Skip to main content

ତେଲ ଦର କମ୍ କରି ହେବ କି!

ତେଲ ଦର କମ୍ କରି ହେବ କି!

ସରଳ କୁମାର ଦାସ

ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ହୁ ହୁ ହୋଇ ବଢ଼ୁଥିବା ସତ୍ତ୍ୱେ ଭାରତରେ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ତେଲ ଦର ଦୁଇ ମାସ ଧରି ଅପରିବର୍ତ୍ତିତ ରହିଲା ଏବଂ ଫଳ ଘୋଷଣାର ସପ୍ତାହେ ପରଠାରୁ ପନ୍ଦର ଦିନ ମଧ୍ୟରେ ୪ ଦଫାରେ ପେଟ୍ରୋଲ ଓ ଡିଜେଲର ଦର ସାଢ଼େ ସାତ ଟଙ୍କା ବଢ଼ାଇଦିଆଗଲା। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ତେଲର ଦର ଅପେକ୍ଷାକୃତ କମ ବୃଦ୍ଧି ପାଇଛି ବୋଲି କୁହାଯାଉଛି। ହେଲେ, ଯୁଦ୍ଧ ଆଗରୁ ବି ଯେତେବେଳେ ତେଲର ଅନ୍ତର୍ଜାତୀୟ ଦର ବ୍ୟାରେଲ ପ୍ରତି ୭୦ ଡଲାରରୁ କମ ଥିଲା ସେତେବେଳେ ମଧ୍ୟ ଭାରତରେ ତେଲର ଦର ଉଚ୍ଚ ଥିଲା। ଭୂ-ରାଜନୈତିକ ଜଟିଳତା ବୃଦ୍ଧି ପାଇଲେ ତେଲ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ତୈଳ ବିପଣନକାରୀ କମ୍ପାନୀଗୁଡ଼ିକର କ୍ଷତିକୁ କମ କରିବା ଲାଗି ତେଲ ଦରକୁ ବଢ଼ାଇବାକୁ ପଡ଼ୁଛି ବୋଲି କୁହାଯାଉଛି। ତେବେ ପ୍ରଶ୍ନ ହେଲା, ତେଲ ଦରବୃଦ୍ଧିରେ ଅତିଷ୍ଠ ଖାଉଟିର ବୋଝ ଲାଘବ କରିବା ଲାଗି ଅନ୍ୟ କିଛି ଉପାୟ କରିହେବ କି?

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ, ପରିବହନ, ବୀମା, ବିଶୋଧନ, ବିପଣନ ଖର୍ଚ୍ଚ ଓ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଟିକସ ନୀତି ଉପରେ ନିର୍ଭର କରିଥାଏ ଖାଉଟିଙ୍କୁ ମିଳୁଥିବା ପେଟ୍ରୋଲ ଓ ଡିଜେଲର ଦର। ଏବେ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ୧୦୦ ଟଙ୍କା ଟପି ସାରିଲାଣି। ଓଡ଼ିଶାରେ ତ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୯ ଓ ୧୦୧ ଟଙ୍କା ହେଲାଣି। ତେବେ ତେଲ ଦରର ପ୍ରାୟ ୩୫-୪୫ ପ୍ରତିଶତ ଅଂଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆକାରରେ ଆଦାୟ କରିଥାନ୍ତି। ନେଦରଲାଣ୍ଡସରେ ତେଲ ଉପରେ ୬୪.୫ ପ୍ରତିଶତ ଟିକସ ଆଦାୟ ହୁଏ, ଯାହା ବିଶ୍ୱର ସର୍ବାଧିକ। ଅବଶ୍ୟ ୟୁରୋପୀୟ ଦେଶଗୁଡ଼ିକରେ ତେଲ ଉପରେ ଉଚ୍ଚ ଦରରେ ଟିକସ ଲଗାଯାଉଥିବା ବେଳେ ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ ଭଳି କେତେକ ଏସୀୟ ଦେଶରେ ମଧ୍ୟ ଉଚ୍ଚ ଦରର ଟିକସ ଆଦାୟ ହୋଇଥାଏ। ତେବେ ମାଲେସିଆ, ଇଣ୍ଡୋନେସିଆ, ନାଇଜେରିଆ ଭଳି ଅଧିକାଂଶ ବିକାଶଶୀଳ ଦେଶରେ ଟିକସ ଦର ଯଥେଷ୍ଟ କମ୍। ଏପରିକି ଆମେରିକାରେ ଟିକସ ଦର ମାତ୍ର ୧୦-୧୫ ପ୍ରତିଶତ। ଏପରି ସ୍ଥଳେ ମୁଣ୍ଡପିଛା ଆୟ ଯଥେଷ୍ଟ ତଳେ ଥିବା ଭାରତରେ ତେଲ ଉପରେ ଅତ୍ୟଧିକ ଟିକସ ଲାଗିବା ଚିନ୍ତାର ବିଷୟ। ତେଣୁ ଟିକସକୁ କମ କରିବାର ଆବଶ୍ୟକତା ରହିଛି।

ଏବେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଜିଏସଟି ଅନ୍ତର୍ଭୁକ୍ତ ହୋଇନାହିଁ। ତେଣୁ ବିଭିନ୍ନ ରାଜ୍ୟ ଏହା ଉପରେ ଭିନ୍ନ ଭିନ୍ନ ଦରରେ ଭାଟ (ଭେଲ୍ୟୁ ଏଡେଡ ଟ୍ୟାକ୍ସ) ଲଗାଉଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ତେଲେଙ୍ଗାନାରେ ଏହା ସର୍ବାଧିକ ଯଥାକ୍ରମେ ୩୫ ପ୍ରତିଶତ ଓ ୨୭ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାରେ ଯଥାକ୍ରମେ ୨୮ ଓ ୨୪ ପ୍ରତିଶତ। ଉଲ୍ଲେଖଯୋଗ୍ୟ ଯେ ପେଟ୍ରୋଲ ଉପରେ ସର୍ବାଧିକ ଭାଟ ଲଗାଉଥିବା ୭ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଡିଜେଲ ଉପରେ ତ ଓଡ଼ିଶାର ଭାଟ ଦର ଦେଶରେ ଦ୍ୱିତୀୟ ସର୍ବାଧିକ। ଅନେକ ବିକଶିତ ରାଜ୍ୟରେ ଏହି ଭାଟ ଦର କମ ଥିବାବେଳେ ଓଡ଼ିଶା ଭଳି ଏକ ଅନୁନ୍ନତ ରାଜ୍ୟରେ ଏଭଳି ଉଚ୍ଚ ଦରରେ ଅସମୀଚୀନ ମନେ ହୁଏ। ତା’ଛଡ଼ା ଏହା ତୈଳ ଦରର ଶତାଂଶ ରୂପେ ଆଦାୟ ହେଉଥିବାରୁ ତେଲ ଦର ବୃଦ୍ଧି ପାଇବା ସହ ଭାଟର ପରିମାଣ ମଧ୍ୟ ବଢ଼ିଯାଇଥାଏ। ତେଣୁ ଓଡ଼ିଶା ରାଜ୍ୟ ସରକାର ଭାଟ ଦର ହ୍ରାସ କରିବା ଲାଗି ବିବେଚନା କରିବା ଉଚିତ।

ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଜିଏସଟି କାଉନସିଲର ନିଷ୍ପତ୍ତି ବଳରେ ଏହା ଜିଏସଟି ଅନ୍ତର୍ଭୁକ୍ତ ହୋଇପାରନ୍ତା। ହେଲେ, ବିଭିନ୍ନ କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏଥିପାଇଁ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି। ଏବେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ଟ୧୧.୯୦ ଓ ଟ୭.୮୦ ଟିକସ ଆଦାୟ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଉପରେ ଆଦାୟ ହେଉଥିବା ଟିକସ ରାଶିରୁ ମାତ୍ର ଟ୧.୪୦ ମୂଳ ଅବକାରୀ ଶୁଳ୍କ ଭାବେ ଆଦାୟ ହେଉଛି, ଯେଉଁଥିରୁ ରାଜ୍ୟଗୁଡ଼ିକୁ ସେମାନଙ୍କ ଭାଗ ଦିଆଯାଇଥାଏ। ଅବଶିଷ୍ଟ ଟ୧୦.୫୦ (ରାସ୍ତା ଓ ଭିତ୍ତିଭୂମି ସେସ୍- ୫ ଟଙ୍କା, କୃଷି ଭିତ୍ତିଭୂମି ଓ ବିକାଶ ସେସ୍- ୨.୫୦ ଟଙ୍କା ଓ ବିଶେଷ ଅତିରିକ୍ତ ଅବକାରୀ ଶୁଳ୍କ- ୩ ଟଙ୍କା)ରୁ ରାଜ୍ୟଗୁଡ଼ିକ କିଛି ପାଇ ନଥାନ୍ତି। ଫଳରେ କେନ୍ଦ୍ର ସରକାର ବାର୍ଷିକ ୨-୩ ଲକ୍ଷ କୋଟି ଟଙ୍କାର ବିପୁଳ ପାଣ୍ଠି ସଂଗ୍ରହ କରୁଛନ୍ତି। ପେଟ୍ରୋଲ ଓ ଡିଜେଲ ଜିଏସଟି ବହିର୍ଭୁତ ପେଟ୍ରୋଲ ହୋଇଥିବାରୁ ରାଜ୍ୟଗୁଡ଼ିକ ଲାଗି ମଧ୍ୟ ଭାଟ୍ ଏକ ନିର୍ଭରଯୋଗ୍ୟ ସ୍ୱାଧୀନ ଆୟରେ ପରିଣତ ହୋଇଛି। ଏଣେ କେନ୍ଦ୍ର ସରକାରଙ୍କ ନିକଟରୁ ଜିଏସଟିର ପ୍ରାପ୍ୟ ପାଇବାରେ ରାଜ୍ୟଗୁଡ଼ିକୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ରାଜ୍ୟଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଲାଗି ଜିଏସଟି ଚାହୁଁ ନାହାନ୍ତି। ପେଟ୍ରୋଲ ଓ ଡିଜେଲ ଜିଏସଟି ଅନ୍ତର୍ଭୁକ୍ତ ହେଲେ ଏହା ଉପରେ ସର୍ବାଧିକ ଟିକସ ୨୮ ପ୍ରତିଶତରେ ସୀମିତ ରହନ୍ତା। ଏଣୁ ଜନ ସ୍ୱାର୍ଥ ଦୃଷ୍ଟିରୁ ପେଟ୍ରୋଲ ଓ ଡିଜେଲକୁ ତୁରନ୍ତ ଜିଏସଟି ଅନ୍ତର୍ଭୁକ୍ତ କରାଯିବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ଏଣିକି ପେଟ୍ରୋଲ, ଡିଜେଲରେ ମିଶାଯାଉଥିବା ୨୦ ପ୍ରତିଶତ ଇଥାନଲ ଜିଏସଟି ଅନ୍ତର୍ଭୁକ୍ତ ଅଟେ।     

