ସେହି ପୁରୁଣା କାହାଣୀ, ରାଜା ତାଙ୍କ ତିନି
ଝିଅଙ୍କୁ ପଚାରନ୍ତି, ତାଙ୍କୁ କିଏ କେତେ ଭଲ ପାଏ ବୋଲି l ଉତ୍ତରରେ ବଡଝିଅ ଦୁଇ ଜଣ, କିଏ ତାଙ୍କୁ
ସୁନା ଭଳି ତ କିଏ ମିଠା ଭଳି ଭଲ ପାଏ ବୋଲି କହିଥିବା ବେଳେ, ସାନଝିଅ ତାଙ୍କୁ ଲୁଣ ପରି ଭଲ ପାଏ ବୋଲି
କହିବାରୁ ରାଜା ରାଗି ଯାଇ ସାନଝିଅକୁ ରାଜମହଲରୁ ନିର୍ବାସନ କରନ୍ତି ଓ ଆରମ୍ଭ ହୁଏ ଝିଅଟିର କରୁଣ
କାହାଣୀ l କିନ୍ତୁ ଘଟଣା ଚକ୍ରରେ ରାଜା ଲୁଣର ମହତ୍ତ୍ଵ ଉପଲବ୍ଧି କରି ନିଜର ଭୁଲ ବୁଝି ପାରନ୍ତି
ଓ ଝିଅଟି ତା’ର ଉପଯୁକ୍ତ ମର୍ଯ୍ୟାଦା ଫେରିପାଏ l ପ୍ରତି ମଣିଷର ଜୀବନରେ ଲୁଣର ଗୁରୁତ୍ଵପୂର୍ଣ୍ଣ
ଭୂମିକା ସମ୍ପର୍କରେ ବୁଝାଇବାକୁ ଯାଇ ଏହି କାହାଣୀଟିର ଅବତାରଣା କରା ଯାଇଥାଏ l ଏହାର ଅନୁପସ୍ଥିତି
ସବୁ କିଛି ସ୍ଵାଦହୀନ କରିଦିଏ l ମାତ୍ର ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ କେବଳ ମଣିଷ ନୁହେଁ, ଲୁଣ ଗୋଟିଏ
ରାଷ୍ଟ୍ରର ଉଭୟ ପ୍ରଗତି ଓ ଅବନତିର ମଧ୍ୟ କାରଣ ହୋଇପାରେ l ଚୀନ ଦେଶର ସୁପ୍ରସିଦ୍ଧ ମହାନ ପ୍ରାଚୀର
ନିର୍ମାଣ ପାଇଁ ଆବଶ୍ୟକୀୟ ରାଶିର ସିଂହଭାଗ ଲବଣ କରରୁ ଆସିଥିଲା l ଏହା ଅବିଶ୍ଵାସ୍ୟ ହେଲେ ମଧ୍ୟ
ସତ ଯେ ଓଡିଶା ଲୁଣ ଉପରେ ଏକାଧିପତ୍ୟ ପାଇଁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡିଶାକୁ ନିଜ କରାୟତ୍ତ
କରିଥିଲା l
ପ୍ରାଚୀନ କାଳରୁ ଦେଶର ପୂର୍ବ ଉପକୂଳରେ ଓଡିଶା
ଲବଣ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେଉଥିଲା l ଏଠାରେ ଦୁଇ ପ୍ରକାର ଲୁଣ ଉତ୍ପାଦନ
ହେଉଥିଲା l ଜୁଆର ସମୟରେ ଲୁଣ ପାଇଁ ଉଦ୍ଦିଷ୍ଟ ଜମିରେ ସମୁଦ୍ର ପାଣି ପୂରାଇ ଦିଆଯାଉଥିଲା l ଖରାରେ
ଜଳୀୟ ଅଂଶ ବାଷ୍ପ ଆକାରରେ ଉଡି ଗଲା ପରେ ଜମିରେ ଲୁଣ ଦାନା ଆକାରରେ ରହିଯାଉଥିଲା l ଏହି ପଦ୍ଧତିରେ
