Skip to main content

ଚାଷୀ ଆନ୍ଦୋଳନ ତେଜିଛି କାହିଁକି ?

ସଂସଦରେ କୃଷି ସମ୍ୱନ୍ଧୀୟ ତିନିଟି ନୂଆ ଆଇନ ପାରିତ ହେବା ପରେ ସାରା ଦେଶରେ ଚାଷୀ ଓ ଚାଷୀ ସଂଗଠନମାନଙ୍କ ଦ୍ୱାରା ଏହାର ବିରୋଧ ହେବାକୁ ଲାଗିଲା । ଏହା ଦ୍ୱାରା କୃଷି କ୍ଷେତ୍ରରେ କମ୍ପାନୀଗୁଡିକର ଅବାଧ ପ୍ରବେଶ ସହ କୃଷକମାନେ ସେମାନଙ୍କ ଶୋଷଣର ଶିକାର ହେବାର ଆଶଙ୍କା ବ୍ୟକ୍ତ ହେଲା । କ୍ରମଶଃ ସରକାର ଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟାରୁ ଦୂରେଇ ଯିବେ ଓ ଏମଏସପି ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଚାଷୀ ସଂଗଠନମାନେ ମତ ପ୍ରକାଶ କଲେ । ଏ ସମ୍ପର୍କରେ ଚାଷୀଙ୍କୁ ଆଶ୍ୱସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ଘୋଷଣା କରିବାକୁ ହେଲା ଯେ ଏମଏସପି ରହିବ । ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଦେଶର ୫୦୦ରୁ ଅଧିକ ଚାଷୀ ସଙ୍ଗଠନ ଏଗୁଡିକ ଚାଷୀ ବିରୋଧୀ କହି ବିରୋଧ କରିବା ଓ ହଜାର ହଜାର ସଂଖ୍ୟାରେ ଦିଲ୍ଲୀକୁ ପଦଯାତ୍ରା କରିବାରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରଣୀତ ଆଇନ ଚାଷୀଙ୍କ ହିତରେ ବୋଲି ସରକାର ଯେତେ ଯାହା କହିଲେ ବି ଅନ୍ତତଃ ଚାଷୀଙ୍କୁ ବୁଝାଇବା ଲାଗି ସମର୍ଥ ହୋଇ ପାରିନାହାନ୍ତି । ଏମଏସପି ବ୍ୟବସ୍ଥାର କ୍ରିୟାନ୍ୱୟନ ତଥା କେତେକ ଆନୁଷଙ୍ଗିକ ନୀତି, ସ୍ଥିତି ଓ ତଥ୍ୟକୁ ଅନୁଧ୍ୟାନ କଲେ ଚାଷୀ ମନରେ ଏମଏସପି ରହିବା ନେଇ ଉଠୁଥିବା ପ୍ରଶ୍ନ ଯଥାର୍ଥ ବୋଧ ହୁଏ ।    

କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫରେ ୧୪ଟି (ଧାନ, ବାଜରା, ଜୋଆର, ମକା, ମାଣ୍ଡିଆ, ହରଡ, ମୁଗ, ବିରି, ତୁଳା, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, ସୋୟାବିନ, ରାଶି ଓ ଅଳସି)  ଓ ରବିରେ ୧୦ଟି (ଗହମ, ଯଅ, ବୁଟ, ମସୁର, ସୋରିଷ, ଜଡା, ତୋରିଆ, କୋପ୍ରା ବା ନଡିଆର ଶୁଖିଲା ଶସ, ଚୋପାଛ଼ଡା ନଡିଆ ଓ ଝୋଟ) ଖାଦ୍ୟଶସ୍ୟ ଓ କୃଷି ଉତ୍ପାଦ ପାଇଁ ଦୁଇ ଦଫାରେ ଏମଏସପି ଘୋଷଣା କରି ଥାଆନ୍ତି । ଅନ୍ୟ କୌଣସି ଫସଲ ବା କୃଷି ଉତ୍ପାଦ ପାଇଁ ଏମଏସପି ଘୋଷଣା ହୋଇ ନଥାଏ । ଏଥି ମଧ୍ୟରୁ ଧାନ, ଗହମ, ମକା, ବାଜରା, ଜୋଆର, ଯଅ. ମାଣ୍ଡିଆ ଆଦି ଖାଦ୍ୟ ଶସ୍ୟଗୁଡିକର ସଂଗ୍ରହ ଦାୟିତ୍ୱ ଏଫସିଆଇ ଓ ନାମିତ ରାଜ୍ୟ ସଂସ୍ଥାଙ୍କ ଉପରେ ନ୍ୟସ୍ତ । ପଞ୍ଜାବ, ହରିଆଣା ଆଦି କେତେକ ରାଜ୍ୟରେ ଏଫସିଆଇ ସିଧାସଳଖ ସଂଗ୍ରହ କରୁଥିବା ବେଳେ ଓଡିଶା ଭଳି ଅନ୍ୟ ରାଜ୍ୟମାନଙ୍କରେ ତାହା ସମ୍ପୃକ୍ତ ରାଜ୍ୟର ଏଜେନ୍ସିଙ୍କ ମାଧ୍ୟମରେ ସଂଗୃହୀତ ହୋଇଥାଏ ।  ଡାଲି ଓ ତୈଳବୀଜ ଜାତୀୟ ଶସ୍ୟଗୁଡିକର ସଂଗ୍ରହ ଦାୟିତ୍ୱ ନାଫେଡ ଓ ଏସଏଫଏସିଙ୍କ ଉପରେ ନ୍ୟସ୍ତ । ସେହିପରି ତୁଳାର ସଂଗ୍ରହ କଟନ କର୍ପୋରେସନ (ସିସିଆଇ) ଓ ଝୋଟର ସଂଗ୍ରହ ଝୋଟ କର୍ପୋରେସନ (ଜେସିଆଇ) କରିଥାଆନ୍ତି । ତେବେ କେବଳ ଧାନ ଓ ଗହମର ସଂଗ୍ରହ ବାବଦରେ ସଂଗ୍ରହ ପାଇଁ ଆବଣ୍ଟିତ ସମୁଦାୟ ରାଶିର ପ୍ରାୟ ୯୫ ପ୍ରତିଶତ ବ୍ୟୟ ହେଉଥିବାରୁ ଅନ୍ୟ ଫସଲଗୁଡିକ ଏମଏସପି ତାଲିକାରେ ଥିଲେ ବି ପ୍ରକୃତ ପକ୍ଷେ ସେଗୁଡିକର କେବଳ ନାମକୁ ମାତ୍ର ସଂଗ୍ରହ ହୋଇଥାଏ । ଏହା ସତ୍ତ୍ୱେ ସମୁଦାୟ ଉତ୍ପାଦିତ ଧାନର ମାତ୍ର ୪୩  ପ୍ରତିଶତ ଓ ଗହମର ୩୬ ପ୍ରତିଶତ ଏମଏସପି ଆଧାରରେ ସଂଗୃହୀତ ହୋଇଥାଏ । ଅନ୍ୟ ପକ୍ଷରେ ତାଲିକାରେ ଥିବା ଅନ୍ୟ ଉତ୍ପାଦଗୁଡିକରୁ ଅଧିକାଂଶର ସଂଗ୍ରହ ସେଗୁଡିକର ସମୁଦାୟ ଉତ୍ପାଦନର ୧୦ ପ୍ରତିଶତ ବି ନୁହେଁ । ତେଣୁ ସେହି ଚାଷୀଙ୍କ ଲାଗି ଏମଏସପିର କୌଣସି ଅର୍ଥ ନ ଥାଏ । ପୁଣି  ଧାନ ଓ ଗହମ ଯେ ସବୁ ରାଜ୍ୟରୁ ସଂଗୃହୀତ ହେଉଛି, ତାହା ମଧ୍ୟ ନୁହେଁ । ୨୦୧୯-୨୦ ବର୍ଷରେ ୨୩ଟି ରାଜ୍ୟରୁ ସଂଗୃହୀତ ୭୭୩.୩୦ ଲକ୍ଷ ମାଟ୍ରିକ ଟନ ଧାନ ମଧ୍ୟରୁ ୭୧୦.୩୯ ଲକ୍ଷ ମାଟ୍ରିକ ଟନ ବା ପ୍ରାୟ ୯୨ ପ୍ରତିଶତ ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡିଶା, ହରିଆଣା, ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଭଳି ମାତ୍ର ୧୦ଟି ରାଜ୍ୟରୁ ହୋଇଛି । ଯେଉଁ ୧୦ଟି ରାଜ୍ୟରୁ ଗହମ ସଂଗ୍ରହ ହୋଇଥାଏ ତନ୍ମଧ୍ୟରୁ ସର୍ବାଧିକ ପଞ୍ଜାବ (୩୮ ପ୍ରତିଶତ) ଓ ହରିଆଣା (୨୭ ପ୍ରତିଶତ)ରୁ ହେଉଥିଲା ବେଳେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ସଂଗୃହୀତ ଗହମର ପରିମାଣକୁ ମିଶାଇଲେ ଏହି ୫ଟି ରାଜ୍ୟରୁ ୯୯ ପ୍ରତିଶତରୁ ଊର୍ଦ୍ଧ୍ୱ ହୋଇଥାଏ । ଅର୍ଥାତ୍, ଉପରୋକ୍ତ କେତୋଟି ରାଜ୍ୟକୁ ବାଦ ଦେଲେ ଅବଶିଷ୍ଟ ଅଧିକାଂଶ ରାଜ୍ୟର ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଶସ୍ୟ ସଂଗ୍ରହ ନ ହେବା ଯୋଗୁ ହେଉ ବା ସେମାନଙ୍କ ଫସଲ ଏମଏସପି ଅନ୍ତର୍ଭୁକ୍ତ ନ ହେବା କାରଣରୁ, ସେମାନେ ଏମଏସପି ଦ୍ୱାରା ଲାଭାନ୍ୱିତ ହୋଇ ପାରୁନାହାନ୍ତି ଓ ସେମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରର୍ଥକ ।     

ଜାତୀୟ ନମୁନା ସର୍ଭେକ୍ଷଣ ସଂଗଠନ (ଏନଏସଏସଓ)ର ୭୦ତମ ସର୍ଭେ ଅନୁଯାୟୀ ଦେଶର ମାତ୍ର ୬ ପ୍ରତିଶତ ଚାଷୀ ନିଜ ଫସଲକୁ ନିର୍ଦ୍ଧାରିତ ଶସ୍ୟ ସଂଗ୍ରହକାରୀ ସଂସ୍ଥାଙ୍କୁ ବିକ୍ରି କରି ଏମଏସପି ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି । ଅର୍ଥାତ ଦେଶର ପ୍ରାୟ ୯୪ ପ୍ରତିଶତ ଚାଷୀ ବିଭିନ୍ନ କାରଣରୁ ଏମଏସପି ବ୍ୟବସ୍ଥା ଓ ପ୍ରକ୍ରିୟାର ବାହାରେ ଥାଆନ୍ତି । ପ୍ରଫେସର କେ.ଏସ ଆଦିତ୍ୟଙ୍କ ଦ୍ୱାରା ୨୦୧୭ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୨୪ ପ୍ରତିଶତ ଚାଷୀ ପରିବାର ସେମାନେ ଚାଷ କରୁଥିବା ଫସଲ ପାଇଁ ମିଳୁଥିବା ଏମଏସପି ବାବଦରେ ଅବଗତ । ଏହାର ଏକ ମୁଖ୍ୟ କାରଣ ହେଉଛି ଧାନ ଗହମକୁ ବାଦ ଦେଲେ ଅନ୍ୟ ଫସଲଗୁଡିକର ସଂଗ୍ରହ ପରିମାଣ ଏତେ ନଗଣ୍ୟ ଯେ ତାହା ଏମଏସପି ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇ ନଥାଏ । ନୀତି ଆୟୋଗର ୨୦୧୬ ମସିହାର ଏକ ରିପୋର୍ଟ ଅନୁଯାୟୀ ବିଳମ୍ୱରେ ଟଙ୍କା ମିଳିବା, ସଂଗ୍ରହ କେନ୍ଦ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ, ଘରଠାରୁ ସଂଗ୍ରହ କେନ୍ଦ୍ରର ଅତ୍ୟଧିକ ଦୂରତା ଆଦି