Skip to main content

ଆରକ୍ଷଣ - ଶୂନର ଦଶ ପ୍ରତିଶତ ବି ଶୂନ

ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ଅନଗ୍ରସରଙ୍କ ପାଇଁ ଏଣିକି ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଦଶ ପ୍ରତିଶତ ଆରକ୍ଷଣ ପାଇଁ ସଂସଦର ଉଭୟ ଗୃହରେ ୧୨୪ତମ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହେବା ପରେ ଉଚ୍ଚ ବର୍ଗର ଅନେକ ଗରିବଗୁରୁବା ସେମାନଙ୍କ ପୁଅ ଝିଅଙ୍କୁ ସରକାରୀ ଚାକିରୀ ମିଳିବା ନେଇ ବେଶ ଆଶାବାଦୀ l ସାତ ଜାନୁଆରୀରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟରେ ପାସ୍ ହେବା, ୮ ତାରିଖରେ ଲୋକସଭାରେ ଓ ୯ ତାରିଖରେ ରାଜ୍ୟସଭାରେ, ଏମିତି ମାତ୍ର ତିନି ଦିନ ମଧ୍ୟରେ ତରବରିଆ ଭାବେ ବିଧେୟକଟିକୁ ପାରିତ କରାଇବା ଲାଗି ସରକାର ଯେଉଁ ତତ୍ପରତା ଦେଖାଇଲେ ତାହା ସାଧାରଣତଃ ସମ୍ବିଧାନ ସଂଶୋଧନ ବିଧେୟକ କ୍ଷେତ୍ରରେ କ୍ଵଚିତ ଦେଖାଯାଇଥାଏ l ସରକାରଙ୍କ କାର୍ଯ୍ୟକାଳ ପୂରିବାକୁ ଆଉ ଅଳ୍ପ କେଇ ଦିନ ବାକି ଥିଲା ବେଳେ ଉଚ୍ଚ ବର୍ଗର ଅନଗ୍ରସରଙ୍କ ପ୍ରତି ତାଙ୍କର ହଠାତ ଏଇ ଦରଦ କାହିଁକି ବୋଲି ନିନ୍ଦୁକମାନେ ପ୍ରଶ୍ନ ଉଠାଉଥିଲେ ମଧ୍ୟ, ଯଦି ଏ ଭଳି ଏକ ବିଧେୟକ ନିଯୁକ୍ତି ଓ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସତରେ ସହାୟକ ହେବ ତେବେ ତାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବା ଉଚିତ l ପ୍ରତି ବର୍ଷ ଶ୍ରମ ଶକ୍ତି ଭିତରକୁ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସାଧାରଣ ବର୍ଗର ଲକ୍ଷ ଲକ୍ଷ ତରୁଣ ପ୍ରବେଶ କରୁଥିବାରୁ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରି ସେମାନଙ୍କ ଆକାଂକ୍ଷା ପୂରଣ କ୍ଷେତ୍ରରେ ଏହି ବିଧେୟକ କେତେ ଦୂର ସହାୟକ ହେବ, ତାହା ବିଚାର୍ଯ୍ୟ l
