Skip to main content

ଭାରତରେ ମୁସଲମାନ ଜନସଂଖ୍ୟା ବୃଦ୍ଧିର ବାସ୍ତବତା କ’ଣ ?

ଜନସଂଖ୍ୟା ନୀତି ସମ୍ପର୍କିତ ସମ୍ୱାଦପତ୍ରରେ ପ୍ରକାଶିତ ମୋର ଏକ ଆଲେଖ୍ୟ ପଢି ଜଣେ ପାଠକ ମୋତେ ଫୋନ କରି ଜଣାଇଲେ ଯେ ତାଙ୍କ ମନରେ ଭୟ ସୃଷ୍ଟି ହୋଇ ସାରିଥିଲା ଯେ ଆଗାମୀ କିଛି ବର୍ଷ ଭିତରେ ବୋଧେ ଭାରତ ଏକ ମୁସଲମାନ ଦେଶରେ ପରିଣତ ହୋଇ ସାରିଥିବ । ଯାହାହେଉ ଆଲେଖ୍ୟରେ ପ୍ରଦତ୍ତ ତଥ୍ୟ ପଢିଲା ପରେ ତାଙ୍କର ସେ ଭୟ ଓ ସନ୍ଦେହ ମନରୁ ଦୂର ହେଲା । ପଦ୍ମପୁରରୁ ଆଉ ଜଣେ ପାଠକ ତ ସିଧା ସଳଖ ପଚାରିଲେ, “ଆଜ୍ଞା ଶୁଣିଲୁ ଭଦ୍ରକ ଜିଲ୍ଲାରେ ୬୦ ପ୍ରତିଶତ ମୁସଲମାନ ହୋଇ ଯାଇଥିବାରୁ କାଳେ ସରକାର ଭଦ୍ରକକୁ ମୁସଲମାନ ଜିଲ୍ଲା ବୋଲି ଘୋଷଣା କରିଛନ୍ତି । ଏହା କ’ଣ ସତ ?” ସୂଚନାର ଉତ୍ସ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ସେ ହ୍ୱାଟସଆପରେ ପଢିଛନ୍ତି ବୋଲି କହିଲେ । କିଛି ଦିନ ପୂର୍ବେ କେନ୍ଦ୍ରାପଡା ସହର ସମ୍ପର୍କରେ ବି ସେହି ଧରଣର ଗୁଜବଟିଏ ପ୍ରସାରିତ ହୋଇଥିଲା । ସାଧାରଣ ଲୋକଟିଏକୁ ତ ମିଛ କଥାଟିଏ କହି ତା’ ମନରେ ଭ୍ରମ ସୃଷ୍ଟି କରିବା ସହଜ, ହେଲେ ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶରେ କୌଣସି ଧର୍ମ ଭିତ୍ତିରେ ଅଞ୍ଚଳର ଘୋଷଣା କରାଯିବାର ବ୍ୟବସ୍ଥା ନାହିଁ ବୋଲି କଥାଟିକୁ ବୁଝାଇବା ସତରେ କେତେ କଷ୍ଟକର । ଅସତ୍ୟ ଆଧାରରେ ଦେଶରେ ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମନରେ କିଛି ଲୋକ ଯେଉଁ ଭଳି ଭୀତି ସଞ୍ଚାରର ଉଦ୍ୟମ କରୁଛନ୍ତି ତାହା କେବଳ ନିନ୍ଦନୀୟ କହି ଦେଲେ ଚଳିବ ନାହିଁ, ମାତ୍ର ତଥ୍ୟ ଆଧାରରେ ଦେଶରେ ମୁସଲମାନ ଜନସଂଖ୍ୟା ବୃଦ୍ଧିର ବାସ୍ତବ ସ୍ଥିତି କ’ଣ ତାହା ଜାଣିବା ମଧ୍ୟ ନିହାତି ଆବଶ୍ୟକ ।

ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇଥିଲେ ବି ଭାରତ ଏକ ହିନ୍ଦୁ ରାଷ୍ଟ୍ର ନ ହୋଇ ଏକ ଧର୍ମ ନିରପେକ୍ଷ ଦେଶ ହୋଇଥିଲା । ଫଳରେ ଏଠାରେ ବିଭିନ୍ନ ଧର୍ମର ଲୋକ ବସବାସ କରିବା ସହିତ ଅନେକ ମୁସଲମାନ ଭାରତକୁ ନିଜ ଦେଶ ବୋଲି ଗ୍ରହଣ କରି ପାକିସ୍ତାନକୁ ନ ଯାଇ ଏଠାରେ ରହିବାକୁ ପସନ୍ଦ କଲେ । ୨୦୧୧ ଜନଗଣନା ଅନୁସାରେ ମୁସଲମାନଙ୍କ ଜନସଂଖ୍ୟା ୧୭.୨୨ କୋଟି ଯାହା ସମୁଦାୟ ଜନସଂଖ୍ୟାର ୧୪.୨ ପ୍ରତିଶତ । ଏମାନଙ୍କ ମଧ୍ୟରୁ ୬.୮୭ କୋଟି ସହରାଞ୍ଚଳରେ ବସବାସ କରୁଥିବା ବେଳେ ଗ୍ରାମାଞ୍ଚଳରେ ୧୦.୩୫ କୋଟି ଲୋକ ବସବାସ କରନ୍ତି । ସମଗ୍ର ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରୁ କେବଳ ଲାକ୍ଷାଦ୍ୱୀପ ଓ ଜାମ୍ମୁ ଓ କାଶ୍ମୀରରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ହୋଇଥିଲା ବେଳେ ଓଡିଶା ସମେତ ୧୧ଟି ରାଜ୍ୟରେ ଏମାନଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫ ପ୍ରତିଶତରୁ କମ ହୋଇ ଉପେକ୍ଷଣୀୟ ବୋଲି ବିବେଚିତ ହୋଇଥାଏ । ସେହିପରି ସମୁଦାୟ ଜନସଂଖ୍ୟାର ୫ରୁ ୧୫ ପ୍ରତିଶତ ଥାଇ ଝାରଖଣ୍ଡ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ମଣିପୁର, ଗୋଆ, ଦାମନ ଦିଉ, ହରିଆଣା, ମଧ୍ୟପ୍ରଦେଶ, ପୁଡୁଚେରି, ତାମିଲନାଡୁ ଭଳି ୧୭ଟି ଅଞ୍ଚଳରେ ଏମାନେ ସଂଖ୍ୟାଲଘୁ ରୂପେ ବିବେଚିତ । ତେବେ ଯେଉଁ ପାଞ୍ଚଟି ରାଜ୍ୟରେ ଏମାନଙ୍କ ସଂଖ୍ୟା ମହତ୍ୱପୂର୍ଣ୍ଣ ସେଗୁଡିକ ହେଲା ଆସାମ (୩୪ ପ୍ରତିଶତ), ପଶ୍ଚିମବଙ୍ଗ (୨୭ ପ୍ରତିଶତ), କେରଳ (୨୭ ପ୍ରତିଶତ), ଉତ୍ତରପ୍ରଦେଶ (୧୯ ପ୍ରତିଶତ) ଓ ବିହାର (୧୭ ପ୍ରତିଶତ) । ସଂଖ୍ୟାଦୃଷ୍ଟିରୁ ସର୍ବାଧିକ ୩.୮୫ କୋଟି ମୁସଲମାନ ଉତ୍ତରପ୍ରଦେଶରେ ରହୁଥିବା ବେଳେ ତା’ ପଛକୁ ପଶ୍ଚିମବଙ୍ଗ ଓ ବିହାରରେ ସେହି ସଂଖ୍ୟା ଯଥାକ୍ରମେ ୨.୪୭ କୋଟି ଓ ୧.୭୬ କୋଟି । ଏଥି ସହ ୫୦ ଲକ୍ଷରୁ ଅଧିକ ମୁସଲମାନ ଥିବା ଆଉ ୮ଟି ରାଜ୍ୟ ହେଲା, ମହାରାଷ୍ଟ୍ର, ଆସାମ, କେରଳ, ଜାମ୍ମୁ ଓ କାଶ୍ମୀର, ଆନ୍ଧ୍ରପ୍ରଦେଶ (ଅବିଭାଜିତ), କର୍ଣ୍ଣାଟକ, ରାଜସ୍ଥାନ ଓ ଗୁଜରାଟ ଯେଉଁଠାରେ ସମୁଦାୟ ୧୫ କୋଟି ବା ସମୁଦାୟ ମୁସଲମାନ ଜନସଂଖ୍ୟାର ୮୭ ପ୍ରତିଶତ ରହନ୍ତି । ଅର୍ଥାତ୍, ଅନ୍ୟତ୍ର ସେମାନଙ୍କ ଉପସ୍ଥିତି ନଗଣ୍ୟ କହିଲେ ଚଳେ ।    

ଖୁସିର କଥା, ୧୯୭୧-୮୧ ଦଶକରେ ଦେଶରେ ଜନସଂଖ୍ୟା ବୃଦ୍ଧି ହାର ୨.୫ ପ୍ରତିଶତ ଥିବା ବେଳେ ୨୦୧୧-୧୬ ମଧ୍ୟରେ ତାହା ହ୍ରାସ ପାଇ ୧.୩ ପ୍ରତିଶତରେ ପହଞ୍ଚିଛି । ତଥାପି ଜନସଂଖ୍ୟା ବଢି ବଢି ଚାଲିଥିବାର କାରଣ ଉନ୍ନତ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବ୍ୟବସ୍ଥା ଯୋଗୁ ହାରାହାରି ଆୟୁଷ ବଢିବା ସହ ମୃତ୍ୟୁ ହାର ହ୍ରାସ ପାଇବା । ତେଣୁ ଜନସଂଖ୍ୟା ବୃଦ୍ଧି ହାର ଅପେକ୍ଷା ଦେଶରେ ମହିଳାଙ୍କ ହାରାହାରି ମୋଟ ଉତ୍ପାଦିକା ହାର (ଟୋଟାଲ ଫର୍ଟିଲିଟି ରେଟ – ଟିଏଫଆର) ହ୍ରାସ ପାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ମହିଳାମାନେ ଜୀବଦ୍ଦଶାରେ ହାରାହାରି କେତୋଟି ପିଲାଙ୍କୁ ଜନ୍ମ ଦେଉଛନ୍ତି ତା ଆଧାରରେ ଟିଏଫଆର ପ୍ରସ୍ତୁତ ହୋଇଥାଏ । ୨୦୦୦ ମସିହାରେ ନୂଆ ଜନସଂଖ୍ୟା ନୀତି ପ୍ରଣୟନ ହେବା ପରେ ୨୦୧୧ ଜନଗଣନା ବେଳକୁ ଦେଶରେ ଟିଏଫଆର ହ୍ରାସ ପାଇ ୨.୨ରେ ପହଞ୍ଚିଛି । ମୁସଲମାନଙ୍କ କ୍ଷେତ୍ରରେ ଏହା ୨୦୦୧ରେ ଥିବା ୪.୧ରୁ ଖସି ୨.୭ରେ ପହଞ୍ଚିଥିବା ବେଳେ ହିନ୍ଦୁଙ୍କ କ୍ଷେତ୍ରରେ ତାହା ୩.୧ରୁ ଖସି ୨.୧ରେ ପହଞ୍ଚିଛି । ଅର୍ଥାତ୍ ଟିଏଫଆର ନିମ୍ନମୁଖୀ ହୋଇ ଚାଲିଛି, ଯାହା ଏକ ଶୁଭ ସୂଚନା । ଯେ କୌଣସି ଦେଶରେ ଜନସଂଖ୍ୟା ସ୍ଥିର ରଖିବା ଲାଗି ଟିଏଫଆର ୨.୧ ସ୍ତରରେ ରହିବା ବିଧେୟ, ଯାହାକୁ ପରିପୂରଣ ସ୍ତର (ରିପ୍ଲେସମେଣ୍ଟ ଲେଭଲ) କୁହାଯାଇଥାଏ । ବର୍ତ୍ତମାନ ଦେଶର ଟିଏଫଆର ୨.୨ରେ ପହଞ୍ଚିଛି ଯାହା ପରିପୂରଣ ସ୍ତର ପାଖାପାଖି । ଦେଶର ବିଭିନ୍ନ ରାଜ୍ୟରେ ମୁସଲମାନଙ୍କ କ୍ଷେତ୍ରରେ ଟିଏଫଆର କେଉଁ ସ୍ତରରେ ଅଛି ତାହା ଦେଖାଯାଉ । ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ ଷ୍ଟଡିଜର ଗବେଷକ ଶାଶ୍ୱତ ଘୋଷଙ୍କ ଗବେଷଣା ଅନୁଯାୟୀ ମୁସଲମାନଙ୍କ ମଧ୍ୟରେ ହରିଆଣାରେ ଟିଏଫଆର ସର୍ବାଧିକ ୪.୮ ହୋଇଥିବା ବେଳେ ମୁସଲମାନଙ୍କ ହାରାହାରି ଟିଏଫଆର ୨.୭ରୁ ଅଧିକ ଟିଏଫଆର ଥିବା ରାଜ୍ୟଗୁଡିକ ହେଲେ ମେଘାଳୟ (୩.୬), ରାଜସ୍ଥାନ (୩.୪), ମିଜୋରାମ (୩.୪), ନାଗାଲାଣ୍ଡ (୩.୪), ବିହାର (୩.୩), ଝାରଖଣ୍ଡ (୩.୨), ଆସାମ (୩.୧), ଛତିଶଗଡ (୩.୦), ଉତ୍ତରାଖଣ୍ଡ (୩.୦), ଉତ୍ତରପ୍ରଦେଶ (୨.୯) । ଏମାନଙ୍କ ମଧ୍ୟରୁ ଅନେକ ରାଜ୍ୟରେ ମୁସଲମାନଙ୍କ ସଂଖ୍ୟା ଏତେ କମ ଯେ ଅଧିକ ଟିଏଫଆର ସତ୍ତ୍ୱେ ସମୁଦାୟ ଜନସଂଖ୍ୟା ଉପରେ ତା’ର ବିଶେଷ ପ୍ରଭାବ ପଡିବାର ଆଶଙ୍କା ନାହିଁ । ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶ, ବିହାର, ଆସାମ, ରାଜସ୍ଥାନ ଓ ଝାରଖଣ୍ଡ ଏହି ରାଜ୍ୟଗୁଡିକରେ ଟିଏଫଆରକୁ ହ୍ରାସ କରିବାର ଆବଶ୍ୟକତା ରହିଛି । ତେବେ ଓଡିଶା, ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପୁଡୁଚେରି, ଆଣ୍ଡାମାନ ନିକୋବର, ଦାମନ ଦିଉ, ସିକ୍କିମରେ ଏହା ୨.୧ ବା ତା’ଠାରୁ କମ ହେବା ଏବଂ ପଶ୍ଚିମବଙ୍ଗ (୨.୨), ଗୁଜରାଟ (୨.୨), କେରଳ (୨.୩), କର୍ଣ୍ଣାଟକ (୨.୩) ମହାରାଷ୍ଟ୍ର (୨.୪) ଭଳି ମୁସଲମାନ ଜନସଂଖ୍ୟା ଅଧିକ ଥିବା ରାଜ୍ୟରେ ତାହା ପରିପୂରଣ ସ୍ତରଠାରୁ ସାମାନ୍ୟ ଅଧିକ ରହିବା ଉତ୍ସାହଜନକ । ସେହିପରି ଦେଶର ୬୧୮ଟି ଜିଲ୍ଲା ମଧ୍ୟରୁ ୨୧୭ଟି ଜିଲ୍ଲାରେ ମୁସଲମାନଙ୍କ ଟିଏଫଆର ପରିପୂରଣ ସ୍ତର (୨.୧)ରେ ବା ତା’ଠାରୁ କମ ଥିଲା ବେଳେ ୨୮୫ଟି ଜିଲ୍ଲାରେ ଏହା ୨.୧ରୁ ୩ ମଧ୍ୟରେ ରହିଛି । ୯୬ଟି ଜିଲ୍ଲାରେ ଟିଏଫଆର ୩ରୁ ୪ଥିବା ବେଳେ ୧୮ଟିରେ ଏହା ୪ରୁ ଅଧିକ ରହିଛି । ତେଣୁ ୨.୧ରୁ ଅଧିକ ଟିଏଫଆର ଥିବା ଜିଲ୍ଲାମାନଙ୍କରେ ଜନସଂଖ୍ୟା ନିୟନ୍ତ୍ରଣ ହେବା ଆବଶ୍ୟକ ଓ ସେଥିପାଇଁ ଶିକ୍ଷା, ରୋଜଗାର ଓ ସଚେତନତା ବୃଦ୍ଧି ପାଇଁ ବିଶେଷ ଅଭିଯାନ ଚଳାଯିବା ଉଚିତ ।

