ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ଅନଗ୍ରସରଙ୍କ ପାଇଁ ଏଣିକି ନିଯୁକ୍ତି
ଓ ଶିକ୍ଷା କ୍ଷେତ୍ରରେ ଦଶ ପ୍ରତିଶତ ଆରକ୍ଷଣ ପାଇଁ ସଂସଦର ଉଭୟ ଗୃହରେ ୧୨୪ତମ ସମ୍ବିଧାନ ସଂଶୋଧନ
ବିଧେୟକ ପାରିତ ହେବା ପରେ ଉଚ୍ଚ ବର୍ଗର ଅନେକ ଗରିବଗୁରୁବା ସେମାନଙ୍କ ପୁଅ ଝିଅଙ୍କୁ ସରକାରୀ ଚାକିରୀ
ମିଳିବା ନେଇ ବେଶ ଆଶାବାଦୀ l ସାତ ଜାନୁଆରୀରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟରେ
ପାସ୍ ହେବା, ୮ ତାରିଖରେ ଲୋକସଭାରେ ଓ ୯ ତାରିଖରେ ରାଜ୍ୟସଭାରେ, ଏମିତି ମାତ୍ର ତିନି ଦିନ ମଧ୍ୟରେ
ତରବରିଆ ଭାବେ ବିଧେୟକଟିକୁ ପାରିତ କରାଇବା ଲାଗି ସରକାର ଯେଉଁ ତତ୍ପରତା ଦେଖାଇଲେ ତାହା ସାଧାରଣତଃ
ସମ୍ବିଧାନ ସଂଶୋଧନ ବିଧେୟକ କ୍ଷେତ୍ରରେ କ୍ଵଚିତ ଦେଖାଯାଇଥାଏ l ସରକାରଙ୍କ କାର୍ଯ୍ୟକାଳ ପୂରିବାକୁ
ଆଉ ଅଳ୍ପ କେଇ ଦିନ ବାକି ଥିଲା ବେଳେ ଉଚ୍ଚ ବର୍ଗର ଅନଗ୍ରସରଙ୍କ ପ୍ରତି ତାଙ୍କର ହଠାତ ଏଇ ଦରଦ କାହିଁକି
ବୋଲି ନିନ୍ଦୁକମାନେ ପ୍ରଶ୍ନ ଉଠାଉଥିଲେ ମଧ୍ୟ, ଯଦି ଏ ଭଳି ଏକ ବିଧେୟକ ନିଯୁକ୍ତି ଓ ଶିକ୍ଷା ପ୍ରଦାନ
କ୍ଷେତ୍ରରେ ସତରେ ସହାୟକ ହେବ ତେବେ ତାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବା ଉଚିତ l ପ୍ରତି ବର୍ଷ
ଶ୍ରମ ଶକ୍ତି ଭିତରକୁ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସାଧାରଣ ବର୍ଗର ଲକ୍ଷ ଲକ୍ଷ ତରୁଣ ପ୍ରବେଶ କରୁଥିବାରୁ
ସେମାନଙ୍କୁ ନିଯୁକ୍ତି ପ୍ରଦାନ କରି ସେମାନଙ୍କ ଆକାଂକ୍ଷା ପୂରଣ କ୍ଷେତ୍ରରେ ଏହି ବିଧେୟକ କେତେ ଦୂର
ସହାୟକ ହେବ, ତାହା ବିଚାର୍ଯ୍ୟ l
ଆଠ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ,
୫ ଏକର ପର୍ଯ୍ୟନ୍ତ ଜମି, ଏକ ହଜାର ବର୍ଗଫୁଟ ମଧ୍ୟରେ ବାସଗୃହ ଥିବା ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ
ଅନଗ୍ରସର ବୋଲି ବିବେଚନା କରାଯିବ l ଆୟକର ବିଭାଗ ଅନୁଯାୟୀ ମାତ୍ର ୫ ପ୍ରତିଶତ ଲୋକଙ୍କ ବାର୍ଷିକ
