Skip to main content

କାହିଁ ଗଲେ ‘ବଳରାମ’ ଏ ଘନ କାଳରେ !

ଜୁଲାଇ ୭ ତାରିଖ ରାଜ୍ୟ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ଟୁଇଟ୍ ମାଧ୍ୟମରେ ଲେଖିଲେ, “ବଳରାମ ଯୋଜନାରେ ଋଣ ମଞ୍ଜୁରିରେ ଅବହେଳା ଯୋଗୁଁ ଆମେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପୁରୁଷୋତ୍ତମପୁର ମୌଜାସ୍ଥିତ ଶାଖାକୁ ସିଲ୍ କରିଦେଇଛୁ” । ଏହି ଟୁଇଟ ଅଚିରେ ଭାଇରାଲ୍ ହୋଇଗଲା ଓ ତାକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟାମାନ ପ୍ରକାଶ ପାଇବାକୁ ଲାଗିଲା । ବ୍ୟାଙ୍କ ଶାଖାକୁ ସିଲ୍ କରିବା ତାଙ୍କର କ୍ଷମତା ପରିସରଭୁକ୍ତ କି ନୁହେଁ ତାହା ଭିନ୍ନ ପ୍ରସଙ୍ଗ ହୋଇପାରେ, ତେବେ ବ୍ୟାଙ୍କ ଶାଖାକୁ ସିଲ୍ କରି ‘ବଳରାମ’ ଯୋଜନାରେ ବ୍ୟାଙ୍କ ଋଣ ପ୍ରଦାନକୁ ଗତି  ପ୍ରଦାନ କରିବା ଯେ ଅସମ୍ଭବ ତାହା ସୁନିଶ୍ଚିତ । ତେବେ ରାଜ୍ୟରେ ବଳରାମ ଯୋଜନାରେ ଋଣ ପ୍ରଦାନ ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ କୁଣ୍ଠିତ ହେବାର କାରଣଗୁଡ଼ିକୁ ଅନୁଧ୍ୟାନ କରି ସେଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରାଗଲେ ହୁଏତ ଯୋଜନାର ଆଶାନୁରୂପ ଅଗ୍ରଗତି ହୋଇପାରନ୍ତା ।

ରାଜ୍ୟ ସରକାରଙ୍କ କୃଷି ଗଣନା ୨୦୧୫-୧୬ର ଆକଳନ ଅନୁଯାୟୀ ରାଜ୍ୟରେ ୪୮.୬୬ ଲକ୍ଷ କାର୍ଯ୍ୟକାରୀ ଚାଷଜୋତ (ଆଗ୍ରିକଲଚରାଲ ହୋଲଡିଂ) ଅଛି । ସେଥିମଧ୍ୟରୁ ୯.୦୫ ଲକ୍ଷ ଚାଷଜୋତକୁ ଭାଗଚାଷୀଙ୍କୁ ଭାଗ, ବଖରା ବା ସଞ୍ଜା (ଲିଜ୍) ଆକାରରେ ଦିଆଯାଇଛି । ଏଥିମଧ୍ୟରୁ ୨.୮୩ ଲକ୍ଷ ଚାଷଜୋତକୁ ସମ୍ପୂର୍ଣ୍ଣ ଭାବେ ବଖରା ଦିଆଯାଇଥିବା ବେଳେ ୬.୨୨ ଲକ୍ଷ ଚାଷଜୋତକୁ ଆଂଶିକ ଭାବେ ବଖରା ଦିଆଯାଇଛି । ଅର୍ଥାତ୍, ରାଜ୍ୟର ପ୍ରାୟ ୧୮.୬ ପ୍ରତିଶତ କାର୍ଯ୍ୟକାରୀ ଚାଷଜୋତ ଭାଗଚାଷୀମାନେ ଚାଷ କରିଥାଆନ୍ତି । ଏହି ଭାଗଚାଷୀଙ୍କ ମଧ୍ୟରୁ ପ୍ରାୟ ୯୩.୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ ବା ନାମମାତ୍ର ଚାଷୀ । ଅର୍ଥାତ୍ ଅବଶିଷ୍ଟ ପ୍ରାୟ ୬.