ନୋବେଲ ଶାନ୍ତି ପୁରସ୍କାର ପାଇଁ ୨୦୨୧ରେ ଫିଲିପାଇନ୍ସର ମାରିଆ ରେସା ଓ ରୁଷିଆର ମିତ୍ରି ଆନ୍ଦ୍ରିୟେଭିଚ ମୁରାତଭାଙ୍କ ଭଳି ଦୁଇ ଜଣ ସାମ୍ୱାଦିକଙ୍କ ନାମ ଘୋଷଣା ହେବା ପରେ ସମ୍ୱାଦ ଦୁନିଆରେ ଖୁସିର ଲହରୀ ଖେଳିଯିବା ସ୍ୱାଭାବିକ । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ବିଶ୍ୱରେ ଅତ୍ୟଧିକ ମିଛ ଖବର ଓ ଘୃଣାର ବାଣୀ (ହେଟ ସ୍ପିଚ) ପ୍ରସାରିତ ହୋଇ ଗଣତନ୍ତ୍ର ବିପନ୍ନ ହେଉଛି, ସେତେବେଳେ ଦୁଇଜଣ ନିରପେକ୍ଷ ଓ ସାହସୀ ସାମ୍ୱାଦିକଙ୍କୁ ନୋବେଲ ପୁରସ୍କାର ପ୍ରଦାନର ଅର୍ଥ ପରୋକ୍ଷରେ ନିର୍ଭୀକ ସାମ୍ୱାଦିକତା ପ୍ରତି ସମ୍ମାନ ପ୍ରଦର୍ଶନ ସହ ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା ଯେ କେତେ ଅପରିହାର୍ୟ୍ୟ ତାହା ରେଖାଙ୍କିତ କରିବା ବୋଲି ଗ୍ରହଣ କରିବାକୁ ହେବ । ହେଲେ ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଆଜି ବିପନ୍ନ । ତେଣୁ ଗଣମାଧ୍ୟମ ନିଜର ବିଶ୍ୱସନୀୟତା ବି ହରାଇ ଚାଲିଛି । ଖବରକାଗଜ ପଢୁଥିବା ଓ ଟେଲିଭିଜନ ଦେଖୁଥିବା ଯେ କୌଣସି ପାଠକ ଓ ଦର୍ଶକ ଏ କଥା ମୁକ୍ତ କଣ୍ଠରେ ସ୍ୱୀକାର କରିବ ଯେ ଅଳ୍ପ କେତୋଟି ଖବରକାଗଜ ଓ ଚ୍ୟାନେଲକୁ ବାଦ ଦେଲେ ଅଧିକାଂଶ ଖବରକାଗଜ ଓ ଚ୍ୟାନେଲ ନିଜ ସ୍ୱାଧୀନତାକୁ ବନ୍ଧା ପକାଇବା ପାଇଁ ସତେ ଯେପରି ନିଜ ନିଜ ଭିତରେ ପ୍ରତିଯୋଗିତାରେ ଲିପ୍ତ । ଜନତାଙ୍କ ସ୍ୱର ଓ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା କରୁଥିବା କଥା ଉଚ୍ଚସ୍ୱରରେ କହୁଥିବା ଏହି ଗଣମାଧ୍ୟମଗୁଡିକ ପ୍ରକୃତରେ ଜନତାଙ୍କ ପକ୍ଷଭୁକ୍ତ ନ ହୋଇ ଶାସକଙ୍କ ନିକଟତର ହୋଇଥାଆନ୍ତି । ହେଲେ ନିଜକୁ ସ୍ୱାଧୀନ ଓ ନିରପେକ୍ଷ ବୋଲି ଡିଣ୍ଡିମ ପିଟିବାକୁ ପଛାଇ ନ ଥାଆନ୍ତି ।
