ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟ ହିମାଳୟ ପର୍ବତଶ୍ରେଣୀରେ ଅବସ୍ଥିତ । ଏହାର ଉଚ୍ଚତା ୨୯,୦୦୦ ଫୁଟରୁ ଅଧିକ । ପ୍ରତ୍ୟେକ ପର୍ବତାରୋହୀର ସ୍ୱପ୍ନ ଥାଏ ଏଭେରେଷ୍ଟ ବିଜୟ । ଏହାର ଆହ୍ୱାନରେ ଅନେକ ପର୍ବତାରୋହୀ ଅଦମ୍ୟ ସାହସ ସହିତ ଛୁଟି ଆସିଛନ୍ତି ତା’ କୋଳକୁ । ୧୯୨୧ ମସିହାରେ ଆରମ୍ଭ ହୁଏ ପ୍ରଥମ ଏଭେରେଷ୍ଟ ଅଭିଯାନ । କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ପୃଥିବୀର ଏହି ଉଚ୍ଚତମ ଶୃଙ୍ଗଟି ଊନବିଂଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଲୋକଲୋଚନର ଅଢୁଆଳରେ ଥିଲା । ଏହାର ଆବିଷ୍କାର ଯେତିକି ବିସ୍ମୟକର ନାମକରଣ ମଧ୍ୟ ସେତିକି ଘଟଣାବହୁଳ ।
୧୮୨୩ ମସିହାର କଥା । ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ସମୟରେ ଲେଫନାଣ୍ଟ କର୍ଣ୍ଣେଲ ଭାଲେଣ୍ଟିନ ବ୍ଲାକର୍ ଭାରତର ପ୍ରଥମ ସର୍ଭେୟର ଜେନେରାଲ ରୂପେ ଦାୟିତ୍ୱ ଗ୍ରହଣ କଲେ । ସେ ପର୍ଯ୍ୟନ୍ତ ଭାରତ ବର୍ଷର ଏକ ସମ୍ପୂର୍ଣ୍ଣ ମାନଚିତ୍ର ତିଆରି ହୋଇ ନ ଥାଏ । ସେ ହିଁ ହେଉଛନ୍ତି ଭାରତବର୍ଷର ପ୍ରଥମ ସମ୍ପୂର୍ଣ୍ଣ ମାନଚିତ୍ରର ପ୍ରଣେତା । ୧୮୨୬ ମସିହାରେ ଏକ ଦ୍ୱନ୍ଦ୍ୱ ଯୁଦ୍ଧରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ।
ପରେ ପରେ ବ୍ଲାକରଙ୍କ ଶିଷ୍ୟ କର୍ଣ୍ଣେଲ ସାର୍ ଜର୍ଜ ଏଭେରେଷ୍ଟ ସର୍ଭେୟର ଜେନେରାଲ ଭାବେ ୧୮୩୦ ମସିହାରେ ନିଯୁକ୍ତି ପାଇଲେ । ତାଙ୍କ ତତ୍ତ୍ୱାବଧାନରେ ଭାରତବର୍ଷର ପ୍ରତ୍ୟେକ ସ୍ଥାନର ସମୁଦ୍ର ପତ୍ତନଠାରୁ ଉଚ୍ଚତା ନିରୂପଣ କାର୍ଯ୍ୟ ଆରମ୍ଭ ହେଲା । ସେହି କ୍ରମରେ ହିମାଳୟ ପର୍ବତଶ୍ରେଣୀରେ ଥିବା ବିଭିନ୍ନ ଶୃଙ୍ଗମାନଙ୍କ ଅବସ୍ଥିତି ନିରୂପଣ କରି ସେଗୁଡିକର ଉଚ୍ଚତା