ଆୟ ଆଠ ଲକ୍ଷ ଟଙ୍କାରୁ ଅଧିକ, ଅର୍ଥାତ୍ ୯୫ ପ୍ରତିଶତ ଲୋକ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ହେବେ l ସେହିପରି
ପ୍ରାୟ ୮୬ ପ୍ରତିଶତ ଚାଷ ଜମିମାଲିକଙ୍କ ନିକଟରେ ୫ ଏକରରୁ କମ ଜମି ରହିଛି l ଏବେ ଚାକିରୀ ପାଇଁ ଆଶାୟୀ
ପ୍ରାୟ ସମସ୍ତେ ନିର୍ଦ୍ଧାରିତ ପରିମାପରେ ଆସିଯିବେ ଓ ତା ବାହାରେ ଥାଇ ସରକାରୀ ଚାକିରୀ ଖୋଜୁଥିବା
ପିଲାଙ୍କର ସଂଖ୍ୟା ନଗଣ୍ୟ ହୋଇଥିବ l ତେଣୁ ପ୍ରକୃତ ଗରିବ ପିଲାଟିଏ ଏହି ଆରକ୍ଷଣର ସୁବିଧା ପାଇବା
ଆଶା କ୍ଷୀଣ, କାରଣ ବର୍ଷକୁ ଆଠ ଲକ୍ଷ ଟଙ୍କା ଆୟ କରୁଥିବା ପରିବାରର ପିଲାମାନଙ୍କ ସହ ସେମାନଙ୍କ ପ୍ରତିଯୋଗିତା
ଅସମାନତା ଭିତ୍ତିରେ ହେବ l
ନିଯୁକ୍ତି କ୍ଷେତ୍ରରେ ଆରକ୍ଷଣ କହିଲେ କେବଳ
ସରକାରୀ ଓ ସରକାରୀ ସଂସ୍ଥା ଯେପରି ସାର୍ବଜନିକ ଉଦ୍ୟୋଗ, ସାର୍ବଜନିକ ବ୍ୟାଙ୍କଗୁଡିକରେ ଆରକ୍ଷଣକୁ
ହିଁ ବୁଝାଇଥାଏ l ଏହି ସବୁ ସଂସ୍ଥାଗୁଡିକରେ ଚାକିରୀ ଯେତେ ଅଧିକ ହେବ ଆରକ୍ଷଣ ସେତେ ପ୍ରାସଙ୍ଗିକ
ହେବ l କିନ୍ତୁ ବିଗତ ବର୍ଷମାନଙ୍କରେ ସରକାରୀ ଓ ସରକାରୀ ସଂସ୍ଥାଗୁଡିକରେ ନିଯୁକ୍ତି କ୍ଷେତ୍ରରେ
ଆଶାନୁରୂପ ଅଭିବୃଦ୍ଧି ପରିଲକ୍ଷିତ ହୋଇନାହିଁ l କେବଳ କେନ୍ଦ୍ର ସରକାରଙ୍କ ନିଯୁକ୍ତିକୁ ପର୍ଯ୍ୟାଲୋଚନା
କଲେ ଜଣାଯିବ ଯେ ୨୦୦୦-୦୧ ମସିହାରେ ୩୨.୮୦ ଲକ୍ଷ କର୍ମଚାରୀ ଥିଲା ବେଳେ ୨୦୧୮-୧୯ ସୁଦ୍ଧା ତାହା
ବଢି ୩୫ ଲକ୍ଷରେ ପହଞ୍ଚିଛି, ଅର୍ଥାତ ବାର୍ଷିକ ବୃଦ୍ଧି ହାର ମାତ୍ର ୦.୪ ପ୍ରତିଶତ l ଏହି ସରକାରଙ୍କ
ଅମଳରେ ସମୁଦାୟ ୧.୭୮ ଲକ୍ଷ ଅଧିକ ସରକାରୀ ଚାକିରୀ ସୃଷ୍ଟି ହୋଇଛି, ଅର୍ଥାତ୍ ବର୍ଷକୁ ହାରାହାରି
୪୫ ହଜାର l ଯଦି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ଉପଲବ୍ଧ ଥାଆନ୍ତା
ତେବେ ସେହି ଚାକିରୀ ମଧ୍ୟରୁ ସର୍ବାଧିକ ମାତ୍ର ୪୫୦୦ ଚାକିରୀରେ ସେମାନେ ନିଯୁକ୍ତି ପାଇଥାନ୍ତେ