କାରଣରୁ ପ୍ରାୟ ୭୯ ପ୍ରତିଶତ ଚାଷୀ ପ୍ରଚଳିତ ଏମଏସପି ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି । ଉଲ୍ଲେଖଯୋଗ୍ୟ, ଯେଉଁ ରାଜ୍ୟରେ ସଂଗ୍ରହ ତନ୍ତ୍ର ଓ ଭିତ୍ତିଭୂମି ଯେତେ ବ୍ୟବସ୍ଥିତ ସେହି ରାଜ୍ୟର ଚାଷୀଙ୍କଠାରୁ ସେତେ ଅଧିକ ସଂଗ୍ରହ ହୋଇ ପାରିଥାଏ । ସଂଗ୍ରହ ଭିତ୍ତିଭୂମି ଅଧିକ ବ୍ୟବସ୍ଥିତ ଥିବା ପଞ୍ଜାବ, ହରିଆଣାର ଚାଷୀ ଏହି ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ ହେବାର କାରଣ ହେଉଛି ସେମାନେ ଏମଏସପିକୁ ନେଇ କେବଳ ଯେ ଅଧିକ ସଚେତନ ତାହା ନୁହେଁ, ବରଂ ମଣ୍ଡି ବ୍ୟବସ୍ଥାର କୁରୀତି ସତ୍ତ୍ୱେ ସେଠାରେ ଅଧିକାଂଶ ଚାଷୀ ଏହା ମାଧ୍ୟମରେ ଏମଏସପିରେ ବିକ୍ରି କରିବାକୁ ସମର୍ଥ ହେଉଛନ୍ତି । ସୁତରାଂ, ପଞ୍ଜାବ, ହରିଆଣାର ଚାଷୀ ଏଥିରେ ଅଧିକ ଉପକୃତ ହେଉଥିବାରୁ ଏହି ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ ହୋଇଛନ୍ତି । ଅନ୍ୟ ରାଜ୍ୟର ଚାଷୀ ସମାନ ଭାବେ ଆନ୍ଦୋଳନରେ ଭାଗ ନ ନେବାର ଅର୍ଥ ନୁହେଁ ଯେ ସେମାନେ ଏମଏସପି ପ୍ରକ୍ରିୟା ନେଇ ସନ୍ତୁଷ୍ଟ, ବରଂ ଏମଏସପି ସେମାନଙ୍କ ପାଇଁ ନିରର୍ଥକ ହେବା ଏହାର ଅନ୍ୟତମ କାରଣ ।  

ଦରଦାମକୁ ନିୟନ୍ତ୍ରଣରେ ରଖିବା ତଥା ଜରୁରୀକାଳୀନ ଆବଶ୍ୟକତାର ପ୍ରତିପୂର୍ତ୍ତି ପାଇଁ ରଖା ଯାଉଥିବା ବଫର ଷ୍ଟକର ନିୟମ ଅନୁସାରେ ଦେଶରେ ୨୧୦.୪ ଲକ୍ଷ ମାଟ୍ରିକ ଟନର ଖାଦ୍ୟଶସ୍ୟ ମହଜୁଦ ରହିବା କଥା । କିନ୍ତୁ ସେପ୍ଟେମ୍ୱର ୨୦୨୦ ଶେଷ ସୁଦ୍ଧା ମହଜୁଦ ଚାଉଳ ଓ ଗହମର ପରିମାଣ ୭୦୦ ଲକ୍ଷ ଟନ ବା ନିର୍ଦ୍ଧାରିତ ପରିମାଣର ତିନି ଗୁଣରୁ ଅଧିକ ହୋଇ ସାରିଲାଣି । ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟଠାରୁ ଅଧିକ ପରିମାଣରେ ମହଜୁଦ ରହିଲେ ତାର ସୁପରିଚାଳନା କରିବା ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ । କାରଣ ଉପଯୁକ୍ତ ଭଣ୍ଡାର ଅଭାବରୁ ଅନେକ ସମୟରେ ଖାଦ୍ୟଶସ୍ୟକୁ ଖୋଲାରେ ରଖା ଯାଉଥିବାରୁ ତାହା ନଷ୍ଟ ହେଉଥିବାର ଖବରମାନ ମିଳୁଛି । ତା ଛଡା ବଫର ଷ୍ଟକର ଆକାର ଯେତେ ଅଧିକ ହେବ ସରକାରଙ୍କୁ ଖାଦ୍ୟ ସବସିଡି ବାବଦରେ ଅଧିକ ଅର୍ଥ ପ୍ରାବଧାନ କରିବାକୁ ପଡୁଥିବାରୁ ବଫର ଷ୍ଟକର ଆକାର କମ କରିବା ପାଇଁ ଅର୍ଥନୀତିଜ୍ଞଙ୍କ ମତ । ଏପରିକି ଭାରତ ସରକାରଙ୍କ ଦ୍ୱାରା ୨୦୨୦ରେ ପ୍ରକାଶିତ ଅର୍ଥନୈତିକ ସମୀକ୍ଷାରେ ୨୦୨୧ ପାଇଁ ଖାଦ୍ୟ ସବସିଡିର ବଜେଟୀୟ ଆକଳନକୁ ୧.୧୬ ଲକ୍ଷ କୋଟି ଟଙ୍କାକୁ କମାଇ ଦିଆ ଯାଇଛି ଯାହା ପୂର୍ବ ବର୍ଷର ଆକଳନ ୧.୮୪ ଲକ୍ଷ କୋଟି ଟଙ୍କା ତୁଳନାରେ ପ୍ରାୟ ୩୭ ପ୍ରତିଶତ କମ । ଫଳରେ ସରକାର ଖାଦ୍ୟଶସ୍ୟ ସଂଗ୍ରହରୁ ସମ୍ପୂର୍ଣ୍ଣ ଓହରି ନ ଗଲେ ବି ଭବିଷ୍ୟତରେ ତାର ପରିମାଣ ଯେ କମ କରିବାକୁ ଯାଉଛନ୍ତି ତାର ସୂଚନା ମିଳୁଛି । ଖାଦ୍ୟ ସବସିଡିର ପରିମାଣ କମ ହେଲେ ତାର ସିଧାସଳଖ ପ୍ରଭାବ ସଂଗ୍ରହ ଉପରେ ପଡିବାକୁ ଥିବାରୁ ଆଗାମୀ ଦିନରେ ସରକାରୀ ଭାବେ ସଂଗ୍ରହ ପରିମାଣ ହ୍ରାସ ପାଇପାରେ । ସେ କ୍ଷେତ୍ରରେ ନିଜ ଆବଶ୍ୟକତାଠାରୁ ଅଧିକ ଧାନ ସଂଗ୍ରହ କରୁଥିବା ଓଡିଶା ଭଳି ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେବ । ଏ ପରି ହେଲେ ଭବିଷ୍ୟତରେ ସରକାର ତ ପ୍ରତିବର୍ଷ ଏମଏସପି ଘୋଷଣା କରୁଥିବେ ହେଲେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଖାଦ୍ୟଶସ୍ୟ ସଂଗୃହୀତ ହେବ ବୋଲି କହି ହେବ ନାହିଁ । ତା ଛ଼ଡା ସରକାର ବି ସବୁ ଖାଦ୍ୟଶସ୍ୟ କିଣିବା ସମ୍ଭବ ନୁହେଁ କି ଉଚିତ ମଧ୍ୟ ନୁହେଁ । ଏ ପରିପ୍ରେକ୍ଷୀରେ ସରକାରୀ ଭାବେ ସଂଗ୍ରହ ହେଉ କି ଘରୋଇ ଭାବେ ହେଉ ଚାଷୀ କିପରି ତା ଉତ୍ପାଦର ଏମଏସପି ନିର୍ଦ୍ଧାରିତ ମୂଲ୍ୟ ପାଇ ପାରିବ ତାହା ସୁନିଶ୍ଚିତ କରା ଯାଇପାରିଲେ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବ ନାହିଁ ।

