Skip to main content

ବଦଳିବ କି ଗୋଆରେ ରାଜନୈତିକ ପରିଦୃଶ୍ୟ

ପର୍ତ୍ତୁଗାଲଠାରୁ ସ୍ୱାଧୀନତା ପାଇ ଭାରତ ସହ ୧୯୬୧ରେ ମିଶିଥିବା ଗୋଆ ଏକ କ୍ଷୁଦ୍ର ରାଜ୍ୟ । ୨୦୧୧ ଜନଗଣନା ଅନୁଯାୟୀ ଗୋଆର ଜନସଂଖ୍ୟା ମାତ୍ର ୧୪.୮୫ ଲକ୍ଷ । ତଥାପି ରାଜନୈତିକ ଦୃଷ୍ଟିରୁ ଗୋଆର ଗୁରୁତ୍ୱ ଯଥେଷ୍ଟ ଅଧିକ । ୪୦ଟି ଆସନ ବିଶିଷ୍ଟ ଏଠାକାର ବିଧାନସଭାର ପ୍ରତି ଆସନରେ ଭୋଟରଙ୍କ ସଂଖ୍ୟା ହାରାହାରି ୨୫ରୁ ୩୦ ହଜାର । ଅର୍ଥାତ୍, ଜଣେ ପ୍ରାର୍ଥୀ ମାତ୍ର ୧୨୦୦୦ଭୋଟ ପାଇଲେ ତାଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ । ଅଳ୍ପ ସଂଖ୍ୟକ ଭୋଟର ଥିବାରୁ ନେତାମାନେ ବ୍ୟକ୍ତିଗତ ସ୍ତରରେ ଭୋଟରଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ବି ଅସୁବିଧା ହୋଇ ନ ଥାଏ । ୨୦୨୨ର ଆଦ୍ୟ ଭାଗରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଗୋଆରେ ରାଜନୈତିକ ପରିଦୃଶ୍ୟ ପରିବର୍ତ୍ତନର ସମ୍ଭାବନାକୁ ବିଶ୍ଳେଷଣ କରାଯାଉ । 

ଗୋଆ ଜନସଂଖ୍ୟାର ପ୍ରାୟ ୬୧ ପ୍ରତିଶତ ହିନ୍ଦୁ ହୋଇଥିବା ବେଳେ ୩୬ ପ୍ରତିଶତ ଖ୍ରୀଷ୍ଟିଆନ । ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଉଭୟଙ୍କ ମଧ୍ୟରେ ଯଥେଷ୍ଟ ପ୍ରଭେଦ ରହିଛି । ଖ୍ରୀଷ୍ଟିଆନଙ୍କ ମଧ୍ୟରେ ବି କୋଙ୍କଣୀଭାଷୀ ଗରିବ ଖ୍ରୀଷ୍ଟିଆନଙ୍କ ସହ ସ୍ୱଚ୍ଛଳ ବର୍ଗର ସାଦୃଶ୍ୟ ନ ଥିଲା ବେଳେ ହିନ୍ଦୁମାନେ ବ୍ରାହ୍ମଣ ଓ ଅବ୍ରାହ୍ମଣ ଗୋଷ୍ଠୀରେ ବିଭାଜିତ । ଅବ୍ରାହ୍ମଣଙ୍କ ମଧ୍ୟରେ ମରାଠାମାନେ ପ୍ରଭାବଶାଳୀ । ପାନାଜିର ଆଖପାଖ ଦକ୍ଷିଣ ଗୋଆ ଅଞ୍ଚଳ ଖ୍ରୀଷ୍ଟିଆନ ଅଧ୍ୟୁଷିତ ହୋଇଥିବା ବେଳେ ଉତ୍ତର ଗୋଆରେ ହିନ୍ଦୁଙ୍କ ସଂଖ୍ୟା ଅଧିକ । ଆରମ୍ଭରୁ ଏଠାରେ ସମ୍ପ୍ରଦାୟ ଭିତ୍ତିରେ ନିର୍ଦ୍ଦିଷ୍ଟ ଆସନରେ ଜୟ ପରାଜୟ ନିର୍ଦ୍ଧାରିତ ହୋଇଆସିଛି । ହିନ୍ଦୁବହୁଳ ଉତ୍ତର ଗୋଆରେ ୨୩ଟି ଆସନ ଥିଲା ବେଳେ ଖ୍ରୀଷ୍ଟିଆନ ବହୁଳ ଦକ୍ଷିଣ ଗୋଆରେ ୧୭ଟି ଆସନ ରହିଛି ।