ସାରା ଦେଶରେ ଇଣ୍ଡିଆନ ଅଏଲ (ଆଇଓସିଏଲ), ହିନ୍ଦୁସ୍ତାନ ପେଟ୍ରୋଲିଅମ (ଏଚପିସିଏଲ), ଭାରତ ପେଟ୍ରୋଲିଅମ (ବିପିସିଏଲ) ଭଳି ସରକାରୀ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଜରିଆରେ ପ୍ରାୟ ୯୦ ପ୍ରତିଶତ ତୈଳ କାରବାର ହୋଇଥାଏ। ଏମାନଙ୍କ ଆୟ ଦୁଇ ପ୍ରକାର। ପ୍ରଥମଟି ‘ମୋଟ ବିଶୋଧନ ଲାଭ’ (ଗ୍ରସ ରିଫାଇନିଂ ମାର୍ଜିନ- ଜି.ଆର.ଏମ.), ଯାହା ତେଲ ବିଶୋଧନରୁ ମିଳିଥାଏ। ଅଶୋଧିତ ତେଲକୁ କମ୍ପାନୀ ନିଜସ୍ୱ ରିଫାଇନେରୀରେ ବିଶୋଧନ କରିଥାଏ। ପ୍ରତି ୧୦୦ ଲିଟର ଅଶୋଧିତ ତେଲର ବିଶୋଧନ ପରେ ସେଥିରୁ ସାଧାରଣତଃ ପ୍ରାୟ ୪୦-୪୫ ଲିଟର ପେଟ୍ରୋଲ, ୨୫-୩୦ ଲିଟର ଡିଜେଲ, ୮-୧୦ ଲିଟର କିରୋସିନି, ଏଟିଏଫ, ଜେଟ ଫୁଏଲ, ୩-୫ ଲିଟର ଏଲ.ପି.ଜି., ୫-୧୦ ଲିଟର ନାଫତା, ପେଟ୍ରୋକ୍ୟାମିକାଲ, ୨-୮ ଲିଟର ଫୁଏଲ ଅଏଲ, ୫-୧୦ ଲିଟର ଆଲକାତରା, ମହମ, ଲୁବ୍ରିକାଣ୍ଟ ଇତ୍ୟାଦି ମିଳିଥାଏ। କହିବା ବାହୁଲ୍ୟ ଯେ ଏ ସମସ୍ତ ପେଟ୍ରୋଲିଅମଜାତ ପଦାର୍ଥର ବିକ୍ରିରୁ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକୁ ପ୍ରଚୁର ଅର୍ଥ ମିଳିଥାଏ। ଏହି ପରିମାଣ ଅର୍ଥରୁ ଅଶୋଧିତ ତେଲ କିଣା ବାବଦ ବ୍ୟୟକୁ ବାଦ ଦେଇ ସମୁଦାୟ ବିଶୋଧିତ ତେଲ ପରିମାଣରେ ଭାଗ କଲେ ତୈଳ ବିପଣନତାରୀ କମ୍ପାନୀର ‘ମୋଟ ବିଶୋଧନ ଲାଭ’ ବା ଜି.ଆର.ଏମ ଜଣାପଡ଼ିଥାଏ। ଏସିଆରେ ‘ସିଙ୍ଗାପୁର ଜିଆରଏମ’କୁ ମାନକ ରୂପେ ଗ୍ରହଣ କରାଯାଏ। ତଦନୁଯାୟୀ ବ୍ୟାରେଲ (ପ୍ରାୟ ୧୫୯ ଲିଟର) ପିଛା ଜି.ଆର.ଏମ. ୩-୬ ଡଲାର ମଧ୍ୟରେ ରହିଲେ ତାହା ‘ଚଳନୀୟ’ ବୋଲି କୁହାଯିବ। ତାହା ୧୦ ଡଲାରରୁ ବେଶି ହେଲେ ‘ଅତ୍ୟଧିକ’ ବୋଲି ଧରାଯାଏ। ଉଲ୍ଲେଖଯୋଗ୍ୟ ଯେ ୨୦୨୬ ଆର୍ଥିକ ବର୍ଷରେ ସରକାରୀ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକର ଜି.ଆର.ଏମ. ବୃଦ୍ଧି ପାଇ ଶେଷାର୍ଦ୍ଧରେ ୧୨ ଡଲାରରୁ ଅଧିକ ହୋଇସାରିଥିଲା। ଫଳରେ କମ୍ପାନୀଗୁଡ଼ିକର ଜି.ଆର.ଏମ. ଜନିତ ଲାଭ ଯଥେଷ୍ଟ ବୃଦ୍ଧି ପାଇଥିଲା। ସେହିଭଳି ଏହି କମ୍ପାନୀଗୁଡ଼ିକର ଦ୍ୱିତୀୟ ପ୍ରକାର ଆୟଟି ହେଉଛି ‘ତୈଳ ବିପଣନ ଲାଭ’ (ମାର୍କେଟିଂ ମାର୍ଜିନ), ଯାହା ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିଅମଜାତ ଦ୍ରବ୍ୟର ବିକ୍ରିରୁ ମିଳିଥାଏ। ୨୦୨୬ ଆର୍ଥିକ ବର୍ଷରେ କମ୍ପାନୀଗୁଡ଼ିକର ହାରାହାରି ମାର୍କେଟିଂ ମାର୍ଜିନ ସାଢ଼େ ୮ରୁ ୧୦ ଟଙ୍କା ଥିଲା। ଫଳରେ କେବଳ ଏହି ଗୋଟିଏ ବର୍ଷରେ ସାମଗ୍ରିକ ଭାବେ କମ୍ପାନୀଗୁଡ଼ିକର ଲାଭ ୮୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ଏଥି ସତ୍ତ୍ୱେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରବୃଦ୍ଧି ଜନିତ କମ୍ପାନୀଗୁଡ଼ିକର କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ମାର୍ଚ୍ଚ ୨୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଉପରୁ ୧୦ ଟଙ୍କା ଲେଖାଏଁ ଅବକାରୀ ଶୁଳ୍କ ହ୍ରାସ କଲେ। 

