ନୂଆଦିଲ୍ଲୀଠାରେ ଜି୨୦ ବୈଠକ ଶେଷରେ ଗୋଷ୍ଠୀ ତରଫରୁ ଜାରି ହୋଇଥିବା ଶକ୍ତି ଉତ୍ପାଦନ ସଂକ୍ରାନ୍ତୀୟ ଘୋଷଣା ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ବିଶ୍ୱର ନବୀକରଣୀୟ ଶକ୍ତି (ରିନିଉଏବଲ୍ ଏନର୍ଜି)ର କ୍ଷମତାକୁ ତିନି ଗୁଣ ବୃଦ୍ଧି କରିବା ସହିତ ଜାତୀୟ ପରିସ୍ଥିତିକୁ ଧ୍ୟାନରେ ରଖି କୋଇଲାର ବ୍ୟବହାରକୁ ଦ୍ରୁତ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାର ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଲାଗି ପେଟ୍ରୋଲ ଓ ପେଟ୍ରୋଲିୟମ ଜାତ ଦ୍ରବ୍ୟଗୁଡ଼ିକ ସମ ପରିମାଣରେ ଦାୟୀ ହୋଇଥିଲେ ବି ଏହାର ଉତ୍ପାଦକ ଦେଶଗୁଡ଼ିକର ସ୍ୱାର୍ଥକୁ ସୁରକ୍ଷିତ ରଖି ଏହି ଘୋଷଣା ଏହି ଧରଣର ଜୀବାଶ୍ମ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ହ୍ରାସ କରିବା ଦିଗରେ କୌଣସି ଘୋଷଣା ନ କରି ନୀରବତା ଅବଲମ୍ୱନ କରାଯାଇଛି । ତଥାପି ବିଶେଷଜ୍ଞମାନେ ଏହାକୁ ଏକ ସନ୍ତୁଳିତ ପଦକ୍ଷେପ କହି ପ୍ରଶଂସା କରୁଛନ୍ତି । କିନ୍ତୁ ସତ କଥା ହେଲା, ଏପରି ନିଷ୍ପତ୍ତି ଉଭୟ ପରିବେଶ ଓ ମାନବ ସମାଜର କ୍ଷତିସାଧନ କରି ଚାଲିବ । ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି୨୦ ବୈଠକରେ ମଧ୍ୟ ପ୍ରାୟ ସେହି ଏକା ପ୍ରକାର ଘୋଷଣା କରାଯାଇଥିଲା । ତେବେ, ଏହା ସ୍ୱୀକାର୍ୟ୍ୟ ଯେ ଜୀବାଶ୍ମ ଇନ୍ଧନର ବ୍ୟବହାରର ଦ୍ରୁତ ଗତିରେ ହ୍ରାସ ନ ପାଇଲେ ଏହା ଜଳବାୟୁ ପରିବର୍ତ୍ତନ ଉପରେ ଦୀର୍ଘ ମିଆଦି କୁପ୍ରଭାବ ପକାଇ ଚାଲିବ । ତେଣୁ ଏହି ପ୍ରସଙ୍ଗ ଖୁବ୍ ଅଧିକ ଗୁରୁତ୍ୱ ଲାଭ କରିବା ଉଚିତ ।
ଗତ ପ୍ରାୟ ଦେଢ଼ ଶହ ବର୍ଷ ଧରି କୋଇଲା, ଜାଳେଣି ତେଲ ଓ ପ୍ରାକୃତିକ ଗ୍ୟାସ ଭଳି ଜୀବାଶ୍ମ ଇନ୍ଧନ ବିଶ୍ୱର ଅର୍ଥନୀତିକୁ ଚଳଚଞ୍ଚଳ କରିଆସିଛି । ବସ୍ତୁତଃ ବିଶ୍ୱର ସମଗ୍ର ଶକ୍ତି ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଏହି ଜୀବାଶ୍ମ ଇନ୍ଧନରୁ ହିଁ ମିଳିଥାଏ । କିନ୍ତୁ ଏହାର ଦହନରୁ ବିଷାକ୍ତ ଅଙ୍ଗାରକାମ୍ଳ ଓ କ୍ଷତିକାରକ ସବୁଜକୋଠରୀ ବାଷ୍ପ (ଜିଏଚଜି) ବାୟୁମଣ୍ଡଳରେ ପ୍ରବେଶ କରି ତାପମାନ ବୃଦ୍ଧି କରିବା ସହ ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଥାଏ । ୧୯୭୦ରେ ଭାରତରେ ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ ମାତ୍ର ୦.