Skip to main content

ଟ୍ରମ୍ପଙ୍କ ଟାରିଫର ସମ୍ଭାବ୍ୟ ପ୍ରଭାବ

‘ଆମେରିକାକୁ ପୁଣିଥରେ ମହାନ କର’ ( ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ବା ମାଗା) ଭଳି ସ୍ଳୋଗାନ ସହ  ଟ୍ରମ୍ପ ଦ୍ୱିତୀୟ ଦଫା ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସ୍ପଷ୍ଟ କରିଥିଲେ ଯେ ବର୍ଦ୍ଧିତ ଟାରିଫ୍ ଲଗାଇ ସେ ବିଭିନ୍ନ ଦେଶ ସହ ଥିବା ବାଣିଜ୍ୟିକ ଅସନ୍ତୁଳନକୁ ଦୂର କରିବେ। ଏଥିଲାଗି ତୁରନ୍ତ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ସେ ବିଭିନ୍ନ ଦେଶକୁ ଆହ୍ୱାନ ଜଣାଇଥିଲେ। ସେହି କ୍ରମରେ ଗତ ଏପ୍ରିଲ ମାସରୁ ସେ ଦେଶଗୁଡ଼ିକ ଉପରେ ବର୍ଦ୍ଧିତ ଟାରିଫ୍ ଲଗାଇବା ଆରମ୍ଭ କରିଥିଲେ ବି ଅଗଷ୍ଟ ପହିଲା ଯାଏଁ ମହଲତ ଦେଇଥିଲେ। ଇତିମଧ୍ୟରେ ଭାରତର ବାଣିଜ୍ୟ ମନ୍ତ୍ରାଳୟର ପ୍ରତିନିଧିମଣ୍ଡଳ ଆମେରିକା ସହ ବାର୍ତ୍ତାଳାପ ଜାରି ରଖିଥିଲେ। ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଟ୍ରମ୍ପଙ୍କ ସହ ବ୍ୟକ୍ତିଗତ ସୁସମ୍ପର୍କ ଥିବାରୁ ହୁଏତ ଭାରତ ଉପରେ ଆମେରିକାର ଟାରିଫ୍ ହାର ଅପେକ୍ଷାକୃତ କମ ହେବ। କିନ୍ତୁ ବାଣିଜ୍ୟ ଚୁକ୍ତିକୁ ଅପେକ୍ଷା ନ କରି ଟ୍ରମ୍ପ୍ ଭାରତ ଉପରେ ଅଗଷ୍ଟ ପହିଲାରୁ ୨୫ ପ୍ରତିଶତ ଟାରିଫ୍ ଲାଗିବ ବୋଲି ଘୋଷଣା କରିବାର ୭ ଦିନ ମଧ୍ୟରେ ଭାରତ ରୁଷିଆଠାରୁ ତେଲ କିଣୁଥିବାରୁ ଜୋରିମାନା ସ୍ୱରୂପ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ କଷିବା କଥା ଘୋଷଣା କଲେ। ଏହା ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ। ଅର୍ଥାତ୍ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଆମଦାନି ଶୁଳ୍କ ଲାଗିଛି।, ଭାରତ ଛଡ଼ା ଆଉ କେବଳ ବ୍ରାଜିଲ ଉପରେ ୫୦ ପ୍ରତିଶତ ଟାରିଫ ଲାଗିଛି। ଏଥିରୁ ତାଙ୍କର ଭାରତ ପ୍ରତି ଥିବା ଦ୍ୱେଷର ଆଭାସ ମିଳୁଥିଲେ ବି ତା’ର କାରଣ ଓ ଏହା ଦ୍ୱାରା ଭାରତ ଉପରେ ପଡ଼ିବାକୁ ଯାଉଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଉ।

