Skip to main content

କୃଷି ଭିତ୍ତିଭୂମି ପାଣ୍ଠି - ଏକ ମାତ୍ର ବାଟ ସୁପରିଚାଳନା

କୃଷି ଭିତ୍ତିଭୂମି ବିକାଶରେ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ‘କୃଷି ଭିତ୍ତିଭୂମି ପାଣ୍ଠି’ ଘୋଷଣା ହେବା ପରେ ଚାଷୀମାନଙ୍କର ଆୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏତେ ପରିମାଣର ପୁଞ୍ଜି ନିବେଶ ନିଶ୍ଚିତ ଭାବେ ଉତ୍ସାହଜନକ ମନେ ହେଉଥିଲେ ବି ଏହି ପାଣ୍ଠିରୁ ଓଡିଶା ଭଳି ରାଜ୍ୟର ଚାଷୀମାନେ ଉପକୃତ ହେବାର ସମ୍ଭାବନା କେତେ, ତାହା ଆଲୋଚନାର ବିଷୟ ।

ଏହି ଯୋଜନା ଚଳିତ ଆର୍ଥିକ ବର୍ଷ, ଅର୍ଥାତ୍ ୨୦୨୦-୨୧ରୁ ଆରମ୍ଭ ହୋଇ ୧୦ ବର୍ଷ ଯାଏଁ ଅର୍ଥାତ୍ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ । ଯୋଜନା ମୁତାବକ ଆଗାମୀ ଚାରି ବର୍ଷ ମଧ୍ୟରେ କୃଷି ଭିତ୍ତିଭୂମିର ବିକାଶ ଲାଗି ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନମାନଙ୍କ ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ମଧ୍ୟମ ଓ ଦୀର୍ଘ ମିଆଦି ଋଣ ଯୋଗାଇ ଦିଆଯିବ । ଏହି ଋଣକୁ ପ୍ରାଥମିକ କୃଷି ସମବାୟ ସମିତି, ବାଣିଜ୍ୟ ସମବାୟ ସମିତି, କୃଷକ ଉତ୍ପାଦ ସଂଘ (ଏଫପିଓ), ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ଯୌଥ ଦାୟ ଗୋଷ୍ଠୀ (ଜେଏଲଜି), ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପସ, ଏକତ୍ରିକରଣ ଭିତ୍ତିଭୂମି ପ୍ରଦାନକାରୀ (ଆଗ୍ରିଗେଟିଂ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡର) ଏବଂ ସରକାରୀ-ଘରୋଇ ଭାଗିଦାରୀ (ପିପିପି)ଗୁଡିକୁ ଯୋଗାଇ ଦିଆଯିବ । ଏଥିରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଶତକଡା ୩ ଭାଗ ସୁଧ ରିହାତି (ଇଣ୍ଟରେଷ୍ଟ ସବଭେନସନ) ମିଳିବାର ସୁବିଧା ରହିଛି । ପ୍ରତିଟି ଋଣ ପାଇଁ ସିଜିଟିଏମଏସଇ ଦ୍ୱାରା ବ୍ୟାଙ୍କମାନଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ କରାଯିବ, ଯଦ୍ଦ୍ୱାରା ବ୍ୟାଙ୍କମାନେ ବନ୍ଧକ ପାଇଁ ଆଉ ଋଣଗ୍ରହୀତାଙ୍କ ଉପରେ ଚାପ ପକାଇବେ ନାହିଁ । ଋଣପ୍ରଦାନକାରୀ ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଏନବିଏଫସି, ଏନସିଡିସି ଏଥିପାଇଁ ସର୍ବୋଚ୍ଚ କେତେ ହାରରେ ସୁଧ ଆଦାୟ କରିବେ, ତାହା