ଉପରୋକ୍ତ ତିନିଟି ଆଇନରେ ଏମଏସପି ବିଷୟରେ ଧାଡିଟିଏ ଉଲ୍ଲେଖ ନ ଥିବାରୁ ତାହା ଚାଷୀ ଆନ୍ଦୋଳନର କେନ୍ଦ୍ର ବିନ୍ଦୁ ପାଲଟିଲା କାହିଁକି ? ଏହି ଆଇନରେ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ବିଷୟ ଲେଖା ହୋଇ ନଥିଲେ ବି ତାହା ପରୋକ୍ଷରେ ମଣ୍ଡି ବ୍ୟବସ୍ଥାର କ୍ଷତି ସାଧନ କରି ସମଗ୍ର କୃଷି ବଜାର ବ୍ୟବସ୍ଥାକୁ କର୍ପୋରେଟ ନିୟନ୍ତ୍ରଣକୁ ନେଇଯିବ ବୋଲି ଚାଷୀ ସଂଗଠନମାନେ ଆଶଙ୍କିତ । ଏଥି ପୂର୍ବର ବ୍ୟବସ୍ଥା ଅନୁଯାୟୀ କ୍ରେତା ଚାଷୀର ଖାଦ୍ୟଶସ୍ୟ ମଣ୍ଡି ମାଧ୍ୟମରେ ହିଁ କିଣି ପାରୁଥିଲା, ଯେଉଁଠାରେ ତାକୁ ମାର୍କେଟ ଫି ଓ ବିକାଶ ଫି ବାବଦକୁ କିଛି ଅର୍ଥ ଗଣିବାକୁ ହେଉଥିଲା । ଏବେ କ୍ରେତା ସିଧାସଳଖ ଚାଷୀଠାରୁ କିଣିବାକୁ ସମର୍ଥ ହେଲେ ତାକୁ ଆଉ ମଣ୍ଡିକୁ ଯିବାକୁ ପଡିବ ନାହିଁ ଓ କ୍ରେତା ଅଭାବରେ ଅଚିରେ ମଣ୍ଡିବ୍ୟବସ୍ଥା ଭୁଷୁଡି ପଡିବ । ସୁଦୃଢ ମଣ୍ଡି ବ୍ୟବସ୍ଥା ଏମଏସପିରେ ସଂଗ୍ରହ ଲାଗି ବଳିଷ୍ଠ ଭିତ୍ତିଭୂମି ଯୋଗାଉଥିବାରୁ ଏହା ଦୁର୍ଙ୍ଗାବଳ ହେଲେ ଏମଏସପିରେ ସଂଗ୍ରହ ବାଧିତ ହୋଇପାରେ ବୋଲି ଚାଷୀମାନେ ଚିନ୍ତିତ । ତେଣୁ ମଣ୍ଡି ବ୍ୟବସ୍ଥା ଭୁଷୁଡି ଗଲେ ବିକଳ୍ପ ଅଭାବରେ ଚାଷୀ ବ୍ୟବସାୟୀଙ୍କ ଶୋଷଣର ଅଧିକ ଶିକାର ହେବ ବୋଲି ସଂଗଠନଗୁଡିକର ମତ । ତେଣୁ ଏମଏସପିକୁ ଆଇନଗତ କରାଯାଉ ବୋଲି ସେମାନେ ଅଡି ବସିଛନ୍ତି ।           

ପ୍ରତିବର୍ଷ ଗତାନୁଗତିକ ଭାବେ ବିଭିନ୍ନ ଫସଲ ପାଇଁ ଏମଏସପି କେବଳ ଘୋଷଣା ହେବା ଯଥେଷ୍ଟ ନୁହେଁ । ସବୁ କୃଷି ଉତ୍ପାଦ ସରକାରୀ ଭାବେ ସଂଗ୍ରହ ହୋଇ ପାରୁ ନ ଥିବାରୁ ବେପାରୀ ଯେତେବେଳେ ଘର ପାଖରୁ ସେହି ଖାଦ୍ୟଶସ୍ୟ ସଂଗ୍ରହ କରୁଛି ସେତେବେଳେ ଚାଷୀର ଆଉ ମୂଲଚାଲ କ୍ଷମତା ରହୁନାହିଁ ଓ ବସ୍ତୁତଃ ସେ ଏମଏସପିଠାରୁ କମ ଦାମରେ ବିକିବାକୁ ଏକପ୍ରକାର ବାଧ୍ୟ ହେଉଛି । ଛୋଟ ବେପାରୀଟିଏ ଆଗରେ ଚାଷୀଟିଏ ତାର ମୂଲଚାଲ କ୍ଷମତାକୁ ସୁରକ୍ଷିତ ରଖିବାକୁ ଅସମର୍ଥ ହେଉଥିବା ବେଳେ ବଡ ବଡ କମ୍ପାନୀ ସିଧାସଳଖ ଚାଷୀଙ୍କଠାରୁ କିଣିବା ଆରମ୍ଭ କଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଟିଏ, ଉଚିତ ମୂଲ୍ୟ ପାଇବାକୁ କେତେ ଦୂର ସମର୍ଥ ହେବ, ତାହା ସହଜରେ ଅନୁମେୟ । ଉଲ୍ଲେଖଯୋଗ୍ୟ, ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ ହେଉଛନ୍ତି ଏହି ବର୍ଗର । ଅର୍ଥାତ୍, କାଗଜ କଲମରେ ଏମଏସପି ତ ଘୋଷଣା  ହେଉଥିବ, ହେଲେ ବେପାରୀମାନେ ଚାଷୀଙ୍କଠାରୁ ସେହି ମୂଲ୍ୟରେ କିଣୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରି ହେବନାହିଁ । ସରକାରଙ୍କ ଯୁକ୍ତି ହେଉଛି ଏହି ବ୍ୟବସ୍ଥାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ସର୍ବାଧିକ ମୂଲ୍ୟ ମିଳିବ କାରଣ ଅଧିକ ବେପାରୀ ଚାଷୀଙ୍କ ନିକଟରୁ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ଆଗେଇ ଆସିଲେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢି ଚାଷୀ ଲାଭାନ୍ୱିତ ହେବ । ତାହା ହୋଇ ପାରିଲେ ଭଲ, କିନ୍ତୁ ଅନୁଭବ କହିଥାଏ ଯେ କୌଣସି ନିୟନ୍ତ୍ରଣ ନ ଥାଇ କମ୍ପାନୀମାନଙ୍କୁ ଚାଷୀଙ୍କଠାରୁ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ଛାଡି ଦିଆଗଲେ ସେମାନେ ଅଧିକ ମୂଲ୍ୟ ଦେବା ତ ଦୂରର କଥା, ସରକାରଙ୍କ ଘୋଷିତ ଏମଏସପି ମଧ୍ୟ ଦେବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ବିହାର, ଯେଉଁଠାରେ ପ୍ରାୟ ୧୫ ବର୍ଷ ତଳୁ ମଣ୍ଡି ବ୍ୟବସ୍ଥାକୁ ଉଠାଇ ଦିଆ ଯାଇଥିଲେ ବି ସେଠାରେ ଚାଷୀକୁ ଅନ୍ୟ ରାଜ୍ୟ ତୁଳନାରେ ଧାନ ଦର କମ ମିଳୁଛି । ଫଳରେ ଚାଷୀ ଅତ୍ୟଧିକ ଶୋଷଣର ଶିକାର ହେବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ଏହା ଦୂର କରିବାକୁ ହେଲେ ଚାଷୀକୁ ଏମଏସପିର ଏକ ସୁରକ୍ଷା ବଳୟ ପ୍ରଦାନ କରିବା ପାଇଁ ଆଇନ ପ୍ରଣୟନ ହେବା ଆବଶ୍ୟକ । ଅର୍ଥାତ୍, ସରକାରୀ ସଂସ୍ଥା ବା ଅନ୍ୟ କେହି ଚାଷୀଙ୍କଠାରୁ ଏମଏସପିରୁ କମ ଦାମରେ ଖାଦ୍ୟଶସ୍ୟ ସଂଗ୍ରହ କରିପାରିବେ ନାହିଁ ଓ ତାହାର ଉଲ୍ଲଂଘନ ଏକ ଧର୍ତ୍ତବ୍ୟ ଅପରାଧ ହେବ । ଏହି ନ୍ୟାୟସଙ୍ଗତ ଦାବିଟିକୁ ଗ୍ରହଣ କରି ଆଇନ ଅନ୍ତର୍ଭୁକ୍ତ କରିବା ଲାଗି ବର୍ତ୍ତମାନ ଚାଷୀ ସଂଗଠନମାନେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି ।

