Skip to main content

ସରକାରୀ ଭାବେ ଯେଉଁମାନେ କୋଭିଡରେ ମରିନାହାନ୍ତି !

କିଛି ମୃତ୍ୟୁର କାରଣ ମୃତ ବ୍ୟକ୍ତିଙ୍କ ପରିବାକୁ ଅସହଜ କରି ଦେଉଥିଲା ବେଳେ ଆଉ କିଛି ମୃତ୍ୟୁର କାରଣ ସରକାରଙ୍କୁ ଅସହଜ କରି ଦେଇଥାଏ । କାରଣ ସେଭଳି ମୃତ୍ୟୁସଂଖ୍ୟା ଅଧିକ ହେଲେ ତାହା ସରକାରଙ୍କ ପାରିବାପଣକୁ ଆଙ୍ଗୁଠି ଦେଖାଇବା ସହ ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥାଏ । ମାତ୍ର କୋଭିଡଜନିତ ମୃତ୍ୟୁ ପରିବାର, ସମାଜ ଓ ସରକାର ସମସ୍ତଙ୍କୁ ଯେମିତି ଭିନ୍ନ ଭିନ୍ନ ସ୍ତରରେ ଅସହଜ କରି ପକାଇଛି । କୋଭିଡରେ ମରିଥିବା ଲୋକଙ୍କ ତଥ୍ୟ ସାମନାକୁ ଆସିଗଲେ କାଳେ ତାହା ସରକାରଗୁଡିକର କୋଭିଡ ମହାମାରୀ ମୁକାବିଲାରେ ବିଫଳତାକୁ ପଦାରେ ପକାଇ ଦେବ, ଆତଙ୍କ ସୃଷ୍ଟି କରି ଦେଶର ଅର୍ଥନୀତି ପ୍ରତି କ୍ଷତି ପହଞ୍ଚାଇବ, ସେଥିପାଇଁ ବିଶ୍ୱର ଅନେକ ଦେଶରେ କୋଭିଡଜନିତ ବାସ୍ତବ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବାର ଖବରମାନ ଏବେ ସାମନାକୁ ଆସୁଛି । ତେଣୁ କୋଭିଡ-୧୯ରେ କେଉଁ ଦେଶରେ କେତେ ଜଣ ଲୋକ ମଲେ ପ୍ରଶ୍ନରେ ଯେଉଁ ଉତ୍ତର ମିଳୁଛି ତାହା ଅନେକ କ୍ଷେତ୍ରରେ ସତ୍ୟଠାରୁ ବହୁ ଦୂରରେ ବୋଲି ଜଣା ପଡିଛି । ସରକାରୀ ଭାବେ ଦର୍ଶା ଯାଉଥିବା କୋଭିଡ ମୃତ୍ୟୁସଂଖ୍ୟାଠାରୁ ବିଭିନ୍ନ ଦେଶରେ କୋଭିଡଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଲଣ୍ଡନର ଇକୋନୋମିଷ୍ଟ ସଂସ୍ଥାର ଅଧ୍ୟୟନରୁ ଜଣାପଡୁଥିବାରୁ ତାହା ମହାମାରୀର ପ୍ରକୃତ ପ୍ରକୋପକୁ ବୁଝିବାରେ ସହାୟକ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ‘କୋଭିଡ-୧୯ରେ ମୃତ୍ୟୁ’ର ସଂଜ୍ଞା ହେଉଛି “ଡାକ୍ତରୀ ପରୀକ୍ଷାରେ କୋଭିଡ-୧୯ର ସମ୍ଭାବ୍ୟ ବା ନିଶ୍ଚିତ ଲକ୍ଷଣ ଥାଇ ହୋଇଥିବା ମୃତ୍ୟୁ, କେବଳ ଯଦି କୋଭିଡ-୧୯ ରୋଗ ସହ ଅସମ୍ପୃକ୍ତ (ଉଦାହରଣ ; ମାନସିକ ଆଘାତ) କାରଣ ଭଳି ମୃତ୍ୟୁର ଏକ ସ୍ପଷ୍ଟ ବିକଳ୍ପ କାରଣରୁ ହୋଇ ନ ଥାଏ ।