୩୯ ମ୍ୟାଟ୍ରିକ ଟନ୍ ଥିବାବେଳେ ୨୦୨୧ରେ ତାହା ପ୍ରାୟ ୫ ଗୁଣ ବୃଦ୍ଧି ପାଇ ୧.୯ ମ୍ୟାଟ୍ରିକ ଟନରେ ପହଞ୍ଚିଛି, ଯାହା ଉଦବେଗଜନକ । ଭାରତରୁ ଏତେ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗମନ ହେବାର ସବୁଠାରୁ ବଡ଼ କାରଣ ହେଲା କୋଇଲା ଦହନ, ଶକ୍ତି ପାଇଁ ଯାହା ଉପରେ ଦେଶ ମାତ୍ରାଧିକ ନିର୍ଭରଶୀଳ । ଏକ ଆକଳନ ଅନୁସାରେ ୨୦୨୧ରେ ଭାରତରୁ ହୋଇଥିବା ପ୍ରାୟ ୨୫୫ କୋଟି ମ୍ୟାଟ୍ରିକ ଟନ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ମଧ୍ୟରୁ ୧୮୦ କୋଟି ମ୍ୟାଟ୍ରିକ ଟନ ବା ୭୦ ପ୍ରତିଶତ କେବଳ କୋଇଲା ଯୋଗୁ ହୋଇଥିଲା ।
ସାରା ବିଶ୍ୱରେ ଶକ୍ତିର ବ୍ୟବହାର କ୍ଷେତ୍ରରେ ଭାରତର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ବସ୍ତୁତଃ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଶକ୍ତି ବ୍ୟବହାର ପ୍ରାୟ ଦୁଇ ଗୁଣ ହୋଇସାରିଲାଣି । ଏହାର ଏକ ବଡ଼ କାରଣ ଏହାର ବିଶାଳ ଜନସଂଖ୍ୟା । ଏଥି ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଶକ୍ତି ଆବଶ୍ୟକତାକୁ ବଢ଼ାଇଛି । ଅଧିକ ସଂଖ୍ୟକ ଘର ବିଦ୍ୟୁତ ସଂଯୋଗ ନେଇଛନ୍ତି ଓ ବିଜୁଳି ଚାଳିତ ଉପକରଣର ବ୍ୟବହାର ବଢ଼ିଛି । ଏ ସମସ୍ତ ଶକ୍ତି ଚାହିଦାକୁ ବୃଦ୍ଧି କରିଛି । ଏ ସବୁ ସତ୍ତ୍ୱେ ଏବେ ମଧ୍ୟ ଭାରତରେ ମୁଣ୍ଡପିଛା ଶକ୍ତି ବ୍ୟବହାର ବିଶ୍ୱ ହାରାହାରିର ଅଧାରୁ ବି କମ୍ । ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ଆଗାମୀ ଦିନରେ ଶକ୍ତି ଚାହିଦା ଆହୁରି ବଢ଼ିବା ସୁନିଶ୍ଚିତ । ଦେଶର ଶକ୍ତି ଚାହିଦାର ସର୍ବାଧିକ ୪୬ ପ୍ରତିଶତ କୋଇଲା, ୨୪ ପ୍ରତିଶତ ତୈଳ ଓ ୨୦ ପ୍ରତିଶତ ଜାଳେଣି କାଠ ଭଳି ‘ବାୟୋମାସ’ରୁ ମିଳିଥାଏ । ପ୍ରାକୃତିକ ଗ୍ୟାସ ୫ ପ୍ରତିଶତ ଏବଂ ଜଳ ବିଦ୍ୟୁତ୍, ଆଣବିକ, ସୌର ଓ ପବନ ଦ୍ୱାରା ଉତ୍ପାଦିତ ବିଦ୍ୟୁତ ମାତ୍ର ୪ ପ୍ରତିଶତ ଚାହିଦା ପୂରଣ କରିଥାନ୍ତି । ଆମ ଦେଶରେ କୋଇଲା ହିଁ ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପଗୁଡ଼ିକର ପ୍ରମୁଖ ଇନ୍ଧନ ହୋଇଛି । ପରିବହନ ଓ ଗମନାଗମନ ପାଇଁ ଖଣିଜ ତୈଳ ହିଁ ମୁଖ୍ୟ ଇନ୍ଧନ ରୂପେ ବ୍ୟବହାର ହେଉଥିଲେ ବି ଦେଶରେ ୨୦୧୦ ପରଠାରୁ ଘରୋଇ ଖଣିଜ ତୈଳ ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଇ ଏବେ ତାହା ୩.