୨୦୧୭ରେ ଅନୁଷ୍ଠିତ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ୮୧.୪ ପ୍ରତିଶତ ଭୋଟର ମତଦାନ କରିଥିଲେ ଯେଉଁଥିରେ ବିଜେପି ସର୍ବାଧିକ ୩୨.୫ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ୨୮.୪, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୧୧.୩, ଆମ ଆଦମୀ ପାର୍ଟି ୬.୩, ଗୋଆ ଫରୱାର୍ଡ ପାର୍ଟି ୩.୫ ଓ ସ୍ୱାଧୀନ ପ୍ରାର୍ଥୀମାନେ ୧୧.୧୫ ପ୍ରତିଶତ ଭୋଟ ପାଇଥିଲେ । କଂଗ୍ରେସ ସର୍ବାଧିକ ୧୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୧୩ଟି, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ୩ଟି ଲେଖାଏଁ, ଏନସିପି ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ । ତେବେ ଏମଜିପି, ଜିଏଫପି ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ସାଙ୍ଗରେ ନେଇ ବିଜେପି ଏନଡିଏ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା ।

ଏମଜିପିର କାନ୍ଧରେ ସବାର ହୋଇ ୧୯୯୪ରେ ଗୋଆରେ ପ୍ରବେଶ କରିଥିବା ବିଜେପିର ବିସ୍ତାର ହିଁ ଏମଜିପିର କ୍ଷୟର କାରଣ ହୋଇଛି । ବସ୍ତୁତଃ ୨୦୧୭ରେ ଏମଜିପି ଓ ଜିଏଫପି ଜିତିଥିବା ଆସନଗୁଡିକରେ ସେମାନଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲା ବିଜେପି । ଯଦି ନିର୍ବାଚନରେ ଏମଜିପି ବିଜେପି ସହ ମେଣ୍ଟ ନ କରେ ତେବେ ବିଜେପି ପାଇଁ ତାହା ଚିନ୍ତାର କାରଣ ହୋଇପାରେ । ଆଗାମୀ ନିର୍ବାଚନରେ ଏକାକୀ ଲଢିବାକୁ କହୁଥିବା ବିଜେପି ପ୍ରକୃତରେ ମେଣ୍ଟ ସନ୍ଧାନରେ ରହିଛି । ତୃଣମୂଳ ସ୍ତରରେ ସଂଗଠନ ଥିବା ଓ ହିନ୍ଦୁ ବହୁଜନ ସମାଜ ମଧ୍ୟରେ ଏବେ ବି ଯଥେଷ୍ଟ ପ୍ରଭାବ ଥିବା ଏମଜିପି ଭଳି ଏକ ସ୍ୱାଭାବିକ ମିତ୍ର ଦଳ ସହ ମେଣ୍ଟଗଠନ ଲାଭପ୍ରଦ ହୋଇଥିବାରୁ ଏହା ବିଜେପି ପାଇଁ ଏକ ପ୍ରକାର ବାଧ୍ୟବାଧକତାରେ ପରିଣତ ହୋଇଛି । ଗୋଆ ଦାୟିତ୍ୱରେ ଥିବା ବିଜେପିର ନେତା ଦେବେନ୍ଦ୍ର ଫଡନଭିସ ମଧ୍ୟ ଏମଜିପିର ନେତା ସୁଦିନ ଦାଭାଲିକରଙ୍କୁ ସାକ୍ଷାତ କରି ଏ ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି । ତେବେ ଏମଜିପିକୁ ଭାଙ୍ଗି ଦୁଇ ଜଣ ବିଧାୟକଙ୍କୁ ବିଜେପିରେ ମିଶାଇବା ଓ ସୁଦିନ ଦାଭାଲିକରଙ୍କୁ ଉପମୁଖ୍ୟମନ୍ତ୍ରୀ କରି ମାତ୍ର ୮ ଦିନ ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିତାଡିତ କରିବାକୁ ଏମଜିପି ଗଣ୍ଠି ପକାଇ ରଖିଛି କି ନାହିଁ, ତା’ ଉପରେ ନିର୍ଭର କରିବ ମେଣ୍ଟ ଗଠନର ସମ୍ଭାବନା । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ସହ ୫ ଜଣ ହାରିଥିଲେ ମଧ୍ୟ ଯେଉଁ ୧୩ ଜଣ ଜିତିଥିଲେ ସେମାନଙ୍କ ମଧ୍ୟରେ ଥିଲେ ୭ ଜଣ କ୍ୟାଥଲିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର । ଅନ୍ୟ ରାଜ୍ୟରେ ସଂଖ୍ୟା ଲଘୁଙ୍କୁ ନିର୍ବାଚନରେ ଟିକଟ ଦେବାକୁ ଆଗଭର ହେଉ ନ ଥିବା ବିଜେପି ଗୋଆର ନିର୍ବାଚନୀ ବାସ୍ତବତାକୁ ହୃଦୟଙ୍ଗମ କରି ଖ୍ରୀଷ୍ଟିଆନଙ୍କୁ ଦଳ ପ୍ରତି ଆକୃଷ୍ଟ କରିବାକୁ ଭିନ୍ନ ରଣନୀତି ଆପଣେଇ ଥିଲା, ଯାହା ଦଳକୁ ହୁଏତ ୨୦୨୨ରେ ପୁଣି ଥରେ ଦୋହରାଇବାକୁ ପଡିପାରେ । ୟୁରୋପ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭଟିକାନ ସିଟିକୁ ଯାଇ ପ୍ରଥମ ଥର ପାଇଁ ପୋପଙ୍କୁ ସାକ୍ଷାତ କରିବା ଓ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇବାକୁ ନିର୍ବାଚନୀ ବିଶ୍ଳେଷକଙ୍କ ମଧ୍ୟରୁ କେହି କେହି ଗୋଆର ଖ୍ରୀଷ୍ଟିଆନ ଭୋଟରଙ୍କୁ ପ୍ରଲୁବ୍ଧ କରିବା ଲାଗି ଉଦ୍ଦିଷ୍ଟ ବୋଲି କହିବାକୁ ପଛାଇନାହାନ୍ତି । ୧୨ ଜଣ କଂଗ୍ରେସ ବିଧାୟକଙ୍କ ବିଜେପିରେ ଯୋଗଦାନ ପରେ ଏବର ବିଜେପି ବିଧାୟକଙ୍କ ସଂଖ୍ୟା ୨୭ । ତଥାପି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ କୋଭିଡ ପରିଚାଳନାରେ ଅପାରଗତା ଓ ବ୍ୟାପକ ଦୁର୍ନୀତି ହିଁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କ୍ଷମତା ବିରୋଧୀ ଜନମତ ସୃଷ୍ଟି କରିଛି । ଖୋଦ ଗୋଆର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତିର ଗୁରୁତର ଅଭିଯୋଗ ଆଣିବା ଦଳର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି, ଯାହା ହୁଏତ ନିର୍ବାଚନୀ ଫଳାଫଳରେ ପ୍ରତିବିମ୍ୱିତ ହୋଇପାରେ । ତେଣୁ ଏଥିରୁ ବର୍ତ୍ତିବା ପାଇଁ ଦଳକୁ ଅଧିକ କିଛି କରିବାକୁ ପଡିପାରେ ।

