଥନୈତିକ ଅଗ୍ରଗତି ହେଉଥିଲେ ମଧ୍ୟ ବେକାରୀ ସମସ୍ୟା ଉତ୍କଟ ହୋଇଛି l ସମଗ୍ର ବିଶ୍ଵରେ ୫.୫ ପ୍ରତିଶତ ବେକାର ଥିବା ବେଳେ ଭାରତରେ ତାହା ୭.୧ରେ ପହଞ୍ଚିଲାଣି l ସେପ୍ଟେମ୍ଵର ୨୦୧୮ ସୁଦ୍ଧା ଦେଶରେ ୩ କୋଟିରୁ ଅଧିକ ଲୋକ ବେକାର ଥିବା ବେଳେ ୭୭ ପ୍ରତିଶତ ପରିବାରରେ ଜଣେ ହେଲେ ନିୟମିତ ରୋଜଗାରକ୍ଷମ ବ୍ୟକ୍ତି ନାହାନ୍ତି l ଷ୍ଟେଟ ଅଫ ଓ୍ଵାର୍କିଂ ଇଣ୍ଡିଆ, ୨୦୧୮ ରିପୋର୍ଟ ଅନୁଯାୟୀ, ଦେଶରେ ତରୁଣଙ୍କ ମଧ୍ୟରେ ବେକାରୀ ହାର ୧୬ ପ୍ରତିଶତରେ ପହଞ୍ଚିଲାଣି, ଯାହା ଗତ ୨୦ ବର୍ଷ ମଧ୍ୟରେ ସର୍ବାଧିକ l କେବଳ ସେତିକି ନୁହେଁ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଭଲ ଚାକିରୀ ବା କର୍ମପନ୍ଥାରେ ନାହାନ୍ତି ଓ ନିଯୁକ୍ତି ପାଇଥିବା ପ୍ରତି ଚାରିଜଣରୁ ତିନିଜଣଙ୍କ ନିଯୁକ୍ତି ଅସୁରକ୍ଷିତ l ଇଆଡେ କାମ ନ ମିଳିବାକୁ କାମରେ ଥିବା ଶତକଡା ୬୭ ଭାଗ ଲୋକଙ୍କ ମାସିକ ରୋଜଗାର ଏଗାର ହଜାର ଟଙ୍କାରୁ ମଧ୍ୟ କମ ହୋଇଥିବାରୁ ତରୁଣଙ୍କ ଆକାଂକ୍ଷା ପୂରଣ କରିବାକୁ ତାହା କେତେ ଦୂର ସମର୍ଥ, ତାହା ଅନୁମେୟ l
ପ୍ରତି ବର୍ଷ ଦୁଇ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଥିବା ସରକାର ସେଥିରେ ଅସଫଳ ହେବା ପରେ ପକୁଡି ଅର୍ଥନୀତି ଓ ମୁଦ୍ରା ଋଣକୁ ଢାଲ କରିବା ବାସ୍ତବିକ କ୍ଷୋଭର ବିଷୟ l ସରକାରଙ୍କ ବିନା ସହଯୋଗରେ ମଧ୍ୟ ଲୋକେ ‘ପକୁଡି ଛଣା’ ଶ୍ରେଣୀର କାମ କରିବାକୁ ସକ୍ଷମ l ବର୍ତ୍ତମାନ ସାରା ବିଶ୍ଵରେ ଅସୁରକ୍ଷିତ ନିଯୁକ୍ତିକୁ କମାଇ ଭଲ ନିଯୁକ୍ତି ସୁଯୋଗ ସୃଷ୍ଚି କରିବା ଉପରେ ଗୁରୁତ୍ଵ ଦିଆଯାଉଥିବାରୁ ସରକାରଙ୍କ ନୀତି ବରଂ ସେହି ଦିଗରେ ହେବା ଉଚିତ l ଏଥିପାଇଁ ପ୍ରସ୍ତୁତି ଅଭାବରୁ ଓଡିଶା ଭଳି ଅନୁନ୍ନତ ରାଜ୍ୟଗୁଡିକରେ ସ୍ଥିତି ଅଧିକ ସଙ୍କଟାପନ୍ନ ଓ ସରକାର ଏ ଦିଗରେ ସକ୍ରିୟ ପଦକ୍ଷେପ ନ ନେଲେ ବେକାରୀ ସମସ୍ୟା ଆହୁରି ଉତ୍କଟ ହେବ l ସାଧାରଣତଃ ଗୋଟିଏ ଦେଶ ସର୍ବାଧିକ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ଜନସାଂଖ୍ୟିକୀୟ ଲାଭାଂଶ ପାଇଥାଏ l ତାପରେ ଜନ୍ମ ହାର କମ ହେବା କାରଣରୁ କ୍ରମଶଃ ଶ୍ରମିକ ଉପଲବ୍ଧତା କମିବାରେ ଲାଗେ l ଅନ୍ୟ ପକ୍ଷରେ ମୃତ୍ୟୁହାର କମ ହେବା କାରଣରୁ ଲୋକେ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି ଆଉ ଦେଶଟି ବୟସ୍କ ଲୋକଙ୍କ ଦେଶ ପାଲଟିଯାଏ, ଯେଉଁଠାରେ କାର୍ଯ୍ୟକ୍ଷମ ଲୋକଙ୍କ ସଂଖ୍ୟା କମ ହୋଇ ଅଧିକ ଲୋକ ନିର୍ଭରଶୀଳ ହୋଇପଡନ୍ତି l ଫଳରେ ମୁଣ୍ଡ ପିଛା ଆୟ ହ୍ରାସ ପାଇ ଆଉ ଜନସାଂଖ୍ୟିକୀୟ ଲାଭାଂଶ ମିଳି ନଥାଏ l ଉପରୋକ୍ତ ସମୟରୁ ଆମେ ପାଞ୍ଚ ବର୍ଷ ହରାଇ ସାରିଥିବାରୁ ଅବଶିଷ୍ଟ ସମୟର ସଦୁପଯୋଗ କରି ଦେଶକୁ ପକୁଡି ଅର୍ଥନୀତିର ଊର୍ଦ୍ଧ୍ଵକୁ ନେଇ କିପରି ଅଧିକ ସଂଖ୍ୟାରେ ଭଲ ନିଯୁକ୍ତି ସୁଯୋଗ ସୃଷ୍ଟି କରି ହେବ ସେ ଦିଗରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ ହେବା ଦରକାର l ଅନ୍ୟଥା ଦେଶକୁ ଜନସାଂଖ୍ୟିକୀୟ ଲାଭାଂଶର ସୁଫଳ ମିଳିବା ତ ଦୂରର କଥା ବରଂ ତାହା ଚତୁର୍ଥ ‘ଡି’ ବା ଡିଜାଷ୍ଟରରେ ପରିଣତ ହୋଇ ବିପତ୍ତିକୁ ଆମନ୍ତ୍ରଣ କରିପାରେ l

Published in Odia daily Sambad on 28 January 2019

Comments