Skip to main content

ରାଜ୍ୟରେ ଭିଡ଼ ହିଂସା ବୃଦ୍ଧି: ଏକ ଅନୁଚିନ୍ତା

ମେ ୭ ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକ ବର୍ବରୋଚିତ ଭିଡ଼ ହିଂସାରେ ମୃତ୍ୟୁବରଣ କଲେ। ଏହା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାକୁ ମାସେ ପୂରିଛି କି ନାହିଁ ଜୁନ୍ ୧୬ ତାରିଖରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ରାଜ୍ୟ ବାହାରର ଦୁଇଜଣ ଏନ.ଜି.ଓ. ଶିକ୍ଷାନବୀଶଙ୍କୁ ପିଲାଚୋର ସନ୍ଦେହରେ ଭିଡ଼ ହିଂସା ଭୋଗିବାକୁ ହେଲା। ମହିଳା କର୍ମୀଜଣକ ପାଇଥିବା ଶାରୀରିକ ଓ ମାନସିକ ଯାତନାର ଛାତିଥରା ଘଟଣା ସାମ୍ନାକୁ ଆସିଲା, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଘଟଣାର ସଂଖ୍ୟା ହଠାତ୍ ବୃଦ୍ଧି ପାଇବା ଉଦବେଗର ବିଷୟ।    

ଉପରୋକ୍ତ ଘଟଣା ଦୁଇଟି ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ ଜଣାଇଥିଲେ ଯେ ଗତ ଦୁଇ ବର୍ଷ (ଜୁନ ୨୦୨୪ରୁ ଫେବୃଆରୀ ୨୦୨୬) ମଧ୍ୟରେ ରାଜ୍ୟରେ ୭ଟି ଭିଡ଼ ହିଂସା ଘଟଣା ଘଟିଛି ଓ ସେଥିରେ ୬୧ ଜଣଙ୍କୁ ଗିରଫ କରାଯାଇଛି। ଏଥିରୁ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୩ଟି, ଢେଙ୍କାନାଳ ଜିଲ୍ଲାରେ ୨ଟି ଏବଂ ଦେବଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଲେଖାଏଁ ଭିଡ଼ ହିଂସା ସଂଘଟିତ ହୋଇଛି। ଏତଦଭିନ୍ନ ଗତବର୍ଷ ଜୁନ ମାସ ଗଞ୍ଜାମ ଜିଲ୍ଲାର ଧରାକୋଟଠାରେ ଗୋରୁ ଚାଲାଣ ସନ୍ଦେହରେ ଦଳିତ ବର୍ଗର ଦୁଇଜଣଙ୍କୁ ଅଧା ଲଣ୍ଡା କରି, ଦଉଡ଼ିରେ ବାନ୍ଧି, ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରି ବର୍ବରୋଚିତ ନିର୍ଯାତନା ଦିଆଗଲା। ଏହାଦ୍ୱାରା ରାଜ୍ୟକୁ ଦେଶ ଓ ବିଦେଶରେ ନିନ୍ଦିତ ହେବାକୁ ପଡ଼ିଲା। ୨୦୨୫ ମସିହା ଡିସେମ୍ୱର ମାସରେ ସମ୍ୱଲପୁରଠାରେ ପଶ୍ଚିମବଙ୍ଗର କିଛି ପ୍ରବାସୀ ଶ୍ରମିକ ବାଂଲାଦେଶୀ ସନ୍ଦେହରେ ଭିଡ଼ ହିଂସାର ସମ୍ମୁଖୀନ ହୋଇଥିଲେ। ସେଥିରେ ଜଣକର ମୃତ୍ୟୁ ହୋଇଥିଲା। କିଛିଲୋକ ଏବେ ନିଜକୁ ନ୍ୟାୟ ବ୍ୟବସ୍ଥାର ଊର୍ଦ୍ଧ୍ୱରେ ବୋଲି ମନେ କରୁଛନ୍ତି ଓ ନିଜକୁ ଆତ୍ମଘୋଷିତ ବିଚାରକ ଭୂମିକାରେ ଅବତୀର୍ଣ୍ଣ କରାଉଛନ୍ତି, ଯାହା ଏହି ଧରଣର ଭିଡ଼ ହିଂସାକୁ ପ୍ରଶ୍ରୟ ଦେଉଛି। 

କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ସଂସଦରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ.ସି.ଆର.ବି,) ଦ୍ୱାରା ସ୍ୱତନ୍ତ୍ର ଭାବେ ଭିଡ଼ ହିଂସାର କୌଣସି ତଥ୍ୟ ପ୍ରସ୍ତୁତ କରାଯାଏ ନାହିଁ। ତେବେ ବିଭିନ୍ନ ଅଧ୍ୟୟନ ଓ ମିଡିଆ ରିପୋର୍ଟ ଆଧାରରେ ଜଣାପଡ଼େ ଯେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରେ ବର୍ଷକୁ ହାରାହାରି ୨-୩ଟି ଲେଖାଏଁ ଭିଡ଼ ହିଂସାର ଘଟଣା ଘଟୁଥିବା ବେଳେ ଅନେକ ରାଜ୍ୟରେ ଏହା ଗୋଟିଏ ଯୋଡ଼ିଏରେ ସୀମିତ। ଏପରି ସ୍ଥଳେ, ଗତ ଦୁଇ ବର୍ଷ ମଧ୍ୟରେ ୯ଟି ଭିଡ଼ ହିଂସାର ଘଟଣା ଘଟି ଓଡ଼ିଶା ସେଇ ତାଲିକାରେ ଉପରକୁ ଇଠିବା ଅତ୍ୟନ୍ତ ଉଦବେଗଜନକ ଓ ଲଜ୍ଜାଜନକ। ଆଗରୁ ଆମ ରାଜ୍ୟରେ ମୁଖ୍ୟତଃ ଡାହାଣୀ ବା ଗୁଣି ଗାରେଡ଼ି ଓ ଚୋରି ସନ୍ଦେହରେ ଅଥବା ସ୍ଥାନୀୟ କଳହ ପାଇଁ ଭିଡ଼ ହିସା ହେଉଥିଲା। ଏବେ ଗୋରୁ ଚାଲାଣ ଓ ପରିଚୟ ଆଧାରିତ ସନ୍ଦେହ (ବାଂଲାଦେଶୀ)କୁ ଭିତ୍ତି କରି ମଧ୍ୟ ଲୋକେ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି। ଅର୍ଥାତ୍ ଆଇନ ବ୍ୟବସ୍ଥା ପ୍ରତି ଅବିଶ୍ୱାସ ହେଉ ଅବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ପରୁୱା କରୁ ନଥିବା କିଛି ଅସାମାଜିକ ଲୋକ ଭିଡ଼ ହିଂସାକୁ ଉସୁକାଇଛନ୍ତି।

ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ଭିଡ଼ ହିଂସାର ପ୍ରକାରଭେଦ ଓ ତତସଂଲଗ୍ନ ଦଣ୍ଡବିଧାନର ଅବତାରଣା ରହିଛି। ଧାରା ୧୦୩(୨) ଅନୁଯାୟୀ ୫ ବା ଅଧିକ ବ୍ୟକ୍ତି ଦଳବଦ୍ଧ ହୋଇ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ ଆଦି ଆଧାରରେ ଆକ୍ରମଣ କରି କାହାରି ହତ୍ୟା କଲେ ତାହା ଭିଡ଼ ହିଂସା ଜନିତ ହତ୍ୟା ରୂପେ ପରିଗଣିତ ହୁଏ। ଏଥିପାଇଁ ମୃତ୍ୟୁଦଣ୍ଡ ବା ଆଜୀବନ କାରାଦଣ୍ଡ ଓ ଅର୍ଥଦଣ୍ଡର ପ୍ରାବଧାନ ରହିଛି। ଏଭଳି ସଂଘବଦ୍ଧ ଆକ୍ରମଣରେ ପୀଡ଼ିତ ଗୁରୁତର ଭାବେ ଆହତ ହେଲେ ଧାରା ୧୧୭(୪) ଅନୁଯାୟୀ ଅପରାଧୀଙ୍କୁ ୭ ବର୍ଷ ଯାଏଁ କାରାଦଣ୍ଡର ପ୍ରାବଧାନ ରହିଛି। ଉପରୋକ୍ତ ଦୁଇଟି ଧାରା ‘ମବ୍ ଲିଞ୍ଚିଂ’ ପର୍ଯ୍ୟାୟବାଚୀ ହୋଇଥିଲେ ବି ଧାରା ୧୯୦ ଅନୁଯାୟୀ ବେଆଇନ ଭାବେ ଏକତ୍ରିତ ହେବା, ଧାରା ୧୯୧ ଅନୁଯାୟୀ ଦଙ୍ଗା କରିବା, ଧାରା ୧୯୧(୩) ଅନୁଯାୟୀ ମାରଣାସ୍ତ୍ରରେ ସୁସଜ୍ଜିତ ହୋଇ ଦଙ୍ଗା କରିବା ମଧ୍ୟ ଭିଡ଼ ହିଂସାର ଅନ୍ୟ କେତେକ ରୂପ ଅଟେ। ଦଙ୍ଗା ପାଇଁ ୨ରୁ ୫ ବର୍ଷ ଯାଏଁ ଦଣ୍ଡର ବିଧାନ ରହିଛି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ନ୍ୟାୟସଂହିତାରେ ପ୍ରାବଧାନ ସତ୍ତ୍ୱେ ସଂସଦ ଦ୍ୱାରା ଏକ ସ୍ୱତନ୍ତ୍ର ‘ଭିଡ଼ ହିଂସା ନିରୋଧକ ଆଇନ’ ପ୍ରଣୟନ ଉପରେ ସୁପ୍ରିମ କୋର୍ଟ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଏ ଯାଏଁ ତାହା ପ୍ରଣୀତ ହୋଇନାହିଁ। ରାଜ୍ୟଗୁଡ଼ିକ ମଧ୍ୟ ସ୍ୱତନ୍ତ୍ର ଭାବେ ଭିଡ଼ ହିଂସା ନିରୋଧକ ଆଇନ ପ୍ରଣୟନ କରିବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପରାମର୍ଶକୁ ଗ୍ରହଣ କରି ମାତ୍ର ଚାରିଟି ରାଜ୍ୟ- ମଣିପୁର, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଝାଡ଼ଖଣ୍ଡ, ନିଜ ନିଜ ରାଜ୍ୟ ପାଇଁ ଆଇନ ପ୍ରଣୟନ କରିଛନ୍ତି। ଓଡ଼ିଶାରେ ଭିଡ଼ ହିଂସାର ଘଟଣାମାନ ବୃଦ୍ଧି ପାଇଥିବାରୁ ରାଜ୍ୟରେ ତୁରନ୍ତ ଏହି ଆଇନ ପ୍ରଣୟନର ଆବଶ୍ୟକତା ଅନୁଭୂତ ହେଉଛି। କହିବା ବାହୁଲ୍ୟ ଯେ  ଆଇନର ଭୟ ଓ ଆଇନର ଆଧିପତ୍ୟ ପ୍ରତି ସମ୍ମାନ ଯେକୌଣସି ସଭ୍ୟ ସମାଜର ମୂଳଦୁଆ ହୋଇଥିବାରୁ ତାହା ସୁନିଶ୍ଚିତ କରିବା ଲାଗି ଏକ କଡ଼ା ଆଇନ ପ୍ରଣୟନ ସେ ଦିଗରେ ପ୍ରଥମ ବଳିଷ୍ଠ ପଦକ୍ଷେପ ହୋଇଥାଏ।        

‘ତେହସିନ ଏସ୍. ପୁନାୱାଲା ବନାମ ଭାରତ ସରକାର’ (୨୦୧୮) ମାମଲାରେ ଦେଶରେ ଭିଡ଼ ହିଂସାର ନିବାରଣ, ପ୍ରତିକାର ଓ ଶାସ୍ତିବିଧାନ ମାଧ୍ୟମରେ ଭିଡ଼ ହିଂସାକୁ ପ୍ରତିହତ କରିବା ଲାଗି ସୁପ୍ରିମକୋର୍ଟ ଏକ ସୁବିସ୍ତୃତ ମାର୍ଗଦର୍ଶିକା ଜାରି କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକଙ୍କ ଉଦ୍ଦେଶ୍ୟରେ ସେଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ରହିଛି।   

