ଗଲା ସେପ୍ଟେମ୍ୱର ୨୭, ୨୦୨୩ରେ ଓଡିଶା ବିଧାନସଭାରେ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ କରାଯାଇ ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା’ ବିଲ୍ ପାରିତ ହୋଇଛି । ଏଥିରେ ୫୦୦ ଏକର ପର୍ଯ୍ୟନ୍ତ ଜମି ଅଧିଗ୍ରହଣରେ ‘ସାମାଜିକ ପ୍ରଭାବ ଆକଳନ’ ଓ ଖାଦ୍ୟ ସୁରକ୍ଷା କଟକଣାରୁ ଅବ୍ୟାହତି ମିଳିଛି ; ଯାହା ଫଳରେ ଜନଶୁଣାଣି ଅନାବଶ୍ୟକ ହୋଇପଡ଼ିଛି । ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ନିବେଶକଙ୍କୁ ଅବାଧ ଜମି ହସ୍ତାନ୍ତରର ବ୍ୟବସ୍ଥା କରି ପୁଞ୍ଜି ଆକୃଷ୍ଟ କରିବା ପାଇଁ ଏ ଭଳି ସଂଶୋଧନର ଆବଶ୍ୟକତା ଥିଲା ବୋଲି କୁହାଯାଉଛି । ତେବେ ଆଇନରେ ପରିଣତ ହେଲେ ଏହାର କି ପ୍ରଭାବ ପଡ଼ିପାରେ ସେ ସମ୍ପର୍କରେ ଜନସାଧାରଣ ଜାଣିବାର ଆବଶ୍ୟକତା ରହିଛି ।
ୟୁପିଏ ସରକାର ଅମଳରେ ୨୦୧୩ରେ ପାରିତ ହୋଇଥିବା ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ରେ ଜମି ଅଧିଗ୍ରହଣ ଅପେକ୍ଷାକୃତ କଠିନ ହେଉଥିଲା ବୋଲି ବିଭିନ୍ନ ରାଜ୍ୟରୁ ଅଭିଯୋଗ ମିଳୁଥିଲା । ତେଣୁ ଏହାର ସଂଶୋଧନ ପାଇଁ ସଂସଦ ଦ୍ୱାରା ଏକ ଜେପିସି ଗଠିତ ହୋଇଥିଲା, ଯାହାର ସୁପାରିଶ କ୍ରମେ ଏନଡିଏ ସରକାର ୨୦୧୫ରେ ଉପରୋକ୍ତ ଆଇନରେ ସଂଶୋଧନ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅଧିକ ସରଳ ଓ କୋହଳ କରିବାର ପ୍ରୟାସ କଲେ । ଉଲ୍ଲେଖଯୋଗ୍ୟ ଯେ ସଂସଦୀୟ କମିଟିକୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୩ରେ ଆଇନ ପ୍ରଣୟନ ହେବା ପରେ କେବଳ ଓଡ଼ିଶା ଓ ପଞ୍ଜାବ ରାଜ୍ୟରେ କିଛି କିଛି ଜମି ଅଧିଗ୍ରହଣ ହୋଇପାରିଲା ସିନା, ଅନ୍ୟ କୌଣସି ରାଜ୍ୟ ଜମି ଅଧିଗ୍ରହଣ କରିବାକୁ ସଫଳ ହୋଇ ନଥିଲେ । ପ୍ରକାଶ ଥାଉ କି ୩୦୩.୫୬୪ ଏକର ଘରୋଇ ଜମି ଅଧିଗ୍ରହଣ ସହ ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ ଥିଲା ବେଳେ ପଞ୍ଜାବ ମାତ୍ର ୨୬.