ପୂର୍ବରୁ ସ୍ଥିର ହେବ । ନାବାର୍ଡ ତରଫରୁ ବ୍ୟାଙ୍କଗୁଡିକୁ ପୁନର୍ବିତ୍ତ ସହାୟତା ଯୋଗାଇ ଦିଆଯିବ । ସୁଧ ରିହାତି, ଗ୍ୟାରେଣ୍ଟି ଫି ଓ ଅନ୍ୟାନ୍ୟ ବ୍ୟୟ ବାବଦକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୦ ବର୍ଷରେ ମାତ୍ର ୧୦୭୩୬ କୋଟି ଟଙ୍କାର ବହନ ହେଉଥିବାରୁ ଏହା ଅନଗ୍ରସର ରାଜ୍ୟଗୁଡିକରେ କୃଷି ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ଯଥେଷ୍ଟ ହୋଇ ନ ପାରେ । ତେଣୁ ସେହି ରାଜ୍ୟଗୁଡିକୁ ସେଥିପାଇଁ ଅଲଗା ଭାବେ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । 

ଏହି ଯୋଜନାରେ ଘୋଷିତ ୧ ଲକ୍ଷ କୋଟି ଟଙ୍କାରୁ ୧୨୭୩୬ କୋଟି ଟଙ୍କା କେବଳ ଉତ୍ତର ପ୍ରଦେଶ ପାଇଁ ଓ ୫୦ ପ୍ରତିଶତରୁ ଅଧିକ ରାଶି କେବଳ ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଗୁଜରାଟ, ପଶ୍ଚିମ ବଙ୍ଗ ଭଳି 6ଟି ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଛି । ପରିତାପର ବିଷୟ ଓଡିଶା ପାଇଁ ମାତ୍ର ୨୫୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ପ୍ରାୟ ସବୁ ପ୍ରମୁଖ ରାଜ୍ୟ ତୁଳନାରେ ଯଥେଷ୍ଟ କମ । ବିଗତ ବର୍ଷମାନଙ୍କରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବ୍ୟାଙ୍କଗୁଡିକ ଦ୍ୱାରା କୃଷି ଭିତ୍ତିଭୂମି ପାଇଁ ଋଣ ପ୍ରଦାନ କରିବାରେ ସେ ଭଳି ଆଗ୍ରହ ପ୍ରକାଶ ପାଇ ନାହିଁ । ଉଦାହରଣ ସ୍ୱରୂପ, ୨୦୧୯-୨୦ ଆର୍ଥିକ ବର୍ଷରେ ଏଥିପାଇଁ ୧୭୧୬ କୋଟି ଟଙ୍କାର ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୫୧୮ କୋଟି ଟଙ୍କା ଋଣ ପ୍ରଦାନ କରା ଯାଇଥିଲା, ଅର୍ଥାତ୍ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୦ ପ୍ରତିଶତ ହାସଲ ହୋଇ ପାରିଥିଲା । ତେଣୁ ଯେ ପର୍ଯ୍ୟନ୍ତ ଓଡିଶାରେ କୃଷି ଭିତ୍ତିଭୂମି ବିକାଶ ପାଇଁ ବ୍ୟାଙ୍କ ଋଣ ପ୍ରଦାନ ନ ବଢିଛି ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ୨୫୦୦ କୋଟି ଟଙ୍କାର ଲକ୍ଷ୍ୟ ଯଥେଷ୍ଟ କମ ହୋଇଥିଲେ ବି ତାହା ମଧ୍ୟ ହାସଲ ହେବା ସହଜ ହୋଇ ନ ପାରେ । ରାଜ୍ୟରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ତୁରନ୍ତ ଏକ ଉଚ୍ଚ ସ୍ତରୀୟ କମିଟି ମାଧ୍ୟମରେ ନିମ୍ନ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଲାଗି ଏକ ଖସଡା ପ୍ରସ୍ତୁତ କରି ମିଶନ ମୋଡରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଏହି ଯୋଜନା ସମ୍ପର୍କରେ ଚାଷୀମାନଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି ହେବା ପ୍ରଥମ ଆବଶ୍ୟକତା । ଏଥିରେ କେବଳ ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଓ କୃଷିକାର୍ଯ୍ୟ ପାଇଁ ଗୋଷ୍ଠୀସ୍ତରୀୟ ସମ୍ପତ୍ତି ନିର୍ମାଣ ପ୍ରକଳ୍ପ ଭଳି ଦୁଇଟି ଉଦ୍ଦେଶ୍ୟରେ ଋଣ ପ୍ରଦାନର ପ୍ରାବଧାନ ଥିଲେ ବି ପ୍ରତି ବ୍ଲକରେ ଆବଶ୍ୟକତାକୁ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ କେଉଁ କେଉଁ କାର୍ଯ୍ୟ (ଆକ୍ଟିଭିଟି)କୁ ଅଗ୍ରାଧିକାର ଦିଆଯିବ, ତାହା ପ୍ରଥମେ ସ୍ଥିର ହେଉ । ରାଜ୍ୟରେ ସରକାରୀ ନିୟନ୍ତ୍ରଣାଧୀନ ଯୋଗ୍ୟ ସମବାୟ ସମିତିଗୁଡିକୁ ଅନ୍ତତଃ ୫୦୦ କୋଟି ଟଙ୍କା ଓ ଅନ୍ୟ ଘରୋଇ ଋଣଗ୍ରହୀତାଙ୍କୁ ୨୦୦୦ କୋଟି ଟଙ୍କା ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଉ । ସାଧାରଣତଃ, ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡିକ ବ୍ୟୟବହୁଳ ତଥା ମଧ୍ୟମ ବା ଦୀର୍ଘ ମିଆଦି ହୋଇଥିବାରୁ ଓ ଏଗୁଡିକର ସୁପରିଚାଳନା ପାଇଁ ପୁଞ୍ଜି, ଶିକ୍ଷାଗତ ଓ ବୈଷୟିକ ଦକ୍ଷତାର ଆବଶ୍ୟକତା ଥିବାରୁ ଏସଏଚଜି, ଜେଏଲଜି ଓ ସାଧାରଣ ଚାଷୀଟିଏ ଏଥିରେ ଅଂଶଗ୍ରହଣ କରିବା ସହଜ ହେବ ନାହିଁ । ତେଣୁ ଏମାନଙ୍କ ପାଇଁ ୫-୨୦ ଲକ୍ଷ ଟଙ୍କା ଭିତରେ ହୋଇ ପାରୁଥିବା ପ୍ରକଳ୍ପଗୁଡିକୁ ଚିହ୍ନଟ କରି ସେଗୁଡିକର ମଡେଲ ସ୍କିମ ତିଆରି କରି ମିଶନ ଶକ୍ତି ଓ ଓଏଲଆରଏମ ଆଦି ଜରିଆରେ ବ୍ୟାପକ ପ୍ରସାର କରାଗଲେ ରାଜ୍ୟରେ ଯୋଗ୍ୟ ଏସଏଚଜି ଓ ଜେଏଲଜିଙ୍କ ଜରିଆରେ ୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କଷ୍ଟସାଧ୍ୟ ହୋଇ ନ ପାରେ । ଯୋଜନାର ପ୍ରକୃତ ସୁଫଳ ପାଇବାକୁ ହେଲେ ସାଧାରଣ ଚାଷୀମାନଙ୍କୁ ଏଫପିଓ ମାଧ୍ୟମରେ ସଂଘବଦ୍ଧ ହୋଇ ଆଗେଇ ଆସିବାକୁ ହେବ । ବିଶେଷ କରି ଏଫପିଓ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଗୁରୁତ୍ୱ ଦିଆଯାଇ ଚାଷୀମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟ ପାଇଁ ‘କଷ୍ଟମ ହାୟାରିଂ କେନ୍ଦ୍ର’ ଜରିଆରେ ଉନ୍ନତ କୃଷି ଯନ୍ତ୍ରପାତି ଯୋଗାଇ ଦେବାର କାର୍ଯ୍ୟ ଆରମ୍ଭ କରା ଯାଇପାରେ । ଏଫପିଓଗୁଡିକର ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ସେଗୁଡିକୁ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ କରି ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବା କଥା ବିବେଚନା କରା ଯାଇପାରେ । ତେବେ ଓଡିଶାର ଅଧିକାଂଶ ଏଫପିଓଙ୍କ ନିକଟରେ ଭିତ୍ତିଭୂମି ପ୍ରକଳ୍ପଟିଏ ପାଇଁ ଆବଶ୍ୟକ ହେଉଥିବା ଲକ୍ଷାଧିକ ଟଙ୍କାର ମାର୍ଜିନ ରାଶି ଦେବାର ସାମର୍ଥ୍ୟ ନ ଥିବାରୁ ସେହି ମାର୍ଜିନ ରାଶି ରାଜ୍ୟ ସରକାରଙ୍କ ତରଫରୁ ସଫ୍ଟ ଲୋନ ଆକାରରେ ମିଳି ପାରିଲେ ହୁଏତ ରାଜ୍ୟର ପ୍ରାୟ ୫୦୦ ଏଫପିଓ ଜରିଆରେ ୨୫୦ କୋଟି ଟଙ୍କାର ପୁଞ୍ଜି ଲଗାଣ ହୋଇ ପାରନ୍ତା । ଏହି ପାଣ୍ଠିର ସିଂହଭାଗ କୋଟି କୋଟି ଟଙ୍କାର ପୁଞ୍ଜି ଆବଶ୍ୟକ ହେଉଥିବା ଶୀତଳ ଭଣ୍ଡାର, ଗୋଦାମ ଘର, କୃଷି ପ୍ରକ୍ରିୟାକରଣ ଓ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ତଥା ଉନ୍ନତ ମାନର କୃଷି ଯନ୍ତ୍ରପାତି ଆହରଣରେ ବିନିଯୋଗ ହେବ ଓ ଏଥିପାଇଁ ଅଧିକ ସଂଖ୍ୟାରେ କୃଷି ଉଦ୍ୟୋଗୀ ବା ଷ୍ଟାର୍ଟଅପ ଆଗକୁ ଆସିବା ଆବଶ୍ୟକ । ବର୍ତ୍ତମାନ ରାଜ୍ୟରେ ପ୍ରବାସରୁ ଫେରି ଅନେକ ଶିକ୍ଷିତ ଯୁବକଯୁବତୀ କିଛି ବଡ ଧରଣର କାମ କରିବାକୁ ଆଗ୍ରହୀ ଥିବାରୁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରା ଯାଇପାରେ । ପ୍ରତି ବ୍ଲକରୁ ୫ ଜଣ ଲେଖାଏଁ ଏହିପରି ୧୫୦୦ ଶିକ୍ଷିତ ତଥା ବୈଷୟିକ ଜ୍ଞାନସମ୍ପନ୍ନ ଯୁବକ-ଯୁବତୀଙ୍କୁ କୃଷି କ୍ଷେତ୍ରକୁ ଆକୃଷ୍ଟ କରି ଉଦ୍ୟୋଗ ଓ ଷ୍ଟାର୍ଟଅପ ପ୍ରତିଷ୍ଠା କରିବା ପାଇଁ ବିଶେଷ ପ୍ରୋତ୍ସାହନ ଓ ହାତଧରା (ହ୍ୟାଣ୍ଡ ହୋଲଡିଂ) ଉଦ୍ୟମ କରାଯିବା ସହ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ଥିବା ବ୍ୟାଙ୍କ ପରିଚାଳିତ ଆରସେଟିଗୁଡିକରେ ତାଲିମ ପ୍ରଦାନ କରାଯାଇ ପ୍ରୋତ୍ସାହିତ କରି ହେବ, ଯଦ୍ଦ୍ୱାରା ସେମାନଙ୍କ ଜରିଆରେ ଅନ୍ତତଃ ୧୫୦୦ କୋଟି ଟଙ୍କାର ଋଣ ଲାଗିପାରିବ । ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡିକୁ ସରକାରଙ୍କ କୃଷି ସବସିଡି ନୀତି ଅନ୍ତର୍ଭୁକ୍ତ କରିବା ଲାଗି ଏହାର ପୁନର୍ବିନ୍ୟାସ କରିବାର ଆବଶ୍ୟକତା ଉପୁଜିପାରେ ।

ଓଡିଶାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଏଠାକାର ପ୍ରାଥମିକ କୃଷି ସମବାୟ ସମିତି ଓ ଯୋଗ୍ୟ ବାଣିଜ୍ୟ ସମବାୟ ସମିତିଗୁଡିକ ମାଧ୍ୟମରେ ଆଗାମୀ ୪ ବର୍ଷ ମଧ୍ୟରେ ଅନ୍ତତଃ ୫୦୦ କୋଟି ଟଙ୍କାର ଋଣ ଲଗାଣର ଖସଡା ପ୍ରସ୍ତୁତ ହେବା ଉଚିତ । ରାଜ୍ୟରେ ୨୭୦୯ (ଲ୍ୟାମ୍ପ ଓ ଏଫଏସଏସକୁ ମିଶାଇ)ଟି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଥିଲେ ବି ଏହି ଯୋଜନା ଲାଗି କେବଳ ୧୦୦ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଚିହ୍ନଟ କରାଯାଇ ମାତ୍ର ୨୪ କୋଟି ଟଙ୍କାର ଋଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି, ଯାହା ପ୍ରତୀକାତ୍ମକ ଭଳି ମନେ ହୁଏ । ଏ କଥା ଠିକ ଯେ ଏହି ଧରଣର କାର୍ଯ୍ୟ ପରିଚାଳନା କରିବା ପାଇଁ ଅଧିକାଂଶ ସମିତି ସମ୍ପାଦକ ଓ କର୍ମଚାରୀଙ୍କର ଶିକ୍ଷାଗତ ଓ ପରିଚାଳନାଗତ ଦକ୍ଷତା ନାହିଁ । ପ୍ରକଳ୍ପ ସୁପରିଚାଳନା ପାଇଁ ସେମାନଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ । ତେବେ ଏହି ପ୍ରକଳ୍ପଗୁଡିକୁ ହାତଧରା ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କ ସ୍ତରରେ ସ୍ୱତନ୍ତ୍ର ଭାବେ ପ୍ରକଳ୍ପ ପରିଚାଳନା ଓ ନିରୀକ୍ଷଣ ଏକକମାନ ପ୍ରତିଷ୍ଠା କରି ବୈଷୟିକ ଯୋଗ୍ୟତା ଓ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଅବସ୍ଥାପିତ କରିବା କଥା ଚିନ୍ତା କରା ଯାଇପାରେ । ତା’ ଛ଼ଡା ସ୍ଥଳ ବିଶେଷରେ ଭିତ୍ତିଭୂମି ବିକାଶ ପାଇଁ ଦରକାର ହେଉଥିବା ଜମି ମଧ୍ୟ ସମିତି ନିକଟରେ ଉପଲବ୍ଧ ନୁହେଁ । ଭିତ୍ତିଭୂମିର ବିକାଶ ସହ ଚାଷୀଙ୍କର ସାମୂହିକ ସ୍ୱାର୍ଥ ଜଡିତ ଥିବାରୁ ସରକାର ସମିତିଗୁଡିକୁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେବା କଥା ଚିନ୍ତା କରି ପାରନ୍ତି ବା ସେଗୁଡିକୁ ଜମି କିଣିବାକୁ ଅନୁମତି ଦିଆଯାଇପାରେ ।  

ଏହା ଏକ ବ୍ୟାଙ୍କ ଋଣ-ନିର୍ଭର ଯୋଜନା ହୋଇଥିବାରୁ ଏଥିପାଇଁ ଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କମାନଙ୍କଠାରେ ଉଭୟ ସାମର୍ଥ୍ୟ ଓ ମନୋବୃତ୍ତି ସମାନ ଭାବେ ଆବଶ୍ୟକ । ଓଡିଶାରେ ବ୍ୟାଙ୍କ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏଠାରେ କାର୍ଯ୍ୟରତ ଦୁଇଟି ଯାକ ଗ୍ରାମ୍ୟ ବ୍ୟାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ସେମାନେ ଏହି ଯୋଜନାରେ ସକ୍ରିୟ ଅଂଶ ଗ୍ରହଣ କରିବା ଆଶା