Skip to main content

ଖାଇବା ତେଲ ଦର ବେଲଗାମ କାହିଁକି ?

କୋଭିଡ କାଳରେ ଲୋକଙ୍କ ଆୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହି ସମୟରେ ବାଦାମ ତେଲ, ସୋରିଷ ତେଲ, ବନସ୍ପତି, ସୋୟାବିନ ତେଲ, ସୂର୍ଯ୍ୟମୁଖୀ ତେଲ ଓ ପାମ ତେଲ - ଏହି ଛଅ ପ୍ରକାର ଖାଇବା ତେଲର ଦର ପ୍ରାୟ ଦେଢ ଗୁଣ ବା ତା’ଠାରୁ ଅଧିକ ବୃଦ୍ଧି ପାଇ ଖାଉଟିଙ୍କୁ ଅତିଷ୍ଠ କରିଛି । ଜନସାଧାରଣଙ୍କ ରୋଷକୁ ପ୍ରଶମିତ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଅଶୋଧିତ ଓ ବିଶୋଧିତ ପାମ ତେଲ, ସୋୟାବିନ ତେଲ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ଓ ସେସ ହ୍ରାସ କରିଛନ୍ତି, ଯଦ୍ଦ୍ୱାରା ତେଲ ଦର ଲିଟର ପିଛା ୫ରୁ ୧୦ଟଙ୍କା ହ୍ରାସ ପାଇଛି । ତେବେ ଦର ଦେଢଗୁଣ ବଢି ୧୦ ଟଙ୍କା କମିବାରେ ଅସନ୍ତୁଷ୍ଟ ଖାଉଟି ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଖାଇବା ତେଲ ଦରରେ ହଠାତ୍ ନିଆଁ ଲାଗିଲା କାହିଁକି ?

ଖାଇବା ତେଲର ବ୍ୟବହାର ଦୃଷ୍ଟିରୁ ଆମେରିକା, ଚୀନ, ବ୍ରାଜିଲ ପଛକୁ ଭାରତର ସ୍ଥାନ ଚତୁର୍ଥ । ଏଠାରେ ଖାଇବା ତେଲର ଚାହିଦା ବାର୍ଷିକ ପ୍ରାୟ ୨.୫ କୋଟି ଟନ ଥିବା ବେଳେ ଘରୋଇ ଉତ୍ପାଦନର ପରିମାଣ ମାତ୍ର ପ୍ରାୟ ୧ କୋଟି ଟନ । ସାରା ବିଶ୍ୱର ତୈଳବୀଜ ଉତ୍ପାଦନର ୮ ପ୍ରତିଶତ ଭାରତରେ ହେଉଥିଲେ ବି ଏଠାକାର ଖାଇବା ତେଲ ଚାହିଦାର ପ୍ରାୟ ୬୦ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ । ଖାଇବା ତେଲ ଆମଦାନୀ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ । ଦୁଇ ଦଶକ ତଳେ ବିଦେଶରୁ ମାତ୍ର ୪୦ ଲକ୍ଷ ଟନ ଖାଇବା ତେଲ ଆମଦାନୀ ହେଉଥିଲା । ଏବେ ତାହା ୧.୫ କୋଟି ଟନ ଟପି ସାରିଲାଣି, ଯାହା ଉଦବେଗଜନକ । ୨୦୩୦ ସୁଦ୍ଧା ଆମଦାନୀ ୨ କୋଟି ଟନରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।  ୨୦୧୯-୨୦ରେ ବିଦେଶରୁ ୬୧୫୫୯ କୋଟି ଟଙ୍କା ମୂଲ୍ୟର ୧.