୩ କୋଟି ଟନରେ ପହଞ୍ଚିସାରିଲାଣି । ୨୦୨୨ରେ ୨୪ କୋଟି ଟନ ଅଶୋଧିତ ତୈଳ ଆମଦାନି କରି ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ଆମଦାନିକାରୀ ଦେଶରେ ପରିଣତ ହୋଇଛି । ଆମ ଦେଶରେ ୪୪ ପ୍ରତିଶତ ତୈଳ ପରିବହନ, ୨୯ ପ୍ରତିଶତ ଶିଳ୍ପ, ୨୦ ପ୍ରତିଶତ ଘରୋଇ ଏବଂ କୃଷି କ୍ଷେତ୍ରରେ ବ୍ୟବହାର ହେଉଛି । ରନ୍ଧନ ଗ୍ୟାସର ଉପଲବ୍ଧତା ସତ୍ତ୍ୱେ ବିଭିନ୍ନ କାରଣରୁ ଗାଁ ଗଣ୍ଡାରେ ସଂଖ୍ୟାଧିକ ଘରେ ଜାଳେଣି କାଠର ବ୍ୟବହାର ଜାରି ରହିଛି । ଫଳରେ ଚୀନ ଓ ଆମେରିକା ପଛକୁ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନକାରୀ ଦେଶ ରୂପେ ପରିଗଣିତ ହୋଇସାରିଲାଣି । ଭାରତର ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଅଙ୍ଗାରକାମ୍ଳର ବ୍ୟବହାର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ଅଧିକ । ବିଶ୍ୱର ଶକ୍ତି ଉତ୍ପାଦନର ୨.୪ ପ୍ରତିଶତ ଭାରତରେ ହେଉଥିବା ବେଳେ ଏହା ବିଶ୍ୱର ୩.୩ ପ୍ରତିଶତ ଶକ୍ତି ବ୍ୟବହାର କରିଥାଏ । ଅର୍ଥାତ୍ ଚାହିଦା ଓ ଘରୋଇ ଉତ୍ପାଦନ ମଧ୍ୟରେ ତାରତମ୍ୟ ଥିବାରୁ ଏହା ଶକ୍ତି ଦୃଷ୍ଟିରୁ ଅସୁରକ୍ଷିତ ଅଟେ । ପୁନଶ୍ଚ, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିର ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ପ୍ରତିବର୍ଷ ଶକ୍ତିର ଚାହିଦା ଅନ୍ତତଃ ୫ ପ୍ରତିଶତ ବୃଦ୍ଧି ପାଇବ । ଏଭଳି ସ୍ଥିତିରେ ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରି ସବୁଜବାଷ୍ପ ନିର୍ଗମନକୁ ହ୍ରାସ କରିବା ଭାରତ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବ ।