ଭିଡ଼ ହିଂସା ମାମଲାଗୁଡ଼ିକର ତ୍ୱରିତ ଅନୁସନ୍ଧାନ ଓ ବିଚାର ହେବା ଜରୁରି। ଅନୁସନ୍ଧାନ ପ୍ରକ୍ରିୟା ସଚ୍ଚୋଟ, ଦକ୍ଷ, ପାରଦର୍ଶିୀ ହେବା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତି ଜିଲ୍ଲାରେ ଜଣେ ଏସ.ପି. ପାହ୍ୟାର ଅଫିସର ‘ନୋଡ଼ାଲ ଅଫିସର’ ଭାବେ ଚିହ୍ନିତ ହେବେ। ଭିଡ଼ ହିଂସା ଘଟିଲେ ସମ୍ପୃକ୍ତ ଅଞ୍ଚଳର ଆଇ.ଆଇ.ସି, ଏଫ.ଆଇ.ଆର. ଦାଏର କରି ତୁରନ୍ତ ନୋଡ଼ାଲ ଅଫିସରଙ୍କୁ ଜଣାଇଦେବେ। ନୋଡ଼ାଲ ଅଫିସରଙ୍କ ନିରୀକ୍ଷଣରେ ଅନୁସନ୍ଧାନ କାର୍ଯ୍ୟ ସଠିକ୍ ରୂପେ ସମ୍ପାଦନ ହେବ। ସେ ନିର୍ଦ୍ଧାରିତ ସମୟ (୬୦ ବା ୯୦ ଦିନ) ମଧ୍ୟରେ ଚାର୍ଜସିଟ ଦାଖଲ ସୁନିଶ୍ଚିତ କରିବେ। ଏହି ମାମଲାଗୁଡ଼ିକର ତ୍ୱରିତ ବିଚାର ଲାଗି ରାଜ୍ୟ ସରକାର ‘ଚିହ୍ନିତ କୋର୍ଟ’ ବା ‘ଫାଷ୍ଟ ଟ୍ରାକ୍ କୋର୍ଟ’ ପ୍ରତିଷ୍ଠା କରିବା ଆବଶ୍ୟକ, ଯେମିତି ଛଅ ମାସ ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ ହୋଇପାରିବ। ଦୋଷୀ ସାବ୍ୟସ୍ତ ହେଲେ ଏହି ଅପରାଧ ପାଇଁ ଥିବା ସର୍ବାଧିକ ଦଣ୍ଡ ପ୍ରଦାନ କରାଯିବ, ଯଦ୍ଦ୍ୱାରା ଏହା ଦୃଷ୍ଟାନ୍ତମୂଳକ ବୋଲି ପରିଗଣିତ ହେବ। ଉଲ୍ଲେଖଯୋଗ୍ୟ ଯେ ଭିଡ଼ ହିଂସା ନିରୋଧକ ଆଇନ ପ୍ରଣୟନ କରିଥିବା ରାଜ୍ୟଗୁଡ଼ିକ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିସାରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଏବ୍ୟାପାରରେ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ବ୍ୟବସ୍ଥା କରିବା ଉଚିତ। 

ମାର୍ଗଦର୍ଶିକା ଅନୁଯାୟୀ ଭିଡ଼ ହିଂସାରେ ପୀଡ଼ିତମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ ଲାଗି ପ୍ରତି ରାଜ୍ୟ ସରକାର ଏକ ‘ଭିଡ଼ ହିଂସା ପୀଡ଼ିତ କ୍ଷତିପୂରଣ ଯୋଜନା’ର ପ୍ରଚଳନ କରିବେ। ପୀଡ଼ିତଙ୍କ କ୍ଷତିର ବିଭିନ୍ନ ଦିଗକୁ ବିଚାରକୁ ନେଇ କ୍ଷତିପୂରଣ ରାଶି ସ୍ଥିର କରାଯିବ। ଭିଡ଼ ହିଂସା ନିରୋଧକ ଆଇନ ପ୍ରଣୟନ ହୋଇଥିବା ରାଜ୍ୟଗୁଡ଼ିକ ଛଡ଼ା ତ୍ରିପୁରା, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ଏଭଳି କ୍ଷତିପୂରଣ ଯୋଜନା କାର‌୍ୟ୍ୟକାରୀ ହେଉଛି। ଓଡ଼ିଶା ‘ଭିଡ଼ ହିଂସା ପୀଡ଼ିତ କ୍ଷତିପୂରଣ ଯୋଜନା’ ପ୍ରସ୍ତୁତ କରିନଥିଲେ ହେଁ ଏଭଳି ପୀଡ଼ିତମାନେ ‘ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା’ (ଓ.ଭି.ସି.ଏସ.)ରେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେଉଛନ୍ତି। ରାଜ୍ୟ ସରକାର ସ୍ୱତନ୍ତ୍ର ‘ଭିଡ଼ ହିଂସା ପୀଡ଼ିତ କ୍ଷତିପୂରଣ ଯୋଜନା’ର ପ୍ରଚଳନ କରିବା ଉଚିତ ବଲି ଦୃଢ଼ ମତ ପ୍ରକାଶ ପାଇଥାଏ ।