କ୍ଷୀଣ, କାରଣ ୨୦୧୯-୨୦ ଆର୍ଥିକ ବର୍ଷରେ ସେମାନେ କୃଷି ଭିତ୍ତିଭୂମି ବାବଦକୁ ମାତ୍ର ୬ କୋଟି ଟଙ୍କା ଋଣ ଦେଇ ପାରିଥିଲେ । ଓଡିଶାରେ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଉପସ୍ଥିତି ନାମକୁ ମାତ୍ର ହୋଇଥିବାରୁ ସେମାନେ ମଧ୍ୟ ଏହି ପାଣ୍ଠିରେ ବଡ ଧରଣର ପୁଞ୍ଜି ନିବେଶ କରିବାକୁ ସମର୍ଥ ହେବେ ନାହିଁ । ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ (ଏନବିଏଫସି)ଗୁଡିକ ଟ୍ରାକ୍ଟର ଭଳି ଉପକରଣ ପାଇଁ ଋଣ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲେ ବି ଅନ୍ୟ କ଼ୃଷି ଭିତ୍ତିଭୂମି ପାଇଁ ଋଣ ପ୍ରଦାନରେ ସେମାନଙ୍କର ସେପରି ଅଭିଜ୍ଞତା ନାହିଁ  । ଅଧିକନ୍ତୁ, ଏହି ସଂସ୍ଥାଗୁଡିକ ଅପେକ୍ଷାକୃତ ଅଧିକ ସୁଧ ଆଦାୟ କରୁଥିବାରୁ ଋଣ ଗ୍ରହୀତାମାନେ ମଧ୍ୟମ ଓ ଦୀର୍ଘ ମିଆଦି ଋଣ ପାଇଁ ସେମାନଙ୍କ ଉପରେ ନିର୍ଭର କରିବାକୁ ପସନ୍ଦ କରି ନ ପାରନ୍ତି । ଏନସିଡିସି କେବଳ ସମବାୟ ସମିତିଗୁଡିକୁ ଅଳ୍ପ କେତେକ କାର୍ଯ୍ୟ ପାଇଁ ଋଣ ଯୋଗାଇ ଦେବେ, ଯାହା ପରିମାଣ ଦୃଷ୍ଟିରୁ ସୀମିତ ହେବା ସ୍ୱାଭାବିକ । ଏ ପରିପ୍ରେକ୍ଷୀରେ ସମବାୟ ବ୍ୟାଙ୍କଗୁଡିକର ପହଞ୍ଚ ଓ ସଦସ୍ୟ ସଂଖ୍ୟା ଅନ୍ୟ ବ୍ୟାଙ୍କ ତୁଳନାରେ ସର୍ବାଧିକ ହୋଇଥିବାରୁ ସେମାନେ ଏହି ଯୋଜନାରେ ସକ୍ରିୟ ଅଂଶ ଗ୍ରହଣ କରି ସର୍ବାଧିକ ଋଣ ପ୍ରଦାନ କରି ପାରନ୍ତେ । ହେଲେ ମଧ୍ୟମ ଓ ଦୀର୍ଘ ମିଆଦି କୃଷି ଋଣ ପ୍ରଦାନରେ ଏହି ବ୍ୟାଙ୍କ ମାନସିକ ସ୍ତରରେ ଓ ଦକ୍ଷତା ଦୃଷ୍ଟିରୁ ସେପରି ପ୍ରସ୍ତୁତ ନ ଥିବାରୁ କୃଷି ଭିତ୍ତିଭୂମି ଲାଗି ଋଣ ପ୍ରଦାନ କରିବାକୁ ସେମାନେ ଏ ଯାବତ୍ ସେ ଭଳି ଆଗ୍ରହ ଦେଖାଇ ନାହାନ୍ତି । ଉଦାହରଣ ସ୍ୱରୂପ, ଗତ ବର୍ଷ ରାଜ୍ୟରେ ସମବାୟ ବ୍ୟାଙ୍କ ମାଧ୍ୟମରେ କୃଷି ଭିତ୍ତିଭୂମି ପାଇଁ ମାତ୍ର ୨୬ କୋଟି ଟଙ୍କାର ଋଣ ପ୍ରଦାନ କରା ଯାଇଥିଲା । ଏହି ସ୍ଥିତିରେ ରାଜ୍ୟରେ ଏହି ଯୋଜନାର ସଫଳ କ୍ରିୟାନ୍ୱୟନ କେବଳ ବାଣିଜ୍ୟିକ ବ୍ୟାଙ୍କ, ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ, ଗୁଡିକର ଆନ୍ତରିକତା ଉପରେ ନିର୍ଭର କରିବ । ଗତ ବର୍ଷ ମାତ୍ର ୪-୫ଟି ବାଣିଜ୍ୟିକ ବ୍ୟାଙ୍କ ଏ ଦିଗରେ ଆଗ୍ରହ ପ୍ରକାଶ କରିଥିଲେ । କୃଷି ଭିତ୍ତିଭୂମି ବିକାଶ ପାଇଁ ମଧ୍ୟମ ଓ ଦୀର୍ଘ ମିଆଦି ଋଣ ପ୍ରଦାନରେ ଭୂ-ଉନ୍ନୟନ ବ୍ୟାଙ୍କ ଏକ ବଡ ଭୂମିକା