Skip to main content

ବିସ୍ଥାପିତଙ୍କ ପ୍ରତି ଅକୃତଜ୍ଞ କାହିଁକି ?

ପ୍ରତ୍ୟେକ ସରକାର ଅର୍ଥନୈତିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଲାଗି ଚାହାନ୍ତି । କିନ୍ତୁ, ଏଣେ ବିକାଶର ବେଗ ଯେତିକି ବୃଦ୍ଧି ପାଏ. ତା’ ସହିତ ତାଳ ଦେଇ ବିସ୍ଥାପନ ଓ ପୁନର୍ବାସନର ସମସ୍ୟା ସେତିକି ଉତ୍କଟ ହୋଇଥାଏ । ଏଭଳି ବିକାଶ-ପ୍ରେରିତ ବିସ୍ଥାପନ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଆନ୍ତି ଆଦିବାସୀ, ଦଳିତ ଓ ଗ୍ରାମାଞ୍ଚଳର ଗରିବ ଲୋକେ; ଏବଂ ଏହି କ୍ଷତି କେବଳ ଆର୍ଥିକ ସ୍ତରରେ ସୀମିତ ନ ରହି ଏହା ସେମାନଙ୍କ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରକୁ ସଂପ୍ରସାରିତ ହୋଇଥାଏ । ଭାରତ ସମ୍ୱନ୍ଧରେ ସୃଷ୍ଟ ଉଚ୍ଚ ଜିଡିପି ହାର, ପଞ୍ଚମ ବୃହତ୍ ଅର୍ଥବ୍ୟବସ୍ଥା ଭଳି ଅର୍ଥନୈତିକ ବିକାଶର ବଖାଣ ଭିତରେ କେଉଁଠି ହଜିଯାଏ ଲକ୍ଷ ଲକ୍ଷ ବିସ୍ଥାପିତଙ୍କ ଦୁର୍ଦ୍ଦଶାର ଗାଥାମାନ । ବିକାଶର ଜୟଯାତ୍ରାରେ ସତେ ଯେମିତି ବଳି ପଡ଼ିଯାଆନ୍ତି ସେହି ନିରୀହ ଆଦିବାସୀ, ଦଳିତ ଓ ଗରିବ ଲୋକମାନେ । ସୁତରାଂ, ଏହି ଗୁରୁତର ସମସ୍ୟାକୁ ଅଣଦେଖା ନ କରି ସେହି ‘ବିକାଶ-ପ୍ରେରିତ ବିସ୍ଥାପନ’ର ସହିଦମାନଙ୍କ ଦୁର୍ଦ୍ଦଶାକୁ ଲାଘବ କରିବା ଲାଗି ଉଚିତ ବିମର୍ଶର ଯେ ଆବଶ୍ୟକତା ରହିଛି, ଏଥିରେ ଦ୍ୱିରୁକ୍ତି ନାହିଁ । 

ବିସ୍ଥାପନର କଥା ପଡ଼ିଲେ ତାହା ‘ପବ୍ଲିକ ଗୁଡ୍’ ବା ‘ଜନସାଧାରଣଙ୍କ ହିତ’ ଉଦ୍ଦେଶ୍ୟରେ କରାଯାଉଛି ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥାଏ; ପ୍ରଶ୍ନ ଉଠେ ଯେ ଏଭଳି ବିକାଶ ଲାଗି ସର୍ବସ୍ୱ ହରାଇବା ବା ତ୍ୟାଗ କରିବାର ଦାୟିତ୍ୱ କ’ଣ କେବଳ ଆଦିବାସୀ, ଦଳିତ ଓ ଗରିବ ଲୋକେ ନେଇଛନ୍ତି ? ଅନ୍ୟ ପକ୍ଷରେ ‘ପବ୍ଲିକ୍ ଗୁଡ୍’ କାମ ଲାଗି ସମାଜରେ ପ୍ରତିଷ୍ଠିତ ଓ ପ୍ରତିପତ୍ତିଶାଳୀ ବ୍ୟକ୍ତିମାନଙ୍କୁ ବିସ୍ଥାପନ ନିଆଁର ଆଞ୍ଚ କଦବା କ୍ୱଚିତ ଲାଗିଥାଏ । ସେଭଳି ଲୋକ ପ୍ରଭାବିତ ହେବାର ଆଶଙ୍କା ଥିଲେ ପ୍ରକଳ୍ପ ସିନା ବାତିଲ ହୋଇଯାଏ, ହେଲେ ସେମାନେ ବିସ୍ଥାପିତ ହୋଇନଥାନ୍ତି । ପ୍ରାୟ ଦୁଇ ଦଶନ୍ଧି ତଳେ ୨୦୦୦ ମସିହାରେ ବମ୍ୱେରେ ଟ୍ରାଫିକ ସମସ୍ୟାକୁ ଲାଘବ କରିବା ପାଇଁ ପ୍ରସ୍ତାବିତ ‘ପେଡାର ରୋଡ ଫ୍ଲାଏ ଓଭର’ ପ୍ରକଳ୍ପଟି ଲତା ମଙ୍ଗେସକର, ଆଶା ଭୋଁସଲେ ଓ ସ୍ଥାନୀୟ କେତେକ ପ୍ରତିପତ୍ତିଶାଳୀ ଲୋକଙ୍କ ବିରୋଧ ଯୋଗୁଁ ବାତିଲ ହୋଇଯାଇଥିଲା । ଏଥିରୁ କି ସଂକେତ ମିଳେ ? ପ୍ରକାଶ ଥାଉ କି ଆଦିବାସୀ, ଦଳିତ ଓ ଗରିବ ଲୋକେ ହିଁ ବିସ୍ଥାପନ ପରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିବାରୁ ଆହୁରି ଗରିବ ହୋଇଯାଆନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମାନବ ବିକାଶ ସୂଚକର ପ୍ରତିଟି ପରିମାପକରେ ସେମାନେ ପଛରେ ପଡ଼ିଯାଆନ୍ତି । ଏହା ଛଡ଼ା, ଏହି ଶ୍ରେଣୀର ବିସ୍ଥାପିତମାନେ ଭୂମିହୀନତା, ବେକାରି, ବାସହୀନତାର ଶିକାର ହୁଅନ୍ତି ।  ଉପେକ୍ଷିତ ହେବା, ଖାଦ୍ୟ ଅସୁରକ୍ଷା, ସ୍ୱାସ୍ଥ୍ଥ୍ୟଜନିତ ସମସ୍ୟା ଓ ମୃତ୍ୟୁ ହାର ବୃଦ୍ଧି, ସାମାଜିକ ଓ ସାଂସ୍କୃତିକ ସଂକଟ ଦ୍ୱାରା ଆକ୍ରାନ୍ତ ହୁଅନ୍ତି । ତେଣୁ ବିସ୍ଥାପିତଙ୍କ ଉଚିତ ପୁନର୍ବାସ ପ୍ରତି ଧ୍ୟାନ ଦିଆଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ପୁଞ୍ଜିପତିମାନଙ୍କୁ ସୁହାଇଲା ଭଳି ବିକାଶକୁ ଅଗ୍ରାଧିକାର ନ ଦେବା ଓ ତଜ୍ଜନିତ ଅବିଚାରିତ ବିସ୍ଥାପନକୁ ରୋକିବା । 

ସ୍ୱାଧୀନତା ପୂର୍ବରୁ ଦେଶରେ ବିସ୍ଥାପନ ଓ ପୁନର୍ବାସ ସମସ୍ୟା ସେତେ ଗୁରୁତର ନଥିଲା, କାରଣ ସେତେବେଳେ ଜନସଂଖ୍ୟାର ସାନ୍ଦ୍ରତା କମ ଥିବା ସହ ପୁନର୍ବାସ ପାଇଁ ଜମିର ଉପଲବ୍ଧତା ଅଧିକ ଥିଲା । ସ୍ୱାଧୀନତା ପରେ ବିଭିନ୍ନ ପ୍ରକଳ୍ପର ରୂପାୟନ ଆବଶ୍ୟକ ହେଲା, ଯେଉଁଥିପାଇଁ ବିକାଶ-ପ୍ରେରିତ ବିସ୍ଥାପନ ଅଧିକ ତ୍ୱରାନ୍ୱିତ ହେବାକୁ ଲାଗିଲା । କିନ୍ତୁ ବିଡ଼ମ୍ୱନା ହେଲା, ବିସ୍ଥାପିତମାନଙ୍କ ସମୁଚିତ ପୁନର୍ବାସକୁ ସୁନିଶ୍ଚିତ କରିବା କ୍ରମେ ପ୍ରାଥମିକତା ହରାଇବାକୁ ଲାଗିଲା । ସାରା ଦେଶରେ ଆଜିଯାଏଁ କେଉଁ ପ୍ରକଳ୍ପରେ କେତେ ଲୋକ ବିସ୍ଥାପିତ ବା ପ୍ରଭାବିତ ହୋଇଛନ୍ତି ଓ ସେମାନଙ୍କର ପୁନର୍ବାସ ପାଇଁ କ’ଣ କରାଯାଇଛି, ସେ ନେଇ ନିର୍ଭରଯୋଗ୍ୟ ତଥ୍ୟ କେଉଁଠି ଉପଲବ୍ଧ ନାହିଁ । ତେବେ ଗବେଷକ ୱାଲଟର ଜେ. ଫର୍ଣ୍ଣାଣ୍ଡେଜଙ୍କ ଆକଳନ ଅନୁସାରେ ୧୯୫୧ରୁ ୧୯୯୦ ମଧ୍ୟରେ ସାରା ଦେଶରେ ପ୍ରାୟ ୨.