ତିଆରି ଲୁଣକୁ ‘କରକଚ’ ଲୁଣ କୁହା ଯାଉଥିଲା l ଲବଣ ଶ୍ରମିକ ମଲାଙ୍ଗୀଙ୍କ ଦ୍ଵାରା ପ୍ରସ୍ତୁତ ଅନ୍ୟ
ଏକ ପଦ୍ଧତିର ଲୁଣକୁ ‘ପଙ୍ଗା’ ଲୁଣ କୁହାଯାଉଥିଲା l ଏହି ପଦ୍ଧତିରେ ଲୁଣିଆ ମାଟି ଓ ସମୁଦ୍ର ପାଣିକୁ
ଫୁଟାଇ ସେଥିରୁ ଲୁଣ ପ୍ରସ୍ତୁତ କରା ଯାଉଥିଲା l ଏହା ଅପେକ୍ଷାକୃତ ସଫା ଓ ଧଳା ଥିଲା l କୁହାଯାଏ,
ସେତେବେଳେ ଭାରତରେ ଉପଲବ୍ଧ ଲୁଣ ମଧ୍ୟରେ ଏହା ଥିଲା ସର୍ବୋତ୍ତମ l ମହାନଦୀର ଜଳପଥ ଦେଇ ଏହି ଲୁଣ
ବିଭିନ୍ନ ସ୍ଥାନକୁ ପଠାଯାଉଥିଲା l ମଧ୍ୟଭାରତର ବ୍ୟବସାୟୀମାନେ ଅନ୍ୟ ଦ୍ରବ୍ୟ ବିନିମୟରେ ଶଗଡ ଯୋଗେ
ଓଡିଶା ଲୁଣ ନେବାକୁ ଆସୁଥିଲେ l
ଅଷ୍ଟାଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଇଂଲଣ୍ଡର
ଉତ୍ତର ପଶ୍ଚିମରେ ଅବସ୍ଥିତ ଲୁଣ (ସୈନ୍ଧବ ଲବଣ) ଉତ୍ପାଦନର ଅନ୍ୟତମ ପ୍ରମୁଖ କେନ୍ଦ୍ର ଚେସାୟାରରେ
ଲୁଣ ଉତ୍ପାଦନ ବଢିବାରୁ ବ୍ରିଟିଶ ନିୟନ୍ତ୍ରଣାଧୀନ ଅଞ୍ଚଳମାନଙ୍କରେ ସେହି ଲୁଣର ବଜାର ସୃଷ୍ଟି କରିବାକୁ
ଉଦ୍ୟମ ହେଲା l ୧୭୫୭ରେ ପଲାସୀ ଯୁଦ୍ଧରେ ବିଜୟ ପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତାରେ
ବାଣିଜ୍ୟ ବ୍ୟବସାୟ ବଢାଇଥିବାରୁ ଚେସାୟାର ଲୁଣର ପୃଷ୍ଠପୋଷକତା କରିବା ପାଇଁ ତାଙ୍କ ଉପରେ ଦାୟିତ୍ଵ
ପଡିଲା l ସେହି ଲୁଣକୁ ‘ଲିଭରପୁଲ ଲୁଣ’ ମଧ୍ୟ କୁହାଯାଉଥିଲା l କମ୍ପାନୀର ପୃଷ୍ଠପୋଷକତା ସତ୍ତ୍ଵେ
ଏହି ଲୁଣ ଉଭୟ ଦର ଓ ମାନରେ ଓଡିଶା ଲୁଣର ମୁକାବିଲା କରିବାକୁ ଅସମର୍ଥ ହେବାରୁ କମ୍ପାନୀକୁ କ୍ଷତି
ସହିବାକୁ ପଡିଲା l ଓଡିଶା ସେତେବେଳେ ମରାଠା ଶାସନାଧୀନ ଥିଲା l ତେଣୁ କମ୍ପାନୀ ୧୭୯୦ ମସିହାରେ ଓଡିଶାର
ତତ୍କାଳୀନ ମରାଠା ପ୍ରଶାସକ ରଘୁଜୀ ଭୋଁସଲେଙ୍କୁ ଓଡିଶାରେ ଉତ୍ପାଦିତ ସମସ୍ତ ଲୁଣକୁ କିଣିବାର ଏକଚାଟିଆ