ଅତୀତରେ ରାଜ୍ୟରେ ଦୀର୍ଘ ସମୟ ଧରି କଂଗ୍ରେସ କ୍ଷମତାରେ ଥିବାରୁ ପ୍ରତିଟି ଅଞ୍ଚଳରେ ଏହାର ସାଙ୍ଗଠନିକ ଉପସ୍ଥିତି ରହିଥଛି । ଏପରିକି ୨୦୧୭ ନିର୍ବାଚନରେ ଦଳ ଉପରେ ବିଶ୍ୱାସ ସ୍ଥାପନ କରି ଗୋଆର ମତଦାତା ଦଳକୁ ୧୭ଟି ଆସନରେ ଜିତାଇ ଏକକ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିଥିଲେ ମଧ୍ୟ ଦଳ ସରକାର ଗଠନ କରିବାରେ ବିଫଳ ହେଲା । ଏପରି କି ବିଧାୟକମାନଙ୍କୁ ଏକଜୁଟ କରି ରଖିବାକୁ ଅସଫଳ ଦଳ ଉପରୁ କେତେକଙ୍କ ଏପରି ମୋହଭଙ୍ଗ ହେଲା ଯେ ୧୨ ଜଣ ବିଧାୟକ ଦଳତ୍ୟାଗ କରି ବିଜେପିରେ ମିଶିଗଲେ । ନିକଟରେ ଲୁଇଜିନୋ ଫାଲେଇରୋଙ୍କ ଦଳତ୍ୟାଗ ପରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ଆସି 4ରେ ପହଞ୍ଚିଛି । ରାଜ୍ୟରେ କଂଗ୍ରେସ ନେତା ଓ କର୍ମୀ ଏକ ପ୍ରକାର ଦିଶାହୀନ ହୋଇ ପଡିଥିବାରୁ ଏହି ଅବସ୍ଥାରୁ ଦଳକୁ ସୁସଙ୍ଗଠିତ କରି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ଦଳ ପାଇଁ ଏକ ବଡ ଆହ୍ୱାନ ହେବ । ଠିକ୍ ଏତିକି ବେଳେ ରାଜ୍ୟରେ ଟିଏମସିର ଆକ୍ରାମକ ଉପସ୍ଥିତି ଯୋଗୁଁ ଦିଶାହୀନ କଂଗ୍ରେସ ନେତାମାନେ ଦଳ ଛାଡି ଟିଏମସିରେ ବହୁ ସଂଖ୍ୟାରେ ଯୋଗଦାନ କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ ହେଉଛି । ତେବେ ଅନୁଭବୀ ନେତା ପି ଚିଦାମ୍ୱରମ ଗୋଆର ଦାୟିତ୍ୱ ଗ୍ରହଣ କରି ତୃଣମୂଳ ସ୍ତରର ନେତାମାନଙ୍କ ସହ ବିଚାର ବିମର୍ଶ କରିବା ପରେ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି । ଭୋଟରଙ୍କ ମଧ୍ୟରେ କଂଗ୍ରେସ ପ୍ରତି ବିଶ୍ୱାସ ଜନ୍ମାଇବାକୁ ହେଲେ ଦଳ ତରଫରୁ ପ୍ରାର୍ଥୀ ଚୟନ ବେଳେ ସତର୍କତା ଅବଲମ୍ୱନ କରିବାକୁ ହେବ । ତତ୍ପରତାର ସହ ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିପାରିଲେ ତାହା ନିର୍ବାଚନୀ ସଫଳତା ହାସଲରେ ସହାୟକ ହୋଇପାରେ ।   