ନୂତନ କୃଷି ଆଇନଗୁଡିକୁ ସରକାର ସଂସ୍କାରମୂଳକ କହୁଥିବା ବେଳେ ଚାଷୀ ସଂଗଠନମାନେ ସେଗୁଡିକୁ ଚାଷୀ ବିରୋଧୀ ବୋଲି ଅଭିହିତ କରୁଛନ୍ତି । ଏହି ଆଇନ ଲାଗି ପୂର୍ବରୁ ଚାଷୀଙ୍କ ତରଫରୁ କୌଣସି ଦାବି ଉଠି ନ ଥିବାରୁ ଆଇନ ପ୍ରଣୟନ ପୂର୍ବରୁ ଚାଷୀ ଓ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା ହୋଇଥିଲେ ହୁଏତ ଏଭଳି ଚାଷୀ ଆନ୍ଦୋଳନକୁ ଏଡାଇ ହୋଇ ପାରି ଥାଆନ୍ତା । ୨୦୧୧ ମସିହାରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖି ଦାବି ଜଣାଇଥିଲେ ଯେ ଏମଏସପିକୁ ଆଇନ ପରିସରଭୁକ୍ତ କରାଯାଇ ଚାଷୀମାନଙ୍କୁ ଶୋଷଣର ଶିକାର ହେବାରୁ ରକ୍ଷା କରାଯାଉ । ବର୍ତ୍ତମାନ ଠିକ ସେହି ଏକା ଦାବି କରୁଥିବା ଚାଷୀ ସଙ୍ଗଠନମାନଙ୍କର କହିବାର କଥା ଯେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମୋଦିଙ୍କ ମନର କଥାକୁ ଶୁଣି ଏମଏସପିକୁ ଆଇନର ପରିସରଭୁକ୍ତ କରିବାକୁ ପଦକ୍ଷେପ ନିଅନ୍ତୁ । ନ ହେଲେ ସରକାରଙ୍କ ପ୍ରତି ବିଶ୍ୱାସ ସଙ୍କଟ ଦେଖା ଦେଇ ଚାଷୀ ମନରେ ବାରମ୍ୱାର ପ୍ରଶ୍ନ ଉଠୁଥିବ ଏମଏସପି ରହିବ ତ ? ଆଉ ରହିଲେ ବା ଲାଭ କଣ ଚାଷୀ ସେହି ମୂଲ୍ୟ ପାଇବାକୁ ଅସମର୍ଥ ହେଲେ ?


Published in Sambad on December 01, 2020

 

Comments

  1. It is a fact that the quàntity of buffer stock is mounting which will likely to affect intention of Government to reduce the MSP subsidy.Punjab & Haryana farmers are benefitted lot from MSP.So their apprehension about MSP purchase is justified.Every thing cannot be implemented by passing law.It needs to be discussed amicably with farmers representative.

    ReplyDelete
  2. Very informative. Brilliant article.

    ReplyDelete
  3. Its the reality. excellent effort.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