Skip to main content

ବିହନ ଗୁଳାରେ ସବୁଜ ବଳୟ

ପ୍ରତିବର୍ଷ ଜୁଲାଇ ମାସ ଆସିଲେ ବନ ମହୋତ୍ସବମାନ ଆୟୋଜିତ ହୋଇ ଜନସାଧାରଣଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ ପ୍ରତି ଆଗ୍ରହ ଓ ତତ୍ପରତା ପ୍ରକାଶ ପାଇଥାଏ, ଯାହା ସ୍ୱାଗତଯୋଗ୍ୟ । ତେବେ ଚାରାରୋପଣ ପରେ ସେଗୁଡ଼ିକର ଯତ୍ନ ନେବା ପାଇଁ ସେତିକି ଆଗ୍ରହ ପ୍ରକାଶ ପାଉ ନଥିବାରୁ ସେଥିରୁ କେତେ ଗଛ ବଞ୍ଚିଲା କି ମଲା ତା’ର ହିସାବ ଆଉ ପ୍ରାୟ କାହା ପାଖରେ ନଥାଏ । ଅନେକଙ୍କ ପାଇଁ ଏହା ଏକ ଫଟୋ ଉଠା କାର୍ୟ୍ୟକ୍ରମ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରଚାରର ବିଷୟ ଭାବେ ସୀମିତ ହୋଇରହିଯାଏ । ବସ୍ତୁତଃ, ପୃଥିବୀ ସାରା ପ୍ରାୟ ୯୯ ପ୍ରତିଶତ ଗଛ ଆପେ ଆପେ ଉଠୁଥିବାରୁ ମଣିଷର ବିନା ହସ୍ତକ୍ଷେପରେ ବି ମଞ୍ଜି ପଡ଼ି ଗଛ ସୃଷ୍ଟି ହୋଇ ପ୍ରାକୃତିକ ଉପାୟରେ ସବୁଜ ବଳୟର ରକ୍ଷା ହୋଇପାରନ୍ତା । କିନ୍ତୁ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ଗଛ ଓ ଜଙ୍ଗଲ ତୁଳନାରେ ମଣିଷ ଅଧିକ ସଂଖ୍ୟକ ଗଛ କାଟି ଚାଲିଥିବାରୁ ଜଙ୍ଗଲର ଦ୍ରୁତ କ୍ଷୟ ହୋଇ ବୃକ୍ଷରୋପଣର ଆବଶ୍ୟକତା ଉପୁଜେ । ବିକାଶ ନାମରେ ନିତିପ୍ରତି ଯଥାଅଯଥାରେ ଲକ୍ଷ ଲକ୍ଷ ବୃକ୍ଷ ବଳି ପଡ଼ୁଥିବାର ଦେଖାଯାଏ । ସାରା ବିଶ୍ୱରେ କେବଳ ଗତ ୧୪ ବର୍ଷ ମଧ୍ୟରେ ୪.୩ କୋଟି ହେକ୍ଟର ଜଙ୍ଗଲ କ୍ଷୟ ହେବା ଉଦବେଗଜନକ । ଭୂପୃଷ୍ଠ ଏହିପରି ଭାବେ ବୃକ୍ଷଶୂନ୍ୟ ହୋଇଯାଉଥିବା ବେଳେ କେବଳ ଚାରାରୋପଣ କରି ସେହି କ୍ଷତିକୁ ଭରଣା କରିବା ଏକ ପ୍ରକାର ଅସମ୍ଭବ । ତେଣୁ ଦ୍ରୁତ ପୁନଃ ବନୀକରଣ ପାଇଁ ବିହନ ଗୁଳାକୁ ଉପଯୋଗରେ ଅଣାଯାଇପାରିଲେ ଏହା ଆଦୃତି ଲାଭ କରିବାର ସମ୍ଭାବନା ବେଶୀ ହୋଇଥିବାରୁ ସେ ନେଇ ଅଧିକ ବିମର୍ଶର ଆବଶ୍ୟକତା ରହିଛି ।

ମଞ୍ଜିଟିଏ ପଡ଼ି ଗଛ ଉଠିବା ଏକ ସାଧାରଣ ଘଟଣା । ତେବେ ମଞ୍ଜିଟିକୁ ମାଟି ଓ ଖାଦ୍ୟ ସହ ଅନୁକୁଳ ବାତାବରଣ ମିଳିଗଲେ ତାହା ଗଜା ମାରିବାକୁ ସକ୍ଷମ ହୋଇଥାଏ । ବିହନ ଗୁଳା ସେହିପରି ଗୋଟିଏ ମଞ୍ଜି, ଯାହା ମାଟି ଓ ଖତ, ନଡ଼ିଆ କତା ଗୁଣ୍ଡ (କୋକୋ ପିଟ), ବା ଶିଉଳି ଭଳି ଖାଦ୍ୟର ଆବରଣ ଭିତରେ ଗୁଳା ଆକାରରେ ଶୁଖିଲା ଅବସ୍ଥାରେ ରହିଥାଏ । କିଛି କାଦୁଅ ଓ ଖତର ଗୁଳାଟିଏ ଭିତରେ ଏକ ବା ଏକାଧିକ ମଞ୍ଜିକୁ ରଖି ତାକୁ ଶୁଖାଇ ଦେଲେ ବିହନ ଗୁଳା ପ୍ରସ୍ତୁତ ହୋଇଯାଏ । ଏହାକୁ ବୃକ୍ଷରୋପଣ ପାଇଁ ନିକ୍ଷେପ ବା ପୋତି କରି ବ୍ୟବହାର କରିହୁଏ । ମଞ୍ଜିକୁ ସିଧାସଳଖ ବୁଣାଗଲେ ତାହା ପକ୍ଷୀ ଓ ଗୁଣ୍ଡୁଚି ମୂଷାଙ୍କ ଭଳି ଜୀବଜନ୍ତୁଙ୍କ ଦ୍ୱାରା ନଷ୍ଟ ହେବାର ଆଶଙ୍କା ଥିଲା ବେଳେ ବିହନ ଗୁଳାରେ ତାହା ସୁରକ୍ଷିତ ଭାବେ ଦୀର୍ଘ ଦିନ ଧରି ରହିଥାଏ ଓ ଅନୁକୁଳ ବାତାବରଣ ପାଇଲେ ସେଥିରୁ ଗଛ ଉଠିଥାଏ । ବର୍ଷା ଋତୁରେ ବିହନ ଗୁଳାର ଉପଯୋଗିତା ସର୍ବାଧିକ ହୋଇଥିଲେ ବି ଏହାକୁ ବର୍ଷର ଯେ କୌଣସି ସମୟରେ ବ୍ୟବହାର କରିହୁଏ । ଏହି ପଦ୍ଧତିର ଅନୁସରଣରେ ପ୍ରାୟ ୫୦ ପ୍ରତିଶତ ଗଛ ବଞ୍ଚିଥାଏ ।  ଚାରାରୋପଣ ପଦ୍ଧତି ଅପେକ୍ଷା ବିହନ ଗୁଳା ମାଧ୍ୟମରେ ବୃକ୍ଷରୋପଣରେ ଅଧିକ ଗଛ ବଞ୍ଚି ରହେ ଓ ୮୦ ପ୍ରତିଶତ ଅଧିକ ସଫଳତା ମିଳିଥାଏ । ଏଥିପାଇଁ ଗାତ ଖୋଳିବାର ବା ହଳ କରିବାର ପ୍ରୟୋଜନ ହେଉ ନଥିବାରୁ ସେ ସମ୍ପର୍କିତ ଶ୍ରମ ଓ ବ୍ୟୟ ସଞ୍ଚୟ କରାଯାଇପାରେ । ପାହାଡ଼, ତୀଖ ଉଠାଣି  ଓ ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳ, ଯେଉଁଠାରେ ଚାରାରୋପଣ କରିବା କଷ୍ଟକର, ସେ ସବୁ ସ୍ଥାନକୁ ବିହନ ଗୁଳା ନିକ୍ଷେପ କରି ସେହି କାର୍ଯ୍ୟଟିକୁ ସହଜରେ କରାଯାଇପାରେ । ପରିବ୍ୟାପ୍ତ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ବିହନ ଗୁଳାର ଉପଯୋଗରେ ଖୁବ କମ ଦିନ ମଧ୍ୟରେ ଜଙ୍ଗଲ ସୃଷ୍ଟି କରି ହୋଇଥାଏ । ଅଳ୍ପ ବୃଷ୍ଟି ହେଉଥିବା ଶୁଷ୍କାଞ୍ଚଳଗୁଡ଼ିକରେ ଏହା ବେଶ୍ ଉପଯୋଗୀ ହୋଇଥାଏ । ତେବେ ବିହନ ଗୁଳାରେ ବ୍ୟବହୃତ ମଞ୍ଜି ସ୍ଥାନୀୟ ଅଞ୍ଚଳ ବା ଜଙ୍ଗଲରେ ଥିବା ଗଛର ହୋଇଥିଲେ ତାହା ସହଜରେ ବଢ଼ିପାରିଥାଏ ।