ଗୋଆରେ ୧୯୬୩ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ହିଁ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) କ୍ଷମତା ଦଖଲ କରି ପ୍ରାୟ ଦୁଇ ଦଶନ୍ଧି ଧରି ଲଗାତାର କ୍ଷମତାରେ ରହିବା ପରେ ଦଳବଦଳ କାରଣରୁ ୧୯୭୯ରେ କ୍ଷମତାଚ୍ୟୁତ ହୋଇଥିଲା । ଦଳର ଜନାଧାର ମୁଖ୍ୟତଃ କୋଙ୍କଣୀଭାଷୀ ଅବ୍ରାହ୍ମଣ ହିନ୍ଦୁମାନଙ୍କୁ ନେଇ, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ପର୍ତ୍ତୁଗୀଜ ଶାସନ ଅମଳରେ ବଞ୍ଚିତ ସଂଖ୍ୟାଗରିଷ୍ଠ ସମୁଦାୟର । ଏକ ହିନ୍ଦୁ ଦଳ ଭାବେ ପରିଚିତ ଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଏହାର ଗ୍ରହଣୀୟତା ସେତେ ନାହିଁ । ୧୯୯୪ରେ ପ୍ରଥମ ଥର ପାଇଁ ଏମଜିପି ସହ ମେଣ୍ଟ କରି ବିଜେପି ଗୋଆରେ ପ୍ରବେଶ କଲା । କ୍ରମଶଃ ହିନ୍ଦୁ ଭୋଟ ଉପରେ ବିଜେପି ଦଖଲ କରିବାକୁ ଲାଗିବାରୁ ଏମଜିପିର ଜନାଧାର କ୍ଷୟ ହୋଇ ୨୦୧୭ରେ ଦଳ ମାତ୍ର ୩ଟି ଆସନରେ ବିଜୟୀ ହୋଇ ପାରିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ମାର୍ଚ୍ଚ ୨୦୧୯ରେ ଦଳ ଛାଡି ବିଜେପିରେ ମିଶିଗଲେ । ଅବଶ୍ୟ ୨୦୧୭ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେପିର ମୁକାବିଲା କରି ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଦଳ ଆରଏସଏସର ବିଦ୍ରୋହୀ ସଭ୍ୟ ସୁଭାଷ ଭେଲିଙ୍ଗକରଙ୍କ ଦ୍ୱାରା ସ୍ଥାପିତ ଗୋଆ ସୁରକ୍ଷା ମଞ୍ଚ ଓ ଶିବସେନା ସହ ମେଣ୍ଟ କରି ୨୭ଟି ଆସନରେ ନିର୍ବାଚନ ଲଢିଥିଲା । ୧୯୯୪ରେ ଏହି ଦଳ ୧୨ଟି ଆସନ ପାଇଥିବା ବେଳେ ୧୯୯୯ରେ ୪ଟି, ୨୦୦୨ରେ ଗୋଟିଏ, ୨୦୦୭ରେ ୨ଟି, ୨୦୧୨ରେ ୩ଟି ଆସନରେ ବିଜୟୀ ହୋଇଥିଲା । ବସ୍ତୁତଃ ହିନ୍ଦୁ ଭୋଟ ହାତେଇବା ପାଇଁ ଉଭୟ ଏମଜିପି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହୁଥିବାରୁ ୧୯୯୪ରେ ମେଣ୍ଟ କରି ବିଜେପିକୁ ଗୋଆରେ ପ୍ରବେଶ କରାଇବା ଏମଜିପି ପାଇଁ ଏକ ପ୍ରକାର ଘାତକ ସାବ୍ୟସ୍ତ ହୋଇଛି । ଆଗାମୀ ନିର୍ବାଚନରେ ବିଜେପି ସହ କୌଣସି ମେଣ୍ଟ ସମ୍ଭବ ନୁହେଁ ବୋଲି ଦଳର ସଭାପତି ଦୀପକ ଦାଭାଲିକର ସ୍ପଷ୍ଟ ଘୋଷଣା କରିଥିଲେ ବି ଅନ୍ୟ ଛୋଟ ଦଳ ସହ ମେଣ୍ଟ ପାଇଁ ପ୍ରସ୍ତୁତ ଥିବା ଦର୍ଶାଇଛନ୍ତି ।