ବାଣିଜ୍ୟ ଦୃଷ୍ଟିରୁ ଭାରତ ଏକ ଅତ୍ୟଧିକ ସଂରକ୍ଷଣବାଦୀ ଦେଶ ବୋଲି ଟ୍ରମ୍ପ ବରାବର କହି ଆସିଛନ୍ତି। ଅନେକ ବାଣିଜ୍ୟ ଓ ଅଣ-ବାଣିଜ୍ୟ ଅବରୋଧ ଜରିଆରେ ଭାରତ ବଜାରରେ ଆମେରିକାର ପ୍ରବେଶକୁ ବାଧା ଦିଆଯାଉଛି ବୋଲି ତାଙ୍କ ଧାରଣା। ଏହି କାରଣରୁ ଭାରତ ଆମେରିକାକୁ ଅଧିକ ରପ୍ତାନି କରୁଛି, ଅଥଚ ଆମେରିକୀୟ ସାମଗ୍ରୀ କମ ଆମଦାନି କରୁଛି। ତେଣୁ ଆମେରିକା ସହ ବାଣିଜ୍ୟରେ ଭାରତ ଏକ ବଳକା ଦେଶରେ ପରିଣତ ହେଉଛି। ଟ୍ରମ୍ପଙ୍କ ବିଚାରରେ ଭାରତ ଉପରେ ବର୍ଦ୍ଧିତ ଟାରିଫ ଲାଗିଲେ ଭାରତରୁ ରପ୍ତାନୀ ହ୍ରାସ ପାଇବ। ଫଳରେ ଆମେରିକାର ବାଣିଜ୍ୟ ନିଅଣ୍ଟ କମିବ। ତାଙ୍କର ଦ୍ୱିତୀୟ ଅଭିଯୋଗ, ଭାରତ ଦ୍ୱାରା ରୁଷିଆରୁ ବିପୁଳ ପରିମାଣରେ ଅଶୋଧିତ ତେଲ ଖର୍ଦ୍ଦି। କ୍ଷମତାକୁ ଆସିବା ପରେ ସେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିଦେବେ ବୋଲି ଟ୍ରମ୍ପ ବାରମ୍ୱାର କହି ଆସୁଥିଲେ। କିନ୍ତୁ, ସେଥିରେ ସଫଳତା ହାସଲ କରିପାରିନାହାନ୍ତି। ଏହା ତାଙ୍କ ହତାଶାର ଏକ କାରଣ। ଆମେରିକାର ଧାରଣା ହେଲା ରୁଷିଆ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ନ ହେବା ପର‌୍ୟ୍ୟନ୍ତ ୟୁକ୍ରେନ ଯୁଦ୍ଧ ସମାପ୍ତ ହେବନାହିଁ। ‘କିଭ୍ ସ୍କୁଲ୍ ଅଫ ଇକୋନୋମିକସ’ର ଆକଳନ ଅନୁଯାୟୀ ଭାରତ ରୁଷିଆରୁ ମାସିକ ପ୍ରାୟ ୧୦୦ କୋଟି ଡଲାର ମୂଲ୍ୟର ତେଲ କିଣୁଛି। ୟୁକ୍ରେନ ଯୁଦ୍ଧରେ ରୁଷିଆ ସମ ପରିମାଣର ଅର୍ଥ ବ୍ୟୟ କରୁଛି। ତେଣୁ ରୁଷିଆକୁ ଯୁଦ୍ଧ ଚାଲୁ ରଖିବା ଲାଗି ଭାରତ ପରୋକ୍ଷ ରୂପେ ଆର୍ଥିକ ସାହାଯ୍ୟ କରୁଛି ବୋଲି ଟ୍ରମ୍ପଙ୍କ ଅଭିଯୋଗ। ତୃତୀୟ କାରଣଟି ହେଉଛି ବ୍ରିକ୍ସ ଗୋଷ୍ଠୀରେ ଭାରତର ପ୍ରମୁଖ ଭୂମିକା। ବ୍ରାଜିଲ୍, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଭଳି ପ୍ରତିଷ୍ଠାତା ରାଷ୍ଟ୍ରଗୁଡ଼ିକୁ ନେଇ ଗଠିତ ବ୍ରିକ୍ସର ଶିଖର ସମ୍ମିଳନୀ ନିକଟରେ ବ୍ରାଜିଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଟ୍ରମ୍ପ ଖୋଲାଖୋଲି କହିଥିଲେ ଯେ ବ୍ରିକ୍ସ ତରଫରୁ ଆମେରିକା ସ୍ୱାର୍ଥ ବିରୋଧୀ କୌଣସି ପଦକ୍ଷେପ ନିଆଗଲେ ସେ ପ୍ରତିଶୋଧମୂଳକ ପଦକ୍ଷେପ ନେବେ। ବ୍ରିକ୍ସ ତରଫରୁ ଏକ ସାଧାରଣ ବିନିମୟ ମୁଦ୍ରାର ପ୍ରଚଳନ ଲାଗି ଆଗ୍ରହର ଉଦ୍ଦେଶ୍ୟ ଆମେରିକୀୟ ଡଲାରକୁ ଦୁର୍ବଳ କରିବା ବୋଲି ସେ କହନ୍ତି, ଯାହା ତାଙ୍କ ଲାଗି ଅସହ୍ୟ। ଇତିମଧ୍ୟରେ ବ୍ରାଜିଲ ଓ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ, ଚୀନ ଓ ଦକ୍ଷିଣ ଆଫ୍ରିକା ଉପରେ ୩୦ ପ୍ରତିଶତ ଲେଖାଏଁ ଟାରିଫ ଲଗା ଯାଇସାରିଛି। ୟୁକ୍ରେନ ଯୁଦ୍ଧ ପରେ ବ୍ୟାପକ ବାସନ୍ଦର ଶିକାର ରୁଷିଆ ଉପରେ ୧୦୦ ପ୍ରତିଶତ ଟାରିଫର ଖଣ୍ଡା ଝୁଲୁଛି। କେବଳ ସେତିକି ନୁହେଁ ରୁଷିଆକୁ ଦଣ୍ଡିତ କରିବା ଲାଗି ରୁଷିଆ ସହ ବାଣିଜ୍ୟରେ ଲିପ୍ତ ଦେଶଗୁଡ଼ିକ ଉପରେ ଆହୁରି ଅତିରିକ୍ତ ୧୦୦ ପ୍ରତିଶତ ଟାରିଫ୍ ଲଗାଯିବ ବୋଲି ସେ ଧମକ ଦେଇଛନ୍ତି। ଭାରତ ରୁଷିଆରୁ ତେଲ କିଣା ବନ୍ଦ ନ କଲେ ତା ଉପରେ ମଧ୍ୟ ୧୫୦ ପ୍ରତିଶତ ଟାରିଫ୍ ଲାଗୁ ହେବାର ଭୟ ରହିଛି। କେତେକ ବିଶ୍ଳେଷକଙ୍କ ମତରେ ଅତ୍ୟଧିକ ଟାରିଫ ଲାଗୁ କରି ଆମେରିକାକୁ ସୁହାଇଲା ଭଳି ବାଣିଜ୍ୟ ଚୁକ୍ତି ପାଇଁ ଭାରତ ଉପରେ ଚାପ ପକାଇବାକୁ ଏହା ଏକ କୌଶଳ ହୋଇପାରେ।    

ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଉଥିଲା ଓ ୨୦୩୦ ମସିହା ସୁଦ୍ଧା ଏହାକୁ ୫୦୦୦୦ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୦୨୪ ଆର୍ଥିକ ବର୍ଷରେ ବିଭିନ୍ନ ଦେଶକୁ ଭାରତରୁ ୪୩୭୧୦ କୋଟି ଡଲାର ମୂଲ୍ୟର ପଣ୍ୟ ରପ୍ତାନି ହୋଇଥିଲା। ତନ୍ମଧ୍ୟରୁ ସର୍ବାଧିକ ୮୭୩୦ କୋଟି ଡଲାର ମୂଲ୍ୟର ପଣ୍ୟ ବା ପ୍ରାୟ ୨୦ ପ୍ରତିଶତ ଆମେରିକାକୁ ରପ୍ତାନି ହୋଇଥିଲା। ଅନ୍ୟ ପକ୍ଷରେ ଭାରତ ଆମେରିକାରୁ ୪୧୬୦ କୋଟି ଡଲାର ମୂଲ୍ୟର ପଣ୍ୟ ଆମଦାନି କରିଥିଲା। ତେଣୁ ଭାରତ ସହ ଆମେରିକାର ବାଣିଜ୍ୟ ନିଅଣ୍ଟର ମୂଲ୍ୟ ଥିଲା ୪୫୭୦ କୋଟି ଡଲାର। ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ସର୍ବାଧିକ ହେଉଛି ୮୧୦ କୋଟି ଡଲାର ମୂଲ୍ୟର ଔଷଧ, ୬୫୦ କୋଟି ଡଲାରର ଟେଲିକମ ଉପକରଣ ଓ ୫୩୦ କୋଟି ଡଲାର ମୂଲ୍ୟର ରତ୍ନ ପଥର।  ବର୍ଦ୍ଧିତ ଶୁଳ୍କ ଯୋଗୁଁ ସବୁଠାରୁ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା କ୍ଷେତ୍ରଗୁଡ଼ିକ ହେଲା ରତ୍ନ ପଥର ଓ ଗହଣା, ଲୁଗା ଓ ପୋଷାକପତ୍ର, ଚମଡ଼ା ସାମଗ୍ରୀ, ରାସାୟନିକ ପଦାର୍ଥ, ଯାନବାହନ ଓ ଯନ୍ତ୍ରାଂଶ, ସମୁଦ୍ରଜାତ ଖାଦ୍ୟପଦାର୍ଥ, କୃଷିଜାତ ଦ୍ରବ୍ୟ, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ଲୁହା, ଆଲୁମିନିଅମ ଇତ୍ୟାଦି । କିନ୍ତୁ ଔଷଧ, ଇଲେକ୍ଟ୍ରୋନିକସ ଓ ସେମିକଣ୍ଡକ୍ଟର, ତେଲ ଓ ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ରପ୍ତାନି ଉପରେ କୌଣସି ଶୁଳ୍କ ନ ଥିବାରୁ ଏଗୁଡ଼ିକର ରପ୍ତାନି ପ୍ରଭାବିତ ହେବନାହିଁ। ଅନ୍ୟ ପକ୍ଷରେ ଆମେରିକା ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ଲାଗି କୃଷିଜାତ, ଦୁଗ୍ଧତାତ ଦ୍ରବ୍ୟଗୁଡ଼ିକୁ ଏକରକମ ଜିଦ୍ ଧରି ବସିଛି। କିନ୍ତୁ ଏହାଦ୍ୱାରା କୋଟି କୋଟି ଭାରତୀୟ ଚାଷୀଙ୍କ ସ୍ୱାର୍ଥହାନିର ଆଶଙ୍କା ଥିବାରୁ ଭାରତ ଏ ନେଇ ଅରାଜି, ଯେଉଁ କାରଣରୁ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇପାରୁନାହିଁ।  

ଅତ୍ୟଧିକ ଟାରିଫ ଲଗାଯିବା ପରେ ଭାରତୀୟ ଟଙ୍କାର ମୂଲ୍ୟ ଦ୍ରୁତ ହ୍ରାସ ପାଇଚାଲିଛି। ୧୦ ଜୁଲାଇ ଦିନ ଗୋଟିଏ ଡଲାର ପାଇବାକୁ ୮୫.୨୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ମାତ୍ର ମାସକ ମଧ୍ୟରେ ଟଙ୍କାର ମୂଲ୍ୟ ୨.୩୮ ଟଙ୍କା ହ୍ରାସ ପାଇ ୧୦ ଅଗଷ୍ଟରେ ୮୭.୫୮ ଟଙ୍କା ଦେବାକୁ ପଡ଼ୁଛି। ଫଳରେ ବିଭିନ୍ନ ଦେଶରୁ ହେଉଥିବା ଆମଦାନି ପାଇଁ ଆମକୁ ଅଧିକ ଡଲାର ବ୍ୟୟ କରିବାକୁ ହେବ ଯାହା ପରୋକ୍ଷରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ହୋଇପାରେ। ଏହାଦ୍ୱାରା ଆମ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଚାପଗ୍ରସ୍ତ ହେବ। ବିଦେଶୀ ଋଣ ନେଇଥିବା ଭାରତୀୟ କମ୍ପାନୀଗୁଡ଼ିକ ଲାଗି ଋଣ ମହଙ୍ଗା ହେବ, ଯାହା ସେମାନଙ୍କ କ୍ଷତିର କାରଣ ହୋଇପାରେ। ଗତ ମାସକ ମଧ୍ୟରେ ପୁଞ୍ଜିବଜାରରେ ସେନସେକ୍ସ ପ୍ରାୟ ୪୦୦୦ ଅଙ୍କ ହ୍ରାସ ପାଇ ୭୯୮୫୭ରେ ପହଞ୍ଚି ଅନିଶ୍ଚିତତା ସୃଷ୍ଟି କଲାଣି। ମୁଡ଼ି, ଗୋଲଡମ୍ୟାନ୍ ସାକ୍ସ ପରି ରେଟିଂ ସଂସ୍ଥାଗୁଡ଼ିକର ଆକଳନ ଅନୁଯାୟୀ ଏହି ଟାରିଫ୍ ବୃଦ୍ଧି ଯୋଗୁଁ ଭାରତର ଜିଡିପିର ବୃଦ୍ଧି ହାର ୦.୨ରୁ ୦.୫ ପ୍ରତିଶତ ହ୍ରାସ ପାଇପାରେ। ତେଣୁ ୨୦୨୬ ଆର୍ଥିକ ବର୍ଷ ଲାଗି ଜିଡିପି ବୃଦ୍ଧି ହାରର ଅନୁମାନକୁ ୬.୫ ପ୍ରତିଶତରୁ କମାଇ ୬ ପ୍ରତିଶତ କରାଗଲାଣି। ଭାରତରୁ ରପ୍ତାନି ମହଙ୍ଗା ହୋଇ ଅନିଶ୍ଚିତତା ଲାଗି ରହିଲେ ଭାରତରେ ପୁଞ୍ଜି ନିବେଶ କରିବା ଲାଗି ବିଦେଶୀ କମ୍ପାନୀଗୁଡ଼ିକ ପଛଘୁଞ୍ଚା ଦେବେ। ଏ ସବୁର ପ୍ରଭାବ ନିଯୁକ୍ତି ଓ କର୍ମସଂସ୍ଥାନ ଉପରେ ପଡ଼ିବ। ଏକ ଆକଳନ ଅନୁସାରେ ହାରାହାରି ୧୦୦ କୋଟି ଡଲାରର ରପ୍ତାନି ହ୍ରାସ ପାଇଲେ ପ୍ରାୟ ଏକ ଲକ୍ଷ ନିଯୁକ୍ତି ସୁଯୋଗ ହ୍ରାସ ପାଇଥାଏ।          