ଅଧିକାର ଦେବା ପାଇଁ ଅନୁରୋଧ କଲେ l ଇଷ୍ଟ ଇଣ୍ଡିଆ କମ୍ପାନୀ ଲିଭରପୁଲ ଲୁଣର ଦରକୁ କୃତ୍ରିମ ଭାବେ
ଅଧିକ ରଖିବା ପାଇଁ ଓଡିଶା ଲୁଣର କ୍ଷତିସାଧନ କରିବାର ମସୁଧା କରୁଥିବାର ଅନୁଭବ କରି ରଘୁଜୀ କମ୍ପାନୀର
ଅନୁରୋଧକୁ ନାମଞ୍ଜୁର କଲେ l ଫଳରେ କମ୍ପାନୀ ଓଡିଶା ଲୁଣର ବଙ୍ଗ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇଲେ
l ସେତେବେଳେ ଓଡିଶା-ବଙ୍ଗ ସୀମାନ୍ତ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ଲୁଚାଚୋରା ଭାବେ ଓଡିଶା
ଲୁଣ ବଙ୍ଗ ବଜାରରେ କାୟା ବିସ୍ତାର କଲା ଓ ତାକୁ ପ୍ରତିହତ କରିବା କମ୍ପାନୀ ପକ୍ଷରେ ଅସମ୍ଭବ ହୋଇ
ପଡିଲା l ଏଥିରେ ଉତକ୍ଷିପ୍ତ ହୋଇ ପ୍ରତିବନ୍ଧିତ ଓଡିଶା ଲୁଣର ଚୋରା କାରବାରର ବିରୋଧ ଆଳରେ କମ୍ପାନୀ
ଓଡିଶା ଆକ୍ରମଣ କଲା ଓ ମରାଠା ଶାସନର ପତନ ଘଟିଲା l ଦେଓଗାଁ ସନ୍ଧି ମାଧ୍ୟମରେ ୧୭ ଡିସେମ୍ଵର ୧୮୦୩ରେ
ଓଡିଶା ଇଷ୍ଟ ଇଣ୍ଡିଆ କମ୍ପାନୀର କରାୟତ୍ତ ହେବା ପରେ ଓଡିଶା ଲୁଣ ଉପରେ ଲୋଲୁପ ଦୃଷ୍ଟି ପଡିଲା କମ୍ପାନୀର
l ୧ ନଭେମ୍ଵର ୧୮୦୪ରେ କମ୍ପାନୀ ଓଡିଶା ଲୁଣ ଉପରେ ତା’ର ଏକାଧିପତ୍ୟ ଘୋଷଣା କଲା, ଆଉ ତା’ପରେ ଆରମ୍ଭ
ହେଲା ରାଜାଙ୍କ ସାନଝିଅ ପରି ଓଡିଶା ଲୁଣର ଦୁର୍ଦ୍ଦିନର କରୁଣ କାହାଣୀ l ଘରୋଇ ଭାବେ ଲୁଣ ବିକ୍ରି
ସମ୍ପୂର୍ଣ୍ଣ ନିଷିଦ୍ଧ ହେଲା l ଯାହା ପାଖରେ ଲୁଣ ଗଚ୍ଛିତ ଥିଲା ସେମାନେ କମ୍ପାନୀକୁ ଏକ ନିର୍ଦ୍ଦିଷ୍ଟ
ମୂଲ୍ୟରେ ବିକିବାକୁ ବାଧ୍ୟ ହେଲେ l ୧୦ ବର୍ଷ ମଧ୍ୟରେ କମ୍ପାନୀ ବ୍ୟତୀତ ଅନ୍ୟ କେହି ଲୁଣ ଉତ୍ପାଦନ
କରିବା ବେଆଇନ ହୋଇଗଲା l ଲୁଣ ତିଆରି କରୁଥିବା ଲୁଣ ଶ୍ରମିକ ମଲାଙ୍ଗୀମାନଙ୍କୁ କମ୍ପାନୀର ଲବଣ ବିଭାଗ
ତରଫରୁ ଲୁଣ ଉତ୍ପାଦନ ପାଇଁ ଉଚ୍ଚ ସୁଧ ହାରରେ ଅଗ୍ରିମ ଆକାରରେ ଟଙ୍କା ଦିଆଗଲା l କ୍ରମଶଃ ମଲାଙ୍ଗୀମାନେ