l ବାର୍ଷିକ ଏହି ବର୍ଗର ଲକ୍ଷ ଲକ୍ଷ ନିଯୁକ୍ତି ଆକାଂକ୍ଷୀ ତରୁଣଙ୍କ ମଧ୍ୟରୁ ମାତ୍ର ୪୫୦୦ ଜଣଙ୍କୁ
ନିଯୁକ୍ତି ସୁଯୋଗ ମିଳିବା ସମୁଦ୍ରକୁ ଶଙ୍ଖେ ପାଣି ବା ‘ଶୂନ’ ସହ ସମାନ କହିଲେ ଅତ୍ୟୁକ୍ତି ହେବନାହିଁ
l
କେନ୍ଦ୍ରୀୟ ସାର୍ବଜନିକ ଉଦ୍ୟୋଗ (ସିପିଏସଇ)ଗୁଡିକରେ
କର୍ମଚାରୀ ସଂଖ୍ୟା ଯଥେଷ୍ଟ କମ ହୋଇଚାଲିଛି l ୨୦୦୬-୦୭ରେ ଏହି ସଂଖ୍ୟା ୧୬.୧୪ ଲକ୍ଷ ଥିବା ବେଳେ
୨୦୧୭-୧୮ରେ ଏହି ସଂଖ୍ୟା ପ୍ରାୟ ଏକ-ତୃତୀୟାଂଶ କମ ହୋଇ ୧୦.୮୮ ଲକ୍ଷରେ ପହଞ୍ଚିଲାଣି l ଏନଡିଏ ସରକାର
କ୍ଷମତାକୁ ଆସିଲା ପରେ କର୍ମଚାରୀ ସଂଖ୍ୟା ପ୍ରାୟ ଅଢେଇ ଲକ୍ଷ କମିଲାଣି l ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକରେ
୨୦୧୨-୧୩ରେ ୮.୭୭ ଲକ୍ଷ ଥିଲାବେଳେ ୨୦୧୬-୧୭ରେ ସେହି ସଂଖ୍ୟା ୮.୬୭ ଲକ୍ଷରେ ପହଞ୍ଚିଲାଣି l ଅଧିକାଂଶ
ରାଜ୍ୟ ସରକାର କର୍ମଚାରୀଙ୍କ ସଂଖ୍ୟା କମାଇ ଅନେକ ସରକାରୀ କାମକୁ ଆଉଟସୋର୍ସିଂ ଜରିଆରେ ଘରୋଇ କମ୍ପାନୀ
ହାତକୁ ଟେକି ଦେଉଛନ୍ତି, ଯେଉଁଠି ଆରକ୍ଷଣର ନିୟମ ଅନୁପାଳନ ହେଉନାହିଁ l ଅର୍ଥାତ୍, ଏହା ଭିତରେ ଚାକିରୀ
ଖୋଜୁଥିବା ଲୋକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଥିଲେ ମଧ୍ୟ ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗର
ଉପଲବ୍ଧତାରେ ସେମିତି ବୃଦ୍ଧି ଘଟି ନାହିଁ l ଏ ସବୁକୁ ଅନୁଧ୍ୟାନ କଲେ ଜଣାଯିବ ଯେ ଦେଶରେ ସରକାରୀ
କ୍ଷେତ୍ରରେ ନିଯୁକ୍ତି ହାର ଜନସଂଖ୍ୟା ବୃଦ୍ଧି ହାରଠାରୁ ଏତେ କମ ଯେ ସରକାରୀ କ୍ଷେତ୍ରରେ ନିଯୁକ୍ତି
ସୁଯୋଗ ସୃଷ୍ଟି ହେଉ ନଥିବା ବେଳେ ଆରକ୍ଷଣ କଥା ଉଠାଇବା ଯୁବ ବର୍ଗକୁ ବିଭ୍ରାନ୍ତ କରିବା ସହ ସମାନ
l
ବିଧେୟକରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଭୟ ସାହାଯ୍ୟପ୍ରାପ୍ତ
ଓ ଅଣ-ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଆରକ୍ଷଣର କଥା କୁହାଯାଇଛି l ଏହା ଏକ ସ୍ଵାଗତଯୋଗ୍ୟ
ପଦକ୍ଷେପ ହେଲେ ମଧ୍ୟ ପ୍ରକୃତ ପକ୍ଷେ କେତେ ବ୍ୟାବହାରିକ ? ଘରୋଇ ଅନୁଷ୍ଠାନରେ ଉଚ୍ଚ ବର୍ଗର ଗରିବ
ପରିବାରର ପିଲାଟିଏ ଆରକ୍ଷଣ ଯୋଗୁ ନାମ ଲେଖାର ସୁଯୋଗ ପାଇଲେ ମଧ୍ୟ, ସେଠାରେ ଯେଉଁଭଳି ଭାବେ ଫି,
ଡୋନେସନ ଆଦାୟ ହୋଇଥାଏ, ତାହା ସେ ଦେବାକୁ ସମର୍ଥ ହୋଇପାରିବ କି ? ଫଳରେ ଏହା ସେହି ବର୍ଗର ସର-ପରସ୍ତ
(କ୍ରିମି ଲେୟାର) ଲୋକେ ହାତେଇ ନେବା ଯାହା ସାର ହେବ l ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଶିକ୍ଷାର
ଘରୋଇକରଣ ଓ ବ୍ୟାବସାୟୀକରଣକୁ ପ୍ରୋତ୍ସାହିତ ନ କରି ସରକାରୀ ସ୍ତରରେ ଅଧିକ ସଂଖ୍ୟାରେ ଗୁଣାତ୍ମକ
ଶିକ୍ଷାନଷ୍ଠାନ ପ୍ରତିଷ୍ଠା କରିବାକୁ ହେବ, ଯଦ୍ଦ୍ଵାରା ପଢିବା ପାଇଁ ଚାହୁଁଥିବା ପ୍ରତ୍ୟେକ ବର୍ଗର
ମେଧାବୀ ଛାତ୍ର ଯେପରି ଅସୁବିଧାର ସମ୍ମୁଖୀନ ହେବନାହିଁ
କି ଆରକ୍ଷଣର ଆବଶ୍ୟକତା ପଡିବ ନାହିଁ l
ଦୁଇ ତିନିଟି ଦଳକୁ ବାଦ ଦେଲେ ବିଧେୟକଟିକୁ
ସଂସଦରେ ବିରୋଧ କରିବା ତ ଦୂରର କଥା ଏହାକୁ ସିଲେକ୍ଟ କମିଟି ବା ଷ୍ଟାଣ୍ଡିଂ କମିଟିକୁ ପଠାଇ ଏହାର
ଗୁଣାତ୍ମକତାରେ ବୃଦ୍ଧି ପାଇଁ ମଧ୍ୟ କୌଣସି ବଡ ଦଳ ଅଡି ନ ବସିବାର କାରଣ ସେମାନଙ୍କ ରାଜନୈତିକ ବାଧ୍ୟବାଧକତା
l କଂଗ୍ରେସ ସମେତ ଅନେକ ଦଳ ଆର୍ଥିକ ଅନଗ୍ରସରତା ଭିତ୍ତିରେ ଆରକ୍ଷଣ ଦେବା କଥା ସେମାନଙ୍କର ଗତ ନିର୍ବାଚନୀ
ଇସ୍ତାହାରରେ ଘୋଷଣା କରିଥିଲେ l ତାଛଡା ଏ ଭଳି ଏକ ବିଧେୟକକୁ ବିରୋଧ କଲେ କାଳେ ଉଚ୍ଚ ବର୍ଗର ରୋଷର
ଶିକାର ହୋଇ ଆଗାମୀ ନିର୍ବାଚନରେ ଭୋଟ ହରାଇବାକୁ ପଡିବ, ସେଥିପାଇଁ ଅଧିକାଂଶ ଦଳ ସେମାନଙ୍କ ହିତୈଷୀ
ବୋଲି ନିଜ ଛବିକୁ ବଳବତ୍ତର ରଖିବା ପାଇଁ ବିଧେୟକକୁ ଅକୁଣ୍ଠ ସମର୍ଥନ ଜଣାଇଲେ l ଅନ୍ୟ ପକ୍ଷରେ ବିରୋଧ
କରୁଥିବା ଡିଏମକେ, ଆରଜେଡି ଭଳି କେତେକ ଦଳ ସେମାନଙ୍କ ଭୋଟ ବ୍ୟାଙ୍କକୁ ସମ୍ଵୋଧନ କରିବା ପାଇଁ ବିରୋଧ
ପ୍ରଦର୍ଶନ କଲେ l କିନ୍ତୁ ମଣ୍ଡଳ କମିଶନ ଲାଗୁ ହେବା ସମୟରୁ ଆରକ୍ଷଣକୁ ବିରୋଧ କରି ଆସୁଥିବା ବିଜେପିର
ହଠାତ ଆରକ୍ଷଣ ସପକ୍ଷରେ ସ୍ଵର ପରିବର୍ତ୍ତନ ଅନେକଙ୍କୁ ଚକିତ କରିଥିଲେ ମଧ୍ୟ ଛତିଶଗଡ, ମଧ୍ୟ ପ୍ରଦେଶ
ଓ ରାଜସ୍ଥାନରେ ପରାଜୟ ଦଳକୁ ଏ ଭଳି ଏକ ପଦକ୍ଷେପ ନେବାକୁ ବାଧ୍ୟ କଲା ବୋଲି କୁହାଯାଏ l କାରଣ ୨୦୧୪
ନିର୍ବାଚନରେ ଉଚ୍ଚ ବର୍ଗର ପ୍ରାୟ ଅର୍ଦ୍ଧାଧିକ ଭୋଟ ବିଜେପି ସପକ୍ଷରେ ଯାଇଥିବା ବେଳେ, ସେମାନେ ବିଭିନ୍ନ
କାରଣରୁ କ୍ରମଶଃ ଦଳ ପ୍ରତି ବିମୁଖ ହେବାର ସୂଚନା ଦଳକୁ ମିଳିବାରେ ଲାଗିଲା l ଏ ସମ୍ପର୍କରେ ନିର୍ବାଚନୀ
ବାଧ୍ୟବାଧକତା ପାଇଁ ପ୍ରତିଟି ଦଳର ଆଚରଣ ରାଜନୈତିକ ଦୃଷ୍ଟିରୁ ହୁଏତ ଠିକ ହୋଇପାରେ, ହେଲେ ବିଚାର
ବିଭାଗର କୌଣସି ବାଧ୍ୟବାଧକତା ନଥିବାରୁ ତାହା ଆଇନଗତ ସ୍ଵୀକୃତି ପାଇବ ତ ? କାରଣ ୧୯୯୨ ମସିହାରେ
ଇନ୍ଦିରା ସାହାନୀ ମାମଲାରେ ସୁପ୍ରିମ କୋର୍ଟଙ୍କ ଏକ ନଅ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଥିଲେ ଯେ ୫୦ ପ୍ରତିଶତରୁ
ଅଧିକ ଆରକ୍ଷଣ ହୋଇପାରିବ ନାହିଁ l ଏହି ବିଧେୟକ ପାରିତ ହେବା ପରେ ୬୦ ପ୍ରତିଶତ ସ୍ଥାନ ଆରକ୍ଷିତ
ହୋଇଯିବ l ଯେଉଁ ଜାତିଗୁଡିକ ଐତିହାସିକ ଭାବେ ଭେଦଭାବ ଓ ତାର କୁପରିଣାମର ଶିକାର ହୋଇଥିବେ କେବଳ
ସେମାନଙ୍କ ପାଇଁ ଆରକ୍ଷଣ ଉଦ୍ଦିଷ୍ଟ l ଆରକ୍ଷଣ ପ୍ରଦାନ ଏକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ନୁହେଁ
ବରଂ ଏହାର ଉଦ୍ଦେଶ୍ୟ ପ୍ରତିନିଧିତ୍ଵ ସୁନିଶ୍ଚିତ କରିବା l ପୁନଶ୍ଚ, କେବଳ ଆର୍ଥିକ ଭିତ୍ତିକୁ ଆଧାର
କରି ଆରକ୍ଷଣ ଦିଆଯାଇ ପାରିବ ନାହିଁ ବୋଲି ରାୟରେ କୁହାଯାଇଥିଲା l ତାଛଡା ଆର୍ଥିକ ସ୍ଥିତିରେ ନିରନ୍ତର
ପରିବର୍ତ୍ତନ ଘଟିଥାଏ l ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରମାନେ କିଭଳି ଭାବେ ନିଯୁକ୍ତି ଓ ଶିକ୍ଷା ସୁଯୋଗ
ପାଇବାରୁ ବଞ୍ଚିତ ହୋଇଛନ୍ତି ତାହା ପ୍ରମାଣିତ କରିବା ପାଇଁ କୌଣସି ସର୍ଭେ ହୋଇ ନଥିବାରୁ ଏ ନେଇ କୋର୍ଟଙ୍କୁ
ସନ୍ତୁଷ୍ଟ କଲା ଭଳି ତଥ୍ୟ ଆପାତତଃ ସରକାରଙ୍କ ପାଖରେ ନାହିଁ l ତେଣୁ ବିଲଟିକୁ ପାରିତ କରାଇ ସରକାର