ଟାରିଫ୍ ବୃଦ୍ଧିର ବଡ଼ ଧରଣର ପ୍ରଭାବ ଓଡ଼ିଶାରୁ ଆମେରିକାକୁ ହେଉଥିବା ରପ୍ତାନୀ ଉପରେ ମଧ୍ୟ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଓଡ଼ିଶାରୁ ପ୍ରଚୁର ପରିମାଣରେ ଚିଙ୍ଗୁଡ଼ି ଓ ଅନ୍ୟ ସମୁଦ୍ରଜାତ ଖାଦ୍ୟ ଆମେରିକାକୁ ରପ୍ତାନୀ ହୋଇଥାଏ। ଶୁଳ୍କ ବୃଦ୍ଧି କାରଣରୁ ଓଡ଼ିଶାରୁ ଚିଙ୍ଗୁଡ଼ି ରପ୍ତାନୀ ଏକପ୍ରକାର ବନ୍ଦ ହୋଇସାରିଲାଣି। ଏହା ଫଳରେ ଓଡ଼ିଶାର ଚିଙ୍ଗୁଡ଼ି ଚାଷୀ ପ୍ରଭାବିତ ହେବା ସୁନିଶ୍ଚିତ। ଏଥି ସହ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ ନିଯୁକ୍ତ ହଜାର ହଜାର ଶ୍ରମିକ ରୋଜଗାର ହରାଇବାର ଆଶଙ୍କା ସୃଷ୍ଟି ହେବ। ସେହିପରି ଓଡ଼ିଶାରୁ ହେଉଥିବା ହସ୍ତତନ୍ତ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀର ରପ୍ତାନୀ ମଧ୍ୟ ହ୍ରାସ ପାଇପାରେ।    

