ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ନିକଟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଥିବା ଭାରତୀୟ ପରିବାରର (ହାଉସହୋଲଡ) ସଞ୍ଚୟ ରିପୋର୍ଟରେ ଦେଶରେ ପରିବାରର ସଞ୍ଚୟ ହାର ହ୍ରାସ ପାଇ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ର ୫.୧ ପ୍ରତିଶତରେ ପହଞ୍ଚିଛି, ଯାହା ଗତ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଥିଲା । ଉଦବେଗର ବିଷୟ ଯେ ଗତ ୪୭ ବର୍ଷ ମଧ୍ୟରେ ଦେଶର ଜିଡ଼ିପିରେ ପରିବାର ସଞ୍ଚୟର ପ୍ରତିଶତ କେବେ ହେଲେ ଏ ବର୍ଷ ପରି ଏତେ ତଳ ସ୍ତରକୁ ଖସି ନ ଥିଲା । ଉଭୟ ପରିବାର ଓ ଦେଶର ଅର୍ଥନୀତି ଉପରେ ପରିବାର ସଞ୍ଚୟ ହ୍ରାସ ପାଇବାର କି ପ୍ରଭାବ ପଡ଼ିପାରେ, ତାହା ବୁଝିବାର ଆବଶ୍ୟକତା ରହିଛି ।
ପରିବାରର ଆର୍ଥିକ ସମ୍ପତ୍ତି କହିଲେ ବ୍ୟାଙ୍କ ଜମା, ପୁଞ୍ଜିବଜାରରେ କମ୍ପାନିର ଅଂଶଧନ, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ ଆଦିରେ ବିନିଯୋଗ, ଜୀବନ ବୀମା, ଭବିଷ୍ୟନିଧି, ପେନସନ ଆଦି ପାଣ୍ଠିରେ ବିନିଯୋଗ ଓ ପାଖରେ ଥିବା ନଗଦ ରାଶିକୁ ବୁଝାଇଥାଏ । ସେଥିରୁ ବ୍ୟାଙ୍କ ଓ ଅଣବିତ୍ତୀୟ କମ୍ପାନୀ ଆଦିଠାରୁ ଅଣାଯାଇଥିବା ଋଣ ବାବଦ ଦେୟକୁ ବାଦ ଦେଲେ ଯାହା ବଳକା ରହେ ତାହା ପରିବାରର ନିଟ ସଞ୍ଚୟ ଭାବେ ପରିଗଣିତ ହୋଇଥାଏ । ତେବେ ଗୋଟିଏ ସାଧାରଣ ଭାରତୀୟ ପରିବାରର ମୋଟ ସମ୍ପତ୍ତିର ପ୍ରାୟ ୭୭ ପ୍ରତିଶତ ଘର, ଜମିବାଡ଼ିରେ ବିନିଯୋଗ ହେଉଥିଲାବେଳେ ୭ ପ୍ରତିଶତ ଗାଡି, ଗୃହପାଳିତ ପଶୁପକ୍ଷୀ, କୃଷି ଉପକରଣ ଓ ଅନ୍ୟାନ୍ୟ ଅଣକୃଷି ବ୍ୟାବସାୟିକ ଉପକରଣରେ ବିନିଯୁକ୍ତ ହୋଇଥାଏ । ସେହିପରି ପ୍ରାୟ ୧୧ ପ୍ରତିଶତ ସୁନା ରୂପା ଗହଣାରେ ବିନିଯୋଗ କରାଯାଇଥାଏ । ତେଣୁ ଅବଶିଷ୍ଟ ହାରାହାରି ମାତ୍ର ୫ ପ୍ରତିଶତ ଆର୍ଥିକ ସମ୍ପତ୍ତି ଭାବେ ବିନିଯୁକ୍ତ ହୋଇଥାଏ । ଅନ୍ୟ ପକ୍ଷରେ ବିକଶିତ ଦେଶଗୁଡ଼ିକରେ ପରିବାର ସଞ୍ଚୟର ସିଂହଭାଗ ଆର୍ଥିକ ସମ୍ପତ୍ତିରେ ବିନିଯୁକ୍ତ ହୋଇଥାଏ । ଭାରତରେ ସାଧାରଣ ଲୋକଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି କରି ସେମାନଙ୍କୁ ବ୍ୟାଙ୍କ ଜମା, ପୁଞ୍ଜି ବଜାର, ବୀମା, ଭବିଷ୍ୟନିଧି, ପେନସନ ଭଳି ଆର୍ଥିକ ଉତ୍ପାଦରେ ବିନିଯୋଗ କରିବା ପ୍ରତି ଆକୃଷ୍ଟ କରିବା ଲାଗି ପ୍ରୟାସ ହୋଇ ଆସୁଥିଲେ ବି ଏ ଯାଏଁ ସେଥିରେ ଆଶାନୁରୂପ ସଫଳତା ହାସଲ ହୋଇପାରିନାହିଁ । ଆର୍ଥିକ ସମ୍ପତ୍ତି କଥା ବିଚାର କଲେ ବିମୁଦ୍ରାକରଣ ପୂର୍ବରୁ ଭାରତୀୟମାନେ ସାଧାରଣତଃ ଘରେ ନଗଦ ରାଶି ରଖିବାକୁ ଅଧିକ ପସନ୍ଦ କରୁଥିଲେ । ତା’ପରେ ସ୍ଥିତିରେ ପରିବର୍ତ୍ତନ ଘଟିଛି । ଏବେ ଆର୍ଥିକ ସଞ୍ଚୟର ପ୍ରାୟ ୩୮ ପ୍ରତିଶତ ବ୍ୟାଙ୍କରେ ଜମା ଆକାରରେ ରହୁଛି । ତେବେ ପୁଞ୍ଜି ବଜାରରେ ଖୁବ କମ ପ୍ରତିଶତ ଲୋକ ସିଧାସଳଖ ଅଂଶଗ୍ରହଣ କରୁଥିଲେ ବି ସମୁଦାୟ ଆର୍ଥିକ ସମ୍ପତ୍ତିର ପ୍ରାୟ ୬ ପ୍ରତିଶତ ମ୍ୟୁଚୁଆଲ ଫଣ୍ଡରେ ନିବେଶ ହୋଇଥିବା ଜଣାପଡ଼ୁଛି । ବୀମା ଏବଂ ଭବିଷ୍ୟନିଧି ଓ ପେନସନ ପାଣ୍ଠିରେ ନିବେଶ ଯଥାକ୍ରମେ ୨୨ ଓ ୨୦ ପ୍ରତିଶତ ରହିଛି । ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ଲୋକଙ୍କ ମଧ୍ୟରେ ଜୀବନବୀମା ଓ ପେନସନ ପାଣ୍ଠିର ବିସ୍ତାର ଆଶାନୁରୂପ ହୋଇନାହିଁ । ଲୋକଙ୍କଠାରେ ଆର୍ଥିକ ସଚେତନତାର ବିକାଶ ସହ ବିଭିନ୍ନ ପ୍ରକାର ଆର୍ଥିକ ଉତ୍ପାଦରେ ନିବେଶ ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ଆଶା କରାଯାଏ । କେତେକ ବ୍ୟାଙ୍କ ଓ ଏନଜିଓଙ୍କ ଦ୍ୱାରା କାଁ ଭାଁ ଆର୍ଥିକ ସାକ୍ଷରତା କାର୍ୟ୍ୟକ୍ରମମାନ ଆୟୋଜିତ ହେଉଥିଲେ ବି ତାହା ଯଥେଷ୍ଟ ନୁହେଁ । ସାମାଜିକ ସ୍ତରରେ ଏପରି ପ୍ରୟାସ ନିରନ୍ତର ଚାଲିବା ସହିତ ଆର୍ଥିକ ସାକ୍ଷରତାକୁ ସ୍କୁଲ ପାଠ୍ୟକ୍ରମର ଅଂଶବିଶେଷ କରାଯିବାର ଆବଶ୍ୟକତା ରହିଛି । ନହେଲେ ସରକାରୀ ଯୋଜନାରେ ଜନତାଙ୍କ ସକ୍ରିୟ ଭାଗିଦାରୀ ସୁନିଶ୍ଚିତ କରିହେବନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ବ୍ୟାଙ୍କ ଆକାଉଣ୍ଟ ନଥିବା ସାଧାରଣ ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଲକ୍ଷ୍ୟ ନେଇ ୨୦୧୪ରେ ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ର ଅୟମାରମ୍ଭ ହେବା ପରଠାରୁ ୯ ବର୍ଷ ମଧ୍ୟରେ ୫୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ବ୍ୟାଙ୍କ ଖାତା ଖୋଲା ସରିଥିଲେ ବି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ସରକାରୀ ସୁବିଧା ହାସଲ କରିବା ଲାଗି ଏହି ଖାତାଗୁଡ଼ିକ ବ୍ୟବହାର ହେବା ବ୍ୟତୀତ ଅଧିକାଂଶ ଖାତାରେ କୌଣସି ଦେଣନେଣ ହେଉନାହିଁ । ଫଳରେ ବିନା ଟଙ୍କାରେ ଖୋଲାଯାଇଥିବା ଏହି ଆକାଉଣ୍ଟଗୁଡ଼ିକ ମଧ୍ୟରୁ ଲକ୍ଷ ଲକ୍ଷ ଆକାଉଣ୍ଟରେ ଆଜି ମଧ୍ୟ ଜମା ରାଶି ଅତ୍ୟଳ୍ପ ବା ଶୂନ୍ । ୫୦ କୋଟି ଖାତାରେ ଥିବା ମୋଟ ଜମା ରାଶି ୨ ଲକ୍ଷ କୋଟି ଟଙ୍କାରୁ ସାମାନ୍ୟ ଅଧିକ; ଅର୍ଥାତ୍ ଆକାଉଣ୍ଟ ପିଛା ହାରାହାରି ଜମା ରାଶିର ପରିମାଣ ମାତ୍ର ୪ ହଜାର ଟଙ୍କା । ଏଥିରୁ ସ୍ପଷ୍ଟ ଯେ ସାଧାରଣ ଲୋକଙ୍କଠାରେ ଆର୍ଥିକ ସମ୍ପତ୍ତି (ଫାଇନାନସିଆଲ ଆସେଟ) ବୃଦ୍ଧି ପ୍ରତି ସେତେ ବେଶି ଆଗ୍ରହ ନାହିଁ ନତୁବା ସାମର୍ଥ୍ୟର ଅଭାବ ରହିଛି । ଏଥି ନିମନ୍ତେ ସେମାନଙ୍କ ଦୁର୍ବଳ ଆର୍ଥିକ ସ୍ଥିତି ମଧ୍ୟ କେତେକାଂଶରେ ଦାୟୀ । ଅନ୍ୟଥା ଜନଧନ ଯୋଜନାରେ ଖାତା ଖୋଲାହେବା ପରେ ସେହି ଜମାକାରୀମାନଙ୍କର ଖାତାରେ ପ୍ରତିବର୍ଷ ଯଦି ହାରାହାରି ଜମା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି ପାଉଥାନ୍ତା ତେବେ ଏତେବେଳକୁ ସମୁଦାୟ ଜମା ରାଶି ହୁଏତ ୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିସାରନ୍ତାଣି ଓ ପରିବାରର ସଞ୍ଚୟ ପ୍ରତିଶତ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଚାଲିଥାନ୍ତା ।
ଭାରତୀୟ ପରିବାରଗୁଡ଼ିକର ଗାଏମୋଟ ନିଟ ଆର୍ଥିକ ସମ୍ପତ୍ତିର ପରିମାଣ ୨୦୨୦-୨୧ ଆର୍ଥିକ ବର୍ଷରେ ୨୨.୮ ଲକ୍ଷ କୋଟି ଟଙ୍କା ଥିଲାବେଳେ ତାହା ୨୦୨୧-୨୨ ଆର୍ଥିକ ବର୍ଷରେ ୧୬.୯୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ଚିନ୍ତାର ବିଷୟ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ତାହା ଆହୁରି ୩.୨୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧୩.୭୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ପରିବାରର ଋଣ (ହାଉସହୋଲଡ ଡେବଟ୍) ବୃଦ୍ଧି ପାଇ ଜିଡିପିର ୩୭.୬ ପ୍ରତିଶତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ପରିବାରଗୁଡ଼ିକ ବ୍ୟାଙ୍କ ଓ ଅନ୍ୟ ଅଣବିତ୍ତୀୟ ଆର୍ଥିକ ସଂସ୍ଥାଗୁଡ଼ିକ ନିକଟରୁ ନେଇଥିବା ଋଣର ଦେୟ (ହାଉସହୋଲଡ ଲାଏବିଲିଟିଜ) ପରିମାଣ ବୃଦ୍ଧି ପାଇ ମୋଟ ଘରୋଇ ଉତ୍ପାଦର ୫.