ସ୍ୱାଧୀନ ଭାରତରେ ଜରୁରୀକାଳୀନ ପରିସ୍ଥିତିରେ ହିଁ ଗଣମାଧ୍ୟମର ସ୍ୱାଧୀନତା ସର୍ବାଧିକ ବିପନ୍ନ ହୋଇଥିଲା ବୋଲି ଅଧିକାଂଶ ସମସ୍ୱରରେ କହିଥାଆନ୍ତି । ତେବେ ସେତେବେଳେ କେବଳ ମୁଦ୍ରିତ ଗଣମାଧ୍ୟମ ଯାହା ଥିଲା । ଘରୋଇ କ୍ଷେତ୍ରରେ ବୈଦ୍ୟୁତିକ ଗଣମାଧ୍ୟମ ଆହୁରି ତା’ର ପାଦ ଥାପି ନ ଥିଲା । ଖବରକାଗଜରେ ଖବରଠାରୁ ସମ୍ପାଦକୀୟ ଓ ଆଲେଖ୍ୟ ପର୍ୟ୍ୟନ୍ତ ସବୁ କିଛି ସେନସର ହେଉଥିଲା । ଏହା ଉଭୟ ଖବରକାଗଜ କର୍ତ୍ତୃପକ୍ଷଙ୍କଠାରୁ ପାଠକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ବେଶ ଅସ୍ୱସ୍ତିକର ହେଉଥିଲା । ତଥାପି ବେଳେବେଳେ ନିର୍ଦ୍ଦିଷ୍ଟ ଖବରକାଗଜ କିଛି ନ ଛପାଇ ଶୂନ୍ୟ ସ୍ଥାନ ରଖି ନିଜ ପ୍ରତିବାଦକୁ ଭିନ୍ନ ଭାବେ ଜାହିର କରିବାର ବି ଦେଖା ଯାଉଥିଲା । ପାଠକ ବି ଖବର ସେନସର ହେଉଥିବା କଥା ଜାଣୁଥିବାରୁ ଖବରକାଗଜ ପ୍ରତି ପ୍ରତିକ୍ରିୟାଶୀଳ ନ ହୋଇ ସମ୍ବେଦନଶୀଳ ଥିଲେ । ଅର୍ଥାତ୍ ଖେଳରେ ଫାଉଲ ହେଉଥିଲେ ବି ଖେଳ ଫାଉଲରେ ଚାଲିଛି ବୋଲି ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଊଣା ଅଧିକେ ଜଣାଥିବାରୁ, ସେମାନେ ଖବରକାଗଜରୁ ସେହି ଅନୁସାରେ ଖବର ପଢୁଥିଲେ । ହେଲେ ଏବେ ଘୋଷିତ ଜରୁରୀକାଳୀନ ପରିସ୍ଥିତି ଓ ସେନସର ବ୍ୟବସ୍ଥା ନ ଥିଲେ ବି ଖେଳରେ ଯେଉଁ ଫାଉଲ ଚାଲିଛି ତାହା ବଡ ବଡ ଖେଳାଳୀ ତ ବୁଝି ପାରୁନାହାନ୍ତି ଦର୍ଶକଙ୍କ କଥା କିଏ ପଚାରେ ବୋଲି ଅନେକେ ପ୍ରଶ୍ନ କରିଥାଆନ୍ତି । ଅନେକ ସମୟରେ ଚ୍ୟାନେଲରେ କେଉଁ ବିଷୟରେ ଆଲୋଚନା ହେବ, କିଏ ଆଲୋଚନାରେ ଭାଗ ନେବେ, ସମ୍ପାଦକୀୟ ପୃଷ୍ଠାରେ କେଉଁ ବିଷୟରେ ଲେଖା ହେବ, କିଏ ଲେଖିବେ, କିଏ ସାମ୍ୱାଦିକ ରହିବେ, ସମ୍ପାଦକ ରହିବେ ଆଦି ଆଉ ସମ୍ପୃକ୍ତ ଗଣମାଧ୍ୟମ କର୍ତ୍ତୃପକ୍ଷଙ୍କ ଅକ୍ତିଆର ଭିତରେ ରହୁନାହିଁ ବୋଲି ଅଭିଯୋଗ ହୁଏ । କୁହାଯାଏ, ଏ ସବୁ ପରୋକ୍ଷରେ କ୍ରମଶଃ ଏକ ତୃତୀୟ ଶକ୍ତିର (ସରକାରୀ) ନିୟନ୍ତ୍ରଣ ଭିତରକୁ ଚାଲିଯାଉଛି, ଯିଏ ନିଜ ସ୍ୱାର୍ଥରେ ଆବଶ୍ୟକତା ଅନୁସାରେ ମାଲିକ, ସମ୍ପାଦକ, ସାମ୍ୱାଦିକଙ୍କୁ ବ୍ୟବହାର କରିବାକୁ ପଛାଉନାହାନ୍ତି । ତାହା ତ ବ୍ୟବହାର ନୁହେଁ ବରଂ ଅପବ୍ୟବହାର, କାରଣ ତଦ୍ଦ୍ୱାରା ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା ବିପନ୍ନ ହେଉଛି । କେତେକ କ୍ଷେତ୍ରରେ ସାମ, ଦାମ, ଦଣ୍ଡ ଭେଦର ପ୍ରୟୋଗ କରି ସମ୍ପୃକ୍ତ ସର୍ବଶକ୍ତିମାନ ଗଣମାଧ୍ୟମର ସ୍ୱାଧୀନତା ହରଣର ଉଦ୍ୟମ କରିଥାଆନ୍ତି ତ କେତେବେଳେ ପୁଣି ରାଜ୍ୟସଭାର ସାଂସଦ, ପଦ୍ମ ପୁରସ୍କାର ବା ଅନ୍ୟ ପଦପଦବୀର ଲାଭ, ବିଜ୍ଞାପନ ଓ ଅନ୍ୟ ଆର୍ଥିକ ସୁବିଧାର ଲୋଭ ବା ଆୟକର, ଇଡି, ସିବିଆଇ ରେଡ୍, ଟ୍ରୋଲିଂ, ହିଂସା ବା ଚାକିରୀ ହରାଇବା ଆଦି ଭୟର ବଶବର୍ତ୍ତୀ ହୋଇ କେଉଁ ଗଣମାଧ୍ୟମ କର୍ତ୍ତୃପକ୍ଷ ନିଜ ମୂଲ୍ୟବାନ ସ୍ୱାଧୀନତା ଟିକକକୁ ସେହି ସର୍ବଶକ୍ତିମାନଙ୍କ ହାତକୁ ଟେକି ଦେବା ପାଇଁ ଦ୍ୱିଧା ପ୍ରକାଶ କରି ନ ଥାଆନ୍ତି । ଭାରତୀୟ ଗଣମାଧ୍ୟମର ସ୍ୱାଧୀନତା ହରଣ କଥା ଆଉ କେବଳ ଦେଶ ଭିତରେ କେଉଁ ଖଟି ବା ସଭାସମିତିରେ ଆଲୋଚନାରେ ସୀମିତ ନୁହେଁ, ବରଂ ବିଭିନ୍ନ ବିଦେଶୀ ସଂସ୍ଥାଙ୍କ ଦ୍ୱାରା ଭିନ୍ନ ଭିନ୍ନ ସମୟରେ ହୋଇଥିବା ଅଧ୍ୟୟନରୁ ମଧ୍ୟ ତାହା ବେଶ ସୁସ୍ପଷ୍ଟ ।
ଫ୍ରାନ୍ସର ପାରିସସ୍ଥିତ ଅନ୍ତର୍ଜାତୀୟ ବେସରକାରୀ ସଂଗଠନ ‘ରିପୋର୍ଟର୍ସ ଉଇଦାଉଟ ବୋର୍ଡର୍ସ’ ସଂସ୍ଥା ଦ୍ୱାରା ୨୦୦୨ରୁ ପ୍ରତିବର୍ଷ ଏକ ‘ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କ’ ପ୍ରକାଶ ପାଇଥାଏ । ସାରା ବିଶ୍ୱରେ ଗଣମାଧ୍ୟମ ସ୍ୱାଧୀନତାକୁ ସୁରକ୍ଷା ପ୍ରଦାନ କରିବାକୁ କଟିବଦ୍ଧ ଏହି ସଂସ୍ଥା ଦ୍ୱାରା ନିକଟରେ ୨୦୨୧ ପାଇଁ ସୂଚକାଙ୍କ ପ୍ରକାଶ ପାଇଛି । ଏହି ସୂଚକାଙ୍କ ପ୍ରସ୍ତୁତି ପାଇଁ ଯେଉଁ ଦିଗଗୁଡିକ ଉପରେ ଗୁରୁତ୍ୱ ଦିଆ ଯାଇଥାଏ ସେଗୁଡିକ ହେଲା, ଗଣମାଧ୍ୟମରେ ଭିନ୍ନ ମତ (ପ୍ଲୁରାଲିଜମ) କେଉଁ ପରିମାଣରେ ସ୍ଥାନ ପାଉଛି, ରାଜନୈତିକ, ସରକାରୀ, ବ୍ୟବସାୟ ଓ ଧାର୍ମିକ କ୍ଷମତା ଓ ପ୍ରଭାବର ଊର୍ଦ୍ଧ୍ୱରେ ରହି ଗଣମାଧ୍ୟମ କେତେ ମାତ୍ରାରେ ସ୍ୱାଧୀନ ଭାବେ କାର୍ୟ୍ୟ କରି ପାରୁଛି, ସମ୍ୱାଦ ଓ ସୂଚନାଦାତାମାନେ କେଉଁ ପରିବେଶରେ କାମ କରୁଛନ୍ତି, ସମ୍ୱାଦ ଓ ସୂଚନା ପ୍ରଦାନ କାର୍ୟ୍ୟ ପାଇଁ ପ୍ରଣୀତ ଆଇନଗୁଡିକର ପ୍ରଭାବ, ସମ୍ୱାଦ ଓ ସୂଚନା ତିଆରିକୁ ପ୍ରଭାବିତ କରୁଥିବା ଅନୁଷ୍ଠାନ ଓ ପ୍ରକ୍ରିୟାଗୁଡିକର ସ୍ୱଚ୍ଛତା, ସମ୍ୱାଦ ତିଆରିରେ ସହାୟକ ହେଉଥିବା ଭିତ୍ତିଭୂମିର ଗୁଣବତ୍ତା ଓ ସାମ୍ୱାଦିକଙ୍କ ପ୍ରତି ଗାଳିଗୁଲଜ ଓ ହିଂସାର ସ୍ତର । ଏହି ସବୁ ଦିଗଗୁଡିକୁ ମିଶାଇ ୧୦୦ ନମ୍ୱରର ଏକ ମାପକାଠିରେ ଦେଶଗୁଡିକୁ ମପା ଯାଇଥାଏ । ୦ରୁ ୧୫ ଅଙ୍କ ରଖିଥିବା ଦେଶଗୁଡିକୁ ‘ଉତ୍ତମ’ ଶ୍ରେଣୀରେ, ୧୫.୦୧ରୁ ୨୫ ଅଙ୍କ ରଖିଥିବା ଦେଶଗୁଡିକ ‘ସନ୍ତୋଷଜନକ’, ୨୫.୦୧ରୁ ୩୫ ଅଙ୍କ ଥିଲେ ‘ସମସ୍ୟାଯୁକ୍ତ’, ୩୫.୦୧ରୁ ୫୫ ଅଙ୍କ ଥିଲେ ‘କଠିନ ପରିସ୍ଥିତି’ ଓ ୫୫ରୁ ବେଶୀ ଅଙ୍କ ଥିବା ଦେଶଗୁଡିକୁ ‘ଅତି ଗମ୍ଭୀର ପରିସ୍ଥିତି’ ଶ୍ରେଣୀରେ ରଖା ଯାଇଥାଏ । ଏହି ତାଲିକାରେ ନରୱେ (୬.୭୨), ଫିନଲାଣ୍ଡ, ସ୍ୱିଡେନ ଓ ଡେନମାର୍କ ଭଳି ଦେଶଗୁଡିକ ଉତ୍ତମ ପ୍ରଦର୍ଶନ ସହ ଶୀର୍ଷରେ ଥିବା ବେଳେ ଏରିଟ୍ରିଆ (୮୧.୪୫), ଉତ୍ତର କୋରିଆ, ତୁର୍କମେନିସ୍ତାନ, ଚୀନ ପରି ଦେଶ ସବୁଠାରୁ ତଳେ ରହିଛନ୍ତି । ଉଦବେଗର ବିଷୟ ହେଉଛି ଯେ ସୂଚକାଙ୍କ ତାଲିକାରେ ଥିବା ୧୮୦ଟି ଦେଶ ମଧ୍ୟରେ ଏବର୍ଷ ଭାରତ ୪୬.୫୬ ଅଙ୍କ ସହ ୧୪୨ତମ ସ୍ଥାନରେ କଠିନ ପରିସ୍ଥିତି ଶ୍ରେଣୀରେ ରହିଛି । ପୂର୍ବ ବର୍ଷ ଭାରତ ସେହି ୧୪୨ତମ ସ୍ଥାନରେ ଥିଲେ ବି ଅଙ୍କ ଦୃଷ୍ଟିରୁ ୪୫.୩୩ ପାଇ ଅପେକ୍ଷାକୃତ ଭଲ ସ୍ଥିତିରେ ଥିଲା । ପଡୋଶୀ ଦେଶଙ୍କ ମଧ୍ୟରେ କେବଳ ପାକିସ୍ତାନ ଓ ବଙ୍ଗଳାଦେଶକୁ ବାଦ ଦେଲେ ଅନ୍ୟ ସବୁଦେଶଙ୍କ ପ୍ରଦର୍ଶନ ଭାରତ ତୁଳନାରେ ଭଲ । ଯେତେବେଳେ ୨୦୦୨ରେ ଏହି ସୂଚକାଙ୍କ ପ୍ରଥମେ ତିଆରି ହେଲା ସେତେବେଳେ ଭାରତ ତାଲିକାରେ ୮୦ତମ ସ୍ଥାନରେ ଥିଲା । ଏହି ୧୯ ବର୍ଷ ଭିତରେ କ୍ରମାଗତ ଭାବେ ତଳକୁ ଖସି ୬୨ଟି ସ୍ଥାନ ତଳକୁ ଖସିଯିବା ଭାରତୀୟ ଗଣମାଧ୍ୟମର ସ୍ୱାଧୀନତା ପ୍ରତି ଆଦୌ ଶୁଭଙ୍କର ନୁହେଁ ।