“ ଏହାର ଅର୍ଥ ମୃତ୍ୟୁ ପୂର୍ବରୁ ସମ୍ପୃକ୍ତ ମୃତ ବ୍ୟକ୍ତି କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲେ ବୋଲି ନିର୍ଦ୍ଧାରିତ ଡାକ୍ତରୀ ପରୀକ୍ଷାରେ ଜଣା ପଡିଥିବା ଆବଶ୍ୟକ । ଏମିତି ହୋଇପାରେ ଯେ କୋଭିଡ-୧୯ରେ ଆକ୍ରାନ୍ତ ବ୍ୟକ୍ତିଟିର କୌଣସି ଡାକ୍ତରୀ ପରୀକ୍ଷା ନ ହୋଇ ବି ସେ ମୃତ୍ୟୁବରଣ କରିଥାଇ ପାରେ । ସରକାରୀ ହିସାବରେ ସେଭଳି ମୃତ୍ୟୁକୁ କୋଭିଡ-୧୯ ମୃତ୍ୟୁ ଭାବେ ଗ୍ରହଣ କରାଯାଇ ନ ଥାଏ । ଅନ୍ୟ ପକ୍ଷରେ କୋଭିଡ-୧୯ ଲକ୍ଷଣଯୁକ୍ତ ଚିହ୍ନିତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ଅନ୍ୟ ଭୟଙ୍କର ରୋଗ ଦ୍ୱାରା (କୋମର୍ବିଡିଟି) ଏକ ସଙ୍ଗେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କର ହୁଏତ ସେହି ସମୟ ମଧ୍ୟରେ ମୃତ୍ୟୁର ଆଶଙ୍କା ଅଧିକ ଥିଲା । ତେଣୁ ସେମାନଙ୍କ ମୃତ୍ୟୁକୁ କୋଭିଡ-୧୯ ମୃତ୍ୟୁରେ ଗଣାଯିବା ଠିକ କି ଭୁଲ । ସେହିପରି ଏମିତି ବି ଲୋକଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କୁ ସହଜରେ ବଞ୍ଚାଯାଇ ପାରିଥାଆନ୍ତା । ହେଲେ ମହାମାରୀ ସମୟରେ ଅତ୍ୟଧିକ ଚାପରେ ଡାକ୍ତରଖାନାଗୁଡିକରେ ଶଯ୍ୟାର ଅଭାବ ଯୋଗୁ ହେଉ ଅଥବା ଉପଯୁକ୍ତ ଉପଚାର ଯୋଗାଇ ଦେବା ଲାଗି ସେମାନଙ୍କ ଅସମର୍ଥତା କାରଣରୁ ହେଉ, ଆବଶ୍ୟକ ଡାକ୍ତରୀ ସେବା ଅଭାବରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେଣୁ ମୃତ୍ୟୁର କାରଣ ଖୋଜି ବସିଲେ ସେଥିରୁ କେବଳ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ଅଲଗା କରି ପାଇବା ସହଜ ହୋଇ ନ ପାରେ । ଏହି ସମସ୍ୟାର ସମାଧାନ କରି କୋଭିଡ-୧୯ ମୃତ୍ୟୁର ସଠିକତାର ନିକଟତର ହେବା ପାଇଁ ‘ଇକୋନୋମିଷ୍ଟ’ ସଂସ୍ଥା ତରଫରୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯେ କୌଣସି କାରଣରୁ ହୋଇଥିବା ସବୁ ମୃତ୍ୟୁକୁ ହିସାବକୁ ନେଲା ପରେ ସାଧାରଣ ସମୟରେ ସେଠାରେ ହେଉଥିବା ମୃତ୍ୟୁସଂଖ୍ୟାକୁ ସେଥିରୁ ବାଦ ଦେଇ ଅବଶିଷ୍ଟ ମୃତ୍ୟୁସଂଖ୍ୟା ବାହାର କରାଯାଇଥାଏ । ସାଧାରଣ ସମୟଠାରୁ ହୋଇଥିବା ଏହି ଅଧିକ ମୃତ୍ୟୁକୁ ‘ଏକସେସ ଡେଥ୍’ ବୋଲି ଅଭିହିତ କରାଯାଇ ତାହା କୋଭିଡ-୧୯ ଜନିତ ମୃତ୍ୟୁ ବୋଲି କୁହାଯାଉଛି । କୌଣସି ପ୍ରାକୃତିକ ଦୁର୍ବିପାକ, ରୋଗ ବା ମହାମାରୀ ସମୟରେ ହେଉଥିବା ‘ଏକସେସ ଡେଥ’କୁ ସେହି ଦୁର୍ବିପାକ ବା ମହାମାରୀ ଜନିତ ବୋଲି ଗ୍ରହଣ କରା ଯାଇଥାଏ । ଏହି ପଦ୍ଧତିରେ କୋଭିଡ-୧୯ ମୃତ୍ୟୁସଂଖ୍ୟା ନିରୂପଣ ଅଧିକ ବିଜ୍ଞାନ ସମ୍ମତ ଓ ସଠିକ ବୋଲି ମନେହୁଏ । ଏହାକୁ ଅଧିକ ବିଜ୍ଞାନସମ୍ମତ କରିବା ପାଇଁ ବିଶ୍ୱର କୋଟିଏରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୫୬ଟି ଦେଶ ମଧ୍ୟରୁ ୮୪ଟି ଦେଶର ମୃତ୍ୟୁ ସଂକ୍ରାନ୍ତୀୟ ତଥ୍ୟକୁ ଆଧାର କରି ଉପରୋକ୍ତ ସଂସ୍ଥା ଏକ ‘ମ୍ୟାସିନ-ଲାର୍ଣ୍ଣିଙ୍ଗ ମଡେଲ’ର ବିକାଶ କରିଛି, ଯେଉଁଥିରେ ପ୍ରତିଟି ଦେଶର ପ୍ରତି ଦିନ କୋଭିଡ-୧୯ରେ ହେଉଥିବା ସରକାରୀ ମୃତ୍ୟୁସଂଖ୍ୟା ତୁଳନାରେ ପ୍ରକୃତରେ କେତେ ଅଧିକ ମୃତ୍ୟୁ ହେଉଛି ତାହା ଜାଣି ହେଉଛି । ତଦନୁଯାୟୀ ନଭେମ୍ୱର ୧, ୨୦୨୧ ସୁଦ୍ଧା ସାରା ବିଶ୍ୱରେ ଆଧିକାରିକ ଭାବେ କୋଭିଡ-୧୯ ମୃତ୍ୟୁ ସଂଖ୍ୟାକୁ ୫୦ ଲକ୍ଷରୁ ଅଧିକ ବୋଲି ଦର୍ଶାଯାଉଥିଲା ବେଳେ ତାହା ୧.୦୩ କୋଟିରୁ ୧.୯୫ କୋଟି ମଧ୍ୟରେ ହୋଇଥିବାର ସମ୍ଭାବନା ୯୫ ପ୍ରତିଶତ । ତେବେ ପ୍ରକୃତ ମୃତ୍ୟୁ ସଂଖ୍ୟା ୧.୬୮ କୋଟି ହୋଇଥିବାର ସମ୍ଭାବନା ସର୍ବାଧିକ ବୋଲି ଏହି ମଡେଲରୁ ଜଣାପଡୁଛି । ଏହାର ଅର୍ଥ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଯେତିକି ବୋଲି ଦର୍ଶାଯାଉଛି ପ୍ରକୃତରେ ତାହା ପ୍ରାୟ ୨ରୁ ୪ଗୁଣ ଯାଏଁ ଅଧିକ ।

ଏହି ପଦ୍ଧତି ଅନୁଯାୟୀ ଜଣା ପଡୁଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା କେତେକ ଦେଶରେ ସରକାରୀ ତଥ୍ୟଠାରୁ ବେଶୀ ଅଧିକ ହୋଇ ନ ଥିବା ବେଳେ ଅନ୍ୟ କେତେକ ଦେଶରେ ସରକାରୀ ତଥ୍ୟରେ ମୃତ୍ୟୁ ସଂଖ୍ୟାକୁ ଖୁବ କମ କରି ଦର୍ଶାଯାଇଥିବାର ଜଣାପଡୁଛି । ଉଦାହରଣ ସ୍ୱରୂପ କୋଭିଡ-୧୯ରେ ବିଶ୍ୱର ସର୍ବାଧିକ ମୃତ୍ୟୁ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟ ୭.୪୭ ଲକ୍ଷ ବୋଲି ଦର୍ଶାଯାଇଛି । ଏକସେସ ଡେଥ ଆକଳନ ଅନୁସାରେ ସେଠାରେ ପ୍ରକୃତ ମୃତ୍ୟୁ ସଂଖ୍ୟା ୮.୬୦ ଲକ୍ଷରୁ ୧୦ ଲକ୍ଷ ହୋଇଥିବାର ସମ୍ଭାବନା ଯଥେଷ୍ଟ ବେଶୀ । ଅର୍ଥାତ୍ ସରକାରୀ ମୃତ୍ୟୁ ସଂଖ୍ୟା ଅପେକ୍ଷା ୧.୧୦ ଲକ୍ଷରୁ ୨.୫୦ ଲକ୍ଷ ଅଧିକ ହୋଇ ଥାଇପାରେ । ସରକାରୀ ତଥ୍ୟ ଅନୁଯାୟୀ ମୃତ୍ୟୁ ହାର ପ୍ରତି ଲକ୍ଷେରେ ୨୨୪.୪ ହୋଇଥିବା ବେଳେ ପ୍ରକୃତରେ ତାହା ୨୬୦ରୁ ୩୦୦ ମଧ୍ୟରେ । ସରକାରୀ ମୃତ୍ୟୁ ସଂଖ୍ୟା ତୁଳନାରେ ପ୍ରକୃତ ଆକଳନରେ ଅନ୍ତର ମାତ୍ର ୨୦ ପ୍ରତିଶତ । କୋଭିଡ ମୃତ୍ୟୁ ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୬.୦୮ ଲକ୍ଷ ଦର୍ଶା ଯାଇଥିଲା ବେଳେ ଆକଳନ ଅନୁସାରେ ତାହା ୬.୬୦ରୁ ୭.୪୦ ଲକ୍ଷ ମଧ୍ୟରେ ହେଉଛି । ଅର୍ଥାତ୍, ସରକାରୀ ମୃତ୍ୟୁ ସଂଖ୍ୟା ତୁଳନାରେ ପ୍ରକୃତ ଆକଳନରେ ଅନ୍ତର ମାତ୍ର ୨୦ ପ୍ରତିଶତ । କୋଭିଡ ମୃତ୍ୟୁରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକା ଓ ବ୍ରାଜିଲ ମୃତ୍ୟୁ ସଂଖ୍ୟାକୁ ସେତେ ଅଧିକ ଲୁଚାଇବାକୁ ଚେଷ୍ଟା କରିଥିଲା ପରି ଜଣାପଡୁନାହିଁ । ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଚିଲି, ହଙ୍ଗେରୀ, କାନାଡା, ବେଲଜିଅମ, ପେରୁ, ମାଲେସିଆ, ସ୍ୱିଡେନ, ନରୱେ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ସ୍ୱିଜରଲାଣ୍ଡ, ଇସ୍ରାଏଲ, ଜାପାନ, ଦକ୍ଷିଣ କୋରିଆ, ସ୍ଲୋଭେନିଆ ଭଳି କେତେକ ଦେଶରେ ତ ସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ଆକଳନ ତୁଳନାରେ ଅଧିକ ଦର୍ଶାଯାଇଛି ଓ ଅଳ୍ପ କିଛି ଦେଶରେ ଦୁଇଟି ଯାକ ସମାନ ସ୍ତରରେ ରହିଛି ।