ନିର୍ଦ୍ଧାରଣ କରିବା ଭଳି କଠିନ କାର୍ଯ୍ୟରେ ଏଭେରେଷ୍ଟ ହାତ ଦେଲେ । ସେହି କାର୍ଯ୍ୟ କରିବା ଲାଗି ବର୍ତ୍ତମାନ ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସେତେବେଳେ ନ ଥିଲା । ତା’ ସାଙ୍ଗକୁ ଦୁର୍ଗମ ପାର୍ବତ୍ୟାଞ୍ଚଳ, ଭୀଷଣ ଥଣ୍ଡା ଏବଂ ହିଂସ୍ର ବନ୍ୟ ଜୀବଜନ୍ତୁଙ୍କ ଭୟ । ଏସବୁ ବାଧାବିଘ୍ନ ସତ୍ତ୍ୱେ ଥିଓଡୋଲାଇଟ ନାମକ ଏକ ଯନ୍ତ୍ର ସାହାଯ୍ୟରେ ଉଚ୍ଚତା ନିରୂପଣ କାର୍ଯ୍ୟ ଆଗେଇ ଚାଲିଲା । ଅନେକ ଗାଣିତିକ ତଥ୍ୟ ସଂଗୃହୀତ ହେଲା । ଫଳରେ ଉଚ୍ଚତା ଭିତ୍ତିରେ ଭାରତବର୍ଷର ଏକ ନିର୍ଭୁଲ ମାନଚିତ୍ର ପ୍ରସ୍ତୁତ ହୋଇପାରିଲା ।
୧୮୪୩ ମସିହାରେ ଅବସର ନେଲା ପରେ ଜର୍ଜ ଏଭେରେଷ୍ଟ ଇଂଲଣ୍ଡକୁ ଫେରିଗଲେ । ତାଙ୍କ ସ୍ଥାନରେ ଏଣ୍ଡ୍ରିଉ ସ୍କଟ ୱାଘଙ୍କୁ ସର୍ଭେୟର ଜେନେରାଲ ଭାବେ ନିଯୁକ୍ତି ମିଳିଲା । ୧୮୪୯ ମସିହାଠାରୁ ସଂଗୃହୀତ ତଥ୍ୟକୁ ଆଧାର କରି ହିମାଳୟ ପର୍ବତ ଶ୍ରେଣୀର ଶୃଙ୍ଗମାନଙ୍କର ପର୍ଯ୍ୟବେକ୍ଷଣ କାର୍ଯ୍ୟ ପୁଣି ଆଗେଇ ଚାଲିଲା । ବିଭିନ୍ନ ଶୃଙ୍ଗମାନଙ୍କ ମଧ୍ୟରୁ ଏକ ଅଜଣା ଶୃଙ୍ଗକୁ ୧୫ ନମ୍ୱର ଶୃଙ୍ଗ ବୋଲି ଚିହ୍ନିତ କରି ଏହାର ଅନୁଧ୍ୟାନ କରାଗଲା । ଏଥି ପୂର୍ବରୁ ଏହି ଶୃଙ୍ଗକୁ ପ୍ରଥମେ ‘ଗାମା’ ଓ ୧୮୪୭ ମସିହାରୁ ‘ପିକ୍ ବି’ ଭାବେ ଚିହ୍ନିତ କରାଯାଉଥିଲା । ପ୍ରାୟ ଦୁଇ ବର୍ଷ ଧରି ଏହି ଶୃଙ୍ଗଠାରୁ ୧୦୮ରୁ ୧୧୩ ମାଇଲ ଦୂରରେ ଥିବା ୬ଟି ଅଲଗା ଅଲଗା ସ୍ଥାନରୁ ଏହାର ପର୍ଯ୍ୟବେକ୍ଷଣ କରାଯାଇ ତଥ୍ୟ ସଂଗୃହୀତ ହେଲା ।
ଏହିପରି ବିଭିନ୍ନ ଶୃଙ୍ଗର ଉଚ୍ଚତା ସମ୍ପର୍କୀୟ ତଥ୍ୟ ସଂଗୃହୀତ ହୋଇ କଲିକତାସ୍ଥିତ ଭାରତୀୟ ସର୍ଭେ ବିଭାଗର କାର୍ଯ୍ୟାଳୟକୁ ଆସୁଥାଏ । ସେଠାରେ ରାଧାନାଥ ସିକଦାର ନାମକ ଜଣେ ଭାରତୀୟ ମୁଖ୍ୟଗଣକ ଭାବେ କାର୍ଯ୍ୟ କରୁଥାଆନ୍ତି । ଶୃଙ୍ଗଗୁଡିକ ସମ୍ପର୍କରେ ଆସୁଥିବା ତଥ୍ୟକୁ ବିଶ୍ଳେଷଣ କରି ଉଚ୍ଚତା ନିରୂପଣ କରିବା ଥିଲା ତାଙ୍କର କାମ । ୧୮୫୨ ମସିହା କଥା । ଦିନେ ଏହିପରି ତଥ୍ୟ ବିଶ୍ଳେଷଣ କରୁ କରୁ ହଠାତ୍ ନାଚି ଉଠିଲେ ରାଧାନାଥ । ଧାଇଁଗଲେ ଏଣ୍ଡ୍ରିଉଙ୍କ ଅଫିସ ଭିତରକୁ । “ସାର୍, ସାର୍ ମୁଁ ପୃଥିବୀର ଉଚ୍ଚତମ ଶୃଙ୍ଗଟିକୁ ଆବିଷ୍କାର କରିଛି ।” ରାଧାନାଥ ଅଣନିଃଶ୍ୱାସୀ ହୋଇ କହି ପକାଇଲେ । ସେ ପର୍ଯ୍ୟନ୍ତ କାଞ୍ଚନଜଙ୍ଘା ଶୃଙ୍ଗଟିକୁ ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଭାବେ ଗ୍ରହଣ କରାଯାଉଥିଲା । ସତକୁ ସତ ସେହି ସର୍ବୋଚ୍ଚ ଶୃଙ୍ଗଟି ଅନ୍ୟ କେଉଁ ନାମୀ ଶୃଙ୍ଗ ନ ଥିଲା, ଥିଲା ସେହି ଅଜଣା ୧୫ ନମ୍ୱର ଶୃଙ୍ଗ । ୱାଘ ଶୃଙ୍ଗଟିର ନିକଟରୁ ନିରୀକ୍ଷଣ କରିଥିବା ବେଳେ ରାଧାନାଥ କାର୍ଯ୍ୟାଳୟରେ ଉପଲବ୍ଧ ତଥ୍ୟ ଆଧାରରେ ଏହାର ଉଚ୍ଚତା ନିର୍ଦ୍ଧାରଣ କରିଥିଲେ । ଜର୍ଜ ଏଭେରେଷ୍ଟ ଆରମ୍ଭ କରିଥିବା ଟ୍ରାଏଙ୍ଗୁଲେସନ କାର୍ଯ୍ୟଦ୍ୱାରା ହିଁ ଏହି ଶୃଙ୍ଗର ଆବିଷ୍କାର ସମ୍ଭବ ହୋଇଥିବାରୁ ଓ ଏହାର କୌଣସି ସ୍ଥାନୀୟ ନାମ ନ ଥିବାରୁ ଏହାର ନାମ ‘ଏଭେରେଷ୍ଟ ଶୃଙ୍ଗ’ ରଖିବା ଲାଗି ୱାଘ ୧୮୫୬ ମସିହାରେ ରୟାଲ ଜିଓଗ୍ରାଫିକ ସୋସାଇଟିଙ୍କ ନିକଟକୁ ପତ୍ର ଲେଖିଲେ ।
କିନ୍ତୁ କଥା ସେତିକିରେ ସରିଲା ନାହିଁ । ଦେଖାଗଲା ଯେ ଭାରତ ଓ ଭାରତ ବାହାରେ ଅନେକେ ଏହାକୁ ଗୌରୀଶଙ୍କର ଭାବେ ଚିହ୍ନିତ କରୁଛନ୍ତି । ଏଭେରେଷ୍ଟ ନାମକରଣ ଦ୍ୱାରା ସେମାନେ ସନ୍ତୁଷ୍ଟ ନୁହନ୍ତି । ତେଣେ ଶୃଙ୍ଗଟିର ଆବିଷ୍କାର ସହ ଏଭେରେଷ୍ଟଙ୍କର କୌଣସି ସିଧାସଳଖ ସମ୍ପର୍କ ନ ଥିବାରୁ ତାହା ତାଙ୍କ ନାମରେ ହେବା ସପକ୍ଷରେ ବି ଏଭେରେଷ୍ଟ ନ ଥିଲେ । ଶେଷରେ କ୍ୟାପଟେନ ଉଡଙ୍କୁ ନେପାଳ ପଠାଗଲା । ଜାଣିବା ପାଇଁ ଅନ୍ତତଃ ନେପାଳରେ ଏହାର କୌଣସି ସ୍ଥାନୀୟ ନାମ ଅଛି କି ନାହିଁ । ଆଶ୍ଚର୍ଯ୍ୟର କଥା ଯେ ନାମ ତ ଦୂରର କଥା, ଏ ଶୃଙ୍ଗ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଅବଗତ ନ ଥିଲେ । ଗୌରୀଶଙ୍କର ଶୃଙ୍ଗଟି ଏଭେରେଷ୍ଟ ଶୃଙ୍ଗଠାରୁ ପ୍ରାୟ ଶହେ ମାଇଲ ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୨୩,୪୪୦ ଫୁଟ ହୋଇଥିଲେ ମଧ୍ୟ ଅପେକ୍ଷାକୃତ ପାଖରେ ଥିବାରୁ ଏହା ଏଭେରେଷ୍ଟଠାରୁ ଉଚ୍ଚ ଦେଖାଯାଉଥିଲା । ଏହାପରେ କର୍ଣ୍ଣେଲ ବରାର୍ଡଙ୍କ ଦସ୍ତଖତରେ ଏକ ବିଧିବଦ୍ଧ ରାଜକୀୟ ଘୋଷଣାନାମା ମାଧ୍ୟମରେ ସମସ୍ତ ବିଦେଶୀ ରାଷ୍ଟ୍ରଙ୍କୁ ଜଣାଇ ଦିଆଗଲା ଯେ ୧୫ ନମ୍ୱର ଶୃଙ୍ଗର ନାମ ‘ମାଉଣ୍ଟ ଏଭେରେଷ୍ଟ’, ‘ଗୌରୀଶଙ୍କର’ ନୁହେଁ । ଶେଷରେ ରୟାଲ ଜିଓଗ୍ରାଫିକାଲ ସୋସାଇଟି ଦ୍ୱାରା ୧୮୬୫ ମସିହାରେ ଆଧିକାରିକ ଭାବେ ଏହାର ନାମ ‘ମାଉଣ୍ଟ ଏଭେରେଷ୍ଟ’ ବୋଲି ଘୋଷଣା କରାଗଲା । ଏହିପରି ଭୂଗୋଳବିଦଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ଭ୍ରମ ଦୂର ହୋଇଥିଲା । ଠିକ୍ ବର୍ଷକ ପରେ ୧୮୬୬ ମସିହାରେ ଏଭେରେଷ୍ଟଙ୍କର ଦେହାନ୍ତ ହୋଇଥିଲା ।
ଅନେକ ଏଭେରେଷ୍ଟ ବିଜୟୀ ଅକୁଣ୍ଠରେ ସ୍ୱୀକାର କରନ୍ତି ଯେ ଏଭେରେଷ୍ଟ ସଦୟ ନ ହେଲେ ଏହାର ଆରୋହଣ ଅସମ୍ଭବ । ବ୍ରିଟିଶ ପର୍ବତାରୋହୀ ଫ୍ରାଙ୍କ ସ୍ମିଥଙ୍କ ଭାଷାରେ, “ଶକ୍ତି ଓ କୌଶଳ ଦ୍ୱାରା ଅନ୍ୟାନ୍ୟ ପର୍ବତ ଆରୋହଣ କରାଯାଇପାରେ । ହେଲେ ଏଭେରେଷ୍ଟର ଆରୋହଣ କେବଳ ଶରୀରର ଦୁଃସାହସିକ ଅଭିଯାନ ନୁହେଁ ଆତ୍ମାର ଏକ ଧାର୍ମିକ ଯାତ୍ରା ମଧ୍ୟ ।“
( Published in Julu 1994 issue of Sisulekha)
Very informative. I was also one of the avid readers of Shishulekha.
ReplyDeleteThanks.
Delete