୫୪ ଏକର ଜମି ଅଧିଗ୍ରହଣ କରିପାରିଥିଲା । ଅର୍ଥାତ୍, ଜମି ଅଧିଗ୍ରହଣ ଆଇନ ଅପେକ୍ଷାକୃତ କଠିନ ଥିଲା ବେଳେ ମଧ୍ୟ ଓଡ଼ିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଜମି ଅଧିଗ୍ରହଣ କରି ପାରିଥିଲେ । ତେଣୁ ପ୍ରଶ୍ନ ଉଠେ ଯେ କେନ୍ଦ୍ର ସରକାର ୨୦୧୩ ଆଇନକୁ ଅପେକ୍ଷାକୃତ ସରଳ ଓ ନମନୀୟ କଲା ପରେ ପୁଣି କଣ ଏମିତି ଗରଜ ପଡ଼ିଲା ଯେ ତହିଁରେ ସଂଶୋଧନ ଆଣି ଆଇନକୁ ଆହୁରି ପୁଞ୍ଜିପତି ଅନୁକୁଳ କରାଯାଉଛି ।
ବିଂଶ ଶତାବ୍ଦୀର ସପ୍ତମ ଦଶକରେ ଆରମ୍ଭ ହୋଇଥିବା ସାମାଜିକ ପ୍ରଭାବ ଆକଳନ ପ୍ରକ୍ରିୟା (ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ ବା ଏସଆଇଏ)ର ଗ୍ରହଣୀୟତା କ୍ରମଶଃ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ଏହା ହେଉଛି ଏକମାତ୍ର ପ୍ରକ୍ରିୟା ଯଦ୍ଦ୍ୱାରା ଜମି ଅଧିଗ୍ରହଣ ଦ୍ୱାରା ଜମିମାଲିକ ସହିତ ଜମି ଉପରେ ନିର୍ଭରଶୀଳ ପ୍ରତ୍ୟେକଙ୍କର ଜୀବନଜୀବିକା ଉପରେ କିଭଳି ପ୍ରଭାବ ପଡ଼ୁଛି, ସେ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ଥାଏ । ଜମି ଅଧିଗ୍ରହଣ ସମ୍ପର୍କିତ କେନ୍ଦ୍ରୀୟ ଆଇନରେ ସାମାଜିକ ପ୍ରଭାବ ଆକଳନ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ତଦନୁଯାୟୀ ଯେଉଁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଉଛି ତାହା କେତେ ଦୂର ଜନହିତ ସାଧନ କରିବ, ପ୍ରକଳ୍ପ ପାଇଁ ସର୍ବନିମ୍ନ ପରିମାଣର ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କରାଯାଉଛି କି ନାହିଁ, ପ୍ରକଳ୍ପ ପାଇଁ ବିଭିନ୍ନ ବିକଳ୍ପ ସ୍ଥାନ ବିବେଚନା କରାଯିବା ପରେ ସେହି ସ୍ଥାନଟିକୁ ଚୟନ କରାଯାଇଛି ନା ନାହିଁ ଓ ପ୍ରକଳ୍ପଜନିତ ସାମଗ୍ରିକ ସାମାଜିକ କୁପ୍ରଭାବର ମୂଲ୍ୟ ତୁଳନାରେ ପ୍ରକଳ୍ପରୁ ମିଳିବାକୁ ଥିବା ଲାଭ ଓ ସୁବିଧା କେତେ ଅଧିକ ନା କମ ଏବଂ ତାର ପରିମାଣ କେତେ ? ; ଏହି ସମସ୍ତ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । କେବଳ ‘ଏସ.ଆଇ.ଏ.’ ନୁହେଁ, ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଗ୍ରାମଗୁଡ଼ିକରେ ଗ୍ରାମସଭା ମାଧ୍ୟମରେ ଜନଶୁଣାଣିର ଆୟୋଜନ କରାଯାଇ ‘ଏସ.ଆଇ.ଏ.’ ରିପୋର୍ଟର ବିଶ୍ଳେଷଣ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକର ମତାମତ ମଧ୍ୟ ଗ୍ରହଣ କରାଯାଇଥାଏ । ଏ ସବୁ ଚୂଡ଼ାନ୍ତ ଏସଆଇଏ ରିପୋର୍ଟରେ ସ୍ଥାନ ପାଇଥାଏ । ଅର୍ଥନୈତିକ ବିକାଶରେ ଜନସାଧାରଣ ଅନଗୃହୀତ ନ ହେଲେ, ତାର କୌଣସି ମୂଲ୍ୟ ରହେ ନାହିଁ । ସେଥିପାଇଁ ପ୍ରତ୍ୟେକ ପ୍ରକଳ୍ପରେ ସାମାଜିକ ପ୍ରଭାବ ଆକଳନ ଅପରିହାର୍ଯ୍ୟ ହେବା ଜରୁରୀ ।
ତଥାପି ଅନେକ ରାଜ୍ୟ ସରକାର ‘ଏସଆଇଏ’କୁ ଏଡାଇ ଯିବାର ମନୋବୃତ୍ତି ପ୍ରକାଶ କରିବାକୁ ଚାହାଁନ୍ତି, କାରଣ ଦ୍ରୁତ ଏବଂ ଅଧିକ ପୁଂଜି ନିବେଶ ସେମାନଙ୍କର ଲକ୍ଷ୍ୟ । ଉଲ୍ଲେଖଯୋଗ୍ୟ ହେଲା, ସାମାଜିକ ପ୍ରଭାବ ଆକଳନ ଓ ଜନ ଶୁଣାଣି ନ କରି ଜମି ଅଧିଗ୍ରହଣ କରିବା ଲାଗି କେନ୍ଦ୍ର ଆଇନକୁ ସଂଶୋଧନ କରି ନିଜସ୍ୱ ଆଇନ ପ୍ରଣୟନ ଉଦ୍ୟମରେ ଓଡ଼ିଶା ପୂର୍ବରୁ ୨୦୧୬ରେ ଗୁଜରାଟ, ୨୦୧୭ରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଏବଂ ୨୦୧୮ରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ରାଜ୍ୟଗୁଡ଼ିକୁ ଦେଖିବାକୁ ମିଳେ । କିନ୍ତୁ ତାପରେ ଅନ୍ୟ କୌଣସି ରାଜ୍ୟ ଏ ଦିଗରେ ଅଗ୍ରସର ହୋଇ ନାହାନ୍ତି । ଉଦ୍ୟୋଗ ସକାଶେ ଆବଶ୍ୟକ ଜମିକୁ କେଉଁ ରାଜ୍ୟ ସରକାର କେତେ ସହଜରେ ନିବେଶକଙ୍କୁ ହସ୍ତାନ୍ତର କରି ପାରୁଛନ୍ତି, ତାହା ସେହି ରାଜ୍ୟର ବ୍ୟବସାୟ ସୁଗମତା (ଇଜ ଅଫ ଡୁଇଂ ବିଜନେସ) ନିର୍ଦ୍ଧାରଣର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ହୋଇଥାଏ । ପ୍ରକାଶ ଥାଉ କି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ କୋହଳ କରି ବ୍ୟବସାୟ ସୁଗମତା ନିଶୁଣିରେ ଉପରକୁ ଉଠିବା ଲାଗି ଉପରୋକ୍ତ କିଛି ରାଜ୍ୟଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ତେବେ ଦେଶରେ ବ୍ୟବସାୟ ସୁଗମତା ଦୃଷ୍ଟିରୁ ଆଗୁଆ ୭ଟି ରାଜ୍ୟ ଯେମିତି ଆନ୍ଧ୍ର ପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ହରିଆଣା, କର୍ଣ୍ଣାଟକ, ପଞ୍ଜାବ ଓ ତାମିଲନାଡୁ ମଧ୍ୟରୁ ଶେଷ ଚାରିଟି ରାଜ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ କୋହଳ ନ କରି ମଧ୍ୟ ତାଲିକାରେ ସ୍ଥାନ ପାଇ ପାରିଛନ୍ତି । ଅନ୍ୟ ପକ୍ଷରେ ପାଞ୍ଚ ବର୍ଷ ତଳୁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସଂଶୋଧନ କରି ସାରିଥିବା ଝାଡ଼ଖଣ୍ଡ ଏବେ ମଧ୍ୟ ବ୍ୟବସାୟ ସୁଗମତା ଶିଡ଼ିରେ ତଳ ପାହାଚରେ ରହିଛି । ଏହାର ଅର୍ଥ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନମନୀୟ କରିବା ବ୍ୟବସାୟ ସୁଗମତାର ଗ୍ୟାରେଣ୍ଟି ଦେଇ ନ ଥାଏ । ଏହା ମଧ୍ୟ ବ୍ୟବସାୟ ସୁଗମତା ଶିଡ଼ିରେ ଉପରକୁ ଉଠିବାର ଏକମାତ୍ର ବାଟ ନୁହେଁ । ଓଡ଼ିଶା ଏଥିପାଇଁ ଅନ୍ୟ ବିକଳ୍ପ ଉପାୟ ଗ୍ରହଣ କରି ତାଲିକାର ଉପରକୁ ଉଠି ପାରନ୍ତା ଓ ପୁଞ୍ଜି ଆକର୍ଷଣ କରି ପାରନ୍ତା ।
ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ବିଲଟି ଆଇନରେ ପରିଣତ ହେଲେ ତାହା ଅର୍ଥନୈତିକ ବିକାଶକୁ କିଭଳି ତ୍ୱରାନ୍ୱିତ କରିବ ତାହା ତ ଭିନ୍ନ କଥା, ତେବେ ଓଡ଼ିଶାର କୃଷି, ପରିବେଶ ତଥା ଲୋକଙ୍କ ଜୀବନ-ଜୀବିକା ଉପରେ ଏହାର ଯେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ, ସେଥିରେ ସନ୍ଦେହ ନାହିଁ । ନିର୍ଦ୍ଦିଷ୍ଟ କେତେକ ରେଳପଥ ଓ ଜାତୀୟ ରାଜପଥ କଡ଼େ କଡ଼େ ଔଦ୍ୟୋଗିକ ଓ ଅର୍ଥନୈତିକ ଅଳିନ୍ଦ ବା ‘କରିଡ଼ର’ ପ୍ରତିଷ୍ଠା କରିବାର ଯୋଜନା ସରକାରଙ୍କଠାରେ ରହିଛି । ଖୋର୍ଦ୍ଧା- କଟକ-ଜଗତସିଂପୁର କରିଡର, ଯାଜପୁର-କେନ୍ଦ୍ରାପଡା-ଭଦ୍ରକ ଅର୍ଥନୈତିକ କରିଡର, ମୟୂରଭଞ୍ଜ-କେଉଁଝର-ବାଲେଶ୍ଵର କରିଡର, କଲିକତା-ବିଶାଖାପାଟଣା ଔଦ୍ୟୋଗିକ କରିଡର, ଆଦି ତହିଁର କିଛି ଉଦାହରଣ । ସେଥିଲାଗି ନିର୍ଦ୍ଧାରିତ ରେଳପଥ ଓ ରାଜପଥର ଉଭୟ ପାର୍ଶ୍ଵରେ ଏକ କିଲୋମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରାଯିବାର ଯୋଜନା ଥିବାରୁ ହଜାର ହଜାର ଏକର ଉର୍ବର ଚାଷଜମି ଅଧିଗୃହୀତ ହେବାର ଆଶଙ୍କା ରହିଛି ; ଯହିଁରେ ପର୍ଯ୍ୟାୟକ୍ରମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇପାରେ । ପାରିତ ବିଲ୍ ଅନୁସାରେ, କୌଣସି ପ୍ରକଳ୍ପ ଲାଗି ୫୦୦ ଏକରରୁ କମ ଜମି ଅଧିଗ୍ରହଣ କରିବାର ଆବଶ୍ୟକତା ଉପୁଜିଲେ ବା ତଦ୍ଦ୍ୱାରା ୧୦୦ରୁ କମ ପରିବାର ବିସ୍ଥାପିତ ହେଉଥିଲେ ‘ସାମାଜିକ ପ୍ରଭାବ ଆକଳନ’ କରିବା ଦରକାର ହେବନାହିଁ । ତେଣୁ ‘ଜନଶୁଣାଣି’ ମଧ୍ୟ ଅନାବଶ୍ୟକ ହୋଇପଡ଼ିବ । ତଦ୍ଦ୍ୱାରା କେବଳ ପ୍ରଭାବିତ ଲୋକମାନେ ନୁହନ୍ତି, ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ପ୍ରକଳ୍ପଜନିତ ବିଭିନ୍ନ ସମସ୍ୟା, ହାନିଲାଭ ସମ୍ପର୍କରେ ଅଜ୍ଞ ରହିବାକୁ ବାଧ୍ୟ ହେବେ । କେନ୍ଦ୍ରୀୟ ଆଇନ ଅନୁଯାୟୀ ପ୍ରକଳ୍ପଟି ଘରୋଇ ଉଦ୍ୟମରେ ହେଉଥିଲେ ଜମି ଅଧିଗ୍ରହଣ ବେଳେ ଅଧିଗୃହୀତ ଜମି ମାଲିକଙ୍କ ମଧ୍ୟରୁ ୮୦ ପ୍ରତିଶତ ଓ ଏହା ‘ପି.ପି.ପି’ ମୋଡରେ ବା ସରକାରୀ-ବେସରକାରୀ ଯୌଥ ଉଦ୍ୟମରେ ହେଉଥିଲେ ୭୦ ପ୍ରତିଶତ ଅଧିଗୃହୀତ ଜମି ମାଲିକଙ୍କ ସ୍ୱୀକୃତି ଆବଶ୍ୟକ ହୋଇଥାଏ । ରାଜ୍ୟ ସରକାରଙ୍କ ସଂଶୋଧିତ ବିଲ ଅନୁଯାୟୀ ଉପରୋକ୍ତ ଅଧିଗ୍ରହଣ ଲାଗି ଆଉ ଚାଷୀଙ୍କ ସ୍ୱୀକୃତି ଦରକାର ପଡ଼ିବ ନାହିଁ । ଏହା ଜନସ୍ୱାର୍ଥ ବିରୋଧୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।
ସାଧାରଣ ଲୋକଙ୍କଠାରୁ ଜମି ଅଧଗ୍ରହଣ କରି ପୁଞ୍ଜିପତିଙ୍କ ହାତକୁ ଟେକି ଦେବା ପାଇଁ ସରକାର ଆଇନକୁ ନମନୀୟ କରିବା ଦିଗରେ ଯେଉଁ ତତ୍ପରତା ଦେଖାନ୍ତି, ପୁଞ୍ଜିପତିଙ୍କ ନିକଟରେ ପଡ଼ିରହିଥିବା ଅବ୍ୟବହୃତ ଅଧିଗୃହୀତ ଜମିକୁ ସେମାନଙ୍କ ନିକଟରୁ ଆଣି ଲୋକଙ୍କୁ ଫେରସ୍ତ କରିବା ଦିଗରେ ଅନୁରୂପ ତତ୍ପରତା ପରିଲକ୍ଷିତ ହୁଏ ନାହିଁ । ଉଦାହରଣ ସ୍ୱରୂପ ୧୯୯୬ରେ ଗୋପାଳପୁର ନିକଟରେ ପ୍ରସ୍ତାବିତ ଟାଟା ଇସ୍ପାତ କାରଖାନା ପାଇଁ ହଜାର ହଜାର ଏକର ଅଧିଗୃହୀତ ଜମି ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ପଡ଼ି ରହିଥିଲେ ହେଁ ସେଥିରୁ ଅଧିକାଂଶ ଜମି ଜମିମାଲିକଙ୍କୁ ଫେରସ୍ତ କରାଯାଇନାହିଁ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଅକ୍ଟୋବର ୨୦୨୨ରେ ତନ୍ମଧ୍ୟରୁ ମାତ୍ର ୨୦୬.୬୮୫ ଏକର ଜମି କାଳିପଲ୍ଲି ଗାଁର ଜମି ମାଲିକଙ୍କୁ ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ର ନିୟମ ୨୦ ଅନୁଯାୟୀ ଫେରସ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସେହି ଆଇନ ଅନୁଯାୟୀ ୫ ବର୍ଷରୁ ଅଧିକ ସମୟ ଧରି ପ୍ରକଳ୍ପ ପାଇଁ ଅଧିଗୃହୀତ ଜମି ବ୍ୟବହୃତ ନହୋଇ ପଡ଼ିରହିଲେ ତାହା ଜମିମାଲିକଙ୍କୁ ଫେରାଇ ଦେବାର ପ୍ରାବଧାନ ଥିଲେ ମଧ୍ୟ ତାହା ଏ ଯାଏଁ ଠିକଣା ରୂପେ କାର୍ଯ୍ୟକାରୀ କରାଯାଉନାହିଁ ।