ଗତ ଶତାବ୍ଦୀର ଶେଷ ଦଶକରେ ପୁଞ୍ଜି ପ୍ରତ୍ୟାହୃତ ହୋଇ ସରକାରୀ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ସେଆର୍ ବଜାରରେ ପଞ୍ଜିକୃତ (ଲିଷ୍ଟେଡ) ହେବା ପରଠାରୁ ସେଗୁଡ଼ିକ ନିବେଶକଙ୍କ ନିକଟରେ ଉତ୍ତରଦାୟୀ ଓ ସେଗୁଡ଼ିକୁ ଅଧିକରୁ ଅଧିକ ଲାଭ ଦର୍ଶାଇବାକୁ ହେଉଛି। ତେଣୁ ସାଧାରଣ ଖାଉଟିଙ୍କ ସ୍ୱାର୍ଥରକ୍ଷା ଅପେକ୍ଷା ନିବେଶକଙ୍କ ସ୍ୱାର୍ଥରକ୍ଷା ସେମାନଙ୍କ ପ୍ରାଥମିକତା ହେବା ସ୍ୱାଭାବିକ। ଅର୍ଥାତ୍, ଅଧିକ ଲାଭ କରି ନିବେଶକଙ୍କୁ ଉଭୟ ଲାଭାଂଶ ଓ ସେୟାରର ମୂଲ୍ୟବୃଦ୍ଧି ଜନିତ ‘କ୍ୟାପିଟାଲ ଗେନ୍’ର ଲାଭ ଦେବାକୁ ହେଉଛି। ତେବେ ଏବେ ବି ଏଗୁଡ଼ିକର ଅଂଶଧନର ସିଂହଭାଗ ସରକାରଙ୍କ ନିକଟରେ ବା ସରକାରୀ ଉପକ୍ରମଗୁଡ଼ିକ ନିକଟରେ ଥିବାରୁ ସରକାର ହିଁ ଏହାଦ୍ୱାରା ସର୍ବାଧିକ ଲାଭବାନ ହେଉଛନ୍ତି। କିନ୍ତୁ ଜନସ୍ୱାର୍ଥ ଦୃଷ୍ଟିରୁ ତୈଳ ବିପଣନରେ କେବଳ ଲାଭ ଖୋଜିବା ଅନୁଚିତ। ଏହାକୁ ଏକ ‘ଅତ୍ୟାବଶ୍ୟକ ସେବା’ ରୂପେ ଗ୍ରହଣ କରିବାକୁ ହେବ। କାରଣ ତେଲ ହେଉଛି ବିକାଶର ଇଞ୍ଜିନ। ଏହାର ଦରବୃଦ୍ଧି ସମଗ୍ର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତେଣୁ ଏହି କମ୍ପାନୀଗୁଡ଼ିକୁ ପୂର୍ବାବସ୍ଥାକୁ ଫେରାଇ ଆଣି ‘ବିନା ଲାଭକ୍ଷତି’ରେ ପରିଚାଳନା କରାଯିବା ବିଧେୟ।