ନିର୍ବାହ କରିଥାଏ । ଏବେ ଓଡିଶାରେ କାର୍ଡ ବ୍ୟାଙ୍କଗୁଡିକ ନିଷ୍କ୍ରିୟ ହୋଇ ପଡିଥିବାରୁ କୃଷି କ୍ଷେତ୍ରକୁ ମିଆଦି ଋଣ ପ୍ରଦାନ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି । ତେଣୁ ସରକାର ଓସକାର୍ଡ ବ୍ୟାଙ୍କକୁ ପୁନରୁଦ୍ଧାର କରିବା ପାଇଁ ତୁରନ୍ତ ପଦକ୍ଷେପ ନେଲେ କେବଳ କୃଷି ଭିତ୍ତିଭୂମି ପାଣ୍ଠିରେ ନୁହେଁ, ବରଂ ଅନ୍ୟାନ୍ୟ କୃଷି ମିଆଦି ଋଣ ପ୍ରଦାନରେ ମଧ୍ୟ ଗତି ମିଳି ପାରନ୍ତା । ଅନ୍ୟଥା ଉପଯୁକ୍ତ ବ୍ୟାଙ୍କ ବ୍ୟବସ୍ଥାର ଅଭାବରେ ଓଡିଶାରେ ଏହି ଯୋଜନାଟିର ଆଶାନୁରୂପ ଅଗ୍ରଗତି ନେଇ ସନ୍ଦେହ ପ୍ରକାଶ ପାଇବା ସ୍ୱାଭାବିକ । 

କୃଷି ଭିତ୍ତିଭୂମିର ବିକାଶ ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧ ଭିତ୍ତିଭୂମିରୁ ଚାଷୀମାନେ କେତେ ଅଧିକ ଉପକୃତ ହେଉଛନ୍ତି, ତାହା ସୁନିଶ୍ଚିତ କରିବା । ଏଥିପାଇଁ ଜିଲ୍ଲା ସ୍ତରରେ ଉପଲବ୍ଧ କୃଷି ଭିତ୍ତିଭୂମିର ତାଲିକା ପ୍ରସ୍ତୁତ କରି ତା’ର ସମୀକ୍ଷା ହେବା ଆବଶ୍ୟକ, ଯଦ୍ଦ୍ୱାରା ଭିତ୍ତିଭୂମି ଶୂନ୍ୟତା (ଗ୍ୟାପ)ର ନିୟମିତ ଆକଳନ ହୋଇ ଉଚିତ ପଦକ୍ଷେପ ନିଆ ଯାଇପାରିବ । ‘କୃଷି ଭିତ୍ତିଭୂମି ପାଣ୍ଠି’ରେ ଓଡିଶା ଲାଗି ଧାର୍ଯ୍ୟ ଋଣ ଲକ୍ଷ୍ୟ ଅଧିକ ନ ଥିଲେ ବି ରାଜ୍ୟ ସରକାରଙ୍କ ଦ୍ୱାରା ତୁରନ୍ତ ଉପରୋକ୍ତ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରାଗଲେ ଯୋଜନାର ସୁଫଳ, ମୁଷ୍ଟିମେୟ ବିତ୍ତଶାଳୀ ଲୋକଙ୍କ ମଧ୍ୟରେ ସୀମିତ ନ ରହି, ସାରା ରାଜ୍ୟରେ ସାଧାରଣ ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚି ପାରନ୍ତା ଓ କୃଷି ଭିତ୍ତିଭୂମିର ବିକାଶ ହୋଇ ଉଭୟ କୃଷି ଓ କୃଷକର ଉନ୍ନତିରେ ସହାୟକ ହୋଇପାରନ୍ତା ।


Published in Odia daily Sambad on September 03, 2020

 

Comments

  1. Good suggestive measures for Odisha. Hope Govt has concrete plan for AIF. After the reverse migration , Govt need to step in quickly for handholding. Liasoning with APEDA and export council may help. Poly houses in upland ecosystem may help the entrepreneurs.
    Thanks for the article.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