ଜମି ଅଧିଗ୍ରହଣରେ ବିଳମ୍ୱ ପାଇଁ ପ୍ରକଳ୍ପ କାର୍ୟ୍ୟକାରୀ ହେବାରେ ବିଳମ୍ୱ ହେଉଛି ବୋଲି କହି ଜମି ଅଧିଗ୍ରହଣ ପ୍ରକ୍ରିୟାରୁ ‘ଏସ.ଆଇ.ଏ.’ ଓ ଜନଶୁଣାଣିକୁ ବାଦ ଦେବା ଅର୍ଥ ନିବେଶକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବା । ଏମିତି ଅନେକ ଉଦାହରଣ ରହିଛି ଯେଉଁଠି ଜମି ପାଇଲା ପରେ ମଧ୍ୟ ବର୍ଷ ବର୍ଷ ଧରି ପ୍ରକଳ୍ପର କାମ ଆରମ୍ଭ ହୋଇନଥିଲେ ବି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପରିତାପର ବିଷୟ ଜନସାଧାରଣଙ୍କ ସ୍ୱାର୍ଥ ସମ୍ୱଳିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଣାଯାଇଥିବା ବିଲଟି ବିରୋଧୀ ଦଳ ସଦସ୍ୟମାନଙ୍କ କକ୍ଷତ୍ୟାଗ କାରଣରୁ ବିଧାନସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ନ ହୋଇ ପାରିତ ହୋଇଗଲା । ରାଜ୍ୟପାଳଙ୍କ ଅନୁମୋଦନ ଲାଭ ପରେ ତାହା ଆଇନରେ ପରିଣତ ହେବ । ତେବେ ପ୍ରସଙ୍ଗଟିର ଗୁରୁତ୍ୱ ଦୃଷ୍ଟିରୁ ଏହା ବିଧାନସଭାରେ ପୁନର୍ବାର ବିସ୍ତୃତ ଭାବେ ଆଲୋଚନା ହେବାର ଆବଶ୍ୟକତା ଅନୁଭୂତ ହେଉଛି । କାରଣ ବିଲଟି ପ୍ରଥମେ ମାର୍ଚ୍ଚ ମାସରେ ଉପସ୍ଥାପିତ ହୋଇ ପ୍ରତ୍ୟାହୃତ ହେଲା ପରେ ତାକୁ ପୁନଃ ଉପସ୍ଥାପିତ କରିବାକୁ ଛଅ ମାସ ଲାଗିଗଲା । ସୁତରାଂ ଧାରଣା ସୃଷ୍ଟି ହୁଏ ଯେ ସେଥିରେ ନିଶ୍ଟିତ ଭାବେ ଏପରି କିଛି ଦିଗ ରହିଛି ଯାହାର ଉଚିତ ପର୍ଯ୍ୟାଲୋଚନା ହେଲେ ହୁଏତ ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ନିବେଶକ ଅନୁକୁଳ ବିଲଟିଏ ପ୍ରସ୍ତୁତ କରାଯାଇପାରନ୍ତା । ବିଲଟି ବିଧାନସଭାରେ ପାରିତ ହେବା ପରେ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି ଏବଂ ଏହା ପଛରେ ଅଭିସନ୍ଧି ରହିଛି ବୋଲି ଲୋକେ ସନ୍ଦେହ କରୁଛନ୍ତି । ରାଜ୍ୟପାଳ ଏହାକୁ ପୁନର୍ବାର ଆଲୋଚନା ଲାଗି ବିଧାନସଭାକୁ ଫେରାଇ ଦେଲେ ଏହି ସନ୍ଦେହର ମୋଚନ ହୋଇ ପାରନ୍ତା ।
Published in Sambad on October 17, 2023
Comments
Post a Comment