୮ ପ୍ରତିଶତ ଭୂମିହୀନ ଶ୍ରେଣୀର ଅଟନ୍ତି । କ୍ରମଶଃ ବ୍ୟୟବହୁଳ ହୋଇ ପଡ଼ୁଥିବା ଚାଷକାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସେମାନଙ୍କ ନିକଟରେ ସମ୍ୱଳର ଯଥେଷ୍ଟ ଅଭାବ ଥିବାରୁ ସେମାନେ ମହାଜନ ଓ ଅନ୍ୟମାନଙ୍କଠାରୁ ଚଢ଼ା ହାର ସୁଧରେ ଋଣ ଆଣି ଶୋଷଣର ଶିକାର ହୁଅନ୍ତି । 

ତିନି ବର୍ଷ ତଳେ ୨୦୨୦ରେ ଯେତେବେଳେ ରାଜ୍ୟ ସରକାର ଭାଗଚାଷୀଙ୍କ ପାଇଁ 'ବଳରାମ' (ଭୂମିହୀନ ଆଗ୍ରିକଲଚରିଷ୍ଟ ଲୋନ ଆଣ୍ଡ ରିସୋର୍ସେସ୍ ଅଗମେଣ୍ଟେସନ୍ ମଡ଼େଲ) ଯୋଜନାର ଅୟମାରମ୍ଭ କଲେ ସେତେବେଳେ ଦୁଇ ବର୍ଷ ମଧ୍ୟରେ ୫ ଲକ୍ଷ ଭାଗଚାଷୀଙ୍କୁ ନେଇ ଏକ ଲକ୍ଷ ମିଳିତ ଦେୟ ଗୋଷ୍ଠୀ (ଜେଏଲଜି) ଗଠନ ସହ ସେଗୁଡ଼ିକୁ ବ୍ୟାଙ୍କ ଋଣ-ସଂଯୁକ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତଥ୍ୟ ଅନୁଯାୟୀ ୨୦୨୨-୨୩ ସୁଦ୍ଧା ରାଜ୍ୟରେ ୮୦୩୪୪ଟି ଜେଏଲଜି ଗଠିତ ହୋଇଥିଲା, ତନ୍ମଧ୍ୟର ୨୮,୫୬୭ଟି ଗୋଷ୍ଠୀଙ୍କୁ ୨୩୪.୫୦ କୋଟି ଟଙ୍କା ବ୍ୟାଙ୍କ ଋଣ ମଞ୍ଜୁର ହୋଇଛି । ତେବେ ସେଥିରୁ ୧୩,୯୮୭ଟି ଗୋଷ୍ଠୀଙ୍କୁ ମାତ୍ର ୧୦୭.୮୪ କୋଟି ଟଙ୍କା ଋଣ ବିତରିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଅନେକ ରାଜ୍ୟରେ ଜେଏଲଜିଙ୍କୁ ପ୍ରଦାନ କରାଯାଉଥିବା ଋଣ ରାଶି ସମୁଦାୟ ଚାଷ ଋଣ ରାଶିର ଏକ ପ୍ରମୁଖ ଅଂଶ ହୋଇଥିଲାବେଳେ ଓଡ଼ିଶାରେ ୨୦୨୨-୨୩ରେ ସମୁଦାୟ ଚାଷଋଣ ପରିମାଣ ୩୩,୧୩୭ କୋଟି ଟଙ୍କା ମଧ୍ୟରୁ ତାହା ମାତ୍ର ୫୫ କୋଟି ଟଙ୍କା  ବା ୦.୧୭ ପ୍ରତିଶତ । ଏ ପର୍ଯ୍ୟନ୍ତ ମାତ୍ର ୬୪୯୯୫ ଜଣ ଭାଗଚାଷୀ ବ୍ୟାଙ୍କ ଋଣ ହାସଲ କରିବାକୁ ସମର୍ଥ ହୋଇଛନ୍ତି ଯାହା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୩ ପ୍ରତିଶତ । ଅର୍ଥାତ୍ ପ୍ରତ୍ୟେକ ଗୋଷ୍ଠୀକୁ ହାରାହାରି ମାତ୍ର ୭୭୦୦୦ ଟଙ୍କା ଋଣ ମିଳିଥିବା ବେଳେ ସଦସ୍ୟମାନଙ୍କୁ ମିଳିଛି ହାରାହାରି ମାତ୍ର ୧୬୬୦୦ ଟଙ୍କା । କେବଳ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ୯୦ ପ୍ରତିଶତରୁ ଅଧିକ ଗୋଷ୍ଠୀଙ୍କୁ ଋଣ ଦେଇଥିବାରୁ ଜେଏଲଜିଙ୍କୁ ଋଣ ଦେବାରେ ଉଭୟ ସରକାରୀ ଓ ଘରୋଇ ବାଣିଜ୍ୟିକ ବ୍ୟାଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନେ ଯେ ବୀତସ୍ପୃହ, ତାହା ସୁସ୍ପଷ୍ଟ । 