ଋଣରେ ବୁଡିବାକୁ ଲାଗିଲେ, ଆଉ ଋଣ ଫେରସ୍ତ କରିବାକୁ ଅସମର୍ଥ ହୋଇ ବସ୍ତୁତଃ ଲବଣ ବିଭାଗର ଦାସ ଭଳି
କାମ କରିବାକୁ ବାଧ୍ୟ ହେଲେ l ଲୁଣ ଉତ୍ପାଦନରେ କମ୍ପାନୀର ଏକାଧିପତ୍ୟଦ୍ଵାରା କ୍ଷତିଗ୍ରସ୍ତ ଜମିଦାରମାନେ
ମଲାଙ୍ଗୀମାନଙ୍କୁ କମ୍ପାନୀକୁ ସହଯୋଗ ନ କରିବାକୁ ପ୍ରବର୍ତ୍ତାଇଲେ l ଫଳରେ ମଲାଙ୍ଗୀମାନେ କମ୍ପାନୀ
ପାଇଁ ଲୁଣ ତିଆରି ନ କରି ଲୁଚାଛପା ଲୁଣ ଉତ୍ପାଦନ କଲେ l ଧରା ପଡି ଶହ ଶହ ସଂଖ୍ୟାରେ ବନ୍ଧା ହୋଇ
ନିର୍ଯାତିତ ହେଲେ l ୧୮୧୭ ମସିହାର ପାଇକ ବିଦ୍ରୋହରେ ମଲାଙ୍ଗୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ
l ତେବେ ବିଦ୍ରୋହର ଅବସାନ ପରେ ସେମାନଙ୍କ ଦୁର୍ଦ୍ଦଶା ବରଂ ବଢିବାକୁ ଲାଗିଲା l ତଥାପି ସେମାନେ ଲୁଚାଛପା
ଲୁଣ ତିଆରି ଜାରି ରଖିଲେ l ଓଡିଶାର ଲୋକେ ଯେପରି ଲୁଣ ସହ ସଂପୃକ୍ତ କୌଣସି କାର୍ଯ୍ୟରେ ଭାଗ ନ ନିଅନ୍ତି,
ତାହା ସୁନିଶ୍ଚିତ କରିବା ପାଇଁ କଡା ଆଇନ ପ୍ରବର୍ତ୍ତନ ହେଲା l ଏପରିକି ସମୁଦ୍ରକୂଳ ଜମିର ମାଟି ଉପରେ
ବସି ରହିଥିବା ଲୁଣକୁ କୋରି କାଢିବା ମଧ୍ୟ ଦଣ୍ଡନୀୟ ଅପରାଧ ହେଲା l ଫଳରେ ହଜାର ହଜାର ସଂଖ୍ୟାରେ
ମଲାଙ୍ଗୀମାନେ ଭୋକଉପାସର ଶିକାର ହୋଇ କାମ ସନ୍ଧାନରେ ଦେଶାନ୍ତର ହେବାକୁ ବାଧ୍ୟ ହେଲେ l ୧୮୬୩ ମସିହାରେ
ଲୁଣ ଉତ୍ପାଦନ କ୍ଷେତ୍ରରେ ବ୍ରିଟିଶ ସରକାରଙ୍କ ଏକଚାଟିଆ ଅଧିକାର ଉଚ୍ଛେଦ ହୋଇ ତା’ ସ୍ଥାନରେ ଉତ୍ପାଦ
ଶୁଳ୍କ (ଏକସାଇଜ) ବ୍ୟବସ୍ଥା ଲାଗୁ ହେଲା l ନୂତନ ବ୍ୟବସ୍ଥା ଅନୁଯାୟୀ ସରକାର ଲୁଣର ଉତ୍ପାଦକ ଓ ବ୍ୟବସାୟୀ
ଭୂମିକାରୁ ଓହରି ଗଲେ ଓ ଘରୋଇ ବ୍ୟବସାୟୀମାନଙ୍କୁ ୧୦ରୁ ୧୫ ବର୍ଗ ମାଇଲ ପରିମିତ ସମୁଦ୍ର କୂଳିଆ ଉପଯୋଗୀ
ଅଞ୍ଚଳରେ ଲୁଣ ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରାଗଲା l ବିକ୍ରି ହେଉଥିବା ଲୁଣ ଉପରେ ଉତ୍ପାଦ