୩୩୫ କୋଟି ଟନ ଖାଇବା ତେଲ ଆମଦାନୀ ହୋଇଥିଲା, ଯାହା ଚାହିଦାର ପ୍ରାୟ ୫୬ ପ୍ରତିଶତ । ଏଥିରୁ ପାମ ତେଲର ପରିମାଣ ସର୍ବାଧିକ ୭୦ ଲକ୍ଷ ଟନ ହୋଇଥିବା ବେଳେ ସୋୟାବିନ ତେଲ ୩୫ ଲକ୍ଷ ଟନ ଓ ସୂର୍ଯ୍ୟମୁଖୀ ତେଲ ୨୫ ଲକ୍ଷ ଟନ ଥିଲା । ଭାରତକୁ ଇଣ୍ଡୋନେସିଆ ଓ ମାଲେସିଆରୁ ପାମ ତେଲ, ଆର୍ଜେଣ୍ଟିନା ଓ ବ୍ରାଜିଲରୁ ସୋୟାବିନ ତେଲ, ୟୁକ୍ରେନ, ଆର୍ଜେଣ୍ଟିନା ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ହୋଇଥାଏ । ଏତଦବ୍ୟତୀତ ବିଦେଶରୁ କିଛି ଅଲିଭ ଅଏଲ ଓ ଅନ୍ୟ ତେଲ ବି ଆମଦାନୀ କରାଯାଇଥାଏ । ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହିଁ ବର୍ତ୍ତମାନ ତେଲ ଦର ବୃଦ୍ଧିର ମୁଖ୍ୟ କାରଣ । ଅଶୋଧିତ ପାମ ତେଲର ଦର ବୁର୍ସା ମାଲେସିଆ ଡେରିଭେଟିଭ ଏକ୍ସଚେଞ୍ଜରେ ଓ ଅଶୋଧିତ ସୋୟାବିନ ତେଲର ଦର ସିକାଗୋ ବୋର୍ଡ ଅଫ ଟ୍ରେଡରେ ନିର୍ଦ୍ଧାରିତ ହୋଇଥାଏ ଓ ସେଠାକାର ଦର ହିଁ ଏକ ପ୍ରକାର ନିର୍ଦ୍ଧାରଣ କରିଥାଏ ଭାରତରେ ତେଲର ଦର କେତେ ହେବ । ଏହି ଦୁଇଟି ସ୍ଥାନରେ ଗତ ବର୍ଷକ ମଧ୍ୟରେ ଅଶୋଧିତ ପାମ ତେଲ ଓ ସୋୟାବିନ ତେଲର ଦରରେ ଯଥେଷ୍ଟ ବୃଦ୍ଧି ହୋଇଛି । ଏହାର ଏକ ବଡ କାରଣ ହେଉଛି ଆମେରିକା, ବ୍ରାଜିଲ ଭଳି କେତେକ ଦେଶ ସୋୟାବିନ ତେଲକୁ ଅଧିକ ପରିମାଣରେ ବିକଳ୍ପ ଇନ୍ଧନ ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଚୀନରେ ଖାଇବା ତେଲର ଚାହିଦାରେ ହଠାତ୍ ବୃଦ୍ଧି, ପାମ ଓ ସୋୟାବିନ ଉତ୍ପାଦନ ହ୍ରାସ ଆଦି ମଧ୍ୟ ବିଦେଶରେ ଖାଇବା ତେଲ ଦରବୃଦ୍ଧିର ଗୋଟିଏ ଗୋଟିଏ କାରଣ ।

ଦେଶରେ ପ୍ରାୟ ୨.୬ କୋଟି ହେକ୍ଟର ଚାଷ ଜମିରେ ତୈଳବୀଜ ଚାଷ ହୋଇ ବାର୍ଷିକ ପ୍ରାୟ ୩.୬ କୋଟି ଟନ ପରିମାଣର ତୈଳବୀଜ ଉତ୍ପାଦିତ ହୋଇଥାଏ, ଯେଉଁଥିରେ ସୋୟାବିନ, ବାଦାମ, ସୋରିଷ, ଧଳାସୋରିଷ (ରେପସିଡ), ସୂର୍ଯ୍ୟମୁଖୀ, ତିଳ, କୁସୁମ, ଅଳସୀ (ନାଇଜର), ଟିସି ଓ କପା (ଲିନସିଡ), ଜଡା ଆଦି ପ୍ରମୁଖ । ନଡିଆ, ଅଏଲ ପାମ, ଧାନ ଚଷୁ, ଟୋଲ (ମହୁଲ) ଆଦିରୁ ମଧ୍ୟ ତେଲ ପ୍ରସ୍ତୁତ ହୋଇଥାଏ । ଏହିପରି ଦେଶ ଭିତରେ ୧ କୋଟି ଟନରୁ ସାମାନ୍ୟ ଅଧିକ ତେଲ ଉତ୍ପାଦନ ହୋଇଥାଏ । ଦେଶରେ ଉତ୍ପାଦିତ ତେଲ ମଧ୍ୟରୁ ସର୍ବାଧିକ ୩୫ ପ୍ରତିଶତ ସୋରିଷ ଓ ରେପସିଡ (ଧଳା ସୋରିଷ) ତେଲ ହେଉଥିବା ବେଳେ ବାଦାମ ତେଲ ୨୫ ପ୍ରତିଶତ ଓ ସୋୟାବିନ ତେଲ ୨୩ ପ୍ରତିଶତ । ଖାଇବା ତେଲରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ହେଲେ ତୈଳବୀଜ ଚାଷକୁ ଅନ୍ତତଃ ପକ୍ଷେ ୫ କୋଟି ହେକ୍ଟରକୁ ବଢାଇବାକୁ ହେବ । ତୈଳବୀଜର ଦରବୃଦ୍ଧି ସତ୍ତ୍ୱେ ୨୦୨୦ରେ ୨.