ଉପରୋକ୍ତ ସୂଚକାଙ୍କ ଅନୁସାରେ ୨୦୨୦ରେ ସାରା ବିଶ୍ୱରେ ୫୪ ଜଣ ସମ୍ୱାଦକର୍ମୀଙ୍କର ହତ୍ୟା ହୋଇଥିଲା ବେଳେ ସେଥିରୁ ସର୍ବାଧିକ ୪ ଜଣ ଭାରତର । ତେଣୁ ନିଜ କାମକୁ ଠିକ ରୂପେ ନିର୍ବାହ କରିବାକୁ ଚାହୁଁଥିବା ସାମ୍ୱାଦିକଙ୍କ ପାଇଁ ଭାରତ ବିଶ୍ୱର ଅନ୍ୟତମ ସବୁଠାରୁ ଭୟଙ୍କର ସ୍ଥାନ ରୂପେ ଅଭିହିତ କରାଯାଇଛି । ସେମାନେ ବିଭିନ୍ନ ଭାବରେ ଆକ୍ରମଣର ଶିକାର ହେଉଛନ୍ତି । କେତେବେଳେ ସାମ୍ୱାଦିକଙ୍କ ଉପରେ ପୁଲିସ ଆକ୍ରମଣ ହେଉଛି ତ କେତେବେଳେ ରାଜନୈତିକ କର୍ମୀଙ୍କ ଦ୍ୱାରା । ବେଳେବେଳେ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନେ ଆକ୍ରମଣ ଭିଆଉଥିବା ବେଳେ ସ୍ୱାର୍ଥ ବ୍ୟାଘାତ ହେଉଥିବା ଅପରାଧୀ ଗୋଷ୍ଠୀମାନେ ମଧ୍ୟ ଆକ୍ରମଣ କରିଥାଆନ୍ତି । ରିପୋର୍ଟରେ ପରିଷ୍କାର ଭାବେ ଲେଖା ହୋଇଛି, “୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟିର ବିପୁଳ ସଫଳତା ପରେ ହିନ୍ଦୁ ଜାତୀୟତାବାଦୀ ସରକାରଙ୍କ ରୀତିନୀତି ଅନୁସାରେ ଚାଲିବାକୁ ଗଣମାଧ୍ୟମ ଉପରେ ଚାପ ପଡିବାକୁ ଲାଗିଲା । ... ... ହିନ୍ଦୁତ୍ୱ ଅନୁଗାମୀଙ୍କୁ ବିରକ୍ତ ଲାଗିଲା ଭଳି ବିଷୟରେ କହିବାକୁ ବା ଲେଖିବାକୁ ସାହସ କରୁଥିବା ସାମ୍ୱାଦିକଙ୍କ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମରେ ଯୋଜନାବଦ୍ଧ ଢଙ୍ଗରେ ଅତି ଭୟଙ୍କର ଭାବେ ଘୃଣା ଅଭିଯାନ ଆରମ୍ଭ ହୋଇଯାଏ ଓ ସମ୍ପୃକ୍ତ ସାମ୍ୱାଦିକଙ୍କୁ ଫୋନ ଯୋଗେ ହତ୍ୟାର ଧମକ ମଧ୍ୟ ମିଳିଥାଏ । ଲକ୍ଷ୍ୟରେ ମହିଳା ଥିଲେ ଅଭିଯାନ ଆହୁରି ହିଂସକ ହୋଇ ଉଠେ । ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ୱାଦିକଙ୍କ ମୁହଁ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସେମାନଙ୍କ ବିରୁଦ୍ଧରେ ସିଆରପିସିର ଧାରା ୧୨୪(କ) ଅନ୍ତର୍ଗତ ‘ଦେଶଦ୍ରୋହ’ର ଧାରା ପ୍ରୟୋଗ କରାଯାଇଥାଏ ଯେଉଁଥିରେ ଆଜୀବନ କାରାଦଣ୍ଡର ପ୍ରାବଧାନ ରହିଛି ।”