ଅନ୍ୟ ପକ୍ଷରେ ଚାରାରୋପଣ ଏକ ଅପେକ୍ଷାକୃତ ବ୍ୟୟବହୁଳ ପଦ୍ଧତି । ସେଥିରେ ପୁଣି ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳିଥାଏ । ତେଣୁ ସରକାରୀ ସ୍ତରରେ ଚାରାରୋପଣକୁ କମ କରି ବିହନ ଗୁଳା ମାଧ୍ୟମରେ ବନୀକରଣକୁ ଅଗ୍ରାଧିକାର ଦିଆଗଲେ ଖୁବ୍ କମ ସମୟ ମଧ୍ୟରେ ଜଙ୍ଗଲଗୁଡ଼ିକର ସାନ୍ଦ୍ରତା ବଢ଼ାଇବା ସହିତ ନୂତନ ଜଙ୍ଗଲ ସୃଷ୍ଟି କରିହେବ । ବିହନ ଗୁଳା ନିକ୍ଷେପ ମାଧ୍ୟମରେ ବନୀକରଣ ପାଇଁ ଏବେ ଡ୍ରୋନ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ହେବାକୁ ଲାଗିଲାଣି । ପ୍ରଥମେ ଡ୍ରୋନ ଓ କୃତ୍ରିମ ବିଦ୍ୱତ୍ତା (ଏଆଇ)କୁ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସର୍ଭେ କରାଯାଇ ସେଥିରୁ କେଉଁ ସ୍ଥାନରେ ବନୀକରଣର ଆବଶ୍ୟକତା ରହିଛି ତାହା ଚିହ୍ନଟ ହୋଇ ମ୍ୟାପଟିଏ ପ୍ରସ୍ତୁତ ହୋଇଥାଏ । ବୃକ୍ଷର ସାନ୍ଦ୍ରତା, ଜଙ୍ଗଲର ସ୍ତର ଓ ମାଟିର ଗୁଣକୁ ଆଧାର କରି କେଉଁ ସ୍ଥାନରେ କେଉଁ ମଞ୍ଜି ପୋତାଯିବା ଦରକାର, ତାହା ସ୍ଥିର ହୋଇଥାଏ । ଚାରାରୋପଣ ମାଧ୍ୟମରେ ବନୀକରଣ ବେଳେ ପ୍ରାୟତଃ ଗୋଟିଏ ପ୍ରଜାତିର (ମନୋକଲଚର) ଚାରାରୋପଣ ହେଉଥିବାବେଳେ ଡ୍ରୋନ ମାଧ୍ୟମରେ ନିମ, ତେନ୍ତୁଳି, ମହୁଲ, ପଣସ, ଆତ, ବରଗଛ, ବବୁଲ ଭଳି ସ୍ଥାନୀୟ ଜଙ୍ଗଲରେ ଉପଲବ୍ଧ ବିଭିନ୍ନ ପ୍ରକାର ଗଛର ମଞ୍ଜି ନିକ୍ଷେପ କରାଯାଇଥାଏ । ତା’ପରେ ଡ୍ରୋନର ବ୍ୟବହାର କରି ସେହି ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ନିର୍ଭୁଲ ଭାବେ ବିହନ ଗୁଳା ନିକ୍ଷେପ କରାଯାଇଥାଏ । ଡ୍ରୋନର ଗତିପଥକୁ ଜିଓଟାଗିଂ କରାଯାଉଥିବାରୁ ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦିଷ୍ଟ ଗତିପଥରେ ଡ୍ରୋନ ମାଧ୍ୟମରେ ପୁନଶ୍ଚ ଗଛଗୁଡ଼ିକର ସ୍ଥିତି ନିରୀକ୍ଷଣ କରାଯାଇପାରିଥାଏ । ଏପରିକି ଗଛ ଉଠି ନଥିଲେ ବା ମରି ଯାଇଥିଲେ ଡ୍ରୋନ ମାଧ୍ୟମରେ ତାହାର ପରିପୂରଣ କରାଯାଇଥାଏ । ଫଳରେ ଗଛଗୁଡ଼ିକ ବଞ୍ଚି ରହିବା ସହ ଦ୍ରୁତ ବନୀକରଣର ଲକ୍ଷ୍ୟ ହାସଲ ହୋଇପାରିଥାଏ । ଦେଶରେ ‘ସିଡ଼କପ୍ଟର’ ନାମକ କମ୍ପାନୀ ଦ୍ୱାରା ଏହି ‘ମାନବରହିତ ବ୍ୟୋମଯାନ ମାଧ୍ୟମରେ ବିହନ ଗୁଳା ନିକ୍ଷେପ’ ସେବା ଉପଲବ୍ଧ ହେଲାଣି । ତେଲେଙ୍ଗାନା, ରାଜସ୍ଥାନ, ଆସାମ ଆଦି ରାଜ୍ୟରେ ବନୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ଡ୍ରୋନ ମାଧ୍ୟମରେ ବିହନଗୁଳା ନିକ୍ଷେପକୁ ଗୁରୁତ୍ୱ ଦିଆଯାଉଛି ।            

୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ସହ ଓଡ଼ିଶା ଏକ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ସମୁଦ୍ର ସନ୍ନିକଟରେ ଏକ ଘଞ୍ଚ ସବୁଜ ବଳୟର ଆବଶ୍ୟକତା ରହିଛି ।  ପରିବେଶର ସୁରକ୍ଷା ତଥା ସମୁଦ୍ର ଜନିତ କ୍ଷୟକ୍ଷତିକୁ ରୋକିବା ଲାଗି ଓଡ଼ିଶା ସରକାର  ୨୦୧୫ରେ ବିସ୍ତୀର୍ଣ୍ଣ ବେଳାଭୂମି ନିକଟସ୍ଥ ଲୁଣାବନ୍ଧକୁ ଲାଗି ଏକ ସବୁଜ ବଳୟ ସୃଷ୍ଟି କରିବା ପାଇଁ ସ୍ଥିର କରିଥିଲେ । ‘’ଜାତୀୟ ବାତ୍ୟା ବିପଦ ପ୍ରଶମନ ପ୍ରକଳ୍ପ’ (ଏନସିଆରଏମପି) ଅଧୀନରେ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାଗୁଡ଼ିକରେ ଲୁଣାବନ୍ଧ କଡ଼ରେ ବୃକ୍ଷରୋପଣ କରି ଏକ ସବୁଜ ବଳୟ ସୃଷ୍ଟି କରାଯିବ ବୋଲି କୁହାଯାଇଥିଲା, ଯାହା ସମୁଦ୍ର ଲହରୀ ଓ ପବନକୁ ପ୍ରତିହତ କରିବା ପାଇଁ ପ୍ରଥମ ଧାଡ଼ିର ସୁରକ୍ଷା ପ୍ରଦାନକରୀ ଭାବେ କାର୍ୟ୍ୟ କରିଥାନ୍ତା । ବିଶ୍ୱ ବ୍ୟାଙ୍କ ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ବିପତ୍ତି ପରିଚାଳନା କର୍ତ୍ତୃପକ୍ଷଙ୍କ (ଓଏସଡିଏମଏ) ଦ୍ୱାରା କରାଯିବାର ଥିଲା । ୧୯୯୯ର ମହାବାତ୍ୟା ପରେ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଯେଉଁ ସଂଖ୍ୟାରେ ଗଛ ନଷ୍ଟ ହୋଇଥିଲା ତାହା ବୃକ୍ଷରୋପଣ ମାଧ୍ୟମରେ ପୂରଣ କରିବା ଲାଗି ସେଭଳି ଉଦ୍ୟମ ହୋଇନଥିବାରୁ ସବୁଜ ବଳୟର ଅନୁପସ୍ଥିତି ଜନିତ ବିପଦ ସମ୍ପର୍କରେ ଫାଇଲିନ, ହୁଡହୁଡ଼, ଫନି ଭଳି ବାତ୍ୟାଗୁଡ଼ିକରେ ଅନୁଭୂତ ହୋଇଆସିଛି । ଅବଶ୍ୟ ଭିତରକନିକା ସମେତ ଅଳ୍ପ କିଛି ସ୍ଥାନରେ ଥିବା ହେନ୍ତାଳ ବଣ ପ୍ରକୃତିର ବରଦାନ ସଦୃଶ ରହିଆସିଛି । ଉପରୋକ୍ତ ପ୍ରକଳ୍ପର କାର୍ଯ୍ୟକାଳ ସରିଯାଇଥିଲେ ବି ଅସମାପ୍ତ ସବୁଜ ବଳୟ ସମ୍ପର୍କରେ ଆଉ ଆଲୋଚନା ନ ହେବା ଦୁର୍ଭାଗ୍ୟଜନକ । ତେଣୁ ଡ୍ରୋନକୁ ଉପଯୋଗ କରି ଏହି ସବୁଜ ବଳୟର ଅସମାପ୍ତ କାର୍ୟ୍ୟକୁ ପୂରା କରାଯିବା ସହ ନୂଆ ହେନ୍ତାଳ ବଣ ସୃଷ୍ଟି ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ମ୍ୟାନମାରରେ ହେନ୍ତାଳ ବଣର ପୁନରୁଦ୍ଧାର ପାଇଁ ଡ୍ରୋନ ସହାୟତାରେ ଏକ ବଡ ଧରଣର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ଏ ଯାଏଁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୬୦ ଲକ୍ଷ ଗଛ ସୃଷ୍ଟି ହୋଇସାରିଲାଣି । ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଡ୍ରୋନ ମାଧ୍ୟମରେ ହେନ୍ତାଳ ବଣର ପୁନରୁଦ୍ଧାର କଥା ଚିନ୍ତା କରାଯାଇପାରେ ।

ସେହିପରି ୨୦୧୮ରେ ମନ୍ତ୍ରୀମଣ୍ଡଳ ବୈଠକରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ପରି ଓଡ଼ିଶାର ବଡ଼ ବଡ଼ ନଦୀଗୁଡ଼ିକୁ ପ୍ରାଣବନ୍ତ କରିବା ପାଇଁ ସେଗୁଡ଼ିକର କୂଳେ କୂଳେ ସବୁଜ ବଳୟ ସୃଷ୍ଟି କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଏପରିକି ‘ଗ୍ରୀନ ମହାନଦୀ ମିଶନ’ ଅଧୀନରେ ସରକାରୀ ଜମି ଓ ଘରୋଇ ଜମିରେ ବୃକ୍ଷରୋପଣ ପାଇଁ ୨ କୋଟି ଚାରା ଯୋଗାଇ ଦିଆଯାଇଥିଲା । ଅବଶ୍ୟ ପରିବେଶ ଓ ଜୈବ ବିବିଧତାର ସୁରକ୍ଷା ଦୃଷ୍ଟିରୁ ସେଭଳି ମିଶନର ଉପାଦେୟତା ନେଇ ପରିବେଶବିତମାନେ ପ୍ରଶ୍ନ ଉଠାଇଥିଲେ ବି ଏହି ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଆଉ ବିଶେଷ କିଛି ଶୁଣିବାକୁ ମିଳୁନାହିଁ । ପରିବେଶଗତ ପ୍ରସଙ୍ଗଗୁଡ଼ିକୁ ଧ୍ୟାନରେ ରଖି ଡ୍ରୋନର ସହାୟତାରେ ବିହନ ଗୁଳା ମାଧ୍ୟମରେ ଉପଯୁକ୍ତ ପ୍ରଜାତିର ବୃକ୍ଷରୋପଣ କରି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା କଥା ଚିନ୍ତା କରାଯାଇପାରେ । ଏପରିକି ଚାରାରୋପଣ ମାଧ୍ୟମରେ ହେଉଥିବା ବନୀକରଣର ଅଗ୍ରଗତିକୁ ଡ୍ରୋନ ମାଧ୍ୟମରେ ନିରୀକ୍ଷଣ କରିବା ବାଧ୍ୟତାମୂଳକ କରାଗଲେ ଏ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ହ୍ରାସ କରାଯିବା ସହ ବନୀକରଣର ସଫଳତାକୁ ସୁନିଶ୍ଚିତ କରି ହୁଅନ୍ତା ।  

ବିହନ ଗୁଳା ମାଧ୍ୟମରେ ବୃକ୍ଷରୋପଣକୁ ସାଧାରଣରେ ଆଦୃତ କରାଇବା ଲାଗି ନିମ୍ନ କେତୋଟି ଦିଗ ପ୍ରତି ଧ୍ୟାନ ଦିଆଯାଇପାରେ । ଏଣିକି ସଭାସମିତିରେ ଅତିଥି ଅଭ୍ୟାଗତମାନଙ୍କୁ ସ୍ୱାଗତ ଜଣାଇଲା ବେଳେ ପୁଷ୍ପଗୁଚ୍ଛ ବଦଳରେ ବିହନ ଗୁଳା ପ୍ରଦାନର ପ୍ରଥା ଆରମ୍ଭ କରାଯାଇପାରେ । ପୁଷ୍ପଗୁଚ୍ଛଟି ଦିନକ ପରେ ମଉଳି ଯାଉଥିବା ବେଳେ ବିହନ ଗୁଳାରେ ଥିବା ମଞ୍ଜିଟିରେ ଏକ ନୂତନ ସୃଷ୍ଟିର ସମ୍ଭାବନା ଲୁଚି ରହିଥାଏ । ବିହନ ଗୁଳାଟିକୁ ପୋତିବା ପାଇଁ ସ୍ଥାନାଭାବ ଥିଲେ ଯାତ୍ରା ସମୟରେ ସେଇଟିକୁ ଉପଯୁକ୍ତ ଜାଗାକୁ ନିକ୍ଷେପ କରି ଦେଇହେବ । ସେହିପରି ଜନ୍ମଦିନ, ବାହାଘର ଭଳି ପାରିବାରିକ ଉତ୍ସବମାନଙ୍କରେ ବିହନ ଗୁଳାକୁ ଉପହାର ଆକାରରେ ପ୍ରଦାନ କରିବାର ବିଧି ଆରମ୍ଭ କରାଯାଇପାରେ । ତଦ୍ଦ୍ୱାରା ଗଛ ଓ ପ୍ରକୃତି ପ୍ରତି ପିଲାଟି ଦିନରୁ ମମତା ସୃଷ୍ଟି କରାଯାଇପାରିବ । ଉଲ୍ଲେଖଯୋଗ୍ୟ ଯେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଏହି ପ୍ରଥା ଆରମ୍ଭ ହୋଇଗଲାଣି । ବର୍ଷା ଋତୁରେ ପ୍ରତି ଗାଁର ରାସ୍ତା ଧାରରେ, ମନ୍ଦିର ବେଢ଼ାରେ ଓ ଅନ୍ୟ ଖାଲି ଜାଗାରେ ଅନ୍ତତଃ ପଚାଶଟି ଲେଖାଏଁ ନିମ, ବେଲ ଭଳି ସ୍ୱାସ୍ଥ୍ୟ ପ୍ରତି ହିତକର ବୃକ୍ଷର ବିହନ ଗୁଳା ପୋତାଯାଇପାରିଲେ ଗଛ ବଡ଼ ହୋଇ ବାୟୁ ପ୍ରଦୂଷଣ ହ୍ରାସ କରିବା ସହ ଗାଁ ଲୋକଙ୍କୁ ନୀରୋଗ ରଖିବାରେ ସହାୟକ ହେବ । ଏହାକୁ ଏକ ଆନ୍ଦୋଳନର ରୂପ ଦେବାକୁ ମଧ୍ୟ ଚିନ୍ତା କରାଯାଇପାରେ । ଯାତ୍ରା ସମୟରେ, ବାହାର ଜାଗାକୁ ବୁଲିବାକୁ ବା ପିକନିକରେ ଗଲା ବେଳେ ସାଙ୍ଗରେ ସବୁବେଳେ କିଛି ବିହନଗୁଳା ନେଇ ସେଗୁଡ଼ିକୁ ଉପଯୋଗ କରିବାକୁ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ । ଆମେରିକା, ଥାଇଲାଣ୍ଡ, କେନିଆ ଭଳି ଅନେକ ଦେଶରେ ଏବେ ବିହନ ଗୁଳାର ବହୁଳ ଉପଯୋଗ ହେଉଛି । ସେଗୁଡ଼ିକୁ ଆକାଶ ମାର୍ଗରୁ ବୋମା ଭଳି ନିକ୍ଷେପ କରି ଜଙ୍ଗଲ ସୃଷ୍ଟି କରାଯାଉଛି । ଜଙ୍ଗଲ ଖଣ୍ଡିତ ବା ପତଳା ହୋଇଗଲେ ମାଟି ଶୁଷ୍କ ହୋଇ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଯାଇଥାଏ । ବନାଗ୍ନି ପ୍ରବଣ ଓଡ଼ିଶାରେ ଦେଶର ସର୍ବାଧିକ ସଂଖ୍ୟକ ବନାଗ୍ନି ହେଉଥିବାରୁ ଏଠାକାର ଖଣ୍ଡିତ ବା ପତଳା ହୋଇଯାଉଥିବା ଜଙ୍ଗଲଗୁଡିକୁ ପୁନଃ ଘଞ୍ଚ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବିହନ ଗୁଳାକୁ ଆୟୁଧ ରୂପେ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି । ଢେଙ୍କାନାଳ ଜିଲ୍ଲାର ଯୁବକ ଶୁଭ୍ରାଂଶୁ ଶତପଥୀ ବିହନ ଗୁଳା ମାଧ୍ୟମରେ ସବୁଜ ବଳୟର ପୁନରୁଦ୍ଧାର କରି ଜାତିସଂଘ ଦ୍ୱାରା ପୁରସ୍କୃତ ହେବା ବାସ୍ତବିକ ଆମ ପାଇଁ ଗର୍ବର ବିଷୟ । ଚାରା ରୋପଣ ହେଉ; ଏଥି ସହିତ ବିହନ ଗୁଳା ଉପଯୋଗର ଚଳଣି ଆରମ୍ଭ ହେଲେ କେବଳ ଜୁଲାଇ ମାସକୁ ଅପେକ୍ଷା ନ କରି ବର୍ଷ ତମାମ ବୃକ୍ଷରୋପଣ ପ୍ରକ୍ରିୟା ଜାରି ରହିପାରିବ । ଆମ ହୃତ ସବୁଜ ବଳୟର ପୁନରୁଦ୍ଧାର ଦିଗରେ ପାହୁଣ୍ଡେ ଆଗକୁ ବଢ଼ିବାରେ ତାହା ସହାୟକ ହେବା ନିଃସନ୍ଦେହ ।


Published in Sambad on June 27, 2023


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