୭ କୋଟି ହେକ୍ଟରରେ ତୈଳବୀଜ ଚାଷ ହୋଇଥିବାରୁ ସ୍ପଷ୍ଟ ଯେ ଏହା ଆଖିଦୃଶିଆ ଭାବେ ବଢିବା ପରିବର୍ତ୍ତେ ପ୍ରାୟ ସ୍ଥିର ରହିଛି । ଓଡିଶାରେ ତ କମି କମି ଚାଲିଛି । ଅଧିକ ଜମିରେ ତୈଳବୀଜ ଚାଷ ନ ହେବାର କାରଣ ଖୋଜି ଉଚିତ ପଦକ୍ଷେପ ନେବାକୁ ହେବ । ତୈଳବୀଜର ଚାହିଦା ତୁଳନାରେ ଉତ୍ପାଦନ କମ ହେଉଥିବାରୁ ଚାଷୀମାନେ ସରକାରଙ୍କ ଘୋଷିତ ଏମଏସପି ଅପେକ୍ଷା ଅଧିକ ଦରରେ ବିକ୍ରି କରିବାକୁ ସମର୍ଥ ହେଉଥିଲେ ବି ସରକାରୀ ଭାବେ ଏହାର ବ୍ୟବସ୍ଥିତ ସଂଗ୍ରହ ହେଉ ନ ଥିବାରୁ ଅନେକ ଅଞ୍ଚଳରେ ଚାଷୀମାନେ ଅଭାବୀ ବିକ୍ରି କରୁଛନ୍ତି । ତେଣୁ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଉପରୋକ୍ତ ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବନାହିଁ । ଅଧିକନ୍ତୁ, ଉଚ୍ଚ ଉତ୍ତାପ ଓ ରାସାୟନିକ ଦ୍ରବ୍ୟ ବ୍ୟବହାରରେ 'ହଟ ପ୍ରେସ' ପ୍ରକ୍ରିୟାରେ କମ୍ପାନୀ ପ୍ରସ୍ତୁତ ପ୍ୟାକିଂ ତେଲ ତୁଳନାରେ ଘଣା ଆଦି ଦ୍ୱାରା 'କୋଲ୍ଡ ପ୍ରେସ' ପ୍ରକ୍ରିୟାରେ ପ୍ରସ୍ତୁତ ତେଲ ସ୍ୱାସ୍ଥ୍ୟ ପକ୍ଷରେ ହିତକର ହୋଇଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦ ସଂଘ ଆଦି ଦ୍ୱାରା ସେହି ପ୍ରକ୍ରିୟାରେ ତେଲ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ଏହାଦ୍ୱାରା ଗାଁଗୁଡିକ ଖାଇବା ତେଲରେ ଆତ୍ମନିର୍ଭରଶୀଳ ହେବା ସହ ଗ୍ରାମ୍ୟ ଅର୍ଥନୀତି ପ୍ରାଣବନ୍ତ ହୋଇପାରିବ । 

ଖାଇବା ତେଲ ଦରବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଯୋଗଦାନକୁ ଅସ୍ୱୀକାର କରି ହେବନାହିଁ । ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିଲା ବେଳେ ଅଶୋଧିତ ଓ ବିଶୋଧିତ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ଥିଲା ଯଥାକ୍ରମେ ମାତ୍ର ୨.