ଏକ ଅଧ୍ୟୟନ ଅନୁସାରେ ଦେଶରୁ ହେଉଥିବା ସବୁଜକୋଠରୀ ବାଷ୍ପ ନିର୍ଗମନର ୮୦ ପ୍ରତିଶତ ମାତ୍ର ୧୦ଟି ରାଜ୍ୟରୁ ହେଉଥିବା ବେଳେ ୧୩ ପ୍ରତିଶତ କେବଳ ଓଡ଼ିଶାରୁ ହୋଇଥାଏ । ଗୁଜରାଟ ପରେ ଓଡ଼ିଶାରୁ ଦ୍ୱିତୀୟ ସର୍ବାଧିକ ସବୁଜକୋଠରୀ ବାଷ୍ପ ନିର୍ଗମନ ହେବା ଚିନ୍ତାଜନକ । ଓଡ଼ିଶା ଅନ୍ୟାନ୍ୟ ଶିଳ୍ପ ସମୃଦ୍ଧ ରାଜ୍ୟଗୁଡ଼ିକ ତୁଳନାରେ ସେତେ ଶିଳ୍ପୋନ୍ନତ ହୋଇ ନଥିଲେ ବି ଓଡ଼ିଶାରେ ସଂଖ୍ୟାଧିକ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଅବସ୍ଥିତି ଓ ଏଠାକାର ଶିଳ୍ପଗୁଡ଼ିକର ସର୍ବାଧିକ କୋଇଲା ନିର୍ଭରଶୀଳତା ଯୋଗୁଁ ଏହି ସ୍ଥିତି ଉତ୍ପନ୍ନ ହୋଇ ତାହାର ପ୍ରତିକୂଳ ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । କେବଳ ସେତିକି ନୁହେଁ, ଏଠାରୁ ଉତ୍ପାଦିତ ତାପଜ ବିଦ୍ୟୁତ ଅନ୍ୟ ରାଜ୍ୟକୁ ପଠାଯାଉଥିବା ବେଳେ ଏଠିକା ଲୋକଙ୍କ କପାଳରେ ଥାଏ ଖାଲି ଧୂଆଁ ଆଉ ପାଉଁଶର ବିଭୀଷିକା । ତେଣୁ ଖଣି ଅଞ୍ଚଳଗୁଡ଼ିକର ବିକାଶ ଲାଗି ଯେପରି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ର ପ୍ରାବଧାନ କରାଯାଇଛି ସେହିପରି ସବୁଜକୋଠରୀ ବାଷ୍ପ ନିର୍ଗମନ ଆକ୍ରାନ୍ତଙ୍କ ବିକାଶ ଲାଗି ଏକ ସ୍ୱତନ୍ତ୍ର ପାଣ୍ଠିର ପ୍ରାବଧାନ କଥା ବିଚାର କରିବା ଅସମୀଚୀନ ହେବନାହିଁ । ଏହି ପରିପ୍ରେକ୍ଷୀରେ ଦେଶକୁ ଜୀବାଶ୍ମ ଇନ୍ଧନ ଆଧାରିତ ଅର୍ଥନୀତିରୁ ଓହରି ଆସି ସ୍ୱଚ୍ଛ ଇନ୍ଧନକୁ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ । ଏଥି ସକାଶେ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ । ଗୃହ, ଯାନବାହାନ, ଶିଳ୍ପ ପ୍ରକ୍ରିୟା, ଉପକରଣ, ଯନ୍ତ୍ରପାତିଗୁଡ଼ିକର ଶକ୍ତି ଦକ୍ଷତା ବୃଦ୍ଧି ପ୍ରତି ଧ୍ୟାନ ଦେଇ ଶକ୍ତି ସଞ୍ଚୟ କରିବାକୁ ହେବ । ‘କାର୍ବନ କ୍ୟାପଚର ଷ୍ଟୋରେଜ’ (ସିସିଏସ) ପ୍ରକ୍ରିୟା ମାଧ୍ୟମରେ ଏଣିକି ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳକୁ ବାୟୁମଣ୍ଡଳରୁ ଛାଣି ଆଣି ମାଟିରେ ମିଶାଇ ଦେଇହେଉଛି । ୨୦୨୨ ସୁଦ୍ଧା ସାରା ବିଶ୍ୱରେ ବ୍ୟାବସାୟିକ ଭାବେ ଏହି ଧରଣର ୩୦ଟି ପ୍ଲାଣ୍ଟ କାମ କଲେଣି । ଭାରତରେ ଏଭଳି ଗୋଟିଏ ହେଲେ ପ୍ଲାଣ୍ଟ ନାହିଁ । ତେଣୁ ଏଭଳି ଅନେକ ପ୍ଲାଣ୍ଟ ପ୍ରତିଷ୍ଠାର ଆବଶ୍ୟକତା ରହିଛି ।