କୋଭିଡରେ ଅଧିକ ସଂଖ୍ୟାରେ ପ୍ରାଣହାନି ହୋଇଥିବା ଦେଶମାନଙ୍କ ମଧ୍ୟରେ ସରକାରୀ ଭାବେ ମେକ୍ସିକୋରେ ୨.୮୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଆକଳନ ଅନୁସାରେ ସେଠାରେ ପ୍ରକୃତ ମୃତ୍ୟୁସଂଖ୍ୟା ୫.୪ରୁ ୬ ଲକ୍ଷ ହୋଇଛି । ସେହିପରି ରୁଷିଆ ଓ ଇଣ୍ଡୋନେସିଆରେ ସରକାରୀ ତଥ୍ୟ ଅନୁଯାୟୀ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୨.୩୫ ଲକ୍ଷ ଓ ୧.୪୩ ଲକ୍ଷ ଦର୍ଶା ଯାଇଥିଲା ବେଳେ ଆକଳନ ଅନୁସାରେ ତାହା ଯଥାକ୍ରମେ ୭.୮ରୁ ୮.୫ ଲକ୍ଷ ଓ ୩ରୁ ୧୨ ଲକ୍ଷ ହୋଇଥାଇ ପାରେ । ସରକାରୀ ତଥ୍ୟ ତୁଳନାରେ ମୃତକଙ୍କ ସଂଖ୍ୟା ଅତ୍ୟଧିକ ଥାଇ ଲୁଚାଇଥିବା ଦେଶମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ପାକିସ୍ତାନ, ବଙ୍ଗଳାଦେଶ, ଇଜିପ୍ଟ, ତୁର୍କି, ଇରାନ, ଇରାକ, ଦକ୍ଷିଣ ଆଫ୍ରିକା, ଇତ୍ୟାଦି । ତେବେ ଏ କ୍ଷେତ୍ରରେ ଚୀନରେ ସ୍ଥିତି ଉଦବେଗଜନକ । ସେଠାରେ ସରକାରୀ ଭାବେ ମାତ୍ର ୪୬୩୬ ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଉଥିଲେ ବି ମୃତକଙ୍କ ସଂଖ୍ୟା ପ୍ରକୃତରେ ୧.୯୦ ଲକ୍ଷରୁ ୧୭ ଲକ୍ଷ ଯାଏଁ ହୋଇପାରେ ବୋଲି ଆକଳନ କରାଯାଉଛି ।

ଏବେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟାର ପର୍ଯ୍ୟାଲୋଚନା କରାଯାଉ । ସରକାରୀ ତଥ୍ୟ ଅନୁଯାୟୀ ଏଠାରେ ୪.୫୮ ଲକ୍ଷ ଲୋକଙ୍କର କୋଭିଡରେ ପ୍ରାଣହାନି ହୋଇଛି । କିନ୍ତୁ ଆକଳନ ଅନୁସାରେ ମୃତକଙ୍କ ପ୍ରକୃତ ସଂଖ୍ୟା ୧୨ ଲକ୍ଷରୁ ୭୨ ଲକ୍ଷ ମଧ୍ୟରେ ହେବ, ଅର୍ଥାତ୍ ସରକାରୀ ତଥ୍ୟର ପ୍ରାୟ ଅଢେଇ ଗୁଣରୁ ୧୬ ଗୁଣ ଅଧିକ । ‘ଇକୋନୋମିଷ୍ଟ’ର ଅନୁମାନିତ ତଥ୍ୟ ଠିକ୍ ହେଲେ କୋଭିଡ ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ଏବେ ଦ୍ୱିତୀୟ ସ୍ଥାନରେ ଥିବା ଭାରତ କେବଳ ଯେ ପ୍ରଥମ ସ୍ଥାନ ଦଖଲ କରିବ ତାହା ନୁହେଁ, ବରଂ ଅନ୍ୟ କୌଣସି ଦେଶ ତା’ ଆଖପାଖରେ ପହଞ୍ଚି ପାରିବେ ନାହିଁ । ସେ କ୍ଷେତ୍ରରେ ସରକାରୀ ତଥ୍ୟ ଅନୁଯାୟୀ ପ୍ରତି ଲକ୍ଷେରେ ୩୨.୯ ଜଣ ମୃତକ ଥିଲା ବେଳେ ତାହା ୯୦ରୁ ୫୨୦ ଜଣକୁ ବୃଦ୍ଧି ପାଇପାରେ । ଭାରତରେ ସରକାରୀ ମୃତ୍ୟୁ ସଂଖ୍ୟା ତୁଳନାରେ ପ୍ରକୃତ ମୃତକଙ୍କ ଆକଳନରେ ତାରତମ୍ୟ ପ୍ରାୟ ୯୦୦ ପ୍ରତିଶତ ବୋଲି ଦର୍ଶାଯାଇଛି, ଯାହା ଅତ୍ୟନ୍ତ ଉଦବେଗଜନକ । କୋଭିଡ ରୋଗ ବୟସ୍କ ଲୋକଙ୍କ ପାଇଁ ଅଧିକ ଘାତକ ହୋଇଥିଲା ବେଳେ ଅନ୍ୟ ଦେଶ ତୁଳନାରେ ଭାରତରେ ବୟସ୍କଙ୍କ ପ୍ରତିଶତ କମ ହେବା ମୃତ୍ୟୁହାରକୁ କମ କରିବାରେ ଏକ ଆଶୀର୍ବାଦ ସଦୃଶ ସହାୟକ ହୋଇଛି । ତେବେ ଦେଶରେ ଅନୁନ୍ନତ ଓ ଅପର୍ଯ୍ୟାପ୍ତ ସାଧାରଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏହି ସମସ୍ୟାର ମୁକାବିଲା ପାଇଁ ପ୍ରଭାବଶାଳୀ ହୋଇପାରିନାହିଁ । ଅନ୍ୟ ପକ୍ଷରେ ରୋଗୀମାନଙ୍କ ମଧ୍ୟରୁ ଅନେକ କୁପୋଷଣ, ଯକ୍ଷ୍ମା, ମଧୁମେହ, ଶ୍ୱାସ ଓ ହୃଦରୋଗ ଭଳି ମାରାତ୍ମକ ସହରୁଗ୍ଣତା (କୋମର୍ବିଡିଟି)ର ଶିକାର ହୋଇଥିବାରୁ ସେମାନଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବା ସହଜ ହୋଇନାହିଁ । ଏହାର ଅର୍ଥ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହର ଉତ୍କଟ ଥିଲା ବେଳେ ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଠାରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ, ଯେଉଁମାନଙ୍କର ହୁଏତ କୋଭିଡ ପରୀକ୍ଷା ହୋଇ ନ ଥିବାରୁ ଓ ସେମାନଙ୍କର ଅନ୍ୟ ସହରୁଗ୍ଣତା ଥିବା କାରଣରୁ ସେମାନଙ୍କୁ କୋଭିଡ ମୃତକ ଭାବେ ଦର୍ଶା ଯାଇ ନ ଥାଇପାରେ । ତା’ ଛଡା କୋଭିଡ ମୃତ ବୋଲି ଘୋଷିତ ହେଲେ ପରିବାରକୁ ବିଭିନ୍ନ ପ୍ରକାର ସରକାରୀ ଓ ସାମାଜିକ ନିଷେଧ ଓ ବାଛନ୍ଦର ସାମନା ହେବାକୁ ପଡୁଥିବାରୁ କେତେକ କ୍ଷେତ୍ରରେ ମୃତ୍ୟୁକୁ ସ୍ୱାଭାବିକ କାରଣରୁ ହୋଇଥିବା ଦର୍ଶାଇବାର ଅପଚେଷ୍ଟା କରାଯାଇଛି । ଭାରତର ବିଭିନ୍ନ ଅଞ୍ଚଳରେ ଗଣମାଧ୍ୟମରେ ପ୍ରକାଶିତ ଖବର, ଶ୍ମଶାନ, ମ୍ୟୁନିସିପାଲିଟି ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦର୍ଶା ଯାଉଥିବା ମୃତ୍ୟୁ ତଥ୍ୟକୁ ଆଧାର କରି ଜଣା ପଡୁଥିବା ସମୁଦାୟ ମୃତ୍ୟୁ ସଂଖ୍ୟା ସହ ସରକାରୀ କୋଭିଡ ମୃତକଙ୍କ ସଂଖ୍ୟାରେ କୌଣସି ତାଳମେଳ ନ ରହିବାରୁ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ମୃତ୍ୟୁ କାରଣର ପୁନଃସମୀକ୍ଷା (ଡେଥ ଅଡିଟ) ପାଇଁ ଦାବି ହୋଇ ମାମଲମାନ ରୁଜୁ ହେବାକୁ ଲାଗିଲା । ଶେଷରେ ରାଜ୍ୟଗୁଡିକୁ ଡେଥ ଅଡିଟ କରିବାକୁ ହେଲା, ଯେଉଁଥିରେ ମୃତ୍ୟୁ ସଂଖ୍ୟା ବଢିଥିଲା । ତେବେ ହୋଇଥିବା ଅଡିଟ ମଧ୍ୟ ପରୀକ୍ଷାରେ କୋଭିଡ ଲକ୍ଷଣ ଥାଇ ମରିଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଯୁଜ୍ୟ ଥିଲା, ଅନ୍ୟମାନଙ୍କ ପାଇଁ ନୁହେଁ ।