ହୁଏତ ତାଙ୍କ ଇଚ୍ଛାବ୍ୟକ୍ତ କରିବାରେ ସମର୍ଥ ହୋଇଛନ୍ତି, ହେଲେ ତାହା ଆଇନ ଓ ସାମ୍ଵିଧାନିକ ଯାଞ୍ଚରେ
ଉତ୍ତୀର୍ଣ୍ଣ ହେବାର ଆଶା କ୍ଷୀଣ l
ଦିନ ଥିଲା ଯେତେବେଳେ ସରକାର ହିଁ ଦେଶରେ ମୁଖ୍ୟ ନିଯୁକ୍ତିଦାତା
ଥିଲେ l ଏଣିକି ସାରା ଦେଶରେ ସରକାରୀ ନିଯୁକ୍ତି ସୁଯୋଗ ପ୍ରାୟ ଶୂନ, କାରଣ ସରକାର ଆଉ ବେଶି ନିଯୁକ୍ତି
ସୃଷ୍ଟି କରୁନାହାନ୍ତି l ଅନ୍ୟ ପକ୍ଷରେ ସରକାର ଏପରି ଏକ ବାତାବରଣ ତିଆରି କରିପାରନ୍ତେ ଯେଉଁଥିରେ
ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା l ତେଣେ ଘରୋଇ କ୍ଷେତ୍ରରେ ଥିବା ନିଯୁକ୍ତିରେ କୌଣସି
ଆରକ୍ଷଣ ବ୍ୟବସ୍ଥା ନାହିଁ ଓ ରାଜନେତାମାନେ ସେ ସମ୍ପର୍କରେ ଦାବି ଉଠାନ୍ତି ନାହିଁ l ସ୍ଵାଧୀନତା
ପରଠାରୁ ଆଜି ଯାଏଁ ରାଜନେତାମାନେ ଜନତାଙ୍କୁ କେବଳ ଆରକ୍ଷଣର ଥୋପ ଦେଖାଇ ଆସିଥିଲେ ମଧ୍ୟ ଅଧିକ ନିଯୁକ୍ତି
ସୃଷ୍ଟି କରିବାକୁ ତତ୍ପର ନ ହୋଇ ସେହି ସୀମିତ ଚାକିରୀକୁ ବାନର-ବାଣ୍ଟ କରି ଜାତିଗତ ବିଦ୍ଵେଷ ସୃଷ୍ଟିରେ
ସହାୟକ ହେଉଛନ୍ତି l ତେଣୁ ଯେ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ଶୂନ, ସେ ପର୍ଯ୍ୟନ୍ତ ଏ ସମସ୍ତ ଆରକ୍ଷଣ
ବ୍ୟବସ୍ଥା ସମ୍ପୂର୍ଣ୍ଣ ନିରର୍ଥକ l ବିଶେଷ କରି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ଦଶ ପ୍ରତିଶତ
ଆରକ୍ଷଣ ବ୍ୟବସ୍ଥା ସେମାନଙ୍କୁ ଭୁଆଁ ବୁଲାଇଲା ପରି l କାରଣ ଶୂନର ଦଶ ପ୍ରତିଶତ ବି ଶୂନ l
Published in Odia daily Sambad on January 15, 2019
Published in Odia daily Sambad on January 15, 2019
Very nice Sir.
ReplyDeleteVery much information and meaningful
ReplyDeleteThanks
DeletePeople will be astonished regarding the fact you analysed .This will open the window for more debate
ReplyDeleteThanks. Hope the debate opens up.
Delete