ଆଠ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ, ୫ ଏକର ପର୍ଯ୍ୟନ୍ତ ଜମି, ଏକ ହଜାର ବର୍ଗଫୁଟ ମଧ୍ୟରେ ବାସଗୃହ ଥିବା ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବୋଲି ବିବେଚନା କରାଯିବ l ଆୟକର ବିଭାଗ ଅନୁଯାୟୀ ମାତ୍ର ୫ ପ୍ରତିଶତ ଲୋକଙ୍କ ବାର୍ଷିକ ଆୟ ଆଠ ଲକ୍ଷ ଟଙ୍କାରୁ ଅଧିକ, ଅର୍ଥାତ୍ ୯୫ ପ୍ରତିଶତ ଲୋକ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ହେବେ l ସେହିପରି ପ୍ରାୟ ୮୬ ପ୍ରତିଶତ ଚାଷ ଜମିମାଲିକଙ୍କ ନିକଟରେ ୫ ଏକରରୁ କମ ଜମି ରହିଛି l ଏବେ ଚାକିରୀ ପାଇଁ ଆଶାୟୀ ପ୍ରାୟ ସମସ୍ତେ ନିର୍ଦ୍ଧାରିତ ପରିମାପରେ ଆସିଯିବେ ଓ ତା ବାହାରେ ଥାଇ ସରକାରୀ ଚାକିରୀ ଖୋଜୁଥିବା ପିଲାଙ୍କର ସଂଖ୍ୟା ନଗଣ୍ୟ ହୋଇଥିବ l ତେଣୁ ପ୍ରକୃତ ଗରିବ ପିଲାଟିଏ ଏହି ଆରକ୍ଷଣର ସୁବିଧା ପାଇବା ଆଶା କ୍ଷୀଣ, କାରଣ ବର୍ଷକୁ ଆଠ ଲକ୍ଷ ଟଙ୍କା ଆୟ କରୁଥିବା ପରିବାରର ପିଲାମାନଙ୍କ ସହ ସେମାନଙ୍କ ପ୍ରତିଯୋଗିତା ଅସମାନତା ଭିତ୍ତିରେ ହେବ l
ନିଯୁକ୍ତି କ୍ଷେତ୍ରରେ ଆରକ୍ଷଣ କହିଲେ କେବଳ ସରକାରୀ ଓ ସରକାରୀ ସଂସ୍ଥା ଯେପରି ସାର୍ବଜନିକ ଉଦ୍ୟୋଗ, ସାର୍ବଜନିକ ବ୍ୟାଙ୍କଗୁଡିକରେ ଆରକ୍ଷଣକୁ ହିଁ ବୁଝାଇଥାଏ l ଏହି ସବୁ ସଂସ୍ଥାଗୁଡିକରେ ଚାକିରୀ ଯେତେ ଅଧିକ ହେବ ଆରକ୍ଷଣ ସେତେ ପ୍ରାସଙ୍ଗିକ ହେବ l କିନ୍ତୁ ବିଗତ ବର୍ଷମାନଙ୍କରେ ସରକାରୀ ଓ ସରକାରୀ ସଂସ୍ଥାଗୁଡିକରେ ନିଯୁକ୍ତି କ୍ଷେତ୍ରରେ ଆଶାନୁରୂପ ଅଭିବୃଦ୍ଧି ପରିଲକ୍ଷିତ ହୋଇନାହିଁ l କେବଳ କେନ୍ଦ୍ର ସରକାରଙ୍କ ନିଯୁକ୍ତିକୁ ପର୍ଯ୍ୟାଲୋଚନା କଲେ ଜଣାଯିବ ଯେ ୨୦୦୦-୦୧ ମସିହାରେ ୩୨.୮୦ ଲକ୍ଷ କର୍ମଚାରୀ ଥିଲା ବେଳେ ୨୦୧୮-୧୯ ସୁଦ୍ଧା ତାହା ବଢି ୩୫ ଲକ୍ଷରେ ପହଞ୍ଚିଛି, ଅର୍ଥାତ ବାର୍ଷିକ ବୃଦ୍ଧି ହାର ମାତ୍ର ୦.୪ ପ୍ରତିଶତ l ଏହି ସରକାରଙ୍କ ଅମଳରେ ସମୁଦାୟ ୧.୭୮ ଲକ୍ଷ ଅଧିକ ସରକାରୀ ଚାକିରୀ ସୃଷ୍ଟି ହୋଇଛି, ଅର୍ଥାତ୍ ବର୍ଷକୁ ହାରାହାରି ୪୫ ହଜାର l ଯଦି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ଉପଲବ୍ଧ ଥାଆନ୍ତା ତେବେ ସେହି ଚାକିରୀ ମଧ୍ୟରୁ ସର୍ବାଧିକ ମାତ୍ର ୪୫୦୦ ଚାକିରୀରେ ସେମାନେ ନିଯୁକ୍ତି ପାଇଥାନ୍ତେ l ବାର୍ଷିକ ଏହି ବର୍ଗର ଲକ୍ଷ ଲକ୍ଷ ନିଯୁକ୍ତି ଆକାଂକ୍ଷୀ ତରୁଣଙ୍କ ମଧ୍ୟରୁ ମାତ୍ର ୪୫୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସମୁଦ୍ରକୁ ଶଙ୍ଖେ ପାଣି ବା ‘ଶୂନ’ ସହ ସମାନ କହିଲେ ଅତ୍ୟୁକ୍ତି ହେବନାହିଁ l
କେନ୍ଦ୍ରୀୟ ସାର୍ବଜନିକ ଉଦ୍ୟୋଗ (ସିପିଏସଇ)ଗୁଡିକରେ କର୍ମଚାରୀ ସଂଖ୍ୟା ଯଥେଷ୍ଟ କମ ହୋଇଚାଲିଛି l ୨୦୦୬-୦୭ରେ ଏହି ସଂଖ୍ୟା ୧୬.୧୪ ଲକ୍ଷ ଥିବା ବେଳେ ୨୦୧୭-୧୮ରେ ଏହି ସଂଖ୍ୟା ପ୍ରାୟ ଏକ-ତୃତୀୟାଂଶ କମ ହୋଇ ୧୦.୮୮ ଲକ୍ଷରେ ପହଞ୍ଚିଲାଣି l ଏନଡିଏ ସରକାର କ୍ଷମତାକୁ ଆସିଲା ପରେ କର୍ମଚାରୀ ସଂଖ୍ୟା ପ୍ରାୟ ଅଢେଇ ଲକ୍ଷ କମିଲାଣି l ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକରେ ୨୦୧୨-୧୩ରେ ୮.୭୭ ଲକ୍ଷ ଥିଲାବେଳେ ୨୦୧୬-୧୭ରେ ସେହି ସଂଖ୍ୟା ୮.୬୭ ଲକ୍ଷରେ ପହଞ୍ଚିଲାଣି l ଅଧିକାଂଶ ରାଜ୍ୟ ସରକାର କର୍ମଚାରୀଙ୍କ ସଂଖ୍ୟା କମାଇ ଅନେକ ସରକାରୀ କାମକୁ ଆଉଟସୋର୍ସିଂ ଜରିଆରେ ଘରୋଇ କମ୍ପାନୀ ହାତକୁ ଟେକି ଦେଉଛନ୍ତି, ଯେଉଁଠି ଆରକ୍ଷଣର ନିୟମ ଅନୁପାଳନ ହେଉନାହିଁ l ଅର୍ଥାତ୍, ଏହା ଭିତରେ ଚାକିରୀ ଖୋଜୁଥିବା ଲୋକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଥିଲେ ମଧ୍ୟ ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗର ଉପଲବ୍ଧତାରେ ସେମିତି ବୃଦ୍ଧି ଘଟି ନାହିଁ l ଏ ସବୁକୁ ଅନୁଧ୍ୟାନ କଲେ ଜଣାଯିବ ଯେ ଦେଶରେ ସରକାରୀ କ୍ଷେତ୍ରରେ ନିଯୁକ୍ତି ହାର ଜନସଂଖ୍ୟା ବୃଦ୍ଧି ହାରଠାରୁ ଏତେ କମ ଯେ ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନଥିବା ବେଳେ ଆରକ୍ଷଣ କଥା ଉଠାଇବା ଯୁବ ବର୍ଗକୁ ବିଭ୍ରାନ୍ତ କରିବା ସହ ସମାନ l
ବିଧେୟକରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଭୟ ସାହାଯ୍ୟପ୍ରାପ୍ତ ଓ ଅଣ-ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଆରକ୍ଷଣର କଥା କୁହାଯାଇଛି l ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ ପ୍ରକୃତ ପକ୍ଷେ କେତେ ବ୍ୟାବହାରିକ ? ଘରୋଇ ଅନୁଷ୍ଠାନରେ ଉଚ୍ଚ ବର୍ଗର ଗରିବ ପରିବାରର ପିଲାଟିଏ ଆରକ୍ଷଣ ଯୋଗୁ ନାମ ଲେଖାର ସୁଯୋଗ ପାଇଲେ ମଧ୍ୟ, ସେଠାରେ ଯେଉଁଭଳି ଭାବେ ଫି, ଡୋନେସନ ଆଦାୟ ହୋଇଥାଏ, ତାହା ସେ ଦେବାକୁ ସମର୍ଥ ହୋଇପାରିବ କି ? ଫଳରେ ଏହା ସେହି ବର୍ଗର ସର-ପରସ୍ତ (କ୍ରିମି ଲେୟାର) ଲୋକେ ହାତେଇ ନେବା ଯାହା ସାର ହେବ l ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଶିକ୍ଷାର ଘରୋଇକରଣ ଓ ବ୍ୟାବସାୟୀକରଣକୁ ପ୍ରୋତ୍ସାହିତ ନ କରି ସରକାରୀ ସ୍ତରରେ ଅଧିକ ସଂଖ୍ୟାରେ ଗୁଣାତ୍ମକ ଶିକ୍ଷାନଷ୍ଠାନ ପ୍ରତିଷ୍ଠା କରିବାକୁ ହେବ, ଯଦ୍ଦ୍ଵାରା ପଢିବା ପାଇଁ ଚାହୁଁଥିବା ପ୍ରତ୍ୟେକ ବର୍ଗର ମେଧାବୀ ଛାତ୍ର ଯେପରି ଅସୁବିଧାର ସମ୍ମୁଖୀନ ହେବନାହିଁ  କି ଆରକ୍ଷଣର ଆବଶ୍ୟକତା ପଡିବ ନାହିଁ l 
ଦୁଇ ତିନିଟି ଦଳକୁ ବାଦ ଦେଲେ ବିଧେୟକଟିକୁ ସଂସଦରେ ବିରୋଧ କରିବା ତ ଦୂରର କଥା ଏହାକୁ ସିଲେକ୍ଟ କମିଟି ବା ଷ୍ଟାଣ୍ଡିଂ କମିଟିକୁ ପଠାଇ ଏହାର ଗୁଣାତ୍ମକତାରେ ବୃଦ୍ଧି ପାଇଁ ମଧ୍ୟ କୌଣସି ବଡ ଦଳ ଅଡି ନ ବସିବାର କାରଣ ସେମାନଙ୍କ ରାଜନୈତିକ ବାଧ୍ୟବାଧକତା l କଂଗ୍ରେସ ସମେତ ଅନେକ ଦଳ ଆର୍ଥିକ ଅନଗ୍ରସରତା ଭିତ୍ତିରେ ଆରକ୍ଷଣ ଦେବା କଥା ସେମାନଙ୍କର ଗତ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ l ତାଛଡା ଏ ଭଳି ଏକ ବିଧେୟକକୁ ବିରୋଧ କଲେ କାଳେ ଉଚ୍ଚ ବର୍ଗର ରୋଷର ଶିକାର ହୋଇ ଆଗାମୀ ନିର୍ବାଚନରେ ଭୋଟ ହରାଇବାକୁ ପଡିବ, ସେଥିପାଇଁ ଅଧିକାଂଶ ଦଳ ସେମାନଙ୍କ ହିତୈଷୀ ବୋଲି ନିଜ ଛବିକୁ ବଳବତ୍ତର ରଖିବା ପାଇଁ ବିଧେୟକକୁ ଅକୁଣ୍ଠ ସମର୍ଥନ ଜଣାଇଲେ l ଅନ୍ୟ ପକ୍ଷରେ ବିରୋଧ କରୁଥିବା ଡିଏମକେ, ଆରଜେଡି ଭଳି କେତେକ ଦଳ ସେମାନଙ୍କ ଭୋଟ ବ୍ୟାଙ୍କକୁ ସମ୍ଵୋଧନ କରିବା ପାଇଁ ବିରୋଧ ପ୍ରଦର୍ଶନ କଲେ l କିନ୍ତୁ ମଣ୍ଡଳ କମିଶନ ଲାଗୁ ହେବା ସମୟରୁ ଆରକ୍ଷଣକୁ ବିରୋଧ କରି ଆସୁଥିବା ବିଜେପିର ହଠାତ ଆରକ୍ଷଣ ସପକ୍ଷରେ ସ୍ଵର ପରିବର୍ତ୍ତନ ଅନେକଙ୍କୁ ଚକିତ କରିଥିଲେ ମଧ୍ୟ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ପରାଜୟ ଦଳକୁ ଏ ଭଳି ଏକ ପଦକ୍ଷେପ ନେବାକୁ ବାଧ୍ୟ କଲା ବୋଲି କୁହାଯାଏ l କାରଣ ୨୦୧୪ ନିର୍ବାଚନରେ ଉଚ୍ଚ ବର୍ଗର ପ୍ରାୟ ଅର୍ଦ୍ଧାଧିକ ଭୋଟ ବିଜେପି ସପକ୍ଷରେ ଯାଇଥିବା ବେଳେ, ସେମାନେ ବିଭିନ୍ନ କାରଣରୁ କ୍ରମଶଃ ଦଳ ପ୍ରତି ବିମୁଖ ହେବାର ସୂଚନା ଦଳକୁ ମିଳିବାରେ ଲାଗିଲା l ଏ ସମ୍ପର୍କରେ ନିର୍ବାଚନୀ ବାଧ୍ୟବାଧକତା ପାଇଁ ପ୍ରତିଟି ଦଳର ଆଚରଣ ରାଜନୈତିକ ଦୃଷ୍ଟିରୁ ହୁଏତ ଠିକ ହୋଇପାରେ, ହେଲେ ବିଚାର ବିଭାଗର କୌଣସି ବାଧ୍ୟବାଧକତା ନଥିବାରୁ ତାହା ଆଇନଗତ ସ୍ଵୀକୃତି ପାଇବ ତ ? କାରଣ ୧୯୯୨ ମସିହାରେ ଇନ୍ଦିରା ସାହାନୀ ମାମଲାରେ ସୁପ୍ରିମ କୋର୍ଟଙ୍କ ଏକ ନଅ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଥିଲେ ଯେ ୫୦ ପ୍ରତିଶତରୁ ଅଧିକ ଆରକ୍ଷଣ ହୋଇପାରିବ ନାହିଁ l ଏହି ବିଧେୟକ ପାରିତ ହେବା ପରେ ୬୦ ପ୍ରତିଶତ ସ୍ଥାନ ଆରକ୍ଷିତ ହୋଇଯିବ l ଯେଉଁ ଜାତିଗୁଡିକ ଐତିହାସିକ ଭାବେ ଭେଦଭାବ ଓ ତାର କୁପରିଣାମର ଶିକାର ହୋଇଥିବେ କେବଳ ସେମାନଙ୍କ ପାଇଁ ଆରକ୍ଷଣ ଉଦ୍ଦିଷ୍ଟ l ଆରକ୍ଷଣ ପ୍ରଦାନ ଏକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ନୁହେଁ ବରଂ ଏହାର ଉଦ୍ଦେଶ୍ୟ ପ୍ରତିନିଧିତ୍ଵ ସୁନିଶ୍ଚିତ କରିବା l ପୁନଶ୍ଚ, କେବଳ ଆର୍ଥିକ ଭିତ୍ତିକୁ ଆଧାର କରି ଆରକ୍ଷଣ ଦିଆଯାଇ ପାରିବ ନାହିଁ ବୋଲି ରାୟରେ କୁହାଯାଇଥିଲା l ତାଛଡା ଆର୍ଥିକ ସ୍ଥିତିରେ ନିରନ୍ତର ପରିବର୍ତ୍ତନ ଘଟିଥାଏ l ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରମାନେ କିଭଳି ଭାବେ ନିଯୁକ୍ତି ଓ ଶିକ୍ଷା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ତାହା