Skip to main content

ଏଭେରେଷ୍ଟ ଶୃଙ୍ଗର ଆବିଷ୍କାର

ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟ ହିମାଳୟ ପର୍ବତଶ୍ରେଣୀରେ ଅବସ୍ଥିତ । ଏହାର ଉଚ୍ଚତା ୨୯,୦୦୦ ଫୁଟରୁ ଅଧିକ । ପ୍ରତ୍ୟେକ ପର୍ବତାରୋହୀର ସ୍ୱପ୍ନ ଥାଏ ଏଭେରେଷ୍ଟ ବିଜୟ । ଏହାର ଆହ୍ୱାନରେ ଅନେକ ପର୍ବତାରୋହୀ ଅଦମ୍ୟ ସାହସ ସହିତ ଛୁଟି ଆସିଛନ୍ତି ତା’ କୋଳକୁ । ୧୯୨୧ ମସିହାରେ ଆରମ୍ଭ ହୁଏ ପ୍ରଥମ ଏଭେରେଷ୍ଟ ଅଭିଯାନ । କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ପୃଥିବୀର ଏହି ଉଚ୍ଚତମ ଶୃଙ୍ଗଟି ଊନବିଂଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଲୋକଲୋଚନର ଅଢୁଆଳରେ ଥିଲା । ଏହାର ଆବିଷ୍କାର ଯେତିକି ବିସ୍ମୟକର ନାମକରଣ ମଧ୍ୟ ସେତିକି ଘଟଣାବହୁଳ ।

୧୮୨୩ ମସିହାର କଥା । ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ସମୟରେ ଲେଫନାଣ୍ଟ କର୍ଣ୍ଣେଲ ଭାଲେଣ୍ଟିନ ବ୍ଲାକର୍ ଭାରତର ପ୍ରଥମ ସର୍ଭେୟର ଜେନେରାଲ ରୂପେ ଦାୟିତ୍ୱ ଗ୍ରହଣ କଲେ । ସେ ପର୍ଯ୍ୟନ୍ତ ଭାରତ ବର୍ଷର ଏକ ସମ୍ପୂର୍ଣ୍ଣ ମାନଚିତ୍ର ତିଆରି ହୋଇ ନ ଥାଏ । ସେ ହିଁ ହେଉଛନ୍ତି ଭାରତବର୍ଷର ପ୍ରଥମ ସମ୍ପୂର୍ଣ୍ଣ ମାନଚିତ୍ରର ପ୍ରଣେତା । ୧୮୨୬ ମସିହାରେ ଏକ ଦ୍ୱନ୍ଦ୍ୱ ଯୁଦ୍ଧରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ।

ପରେ ପରେ ବ୍ଲାକରଙ୍କ ଶିଷ୍ୟ କର୍ଣ୍ଣେଲ ସାର୍ ଜର୍ଜ ଏଭେରେଷ୍ଟ ସର୍ଭେୟର ଜେନେରାଲ ଭାବେ ୧୮୩୦ ମସିହାରେ ନିଯୁକ୍ତି ପାଇଲେ । ତାଙ୍କ ତତ୍ତ୍ୱାବଧାନରେ ଭାରତବର୍ଷର ପ୍ରତ୍ୟେକ ସ୍ଥାନର ସମୁଦ୍ର ପତ୍ତନଠାରୁ ଉଚ୍ଚତା ନିରୂପଣ କାର୍ଯ୍ୟ ଆରମ୍ଭ ହେଲା । ସେହି କ୍ରମରେ ହିମାଳୟ ପର୍ବତଶ୍ରେଣୀରେ ଥିବା ବିଭିନ୍ନ ଶୃଙ୍ଗମାନଙ୍କ ଅବସ୍ଥିତି ନିରୂପଣ କରି ସେଗୁଡିକର ଉଚ୍ଚତା ନିର୍ଦ୍ଧାରଣ କରିବା ଭଳି କଠିନ କାର୍ଯ୍ୟରେ ଏଭେରେଷ୍ଟ ହାତ ଦେଲେ । ସେହି କାର୍ଯ୍ୟ କରିବା ଲାଗି ବର୍ତ୍ତମାନ ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସେତେବେଳେ ନ ଥିଲା । ତା’ ସାଙ୍ଗକୁ ଦୁର୍ଗମ ପାର୍ବତ୍ୟାଞ୍ଚଳ, ଭୀଷଣ ଥଣ୍ଡା ଏବଂ ହିଂସ୍ର ବନ୍ୟ ଜୀବଜନ୍ତୁଙ୍କ ଭୟ । ଏସବୁ ବାଧାବିଘ୍ନ ସତ୍ତ୍ୱେ ଥିଓଡୋଲାଇଟ ନାମକ ଏକ ଯନ୍ତ୍ର ସାହାଯ୍ୟରେ ଉଚ୍ଚତା ନିରୂପଣ କାର୍ଯ୍ୟ ଆଗେଇ ଚାଲିଲା । ଅନେକ ଗାଣିତିକ ତଥ୍ୟ ସଂଗୃହୀତ ହେଲା । ଫଳରେ ଉଚ୍ଚତା ଭିତ୍ତିରେ ଭାରତବର୍ଷର ଏକ ନିର୍ଭୁଲ ମାନଚିତ୍ର ପ୍ରସ୍ତୁତ ହୋଇପାରିଲା ।