୨୦୩୦ ମସିହା ସୁଦ୍ଧା ଭାରତ ତା’ର ସମୁଦାୟ ବିଦ୍ୟୁତ ଉତ୍ପାଦନର ୫୦ ପ୍ରତିଶତ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ କରିବ ବୋଲି ଲକ୍ଷ୍ୟ ରଖିଛି । ତଦନୁସାରେ ଆଉ ଜୀବାଶ୍ମ ଇନ୍ଧନ ଆଧାରିତ ଶକ୍ତି ଭିତ୍ତିଭୂମିରେ ଅର୍ଥ ବିନିଯୋଗ ନ ହୋଇ ଅଣ-ପାରମ୍ପରିକ ଶକ୍ତି ଉତ୍ପାଦନ ଲାଗି ଅଧିକ ପାଣ୍ଠି ବିନିଯୋଗ କରାଯିବା କଥା । ତେବେ ଗତ ଦୁଇ ବର୍ଷ ମଧ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ କୋଇଲା ଆଧାରିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଲାଗି ୪ ଲକ୍ଷ କୋଟି ଟଙ୍କା ବିନିଯୋଗର ଘୋଷଣା ହୋଇଥିବା ବେଳେ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ୪.୮୦ ଲକ୍ଷ କୋଟି ଟଙ୍କାର ଗ୍ୟାସ ଭିତ୍ତିଭୂମି ପ୍ରକଳ୍ପ ପ୍ରତିଷ୍ଠା ବିଷୟ ଘୋଷଣା କରାହୋଇଛି । ୟୁରୋପୀୟ ଦେଶଗୁଡ଼ିକରେ ଆଉ ନୂତନ ଜୀବାଶ୍ମ ଇନ୍ଧନ ଭିତ୍ତିଭୂମି ନିର୍ମାଣ କରାଯାଉ ନଥିଲା ବେଳେ ଭାରତରେ ତାହା ବଳବତ୍ତର ରହିଛି, ଯାହା ଉଦବେଗର କାରଣ ।
ଜଳବାୟୁ ସମସ୍ୟା ଲାଗି ସର୍ବନିମ୍ନ ଦାୟୀ ଥିବା ବିଶ୍ୱର କୋଟି କୋଟି ସାଧାରଣ ଲୋକ ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ସର୍ବାଧିକ ଆକ୍ରାନ୍ତ ହେଉଥିବାର ପରିଲକ୍ଷିତ ହେଉଥିବାରୁ ଏବେ ‘ଜଳବାୟୁ ନ୍ୟାୟ’ର ଦାବି ଜୋର ଧରିବାକୁ ଲାଗିଲାଣି । ଏହା ସହିତ ବିଷାକ୍ତ ସବୁଜ
କୋଠରୀ ବାଷ୍ପ ନିର୍ଗମନକୁ ହ୍ରାସ କରିବାରେ ବିକାଶଶୀଲ ରାଷ୍ଟ୍ରଗୁଡ଼ିକୁ ସହାୟତା ପ୍ରଦାନ ଲାଗି
ମଧ୍ୟ ସେମାନଙ୍କୁ କୁହାଯାଉଛି । ଜଳବାୟୁ ପରିବର୍ତ୍ତନ ଲାଗି ସବୁଠାରୁ ବେଶି ଦାୟୀ ଥିବା ଶିଳ୍ପୋନ୍ନତ ଦେଶଗୁଡିକୁ ଏହାର ମୂଲ୍ୟ ବହନ କରିବାକୁ ହେବ ବୋଲି ଦାବି କରାଯାଉଛି । ଏହା ସହିତ ବିଷାକ୍ତ ସବୁଜକୋଠରୀ ବାଷ୍ପ ନିର୍ଗମନକୁ ହ୍ରାସ କରିବାରେ ବିକାଶଶୀଳ ରାଷ୍ସେଟ୍ରଗୁଡ଼ିକୁ ସହାୟତା ପ୍ରଦାନ ଲାଗି ସେମାନଙ୍କୁ କୁହାଯାଉଛି । ଅକ୍ଟୋବର ୨୦୨୧ରେ ଜାତିସଂଘର ମାନବ ଅଧିକାର ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ଯେ ‘ଏକ ସ୍ୱଚ୍ଛ, ସୁସ୍ଥ ଓ ସତତ ପରିବେଶ ସମସ୍ତଙ୍କ ଲାଗି ଏକ ମାନବ ଅଧିକାର’ । ଏବେ କେତେକ ଦେଶର ନାଗରିକମାନେ, ଏପରିକି ସାନ ସାନ ପିଲାମାନେ, ପରିବେଶକୁ ସୁରକ୍ଷିତ ରଖିବାରେ ସେମାନଙ୍କ ଦେଶର ସରକାରଙ୍କର ନିଷ୍କ୍ରିୟତାକୁ ଦାୟୀ କରି ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅଦାଲତଙ୍କର ଦ୍ୱାରସ୍ଥ ହୋଇ ଜୟଯୁକ୍ତ ମଧ୍ୟ ହେଉଛନ୍ତି । ୨୦୧୫ ମସିହାରେ ନେଦରଲାଣ୍ଡରେ ବିଭିନ୍ନ ଆୟୁବର୍ଗର ପ୍ରାୟ ୯୦୦ ନାଗରିକ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାରେ ସେଠାକାର ସରକାରଙ୍କ ନିଷ୍ଟ୍ରିୟତାକୁ ପ୍ରଶ୍ନ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତଙ୍କ ରାୟ ସେମାନଙ୍କ ସପକ୍ଷରେ ଯାଇଥିଲା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ ବ୍ୟୟସାପେକ୍ଷ ହେବ ବୋଲି ସରକାର ଦେଇଥିବା ଦଲିଲକୁ ଖାରଜ କରି ବର୍ଷକ ମଧ୍ୟରେ ଅଙ୍ଗାରକାମ୍ଳ ନିର୍ଗମନକୁ ୨୫ ପ୍ରତିଶତ ହ୍ରାସ କରିବା ଲାଗି ଅଦାଲତ ତାଙ୍କ ରାୟରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆମାଜନ ବୃଷ୍ଟିଜଙ୍ଗଲକୁ ରକ୍ଷା କରିବାରେ ସରକାରୀ ନିଷ୍କ୍ରିୟତାକୁ ବିରୋଧ କରି କଲମ୍ୱିଆର ୨୫ ଜଣ ଯୁବକ ଅଦାଲତର ଦ୍ୱାରସ୍ଥ ହୋଇ ଜୟଯୁକ୍ତ ହୋଇଥିଲେ । ପାକିସ୍ତାନରେ ଜଣେ ୭ ବର୍ଷର ଝିଅ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ସରକାରୀ ନିଷ୍କ୍ରିୟତାକୁ ବିରୋଧ କରି ଦାୟର କରିଥିବା ମାମଲାରେ ସେଠାକାର ଅଦାଲତ ତାହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ । ଏଭଳି ଧାରା ଚାଲୁ ରହିଛି ଏବଂ ଆଗକୁ ଚାଲୁ ରହିବ ମଧ୍ୟ । ଏହି ସଂଦର୍ଭରେ ଭାରତୀୟ ନାଗରିକମାନେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମାମଲାରେ ଅଧିକ ସକ୍ରିୟ ହେବା ଆବଶ୍ୟକ ।
ପରିବେଶକୁ ସୁରକ୍ଷିତ ରଖି ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ରକ୍ଷା ପାଇବାକୁ ହେଲେ କେବଳ ସରକାରୀ ସ୍ତରରେ ନୁହେଁ; ପ୍ରତ୍ୟେକ ନାଗରିକ ଏ ଦିଗରେ କର୍ତ୍ତବ୍ୟ ନିର୍ବାହ କରିବା ଆବଶ୍ୟକ । ବ୍ୟକ୍ତିଗତ ସ୍ତରରେ ଶକ୍ତି ଅପଚୟକୁ ରୋକି ଶକ୍ତିକୁ ସଞ୍ଚୟ କରାଯାଇ ପାରିଲେ ତାହା ହିଁ ହେବ ଜଣେ ନାଗରିକ ସକାଶେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ଦିଗରେ କ୍ଷୁଦ୍ର ଅଥଚ ବଳିଷ୍ଠ ଯୋଗଦାନ ।
Published in Sambad on September 19, 2023
Comments
Post a Comment