୨୦୧୧ ଜନଗଣନା ଅନୁଯାୟୀ ଓଡିଶାର ସମୁଦାୟ ଜନସଂଖ୍ୟା ୪.୧୯ କୋଟିରୁ ମୁସଲମାନଙ୍କ ସଂଖ୍ୟା ମାତ୍ର ୯ ଲକ୍ଷରୁ ଅଳ୍ପ ଅଧିକ । ପ୍ରତିଶତ ଦୃଷ୍ଟିରୁ ଏହା ମାତ୍ର ୨.୧୭ ବା ଉପେକ୍ଷଣୀୟ । ବୌଦ ଓ ଦେଓଗଡ ଜିଲ୍ଲାରେ ସର୍ବନିମ୍ନ ୦.୨୩ ପ୍ରତିଶତ ମୁସଲମାନ ରହୁଥିବା ବେଳେ ସର୍ବାଧିକ ୬.୯୨ ପ୍ରତିଶତ ମୁସଲମାନ ଭଦ୍ରକ ଜିଲ୍ଲାରେ ଅଛନ୍ତି । ଓଡିଶାର ୧୫ଟି ଜିଲ୍ଲାରେ ମୁସଲମାନଙ୍କ ସଂଖ୍ୟା ଜନସଂଖ୍ୟାର ୧ ପ୍ରତିଶତ ମଧ୍ୟ ନୁହେଁ । ଜିଲ୍ଲା ଜନସଂଖ୍ୟାର ୫ ପ୍ରତିଶତରୁ ଅଧିକ ମୁସଲମାନ କେବଳ ଭଦ୍ରକ, କଟକ ଓ ଯାଜପୁର ଏହିପରି ତିନିଟି ଜିଲ୍ଲାରେ ବସବାସ କରନ୍ତି । ଅନ୍ୟ ସର୍ବତ୍ର ୫ ପ୍ରତିଶତରୁ ବି କମ । ଭଦ୍ରକ ଜିଲ୍ଲାରେ ମୁସଲମାନଙ୍କ ପ୍ରତିଶତ ରାଜ୍ୟରେ ଅଧିକ ହେବାର ଅନ୍ୟତମ କାରଣ ହେଉଛି ମୋଗଲ ଶାସନ ସମୟରୁ ଭଦ୍ରକଠାରେ ସେମାନଙ୍କ ପାଞ୍ଚଟି ପ୍ରଶାସନିକ ମୁଖ୍ୟାଳୟ ବା ସରକାର ମଧ୍ୟରୁ ଗୋଟିଏ ଥିଲା । ତେଣୁ ଶହ ଶହ ବର୍ଷ ଧରି ଭଦ୍ରକର ଜନସଂଖ୍ୟାରେ ମୁସଲମାନଙ୍କ ଉଲ୍ଲେଖନୀୟ ଉପସ୍ଥିତି ରହି ଆସିଛି ଓ ତାହା କିଛି ଏବେକାର କଥା ନୁହେଁ । ହେଲେ ସେମାନେ ମୁଖ୍ୟତଃ ଭଦ୍ରକ ସହର (୪୦ ପ୍ରତିଶତ), ଧାମନଗର (୪୬ ପ୍ରତିଶତ) , ବାସୁଦେବପୁର, ଏରେଇ ଆଦି ଅଳ୍ପ କିଛି ଅଞ୍ଚଳରେ ଗୋଷ୍ଠୀବଦ୍ଧ ଭାବେ ରହିଥାଆନ୍ତି । ଓଡିଶାରେ ମୁସଲମାନଙ୍କ ମଧ୍ୟରେ ମୁସଲମାନଙ୍କ ଟିଏଫଆର ୨.୧ ପ୍ରତିଶତ ଯାହା ସର୍ବଭାରତୀୟ ଟିଏଫଆର ୨.୨ଠାରୁ ବି କମ । ଓଡିଶାରେ ୨୧ଟି ଜିଲ୍ଲାରେ ଟିଏଫଆର ପରିପୂରଣ ସ୍ତର ୨.୧ ସହ ସମାନ ବା କମ ହୋଇଥିବା ବେଳ ଅବଶିଷ୍ଟ ୯ଟି ଜିଲ୍ଲାରେ ଏହା ୨.୧ରୁ ୩ ମଧ୍ୟରେ । ତେଣୁ କେବଳ ଯେ ମୁସଲମାନଙ୍କ ତରଫରୁ ଓଡିଶାରେ ହିନ୍ଦୁ ଧର୍ମ ବା ଧର୍ମାବଲମ୍ୱୀଙ୍କ ପ୍ରତି କୌଣସି ପ୍ରକାର ବିପଦର ଆଶଙ୍କା ନାହିଁ ତାହା ନୁହେଁ, ବରଂ ଏଠାରେ କୌଣସି ଧର୍ମ ପ୍ରତି ଅନ୍ୟ ଧର୍ମ ତରଫରୁ ବିପଦର ସଂଶୟ ଭିତ୍ତିହୀନ ବୋଲି ଧରି ନେବାକୁ ହେବ ।    

ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ୧୯୫୧ରେ ହୋଇଥିବା ପ୍ରଥମ ଜନଗଣନା ଅନୁସାରେ ହିନ୍ଦୁମାନେ ସମୁଦାୟ ଜନସଂଖ୍ୟାର ୮୪.୧ ପ୍ରତିଶତ ଥିଲା ବେଳେ ମୁସଲମାନଙ୍କ ପ୍ରତିଶତ ଥିଲା ୯.୮ । ଷାଠିଏ ବର୍ଷ ପରେ ୨୦୧୧ ଜନଗଣନା ଅନୁସାରେ ହିନ୍ଦୁମାନଙ୍କ ପ୍ରତିଶତ ୪.୩ ପ୍ରତିଶତ କମ ହୋଇ ୭୯.୮ରେ ପହଞ୍ଚି ଥିବା ବେଳେ ମୁସଲମାନଙ୍କ ପ୍ରତିଶତ ୪.୪ ପ୍ରତିଶତ ବଢି ୧୪.୨ରେ ପହଞ୍ଚିଛି । ହିନ୍ଦୁମାନଙ୍କ ପ୍ରତିଶତ ଯେତିକି କମିଛି ମୁସଲମାନଙ୍କ ପ୍ରତିଶତ ପ୍ରାୟ ସେତିକି ବଢି ଥିବାରୁ ମନକୁ ହଠାତ୍ ଭାବନା ଆସିପାରେ ଯେ ବୋଧହୁଏ ଅନେକ ସଂଖ୍ୟକ ହିନ୍ଦୁ ଧର୍ମାନ୍ତରଣର ଶିକାର ହୋଇ ଏପରି ହୋଇଛି, ଯାହା ଠିକ ନୁହେଁ । ତେଣୁ ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଇବା ଓ ମୁସଲମାନଙ୍କ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧିର ମୁଖ୍ୟ କାରଣଗୁଡିକୁ ଏଠାରେ ତର୍ଜମା କରାଯାଉ ।