୨୦୧୦ ମସିହାରେ ପେଟ୍ରୋଲ ଓ ୨୦୧୪ ମସିହାରେ ଡିଜେଲର ଦର ନିୟନ୍ତ୍ରଣ ବହିର୍ଭୁତ ହୋଇ ‘ବଜାର ସଂଯୁକ୍ତ’ ହେବା ପରେ ଆଶା କରାଯାଉଥିଲା ଯେ ଅନ୍ତର୍ଜାତୀୟ ବଜାରରେ ତେଲର ଦର ବଢ଼ିଲେ ଭାରତରେ ବଢ଼ିବ, କମିଲେ ଖାଉଟିଙ୍କ ପାଇଁ ତାହା ଶସ୍ତା ହେବ। କିନ୍ତୁ ଗତ ୧୦ ବର୍ଷ ଧରି ଅନ୍ତର୍ଜାତୀୟ ବଜାରରେ ତେଲର ଦର ନିମ୍ନସ୍ତରରେ ଥିବା ସତ୍ତ୍ୱେ ଭାରତରେ ଖାଉଟିଙ୍କୁ ତା’ର ଲାଭ ମିଳି ନାହିଁ, ବରଂ ବା ପରିବର୍ତ୍ତେ ସେମାନଙ୍କୁ ଅଧିକ ଦାମ ଦେବାକୁ ହୋଇଛି। ସେହି ଦୃଷ୍ଟିରୁ ଏବେ ଅନ୍ତର୍ଜାତୀୟ ବଜାରରେ ତେଲର ଦର ବଢ଼ିବା ହେତୁ ତେଲ କମ୍ପାନୀଗୁଡ଼ିକଙ୍କର ଦୈନିକ କ୍ଷତି ହେଉଛି ବୋଲି ବଖାଣ ଯୁକ୍ତିଯୁକ୍ତ ନୁହେଁ। ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ବର୍ଷ ମଧ୍ୟରେ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ପ୍ରାୟ ୪ ଲକ୍ଷ କୋଟି ଟଙ୍କାରୁ ବେଶି ଲାଭ କରିଛନ୍ତି।       

ଇଂରେଜ ଶାସନ ଅମଳରେ ଲୁଣ ଉପରେ ଅଧିକ ଟିକସ ଲଗାଯାଉଥିଲା, କାରଣ ତଦ୍ଦ୍ୱାରା ସହଜରେ ସର୍ବାଧିକ ଲୋକଙ୍କୁ ଟିକସ ଜାଲରେ ପକାଇ ସେମାନଙ୍କଠାରୁ ଅଧିକ ଟିକସ ଆଦାୟ କରିହେଉଥିଲା। ବର୍ତ୍ତମାନ ତେଲ ଉପରେ ଲାଗୁ ହେଉଥିବା ଟିକସ ପୂର୍ବର ଲୁଣ ଟିକସ ସହ ତୁଳନୀୟ। ତେଲ ଦର ବଢ଼ିଲେ କୃଷି, ବ୍ୟବସାୟ, ଶିଳ୍ପ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସବୁ କ୍ଷେତ୍ର ଆକ୍ରାନ୍ତ ହୁଅନ୍ତି। ଏହାର ସାମଗ୍ରିକ ପ୍ରତିକୂଳ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଥାଏ। ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତିରେ ଅନ୍ତର୍ଜାତୀୟ ତୈଳ ଦରରେ ଅସ୍ଥିରତା ଲାଗିରହିବା ସ୍ୱାଭାବିକ ହୋଇଥିଲେ ହେଁ ଟିକସ ନୀତି ବା ବ୍ୟବସ୍ଥାର ସରଳୀକରଣ ମାଧ୍ୟମରେ ହେଉ କିମ୍ୱା ଅନ୍ୟ ଉପାୟରେ, ତେଲର ଦରକୁ କିପରି ନିମ୍ନ ସ୍ତରରେ ରଖି ହେବ, ତାହା ଖୋଜି ବାହାର କରିବାକୁ ହେବ।


Published in Sambad on June 03, 2026

 

Comments

  1. ସୁନ୍ଦର ତଥ୍ୟ ଭିତ୍ତିକ ଉପସ୍ଥାପନା, ସରଳ . ଆମ କର ପ୍ରଣାଳୀ ରେ ଏତେ ଫାଙ୍କ ଯେ, କିଏ କେଉଁ ବାଟେ ଜନତା ଙ୍କୁ ଶୋଷଣ କରୁଛି ଜାଣିବା କଷ୍ଟକର. ସବୁ ସୁଧୁରି ଗଲେ ନେତା ଓ ଶାସକମାନଙ୍କ ଧନ ବୃଦ୍ଧି ହେବ କେମିତି?

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...