ବଳରାମ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଗୋଟିଏ ଗୋଷ୍ଠୀକୁ ସର୍ବାଧିକ ୧.୬୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶିକା ଅନୁଯାୟୀ କୃଷି ଉଦ୍ଦେଶ୍ୟରେ ଗୋଟିଏ ଗୋଷ୍ଠୀକୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ଓ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସର୍ବାଧିକ ୧ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଦିଆଯାଇପାରିବ ।  ବଳରାମ ଯୋଜନାର ମାର୍ଗଦର୍ଶିକାକୁ ଅନୁସରଣ କଲେ ୧୦ ଜଣିଆ ଗୋଷ୍ଠୀର ଜଣେ ସଦସ୍ୟ ୧୬ ହଜାର ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ପାଇପାରିବନାହିଁ । ବର୍ତ୍ତମାନ ରାଜ୍ୟରେ ଏକ ଏକର ଧାନ ଚାଷ ପାଇଁ ହାରାହାରି ୩୦୦୦୦ ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଦିଆଯାଉଥିବାରୁ ଗୋଷ୍ଠୀ ସଦସ୍ୟମାନଙ୍କୁ ଉପଲବ୍ଧ ଋଣ ଚାଷ ପାଇଁ ଆବଶ୍ୟକ ପରିମାଣଠାରୁ ଯଥେଷ୍ଟ କମ ହେବ । ତା’ଛଡ଼ା ମିଳିତ ଦେୟ ଗୋଷ୍ଠୀଙ୍କୁ ବ୍ୟକ୍ତିଗତ (‘କ’ ମଡ଼େଲ) ଓ ଗୋଷ୍ଠୀଗତ (‘ଖ’ ମଡ଼େଲ), ଏହିପରି ୨ ପ୍ରକାରେ ଋଣ ଦେବାର ପ୍ରାବଧାନ ଥିବାରୁ ଅଧିକ ଜମିରେ ଚାଷ କରୁଥିଲେ ଗୋଷ୍ଠୀ ସଦସ୍ୟମାନଙ୍କୁ ‘କ’ ମଡ଼େଲରେ ଜଣକା ଏକ ଲକ୍ଷ ଟଙ୍କା ଯାଏଁ ବନ୍ଧକବିହୀନ ଚାଷ ଋଣ ଦିଆଯାଇପାରିବ । ତେଣୁ ରାଜ୍ୟ ସରକାର ମାର୍ଗଦର୍ଶିକାରେ ଆବଶ୍ୟକ ପରିବର୍ତ୍ତନ କରିବା ଦରକାର ।  ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶିକା ଅନୁଯାୟୀ ୧.