ମୁସଲମାନ ମହିଳାଙ୍କ ଉତ୍ପାଦିକା ହାର ହିନ୍ଦୁ ମହିଳାଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ । ସେମାନେ ହାରାହାରି ଗୋଟିଏ ଅଧିକ ଶିଶୁ ଜନ୍ମ କରି ଆସୁଥିଲେ ହେଲେ ୨୦୧୧ ଜନଗଣନା ଅନୁସାରେ ସେମାନଙ୍କ ଟିଏଫଆର ହ୍ରାସ ପାଇବା ପରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କମ ହୋଇ ୦.୬ ଶିଶୁରେ ପହଞ୍ଚିଛି । ମୁସଲମାନମାନେ ଜଣେ ପୁରୁଷ ଚାରିଟି ଲେଖାଏଁ ମହିଳାକୁ ବାହା ହେଉଛନ୍ତି ଓ ପ୍ରତି ମହିଳା ଚାରିଟି ଲେଖାଏଁ ପିଲା ଜନ୍ମ କରି ସେମାନଙ୍କ ଜନସଂଖ୍ୟାକୁ ହୁ ହୁ କରି ବଢାଉଛନ୍ତି ବୋଲି କେତେକଙ୍କ ଦ୍ୱାରା ଏକ ବଖାଣ ପ୍ରସ୍ତୁତ କରାଯାଉଛି । ଏ କଥା ସତ ଯେ ଇସଲାମରେ ଚାରିଟି ଯାଏଁ ବିବାହ ପାଇଁ ଅନୁମତି ରହିଛି । ହେଲେ ସମସ୍ତେ ତାହା କରୁଥିଲେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ବିବାହ ଯୋଗ୍ୟ ୪୦୦୦ ମହିଳା ଉପଲବ୍ଧ ହେଉ ଥାଆନ୍ତେ । କିନ୍ତୁ ୨୦୧୧ ଜନଗଣନା ଅନୁସାରେ ପ୍ରତି ୧୦୦୦ ଜଣ ମୁସଲମାନ ପୁରୁଷଙ୍କ ପାଇଁ ୯୫୧ ଜଣ ମହିଳା ଥିଲା ବେଳେ ହିନ୍ଦୁମାନଙ୍କ କ୍ଷେତ୍ରରେ ତାହା ୯୩୯, ଅର୍ଥାତ୍ ପାର୍ଥକ୍ୟ ମାତ୍ର ୧୨ । ଉଦବେଗର କାରଣ ହେଉଛି ସେହି ଜନଗଣନା ଅନୁସାରେ ଶିଶୁମାନଙ୍କ ମଧ୍ୟରେ ସେହି ଅନୁପାତ ହିନ୍ଦୁମାନଙ୍କ କ୍ଷେତ୍ରରେ ଦ୍ରୁତ ହ୍ରାସ ପାଇ ୧୦୦୦ ପୁଅଙ୍କ ପାଇଁ ୯୧୩ ଝିଅ ଥିବା ବେଳେ ମୁସଲମାନଙ୍କ କ୍ଷେତ୍ରରେ ତାହା ୯୪୩ ରହିଛି । ଅର୍ଥାତ୍ ଲିଙ୍ଗଗତ ଅନୁପାତରେ ପ୍ରାୟ ୩୦ର ବ୍ୟବଧାନ ଦେଖା ଦେଇଛି । ହିନ୍ଦୁମାନଙ୍କ ମଧ୍ୟରେ କନ୍ୟା ସନ୍ତାନ ପ୍ରତି ବିମୁଖତା ବୃଦ୍ଧି ପାଉଥିବାରୁ ତାହା କନ୍ୟା ଭ୍ରୁଣହତ୍ୟାର କାରଣ ପାଲଟି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଏତେ ହ୍ରାସ ପାଇଛି । ମୁସଲମାନ ସମାଜରେ ଭ୍ରୁଣ ହତ୍ୟା ଗ୍ରହଣୀୟ ହୋଇ ନ ଥିବାରୁ ସେମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ଅନୁପାତ ଉଦବେଗଜନକ ନୁହେଁ । ଦେଶରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ କ୍ଷେତ୍ରରେ ଉତ୍ପାଦିକା ହାର ସମାନ ହୋଇ ୨.୧ର ପରିପୂରଣ ସ୍ତରରେ ସ୍ଥିର ରହିଲେ ବି ଆଗାମୀ ଦିନରେ ହିନ୍ଦୁମାନଙ୍କ କ୍ଷେତ୍ରରେ ଉତ୍ପାଦନକ୍ଷମ ମହିଳାଙ୍କ ସଂଖ୍ୟା ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ୯୧୩ ହୋଇଥିବାରୁ ସେମାନେ ଜୀବଦ୍ଦଶାରେ ୧୯୧୭ଟି ଶିଶୁ ଜନ୍ମ ଦେବାକୁ ସମର୍ଥ ହେବେ । ମୁସଲମାନଙ୍କ କ୍ଷେତ୍ରରେ ମହିଳା ସଂଖ୍ୟା ୯୪୩ ହୋଇଥିବାରୁ ସେମାନେ ୧୯୮୦ଟି ଶିଶୁ, ଅର୍ଥାତ୍ ୬୩ଟି ଅଧିକ ଶିଶୁଙ୍କୁ ଜନ୍ମ ଦେବେ ଓ ସେମାନଙ୍କ ପ୍ରତିଶତ ସେହି କାରଣରୁ ବଢିବ । ହିନ୍ଦୁ ସମାଜରେ ବିଧବା ବିବାହ ପ୍ରଥାଟି ପ୍ରାୟତଃ ସାମାଜିକ ସ୍ୱୀକୃତି ଓ ଆଦୃତି ଲାଭ କରି ନ ଥିବାରୁ ସେମାନଙ୍କୁ ସାରା ଜୀବନ ପୁନର୍ବିବାହ ନ କରି ରହିବାକୁ ହେଉଛି, ଯଦ୍ଦ୍ୱାରା ଅଧିକ ଶିଶୁ ଜନ୍ମ ନ ହୋଇ ହିନ୍ଦୁମାନଙ୍କର ହାରାହାରି ଟିଏଫଆର ହ୍ରାସ ପାଇବାରେ ଲାଗିଛି । ତେଣୁ ଏଥିପାଇଁ ଅନ୍ୟକୁ ଦାୟୀ ନ କରି ବରଂ ହିନ୍ଦୁ ସମାଜରେ କନ୍ୟା ସନ୍ତାନ ପ୍ରତି ଥିବା ବିମୁଖତାକୁ କିପରି ଦୂର କରିହେବ, ସେ ଦିଗରେ କାର୍ଯ୍ୟ ହେବା ଆବଶ୍ୟକ । ମହିଳାଙ୍କ ଉତ୍ପାଦିକା ହାର ନ ବଢାଇ ହିନ୍ଦୁ ଜନସଂଖ୍ୟା ବଢାଇବାକୁ ଚାହୁଁଥିଲେ ହିନ୍ଦୁ ଧର୍ମରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି । ଏଥିପାଇଁ ଧର୍ମୀୟ ନେତାମାନେ ସଂସ୍କାରକ ଭୂମିକାରେ ଅବତୀର୍ଣ୍ଣ ହୋଇ ବିଧବା ପୁନର୍ବିବାହ ସପକ୍ଷରେ ମୁଖର ହେବା ଉଚିତ । ସେହିପରି କନ୍ୟା ଭ୍ରୁଣ ହତ୍ୟା ଏକ ଘୃଣ୍ୟ ଅପରାଧ ହୋଇ ଥିବାରୁ ତା’ ବିପକ୍ଷରେ ଉଭୟ ସମାଜ ଓ ଧର୍ମୀୟ ନେତାମାନେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ଏ ସବୁ ସତ୍ତ୍ୱେ ଅନ୍ୟ ଏକ କାରଣରୁ ଆଗାମୀ ଦିନରେ ହିନ୍ଦୁଙ୍କ ସଂଖ୍ୟା ଓ ପ୍ରତିଶତ ହ୍ରାସ ପାଇବାର ଆଶଙ୍କା ଦେଖା ଦେଲାଣି । ଆଦିବାସୀମାନେ ଏ ଯାଏଁ ହିନ୍ଦୁ ଜନସଂଖ୍ୟାରେ ଗଣା ହୋଇ ଆସୁଥିଲେ । ତେବେ ୨୦୧୧ ଜନଗଣନାରେ ଝାରଖଣ୍ଡ ରାଜ୍ୟରେ ପ୍ରାୟ ୪୨ ଲକ୍ଷ ଆଦିବାସୀ ସେମାନଙ୍କ ଧର୍ମ ହିନ୍ଦୁ ନୁହେଁ ବରଂ ‘ସାରନା’ ବୋଲି ଘୋଷଣା କରିବା ପରେ ହିନ୍ଦୁଙ୍କ ପ୍ରତିଶତ କମ ହୋଇ ଯାଇଥିଲା । ୨୦୨୧ଜନଗଣନାରେ ଆଦିବାସୀଙ୍କୁ ହିନ୍ଦୁରେ ନ ଗଣି ସେମାନଙ୍କ ଧର୍ମ ଅଲଗା ହୋଇଥିବାରୁ ସେଥିପାଇଁ ଅଲଗା କୋଡ ବ୍ୟବସ୍ଥା କରିବାକୁ ଆଦିବାସୀମାନଙ୍କ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ ଦାବି ଜୋର ଧରିଲାଣି । ଯେତେ ଅଧିକ ସଂଖ୍ୟକ ଆଦିବାସୀ ନିଜକୁ ହିନ୍ଦୁ ଧର୍ମରୁ ଅଲଗା ଦେଖାଇବେ ହିନ୍ଦୁଙ୍କ ପ୍ରତିଶତ ସେତିକି କମ ହେବ ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଦେଶରେ ଉଭୟ ଜନସଂଖ୍ୟା ବୃଦ୍ଧି ହାର ଓ ଟିଏଫଆର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ଓ ଏବର ଟିଏଫଆର (୨.୨) ପରିପୂରଣ ସ୍ତର (୨.୧)ର ଖୁବ ନିକଟରେ ପହଞ୍ଚି ସାରିଥିବାରୁ ଅଧିକାଂଶ ସ୍ଥାନରେ ଜନସଂଖ୍ୟା ପ୍ରାୟ ନିୟନ୍ତ୍ରଣ ଭିତରକୁ ଆସି ସାରିଲାଣି । ତେବେ ଦେଶର ଅଳ୍ପ କିଛି ରାଜ୍ୟ ଓ ଜିଲ୍ଲା ଯେଉଁଠାରେ ଟିଏଫଆର ଏବେ ବି ବେଶ ଅଧିକ ରହିଛି ସେଠାରେ ଶିକ୍ଷା, ଆର୍ଥିକ ସ୍ୱଚ୍ଛଳତା ଓ ସଚେତନତାର ସ୍ତର ବଢିଲେ ଟିଏଫଆର ଆପଣାଛାଏଁ କମ ହୋଇ ଯିବ । ଉଦାହରଣ ସ୍ୱରୂପ, ମୁସଲମାନ, ବହୁଳ କାଶ୍ମୀରରେ ଓ ଲାକ୍ଷାଦ୍ୱୀପରେ ଲୋକଙ୍କ ଶିକ୍ଷା ଓ ଆର୍ଥିକ ସ୍ୱଚ୍ଛଳତା ଭଲ ଥିବାରୁ ଟିଏଫଆର ମଧ୍ୟ ଖୁବ କମ । ତେଣୁ ଦେଶର ଯେଉଁ ସବୁ ମୁସଲମାନ ବହୁଳ ଜିଲ୍ଲାମାନଙ୍କରେ ଟିଏଫଆର ଅତ୍ୟଧିକ ରହିଛି