୧୮୪୩ ମସିହାରେ ଅବସର ନେଲା ପରେ ଜର୍ଜ ଏଭେରେଷ୍ଟ ଇଂଲଣ୍ଡକୁ ଫେରିଗଲେ । ତାଙ୍କ ସ୍ଥାନରେ ଏଣ୍ଡ୍ରିଉ ସ୍କଟ ୱାଘଙ୍କୁ ସର୍ଭେୟର ଜେନେରାଲ ଭାବେ ନିଯୁକ୍ତି ମିଳିଲା । ୧୮୪୯ ମସିହାଠାରୁ ସଂଗୃହୀତ ତଥ୍ୟକୁ ଆଧାର କରି ହିମାଳୟ ପର୍ବତ ଶ୍ରେଣୀର ଶୃଙ୍ଗମାନଙ୍କର ପର୍ଯ୍ୟବେକ୍ଷଣ କାର୍ଯ୍ୟ ପୁଣି ଆଗେଇ ଚାଲିଲା । ବିଭିନ୍ନ ଶୃଙ୍ଗମାନଙ୍କ ମଧ୍ୟରୁ ଏକ ଅଜଣା ଶୃଙ୍ଗକୁ ୧୫ ନମ୍ୱର ଶୃଙ୍ଗ ବୋଲି ଚିହ୍ନିତ କରି ଏହାର ଅନୁଧ୍ୟାନ କରାଗଲା । ଏଥି ପୂର୍ବରୁ ଏହି ଶୃଙ୍ଗକୁ ପ୍ରଥମେ ‘ଗାମା’ ଓ ୧୮୪୭ ମସିହାରୁ ‘ପିକ୍ ବି’ ଭାବେ ଚିହ୍ନିତ କରାଯାଉଥିଲା । ପ୍ରାୟ ଦୁଇ ବର୍ଷ ଧରି ଏହି ଶୃଙ୍ଗଠାରୁ ୧୦୮ରୁ ୧୧୩ ମାଇଲ ଦୂରରେ ଥିବା ୬ଟି ଅଲଗା ଅଲଗା ସ୍ଥାନରୁ ଏହାର ପର୍ଯ୍ୟବେକ୍ଷଣ କରାଯାଇ ତଥ୍ୟ ସଂଗୃହୀତ ହେଲା ।