ପ୍ରମାଣିତ କରିବା ପାଇଁ କୌଣସି ସର୍ଭେ ହୋଇ ନଥିବାରୁ ଏ ନେଇ କୋର୍ଟଙ୍କୁ ସନ୍ତୁଷ୍ଟ କଲା ଭଳି ତଥ୍ୟ ଆପାତତଃ ସରକାରଙ୍କ ପାଖରେ ନାହିଁ l ତେଣୁ ବିଲଟିକୁ ପାରିତ କରାଇ ସରକାର ହୁଏତ ତାଙ୍କ ଇଚ୍ଛାବ୍ୟକ୍ତ କରିବାରେ ସମର୍ଥ ହୋଇଛନ୍ତି, ହେଲେ ତାହା ଆଇନ ଓ ସାମ୍ଵିଧାନିକ ଯାଞ୍ଚରେ ଉତ୍ତୀର୍ଣ୍ଣ ହେବାର ଆଶା କ୍ଷୀଣ l
ଦିନ ଥିଲା ଯେତେବେଳେ ସରକାର ହିଁ ଦେଶରେ ମୁଖ୍ୟ ନିଯୁକ୍ତିଦାତା ଥିଲେ l ଏଣିକି ସାରା ଦେଶରେ ସରକାରୀ ନିଯୁକ୍ତି ସୁଯୋଗ ପ୍ରାୟ ଶୂନ, କାରଣ ସରକାର ଆଉ ବେଶି ନିଯୁକ୍ତି ସୃଷ୍ଟି କରୁନାହାନ୍ତି l ଅନ୍ୟ ପକ୍ଷରେ ସରକାର ଏପରି ଏକ ବାତାବରଣ ତିଆରି କରିପାରନ୍ତେ ଯେଉଁଥିରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା l ତେଣେ ଘରୋଇ କ୍ଷେତ୍ରରେ ଥିବା ନିଯୁକ୍ତିରେ କୌଣସି ଆରକ୍ଷଣ ବ୍ୟବସ୍ଥା ନାହିଁ ଓ ରାଜନେତାମାନେ ସେ ସମ୍ପର୍କରେ ଦାବି ଉଠାନ୍ତି ନାହିଁ l ସ୍ଵାଧୀନତା ପରଠାରୁ ଆଜି ଯାଏଁ ରାଜନେତାମାନେ ଜନତାଙ୍କୁ କେବଳ ଆରକ୍ଷଣର ଥୋପ ଦେଖାଇ ଆସିଥିଲେ ମଧ୍ୟ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ତତ୍ପର ନ ହୋଇ ସେହି ସୀମିତ ଚାକିରୀକୁ ବାନର-ବାଣ୍ଟ କରି ଜାତିଗତ ବିଦ୍ଵେଷ ସୃଷ୍ଟିରେ ସହାୟକ ହେଉଛନ୍ତି l ତେଣୁ ଯେ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ଶୂନ, ସେ ପର୍ଯ୍ୟନ୍ତ ଏ ସମସ୍ତ ଆରକ୍ଷଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିରର୍ଥକ l ବିଶେଷ କରି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ଦଶ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ସେମାନଙ୍କୁ ଭୁଆଁ ବୁଲାଇଲା ପରି l କାରଣ ଶୂନର ଦଶ ପ୍ରତିଶତ ବି ଶୂନ l

Published in Odia daily Sambad on January 15,  2019

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