୧୩ କୋଟି ଲୋକ ବିସ୍ଥାପିତ ହୋଇଥିଲେ ବା ଜୀବିକା ହରାଇଥିଲେ । ନଦୀବନ୍ଧ ଓ ଖଣି ପ୍ରକଳ୍ପଗୁଡ଼ିକରେ ବିସ୍ଥାପିତ ଓ ପ୍ରଭାବିତଙ୍କ ମଧ୍ୟରୁ ୪୦ ପ୍ରତିଶତ ଆଦିବାସୀ ହୋଇଥିବା ବେଳେ ଅଭୟାରଣ୍ୟଗୁଡ଼ିକ ପାଇଁ ହୋଇଥିବା ବିସ୍ଥାପନର ୯୦ ପ୍ରତିଶତ ଥିଲେ ଆଦିବାସୀ । ସେହିପରି ବିସ୍ଥାପିତ ଦଳିତଙ୍କ ହାର ଥିଲା ୨୦ ପ୍ରତିଶତ । ତେବେ ୧୯୯୧ରେ ଅର୍ଥନୈତିକ ଉଦାରୀକରଣ ପରେ ଘରୋଇ ପୁଞ୍ଜିନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା, ଯଦ୍ଦ୍ୱାରା ବିସ୍ଥାପିତଙ୍କ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୫ କୋଟିରେ ପହଞ୍ଚିସାରିଲାଣି । ଏମାନଙ୍କ ମଧ୍ୟରୁ ଏବେ ବି ଏକ କୋଟିରୁ ଅଧିକ ବିସ୍ଥାପିତଙ୍କର ସମୁଚିତ ପୁନର୍ବାସ ହୋଇପାରିନାହିଁ । ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ଓ ଏହି କାରଣରୁ ବିସ୍ଥାପନ ସମସ୍ୟା ଅଧିକ ଜଟିଳ ହେବାର ଆଶଙ୍କା ଦେଖାଦେବ । 

ଆଦିବାସୀ ଅଧ୍ୟୁଷିତ ଓଡ଼ିଶାରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ହୀରାକୁଦ ନଦୀବନ୍ଧଠାରୁ ଆରମ୍ଭ କରି ଏ ଯାଏଁ ବିଭିନ୍ନ ପ୍ରକଳ୍ପ ଲାଗି ଲୋକମାନଙ୍କୁ ବାରମ୍ୱାର ବିସ୍ଥାପନର ସମ୍ମୁଖୀନ ହେବାକୁ ପଡ଼ିଛି । ଓଡ଼ିଶାରେ ଗଚ୍ଛିତ ପ୍ରଚୁର ଖଣିଜ ସମ୍ପଦ, ଜଙ୍ଗଲ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ବିଭିନ୍ନ ସମୟରେ ଦେଶ ଓ ବିଦେଶର ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିଆସିଛି । ଫଳରେ ଖଣି ଓ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପୁଞ୍ଜିପତିମାନେ ଆଗେଇ ଆସୁଥିବା ବେଳେ ନଦୀବନ୍ଧ, ଅଭୟାରଣ୍ୟ ଲାଗି ସରକାରୀ ଭାବେ ବିପୁଳ ପୁଞ୍ଜି ବିନିଯୁକ୍ତଗ ହୋଇଛି । ଏହି ସବୁ କାରଣରୁ ବିସ୍ଥାପନ ବୃଦ୍ଧି ପାଇଚାଲିଛି । ହୀରାକୁଦ ନଦୀବନ୍ଧ ପରିଯୋଜନାରେ ୨୨୧୪୪ ପରିବାର ବିସ୍ଥାପିତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪୭୪୪ ପରିବାରକୁ ଥଇଥାନ କରାଯାଇପାରିଛି । ସେହିପରି ବାଲିମେଳା, ଅପର କୋଲାବ, ଇନ୍ଦ୍ରାବତୀ, ଶାଳନ୍ଦୀ, ସୁବର୍ଣ୍ଣରେଖା, ରେଙ୍ଗାଲି ଆଦି ବିଭିନ୍ନ ନଦୀବନ୍ଧ ପରିଯୋଜନାରେ ବିସ୍ଥାପିତଙ୍କ ମଧ୍ୟରୁ ଅଧିକାଂଶଙ୍କର ଥଇଥାନ ଆଜି ସୁଦ୍ଧା ସନ୍ତୋଷଜନକ ଭାବେ ହୋଇପାରିନଥିବାର ଅଭିଯୋଗ ହୁଏ । ରାଉରକେଲା ଇସ୍ପାତ କାରଖାନାଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ଲାଗି ଲୋକମାନେ ନିୟମିତ ଅନ୍ତରାଳରେ ବିସ୍ଥାପିତ ହୋଇଚାଲିଛନ୍ତି । କୋରାପୁଟ ଓ ହୀରାକୁଦରେ ଅନେକ ଲୋକ ତ ଏକାଧିକ ଥର ବିସ୍ଥାପିତ ହୋଇଥିବାର ଦୃଷ୍ଟାନ୍ତ ରହିଛି । ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାରେ ୧୯୫୦ରୁ ୧୯୯୩ ମସିହା ମଧ୍ୟରେ ବିଭିନ୍ନ ପରିଯୋଜନାରେ ୧୪୪୬ଟି ଗ୍ରାମର ୮୧୧୭୬ ପରିବାର ବିସ୍ଥାପିତ ହୋଇବାର ଜଣାପଡ଼େ । ଇତିମଧ୍ୟରେ ଓଡ଼ିଶାରେ ବିସ୍ଥାପିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇସାରିଲାଣି; ଅଥଚ ତା’ର ସଠିକ ହିସାବ କେଉଁଠି ହେଲେ ନାହିଁ । ଜୀବନଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀମାନେ, ବିସ୍ଥାପନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି; ସେମାନଙ୍କ ଭିତରୁ ମହିଳାମାନଙ୍କର, ଜୀବିକା ସମ୍ପୂର୍ଣ୍ଣ ରୂପେ ବିପର୍ୟ୍ୟସ୍ତ ହୋଇପଡ଼ିଥିବା ପରିଲକ୍ଷିତ ହେଉଛି ।   

ନିକଟରେ ‘ଲୋକଶକ୍ତି ଅଭିଯାନ’ ସଂଗଠନ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନଶୁଣାଣି ମାଧ୍ୟମରେ ବିସ୍ଥାପିତମାନଙ୍କର ବିଭିନ୍ନ ସମସ୍ୟାକୁ ଲିପିବଦ୍ଧ କରି ପ୍ରସ୍ତୁତ ହୋଇଥିବା ରିପୋର୍ଟଟି ଉନ୍ମୋଚିତ ହୋଇଛି । ରିପୋର୍ଟରେ ଏକ ନୂତନ ଜାତୀୟ ବିସ୍ଥାପନ ନୀତିର ପ୍ରଣୟନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସେଥିରେ ‘ଜାତୀୟ ମହିଳା କମିସନ’, ‘ଜାତୀୟ ମାନବାଧିକାର କମିସନ’ ଢାଞ୍ଚାରେ ଏକ ‘ଜାତୀୟ ବିସ୍ଥାପିତ ଅଧିକାର କମିସନ’ ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାର ରାଜ୍ୟସ୍ତରୀୟ କମିସନ ବି ଗଠିତ ହେବ । କମିସନଙ୍କ ନିକଟରେ ବିସ୍ଥାପନ ଓ ପୁନର୍ବାସ ସଂକ୍ରାନ୍ତ ସମସ୍ତ ତଥ୍ୟ ରହିବ । ବିସ୍ଥାପନ ପୂର୍ବରୁ ଲୋକମାନେ ପୁଲିସ ଓ କମ୍ପାନୀର ଦଲାଲ ଓ ଗୁଣ୍ଡାଙ୍କ ଦ୍ୱାରା ଅକଥନୀୟ ଦମନର ଶିକାର ହେଉଥିବାର ଦେଖିବାକୁ ମିଳେ । ବିସ୍ଥାପିତମାନଙ୍କ ପାଇଁ ବାସଗୃହ ଓ ଅନ୍ୟାନ୍ୟ ସର୍ବନିମ୍ନ ସୁବିଧା ସୁନିଶ୍ଚିତ ନ କରି ସେମାନଙ୍କୁ ପଶୁସଦୃଶ ବଳପୂର୍ବକ ବିସ୍ଥାପିତ କରାଯାଉଥିବାର ଦୃଷ୍ଟାନ୍ତ ବିରଳ ନୁହେଁ । ବିସ୍ଥାପନ ପରେ ମଧ୍ୟ ଉଚିତ କ୍ଷତିପୂରଣ ଓ ନ୍ୟାୟ ପାଇବା ପାଇଁ ସେମାନଙ୍କୁ ବିଭିନ୍ନ ସରକାରୀ କାର୍ୟ୍ୟାଳୟରୁ ଆରମ୍ଭ କରି ନ୍ୟାୟାଳୟ ପର୍ୟ୍ୟନ୍ତ ଦୌଡ଼ିବାକୁ ହୋଇଥାଏ, ଯେଉଁଥିରେ ସେମାନେ ଖର୍ଚ୍ଚାନ୍ତ ହୁଅନ୍ତି ସିନା, ସେମାନଙ୍କ ଦୁର୍ଦ୍ଦଶାର ଅନ୍ତ ଘଟି ନଥାଏ । ବିସ୍ଥାପିତଙ୍କ ଅଭିଯୋଗ ଶୁଣାଣି କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି କମିସନକୁ କ୍ଷମତା ପ୍ରଦାନ କରାଯାଇପାରିବ । ବିସ୍ଥାପନ ସମସ୍ୟାକୁ ଲାଘବ କରିବା ପାଇଁ ‘ଜାତୀୟ ରାଜପଥ ଆଇନ, ୧୯୫୬’, ‘ଜଙ୍ଗଲ ଅଧିକାର ଆଇନ, ୨୦୦୬’, ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ ଭଳି ଆଇନର ପ୍ରାବଧାନଗୁଡ଼ିକ ଠିକ୍ ରୂପେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା କମିସନ ନିରୀକ୍ଷଣ କରିପାରିବେ ।          

୧୯୫୧ ମସିହାରେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ଅନେକ ଜମିଦାର ଓ ବିତ୍ତଶାଳୀ ଲୋକ ଭାଗ ନେଇ ସେମାନଙ୍କ ଜମି ଦାନ କରିଥିଲେ, ଯାହା ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ‘ସର୍ବଜନ ହିତ’ ଉଦ୍ଦେଶ୍ୟରେ ସେମାନଙ୍କ ଏହି ବଦାନ୍ୟତା ଉଚ୍ଚ ପ୍ରଶଂସିତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ‘ପବ୍ଲିକ୍ ଗୁଡ୍’ ବା ‘ସର୍ବଜନ ହିତାୟ’କୁ ଦ୍ୱାହି ଦେଇ ଦେଶ ନିର୍ମାଣ ଲାଗି ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଭିଟାମାଟି ସମେତ ସର୍ବସ୍ୱ ହରାଇ ନିଃସ୍ୱ ହେବାକୁ ବାଧ୍ୟ କରାଗଲା । କିନ୍ତୁ, ସେମାନଙ୍କ ତ୍ୟାଗକୁ ସ୍ୱୀକାର କରି ସେମାନଙ୍କ ଲାଗି ସମୁଚିତ ପୁନର୍ବାସର ବ୍ୟବସ୍ଥା କରାଗଲା ନାହିଁ କି ଏ ଯାବତ୍ କରାଯାଉନାହିଁ । ସେମାନଙ୍କ ତ୍ୟାଗ ପ୍ରତି ସମ୍ମାନ ଜଣାଇବା ତ ଦୂରର କଥା ସେମାନେ ମଲେଣି କି ହଜିଲେଣି ସେ ନେଇ ସର୍ବନିମ୍ନ ଖୋଜଖବର ରଖିବାର ଆବଶ୍ୟକତା ମଧ୍ୟ ଅନୁଭୂତ ନ ହେବା ବାସ୍ତବିକ ଦୁଃଖର ବିଷୟ । ଦେଶର ସୀମା ସୁରକ୍ଷା କରୁଥିବା ସୈନିକଟିଏର ନିଧନ ହେଲେ ତାର ବଳିଦାନକୁ ସମ୍ମାନ ଜଣାଇ ତାକୁ ‘ସହିଦ’ର ଆଖ୍ୟା ପ୍ରଦାନ କରାଯାଇଥାଏ । ଏହି ପ୍ରାବନ୍ଧିକଙ୍କ ସ୍ପଷ୍ଟ ମତ, ସେହିପରି ଦେଶ ନିର୍ମାଣ ଲାଗି ବିସ୍ଥାପିତ ବ୍ୟକ୍ତିଙ୍କ ତ୍ୟାଗକୁ ସ୍ୱୀକାର ପୂର୍ବକ ସେମାନଙ୍କୁ ସମ୍ମାନିତ କରିବାର ପରମ୍ପରାଟିଏ ଆରମ୍ଭ ହୋଇ ସେମାନଙ୍କୁ ‘ତ୍ୟାଗୀ’  ଆଖ୍ୟା ପ୍ରଦାନ କରିବା କଥା ବିଚାର କରାଯାଇପାରେ । ପ୍ରତ୍ୟେକ ପ୍ରକଳ୍ପରେ ବିସ୍ଥାପିତ ଲୋକଙ୍କ ନାମ ସମ୍ୱଳିତ ଏକ ଫଳକ ପ୍ରକଳ୍ପ ନିକଟରେ ଲଗାଯାଇ ସେମାନଙ୍କ ତ୍ୟାଗକୁ ସ୍ୱୀକାର ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯିବା ଆବଶ୍ୟକ । ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ପରିବାରର ଅନ୍ତତଃ ଜଣେ ଲେଖାଏଁ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କଥା କୁହାଯାଉଥିଲେ ବି ଆବଶ୍ୟକ ଯୋଗ୍ୟତା ଓ ଦକ୍ଷତା ଅଭାବରୁ ସେମାନେ ନିଯୁକ୍ତି ଲାଭରୁ ବଞ୍ଚିତ ହେଉଛନ୍ତି ବା ସର୍ବନିମ୍ନ ପାହ୍ୟାର ଚାକିରି ପାଉଛନ୍ତି । ଫଳରେ ସଂଖ୍ୟାଧିକ ବିସ୍ଥାପିତ ଓ ପ୍ରଭାବିତ ପରିବାରଙ୍କୁ ପ୍ରକଳ୍ପଜନିତ ସେଭଳି କୌଣସି ଆର୍ଥିକ ଲାଭ ମିଳିନଥାଏ । ତେଣୁ ବିସ୍ଥାପିତମାନଙ୍କୁ କେବଳ ଚାକିରି ନୁହେଁ, ବରଂ ସେମାନଙ୍କୁ ବିକାଶରେ ଅଂଶୀଦାର କରିବା ଲାଗି ପ୍ରକଳ୍ପର ଅଂଶଧାରକ (ସେୟାର ହୋଲଡର) କରାଯିବା ଉଚିତ, ଯଦ୍ଦ୍ୱାରା ସେମାନେ ନିୟମିତ ଭାବେ ଲାଭାଂଶ ପାଇପାରିବେ । ସହରାଞ୍ଚଳରେ ବିଲଡରମାନେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ଲାଗି ଜମିମାଲିକଙ୍କଠାରୁ ଜମି ନେଇ ସେମାନଙ୍କୁ ସେହି