ଏହିପରି ବିଭିନ୍ନ ଶୃଙ୍ଗର ଉଚ୍ଚତା ସମ୍ପର୍କୀୟ ତଥ୍ୟ ସଂଗୃହୀତ ହୋଇ କଲିକତାସ୍ଥିତ ଭାରତୀୟ ସର୍ଭେ ବିଭାଗର କାର୍ଯ୍ୟାଳୟକୁ ଆସୁଥାଏ । ସେଠାରେ ରାଧାନାଥ ସିକଦାର ନାମକ ଜଣେ ଭାରତୀୟ ମୁଖ୍ୟଗଣକ ଭାବେ କାର୍ଯ୍ୟ କରୁଥାଆନ୍ତି । ଶୃଙ୍ଗଗୁଡିକ ସମ୍ପର୍କରେ ଆସୁଥିବା ତଥ୍ୟକୁ ବିଶ୍ଳେଷଣ କରି ଉଚ୍ଚତା ନିରୂପଣ କରିବା ଥିଲା ତାଙ୍କର କାମ । ୧୮୫୨ ମସିହା କଥା । ଦିନେ ଏହିପରି ତଥ୍ୟ ବିଶ୍ଳେଷଣ କରୁ କରୁ ହଠାତ୍ ନାଚି ଉଠିଲେ ରାଧାନାଥ । ଧାଇଁଗଲେ ଏଣ୍ଡ୍ରିଉଙ୍କ ଅଫିସ ଭିତରକୁ । “ସାର୍, ସାର୍ ମୁଁ ପୃଥିବୀର ଉଚ୍ଚତମ ଶୃଙ୍ଗଟିକୁ ଆବିଷ୍କାର କରିଛି ।” ରାଧାନାଥ ଅଣନିଃଶ୍ୱାସୀ ହୋଇ କହି ପକାଇଲେ । ସେ ପର୍ଯ୍ୟନ୍ତ କାଞ୍ଚନଜଙ୍ଘା ଶୃଙ୍ଗଟିକୁ ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଭାବେ ଗ୍ରହଣ କରାଯାଉଥିଲା । ସତକୁ ସତ ସେହି ସର୍ବୋଚ୍ଚ ଶୃଙ୍ଗଟି ଅନ୍ୟ କେଉଁ ନାମୀ ଶୃଙ୍ଗ ନ ଥିଲା, ଥିଲା ସେହି ଅଜଣା ୧୫ ନମ୍ୱର ଶୃଙ୍ଗ । ୱାଘ ଶୃଙ୍ଗଟିର ନିକଟରୁ ନିରୀକ୍ଷଣ କରିଥିବା ବେଳେ ରାଧାନାଥ କାର୍ଯ୍ୟାଳୟରେ ଉପଲବ୍ଧ ତଥ୍ୟ ଆଧାରରେ ଏହାର ଉଚ୍ଚତା ନିର୍ଦ୍ଧାରଣ କରିଥିଲେ । ଜର୍ଜ ଏଭେରେଷ୍ଟ ଆରମ୍ଭ କରିଥିବା ଟ୍ରାଏଙ୍ଗୁଲେସନ କାର୍ଯ୍ୟଦ୍ୱାରା ହିଁ ଏହି ଶୃଙ୍ଗର ଆବିଷ୍କାର ସମ୍ଭବ ହୋଇଥିବାରୁ ଓ ଏହାର କୌଣସି ସ୍ଥାନୀୟ ନାମ ନ ଥିବାରୁ ଏହାର ନାମ ‘ଏଭେରେଷ୍ଟ ଶୃଙ୍ଗ’ ରଖିବା ଲାଗି ୱାଘ ୧୮୫୬ ମସିହାରେ ରୟାଲ ଜିଓଗ୍ରାଫିକ ସୋସାଇଟିଙ୍କ ନିକଟକୁ ପତ୍ର ଲେଖିଲେ ।