୨୦୧୭ ନିର୍ବାଚନର ଠିକ ବର୍ଷକ ପୂର୍ବରୁ ପ୍ରତିଷ୍ଠିତ ଆଞ୍ଚଳିକ ଦଳ ଗୋଆ ଫରୱାର୍ଡ ପାର୍ଟି ୪ଟି ଆସନରେ ଲଢି ୩ଟିରେ ବିଜୟ ଲାଭ କରିବା ଅନେକଙ୍କୁ ବିସ୍ମିତ କରିଥିଲା । ତେବେ ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରୁଥିବା ଓ ବିଜେପି ସହ କୌଣସି ମେଣ୍ଟ ନ କରିବାକୁ ଘୋଷଣା କରିଥିବା ଜିଏଫପି ନିର୍ବାଚନ ପରେ ବିଜେପି ସହ ଏନଡିଏ ସରକାରରେ ସାମିଲ ହେବା ତା’ଠାରୁ ଅଧିକ ଚକିତ କରିଥିଲା ସମସ୍ତଙ୍କୁ । ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ହେବା ପରେ ଏମଜିପିର ଦୁଇ ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଇବା ପରେ ଜିଏଫପିର ନେତା ବିଜୟ ସରଦେଶାଈ ତାଙ୍କ ଦଳର ସମାନ ଅବସ୍ଥା ହୋଇପାରେ ବୋଲି ଆଶଙ୍କିତ ହୋଇ ପଡିଥିଲେ । କଂଗ୍ରେସର ୧୨ ଜଣ ବିଧାୟକ ବିଜେପିରେ ମିଶିବା ପରେ ମେଣ୍ଟରେ ଜିଏଫପିର ଗୁରୁତ୍ୱ ହ୍ରାସ ପାଇଲା । ଶେଷରେ ଜିଏଫପି ଅପ୍ରେଲ ୨୦୨୧ରେ ଏନଡିଏରୁ ଓହରି ଆସିଲା । ଆଗାମୀ ନିର୍ବାଚନରେ ଦଳ ବିଜେପି ବିରୁଦ୍ଧରେ ଲଢିବାକୁ ମନସ୍ଥ କରି ପ୍ରାୟ ୧୨ଟି ଆସନରେ ପ୍ରାର୍ଥୀ ଦେବା ସହ ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଆଗ୍ରହୀ ।

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ଗୋଆରେ ବିଶେଷ ଉପସ୍ଥିତି ନ ଥିଲେ ବି ଗତ ନିର୍ବାଚନରେ ଦଳ ଏକାକୀ ଲଢି ଜଣେ ବିଧାୟକ ଜୟଯୁକ୍ତ ହୋଇଥିଲେ । ଆଗାମୀ ନିର୍ବାଚନରେ ଦଳ କଂଗ୍ରେସ ସହ ମେଣ୍ଟ ଗଠନ କରି ୭-୮ଟି ଆସନରେ ଲଢିବାକୁ ଆଶାପୋଷଣ କରିଛି ।     

ଗତ ନିର୍ବାଚନରେ ଲଢି ସଫଳତାର ସ୍ୱାଦ ଚାଖି ନ ଥିବା ଆମ ଆଦମୀ ପାର୍ଟି (ଆପ) ଏ ଥର ଗୋଆରେ ଅତି ଗମ୍ଭୀରତାର ସହ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଥିବାର ଲକ୍ଷ୍ୟ କରାଯାଉଛି । ସେଥିପାଇଁ ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲ ଗୋଆକୁ ବାରମ୍ୱାର ଆସି କର୍ମୀଙ୍କ ମନୋବଳ ବଢାଇବା ସଙ୍ଗେସଙ୍ଗେ ଦଫା ଦଫାରେ ତିନିଟି ବଡ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରି ସାରିଲେଣି, ଯାହା ହୁଏତ ନିର୍ବାଚନରେ ପରିଣାମ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇପାରେ । କ୍ଷମତାକୁ ଆସିଲେ ପ୍ରତି ପରିବାରକୁ ମାଗଣାରେ ୩୦୦ ୟୁନିଟ ବିଜୁଳି ଦିଆଯିବ । ଏଥିପାଇଁ ଗୋଆ ଓ ଦିଲ୍ଲୀର ଶକ୍ତି ମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏକ ସର୍ବସାଧାରଣ ବିତର୍କ ଟେଲିଭିଜନରେ ପ୍ରସାରିତ ହୋଇ ଭୋଟରଙ୍କ ଆଲୋଚନାର ବିଷୟ ହୋଇଥିଲା । ଆପ ତରଫରୁ ଘୋଷିତ ‘ବିଜୁଳି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ’ରେ ଏ ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ପରିବାର ପଞ୍ଜିକରଣ କରି ସାରିଲେଣି । ସେହିପରି କ୍ଷମତାକୁ ଆସିଲେ ସ୍ଥାନୀୟ ଲୋକଙ୍କ ପାଇଁ ଘରୋଇ କ୍ଷେତ୍ରର ୮୦ ପ୍ରତିଶତ ନିଯୁକ୍ତି ଆରକ୍ଷିତ ରହିବା ସହ ଗୋଟିଏ ପରିବାରକୁ ନିଯୁକ୍ତି ନ ମିଳିଲେ ମାସିକ ୩୦୦୦ ଟଙ୍କାର ବେକାରି ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଗୋଆରେ ପ୍ରବାସୀ ପୂର୍ବାଞ୍ଚଳୀ, ଓଡିଆ ଓ ନେପାଳୀଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତ ହୋଇଥିବାରୁ ଘୋଷିତ ନୀତିଟିର ନିର୍ବାଚନରେ ସ୍ଥାନୀୟ ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଏଥିପାଇଁ ଆରମ୍ଭ କରାଯାଇଥିବା ‘ରୋଜଗାର ଗ୍ୟାରେଣ୍ଟି ସ୍କିମ’ରେ ଏ ପର୍ଯ୍ୟନ୍ତ ୧.୨ ଲକ୍ଷ ଯୁବକ ଯୁବତୀ ପଞ୍ଜିକରଣ କରି ସାରିଲେଣି, ଯାହା ଗୋଆର ସମୁଦାୟ ପରିବାର ସଂଖ୍ୟାର ୨୫ରୁ ୩୦ ପ୍ରତିଶତ । ସେହିପରି ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ଓ ଅନ୍ୟମାନଙ୍କ ପାଇଁ ଅଯୋଧ୍ୟା, ଭୈଲାନକନ୍ନି, ଆଜମେର, ଶିରିଡିକୁ ମାଗଣା ତୀର୍ଥଯାତ୍ରାରେ ପଠାଇବାକୁ ପ୍ରତିଶ୍ରୁତି ଦିଆଯାଇଛି । ଇତିମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୟାନନ୍ଦ ନାଭ୍ରେକର, ବିଜେପି ନେତା ଗଣପତ ଗାଓଁକର, ଖଣି ନେତା ପୁଟି ଗାଓଁକରଙ୍କ ଭଳି ଅନେକ ବଡ ବଡ ନେତାଙ୍କର ଦଳରେ  ଯୋଗଦାନ ସହ ଦଳର ଘୋଷିତ ଯୋଜନାଗୁଡିକ ପ୍ରତି ପ୍ରକାଶ ପାଉଥିବା ଜନ ସମର୍ଥନ ଦଳର ସ୍ଥିତିକୁ ଅପେକ୍ଷାକୃତ ସୁଦୃଢ କରିଛି ଯାହା ନୀରବ ଭୋଟରମାନଙ୍କୁ ଦଳ ପ୍ରତି ଆକୃଷ୍ଟ କରିପାରେ ବୋଲି ବିଶେଷଜ୍ଞଙ୍କ ମତ ।