ଶୁଳ୍କ ଲାଗୁ କରି ସରକାର ରାଜସ୍ଵ ଆଦାୟ କରିବାକୁ ଲାଗିଲେ l କ୍ରମଶଃ ଲୁଣ ପ୍ରସଙ୍ଗରେ ସରକାରଙ୍କ
ପ୍ରତ୍ୟକ୍ଷ ଭୂମିକା କମିବାକୁ ଲାଗିଲା l ନଅଙ୍କ ଦୁର୍ଭିକ୍ଷରେ ଦୋହଲି ଯାଇଥିବା ଆର୍ଥିକ ସ୍ଥିତି
ଯୋଗୁଁ ଓଡିଆ ଲୋକେ ଏହି ବ୍ୟବସ୍ଥାରେ ଲାଭାନ୍ଵିତ ହୋଇ ପାରିଲେ ନାହିଁ l ବରଂ ଏହାର ଏପରି ପ୍ରତିକୂଳ
ପ୍ରଭାବ ପଡିଲା ଯେ ୧୮୯୮ ମସିହା ସୁଦ୍ଧା ସମଗ୍ର ରାଜ୍ୟରେ ଲୁଣ ଉତ୍ପାଦନ ପ୍ରାୟତଃ ସମ୍ପୂର୍ଣ୍ଣ ବନ୍ଦ
ହୋଇଗଲା l
ବ୍ରିଟିଶ ଶାସକଙ୍କ ଲବଣ ନୀତି ଯୋଗୁଁ ଅନ୍ୟ
ରାଜ୍ୟ ତୁଳନାରେ ଓଡିଶା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା l ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହର
ଯଥେଷ୍ଟ ପୂର୍ବରୁ ୧୮୮୮ ମସିହା ଫେବୃଆରୀ ମାସ ସରକାରଙ୍କ ଲବଣ ନୀତିକୁ ପ୍ରତିବାଦ କରି କଟକଠାରେ ଏକ
ସାଧାରଣ ସଭା ଆୟୋଜିତ ହୋଇଥିଲା l ଓଡିଶାରେ ଏକ ସମୟରେ ଚାଲିଥିବା ଭାଷା ଆନ୍ଦୋଳନ, ସ୍ଵତନ୍ତ୍ର ପ୍ରଦେଶ
ଗଠନ ଆନ୍ଦୋଳନ ଓ ଜାତୀୟ ସ୍ଵାଧୀନତା ସଂଗ୍ରାମ ଭଳି ତିନି ତିନୋଟି ଆନ୍ଦୋଳନରେ ବିଭାଜିତ ଓଡିଶାର ନେତୃବର୍ଗଙ୍କଠାରେ
ଲୁଣକୁ ମୁଖ୍ୟ ପ୍ରସଙ୍ଗ କରି ଲଢିବା ପାଇଁ ନା ଥିଲା ସମୟ, ନା ଥିଲା ପ୍ରତ୍ୟୟ l ତେବେ ୧୯୨୯ ମସିହାରେ
ଜାତୀୟ ବିଧାନ ପରିଷଦର ସଦସ୍ୟ ପଣ୍ଡିତ ନୀଳକଣ୍ଠ ଦାସ ଲବଣ କର ପ୍ରତ୍ୟାହାର ସହିତ ଓଡିଶାରେ ଲବଣ ଉତ୍ପାଦନ
ଓ ବଜାରର ପୁନରୁଦ୍ଧାର ପାଇଁ ଦାବି ଉପସ୍ଥାପନ କରିଥିଲେ l ଇଞ୍ଚୁଡି ଓ ଅନ୍ୟ ସ୍ଥାନମାନଙ୍କରେ ହୋଇଥିବା
ଲବଣ ସତ୍ୟାଗ୍ରହଗୁଡିକ ଥିଲା ପ୍ରତୀକାତ୍ମକ ଓ ଦାଣ୍ଡି ଯାତ୍ରାର ଆଇନ ଅମାନ୍ୟ ଆନ୍ଦୋଳନର ବିସ୍ତାର
ମାତ୍ର l ନିୟମିତ ରୂପେ ଲୁଣ ତିଆରି ଲାଗି କୌଣସି ଖସଡା ପ୍ରସ୍ତୁତ ହୋଇ ନଥିବାରୁ ସତ୍ୟାଗ୍ରହ ପରେ
ଲୁଣ ଉତ୍ପାଦନ ପାଇଁ ସେପରି କୌଣସି ଉତ୍ସାହ ପରିଲକ୍ଷିତ ହୋଇ ନଥିଲା l