‘ଏଡଲମ୍ୟାନ ଟ୍ରଷ୍ଟ ବାରୋମିଟର’ର ୨୦୨୧ ରିପୋର୍ଟ ଅନୁସାରେ ମିଛ ଓ ଅତିରଞ୍ଜିତ କଥା ଜାଣି ସୁଦ୍ଧା ଭାରତରେ ସାମ୍ୱାଦିକମାନେ ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥାଆନ୍ତି ବୋଲି ୭୩ ପ୍ରତିଶତ ଲୋକଙ୍କର ବିଶ୍ୱାସ, ବିଶ୍ୱ ସ୍ତରରେ ଯାହା ୫୯ ପ୍ରତିଶତ । ସେହିପରି ଭାରତରେ ଗଣମାଧ୍ୟମ ବସ୍ତୁନିଷ୍ଠ ଓ ନିରପେକ୍ଷ ନୁହେଁ ବୋଲି ୫୦ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି. ବିଶ୍ୱ ସ୍ତରରେ ଯାହା ୬୧ ପ୍ରତିଶତ । ଭାରତରେ ସମ୍ୱାଦ ଅନୁଷ୍ଠାନଗୁଡିକ ଲୋକଙ୍କୁ ସଠିକ ସୂଚନା ପରିବେଷଣ କରିବା ଅପେକ୍ଷା କୌଣସି ନିର୍ଦ୍ଦିଷ୍ଟ ମତାଦର୍ଶ ବା ରାଜନୈତିକ ଦଳର ସହାୟତା କରିବାକୁ ବେଶୀ ଆଗ୍ରହୀ ବୋଲି ୭୫ ପ୍ରତିଶତ ଲୋକଙ୍କର ବିଶ୍ୱାସ, ବିଶ୍ୱ ସ୍ତରରେ ଯାହା ୫୯ ପ୍ରତିଶତ । ଜାନୁଆରି ୨୦୨୦ରେ ଭାରତରେ ଗଣମାଧ୍ୟମର ବିଶ୍ୱସନୀୟତାକୁ ମିଳିଥିବା ୭୩ ଅଙ୍କରୁ ଜାନୁଆରି ୨୦୨୧ରେ ୪ ଅଙ୍କ ହ୍ରାସ ପାଇ ୬୯ରେ ପହଞ୍ଚିଛି । ଅବଶ୍ୟ ଅନ୍ୟ ଅନେକ ଦେଶ ତୁଳନାରେ ଭାରତର ଗଣମାଧ୍ୟମ ଏବେ ବି ତା’ର ବିଶ୍ୱନୀୟତା ବଜାଏ ରଖିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବାଣିଜ୍ୟିକ ଅନୁଷ୍ଠାନ, ସରକାର, ଅଣ-ସରକାରୀ ସଂଗଠନ ଓ ଗଣମାଧ୍ୟମ ଭଳି ୪ ପ୍ରକାର ଅନୁଷ୍ଠାନଙ୍କ ମଧ୍ୟରୁ ବାଣିଜ୍ୟିକ ଅନୁଷ୍ଠାନ ପ୍ରତି ଲୋକଙ୍କ ବିଶ୍ୱାସ ସର୍ବାଧିକ ୮୨ ଅଙ୍କ ଥିଲା ବେଳେ ଗଣମାଧ୍ୟମର ବିଶ୍ୱସନୀୟତା ସର୍ବନିମ୍ନ ୬୯, ଯାହା ଉଦବେଗଜନକ । ଗଣମାଧ୍ୟମର ମୁଣ୍ଡିଆଳ ଓ ପୁରୋଧାମାନଙ୍କୁ କ’ଣ ଗଣମାଧ୍ୟମ ବିଶ୍ୱସନୀୟତାର ଏହି ଦ୍ରୁତ ଅବକ୍ଷୟ ଚିନ୍ତିତ ଓ ବିବ୍ରତ କରେ ନାହିଁ ? ଯଦି କରେ, ତାକୁ ରୋକିବାକୁ କାହିଁକି ସେପରି ଆଖିଦୃଶିଆ ପଦକ୍ଷେପ ନିଆଯାଉଥିବା ଦୃଷ୍ଟିଗୋଚର ହୁଏ ନାହିଁ ?