ସେଠାରେ ଜରିମାନା ବା ଅଧିକାର ଓ ପ୍ରାପ୍ୟରୁ ବଞ୍ଚିତ କଲା ଭଳି ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ଅପେକ୍ଷା ଶିକ୍ଷା, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ସଚେତନତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କଲେ ତାହା ଅଧିକ ଫଳପ୍ରଦ ହେବ, ଏଥିରେ ସନ୍ଦେହ ନାହିଁ । ଉପରୋକ୍ତ ଆଲୋଚନାରେ ସନ୍ନିବେଶିତ ତଥ୍ୟରୁ ସ୍ପଷ୍ଟ ଯେ ମୁସଲମାନ ଜନସଂଖ୍ୟା ବୃଦ୍ଧି ସମସ୍ୟାଟି ସାରା ଦେଶର ନ ହୋଇ ନିର୍ଦ୍ଦିଷ୍ଟ କେତୋଟି ରାଜ୍ୟ ଓ ଅଞ୍ଚଳରେ କେନ୍ଦ୍ରିତ । ମୁସଲମାନଙ୍କ ଉତ୍ପାଦିକା ହାର ହ୍ରାସ ପାଇ ଯେଉଁ ସ୍ତରରେ ପହଞ୍ଚିଲାଣି ସେଥିରେ ଆଗାମୀ ୩୦ ବର୍ଷ ଭିତରେ ବି ସେମାନଙ୍କ ସଂଖ୍ୟା କୌଣସି ମତେ ଜନସଂଖ୍ୟାର ୨୦ ପ୍ରତିଶତରେ ବି ପହଞ୍ଚି ପାରିବାର ସମ୍ଭାବନା କ୍ଷୀଣ । ତେଣୁ କୌଣସି ଧର୍ମ ଅନ୍ୟ ଧର୍ମ ଉପରେ ପ୍ରାଧାନ୍ୟ ବିସ୍ତାର କରିବାର ଆଶଙ୍କା ନ ଥିବାରୁ ହିନ୍ଦୁ, ମୁସଲମାନ ଓ ଅନ୍ୟ ଧର୍ମାବଲମ୍ୱୀମାନେ କୌଣସି ପ୍ରକାର ସଂଶୟର ଶିକାର ନ ହୋଇ ଭାରତର ନାଗରିକ ଭାବେ ସୌହାର୍ଦ୍ଦ୍ୟର ସହ ବସବାସ କରିବା ଉଚିତ ।

Published in Odisha Reporter on July 15, 2021

 

Comments

  1. Logical analysis. Every body should understand this,

    ReplyDelete
  2. Excellent article. A very logical articulation of the reality - unlike the venom being spread by BJP & RSS.
    This article should be widely read.

    ReplyDelete
  3. Very good analysis. Thanks Saral Babu.

    ReplyDelete
  4. A well deserving follow on write up.

    ReplyDelete
  5. One Muslim 4 wives
    After talaq,if she remarries then number is multiplied and such number of children per woman is multiplied.

    ReplyDelete
    Replies
    1. Thanks. Theoretically what you have written is correct. But as per Census data the average number of children (taking all marriages into account) a muslim woman gives birth to during her life time (reproduction age) is 2.7. This is known as Total Fertility Rate (TFR). TFR among Hindu women is 2.1. So the difference is just 0.6.

      Delete
  6. Really an excellent piece of writing. Please publish it in Sambad also.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