ଦେଶ ସ୍ଵାଧୀନ ହେଲା ପରେ ମଧ୍ୟ ଲୁଣ ଉତ୍ପାଦନ
କ୍ଷେତ୍ରରେ ଓଡିଶା ତା’ର ହୃତ ଗୌରବକୁ ଆଉ ଫେରି ପାଇଲା ନାହିଁ l ବର୍ଷର ୪-୫ ମାସ ଯାଏଁ ଲୁଣ ଉତ୍ପାଦନ
ପାଇଁ ପ୍ରକୃଷ୍ଟ ଓଡିଶାର ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ସତ୍ତ୍ଵେ ଲୁଣ ଉତ୍ପାଦନ ସଂକ୍ରାନ୍ତୀୟ
ନୀତି ଓ ନିଷ୍ପତ୍ତି କେନ୍ଦ୍ରୀୟ ଲବଣ ବିଭାଗ ଦ୍ଵାରା ନିୟନ୍ତ୍ରିତ ହେଉଥିବାରୁ ଅତୀତ ଓ ବର୍ତ୍ତମାନର
ରାଜ୍ୟ ସରକାରମାନେ ଲୁଣ ଉତ୍ପାଦନ ବୃଦ୍ଧି ପ୍ରତି ବିଶେଷ ଆଗ୍ରହ ଦେଖାଇ ନଥିଲେ ମଧ୍ୟ ଏବେ ସକ୍ରିୟ
ଭୂମିକା ନିର୍ବାହ କରିବାକୁ ହେବ l ବର୍ତ୍ତମାନ ଓଡିଶାରେ ଲୁଣର ଉଭୟ ଘରୋଇ ଓ ଔଦ୍ୟୋଗିକ ଚାହିଦା ବାର୍ଷିକ
ପ୍ରାୟ ୩ ଲକ୍ଷ ୫୦ ହଜାର ଟନ ଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୧୧ ହଜାର ଟନ, ଯାହା ଦେଶର ସମଗ୍ର
ଉତ୍ପାଦନର ୪ ପ୍ରତିଶତରୁ ମଧ୍ୟ କମ୍ l ଫଳରେ ଚାହିଦା ପୂରଣ ପାଇଁ ଗୁଜରାଟ, ତାମିଲନାଡୁ ଓ ରାଜସ୍ଥାନ
ଭଳି ରାଜ୍ୟରୁ ଲୁଣ ଆମଦାନୀ ହେଉଛି, ଯେଉଁଠାରେ ଯଥାକ୍ରମେ ବାର୍ଷିକ ୨ କୋଟି ଟନ, ୨୭ ଲକ୍ଷ ଟନ ଓ
୧୮ ଲକ୍ଷ ଟନ ଲୁଣ ଉତ୍ପାଦନ ହେଉଛି l ଉଚିତ ପଦକ୍ଷେପ ନିଆଗଲେ ଓଡିଶାରେ ମଧ୍ୟ ବାର୍ଷିକ ୧୦ ଲକ୍ଷ
ଟନ ଲୁଣ ଉତ୍ପାଦନ ହୋଇପାରନ୍ତା l
ଦେଶର ଅନ୍ୟତ୍ର ଏକର ପିଛା ୭୦ ଟନ ଲୁଣ ଉତ୍ପାଦନ
ହୋଇ ପାରୁଥିବା ବେଳେ ପ୍ରତିକୂଳ ସ୍ଥଳାକୃତି (ଟପୋଗ୍ରାଫି) ଓ ଜଳବାୟୁ, ସୁଦୀର୍ଘ ଗ୍ରୀଷ୍ମ ଦିନର
ଅଭାବ ତଥା ପୁରୁଣାକାଳିଆ ଚାଷ ପଦ୍ଧତିର ଅନୁସରଣ ଯୋଗୁଁ ଓଡିଶାରେ ଏକର ପିଛା ମାତ୍ର ୧୦ ଟନ ଲୁଣ ଉତ୍ପାଦନ
ହେଉଛି l ବିଭିନ୍ନ କାରଣରୁ ରାଜ୍ୟରେ ଲୁଣ ଚାଷ ପାଇଁ ଉପଯୋଗୀ ଅନେକ ଜମି ଅବ୍ୟବହୃତ ହୋଇ ପଡି ରହିଛି
l ଅନ୍ୟ ରାଜ୍ୟରେ ଲୁଣାଜମିର ଭୂତଳରୁ ପାଣି ଉତ୍ତୋଳନ କରି ଲୁଣ ତିଆରି କରିବାର ଅନୁମତି ଥିବାବେଳେ