ପ୍ରକଳ୍ପରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଫ୍ଲାଟ ଦେବାର ପ୍ରଥା ପ୍ରଚଳନରେ ଥିଲା ବେଳେ ପ୍ରକଳ୍ପର ଅଂଶଧାରକ କରିବା ଭଳି ଅନୁରୂପ ପ୍ରଥାଟିଏ ବିସ୍ଥାପିତଙ୍କ ଲାଗି ପ୍ରଚଳନ କରିବାରେ ଅସୁବିଧା କେଉଁଠି ? ସେହିପରି ଭିତ୍ତିଭୂମି ବିକାଶ ଲାଗି ହେଉଥିବା ବିସ୍ଥାପନରେ ଭିତ୍ତିଭୂମି ନିର୍ମାଣ ପରେ ମିଳୁଥିବା ଆର୍ଥିକ ଲାଭର ଏକ ନିର୍ଦ୍ଦିଷ୍ଟ ଅଂଶ ବିସ୍ଥାପିତ ପରିବାରଗୁଡ଼ିକୁ ପ୍ରଦାନ କରାଯିବା ଆବଶ୍ୟକ, ଯାହା ପ୍ରକଳ୍ପ ରିପୋର୍ଟର ଅଂଶବିଶେଷ ହେବା ଉଚିତ । ଯେମିତି ଅଧିଗୃହୀତ ଜମିରେ ରାସ୍ତା ନିର୍ମାଣ ହୋଇ ଟୋଲ ଆଦାୟ ହେଉଥିଲେ ଅନ୍ତତଃ ବିସ୍ଥାପିତମାନଙ୍କର ଜୀବନଜୀବିକାର ସଠିକ ପୁନର୍ବାସନ ପର୍ଯ୍ୟନ୍ତ ସେମାନଙ୍କୁ ଆଦାୟ ହେଉଥିବା ରାଶିର କିଛି ଅଂଶ ପ୍ରଦାନ କରିବା କଥା ବିଚାର କରାଯାଇପାରେ । ରାଜ୍ୟକୁ ବିଜୁଳି ଆଲୁଅରେ ଆଲୋକିତ କରିବା ଉଦ୍ଦେଶ୍ୟରେ ହୀରାକୁଦ ନଦୀବନ୍ଧର ନିର୍ମାଣ ପାଇଁ ନିଜ ପରିବାରର ଭବିଷ୍ୟତକୁ ଅନ୍ଧକାରର ଗର୍ତ୍ତ ଭିତରକୁ ଠେଲି ଦେଇଥିବା ବିସ୍ଥାପିତଙ୍କ କଥା ସମାଜ ଓ ପ୍ରଶାସନ ପୂରାପୂରି ଭୁଲିଯାଇଛନ୍ତି । ଏହା ସେମାନଙ୍କ ବଳିଦାନ ପ୍ରତି କୃତଘ୍ନତା ଭିନ୍ନ ଆଉ କିଛି ନୁହେଁ । ମୂଳ କଥା ହେଲା, ବିକାଶ ଆଳରେ ହେଉଥିବା ସମସ୍ତ ବିସ୍ଥାପନ ଓ ସେଥିରେ ବିସ୍ଥାପିତ ଓ ପ୍ରଭାବିତ ପ୍ରତ୍ୟେକଙ୍କ ଜୀବନଜୀବିକାର ପ୍ରଶ୍ନ ପ୍ରତି ପ୍ରଶାସନ ସଜାଗ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଯେତିକି ଜରୁରୀ, ପ୍ରଭାବିତ ହେଉନଥିବା ଲୋକମାନେ ସେମାନଙ୍କ ସମସ୍ୟା ପ୍ରତି ଉଦାସୀନ ନରହି ସହୃଦୟତା ପ୍ରଦର୍ଶନ ପୂର୍ବକ ସକାରାତ୍ମକ ପଦକ୍ଷେପ ନେବା ମଧ୍ୟ ସେତିକି ଜରୁରୀ । ଆଜିକାଲି ସମାବେଶୀ ବିକାଶ କଥା ବହୁତ କୁହାଯାଉଛି, ଯେଉଁ ପରିପ୍ରେକ୍ଷୀରେ ବିସ୍ଥାପିତମାନଙ୍କ ପ୍ରତି ଗୁରୁତ୍ୱ ଆରୋପ ପ୍ରାଥମିକତା ପାଇବା ଆବଶ୍ୟକ ।  


Published in Sambad on Decemeber 01, 2023          

                          


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...