କୋଭିଡ-୧୯କୁ ଏକ ଦୁର୍ବିପାକ ଭାବେ ଘୋଷଣା କରା ଯାଇଥିବାରୁ ଦୁର୍ବିପାକ ପରିଚାଳନା ଆଇନ, ୨୦୦୫ର ଧାରା ୧୨(ଗ) ଅନୁଯାୟୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦିଆଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଥିଲା । କୋଭିଡରେ ଚାରି ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ଦର୍ଶାଇ ଏତେ ସଂଖ୍ୟକ ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କରି କ୍ଷତିପୂରଣ ଦିଆଗଲେ ତାହା ରାଜକୋଷ ଉପରେ ଅତି ଖରାପ ପ୍ରଭାବ ପକାଇବ ବୋଲି ସରକାର ଯୁକ୍ତି ବାଢିଥିଲେ । ଶେଷରେ ପ୍ରତି ମୃତକଙ୍କ ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଏହି କ୍ଷତିପୂରଣ ରାଶି କେବଳ ସରକାରୀ ତଥ୍ୟ ଅନୁଯାୟୀ ଯେଉଁମାନେ କୋଭିଡ-19ରେ ମୃତ ସେମାନଙ୍କ ପରିବାରକୁ ପ୍ରଦାନ କରାଯିବ । ସରକାରୀ ତଥ୍ୟ ବାହାରେ କୋଭିଡରେ ମରିଥିବା ଲୋକଙ୍କ ପରିବାର କୌଣସି ପ୍ରକାର ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେବେ ।