ଗୋଆ ନିର୍ବାଚନୀ ରଣାଙ୍ଗନରେ ସଦ୍ୟତମ ଦଳ ଭାବେ ‘ଗୋଏଞ୍ଚି ନବୀ ସକାଳ’ ସ୍ଳୋଗାନ ସହ ଅବତୀର୍ଣ୍ଣ ହୋଇଛି ତୃଣମୂଳ କଂଗ୍ରେସ । ପ୍ରଥମେ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋଙ୍କୁ ତୃଣମୂଳ କଂଗ୍ରେସରେ ମିଶାଇ ତାଙ୍କରି ଭରସାରେ ଟିଏମସି ବିସ୍ତାର ଯୋଜନାର ରୂପରେଖ ପ୍ରସ୍ତୁତ କଲା । ଅବଶ୍ୟ ଏଥିପାଇଁ ପ୍ରଶାନ୍ତ କିଶୋରଙ୍କ ‘ଆଇପାକ୍’ ସଂସ୍ଥା ଓ ଟିଏମସି ମିଳିତ ଭାବେ ୪0ଟି ଯାକ ଆସନରେ ତୃଣମୂଳସ୍ତରୀୟ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଦଳର ନେତ୍ରୀ ମମତା ବାନାର୍ଜୀଙ୍କ ତିନି ଦିନିଆ ଗୋଆ ଗସ୍ତ ସମୟରେ ଲିଆଣ୍ଡର ପେସ, ନଫିସା ଅଲିଙ୍କ ପରି ସେଲିବ୍ରିଟିଙ୍କ ସମେତ ଆହୁରି ଅନେକ ନେତା ଦଳରେ ଯୋଗ ଦେଇଛନ୍ତି । ୨୦୧୪ରେ ତୃଣମୂଳ କଂଗ୍ରେସ ଟିକେଟରେ ଦକ୍ଷିଣ ଗୋଆ ଲୋକସଭା ଆସନରୁ ଲଢି ପରାଜିତ ହୋଇଥିବା ଏନସିପିର ଏକମାତ୍ର ବିଧାୟକ ଚର୍ଚ୍ଚିଲ ଆଲେମାଓଙ୍କର ମମତାଙ୍କ ସହ ସାକ୍ଷାତ ଯୋଗୁଁ ସେ ଟିଏମସିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଲୋଚନା ହେଉଛି । ଇତିମଧ୍ୟରେ ସ୍ୱାଧୀନ ବିଧାୟକ ପ୍ରସାଦ ଗାଓଁକର ଟିଏମସିକୁ ସମର୍ଥନ କରିବାକୁ ଘୋଷଣା କରି ସାରିଥିବା ବେଳେ ସ୍ୱାଧୀନ ବିଧାୟକ ରୋହନ ଖାଉନ୍ତେ ମଧ୍ୟ ମମତାଙ୍କ ସହ ସମ୍ପର୍କରେ ଅଛନ୍ତି । ଦଳ ୪୦ଟି ଯାକ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିବା ସହ ଅନ୍ୟ ଆଞ୍ଚଳିକ ଦଳଗୁଡିକ ଏଥି ସହ ମିଶିଯିବେ ବୋଲି ଆଶାବାଦୀ । ତେବେ ଜିଏଫପି ସହ ଆଲୋଚନା ହୋଇଥିଲେ ବି ଦଳର ନେତା ବିଜୟ ସରଦେଶାଈ ଟିଏମସି ସହ ମିଶ୍ରଣର ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । ରାଜ୍ୟରେ ଦଳର ତୃଣମୂଳସ୍ତରୀୟ ସଙ୍ଗଠନ ନ ଥିବାରୁ ଫାଲେଇରୋ ଓ ‘ଆଇପାକ’ କି ଭଳି ଭାବେ ଦଳକୁ ଆଗେଇ ନେବେ, ତାହା ଉପରେ ଅନେକଙ୍କ ଦୃଷ୍ଟି ନିବଦ୍ଧ । ଟିଏମସି ସରକାର ଗଠନ କରିବାକୁ ସମର୍ଥ ହେଉ ବା ନ ହେଉ ଅଳ୍ପ କିଛି ଆସନରେ ବିଜୟ ହାସଲ କରି ପାରିଲେ ବି ଗୋଆର ବିଶେଷ ରାଜନୈତିକ ପରିସ୍ଥିତିରେ ନିଜକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବସ୍ଥାପିତ କରିପାରିବ ।