୫ ଓ ୧୦ ପ୍ରତିଶତ । ଏହି ଶୁଳ୍କ ହାରକୁ ବଢାଇ ଜୁନ ୧୪, ୨୦୧୮ରେ ଅଶୋଧିତ ଓ ବିଶୋଧିତ ତେଲ ଉପରେ ଯଥାକ୍ରମେ ୩୫ ଓ ୪୫ ପ୍ରତିଶତ କରିଦିଆଗଲା । ଜାନୁଆରୀ ୧, ୨୦୨୦ରେ ଅଶୋଧିତ ଓ ବିଶୋଧିତ ପାମ ତେଲ ଉପରେ ଆମଦାନୀ ଶୁଳ୍କ ଯଥାକ୍ରମେ ୩୭.୫ ଓ ୪୫ ପ୍ରତିଶତ ହେଲା । ଫେବୃଆରୀ ୧, ୨୦୨୧ରେ ଅଶୋଧିତ ପାମ ତେଲ, ସୋୟାବିନ ତେଲ, ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କକୁ ୧୫ ପ୍ରତିଶତକୁ କମାଇ ଦିଆଗଲା, ହେଲେ ଏକ ନୂଆ ‘ଆଗ୍ରି-ସେସ’ ଭାବେ ପାମ ତେଲ ଉପରେ ଅତିରିକ୍ତ ୧୭.୫ ପ୍ରତିଶତ ଓ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଅତିରିକ୍ତ ୨୦ ପ୍ରତିଶତ ଲାଗୁ କରାଗଲା । ସେପ୍ଟେମ୍ୱର ୧୧, ୨୦୨୧ରେ ସେହି ତିନିଟି ଅଶୋଧିତ ତେଲ ଉପରେ ଆମଦାନୀ ଶୁଳ୍କକୁ କମ କରି ୨.୫ ପ୍ରତିଶତ କରି ପାମ ତେଲ ଉପରେ ଆଗ୍ରି-ସେସ ୨.୫ ପ୍ରତିଶତ ବଢାଇ ଦିଆଯିବାରୁ ତିନିଟି ତେଲ ଉପରେ ଆଗ୍ରି-ସେସ ୨୦ ପ୍ରତିଶତ ହୋଇଗଲା । ଏହା ଉପରେ ୧୦ ପ୍ରତିଶତ ସାମାଜିକ କଲ୍ୟାଣ ସେସକୁ ମିଶାଇଲେ ଉପରୋକ୍ତ ତିନି ପ୍ରକାର ଅଶୋଧିତ ତେଲ ଉପରେ ପ୍ରଭାବୀ ଟିକସ ଦର ୨୪.୭୫ ପ୍ରତିଶତ ଓ ବିଶୋଧିତ ତେଲ ଉପରେ ୩୫.୭୫ ପ୍ରତିଶତ ହେଲା । ନଭେମ୍ୱର ୫, ୨୦୨୧ରେ ସରକାରଙ୍କ ଖାଇବା ତେଲ ଉପରେ ଟିକସ ହ୍ରାସ ନିଷ୍ପତ୍ତି ଯୋଗୁଁ ପ୍ରଭାବୀ ଟିକସ ଦର ଅଶୋଧିତ ପାମ ତେଲ ଉପରେ ୮.୨୫, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫.୫ ପ୍ରତିଶତ ହେଲା ଏବଂ ତିନି ପ୍ରକାର ବିଶୋଧିତ ତେଲ ଉପରେ ତାହା ୧୭.୫ ପ୍ରତିଶତ ହେଲା । ଏହି ୭ ବର୍ଷ ଧରି ଖାଇବା ତେଲ ଉପରେ ପ୍ରଭାବୀ ଟିକସ ଦର ଯଥେଷ୍ଟ ଅଧିକ ରହିବା ପରେ ଏବର ହ୍ରାସ ନିଷ୍ପତ୍ତି ସତ୍ତ୍ୱେ ତାହା ୨୦୧୩-୧୪ର ଟିକସ ହାର ତୁଳନାରେ ଅଧିକ ରହିଛି, ଯାହା ତେଲ ଦର ବୃଦ୍ଧିର ଅନ୍ୟତମ କାରଣ । ଆମଦାନୀ ଶୁଳ୍କ ଦର କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଥିବାରୁ ସେଥିରେ ରାଜ୍ୟଗୁଡିକର କୌଣସି ଭୂମିକା ନ ଥାଏ । ଚାଷୀ, ତୈଳ ଉତ୍ପାଦକ ଓ ଖାଉଟିଙ୍କ ହିତ ମଧ୍ୟରେ ସମନ୍ୱୟ ରକ୍ଷା କରି ଶୁଳ୍କ ଦର ନିର୍ଦ୍ଧାରିତ ହୋଇଥାଏ ବୋଲି