ଆର୍ଥିକ ସହାୟତା ତ ଗୋଟିଏ ଦିଗ । ଏକ ଆମେରିକୀୟ ଅଧ୍ୟୟନ ଅନୁଯାୟୀ ଜଣେ କୋଭିଡ ମୃତକଙ୍କ ପାଇଁ ହାରାହାରି ୯ ଜଣ ନିକଟ ସମ୍ପର୍କୀୟ ଶୋକଗ୍ରସ୍ତ ହୋଇଥାଆନ୍ତି । ଭାରତରେ ସାମାଜିକ ବ୍ୟବସ୍ଥା ଆମେରିକାଠାରୁ ଭିନ୍ନ ହୋଇଥିବାରୁ ସେହି ସଂଖ୍ୟା ମିଶ୍ଚିତ ରୂପେ ଅଧିକ ହୋଇଥିବ । ମୃତ ବ୍ୟକ୍ତିଜଣକ ପରିବାରର ମୁଖ୍ୟ ରୋଜଗାରକାରୀ ହୋଇଥିଲେ ପ୍ରଭାବିତ ପରିବାରଟିର ଦୁର୍ଦ୍ଦଶା ଶତଗୁଣ ବଢି ଯାଇଥାଏ । ଉଭୟ ବାପା ମାଆଙ୍କ ମୃତ୍ୟୁ ଘଟି ପିଲାମାନେ ବାପାମାଆ ଛେଉଣ୍ଡ ହୋଇ ଯାଇଥିବାର ଅନେକ ଉଦାହରଣ ଶୁଣିବାକୁ ଓ ଦେଖିବାକୁ ମିଳୁଛି । ସରକାରୀ ହିସାବ ବାହାରେ ଥିବା ମୃତକଙ୍କ ପରିବାରଗୁଡିକୁ ମଧ୍ୟ ଏହି ସମସ୍ତ ସମସ୍ୟାର ସମ୍ମୁଖୀନ ହେବାକୁ ହେଉଛି । ତେଣୁ ଏ ଭଳି ସମସ୍ୟାଗୁଡିକୁ ଅର୍ଥନୈତିକ ନୁହେଁ ବରଂ ଏକ ବୃହତ୍ତର ସାମଗ୍ରିକ ପଟଳରେ ରଖି ପ୍ରତିଟି ସମସ୍ୟା ଭିନ୍ନ ହୋଇଥିବାରୁ ସେଗୁଡିକର ସମାଧାନର ବାଟ ଅଲଗା ଅଲଗା କରି ଖୋଜିବାକୁ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କୋଭିଡର ସଫଳ ମୁକାବିଲା ପାଇଁ ମୂଳରୁ ପରୀକ୍ଷା, ଚିହ୍ନଟ ଓ ସଙ୍ଗରୋଧ (ଟେଷ୍ଟିଂ, ଟ୍ରାସିଙ୍ଗ, ଆଇସୋଲେସନ) ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । କୌଣସି ଦେଶରେ ଯଦି ଠିକ ସମୟ ମଧ୍ୟରେ ତାହା ଶତ ପ୍ରତିଶତ ସୁନିଶ୍ଚିତ କରାଯାଇ ପାରିନାହିଁ, ତେବେ ସେଥିଲାଗି ସମ୍ପୃକ୍ତ ଦେଶର ସରକାର ଦାୟୀ ନ ହୋଇ ଦେଶବାସୀଙ୍କୁ ଦଣ୍ଡିତ କରିବା କେତେ ଯୁକ୍ତିଯୁକ୍ତ ? ତେଣୁ ଉପଯୁକ୍ତ ପରୀକ୍ଷା ଓ ଚିହ୍ନଟ ହୋଇ ନ ପାରି ହୋଇଥିବା ମୃତ୍ୟୁଗୁଡିକୁ କୋଭିଡ ମୃତ୍ୟୁରୁ ବାଦ ଦେବା ଅସମତାକୁ ଦର୍ଶାଇବା ସହ ତାହା ସେହି ଧରଣର ମୃତକଙ୍କ ପରିବାର ପ୍ରତି ଅନ୍ୟାୟ ନୁହେଁ କି ?


(Published in November 01-15, 2021 issue of Samadrushti )         

 

Comments

  1. ଆପଣଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ଅତି ଉପାଦେୟ ଏବଂ ସତ୍ୟ। ମାତ୍ର ପ୍ରତ୍ୟେକ ଦେଶ ଏହାକୁ ଲୁଚାଇ ଅସତ୍ୟ ତଥ୍ୟ ଦେଇଛନ୍ତି। ଏଥିରେ କରୋ ନା ଆକ୍ରାନ୍ତ ଙ୍କୁ ଅଟହସ୍ୟ କରା ଯାଉଛି। ବହୁତ ଦୁଃଖ ଦାୟକ।

    ReplyDelete
    Replies
    1. ଠିକ କଥା । ଧନ୍ୟବାଦ ।

      Delete

Post a Comment

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...