ଜନସାଧାରଣଙ୍କୁ ସଚେତନ କରାଯିବା ଦରକାର ଯେ ଭିଡ଼ ହିଂସା ଏକ ଗୁରୁତର ଅପରାଧ ଓ ଏଥିରେ କଠୋର ଦଣ୍ଡର ପ୍ରାବଧାନ ରହିଛି। ଏ ନେଇ ରେଡ଼ିଓ, ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ବାରମ୍ୱାର ପ୍ରସାରଣ ଜରୁରି। ବିଭାଗୀୟ ୱେବସାଇଟରେ ମଧ୍ୟ ସଚେତନତାର ବାର୍ତ୍ତା ରହିବା ଆବଶ୍ୟକ। ସେହିଭଳି ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଘଟିଥିବା ଭିଡ଼ ହିଂସାର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଯେମିତିକି ଏଫ.ଆଇ.ଆର୍. ସଂଖ୍ୟା ଓ ତାରିଖ, କେତେ ଜଣ ଗିରଫ ହୋଇଛନ୍ତି, ଚାର୍ଜସିଟ ଦାଖଲ ହୋଇଛି କି ନାହିଁ, କେଉଁ ଅଦାଲତରେ ମାମଲା ବିଚାରାଧୀନ, ବର୍ତ୍ତମାନ ବିଚାର ପ୍ରକ୍ରିୟାର ସ୍ଥିତି, କେତେ ଜଣ ଦଣ୍ଡିତ ବା ଖଲାସ ହୋଇଛନ୍ତି ଇତ୍ୟାଦି ବାବଦରେ ଟିକିନିଖି ବିବରଣୀ ରାଜ୍ୟ ପୋଲିସର ୱେବସାଇଟରେ ସ୍ୱତନ୍ତ୍ର ଭାବେ ସ୍ଥାନିତ କରାଯିବା ଆବଶ୍ୟକ।

ଏଥିରେ ଦ୍ୱିରୁକ୍ତି ନାବିଁ ଯେ ଭିଡ଼ ହିଂସାର ଘଟଣା ଅଧିକ ଘଟିଲେ ତାହା ରାଜ୍ୟର ଛବିକୁ ମଳିନ ହେବ, ସହ ରାଜ୍ୟବାସୀଙ୍କୁ ବିଶ୍ୱ ଦରବାରରେ ନିନ୍ଦିତ ଓ ଲଜ୍ଜିତ କରିଥାଏ, ଯାହା ପ୍ରକାରାନ୍ତରେ ଓଡ଼ିଆ ଅସ୍ମିତାର ପରିପନ୍ଥୀ। ଏହା ସତ ଯେ ସାମାଜିକ ଗଣମାଧ୍ୟମର ବିସ୍ତାର ସହିତ ଭିଡ଼ ହିଂସାର ଯେ କୌଣସି ସୂଚନା ବା ଖବର ଆଖି ପିଛୁଳାକେ ସାରା ପୃଥିବୀରେ ଖେଳିଯାଉଛି। ଏଥିରୁ ଧାରଣା ଜନ୍ମୁଛି ଯେ ରାଜ୍ୟର ଦୁର୍ବଳ ଓ ବିପର‌୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଦୁର୍ବଳ। ଏହା ଫଳରେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବାର ସମ୍ଭାବନା ରହିଛି। ରାଜ୍ୟରେ ବାହାରର ପୁଞ୍ଜି ବିନିଯୋଗ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ପ୍ରକାର ଭିଡ଼ ହିଂସା ପ୍ରତି ସରକାର ‘ଶୂନ୍ୟ ସହନଶୀଳ’ ହେବା ଜରୁରି। ନହେଲେ ଗଣତନ୍ତ୍ରରେ ଆଇନର ଶାସନ ପ୍ରତିଷ୍ଠା ନହୋଇ ଭିଡ଼ତନ୍ତ୍ରର ବର୍ବରୋଚିତ କାର‌୍ୟ୍ୟ ତା’ର ସ୍ଥାନ ନେବ ଓ ଗଣତନ୍ତ୍ର ବିପନ୍ନ ହେବ। ଭିଡ଼ ହିଂସା ହେଉଛି ମଧ୍ୟଯୁଗୀୟ, ଏକବିଂଶ ଶତାବ୍ଦୀରେ ଏହାର ସ୍ଥାନ ନାହିଁ। 


Published in Sambad on June 23, 2026


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...