୮ ପ୍ରତିଶତରେ ପହଞ୍ଚିଛି, ଯାହା ୨୦୨୧-୨୨ରେ ମାତ୍ର ୩.୮ ପ୍ରତିଶତ ଥିଲା । ମାତ୍ର ଗୋଟିଏ ବର୍ଷରେ ପରିବାରର ଦେୟ ୨ ପ୍ରତିଶତ ବୃଦ୍ଧି ପାଇବା ଉଦବେଗର କାରଣ ପାଲଟିଛି । ଅର୍ଥାତ୍ ୨୦୨୧-୨୨ରେ ଏହି ସମସ୍ତ ବିତ୍ତୀୟ ଓ ଅଣ-ବିତ୍ତୀୟ ସଂସ୍ଥାଙ୍କଠାରୁ ପରିବାରଗୁଡ଼ିକ ୯ ଲକ୍ଷ କୋଟି ଟଙ୍କା ଋଣ ଆଣିଥିବା ବେଳେ ୨୦୨୨-୨୩ରେ ସେହି ଋଣର ପରିମାଣ ୧୫.୮ ଲକ୍ଷ କୋଟି ଟଙ୍କାକୁ ବା ୭୬ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଋଣର ପରିମାଣ ଏତେ ମାତ୍ରାରେ ବଢ଼ିବା ଅର୍ଥବ୍ୟବସ୍ଥା ପାଇଁ ଶୁଭସୂଚନା ହୋଇ ନପାରେ, କାରଣ ଋଣ ପରିଶୋଧ ପାଇଁ ଆବଶ୍ୟକ ପରିମାଣର ରୋଜଗାର ସୁନିଶ୍ଚିତ ନ ହେଲେ ତାହା ଖିଲାପରେ ପରିବର୍ତ୍ତିତ ହେବାର ଆଶଙ୍କା ଥାଏ । ଏହି ଋଣ ମଧ୍ୟରୁ ପ୍ରାୟ ୫୫ ପ୍ରତିଶତ ଗୃହ, ଶିକ୍ଷା ଓ ଯାନବାହାନ ପାଇଁ ନିଆଯାଇଥିଲା ବେଳେ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ବନ୍ଧକବିହୀନ ଖୁଚୁରା ଋଣର ପରିମାଣ ପ୍ରାୟ ଏକ ତୃତୀୟାଂଶ । ପରିବାରଗୁଡ଼ିକ ଅଧିକ ଋଣ କରି ଉପଭୋଗରେ ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି । ଯୁବ ବର୍ଗ ମଧ୍ୟରେ ସଞ୍ଚୟ ଅପେକ୍ଷା ଖର୍ଚ୍ଚ କରିବାର ପ୍ରବୃତ୍ତି ଅଧିକ ପରିଲକ୍ଷିତ ହେଉଛି, ଯାହା ସେମାନଙ୍କୁ କ୍ରେଡ଼ିଟ କାର୍ଡରେ ଋଣ ନେବାକୁ ପ୍ରେରିତ କରୁଛି । କ୍ରେଡ଼ିଟ କାର୍ଡ ମାଧ୍ୟମରେ ହୋଇଥିବା ଋଣର ପରିମାଣ ମେ ୨୦୨୩ରେ ୧.୪୭ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତର ଛୁଇଁଥିଲା । ଏଭଳି ଋଣ ପରିଶୋଧ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଋଣଗ୍ରହୀତାଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପରିବାରର ଆୟ ଯଥେଷ୍ଟ ନ ଥାଇ ଉପଭୋଗ ଋଣ (କଞ୍ଜମ୍ପସନ ଲୋନ) କରାଗଲେ ଋଣ ପରିଶୋଧରେ ସମସ୍ୟା ଉତ୍ପନ୍ନ ହୋଇ ପରିବାର ଋଣଜନ୍ତାରେ ପଡ଼ି ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଥାଏ ।
ଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିବାକୁ ହେଲେ ପ୍ରଚୁର ପରିମାଣରେ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ସେହି ଆବଶ୍ୟକତା ପ୍ରତ୍ୟକ୍ଷ ବିଦେଶୀ ନିବେଶ, ବିଦେଶୀ ପୋର୍ଟଫୋଲିଓ ନିବେଶ ସମେତ ଘରୋଇ ସଞ୍ଚୟରୁ ପୂରଣ ହୋଇଥାଏ । ପରିବାରର ସଞ୍ଚୟ ଅଧିକ ଥିଲେ ତାହା ସେହି ଆବଶ୍ୟକତାକୁ ପୂରଣ କରିବାରେ ଏକ ବଡ଼ ଭୂମିକା ନିର୍ବାହ କରିଥାଏ । ପରିବାରର ସଞ୍ଚୟ ହାର ହ୍ରାସ ପାଇଥିବାରୁ ତାହା ଭିତ୍ତିଭୂମି ବିକାଶ ଲାଗି ଆବଶ୍ୟକ ହେଉଥିବା ପୁଞ୍ଜି ନିବେଶର ଅଭାବ ଉତ୍ପନ୍ନ କରି ଦେଶର ଅର୍ଥନୈତିକ ବିକାଶର ଗତିକୁ ଶିଥିଳ କରିବାର ଆଶଙ୍କା ସୃଷ୍ଟି କରିପାରେ । ତେଣୁ ଦେଶର ଅର୍ଥନୈତିକ ବିକାଶ ହାର ଉଚ୍ଚ ସ୍ତରରେ ରଖିବାକୁ ହେଲେ ପରିବାରର ସଞ୍ଚୟ ହାର ମଧ୍ୟ ତା’ ସହ ତାଳ ଦେଇ ଅଧିକ ହେବାକୁ ହେବ । ଅନ୍ୟଥା ନିବେଶ ପାଇଁ ବିଦେଶୀ ପୁଞ୍ଜି ଉପରେ ନିର୍ଭରଶୀଳତା ବୃଦ୍ଧି ପାଇପାରେ, ଯାହା ଭରସାଯୋଗ୍ୟ ନୁହେଁ ।
ପରିବାରର ସଞ୍ଚୟ ହାର ହ୍ରାସକୁ ଉଦବେଗଜନକ ମନେ କରୁ ନଥିବା କିଛି ଅର୍ଥନୀତିଜ୍ଞଙ୍କ ମତରେ ଏହି ହ୍ରାସର ପ୍ରମୁଖ କାରଣ ହେଲା ଲୋକମାନେ ବ୍ୟାଙ୍କ ଜମା ପରି ଆର୍ଥିକ ଉତ୍ପାଦରେ ସଞ୍ଚୟ କରିବା ଅପେକ୍ଷା ଘରବାଡ଼ି ପରି ଭୌତିକ ପଦାର୍ଥରେ ନିବେଶ ମାଧ୍ୟମରେ ସଞ୍ଚୟ କରିବାକୁ ଅଧିକ ପସନ୍ଦ କରୁଛନ୍ତି, ଯଦ୍ଦ୍ୱାରା ବର୍ଦ୍ଧିତ ମୁଦ୍ରାସ୍ଫୀତିର କୁପ୍ରଭାବକୁ ସେମାନେ ପ୍ରତିହତ କରିବାକୁ ସମର୍ଥ ହେଉଛନ୍ତି । ବ୍ୟାଙ୍କଗୁଡ଼ିକରେ ଗୃହଋଣର ପରିମାଣରେ ବୃଦ୍ଧିକୁ ଏହାର ପ୍ରମାଣ ସ୍ୱରୂପ ଦର୍ଶାଯାଉଛି । ଜମା ଉପରେ ବ୍ୟାଙ୍କରେ ମିଳୁଥିବା ଅଳ୍ପ ସୁଧ ହାର ଯୋଗୁଁ ସେମାନେ ବ୍ୟାଙ୍କ ଜମା ପ୍ରତି ବିମୁଖ ହୋଇ ଏପରି କରୁଥିବା କଥା ବି କୁହାଯାଉଛି । ତେବେ ବ୍ୟାଙ୍କରୁ ସଞ୍ଚୟ ଉପରେ ମିଳୁଥିବା ସୁଧ ହାର କିଛି ବର୍ଷ ଧରି କମ ହୋଇଥିଲେ ବି ପୂର୍ବ ବର୍ଷମାନଙ୍କରେ ସେହି ବିମୁଖତା ତ କାହିଁ ପରିଲକ୍ଷିତ ହୋଇନଥିଲା ? ତା’ଛଡ଼ା ଗୃହ ଋଣ ଉପରେ ସୁଧ ହାର ବଢ଼ିବା ଯୋଗୁଁ ନିମ୍ନ ଆୟକାରୀଙ୍କ ପାଇଁ ସୁଲଭ ମୂଲ୍ୟର ଆବାସର ଚାହିଦା କମ ହେବାକୁ ଲାଗିଲାଣି । ବ୍ୟାଙ୍କରେ ଜମା ନ ରଖି ଘରବାଡ଼ିରେ ନିବେଶ ମାଧ୍ୟମରେ ସଞ୍ଚୟ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ନୁହେଁ । ବାସ୍ତବ ସ୍ଥିତିକୁ ଅନୁଶୀଳନ କଲେ ଜଣାଯାଏ ଯେ ଦୀର୍ଘ ଦିନ ଧରି ନିତ୍ୟ ବ୍ୟବହାର୍ୟ୍ୟ ଦ୍ରବ୍ୟଗୁଡ଼ିକର ଦରଦାମ ବୃଦ୍ଧି ପାଇ ମୁଦ୍ରାସ୍ଫୀତି ହାର ଅନିୟନ୍ତ୍ରିତ ଭାବେ ଉଚ୍ଚ ସ୍ତରରେ ରହିବା ଯୋଗୁଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଲେଣି । ରୋଜଗାର ନ ବଢ଼ି ଖର୍ଚ୍ଚ ବଢ଼ିଲେ ସଞ୍ଚୟ ଆଉ କେମିତି ହେବ ଯେ ସଞ୍ଚୟ ବଢ଼ିବ ? ଅଧିକନ୍ତୁ ରୋଜଗାର କମ ହେଉଥିବାରୁ ଓ ଦେଶରେ ବେକାରି ସମସ୍ୟା ଚରମରେ ଥିବାରୁ ଅନେକ ପରିବାର ଏବେ ସେମାନଙ୍କ ପୂର୍ବ ସଞ୍ଚିତ ରାଶି ଉପରେ ନିର୍ଭରଶୀଳ । ତେଣୁ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ଭଳି ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ ହେଲେ ଲୋକଙ୍କ ରୋଜଗାର ବଢ଼ି ସଞ୍ଚୟ ପାଇଁ ଉଦବୃତ୍ତ ଅର୍ଥ ଉପଲବ୍ଧ ହେବ । ଅନ୍ୟଥା ସଞ୍ଚୟ ହାର ବୃଦ୍ଧି ପାଇବ ବୋଲି ଆଶା କରିବା ବୃଥା ।
ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ସମ୍ପର୍କରେ କୁହାଯାଏ ଯେ ଓଡ଼ିଶା ଏକ ଧନୀ ରାଜ୍ୟ ଯେଉଁଠାରେ ଦରିଦ୍ର ଲୋକମାନେ ବସବାସ କରନ୍ତି । ଭାରତର ଅର୍ଥନୈତିକ ଅଭିବୃଦ୍ଧି ହୋଇ ଏହା ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇସାରିଥିଲେ ମଧ୍ୟ ଏବେ ବି ସରକାରଙ୍କଠାରୁ ମାଗଣା ଖାଦ୍ୟାନ୍ନ ପାଇବା ପାଇଁ ୮୧ କୋଟିରୁ ଊର୍ଦ୍ଧ୍ୱ ଦେଶବାସୀ ଅପେକ୍ଷମାଣ ଥିବାରୁ ଦେଶ ସମ୍ପର୍କରେ ଉପରୋକ୍ତ ବାକ୍ୟଟି ଉଚ୍ଚାରିତ ହେବା କିଛି ବିଚିତ୍ର ନୁହେଁ । ଦେଶ ବିକଶିତ ହେବା ଓ ଦେଶବାସୀ ସମ୍ପନ୍ନ ହେବା ଏକା କଥା ହୋଇନପାରେ । ତେଣୁ ଦେଶ ଆତ୍ମନିର୍ଭରଶୀଳ ହେବା ଦିଗରେ ପ୍ରୟାସ ଯେତିକି ଜରୁରୀ, ତାଠାରୁ ବେଶି ଜରୁରୀ ଦେଶବାସୀ ଆତ୍ମନିର୍ଭରଶୀଳ ଓ ସମ୍ପନ୍ନ ହେବା ଲାଗି ପ୍ରୟାସ ହେବା । ତାହେଲେ ସେମାନଙ୍କ ରୋଜଗାର ବଢ଼ି ଆର୍ଥିକ ସମ୍ପତ୍ତି ଓ ସଞ୍ଚୟ ବୃଦ୍ଧି ପାଇବ ଏବଂ ଦେଶ ପ୍ରକୃତ ଅର୍ଥରେ ବିକଶିତ ହେବ ।
Published in Sambad on October 3, 2023
ପରିସଂଖ୍ୟାନ ସହିତ ଉପାଦେୟ ଆଲୋଚନା ।ନୀତି ପ୍ରଣୟନକାରୀ ଙ୍କୁ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ।
ReplyDeleteସଞ୍ଜୀବ କୁମାର ଦାସ
ଧନ୍ୟବାଦ
Delete