ଓଡିଶାରେ ତାହା ନାହିଁ l ବେଆଇନ ମାଛଧରା, ମୁହାଣ ଅବରୋଧ ଭଳି କାରଣ ଯୋଗୁଁ ଲୁଣ ଉତ୍ପାଦନ ଓ ଲୁଣର
ମାନ ବାଧାପ୍ରାପ୍ତ ହେଉଛି l ଲୁଣ ଚାଷକୁ ୨୫ ହଜାର ଏକର ପର୍ଯ୍ୟନ୍ତ ବଢାଇ ଉନ୍ନତ ପଦ୍ଧତି ଦ୍ଵାରା
ଏକର ପିଛା ଉତ୍ପାଦନକୁ ୪୦ ଟନ ପର୍ଯ୍ୟନ୍ତ କରି ପାରିଲେ ସହଜରେ ଓଡିଶାରେ ବାର୍ଷିକ ୧୦ ଲକ୍ଷ ଟନ ଲୁଣ
ଉତ୍ପାଦନ ହୋଇପାରିବ l କେନ୍ଦ୍ରୀୟ ଲବଣ ଓ ସାମୁଦ୍ରିକ ରସାୟନ ଗବେଷଣା ପ୍ରତିଷ୍ଠାନ (ସି.ଏସ.ଏମ.ସି.ଆର.ଆଇ.)
ଦ୍ଵାରା ସର୍ଭେ କରାଯାଇ ଓଡିଶାରେ ଲୁଣ ଉତ୍ପାଦନ ପାଇଁ ପ୍ରକୃଷ୍ଟ ଜମିକୁ ଚିହ୍ନଟ କରାଯାଇଛି l ସମସ୍ତ
ଲୁଣ ଉପଯୋଗୀ ଜମି (ସଲଟ ପ୍ୟାନ)ର ମାଲିକାନା କେନ୍ଦ୍ର ସରକାରଙ୍କ ଲବଣ ବିଭାଗ ନିକଟରେ ଥିବାରୁ ଓଡିଶା
ସରକାର ଲବଣ ବିଭାଗ ସହ ସମନ୍ଵୟ ରକ୍ଷା କରି ତୁରନ୍ତ ଏହି ସବୁ ଜମିରେ ଲୁଣ ଚାଷ ପାଇଁ ଆବଶ୍ୟକୀୟ ପଦକ୍ଷେପ
ନେବା ଦରକାର l ଓଡିଶାରେ ଲୁଣ ଚାଷର ପୁନରୁଦ୍ଧାର ହେଲେ ହଜାର ହଜାର ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟି
ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୁଅନ୍ତା l ଏଥିପାଇଁ ବିଶେଷ ଧ୍ୟାନ ଦେଇ ଲୁଣ
ଚାଷ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରାଗଲେ ଓଡିଶା ଲୁଣର ସୁବର୍ଣ୍ଣ ଯୁଗ ଫେରି ଆସି ଓଡିଶାର
ଅର୍ଥନୀତି ସ୍ଵାଦଯୁକ୍ତ ହୋଇପାରନ୍ତା l
Superb
ReplyDeleteଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବା ଦିଗରେ ଏକ ସୁବର୍ଣ୍ଣ କ୍ଷେତ୍ର । ଏପରି ଏକ ସମ୍ଭାବନାମୟ ପ୍ରସଙ୍ଗ ଉପସ୍ଥାପନ କରିଥିବାରୁ ଲେଖକଙ୍କୁ ଧନ୍ୟବାଦ ।
ReplyDeleteଧନ୍ୟବାଦ l
DeleteSuch well researched article and a good reading at the same time.
ReplyDelete