୬୦ ଲକ୍ଷ ଟଙ୍କା ଯାଏଁ ଚାଷ ଋଣ ଉପରେ କୌଣସି ବନ୍ଧକର ଆବଶ୍ୟକତା ନଥାଏ, କାରଣ ଚାଷ ଋଣ ପାଇଁ କ୍ଷେତରେ ଠିଆ ହୋଇଥିବା ଫସଲ ହିଁ ବନ୍ଧକ ରୂପେ ଗ୍ରହଣ କରାଯାଇଥାଏ । ତେବେ ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶିକା ବ୍ୟକ୍ତିଗତ ଋଣ ପାଇଁ ପ୍ରଯୁଜ୍ୟ । ସମ୍ଭବତଃ ରାଜ୍ୟ ସରକାର ଏହି ବନ୍ଧକବିହୀନ ଋଣର ସୀମାକୁ ଦୃଷ୍ଟିରେ ରଖି ଜେଏଲଜିକୁ ଋଣପ୍ରଦାନ ସର୍ବାଧିକ ୧.୬୦ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିବାକୁ ଚାହିଁଛନ୍ତି । ସେହିପରି ବର୍ତ୍ତମାନ ଚାଷ ଋଣ ପାଇବା ପାଇଁ ଜେଏଲଜିର ସଦସ୍ୟମାନଙ୍କୁ ଏକ ୧୦୦ ଟଙ୍କିଆ ନନ୍-ଜୁଡ଼ିସିଆଲ ଷ୍ଟାମ୍ପ ପେପରରେ ପରସ୍ପର ମଧ୍ୟରେ ଏକ ଚୁକ୍ତି କରିବାକୁ ହୋଇଥାଏ । ରାଜ୍ୟରେ ଭାଗଚାଷୀଙ୍କୁ ଜେଏଲଜି ମାଧ୍ୟମରେ ଋଣପ୍ରଦାନ ପ୍ରକ୍ରିୟାକୁ ଗତି ପ୍ରଦାନ କରିବାକୁ ହେଲେ ସେମାନଙ୍କୁ ଷ୍ଟାମ୍ପ ଫି ଦେୟମୁକ୍ତ କରିବା କଥା ଚିନ୍ତା କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ କରୁଥିବା ପାରସ୍ପରିକ ଚୁକ୍ତି ମଧ୍ୟ ସମ୍ପୂର୍ଣ୍ଣ ଷ୍ଟାମ୍ପ ଫି ଦେୟମୁକ୍ତ ଅଟେ ।   

ଓଡ଼ିଶାରେ ଚାଷ ପାଇଁ ବ୍ୟାଙ୍କ ଋଣ ନେଉଥିବା ଅଧିକାଂଶ ଜେଏଲଜିର ସଦସ୍ୟ ଫସଲବୀମା ଅନ୍ତର୍ଭୁକ୍ତ ନୁହନ୍ତି । ସେମାନଙ୍କ ନାମରେ ଚାଷଜମି ନଥିବାରୁ ପ୍ରଧାନମନ୍ତ୍ରୀ ଫସଲବୀମା ପୋର୍ଟାଲରେ ସେମାନଙ୍କୁ ଯୋଗ କରି ହେଉନଥିବା ଦର୍ଶାଇ ସେମାନଙ୍କଠାରୁ ବୀମା ପ୍ରିମିୟମ କଟା ଯାଇନଥାଏ । ଫଳରେ ସେମାନେ ଫସଲବୀମା ସୁବିଧା ପାଇବାରୁ ବଞ୍ଚିତ ହୋଇଥାନ୍ତି ଓ ଫସଲ ନଷ୍ଟ ହେଲେ କୌଣସି କ୍ଷତିପୂରଣ ପାଇ ନଥାନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଭାଗଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ସମୁଦାୟ ଚାଷ ଋଣ ବାବଦକୁ ଭାଗଚାଷୀଙ୍କଠାରୁ କେତେ ପରିମାଣର ଫସଲବୀମା ପ୍ରିମିୟମ ଆଦାୟ ହୋଇଛି ଓ ସେମାନେ କେତେ ପରିମାଣରେ କ୍ଷତିପୂରଣ ପାଇଛନ୍ତି, ସେହି ତଥ୍ୟ ସାର୍ବଜନୀନ ହେଲେ ପ୍ରକୃତ ସମସ୍ୟାର ଗମ୍ଭୀରତାକୁ ବୁଝି ହେବ । ତେଣୁ ଏହାକୁ ‘ଏକ ପରିଚାଳନାଗତ ପ୍ରସଙ୍ଗ ଯାହାକୁ ସମାଧାନ କରିହେବ’ କହି ଏଡ଼ାଇ ଦିଆଗଲେ ତାହା ବର୍ଷ ବର୍ଷ ଧରି ସେହିପରି ଭାବେ ସମାଧାନ ନହୋଇ ଗଡ଼ି ଚାଲିଥିବ ଓ ଭାଗଚାଷୀମାନେ ହିଁ  କ୍ଷତିର ସମ୍ମୁଖୀନ ହେଉଥିବେ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଂଶଗ୍ରହଣ ନ କରି ପଶ୍ଚିମବଙ୍ଗ କାର୍ଯ୍ୟକାରୀ କରୁଥିବା ନିଜସ୍ୱ ‘ବାଙ୍ଗଲା ଶସ୍ୟବୀମା ଯୋଜନା’ରେ ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବି ଜେଏଲଜି ସଦସ୍ୟଙ୍କ ଫସଲବୀମାର ପ୍ରାବଧାନ ଥିବାରୁ ରାଜ୍ୟର ପ୍ରତିଟି ଭାଗଚାଷୀ କିପରି ଫସଲବୀମା ଯୋଜନା ଅନ୍ତର୍ଭୁକ୍ତ ହୋଇ ଲାଭାନ୍ୱିତ ହୋଇପାରିବେ ସେ ନେଇ ରାଜ୍ୟ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଅଧିକ ତତ୍ପରତା ପ୍ରଦର୍ଶନ କରିବା ଆବଶ୍ୟକ ।

ଧାନ ସଂଗ୍ରହ ସମୟରେ ଭାଗଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ପ୍ରାବଧାନ ରହିଛି । ଏଥିପାଇଁ ଜମି ମାଲିକ ଭାଗଚାଷୀ ଚାଷ କରିଥିବା କଥା ସାକ୍ଷ୍ୟ ଦେଲେ ବା ସରପଞ୍ଚ ଭାଗଚାଷୀଙ୍କ ବିବରଣୀ ପ୍ରଦାନ କଲେ ବା କୃଷି ବା ରାଜସ୍ୱ ବିଭାଗ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ରିପୋର୍ଟ ମିଳିଲେ ତାଙ୍କ ନାମ ପୋର୍ଟାଲରେ ପଞ୍ଜିକରଣ  କରାଯାଇପାରିଥାଏ । କିନ୍ତୁ ବାସ୍ତବତା ହେଉଛି ଠିକ୍ ସମୟରେ ଏହି ତିନୋଟି ମଧ୍ୟରୁ ଗୋଟିଏ ବି ସଂଗ୍ରହ କରିପାରୁ ନଥିବାରୁ ଅନେକ ଭାଗଚାଷୀଙ୍କର ନାମ ପଞ୍ଜିକୃତ ହୋଇପାରେନାହିଁ କି ସେମାନଙ୍କଠାରୁ ଧାନ ସଂଗ୍ରହ ହୋଇପାରେ ନାହିଁ । ଫଳରେ ସେମାନେ ଅନ୍ୟ ବେପାରୀଙ୍କୁ ଅଭାବୀ ବିକ୍ରି କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି । ଭାଗଚାଷୀଙ୍କଠାରୁ ଧାନ ସଂଗ୍ରହ ବ୍ୟବସ୍ଥିତ ଢଙ୍ଗରେ ନହେବା ଯୋଗୁଁ, ବ୍ୟାଙ୍କଗୁଡ଼ିକ ଋଣ ପରିଶୋଧ ନେଇ ଆଶଙ୍କା ପ୍ରକାଶ କରିଥାନ୍ତି । ଏହା ହିଁ ଭାଗଚାଷୀଙ୍କୁ ବ୍ୟାଙ୍କ ଋଣ ମିଳିବାରେ ଅନ୍ୟତମ ପ୍ରତିବନ୍ଧ ସାଜିଥାଏ ।         