ଆମେରିକାର ଏହି ଅତ୍ୟଧିକ ଟାରିଫ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଇତିମଧ୍ୟରେ ଅଧିକାଂଶ ଦେଶ ଆମେରିକା ସହ ବାଣିଜ୍ୟ ଚୁକ୍ତି କରିସାରିଲେଣି ଓ ସଂଖ୍ୟାଧିକ ଦେଶ ଉପରେ ୧୫ରୁ ୨୦ ପ୍ରତିଶତ ଟାରିଫ ଲଗାଯାଇଛି। ଯଦି ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଉଛି ତେବେ ଭାରତ ମଧ୍ୟ ଚୀନ, ବ୍ରାଜିଲ, ଭଳି ଆମେରିକା ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲଗାଇବା ଉଚିତ ବୋଲି କେହି କେହି ମତ ବ୍ୟକ୍ତ କରୁଛନ୍ତି। କିନ୍ତୁ ସେ କ୍ଷେତ୍ରରେ ତା’ ଉପରେ ଅଧିକ ଟାରିଫ୍ ଲଗାଯିବ ବୋଲି ଆମେରିକା ସ୍ପଷ୍ଟ କରିସାରିଥିବାରୁ ସେଭଳି ପଦକ୍ଷେପ ଭାରତ ହିତରେ ହେବନାହିଁ। ଆମାଜନ ଊଳି କମ୍ପାନୀଗୁଡ଼ିକ ଉପରେ ‘ଡିଜିଟାଲ ଟିକସ’, ଜେନେରିକ୍ ଔଷଧର ରପ୍ତାନୀ ଉପରେ କଟକଣା ଭଳି ପ୍ରତିଶୋଧମୂଳକ ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତାବମାନ ଦିଆଯାଉଛି। ମାତ୍ର, ଆବେଗର ବଶବର୍ତ୍ତୀ ହୋଇ କୌଣସି ନିଷ୍ପତ୍ତି ନେବା ସମୀଚୀନ ନୁହେଁ। ଆମେରିକା ସହ ଉପଯୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଆବଶ୍ୟକ। କାରଣ କୌଣସି ପ୍ରକାର ମୁକାବିଲାକୁ ଟ୍ରମ୍ପ ବ୍ୟକ୍ତିଗତ ସ୍ତରରେ ନେଉଥିବାରୁ ତଦ୍ଦ୍ୱାରା ଭାରତ-ଆମେରିକା ସମ୍ପର୍କ ଅଧିକ ତିକ୍ତ ହୋଇପାରେ। ସେତେବେଳେ ମାମଲା ଆଉ କେବଳ ଟାରିଫ୍ ଭିତରେ ସୀମିତ ରହିବ ନାହିଁ। ପ୍ରସଙ୍ଗତଃ ପ୍ରକାଶ ଥାଉ କି, ଭାରତୀୟଙ୍କ ବଦଳରେ ଆମେରିକୀୟଙ୍କୁ ଅଧିକ ନିଯୁକ୍ତି ଦେବା ଲାଗି ସେ ଗୁଗଲ, ମାଇକ୍ରୋସଫ୍ଟ, ଆପଲ୍ ଭଳି ଆଇଟି କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇସାରିଲେଣି।

ରୁଷିଆରୁ ଆସୁଥିବା ଶସ୍ତା ତେଲ ଏବେ ଆଉ ସେତେ ଶସ୍ତା ହୋଇ ରହିନାହିଁ। ପ୍ରାରମ୍ଭିକ ଅବସ୍ଥାରେ ବ୍ୟାରେଲ ପିଛା ଏହା ୨୦-୩୦ ଡଲାର ଯାଏଁ ଶସ୍ତା ଥିବା ବେଳେ ବର୍ତ୍ତମାନ ଏହା ୫ ଡଲାରରୁ ଅଧିକ ଶସ୍ତା ନୁହେଁ। ଅର୍ଥାତ୍, ରୁଷିଆରୁ ତେଲ କିଣିବା ଜାରି ରଖିଲେ ଭାରତ ବାର୍ଷିକ ଅତି ବେଶିରେ ୨୦୦ କୋଟି ଡଲାର ସଞ୍ଚୟ କରିପାରେ। ତେବେ ରୁଷିଆରୁ ତେଲ ଆମଦାନି କରିବ ନା ନାହିଁ ସେ ନିଷ୍ପତ୍ତି ଭାରତ ହିଁ ନେବ। ଆମେରିକା ସେ ନେଇ କୌଣି ସର୍ତ୍ତ ଆରୋପ କରିପାରିବ ନାହିଁ। ଅବଶ୍ୟ ଭୂ-ରାଜନୈତିକ ସ୍ଥିତିର ଉପଯୁକ୍ତ ଆକଳନ କରି ଜାତୀୟ ସ୍ୱାର୍ଥ ଓ ସାର୍ବଭୌମତ୍ୱର ସୁରକ୍ଷା ପ୍ରତି ଧ୍ୟାନ ଦେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା। ଟ୍ରମ୍ପ ପ୍ରକରଣରୁ ଗୋଟିଏ ଶିକ୍ଷା ମିଳିଲା ଯେ ନେତାଙ୍କ ସମ୍ପର୍କର ନିକଟତାକୁ ଦର୍ଶାଉଥିବା ଆଲିଙ୍ଗନକୁ ଦେଖି କିଛି ଲୋକ ଉତଫୁଲ୍ଲିତ ହେବାର କାରଣ ନାହିଁ। କାରଣ ଦେଶ ଦେଶ ମଧ୍ୟରେ ସମ୍ପର୍କ ନିର୍ଦ୍ଧାରଣ କରେ ରାଜନୀତି, ରଣନୀତି, କୂଟନୀତି ଓ ବାଣିଜ୍ୟ ନୀତି।


Published in Sambad on August 12, 2025


Comments

  1. Very well researched and analyzed articles with an appropriate conclusion. 👏

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...