କିନ୍ତୁ କଥା ସେତିକିରେ ସରିଲା ନାହିଁ । ଦେଖାଗଲା ଯେ ଭାରତ ଓ ଭାରତ ବାହାରେ ଅନେକେ ଏହାକୁ ଗୌରୀଶଙ୍କର ଭାବେ ଚିହ୍ନିତ କରୁଛନ୍ତି । ଏଭେରେଷ୍ଟ ନାମକରଣ ଦ୍ୱାରା ସେମାନେ ସନ୍ତୁଷ୍ଟ ନୁହନ୍ତି । ତେଣେ ଶୃଙ୍ଗଟିର ଆବିଷ୍କାର ସହ ଏଭେରେଷ୍ଟଙ୍କର କୌଣସି ସିଧାସଳଖ ସମ୍ପର୍କ ନ ଥିବାରୁ ତାହା ତାଙ୍କ ନାମରେ ହେବା ସପକ୍ଷରେ ବି ଏଭେରେଷ୍ଟ ନ ଥିଲେ । ଶେଷରେ କ୍ୟାପଟେନ ଉଡଙ୍କୁ ନେପାଳ ପଠାଗଲା । ଜାଣିବା ପାଇଁ ଅନ୍ତତଃ ନେପାଳରେ ଏହାର କୌଣସି ସ୍ଥାନୀୟ ନାମ ଅଛି କି ନାହିଁ । ଆଶ୍ଚର୍ଯ୍ୟର କଥା ଯେ ନାମ ତ ଦୂରର କଥା, ଏ ଶୃଙ୍ଗ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଅବଗତ ନ ଥିଲେ । ଗୌରୀଶଙ୍କର ଶୃଙ୍ଗଟି ଏଭେରେଷ୍ଟ ଶୃଙ୍ଗଠାରୁ ପ୍ରାୟ ଶହେ ମାଇଲ ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୨୩,୪୪୦ ଫୁଟ ହୋଇଥିଲେ ମଧ୍ୟ ଅପେକ୍ଷାକୃତ ପାଖରେ ଥିବାରୁ ଏହା ଏଭେରେଷ୍ଟଠାରୁ ଉଚ୍ଚ ଦେଖାଯାଉଥିଲା । ଏହାପରେ କର୍ଣ୍ଣେଲ ବରାର୍ଡଙ୍କ ଦସ୍ତଖତରେ ଏକ ବିଧିବଦ୍ଧ ରାଜକୀୟ ଘୋଷଣାନାମା ମାଧ୍ୟମରେ ସମସ୍ତ ବିଦେଶୀ ରାଷ୍ଟ୍ରଙ୍କୁ ଜଣାଇ ଦିଆଗଲା ଯେ ୧୫ ନମ୍ୱର ଶୃଙ୍ଗର ନାମ ‘ମାଉଣ୍ଟ ଏଭେରେଷ୍ଟ’, ‘ଗୌରୀଶଙ୍କର’ ନୁହେଁ । ଶେଷରେ ରୟାଲ ଜିଓଗ୍ରାଫିକାଲ ସୋସାଇଟି ଦ୍ୱାରା ୧୮୬୫ ମସିହାରେ ଆଧିକାରିକ ଭାବେ ଏହାର ନାମ ‘ମାଉଣ୍ଟ ଏଭେରେଷ୍ଟ’ ବୋଲି ଘୋଷଣା କରାଗଲା । ଏହିପରି ଭୂଗୋଳବିଦଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ଭ୍ରମ ଦୂର ହୋଇଥିଲା । ଠିକ୍ ବର୍ଷକ ପରେ ୧୮୬୬ ମସିହାରେ ଏଭେରେଷ୍ଟଙ୍କର ଦେହାନ୍ତ ହୋଇଥିଲା ।

ଅନେକ ଏଭେରେଷ୍ଟ ବିଜୟୀ ଅକୁଣ୍ଠରେ ସ୍ୱୀକାର କରନ୍ତି ଯେ ଏଭେରେଷ୍ଟ ସଦୟ ନ ହେଲେ ଏହାର ଆରୋହଣ ଅସମ୍ଭବ । ବ୍ରିଟିଶ ପର୍ବତାରୋହୀ ଫ୍ରାଙ୍କ ସ୍ମିଥଙ୍କ ଭାଷାରେ, “ଶକ୍ତି ଓ କୌଶଳ ଦ୍ୱାରା ଅନ୍ୟାନ୍ୟ ପର୍ବତ ଆରୋହଣ କରାଯାଇପାରେ । ହେଲେ ଏଭେରେଷ୍ଟର ଆରୋହଣ କେବଳ ଶରୀରର ଦୁଃସାହସିକ ଅଭିଯାନ ନୁହେଁ ଆତ୍ମାର ଏକ ଧାର୍ମିକ ଯାତ୍ରା ମଧ୍ୟ ।“


( Published in Julu 1994 issue of Sisulekha)


Comments

Post a Comment

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...