ପଶ୍ଚିମବଙ୍ଗରେ ଜେଏଲଜିଗୁଡ଼ିକୁ ପ୍ରଦାନ କରାଯାଇଥିବା ବ୍ୟାଙ୍କ ଋଣର ପରିମାଣ ଉପରେ ଏକ ନଜର ପକାଯାଉ । ସେଠାରେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ରେ ଯଥାକ୍ରମେ ରେ ୪.୩୫ ଲକ୍ଷ, ୫.୧୮ ଲକ୍ଷ ଓ ୫.୮୬ ଲକ୍ଷ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରଯାଇଥିଲା ଓ ଋଣର ପରିମାଣ ଥିଲା ଯଥାକ୍ରମେ ୪୬୨୬ କୋଟି, ୪୬୦୨ କୋଟି ଓ ୬୨୪୧ କୋଟି ଟଙ୍କା । ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ‘ବଳରାମ’ ଭଳି କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲି ନଥିଲେ ବି ସେଠାରେ ହୋଇଥିବା ବ୍ୟାପକ ଭୂସଂସ୍କାର ଜେଏଲଜିଗୁଡ଼ିକୁ ଅଧିକ ପରିମାଣରେ ଋଣ ପ୍ରଦାନରେ ସହାୟକ ହୋଇଛି । ପ୍ରତ୍ୟେକ ଭାଗଚାଷୀ କିଏ କାହାର କେଉଁ ଜମି ଭାଗରେ ଚାଷ କରୁଛନ୍ତି ତା’ର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ସମ୍ପୃକ୍ତ ତହସିଲ ନିକଟରେ ଲିଖିତ ଆକାରରେ ଉପଲବ୍ଧ ଥାଏ । ତେଣୁ ସେଠାରେ ଭାଗଚାଷୀଙ୍କୁ ଓଡ଼ିଶା ପରି ଆଉ ‘ଚାଷ ପ୍ରମାଣପତ୍ର’ ସଂଗ୍ରହ କରିବାର ଆବଶ୍ୟକତା ଉପୁଜି ନଥାଏ କି ସେମାନଙ୍କୁ ଋଣ ପ୍ରଦାନରେ ବ୍ୟାଙ୍କଗୁଡ଼ିକର କୌଣସି କୁଣ୍ଠାର ଅବକାଶ ନଥାଏ । ଋଣ ପାଇବା ପାଇଁ ‘ଚାଷ ପ୍ରମାଣପତ୍ର’ ହୁଏତ ଏକ ସାମୟିକ ସମାଧାନ ହୋଇପାରେ, ତେବେ ସ୍ଥାୟୀ ସମାଧାନ ପାଇଁ ଭୂସଂସ୍କାର ଅନିବାର୍ଯ୍ୟ ଅଟେ । 

ନିକଟରେ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ ରୁରାଲ ଡେଭଲପମେଣ୍ଟ (ବାର୍ଡ) ଦ୍ୱାରା ୭ଟି ରାଜ୍ୟରେ ହୋଇଥିବା ଜେଏଲଜିର କାର୍ୟ୍ୟକାରିତା ସଂକ୍ରାନ୍ତୀୟ ଏକ ଅଧ୍ୟୟନରୁ ଜଣାପଡ଼େ ଯେ ଜେଏଲଜିର ସଦସ୍ୟମାନେ ସେମାନଙ୍କ ଋଣ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ବ୍ୟାଙ୍କ ଋଣରୁ ଭରଣା କରୁଥିବାବେଳେ ଅବଶିଷ୍ଟ ୫୦ ପ୍ରତିଶତ ପାଇଁ ଏସଏଚଜି, ଏମଏଫଆଇ, ମହାଜନ ଓ ବନ୍ଧୁବାନ୍ଧବଙ୍କ ଉପରେ ନିର୍ଭର କରିଥାନ୍ତି । ଓଡ଼ିଶାରେ ୮୭ ପ୍ରତିଶତ ଭାଗଚାଷୀ ଏ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଥିଲାବେଳେ ସେମାନେ ଘରୋଇ ଭାବେ ଶତ ପ୍ରତିଶତ ଋଣ ନେଇ କିପରି ଶୋଷଣର ଶିକାର ହେଉଥିବେ, ତାହା ସହଜରେ ଅନୁମେୟ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଭାଗଚାଷୀଙ୍କର ଜେଏଲଜି ଗଠନ ହେବା ଆବଶ୍ୟକ । ତେବେ ଏତେ ସଂଖ୍ୟକ ଭାଗଚାଷୀଙ୍କର ଜେଏଲଜି ତିଆରି କରିବା ପାଇଁ କେବଳ ‘ବିକାଶ ସାଥୀ’ଙ୍କ ଉପରେ ନିର୍ଭର କଲେ ଚଳିବ ନାହିଁ । ଜେଏଲଜି ତିଆରିପାଇଁ ନାବାର୍ଡ ତରଫରୁ ମିଳୁଥିବା ଆର୍ଥିକ ସହାୟତାକୁ ଉପଯୋଗ କରି ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକମାନଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରି ଏହି କାମରେ ଲଗାଇଲେ ଜେଏଲଜି ଗଠନ ତ୍ୱରାନ୍ୱିତ ହୋଇପାରିବ । 

ଆଧିକାରିକ ଭାବେ ରାଜ୍ୟରେ ପ୍ରାୟ ୭ ଲକ୍ଷ ଭାଗଚାଷୀ ଥିବା କଥା କୁହାଯାଉଥିଲେ ବି ସେହି ସଂଖ୍ୟା ୨୦ ଲକ୍ଷରୁ କମ ନୁହେଁ ବୋଲି ଘରୋଇ ଭାବେ ଆକଳନ କରାଯାଇଥାଏ । ଭାଗଚାଷୀମାନେ ନିର୍ଦ୍ଦିଷ୍ଟ ଜମି ଚାଷ କରି ଆସୁଥିଲେ ବି ସେହି ଜମିକୁ ନେଇ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିପାରନ୍ତିନାହିଁ । ବ୍ୟାଙ୍କ ଋଣ ସୁବିଧାରୁ ବଞ୍ଚିତ ଭାଗଚାଷୀମାନଙ୍କୁ ଯେତେ ଶୀଘ୍ର ବଳରାମ ଯୋଜନା ମାଧ୍ୟମରେ ବ୍ୟାଙ୍କ ଋଣସଂଯୁକ୍ତ କରିହେବ, ତାହା ସେମାନଙ୍କ ବିକାଶ ସହ ରାଜ୍ୟର ୧୮ ପ୍ରତିଶତ ଅତିରିକ୍ତ ଚାଷଜୋତକୁ ଋଣ ଉପଲବ୍ଧତା ବ୍ୟବସ୍ଥିତ କରି କୃଷିର ଉନ୍ନତିକୁ ବି ସୁନିଶ୍ଚିତ କରିବ । ତେଣୁ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଯେପରି ଏକ ମିଶନ ମୋଡରେ କରାଯାଇ ସଫଳତା ହାସଲ କରିହେଲା, ଠିକ୍ ସେହିପରି ବଳରାମ ଯୋଜନାର ଗତିଶୀଳତାକୁ ବଢ଼ାଇ ଭାଗଚାଷୀଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଅନୁରୂପ ଭାବେ ଏକ ସ୍ୱତନ୍ତ୍ର ମିଶନ କାର୍ଯ୍ୟକାରୀ କରିବା କଥା ରାଜ୍ୟ ସରକାର ଚିନ୍ତା କରିପାରନ୍ତି । 


Published in Sambad on July 11, 2023

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