ଗଣମାଧ୍ୟମର ସ୍ୱାଧୀନତା ଯେତେ ବେଶୀ ହ୍ରାସ ପାଉଥିବ ବା ଗଣମାଧ୍ୟମ ନିଜ ସ୍ୱାଧୀନତାକୁ ଶାସକ ହାତରେ ଯେତେ ଅଧିକ ଟେକି ଦେବାକୁ ବ୍ୟଗ୍ର ହେଉଥିବ, ସାଧାରଣ ଲୋକଙ୍କର ଗଣମାଧ୍ୟମ ଉପରୁ ସେତେ ବେଶୀ ଆସ୍ଥା ତୁଟି ତୁଟି ଯାଉଥିବ । ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା ବିପନ୍ନ ହେଲେ ତାହା ଗଣତନ୍ତ୍ର ପ୍ରତି ବିପଜ୍ଜନକ ହୋଇଥିବାରୁ ସେଥିପ୍ରତି ଲୋକମାନେ କେବଳ ସଜାଗ ରହିବା ଯଥେଷ୍ଟ ହେବ ନାହିଁ ବରଂ ଗଣମାଧ୍ୟମକୁ ବାଟକୁ ଆଣିବା କାର୍ୟ୍ୟ ବି ସେହିମାନଙ୍କୁ ହିଁ କରିବାକୁ ହେବ । ନିଜ ସ୍ୱାଧୀନତା ଓ ବିଶ୍ୱସନୀୟତା ହରାଇ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ କୁଣ୍ଠା ପ୍ରକାଶ କରୁ ନ ଥିବା ଗଣମାଧ୍ୟମ ପ୍ରତି ଜନସାଧାରଣ ଆନୁଗତ୍ୟ ପ୍ରଦର୍ଶନ କରିବା ଅର୍ଥ ନିଜ ଗୋଡରେ ନିଜେ କୁରାଢି ଚୋଟ ମାରିବା । ଅନ୍ୟ ପକ୍ଷରେ ଏକ ସ୍ୱାଧୀନ ଓ ନିରପେକ୍ଷ ଗଣମାଧ୍ୟମକୁ ମୁଣ୍ଡ ଟେକି ଠିଆ ହେବା ପାଇଁ ଯେଉଁ ପୃଷ୍ଠପୋଷକତା ଆବଶ୍ୟକ ତାହା କେବଳ ଜନତା ହିଁ ଦେଇପାରିଥାଆନ୍ତି, କାରଣ ବାସ୍ତବରେ ଜନତା ହିଁ ସର୍ବଶକ୍ତିମାନ, ଗଣମାଧ୍ୟମର ସ୍ଥିତି ଓ ପ୍ରଭାବ ବିସ୍ତାର ସବୁଥିରେ । ଜର୍ଜ ଅରୱେଲଙ୍କ ଅନୁସାରେ, “ଦୁଇ ଯୁକ୍ତ ଦୁଇ ଚାରି ବୋଲି କହିବାର ସ୍ୱାଧୀନତା ହିଁ ସ୍ୱାଧୀନତା । ତାହା ଯଦି ମିଳିଗଲା, ବାକି ସବୁ ଆପେ ଆପେ ମିଳିଯିବ ।“ ତେବେ ପ୍ରଶ୍ନ ହେଉଛି ଦୁଇ ଯୁକ୍ତ ଦୁଇ ଚାରି ବୋଲି ବେଧଡକ କହିବାର ସ୍ୱାଧୀନତା ଟିକକ ଏବେ ଗଣମାଧ୍ୟମର ଅଛି ତ ?
Published in Badakhabar Prasanga on October 25, 2021 and in Samadusti (November 16-30, 2021)
Comments
Post a Comment