ଅନ୍ୟ ଦଳମାନଙ୍କ ମଧ୍ୟରେ ଗତ ଥର ନିର୍ବାଚନ ଲଢି ସଫଳ ହୋଇ ନ ଥିବା ଗୋଆ ସୁରକ୍ଷା ମଞ୍ଚ, ୟୁନାଇଟେଡ ଗୋଆନସ୍ ପାର୍ଟି, ଗୋଆ ବିକାସ ପାର୍ଟି, ଗୋଆ ସୁ-ରାଜ ପାର୍ଟି, ଏ ଥର ବି ନିର୍ବାଚନ ଲଢିବାକୁ ପାଗ ଭିଡୁଛନ୍ତି । ଶିବସେନା ତ ୨୫ଟି ଆସନରେ ଲଢିବାକୁ ଘୋଷଣା କରିସାରିଲାଣି । ନାଗରିକ ସମାଜ  ସଙ୍ଗଠନରୁ ରାଜନୈତିକ ଦଳ ସାଜି ନିର୍ବାଚନ ଲଢିବାକୁ ମନସ୍ଥ କରିଥିବା ‘ଗୋଏଞ୍ଚୋ ଆୱାଜ’ର ପ୍ରଭାବ ମଧ୍ୟ ଅନୁଭୂତ ହୋଇପାରେ । ଗତ ଦଶ ବର୍ଷ ଧରି କ୍ଷମତାରେ ଥିବା ବିଜେପି କ୍ଷମତା ବିରୋଧ (ଆଣ୍ଟି ଇନକମ୍ୱେନସି)ର ସମ୍ମୁଖୀନ ହେଉଥିବା ବେଳେ ନୂଆ ନୂଆ ଦଳଙ୍କ ଗୋଆ ରାଜନୀତିରେ ଆବିର୍ଭାବ ଏ ଥରର ନିର୍ବାଚନକୁ ବେଶ ରୋଚକ କରିପାରେ । ଏ ସମସ୍ତ ଦଳ ଖ୍ରୀଷ୍ଟିଆନ ଭୋଟକୁ ବିଭାଜିତ କରି ବିଜେପିର ବିଜୟକୁ ସୁନିଶ୍ଚିତ କରିବେ ବୋଲି ବିଜେପିର ବିଶ୍ୱାସ । ତେବେ ହିନ୍ଦୁ ଭୋଟ ଯେ ବିଭାଜିତ ହେବନାହିଁ ତାହା ଦୃଢତାର ସହ କହି ହେବନାହିଁ । ଆପ ଦଳର ଗୋଆରେ ଉତ୍ତମ ପ୍ରଦର୍ଶନ ଏହାକୁ ଜାତୀୟ ଦଳର ମାନ୍ୟତା ମିଳିବାରେ ସହାୟକ ହୋଇପାରେ । ଟିଏମସିର ଉତ୍ତମ ପ୍ରଦର୍ଶନ ୨୦୨୪ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱକୁ ଜାତୀୟ ସ୍ତରରେ ବଳିଷ୍ଠ କରିପାରେ । ଆୟତନ ଦୃଷ୍ଟିରୁ ଗୋଆ ଛୋଟ ରାଜ୍ୟଟିଏ ହୋଇ ଏଠାରୁ ମାତ୍ର ଦୁଇ ଜଣ ସାଂସଦ ନିର୍ବାଚିତ ହେଉଥିଲେ ବି ଜାତୀୟ ଓ ଆଞ୍ଚଳିକ ଦଳଗୁଡିକ ଗୋଆ ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ପ୍ରଦାନ କରି କ୍ଷମତା ହାସଲ କରିବାକୁ ବା କ୍ଷମତା ହାତଛଡା ନ କରିବାକୁ ପୂର୍ଣ୍ଣ ପ୍ରୟାସ କରୁଛନ୍ତି । ତେବେ ଦଳମାନଙ୍କ ମଧ୍ୟରେ ବୁଝାମଣା ଓ ମେଣ୍ଟ ଗଠନ ହୁଏତ ସ୍ଥିର କରିପାରେ ଆଗାମୀ ନିର୍ବାଚନରେ ଗୋଆରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ହେବ କି ନାହିଁ ।


(Published in Odisha Reporter on November 09, 2021                                                                                                                                                                                                                                                                                                  


Comments

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