କୁହାଯାଏ । କିନ୍ତୁ ଖାଇବା ତେଲର ପ୍ରକ୍ରିୟାକରଣ ଓ ଆମଦାନୀ ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ଥିବାରୁ ଏ ସଂକ୍ରାନ୍ତୀୟ ସରକାରୀ ନୀତି ଓ ନିଷ୍ପତ୍ତିକୁ ପ୍ରଭାବିତ କରିବାରେ ସମ୍ପୃକ୍ତ ଲବି ସଫଳ ହେଉଛନ୍ତି । ତେବେ ଏତେ ଅଧିକ ଟିକସ ଦର ଯେ ଖାଉଟିଙ୍କ ହିତରେ ନୁହେଁ, ତାହା ବୁଝିବାରେ ଅସୁବିଧା ନାହିଁ । ଅଧିକନ୍ତୁ, ପୂର୍ବେ ସମସ୍ତ ଟିକସ ଆମଦାନୀ ଶୁଳ୍କ ଆକାରରେ ଆଦାୟ ହେଉଥିବାରୁ ସେଥିରୁ ଏକ ଅଂଶ ରାଜ୍ୟଗୁଡିକୁ ମିଳୁଥିଲା । ଏଣିକି ଶୁଳ୍କ ହାର ଶୂନ ହୋଇଯିବାରୁ ଓ ସମସ୍ତ ଟିକସ ସେସ ଆକାରରେ ଆଦାୟ ହେଉଥିବାରୁ ରାଜ୍ୟଗୁଡିକୁ ସେଥିରୁ କୌଣସି ଅଂଶ ମିଳିବ ନାହିଁ, କାରଣ ସେସ ଉପରେ ରାଜ୍ୟଗୁଡିକୁ ଭାଗ ମିଳି ନ ଥାଏ ।

    ଲୋକଙ୍କର ଖାଦ୍ୟାଭ୍ୟାସରେ ଯେଉଁଭଳି ପରିବର୍ତ୍ତନ ଦେଖା ଦେଇଛି ସେଥିପାଇଁ ଭାରତରେ ଖାଇବା ତେଲର ଚାହିଦା ଯଥେଷ୍ଟ ବଢିଛି ଓ ଆଗାମୀ ଦିନରେ ଆହୁରି ବଢିବ ମଧ୍ୟ । ୧୯୯୩-୯୪ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖାଇବା ତେଲର ବ୍ୟବହାର ମାସିକ ମୁଣ୍ଡପିଛା ଯଥାକ୍ରମେ ୩୭୦ ଓ ୫୬୦ ଗ୍ରାମ ଥିଲା ବେଳେ ୨୦୦୪-୦୫ ବେଳକୁ ତାହା ଯଥାକ୍ରମେ ୪୮୦ ଓ ୬୬୦ ଗ୍ରାମକୁ ବଢି ଯାଇଥିଲା । ତେବେ ଦେଶରେ ଏଣିକି ତେଲର ବ୍ୟବହାର ବାର୍ଷିକ ମୁଣ୍ଡପିଛା ହାରାହାରି ୧୯ କିଲୋଗ୍ରାମ (ମାସିକ ୧୬୦୦ଗ୍ରାମ)ରେ ପହଞ୍ଚି ସାରିଲାଣି, ଯାହା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ କ୍ଷତିକାରକ ବୋଲି ଉଦବେଗ ପ୍ରକାଶ ପାଇଲାଣି । ଶରୀରର ସମନ୍ୱିତ ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ମୁଣ୍ଡପିଛା ଦୈନିକ ୨୯ ଗ୍ରାମ ବା ବାର୍ଷିକ ୧୦.୬ କିଲୋଗ୍ରାମ ଚର୍ବି ଜାତୀୟ ଖାଦ୍ୟ ବା ଖାଇବା ତେଲର ବ୍ୟବହାର ହିଁ ଯଥେଷ୍ଟ । ପୁନଶ୍ଚ ପାମ ତେଲରେ ସାଚ୍ୟୁରେଟେଡ ଫ୍ୟାଟର ମାତ୍ରା ବେଶୀ ଥିବାରୁ ଏହାର ଅଧିକ ବ୍ୟବହାର ବି ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇ ହୃଦରୋଗର କାରଣ ପାଲଟିଥାଏ । ଓଡିଶା ପରି ଏକ ରାଜ୍ୟରେ କେବଳ ପାମ ତେଲର ବ୍ୟବହାର ୭୭ ପ୍ରତିଶତ ହେବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଖାଉଟିଙ୍କର ଏକ ବଡ ଅଂଶ ଶସ୍ତା ତେଲ ଖୋଜୁଥିବାରୁ ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିବାକୁ ସରକାର ପାମ ତେଲର ଆମଦାନୀ ଓ ଦେଶ ଭିତରେ ଅଏଲ ପାମର ଅଧିକ ଚାଷ ଉପରେ ବେଶି ଗୁରୁତ୍ୱ ପ୍ରଦାନ କରୁଥିବା ଦେଖାଯାଉଛି, କାରଣ ଅନ୍ୟ ତେଲ ତୁଳନାରେ ପାମ ତେଲର ଦାମ କମ । ସେଥିପାଇଁ ତାହା ଅନ୍ୟ ତେଲରେ ମିଶ୍ରଣ ହେଉଥିବାର ଅଭିଯୋଗ ମଧ୍ୟ ହୁଏ । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସରକାର ଏହାକୁ ପ୍ରୋତ୍ସାହିତ ନ କରି ବରଂ ଏହାର ବ୍ୟବହାରକୁ କମ କରିବା ପାଇଁ ସଚେତନତା ବୃଦ୍ଧିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରୟାସ କରିବାର ଆବଶ୍ୟକତା ରହିଛି ।

ଖାଇବା ତେଲର ବ୍ୟବହାର ବୃଦ୍ଧି ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଯେତିକି କ୍ଷତିକାରକ ଦେଶର ଅର୍ଥନୀତି ପ୍ରତି ମଧ୍ୟ କିଛି କମ କ୍ଷତିକାରକ ନୁହେଁ । କାରଣ ତଦ୍ଦ୍ୱାରା ଦେଶକୁ ପ୍ରତି ବର୍ଷ ବହୁ ପରିମାଣରେ ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ହେଉଛି । ତେଣୁ ଖାଇବା ତେଲର ବ୍ୟବହାର ହ୍ରାସ ପାଇଁ ଯୋଜନା ପ୍ରସ୍ତୁତ ହୋଇ ଅବିଳମ୍ୱେ କାର୍ୟ୍ୟକାରୀ ହେବା ଆବଶ୍ୟକ । ଦେଶରେ ବିଭିନ୍ନ ପ୍ରକାର ତୈଳବୀଜର ଉତ୍ପାଦନକୁ ଆଗାମୀ ୫ ବର୍ଷ ମଧ୍ୟରେ କିପରି ଅନ୍ତତଃ ପକ୍ଷେ ଦୁଇ ଗୁଣ କରି ହେବ ସେଥିପାଇଁ ଖସଡା ପ୍ରସ୍ତୁତ କରି ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ତେବେ ଏଗୁଡିକ ଦୀର୍ଘ ମିଆଦି ଲକ୍ଷ୍ୟର ଅଂଶବିଶେଷ ହୋଇଥିବାରୁ ଜନସାଧାରଣଙ୍କୁ ଦରବୃଦ୍ଧିର ଆଘାତରୁ ତତ୍କାଳ ଉପଶମ ପ୍ରଦାନ ପାଇଁ ସରକାର ଅନ୍ୟ ବିକଳ୍ପଗୁଡିକୁ ଅନୁସନ୍ଧାନ ଓ କାର୍ୟ୍ୟକାରୀ କରିବାରେ ବିଳମ୍ୱ କରିବା ଅନୁଚିତ । ଅନ୍ୟଥା ବିଦେଶରେ ତେଲ ଦର ବଢିଲେ ଭାରତରେ ତେଲଦର ବେଲଗାମ ହେଉଥିବ ।


Published in Sambad on November 16, 2021 


Comments

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